Unknown

 

 

 

 

 

 

 

 

 

 

 

ଅଭୟଂ ଅମିତ୍ରାତ୍

ଚିତ୍ତରଞ୍ଜନ ଦାସ

 

ସୂଚିପତ୍ର

 

୧.

ବର୍ଷଯାକର ଶପଥ

୨.

ସରକାର ସାଙ୍ଗରେ ଆସନ୍ତୁ

୩.

ଅଲଗା ଦିଶିବାର ଦୋଷ (୧)

୪.

ଅଲଗା ଦିଶିବାର ଦୋଷ (୨)

୫.

ଅଲଗା ଦିଶିବାର ଦୋଷ (୩)

୬.

ମୁଁ ଏକ ବଣମଲ୍ଲୀ

୭.

ବଡ଼ ଦୁଷ୍ଟ ଦାରୁଣ

୮.

କିଞ୍ଚିତ୍ ସଂଳାପ : ଏକାଦଶାହର

୯.

ଈଶ୍ୱର ସେଠାରେ ନାହାନ୍ତି

୧୦.

ଅସମର୍ଥତାରୁ ଦାର୍ଶନିକତା

୧୧.

ବିନ୍ଦୁ ଓ ସିନ୍ଧୁର ବିବାଦ

୧୨.

ଇସ୍କୁଲ ଏକ ଘର ପରି ହେବ

୧୩.

ଶିକ୍ଷା ଓ ସରକାରୀ ସ୍ୱୀକୃତି

୧୪.

ଦ୍ୱିତୀୟ ଶ୍ରେଣୀର ନାଗରିକ

୧୫.

ବିଷାଦରୁ ବିଷୁବ

୧୬.

ଆନ୍ଦୋଳନ ସଫଳ

୧୭.

କବିର ଦ୍ୱୈତଜୀବନ

୧୮.

ସ୍ୱାଗତମ୍, ପ୍ରତିବାଦର ସ୍ୱର

୧୯.

ପୁଣି ସେହି ପୁରୁଣା ଆହ୍ୱାନଟି

୨୦.

ଶକ୍ତି ଓ ଅପଶକ୍ତିର କାହାଣୀ

୨୧.

ଅଜାତିଆ ସାହିତ୍ୟ ଭାବନା

୨୨.

ହୁତୁ ଓ ତୁତ୍‌ସିଙ୍କର ଉପାଖ୍ୟାନ

୨୩.

ସାହିତ୍ୟରେ ଅସାହିତ୍ୟିକ ରତି

୨୪.

ଶିକ୍ଷା କାହାର ଗରଜ

୨୫.

କୁମାର ଭାଇ

୨୬.

ଖାରବେଳ ଖରାବେଳେ

୨୭.

ପୁରସ୍କାରରେ ଧୂଳି ଉଡ଼ିଲା

୨୮.

ସାପ କୋଉଠି କେତେ ମଲେଣି ?

୨୯.

ଇଂଲଣ୍ଡ ଓ ଓଡ଼ିଶା

୩୦.

ବେଳୁଁ ବେଳ ବନ ଉଜ୍ଜ୍ୱଳ

୩୧.

ଏହି ବନ୍ୟାବେଳେ

୩୨.

ପ୍ରକୃତି ଓ ମନୁଷ୍ୟପ୍ରକୃତି

୩୩.

ଡଙ୍କେଲ୍ ଡୁଙ୍କେଲ୍

୩୪.

ଯୋଗ୍ୟତା ମାନଦଣ୍ଡ ହେଉ

୩୫.

ପାନଛେପ ପକାନ୍ତୁ ନାହିଁ

୩୬.

ଗାନ୍ଧୀ ଅନ୍ତରାଳ ହୋଇ ରହିଲେ

୩୭.

ଗୁରୁଦିବସ କଳାଦିବସ

୩୮.

ପାଶ୍ଚାତ୍ୟ ଓ ପ୍ରାଚ୍ୟ

୩୯.

ବିଜ୍ଞାନରେ ବାମନଦୃଷ୍ଟି

୪୦.

ଫର୍ଦ୍ଦେ ବିଜ୍ଞାପନ

୪୧.

ଏକ ବିସ୍ତାରବାଦର ବିଲୟ (୧)

୪୨.

ଏକ ବିସ୍ତାରବାଦର ବିଲୟ (୨)

୪୩.

ଉପରୁ ତଳକୁ ନା ତଳୁ ଉପରକୁ ?

୪୪.

ପ୍ରେମଗଳ୍ପ ବିଶେଷାଙ୍କ

୪୫.

ପଶୁପକ୍ଷୀଙ୍କ ପାଇଁ ଡାକ୍ତରଖାନା

୪୬.

ଅନିକେତ, ବିଶ୍ୱନିକେତ

୪୭.

ଶିକ୍ଷାକଷଣର କାହାଣୀ

୪୮.

କାଶୀପୁର–ଅସଲ ଓ ଉପରକୁ

୪୯.

ବେଦନାର ବର୍ଣ୍ଣନିରୂପଣ

୫୦.

ସାରାୟେଭୋର ସଙ୍ଗୀତ

୫୧.

ବିଜ୍ଞାନରେ ବାମନଦୃଷ୍ଟି (୨)

୫୨.

ଉତ୍କଳର ଧ୍ୱନି

୫୩.

ଅନେକ ଅନେକ ଅସହାୟତା

୫୪.

ସାହିତ୍ୟ ସଂଳାପ

୫୫.

ସମସ୍ତେ ସ୍ଵାଧୀନ ହୋଇଯାଅ

୫୬.

କିଏ ପଚାରେ ସେ ଲୋକଙ୍କ କଥା

୫୭.

କେବଳ ସନାତନ ଧର୍ମଦ୍ୱାରା

୫୮.

ଠୋଠୋ ହସିବା ଆସ

୫୯.

ଭାରତବର୍ଷ ଭାରତବର୍ଷ ହେଉ

Image

 

ବର୍ଷଯାକର ଶପଥ

 

ଦେଶ କେବଳ ଗୋଟାଏ ଭାରତବର୍ଷ ନୁହେଁ, ଧର୍ମ କେବଳ ଗୋଟାଏ ହିନ୍ଦୁଧର୍ମ ନୁହେଁ, ମଣିଷ କେବଳ ଗୋଟାଏ ମୁଁ ନୁହେଁ । ଭବିଷ୍ୟ କହିଲେ କେବଳ ମୋ’ରି ଜିତାପଟକୁ କଦାପି ବୁଝାଇବ ନାହିଁ । ପୃଥିବୀର ଅସଲ ଦୃଷ୍ଟି ଓ ଅସଲ ଦ୍ରଷ୍ଟାମାନେ କାଳେ କାଳେ ଏକଥା କହି ଆସିଥିଲେହେଁ ତଥାପି କେତେ ମଣିଷ ଅଫିମ ଖାଇବାକୁ ମନ କରିଛନ୍ତି; ଏହି ଅଫିମଖିଆ ମଣିଷମାନେହିଁ ସଂପ୍ରଦାୟ ଗଢ଼ିଛନ୍ତି, ଧର୍ମ ନାମରେ ମଣିଷ ମାରିଛନ୍ତି, ନିଜର ଘରଟିଏ ତିଆରି କରିବେ ବୋଲି ସେମାନେ ଆଉ ଗୋଟିଏ ଘରକୁ ଭାଙ୍ଗିବେ ବୋଲି କେତେ ଉପଦ୍ରବ କରିଛନ୍ତି । ଧର୍ମମାନେ ସଂପ୍ରଦାୟ ଭିତରେ ଫୁଲି ଓ ଆହୁରି ଅଧିକ ଫୁଲି ଉଗ୍ର ହୋଇଛନ୍ତି । ମାତ୍ର, ଯେଉଁଠି ମନୁଷ୍ୟର ଧର୍ମଭାବନା ନିଜର ବାଡ଼ଟାକୁ ଡେଇଁ ବାହାରକୁ ଆସିଛି, ଗ୍ରହଣଶୀଳତାକୁହିଁ ଅସଲ ଉଦୟପଥ ବୋଲି ମାନି ନେଇଛି, ସେଠାରେ ତାହା ଆଧ୍ୟାତ୍ମିକତାର ଏକ ଅନ୍ୟ ସ୍ତରକୁ ଉନ୍ନୀତ ହୋଇଯାଇଛି । ଯେଉଁଠାରେ ଗୁରୁମାନେ ଅଥବା ଧର୍ମପଲମାନେ ଗାରଗୁଡ଼ାକୁ ଡେଇଁବେ ନାହିଁ ବୋଲି ପଣ କରିଛନ୍ତି ଓ ଧର୍ମନିଶାକୁ ସେବନ କରିବାକୁହିଁ ଫଳପ୍ରଦ ଧାର୍ମିକତା ବୋଲି ବିଚାର/ଅବିଚାର କରିଛନ୍ତି, ସେହିସବୁ କ୍ଷେତ୍ରରେହିଁ ଠାକୁରମାନେ, କଳ୍ପନାମାନେ ଏବଂ ଦେବସ୍ଥାନମାନେ ପୃଥିବୀରେ ବହୁ ପ୍ରମାଦର କାରଣ ହୋଇଛନ୍ତି । ସେଥିଲାଗି କାଳେ କାଳେ ଆଧ୍ୟାତ୍ମିକତା ଓ ଧର୍ମ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିଆସିଛି । ଆଗେ ରାଜାମାନେ ଧର୍ମକୁ ସତେଅବା ରକ୍ଷିତାର ମର୍ଯ୍ୟାଦା ଦେଇ ତାହାର ପୋଷଣ କରିଆସୁଥିଲେ । ଏବେ ଆମ ଯୁଗରେ ରାଜନୀତି ରଜା ହୋଇଥିବାରୁ ରାଜନୀତିହିଁ ଧର୍ମକୁ ଫୋଟକାବାଣରେ ପରିଣତ କରି ପୃଥିବୀକୁ ଭୟ ଦେଖାଇବାକୁ ବାହାରିଛି ।

 

କାଫେର୍‌, ଯବନ ଓ ମ୍ଳେଚ୍ଛ ପ୍ରଭୃତି ଶବ୍ଦ ଆଧ୍ୟାତ୍ମିକତାରେ ନାହିଁ । ଏସବୁ ହେଉଛି ଧର୍ମକୁ କାମରେ ଲଗାଇ ଧର୍ମେତର ନାନାବିଧ ସଫଳତା ହାସଲ କରିବାକୁ ଫନ୍ଦା କରିଥିବା ବିକଟ ଅଧାର୍ମିକମାନଙ୍କର ଗୋଟିଏ ଗୋଟିଏ ଶବ୍ଦ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମାୟତନ ମଧ୍ୟରେହିଁ ଜନ୍ମଗ୍ରହଣ କରିଥାନ୍ତି । ଯିଏ ଯେଉଁ ପରିବାରରେ ଜନ୍ମ ନିଏ, ସିଏ ସେହି ଧର୍ମାବଲମ୍ବୀ ହେବାକୁ ଏକାନ୍ତ ଆକସ୍ମିକ ଭାବରେ ବାଧ୍ୟ ହୋଇଥାଏ । ପାରିବାରିକ ତଥା ସ୍ଥାନୀୟ ସଂସ୍କାର, ଶିକ୍ଷା ତଥା ସାଂସ୍କୃତିକ ଛାଞ୍ଚଗୁଡ଼ିକ ଏହି ପ୍ରକ୍ରିୟାକୁ ବଳ ଯୋଗାଇ ଦେଇଥାନ୍ତି । ସେହି ଅନୁସାରେ କେହି ହିନ୍ଦୁ ହୁଏ, କେହି ମୁସଲମାନ ହୁଏ, କେହି ଖ୍ରୀଷ୍ଟିଆନ କିମ୍ବା ଆଉକିଛି ହୁଏ । ଭିତରକୁ, ଗଭୀରକୁ ତଥା ତାତ୍କାଳିକ ଗାର ଓ ପିତୁଳାଗୁଡ଼ାକର ଆହୁରି ଊର୍ଦ୍ଧ୍ୱକୁ ଅନାଇପାରିବା ଲାଗି ଆମ ଧର୍ମହିଁ ଆମକୁ ଏକ ପ୍ରାଥମିକ ହେତୁ ଦେଇଥାଏ । ଆମକୁ ଆମର ସର୍ବପ୍ରଥମ ଆଖିଗୁଡ଼ିକୁ ଦେଇଥାଏ । କେବଳ ଗୋଟିଏ ଭାଷାକୁ ବୁଝିବା ନିମନ୍ତେ ସ୍ଥାନୀୟ ହୃଦୟଟିଏ ଦେଇଥାଏ ।

 

ବୃହତ୍ତର ପୃଥିବୀ ସହିତ ସାକ୍ଷାତ ହେବାପରେ ସେହି ହେତୁଟି ମଧ୍ୟ ସମୃଦ୍ଧ ହେବାକୁ ଆରମ୍ଭ କରେ । ଜଣେ ବ୍ୟକ୍ତି ଅଥବା ଗୋଟିଏ ଗୋଷ୍ଠୀ ଆପଣାକୁ ଯେତିକି ସମ୍ମତ କରାଇପାରେ, ଆପଣାର ହେତୁଟିକୁ ମଧ୍ୟ ସିଏ ସେତିକି ସମୃଦ୍ଧ ହେବାକୁ ସୁଯୋଗ ଦେଇଥାଏ । ଇତିହାସର ଧର୍ମଗୁଡ଼ିକ ଯେତେବେଳେ ପ୍ରଥମେ ପ୍ରଚାରିତ ହୋଇଥିଲେ, ସେତେବେଳେ ପୃଥିବୀମାନେ ମଧ୍ୟ ଅତ୍ୟନ୍ତ ସ୍ଥାନୀୟ ହୋଇ ରହିଥିଲେ । ସ୍ଥାନୀୟତାର ମଧ୍ୟ ବିକାଶ ଏବଂ ଅଧିକ ବିକାଶ ଘଟି ଜାତୀୟତାର ଉଦ୍ଭବ ହେଲା । ବିଜ୍ଞାନହିଁ ମନୁଷ୍ୟକୁ ବର୍ତ୍ତମାନର ବୃହତ୍‌ ପୃଥିବୀଟି ସହିତ ସାକ୍ଷାତ କରାଇଦେଲା । ବୃହତ୍ତରର ସମ୍ପର୍କରେ ଆସିଲେ ମନୁଷ୍ୟକୁ ଯେ ତା’ର ମୂଳ ଓ ସ୍ଥାନୀୟଟିକୁ ବର୍ଜନ କରିବାକୁ ପଡ଼େ, ସେକଥା ମୋଟେ ନୁହେଁ । ମାତ୍ର ପରିଚୟ ଅର୍ଥାତ୍ ସତ୍ୟାଦର୍ଶର ଓ ସତ୍ୟସ୍ପର୍ଶନର ପରିଧିଟି ଅଧିକ ପ୍ରଶସ୍ତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ମନୁଷ୍ୟର ଆଖି ବଦଳିଯାଉଥାଏ । ମାପକାଠିଗୁଡ଼ିକ ବଦଳି ଯାଉଥାନ୍ତି ଏବଂ ସିଏ ସେହି ନୂଆ ଆଖିଟି ଦେଇ ପୁରୁଣାଟିକୁ ଦେଖେ ଓ ନୂଆ ମାପକାଠିଗୁଡ଼ିକୁ ଦେଇ ପୁରୁଣାର କଳନା କରେ । ଆପଣା ଘରଟିକୁ, ମୂଲ୍ୟବୋଧ, ଅନୁରକ୍ତି ଓ ଅଙ୍ଗୀକାରବଦ୍ଧତାର ଘରଟିକୁ ସେ ଏକାବେଳକେ ନୂଆ ବ୍ୟଞ୍ଜନା ଓ ନୂଆ ପ୍ରସ୍ଥ ଦେଇ ଅନୁଭବ କରେ । ତା’ର ପୁରୁଣା ପ୍ରତିମାମାନେ ସାବାଳକତା ଲାଭ କରନ୍ତି । ସେହିମାନଙ୍କୁ ଅବଲମ୍ବନ କରି ନିଜ ଜୀବନଟିକୁ ଚାଲୁଥିବା ମଣିଷ ମଧ୍ୟ ସାବାଳକ ହୁଏ । ପୁରୁଣା ଛାଞ୍ଚ ଓ ପୁରୁଣା ନାମଗୁଡ଼ାକର ବେଢ଼ ଭିତରେ ରହିଥିଲେ ମଧ୍ୟ ତା’ର ଦୃଷ୍ଟି ବଦଳି ଯାଏଁ ।

 

ଭାରତୀୟ ବିଚାରର ଇତିହାସକୁ ଯଦି ଗତ ପାଞ୍ଚ ହଜାର ବର୍ଷର ଇତିହାସ ବୋଲି ଅନୁମାନ କରାଯାଏ, ତେବେ ଭାରତୀୟ ବିଚାର ଏହି କ୍ରମବିକାଶର ଅବଧିଟି ମଧ୍ୟରେ କେତେ କମ୍ ବା ଅଧିକ ସାବାଳକତା ଲାଭ କରିଛି, ତାହାର ଏକ ଅବଲୋକନ ଅବଶ୍ୟ ସମ୍ଭବ ହେବ । ଭାରତୀୟ ଧର୍ମସଂପ୍ରଦାୟ ଓ ପୌତ୍ତଳିକମାନେ ଆପଣାର ପ୍ରତିମାତୃଷ୍ଣା ତଥା ତଜ୍ଜନିତ ବହୁବିଧ କାମୁକତା ମଧ୍ୟରେ ପ୍ରଗାଢ଼ ଭାବରେ ଲିପ୍ତ ହୋଇ ରହିଥିବାବେଳେ ସେହି ପ୍ରାଚୀନ କାଳରେ ମଧ୍ୟ ଭାରତରେ ଋଷିମାନେ ଯେ ଧର୍ମର ଯାବତୀୟ ଗାରକୁ ଡେଇଁ ପୂର୍ଣ୍ଣ ଚକ୍ଷୁଷ୍ମାନ୍‍ ସାବାଳକମାନଙ୍କ ପରି ଏପରି ଏକ ଆଧ୍ୟାତ୍ମିକତାର ଓ ସାବାଳକତାର ପରିଚୟ ଦେଇଥିଲେ, ଯାହାକି ଏବେ ମଧ୍ୟ ଆମ ପୃଥିବୀର ଆଧୁନିକତମ ଦୃଷ୍ଟିକୁ ଚକିତ ଓ ପୁଲକିତ କରିଦେଇପାରୁଛି । ଭାରତର ସନ୍ଥମାନେ କାଳେ କାଳେ ଧର୍ମାସକ୍ତତାର ଡାଳ ଓ ପତ୍ରଗୁଡ଼ାକୁ ଛାଡ଼ି ମୂଳକୁ ଫେରିଯିବାର ଉଦ୍‌ବୋଧନ ଦେଇ ଆସିଛନ୍ତି । ବିଭିନ୍ନ କାଳରେ ଭାରତକୁ ପୃଥିବୀର ବିଭିନ୍ନ ଧର୍ମସନ୍ଦେଶର ସମ୍ପର୍କ ଓ ସଂକ୍ରମଣର ସମ୍ମୁଖୀନ ହେବାର ଯେଉଁ ସୌଭାଗ୍ୟ ମିଳିଛି, ତାହା ଭାରତର ସଂପ୍ରଦାୟଗୁଡ଼ିକୁ ଅଧିକ ସଂକୀର୍ଣ୍ଣ ଓ ଅଧିକ ସ୍ପର୍ଶକାତର ହୋଇ ରହିବାକୁ ସାହାଯ୍ୟ କରିଛି ସିନା, ମାତ୍ର ଭାରତୀୟ ଆଧ୍ୟାତ୍ମିକ ପରମ୍ପରା ଚିରଦିନ ମହାସମୁଦ୍ରର ଆହ୍ୱାନ ଦେଇଆସିଛି । ସେହି ପରମ୍ପରା ଊନବିଂଶ ଶତାବ୍ଦୀରେ ଇଉରୋପୀୟ ଭାବଆଲୋଡ଼ନର ସଂସ୍ପର୍ଶରେ ଆସି ଏକ ଅଭିନବ ଉଚ୍ଚତାକୁ ସ୍ପର୍ଶ ମଧ୍ୟ କରିଛି । ଆଧୁନିକ ଭାରତବର୍ଷରେ ଯାବତୀୟ ଉଦ୍‌ବେଳନର ପଛରେ ଯେଉଁ ମୂଳ ପ୍ରେରଣାଟି ରହିଛି, ତାହାକୁ ଏକାଧିକ ଯଥାର୍ଥତା ସହିତ ଏକ ଆଧ୍ୟାତ୍ମିକ ପ୍ରେରଣା ବୋଲି କୁହାଯାଇପାରିବ । ସମ୍ଭବତଃ ସେହି କାରଣରୁ ଆଖିଥିବା ଆମେ କେହି ହେଲେ ଆପଣାକୁ କେବଳ ହିନ୍ଦୁ, କେବଳ ଶିଖ କିମ୍ବା କେବଳ ଆର୍ଯ୍ୟ ଅଥବା ଆର୍ଯ୍ୟେତର ବୋଲି କହିପାରିବା ନାହିଁ । ଆମେ ଖାସ୍ ଅମୁକ ଧର୍ମର ବା ସମୁକ ଧର୍ମର ବୋଲି ନିଜକୁ କହିପାରିବା ନାହିଁ । ଆମେ ନିଜକୁ ଭାରତୀୟ ବୋଲି, ଆଧ୍ୟାତ୍ମିକ ବୋଲିହିଁ କହିପାରିବା ।

 

‘‘ଏହି ଯାହାକୁ ଏଠି ସମସ୍ତେ ଉପାସନା କରୁଛନ୍ତି, ତାହା ଅସଲ ନୁହେଁ ।’’ କେନୋପନିଷଦର ଏହି ବାଣୀକୁ ସାବାଳକମାନେହିଁ ଗ୍ରହଣ କରିବାର ସାହସ ଦେଖାଇପାରିଛନ୍ତି । ପ୍ରତୀକ ଭଗବାନ ନୁହେଁ, ଦୃଷ୍ଟାନ୍ତ ମଧ୍ୟ ଭଗବାନ ନୁହେଁ । ପ୍ରତୀକ, ଦୃଷ୍ଟାନ୍ତ ଏଗୁଡ଼ିକ ଦ୍ୱାରସ୍ୱରୂପ । ପୃଥିବୀର ଯାବତୀୟ ଧର୍ମ ପ୍ରତୀକ ଏବଂ ଦୃଷ୍ଟାନ୍ତଗୁଡ଼ିକୁ ସତେଅବା ମୁଖ୍ୟ ବୋଲି ଘୋଷଣା କରି ପରସ୍ପରଠାରୁ ଦୂରଛଡ଼ା ହୋଇଯାଇଛନ୍ତି । ଏହି ପୃଥିବୀର ଧର୍ମଗୁରୁ ଓ ସାଂପ୍ରଦାୟିକ ଉଚ୍ଚମାନେ ସମ୍ଭବତଃ ଏହି ପ୍ରକ୍ରିୟାଟିକୁ ଉତ୍ସାହିତ କରି ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ବାହ୍ୟକୁ ଭେଦିବାକୁ ହେଲେ ବାହ୍ୟଟିଏ ଦରକାର, ସେମାନେ ତଥାପି ଏହି କଥାଟିକୁ କହିଆସିଥିଲେ ମଧ୍ୟ ବାହ୍ୟକୁ ଭେଦିବା ବିଷୟରେ ଯେତେ ପ୍ରେରଣା ନ ଦେଇଛନ୍ତି, ବାହ୍ୟଟା ପାଖରେ ଲାଖି ରହିବାପାଇଁ ହୁଏତ ତାହାଠାରୁ ଅଧିକ ନିଷ୍ଠା ଦେଖାଇଛନ୍ତି।ସାଧାରଣ ମଣିଷ ଆକାରାତୀତକୁ ସହଜରେ ଧରିପାରିବ ନାହିଁ ବୋଲି ସେମାନେ ଆକାରଗୁଡ଼ିକର କଳ୍ପନା କରିଛନ୍ତି । ଆକାରଗୁଡ଼ିକୁ ନିଠ କରି ଉପାସନାମାର୍ଗଗୁଡ଼ିକର ସୃଷ୍ଟି ହୋଇଛି । ମାର୍ଗଗୁଡ଼ିକ ଚାଲିବାର ଉଦ୍‌ବୋଧନ ଯେତେ ନ ଦେଇଛନ୍ତି, ଗୋଡ଼ଗୁଡ଼ିକୁ ଅର୍ଥାତ୍ ଆସ୍ପୃହାଗୁଡ଼ିକୁ ଛନ୍ଦି ପକାଇବାରେ ଅଧିକ ସହାୟତା କରିଛନ୍ତି-। ତେଣୁ, ଏବେ ଆମ ଯୁଗକୁ ଆସି ଆମେ ମନ୍ଦିର ବେଶୀ ଦେଖୁଛୁ, ଉପାସନା ଓ ତଜ୍ଜନିତ ଅସୂୟାର ଆଡ଼ମ୍ବରଗୁଡ଼ିକୁହିଁ ଅଧିକ ପରିମାଣରେ ଦେଖୁଛୁ । ଅତ୍ୟନ୍ତ ଅରସିକ ଭାବରେ ଠାକୁରମାନଙ୍କୁ ନେଇ, ସେମାନଙ୍କର ଆସ୍ଥାନମାନଙ୍କୁ ନେଇ ଓ ସ୍ଥାନୀୟ ଆଖ୍ୟାନମାନଙ୍କୁ ନେଇ ମଣିଷ ମଣିଷ ଭିତରେ ବାଦ ଲାଗିଛି । ଅଧ୍ୟାତ୍ମର ମାଧ୍ୟମରେ ଧର୍ମ ମଣିଷକୁ ପରସ୍ପରର ନିକଟତର କରାଇପାରିଥାନ୍ତା, ବାହାରର ଅଳ୍ପତାଗୁଡ଼ାକୁ କାଟି ତାହା ଅନ୍ତରକୁ ଅନ୍ତର ସହିତ ଯୋଡ଼ି ରଖିଥିବା ଭୂମାର ପ୍ରତ୍ୟକ୍ଷାନୁଭୂତି ଲାଭ କରି ଆପଣାର ବାହାର ସମ୍ବନ୍ଧଗୁଡ଼ିକର ନିର୍ଦ୍ଧାରଣ କରିଥାନ୍ତା । ମାତ୍ର ଆମ ଯୁଗରେ ଏ ଅହଂକାରୀମାନେ କେଉଁଠୁଁ ଆସି ପହଞ୍ଚିଲେ ?

 

କ୍ଷମତାକୁ ମନ କଲେ ସବୁକିଛି ଅହଂକାରୀ ହୁଏ । ଧର୍ମ ମଧ୍ୟ କମ୍ ଅହଂକାରୀ ହୁଏ ନାହିଁ । ଅହଂକାରୀ ମଣିଷମାନେ ନିଜଟା ବ୍ୟତୀତ ଆଉ କିଛି ହେଲେ ଦେଖିପାରନ୍ତି ନାହିଁ । ଆଧୁନିକ ବିଜ୍ଞାନ ମନୁଷ୍ୟର ଚିତ୍ତରେ ଏକ ଉଦାର ବୋଧ ଓ ଔଜଲ୍ୟବୋଧର ବିଶ୍ଵଦୃଷ୍ଟି ଆଣି ଭରିଦେବାକୁ ବାହାରେ କ୍ଷେତ୍ରଟିକୁ ପ୍ରସ୍ତୁତ କରି ରଖିଥିଲେ ମଧ୍ୟ ଆମ ପୃଥିବୀ ଆପଣା ବାସ୍ତବଗୁଡ଼ିକର ଭୂମିରେ କାହିଁକି ଅନୁଦାର, ଅସହିଷ୍ଣୁ ଏବଂ ଅହଂକାମୀ ହୋଇ ରହିଛି ? କାରଣ, କ୍ଷମତାକୁ ମନ କରୁଥିବା ମଣିଷମାନେ ଆମର ଏହି କାଳରେ ସତେଅବା ଭାରି ପ୍ରବଳ ଏବଂ ଅସମ୍ଭାଳ ହୋଇପଡ଼ିଲେଣି । ଧର୍ମ କ୍ଷମତାକାମୀ ମଣିଷଙ୍କଦ୍ଵାରା ଯୁଗେଯୁଗେ କ୍ରୀଡ଼ନକ ପରି ବ୍ୟବହୃତ ହୋଇଆସିଛି । କ୍ଷମତାର ମଣିଷମାନେ ଭାରି ଚତୁରତାର ସହିତ ପ୍ରତୀକଗୁଡ଼ିକୁ, ଆସ୍ଥାନଗୁଡ଼ିକୁ ଏବଂ ସନ୍ତକଗୁଡ଼ିକୁ ଆପଣାର ଅଭୀଷ୍ଟ ସାଧନରେ ବ୍ୟବହାର କରିଆସିଛନ୍ତି । ସେମାନଙ୍କର ଉପଦ୍ରବରେ ସକଳ ଈଶ୍ଵରଭାବନା ବଡ଼ ନିନ୍ଦିତ ହୋଇ କେତେଟା ଉତ୍ତେଜନା ମଧ୍ୟରେ ଆସି ପଶିଯାଇଛି ଓ କ୍ଷମତାକାମୀମାନଙ୍କର ତାମସାରେ ପ୍ରାୟ ଏକ ବହୁଭୂଷିତ କଣ୍ଢେଇ ପରି ବ୍ୟବହୃତ ହୋଇଛି । ଆଧ୍ୟାତ୍ମିକତା କାଳେ କାଳେ କ୍ଷମତାକୁ ଚାଲେଞ୍ଜ କରି ଆସିଛି । ପ୍ରତ୍ୟେକ ଧର୍ମର ଇତିହାସରେ ଆଧ୍ୟାତ୍ମିକ ମଣିଷମାନେ ଯେକୌଣସି ଧର୍ମର ଛାଞ୍ଚ ଭିତରେ ରହିଥିଲେ ମଧ୍ୟ ସତେଅବା ସମାନ ଭାଷାରେ କଥା କହିଛନ୍ତି । ଅଫିମକୁ ଅଫିମ ବୋଲି କହିଛନ୍ତି । ସମ୍ଭବତଃ ସେହିମାନଙ୍କଦ୍ଵାରା ଆମ ଇତିହାସର ଅସଲ ପରିବର୍ତ୍ତନଗୁଡ଼ିକ ହୋଇଛି ।

 

ରାମ, କୃଷ୍ଣ, ହରି, ହର–ଏମାନେ ଗୋଟିଏ ଗୋଟିଏ ପ୍ରତୀକ, ମାଧ୍ୟମ ଏବଂ ସନ୍ତକ । ଆଧ୍ୟାତ୍ମିକ ଶାସ୍ତ୍ରର ଭାଷାରେ ଏମାନଙ୍କର ଆଖ୍ୟାନଗୁଡ଼ିକୁ ଗୋଟିଏ ଗୋଟିଏ ଆଲମ୍ବନ ବୋଲି କୁହାଯାଇପାରିବ । ଆମ ଓଡ଼ିଶାରେ ଆମ ଜଗନ୍ନାଥ ମଧ୍ୟ ଗୋଟିଏ ପ୍ରତୀକ । ତଥାପି ଅତ୍ୟୁତ୍ସାହୀ ଧର୍ମକାମୁକମାନେ ଏହି ପ୍ରତୀକମାନଙ୍କୁ ନିଠ କରି ଭାରତୀୟ ସାମୂହିକ ଇତିହାସରେ କେତେକେତେ କୋଳାହଳ ଲଗାଇ ଆସିଛନ୍ତି । ସମ୍ଭବତଃ ସେଇଥିସକାଶେ ଅଧ୍ୟାତ୍ମର ଭୂମି ଭାରତବର୍ଷ ବାରମ୍ବାର ଦୁର୍ଦ୍ଦିନରେ ପଡ଼ି ଧର୍ମାତୁରତାର ଫାନ୍ଦରେ ପଡ଼ିଯାଇଛି, ଉଗ୍ର ହୋଇଛି ଏବଂ ମୂର୍ତ୍ତିସର୍ବସ୍ୱ ହୋଇ ମଥା ହରାଇ ବସିଛି । ସନ୍ଥ କବୀର ହିନ୍ଦୁ କି ଅହିନ୍ଦୁ ଥିଲେ, ତାହାର ବିଚାର ଏବେ ମଧ୍ୟ ଚାଲିଛି, ମାତ୍ର ସେ ରାମ–କଳ୍ପନାକୁ ଆସ୍ଥାନ ପରି ବ୍ୟବହାର କରି କେତେକେତେ ଅଧ୍ୟାତ୍ମ ଭଜନ ଲେଖିଯାଇଛନ୍ତି । ଏବଂ କାଳେ ତାଙ୍କୁ କେହି ଅତ୍ୟୁତ୍ସାହୀ କେବଳ ରାମଉପାସକ ବୋଲି କହି ଭୁଲ୍ କରିବ, ସେଥିପ୍ରତି କେଡ଼େ ସ୍ପଷ୍ଟ ଭାବରେ ସେ ତାଙ୍କଦ୍ୱାରା ବର୍ଣ୍ଣିତ ରାମ ସୀତାଙ୍କୁ ବିବାହ କରିଥିବା ଓ ସିନ୍ଧୁ ଉପରେ ସେତୁ ବାନ୍ଧିଥିବା ରାମ ନୁହନ୍ତି ବୋଲି ଘୋଷଣା କରିଛନ୍ତି । ଆମ ଏ ଯୁଗରେ ରାମଙ୍କୁହିଁ ପ୍ରଧାନ ପ୍ରତୀକରୂପେ ଗ୍ରହଣ କରିଥିବା ଏବଂ ନିଜ କଳ୍ପନାର ଭବିଷ୍ୟ–ସମାଜକୁ ରାମରାଜ୍ୟ ବୋଲି କହିଥିବା ମହାତ୍ମାଗାନ୍ଧୀ ମଧ୍ୟ ରାମାୟଣ ନାମକ କାବ୍ୟୋପନ୍ୟାସରେ ବର୍ଣ୍ଣିତ ରାମଚନ୍ଦ୍ର ତାଙ୍କର ରାମ ନୁହନ୍ତି ବୋଲି ଦର୍ଶାଇ ଦେଇଛନ୍ତି । ଭାରତବର୍ଷର ଅଧିକାଂଶ ମଣିଷ ଅକିଞ୍ଚନ ଓ ଅଜ୍ଞାନ ହୋଇ ରହିଥିବାରୁ ଫାଇଦା ଉଠାଇ କ୍ଷମତାର ମନୁଷ୍ୟମାନେ ସେମାନଙ୍କୁ ଯେ ଉପନ୍ୟାସର ଉତ୍ତେଜନା ଭିତରେ ବାଉଳା କରି ରଖିବାର ଉଦ୍ୟମ କରିଛନ୍ତି, ତାହା ଆମ ସମସ୍ତଙ୍କର ଦୁର୍ଭାଗ୍ୟ ।

 

ଭଗବାନ ଯେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜନ୍ମଗ୍ରହଣ କରନ୍ତି, କେବଳ ମନ୍ଦିର ନାମକ ଏକ ନିର୍ଦ୍ଦିଷ୍ଟ ବେଢ଼ା ଭିତରେହିଁ ତାଙ୍କର ପୂଜା ହୋଇପାରିବ ଏବଂ ନହେଲେ ସେ ଅପୂଜା ରହିଯିବେ, ଭଗବାନଙ୍କୁ ଏକ ଅନ୍ୟ ଉତ୍ତେଜନାର ମାଧ୍ୟମରୂପେ ବ୍ୟବହାର କରୁଥିବା କୁପିତମାନଙ୍କରହିଁ ଅନାଚାର ବୋଲି ତାହାକୁ କୁହାଯିବ । ଭାରତବର୍ଷରେ ଅଧ୍ୟାତ୍ମଗୁଡ଼ିକ ସତ ଅଫିମ ପରି କାର୍ଯ୍ୟକରି ଆସିଛି, କ୍ଷମତାର ମଣିଷମାନେ ତାହାକୁ କାଳେ କାଳେ ମଣିଷର ବିବେକକୁ ବାଉଳା କରି ରଖିବେ ବୋଲି ବ୍ୟବହାର କରିଆସିଛନ୍ତି । ଗୋଟିଏ ପରମ ସତ୍ୟକୁ ୧୦ ହଜାର ପିତୁଳା କରି ବସାଇ ଦିଆଯାଇଛି ଏବଂ କ୍ଷମତାର ମଣିଷମାନେ ସେହି କିଆରିରୁ ଆପଣା ମନସ୍ୱାଦଗୁଡ଼ିକର କେତେକେତେ ଫସଲ କାଟିବାରେ ଲାଗିଛନ୍ତି । ଅଧ୍ୟାତ୍ମ ସତେଅବା ଜଳକା ହୋଇ ଚାହିଁ ରହିଛି । ଆଗେ ରାଜାମାନେ ସେଥିରୁ ଫାଇଦା ଉଠାଉଥିଲେ । ଏବର ଦୁଷ୍ଟ ରାଜନୀତି ସେଥିରୁ ଲାଭ ଖାଇବାରେ ଲାଗିଛି । ଅହଂଦ୍ୱାରା ଅହଂର ସାମନା କରି ହୁଏନାହିଁ । ଅଧ୍ୟାତ୍ମଦ୍ୱାରାହିଁ ଅହଂର ସାମନା କରାଯାଇପାରେ । ନାନା କାଳଗତ କାରଣରୁ ଭାରତବର୍ଷରେ ଅଧ୍ୟାତ୍ମ ନିଷ୍କ୍ରିୟ ହୋଇରହିଛି; ବାହାରେ ବାହାରେ ରହିଯାଇଛି । ଏକ ମିଛ ନକାରାତ୍ମକ ମାୟାବାଦର ଫାଶ ଭିତରେ ପଶି ଭାରତରେ ଏକ ପରମ୍ପରା ଅଧ୍ୟାତ୍ମକୁ ବଡ଼ ଅକ୍ରିୟ ଏବଂ ଉଦାସୀନ କରି ରଖିଛି । ଉଦାସୀନତାର ପ୍ରତିବିଷ ହେଉଛି ଶ୍ରଦ୍ଧା । ଉଦାସୀନତା ଓ ଉପେକ୍ଷା ଭାରତବର୍ଷର ବିବେକକୁ ଭାରି ଅଲକ୍ଷଣା କରି ରଖିଛି ଏବଂ ଚତୁର ଥୋକେ କାଳେ କାଳେ ତାହାର ଫାଇଦା ଉଠାଇଛନ୍ତି ।

 

ବର୍ତ୍ତମାନ ଭାରତବର୍ଷର ସ୍ଥିତିଗୁଡ଼ିକୁ ଏକ ସଙ୍କଟ ବୋଲି ନକହି ଏକ ଚାଲେଞ୍ଜ ବୋଲିହିଁ କୁହାଯିବା ଉଚିତ । ଏହି ଦେଶର ମାଟିରେ ଅଫିମ ଗଛ ଆଦୌ ଉଧେଇପାରିବ ନାହିଁ । ମାତ୍ର ଯଦି ଶ୍ରଦ୍ଧା ଅକ୍ରିୟ ରହେ, ଯଦି ଅଧ୍ୟାତ୍ମ ଅକ୍ରିୟ ରହେ, ଜ୍ଞାନ, ପ୍ରଜ୍ଞା ଏବଂ ବିବେକ ସମସ୍ତେ ଅକ୍ରିୟ ରହନ୍ତି, ତେବେ ଆମ ଐତିହ୍ୟର ମାଟିକୁ ଆତ୍ମକାମୀମାନଙ୍କର ଉପଦ୍ରବଦ୍ୱାରା ଏକ ଦାରୁଣ ଆଘାତ ଲାଗିବ । ଆମର ଅସଲ ବିଶ୍ୱାସଗୁଡ଼ିକୁ ତାହା ହୁଏତ ସବୁ ଆମର ଅଣଅକ୍ତିଆର ହୋଇଯିବା ଭଳି ଭାରି ଦୋହଲାଇଦେବ । ଧର୍ମକୁ ଯେଉଁମାନେ ସନ୍ତ୍ରାସବାଦର ନାନା ସିଦ୍ଧି ଲାଗି ବ୍ୟବହାର କରି ଆପଣାକୁ ମୌଳବାଦୀ ବୋଲି କହୁଛନ୍ତି, ସେମାନେ ବସ୍ତୁତଃ ଅଧ୍ୟାତ୍ମ ଅକ୍ରିୟ ହୋଇ ରହିଥିବାରୁ ଓ ସତେଅବା ରୁଷି ବସିଥିବାରୁ ଫାଇଦା ଉଠାଉଛନ୍ତି । ସାହସ ରୁଷି ବସିଲେ ଭୀରୁତାହିଁ ଗର୍ଜନ କରି ପଦାକୁ ବାହାରେ, ମଣିଷ ଭିତରେ ରହିଥିବା ଈଶ୍ଵର ରୁଷି ବସିଲେ ସଇତାନ ମଉକାଗୁଡ଼ାକୁ ସତେଅବା ପୁଞ୍ଜି କରିବାକୁ କେତେ ମନ କରେ । ସଜ୍ଜନମାନେ ରୁଷି ବସିଲେ ଓ ଅକ୍ରିୟ ହେଲେ ଯୁଗର ମୂଳ ପ୍ରତ୍ୟୟଗୁଡ଼ିକ ଉପରେ ବିନାଶକାରୀ ଖଡ଼୍ଗମାନେ ଆଘାତ କରିବାକୁ ଆସନ୍ତି । ଭାରତବର୍ଷ ଏହି ଚାଲେଞ୍ଜର ଜବାବ ଦେଉ । ଏକ ନୂଆ ନେତୃତ୍ୱର ଆବିର୍ଭାବ ହେଉ ।

Image

 

ସରକାର ସାଙ୍ଗରେ ଆସନ୍ତୁ

 

ଭାରତବର୍ଷରେ ଗତ ପଚାଶବର୍ଷ ହେଲା ଅଶିକ୍ଷା ଶିକ୍ଷାକୁ ଗିଳି ପକାଇବାରେ ଲାଗିଛି । ଶିଷ୍ଟଜନମାନେ ‘ଗିଳିଲା’ ‘ଗିଳିଲା’ ବୋଲି ପାଟି କରୁଛନ୍ତି ସିନା, ମାତ୍ର ଅଧିକ କିଛିହେଲେ କରିପାରୁନାହାନ୍ତି । ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କରିବା ପୂର୍ବରୁ ସ୍ୱାଧୀନ ଭାରତବର୍ଷରେ ଶିକ୍ଷାର ପୁନର୍ବିନ୍ୟାସ ଯେପରି ଭାବରେ କରାଯିବ ବୋଲି ସମସ୍ତଙ୍କ ଭିତରେ ପ୍ରାୟ ଏକ ସହମତି ପ୍ରକାଶ ପାଇଥିଲା ଓ ମୁଖ୍ୟତଃ ଯେଉଁସବୁ ମୂଲ୍ୟବୋଧକୁ ଭିତ୍ତିକରି ସେହି ପୁନର୍ବିନ୍ୟାସ ହେବ ବୋଲି ସମ୍ପୃକ୍ତ ସମସ୍ତେ ଅପେକ୍ଷା କରିଥିଲେ, ସତକୁସତ ସ୍ଵାଧୀନତା ପାଇବା ପରେ ସେହିସବୁ ପୁନର୍ବିନ୍ୟାସର ପୋଥିରେ ଡୋର ବାନ୍ଧି ଦିଆଗଲା । ତାହାର କାରଣ ଅନେକ । ସେହିସବୁ କାରଣ ବାହାର କରିବାପାଇଁ ସରକାରୀ ତଥା ବେସରକାରୀ ତତ୍ତ୍ୱାବଧାନରେ କେତେ ଶହ ବା କେତେ ହଜାର ଚର୍ଚ୍ଚା, ପରିଚର୍ଚ୍ଚା, ମନ୍ଥନ ଓ ପ୍ରତିମନ୍ଥନମାନ ହୋଇଆସିଛି । ରୋଗକୁ ଦୂର କରିବା ଅପେକ୍ଷା ସମ୍ଭବତଃ ରୋଗର ନିଦାନଗୁଡ଼ିକୁ ବାହାର କରିବାରେ ଅଧିକ ପଇସା, ଅଧିକ ସମୟ ଏବଂ ଅଧିକ ମୁଣ୍ଡ ଖରଚ ହୋଇଛି । ସବୁ ଚର୍ଚ୍ଚାରେ ମୋଟାମୋଟି ପ୍ରାୟ ଏକା ନିଦାନଗୁଡ଼ିକର ଠାବ କରାଯାଇଛି । ପବନପୁତ୍ର ହନୁମାନ ଗଛଡ଼ାଳରେ ଥାଇ ଜନକନନ୍ଦିନୀ ସୀତାଙ୍କୁ ଠାବ କଲାମାତ୍ରକେ ତ ସାଙ୍ଗେ ସାଙ୍ଗେ ଗଛ ଉପରୁ ତଳକୁ ଓହ୍ଲାଇ ଆସିଥିଲା; ମାତ୍ର ଆମର ପରିଚର୍ଚ୍ଚାଗୁଡ଼ିକ ଠାବ କରି ଶିକ୍ଷାରେ ପରିବର୍ତ୍ତନ ଆଣିବାର ବହୁ ସୁରାଖ ଏବଂ ସୂତ୍ର ବତାଇ ଦେଇଥିଲେ ମଧ୍ୟ ଆମ ପବନପୁତ୍ରମାନେ ତଥାପି ଡାଳ ଉପରୁ ତଳକୁ ଓହ୍ଲାଇବାକୁ ମନ କରିନାହାନ୍ତି । କାଳ ଗଡ଼ି ଗଡ଼ି ଚାଲିଛି ।

 

ପ୍ରଚଳିତ ଶିକ୍ଷା ଓ ତାହାର ସ୍ଥିତିର ଅଧ୍ୟୟନ କରି ପରିବର୍ତ୍ତନ ଲାଗି ପରାମର୍ଶ ଦେବାକୁ ସରକାର ଏକାଧିକ ଶିକ୍ଷାକମିଶନ ବସାଇଛନ୍ତି । ଅନ୍ତତଃ ଦୁଇଟା ବଡ଼ କମିଶନ ବସିଛି, ମଧ୍ୟମାକୃତି ତଥା ମିନି କମିଶନ ତ କେତେକେତେ ବସିଛି, ସମସ୍ତେ ଏକତ୍ର ଯେତେ ଯେତେ ପରାମର୍ଶ ଦେଇଛନ୍ତି, ସେଥିରୁ ପାଞ୍ଚଶତାଂଶ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଆମ ଦେଶର ଶିକ୍ଷାଘରଗୁଡ଼ାକ ଏବେ କେତେ ନା କେତେ ଉଜ୍ଜ୍ୱଳ ଦିଶୁଥାନ୍ତା । କାହିଁକି ସେକଥା ହୋଇପାରିଲା ନାହିଁ, ତାହାର ଏକାଧିକ କାରଣ ରହିଛି । ଏବଂ ପ୍ରଥମ ପର୍ଯ୍ୟାୟରେ, ଅନ୍ତତଃ ଦୁଇଟିଯାକ ବଡ଼ କମିଶନ ବସାଯିବା ସମୟରେ ଏହି ଦେଶରେ ରାଜନୀତିର ଶିବିରରେ ଶିକ୍ଷାଲାଗି ଯେତିକି ସକାରାତ୍ମକ ଦୃଢ଼ଇଚ୍ଛା ରହିଥିଲା, ଏବେ ସେଇଟା ମଧ୍ୟ ସତେଅବା ଅତ୍ୟନ୍ତ ସଙ୍କଟଜନକ ଭାବରେ ଊଣା ହୋଇଗଲାଣି । ଯେଉଁମାନେ ରାଜନୀତିରେ ଅଛନ୍ତି, ଏପରିକି ଯେଉଁମାନେ ଏକା ରାଜନୀତିକ ଦଳମାନଙ୍କରେ ରହିଛନ୍ତି, ସେମାନଙ୍କ ପରସ୍ପର ମଧ୍ୟରେ ପ୍ରତ୍ୟୟଗତ ବ୍ୟବଧାନଗୁଡ଼ାକ ଏତେ ଅଧିକ ହୋଇଗଲାଣି ଯେ, ସେମାନଙ୍କର ହାବଭାବ ଏବଂ ପ୍ରକୃତ ଦଶା ଦେଖି ଶିକ୍ଷାରେ ସେମାନଙ୍କ ତରଫରୁ କେବେ କୌଣସି ସଂକଳ୍ପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଆଦୌ ପ୍ରତ୍ୟୟ ଆସୁନାହିଁ ଏବଂ ସଂକଳ୍ପ ନଥିଲେ ଶିକ୍ଷାକ୍ଷେତ୍ରରେ କେହି ଆଦୌ କିଛିହେଲେ କରିପାରିବ ନାହିଁ । ଏବଂ, ଆବଶ୍ୟକ ରାଜନୀତିକ ତଥା ପ୍ରଶାସନଗତ କୌଣସି ଦୃଢ଼ ଇଚ୍ଛା ନଥିଲେ ଶିକ୍ଷାରେ ପରିବର୍ତ୍ତନ ଆଣିବା ଲାଗି ଆମର ଯାବତୀୟ ସଦିଚ୍ଛା ପ୍ରଧାନତଃ ପଣ୍ଡହିଁ ହୋଇଯାଉଥିବ।

 

ଭାରତ ବ୍ରିଟିଶ ସରକାରଙ୍କ ଶାସନତଳେ ରହିଥିବା ଅମଳରେ ମଧ୍ୟ ଆମଦେଶରେ ଯଥାର୍ଥ ଶିକ୍ଷା, ଜାତୀୟ ଶିକ୍ଷା ଅର୍ଥାତ୍ ଶିକ୍ଷାଭଳି ଶିକ୍ଷା ବିଷୟରେ କେତୋଟି ଗୌରବମୟ ପ୍ରୟୋଗ କରାଯାଇଥିଲା । ଏହି ପ୍ରୟୋଗଗୁଡ଼ିକ ସହିତ ରବୀନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧୀ ଓ ଶ୍ରୀ ଅରବିନ୍ଦ ପ୍ରଭୃତି ମନୀଷୀମାନେ ସଂଯୁକ୍ତ ଏବଂ ସମ୍ପୃକ୍ତ ହୋଇ ରହିଥିଲେ । ସେମାନଙ୍କ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାନ ସାନ ପ୍ରୟୋଗମାନ ମଧ୍ୟ କରାଯାଇଥିଲା । ଓଡ଼ିଶାର ସତ୍ୟବାଦୀ ବନବିଦ୍ୟାଳୟ ଓ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଆଦି ପ୍ରୟୋଗଗୁଡ଼ିକୁ ସେହି ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇପାରିବ । ଗାନ୍ଧିଜୀଙ୍କର ବିଦେଶୀ ବର୍ଜନ ଓ ଅସହଯୋଗ ଆନ୍ଦୋଳନ ଫଳରେ ଦେଶରେ ଯେଉଁ ଛାତ୍ରଛାତ୍ରୀମାନେ ପାଠ ଛାଡ଼ିଥିଲେ, ସେମାନଙ୍କ ଲାଗି ସେତେବେଳେ କେତେକ ଜାତୀୟ ବିଦ୍ୟାପୀଠର ସ୍ଥାପନା ମଧ୍ୟ ହୋଇଥିଲା । ସେହିସବୁ ବିବିଧ ପ୍ରୟୋଗ ପ୍ରେରଣା ଏବଂ ନଜିରରୂପେ ଆମ ସମ୍ମୁଖରେ ରହିଛି, ରହିଥିଲା । ସ୍ୱାଧୀନ ଭାରତର ଶିକ୍ଷା–ମୀମାଂସାରେ ସେଗୁଡ଼ିକୁ ଅର୍ଥାତ୍ ସେଗୁଡ଼ିକର ଅନୁଭବ ଏବଂ ଜ୍ଞାନକୁ ଆମେ ଅତ୍ୟନ୍ତ ସମୀଚୀନ ଭାବରେ ସ୍ୱାଧୀନ ଭାରତର ଯାବତୀୟ ଶିକ୍ଷାସମ୍ବନ୍ଧୀୟ ନିରୂପଣ ଏବଂ ନିର୍ଦ୍ଧାରଣର କ୍ଷେତ୍ରରେ ଅବଶ୍ୟ କାମରେ ଲଗାଇ ପାରିବା ତଥା ଉପକୃତ ହୋଇପାରିବା । ଗତ ଅର୍ଦ୍ଧଶତାବ୍ଦୀର ପୃଥିବୀରେ ବହୁ ପ୍ରୟୋଗର ଫଳରେ ଶିକ୍ଷାର ସମଗ୍ର କ୍ଷେତ୍ରଟିକୁ ଏକ ବିଜ୍ଞାନର ପାହାଚକୁ ଉନ୍ନୀତ କରି ଅଣାଗଲାଣି । ତଥାକଥିତ ନବସ୍ୱାଧୀନ ଓ ବିକାଶଶୀଳ ଦେଶଗୁଡ଼ିକୁ ଆଖି ଆଗରେ ରଖି ଶିକ୍ଷା ପ୍ରୟୋଗ ନିମନ୍ତେ ଆମକୁ କେତେ ନୂତନ ଅନ୍ତର୍ଦୃଷ୍ଟି ମିଳି ସାରିଲାଣି । ବ୍ରାଜିଲ୍‌ର ପାଉଲୋ ଫ୍ରାୟରେ, ମେକ୍ସିକୋର ଆଇଭାନ୍ ଇଲିଚ ଓ ଯୁକ୍ତରାଜ୍ୟ ଆମେରିକାର ଜନ୍‌ ହଲ୍‍ଟ ଆମ ନିମନ୍ତେ ଏହି ଦିଗରେ କେତେକେତେ ନୂତନ ପଥ ଓ ସମ୍ଭାବନା ଆଡ଼କୁ ଇଙ୍ଗିତ କରି ଦେଇଛନ୍ତି ଓ ଦେଉଛନ୍ତି । ଆଧୁନିକ ଚୀନ୍ ଓ ଉଦ୍ୟମଶୀଳ ଆଉ କେତୋଟି ଦେଶ ପିଲାମାନଙ୍କର ଶିକ୍ଷାରେ ସାରା ତୃତୀୟ ପୃଥିବୀ ଲାଗି ଗ୍ରହଣ୍ୟଯୋଗ୍ୟ ହୋଇପାରିବା ଭଳି କେତେ କଥା ହାସଲ କରିଛନ୍ତି । ଶିକ୍ଷା ବିଷୟରେ ଯିଏ ବା ଯେଉଁ ସମୂହ ଓ ରାଷ୍ଟ୍ର ସାଧୁତାର ସହିତ ଚିନ୍ତା କରୁଥିବ, ତାହା ଏହିସବୁ ଆଧୁନିକ ନମୁନାରୁ ଖୋରାକ ପାଇବା ନିମନ୍ତେ କେତେକଅଣ ବାଟ ଖୋଲା ହୋଇ ରହିଛି । ଭାରତବର୍ଷର ଶିକ୍ଷାଚିନ୍ତା ଯଦି ଅସାଧୁ ହେବାଲାଗି ନିତାନ୍ତ ପଣ କରି ବସି ନଥାଏ, ତେବେ ସେହି ପରିଧି ଭିତରେ ରହିଥିବା ଆମେ ସମସ୍ତେ ସେଗୁଡ଼ିକଦ୍ୱାରା ଅବଶ୍ୟ ଉପକୃତ ହୋଇପାରିବା ।

 

ପରାଧୀନ ଭାରତରେ ମହାତ୍ମା ଗାନ୍ଧୀଙ୍କର ବିଚାର ଓ ନେତୃତ୍ୱରେ ମୌଳିକ ଶିକ୍ଷାର ଯେଉଁ ପ୍ରୟୋଗଟି ଚାଲିଥିଲା, ତାହାକୁ ସ୍ୱାଧୀନ ଭାରତର ସରକାରମାନେ କିମ୍ଭୂତକିମାକାର କରି ପକାଇଲେ । ‘‘ଏଣିକି ଏହି ଶିକ୍ଷାକୁ ଆମେ ଚଳାଇବୁ’’ ବୋଲି ଘୋଷଣା କରି ତାହାକୁ ଗୋଟାସୁଦ୍ଧା ସରକାରୀ କରିଦେଲେ ଓ ସେହି ବାଗରେ ତାହା ଭିତରୁ ତା’ର ଅସଲ ହୃଦୟଟିକୁ କାଢ଼ି ନେଇଗଲେ । ମୌଳିକ ବିଦ୍ୟାଳୟମାନ ସରକାରୀ ଶିକ୍ଷାବିଭାଗର ଅଧୀନରେ ରହିଲା, ସରକାରୀ ମାର୍ଗଦର୍ଶନ ପାଇଲା, ଅମାର୍ଗରେ ଗଲା ଏବଂ ତା'ପରେ ଏକ ନିରର୍ଥକତାରେ ପରିଣତ ହୋଇଗଲା-। ତୃତୀୟ ବିଶ୍ଵରେ ସରକାରମାନେ ଯେତେ ପ୍ରେରଣା ନଦିଅନ୍ତି ଓ ଯେତେ ପରିଚାଳନା ନକରନ୍ତି, ତାହାଠାରୁ ଅଧିକ ପରିମାଣରେ ଓ ଅଧିକ ପରାକ୍ରମ ଦେଖାଇ ସବୁ କଥାକୁ ତାଙ୍କର କଳ ଭିତରେ ନେଇ ପୂରାଇ ଦିଅନ୍ତି । ତେଣୁ ଲୋକଭାଷାରେ ସାଧାରଣତଃ ସରକାରଙ୍କୁ ସରକାର ବୋଲି କୁହା ନଯାଇ ଭାରତବର୍ଷରେ କ୍ରମେ ସରକାରୀ କଳ ବୋଲି କୁହାଗଲାଣି । ଏପରିକି, ସରକାରଙ୍କୁ ଚଳାଇବା ନିମନ୍ତେ ମଧ୍ୟ ଯେଉଁମାନେ ଉଚ୍ଚ ବା କ୍ରମୋଚ୍ଚ ଥାନମାନଙ୍କରେ ରହିଛନ୍ତି, ସେମାନେ ମଧ୍ୟ କ୍ରମେ ସରକାର କହିଲେ ସରକାରୀ କଳ ବୋଲି ଉଲୁଗୁଣା ଦେବାକୁ ଆରମ୍ଭ କଲେଣି-। ଅର୍ଥାତ୍, କଳ ସବୁକିଛି କରୁଛି, ମଣିଷ କିଛି କରୁନାହିଁ । ସତ୍ୟଗୁଡ଼ାକ ମଣିଷଙ୍କର ମଗଜ ଭିତରେ ନାହିଁ, ତାହା ଫାଇଲ୍ ଭିତରେ ଯାଇ ରହିଲାଣି ଏବଂ ମଗଜମାନେ କ୍ରମେ ଏଡ଼େ ଚମତ୍କାର ଭାବରେ ପୋଷା ମାନିଗଲେଣି ଓ ଅନାସକ୍ତ ହୋଇଗଲେଣି ଯେ, ଫାଇଲ୍‍ଟାଏ ଖୋଜାହେବା ସମୟରେ ଅନେକ କ୍ଷେତ୍ରରେ ଫାଇଲ୍‍ଟା ବାହାରି ମଧ୍ୟ ପାରୁନାହିଁ, ସତେଅବା ନିଜ ଇଚ୍ଛାରେ ଓ ନିଜ ସୁଖରେ ଏତେବଡ଼ ଗଦାର ବିସ୍ମରଣ ଭିତରେ କୋଉଠି ଯାଇ ଲୁଚିକରି ରହିଛି।ଶିକ୍ଷାଘରେ ଯେ ସରକାରଙ୍କୁ କୌଣସି ସଫଳତା ମିଳୁନାହିଁ, ସେକଥା ସରକାର ସ୍ୱୟଂ କହୁଛନ୍ତି-। ସିରସ୍ତାଗୁଡ଼ାକ ସହସ୍ରଗୁଣ ଗର୍ବ ଏବଂ ଗୌରବ ସହିତ ଚାଲିଛନ୍ତି । ଶିକ୍ଷାକୁ କେତେ କାରିଗରୀ ସହିତ ମାନବସମ୍ବଳ ବୋଲି କୁହାଗଲାଣି । ଅନ୍ୟ ସବୁକିଛି ସମ୍ବଳ ବଢ଼ୁଛି, ଅଥଚ ମାନବସମ୍ବଳରେ କୌଣସି ଉତ୍କର୍ଷ କିମ୍ବା ଉଦୟ ସମ୍ଭବ ହେଉନାହିଁ । ଆମ ଦେଶର ଏବଂ ସେହି ନିୟମ ଅନୁସାରେ ଆମ ରାଜ୍ୟରେ ଶିକ୍ଷା ବିଭାଗରେ ସତେଅବା ଯେପରି ଲଗାମ ବୋଲି ଆଦୌ କିଛି ନାହିଁ-। କ’ଣ ଗୋଟାଏ ଅବଶ୍ୟ ଚାଲିଛି, ସବା ଉଚ୍ଚଠାରୁ ସବାତଳ ଯାଏଁ ସମସ୍ତେ ସଚଳ ରହିଛନ୍ତି, ତଥାପି, ଯାହାସବୁ ଚାଲିବା କଥା, ତାହା ମୋଟେ ଚାଲୁନାହିଁ । ଅଙ୍ଗଗୁଡ଼ିକ କ୍ରମେ ବିକଳାଙ୍ଗ ହେବାରେ ଲାଗିଛନ୍ତି ଏବଂ ବହୁ ବିକଳାଙ୍ଗତାଦ୍ୱାରା ଉପଦ୍ରୁତ ହୋଇ ରହିଥିବା ଶିକ୍ଷାନାମକ ଘରଟାକୁ ଜଗିବା ଲାଗି ସରକାର ମୋଟା ହାକିମମାନଙ୍କୁ ରଖିଛନ୍ତି । ସରକାରଙ୍କଠାରୁ ବେତନ ପାଇ ହଜାର ହଜାର ଶିକ୍ଷକ ରହିଛନ୍ତି, ଯେଉଁମାନେ କି ଆପଣା କଳ୍ପନାର ବହିର୍ଭୂତ ମୋଟା ଦରମାମାନ ପାଉଛନ୍ତି, ସେମାନଙ୍କର ସଂଘ ରହିଛି, ସଂଘବଳ ହେତୁ ଦରମା ବଢ଼ୁଛି, ମନମୁତାବକ ଆନୁଷଙ୍ଗିକ ସତର ପ୍ରକାରର ସୁଖ ବଢ଼ୁଛି ସିନା, ମାତ୍ର ଶିକ୍ଷାଘରେ କଳାକନା ବୁଲୁଛି । ପାଠ ଯେଉଁମାନେ ପଢ଼ୁଛନ୍ତି, ସେମାନେ ସତରେ ଆଦୌ କିଛି ପଢ଼ୁଛନ୍ତି କିମ୍ବା ନ ପଢ଼ୁଛନ୍ତି କେଜାଣି, ଦେଶଟା କ୍ରମେ ଅଧିକରୁ ଅଧିକ ଛତରା ହୋଇଯାଉଛି । ଶିକ୍ଷା ଓ ଶିକ୍ଷିତତା, ଜ୍ଞାନୀ ଓ ଜ୍ଞାନଜନିତ ଶକ୍ତିମତ୍ତା କହିଲେ ସବାଆଗ ଯେଉଁ ଭଦ୍ରତା, ଭବ୍ୟତା ଏବଂ ତଦନୁରୂପ ଗୁଣଗୁଡ଼ିକୁ ବୁଝାଏ, ସେଗୁଡ଼ିକ ଆଦୌ କେଉଁଠି ହେଲେ ଦୃଷ୍ଟିଗୋଚର ହେଉନାହିଁ । ସରକାରୀ କଳ ପରି ସରକାରଙ୍କଦ୍ୱାରା ପୁଷ୍ଟ ହେଉଥିବା ଶିକ୍ଷାଳୟଗୁଡ଼ାକ ମଧ୍ୟ ଗୋଟାଏ ଗୋଟାଏ କଳ ପରି ଚାଲିଛି । ଅଶିକ୍ଷା ଦୌରାତ୍ମ୍ୟ କରିବାରେ ଲାଗିଛି, ଅବିଜ୍ଞାନଗୁଡ଼ାକହିଁ ସମ୍ପୃକ୍ତ ସମସ୍ତଙ୍କର ସ୍ଵୀକୃତି ଲାଭ କରି ରହିଛି ।

 

ମାତ୍ର ସ୍ୱାଧୀନ ଭାରତରେ ମଧ୍ୟ ନିଷ୍ଠାର ସହିତ ଶିକ୍ଷାର ଏକାଧିକ ପ୍ରୟୋଗ ତଥାପି ହେଉଛି । ସରକାରୀ କଳ ଯେତେ ବାଟ ଓଗାଳିଲେ ମଧ୍ୟ ତଥାପି ପ୍ରୟୋଗମାନ ଚାଲିଛି । ଏହି ଦେଶର ସାଂସ୍କୃତିକ ମାଟି ଉପରେ ପୃଥିବୀଯାକର ଶିକ୍ଷାବିଜ୍ଞାନକୁ ଆଖିରୂପେ ବ୍ୟବହାର କରି ଭବିଷ୍ୟ ଆଡ଼କୁ ଅନାଇ ଯେପରି ଯାହା ଦେଖାଯାଉଛି, ତାହାରି ମାର୍ଗଦର୍ଶନରେ ଏହିସବୁ ପ୍ରୟୋଗ ଚାଲିଛି । ଭାରତବର୍ଷରେ ଚାଲିଛି, ଓଡ଼ିଶାରେ ମଧ୍ୟ ଚାଲିଛି । ପୃଥିବୀରେ ଯୁଗେଯୁଗେ ଶିକ୍ଷାରେ ଏହି ପ୍ରୟୋଗଗୁଡ଼ିକୁ ନେଉଳଭାଇମାନେ ଚଳାଇ ଆସିଛନ୍ତି । ପରିବର୍ତ୍ତନକୁ ମୂଳ କରି ଶିକ୍ଷାର ଯେଉଁ ପ୍ରୟୋଗ ସତକୁସତ କିଛି କରି ଦେଖାଇପାରିବାକୁ ବାହାରେ, ତାକୁ ପ୍ରାୟ ଧର୍ମତଃ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ହୁଏ, ସୁଅ ବିରୋଧରେ ପହଁରିବାକୁ ହୁଏ । କେତେ ଶହ ବର୍ଷତଳେ ସୁଇଜରଲାଣ୍ଡରେ ଯେତେବେଳେ ଶ୍ରୀଯୁକ୍ତ ପେଷ୍ଟାଲଜି ତାଙ୍କର ଅଭିନବ ଶିକ୍ଷାପ୍ରୟୋଗ ଆରମ୍ଭ କରିଥିଲେ, ଜର୍ମାନୀରେ ଫ୍ରୋଏବଲ୍ ଅଥବା ଗୁଡ଼ଲଫ୍ ଷ୍ଟାଇନର୍ ଯେତେବେଳେ ଆପଣା ଆପଣାର କଳନା ଓ ଗଣନା ଅନୁସାରେ ଶିକ୍ଷାରେ ନୂତନ ରୀତିଟିଏ ପରୀକ୍ଷା କରି ଦେଖିବାକୁ ମନ କରିଥିଲେ, ଏପରିକି ପ୍ରାୟ ଶହେବର୍ଷ ତଳେ ସେହି ସମୟର ରୁଷିଆରେ ମହାନ୍ ଲେଖକ ଟଲଷ୍ଟୟ ଯେତେବେଳେ ସ୍ଵୀକୃତ ସମାଜଦ୍ଵାରା ଗୋଟାସୁଦ୍ଧା ବାଳୁଙ୍ଗା ବୋଲି ଘୋଷିତ ହୋଇଥିବା କିଶୋର ଓ ତରୁଣମାନଙ୍କୁ ଏକାଠି କରି ଶିକ୍ଷାନୁଷ୍ଠାନଟିଏ ବସାଇଥିଲେ, ସେତେବେଳେ ତତ୍କାଳୀନ କଳମାନେ ସେମାନଙ୍କର ସେହି ବିଚିତ୍ର ପ୍ରୟାସଗୁଡ଼ିକୁ ଅବଲୋକନ କରି ଭ୍ରୂକୁଞ୍ଚନ କରିଥିଲେ, ଚାଲାକ ଲୋକମାନେ ସେମାନଙ୍କୁ ହୁଏତ ବୋକା ବୋଲି ମନେ କରିଥିଲେ । ସେହି ପ୍ରୟୋଗକାରୀମାନେ ହୁଏତ ବ୍ୟକ୍ତିଗତ ଭାବରେ ବାହାରକୁ ଭାରି ଅସଫଳ ବୋଲି ସାବ୍ୟସ୍ତ ହେଲେ । ମାତ୍ର ସେମାନଙ୍କର ଦୁଃସାହସ ଭବିଷ୍ୟତର ଶିକ୍ଷା–ବିଚାରକୁ ବହୁ ନୂତନ ସୂତ୍ର ତଥା ନୂତନ ଦୃଷ୍ଟି ଯୋଗାଇ ଦେଇଥିଲା । ଆଗକୁ ଯାଇ ପୃଥିବୀ ସେହିମାନଙ୍କର ପ୍ରୟୋଗଗୁଡ଼ିକୁହିଁ ଗୋଟିଏ ଗୋଟିଏ ଅଗ୍ରଗାମୀ ନମୁନା ବୋଲି ଗ୍ରହଣ କରିନେଇଥିଲା । ନିର୍ଧୁମ୍ କଳରେ ବିଶ୍ୱାସ କରୁଥିବା କର୍ତ୍ତାମାନେ ମଧ୍ୟ ଶିକ୍ଷାର କ୍ଷେତ୍ରରେ ସେମାନଙ୍କର ଅବଦାନକୁ ମହନୀୟ ଓ ଗ୍ରହଣୀୟ ବୋଲି କହିଲେ ।

 

ବିଶ୍ୱସ୍ତରରେ ଇଉନେସ୍କୋ ତରଫରୁ ନିଯୁକ୍ତ ଏକ ଶିକ୍ଷା କମିଟି Learning to be ନାମରେ ଯେଉଁ ବିବରଣୀଟିକୁ ପ୍ରସ୍ତୁତ କରି ପୃଥିବୀର ଦରବାରରେ ଆଣି ଉପସ୍ଥାପିତ କରିଛି, ସେଥିରେ ଶିକ୍ଷାକୁ ସରକାରୀ ନଅରମାନଙ୍କରେ ପ୍ରାୟ ଆତ୍ମସାତ୍ କରି ରଖିଥିବା କଳଗୁଡ଼ାକର କଥା ଖୁବ୍ କମ୍ ରହିଛି । ଏହି କଳମାନେ ବହୁ ଆଡ଼ମ୍ବରଯୁକ୍ତ ଭାବରେ ଶିକ୍ଷାକୁ ପ୍ରଧାନତଃ ଏକ ଅଶିକ୍ଷାରେ ପରିଣତ କରି ପକାଇଛନ୍ତି, ମଣିଷ ପିଲାକୁ ତାହା ମୂଳରୁହିଁ ଭୀରୁ କରି ପକାଇଛି, ସ୍ଵାର୍ଥକାମୀ, ଖଳ ଏବଂ ଧୂର୍ତ୍ତ ହେବାଲାଗି ମନ୍ଦବୁଦ୍ଧିମାନ ଯୋଗାଇ ଦେଇଛି ବୋଲି ଇଉନେସ୍କୋର ଉକ୍ତ ବିବରଣୀ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଆମକୁ ବାରମ୍ବାର କହିବାକୁ ଚେଷ୍ଟା କରିଛି ଏବଂ ପ୍ରତିକାରରୂପେ ଅର୍ଥାତ୍ ବିକଳ୍ପ ପଥରୂପେ ସେଥିରେ ଯେଉଁସବୁ ବାଟ ଏବଂ ବିଚାରକୁ ସୂଚାଇ ଦିଆଯାଇଛି, ସେଥିରେ ପେଷ୍ଟାଲଜି ଅଛନ୍ତି, ଫ୍ରାଏବଲ୍ ଅଛନ୍ତି, ଗାନ୍ଧୀ, ରବୀନ୍ଦ୍ରନାଥ ଓ ଶ୍ରୀ ଅରବିନ୍ଦ ମଧ୍ୟ ରହିଛନ୍ତି । ଏହି ମନୀଷୀମାନେ ବହିରେ ରହିଥିବେ, ଆମ ଭାବରାଜ୍ୟରେ ପ୍ରେରଣା ହୋଇ ରହିଥିବେ, ସେମାନଙ୍କୁ ଆମେ ନିତ୍ୟସ୍ମରଣୀୟ ଏବଂ ନମସ୍ୟ ବୋଲି କହି ଗଦ୍‌ଗଦ ହୋଇପଡ଼ୁଥିବା ଏବଂ ତେଣେ ଆମର କଳଗୁଡ଼ାକଦ୍ୱାରା ସେମାନେ ଉପେକ୍ଷିତ ହୋଇ ରହିଥିବେ, ଏକବିଂଶ ଶତାବ୍ଦୀର ଚେତନାକୁ ଆମ ଯାବତୀୟ ବିଶ୍ୱ–ଅଟକଳର କେନ୍ଦ୍ରରେ ଧାରଣ କରି ଆମେ କ’ଣ ତଥାପି ସେହି ବିଡ଼ମ୍ବନାଟା ମଧ୍ୟରେ ଗୁରାଇ ତୁରାଇ ହୋଇ ରହିଥିବା ? ବରଂ ଏକାଧିକ ସମୀଚୀନ କାରଣ ଦର୍ଶାଇ ସମ୍ଭବତଃ କୁହାଯାଇପାରିବ ଯେ, କଳ ବାହାରେ ଶିକ୍ଷା କ୍ଷେତ୍ରରେ ଯେଉଁସବୁ କୁନି କୁନି ପ୍ରୟୋଗ ଅତ୍ୟନ୍ତ କୋଳାହଳଶୂନ୍ୟ ଭାବରେ କରାଯାଉଛି, ଶିକ୍ଷା ଅର୍ଥାତ୍ ଯଥାର୍ଥ ଶିକ୍ଷାର ଅସଲ ପ୍ରେରଣାଗୁଡ଼ିକ ସେହିଗୁଡ଼ିକ ଭିତରେହିଁ ପ୍ରେରକ ତଥା ମାର୍ଗଦର୍ଶ୍ୱକ ହୋଇରହିଛି । କଳଗୁଡ଼ିକରୁ କାଳକ୍ରମେ ବିଦାୟ ହୋଇ ସାରିଥିଲେ ମଧ୍ୟ ସେମାନେ ସେହିଗୁଡ଼ିକରେ କ୍ରିୟାଶୀଳ ହୋଇ ରହିଛନ୍ତି । ତେନେଦଂ ବର୍ତ୍ତତେ ଜଗତ୍ । ଆମ ଭାରତବର୍ଷର କ୍ଷେତ୍ରରେ ମଧ୍ୟ ଆମେ ସେହି କଥାଟିକୁ କହିପାରିବା ଏବଂ କଳ ମଧ୍ୟ ମନକଲେ ଓ ଦେଖିବାକୁ ଚାହିଁଲେ ସେହି କଥାଟିକୁ ଅବଶ୍ୟ ଦେଖିପାରିବ ।

 

ସରକାରୀ ଶିକ୍ଷାକଳ ଯେଉଁଭଳି ଚାଲିଛି, ସେହିଭଳି ଚାଲୁ । ଶିକ୍ଷାରେ କରାଯାଉଥିବା ପ୍ରୟୋଗମାନେ ତାହାକୁ କଦାପି ଈର୍ଷା କରିବେ ନାହିଁ । ଆମ ଉପକଥାଗୁଡ଼ାକର ନେଉଳଭାଇମାନେ କେବେହେଲେ ରାଜାପୁଅ ଓ ସାଧବପୁଅମାନଙ୍କୁ ଈର୍ଷା କରିନାହାନ୍ତି । ନେଉଳଭାଇକୁ ଶକ୍ତି ଯୋଗାଇ ଦେବାକୁ ତା’ ବିଶ୍ୱାସ ସବୁବେଳେ ତା’ ପାଖରେ ରହିଛି । ଶିକ୍ଷାରେ ପ୍ରୟୋଗଗୁଡ଼ିକୁ କରୁଥିବା ବ୍ୟକ୍ତି ବା ସଂସ୍ଥାମାନଙ୍କ ସମ୍ମୁଖରେ ସତ ଏପରି ଗୋଟିଏ । ତାରା ଉଜ୍ଜ୍ୱଳ ହୋଇ ଜଳୁଛି, ଯାହାକି ସେମାନଙ୍କୁ ବାଟ ଦେଖାଇ ନେଉଥିବ । ତଥାପି ସରକାର ଏହି ପ୍ରୟୋଗଗୁଡ଼ିକୁ ସ୍ୱୀକୃତି ଦିଅନ୍ତୁ, ସ୍ୱୀକାର କରନ୍ତୁ । ସତକୁସତ ସ୍ୱୀକୃତି ଦିଅନ୍ତୁ ଓ ସ୍ୱୀକାର କରନ୍ତୁ । ପ୍ରୟୋଗମାନେ ସତକୁସତ ଆଗକୁ ଏକ ବାଟ କାଢ଼ିବାରେ ଆନ୍ତରିକତା ସହିତ ପ୍ରୟାସ କରୁଛନ୍ତି ବୋଲି ସରକାରଙ୍କର ଯଦି ହୃଦ୍‌ବୋଧ ହେଉଥାଏ, ତେବେ ସରକାର ସେଗୁଡ଼ିକୁ ସ୍ୱୀକୃତି ଦିଅନ୍ତୁ । ଅସଲ ସାଙ୍ଗ ଯେମିତି ସ୍ୱୀକୃତି ଦିଏ, ହେମତ ଦିଏ, ପଛରୁ ଆବଶ୍ୟକ ସାହାରାମାନ ଦେବାକୁ ଆଦୌ ପଶ୍ଚାତ୍‌ପଦ ହୁଏନାହିଁ, ସରକାର ସାଙ୍ଗରୂପେ ତାହାହିଁ କରନ୍ତୁ । ଆପଣାର ପୁରୁଣା ଫାଶଗୁଡ଼ାକରେ ସେଗୁଡ଼ିକର ଗୋଡ଼କୁ ଛନ୍ଦି ରଖିବାର କୌଣସି ଦୁରାଗ୍ରହ ନଦେଖାନ୍ତୁ । ସେହି ପ୍ରୟୋଗଗୁଡ଼ିକୁ ସରକାର ନିଜର ତଥାକଥିତ ନିୟମ ଓ ସୂତ୍ରଗୁଡ଼ିକ ଭିତରେ ବାନ୍ଧି ଅଣନିଃଶ୍ୱାସୀ କରି ନପକାନ୍ତୁ । ବର୍ତ୍ତମାନର ଅରଣ୍ୟ ଭିତରୁ ଉଚିତ ଶିକ୍ଷାର ଏକ ବାଟ ବାହାରୁ ବୋଲି ଯଦି ସରକାର ପ୍ରକୃତରେ ଇଚ୍ଛା କରୁଛନ୍ତି, ତେବେ ନିଷ୍ଠାର ସହିତ କରାଯାଉଥିବା ପ୍ରୟୋଗଗୁଡ଼ିକୁ ସ୍ୱାଧୀନତା ଦିଅନ୍ତୁ, ସହାୟତା ଯୋଗାନ୍ତୁ, ଉତ୍ସାହିତ କରନ୍ତୁ । ସରକାରଙ୍କ କଳର ବାହାରେ ରହିଥିଲେ ମଧ୍ୟ ସେହି ପ୍ରୟୋଗମାନେ ସରକାରଙ୍କର ଲକ୍ଷ୍ୟଟି ସିଦ୍ଧ ହେବାରେହିଁ ସାହାଯ୍ୟ କରୁଛନ୍ତି । କଳ ଭିତରେ ରହି, ସେମାନେ ହୁଏତ ଯାହା କରୁଛନ୍ତି ତାହା କରିହୁଅନ୍ତା ନାହିଁ ବୋଲି ବୁଝିଥିବାରୁ ସେମାନେ କଳ ବାହାରେ ଅଛନ୍ତି । ସରକାର ସେମାନଙ୍କୁ ପରିପୂରକରୂପେ ଗ୍ରହଣ କରି ନିଅନ୍ତୁ ।

Image

 

ଅଲଗା ଦିଶିବାର ଦୋଷ (୧)

 

ସରକାରଙ୍କର ଶିକ୍ଷା ବିଭାଗରେ ଉପରୁ ତଳଯାଏ କେତେ ହାକିମ । ଉଭୟ ବଡ଼ ହାକିମ ଏବଂ ସାନ ହାକିମ । ଯେଝା ଟେବୁଲ୍ ଉପରେ ଅଥବା ଯେଝା କୋଠରୀ ଭିତରେ ସେମାନଙ୍କୁ ସତେଅବା ଜଣେ ଜଣେ ରାଜଚକ୍ରବର୍ତ୍ତୀଙ୍କର କ୍ଷମତା ଦିଆଯାଇଛି । ସେମାନେ ଇଚ୍ଛା କଲେ ସବୁକିଛିକୁ ଅଟକାଇ ଦେଇପାରିବେ, ସବୁକିଛିକୁ ଭୁରୁଡ଼ାଇ ଦେଇପାରିବେ ଓ ତେଣୁ ସବୁକିଛିକୁ ଅତ୍ୟନ୍ତ ଚମତ୍କାର ଓ ଫଳପ୍ରଦ ଭାବରେ ଭଣ୍ଡୁର କରିଦେଇପାରିବେ । ଏହି ହାକିମମାନେ ବଡ଼ ଓ ସାନ ଉଭୟେ–ପ୍ରଧାନତଃ ପ୍ରହରୀର କାର୍ଯ୍ୟ କରନ୍ତି । ଶିକ୍ଷାର କ୍ଷେତ୍ରରେ ସତକୁସତ କିଛି କରିବା ଏବଂ ଶିକ୍ଷାଘରେ ପହରା ଦେବା–ଏହି ଦୁଇଟା ଏକାବେଳକେ ଅଲଗାଅଲଗା କଥା । ଶିକ୍ଷାଦାନ ନିମନ୍ତେ ଶିକ୍ଷକମାନେ ରହିଛନ୍ତି । ଶିକ୍ଷକମାନେ ଶିକ୍ଷାସିଡ଼ିର ସବାତଳେ ରହିଛନ୍ତି । ଉପରେ ପ୍ରହରୀମାନେ ଅଛନ୍ତି, ଶିକ୍ଷକମାନେ ସେମାନଙ୍କର ତଳେ ଅଛନ୍ତି ।

 

ସବା ଉପରେ ସରକାର ଅଛନ୍ତି । ସରକାରଙ୍କ ଘରେ ଅନେକ ବିଭାଗ । ଅବକାରୀ ବିଭାଗଠାରୁ ଆରମ୍ଭ କରି ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗର ମଧ୍ୟଦେଇ ରାଜସ୍ୱ କିମ୍ବା ଅର୍ଥ ପର୍ଯ୍ୟନ୍ତ ବହୁତ ବିଭାଗ । ତା' ଭିତରେ ଶିକ୍ଷା ବୋଲି କେଉଁଠି ଗୋଟାଏ ବିଭାଗ ରହିଥାଏ ବୋଲି ସରକାରଙ୍କର ଦରବାର ଆଡ଼କୁ ଅନାଇଲେ ସହଜରେ ମୋଟେ ଧରାପଡ଼େ ନାହିଁ । ଶିକ୍ଷା ବିଷୟରେ ସବାମୂଳ ଖାତାଗୁଡ଼ିକ ଦିଲ୍ଲୀବାଲାଙ୍କ ପାଖରେ ଥାଏ । କ’ଣ ହେବା ଉଚିତ ବା ଉଚିତ ନୁହେଁ, ତାହାର ନିଷ୍ପତ୍ତି ଦିଲ୍ଲୀରେ ହୁଏ । ସେହି ନିଷ୍ପତ୍ତିଗୁଡ଼ିକ ଅନୁସାରେ କାମ କରିବାକୁ ରାଜି ହେଲେ ରାଜ୍ୟମାନଙ୍କୁ ବିଶେଷ ଅର୍ଥରାଶି ମିଳେ । ଅନେକ ସମୟରେ ସେହି ଅର୍ଥରାଶିର ଲୋଭରେ ପଡ଼ି ରାଜ୍ୟମାନେ ଶିକ୍ଷାରେ ନୂଆ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରନ୍ତି । ମନ୍ତ୍ରୀଙ୍କ ସହିତ ପୃଥୁଳତମ ହାକିମମାନେ ଏକାଧିକଥର ଦିଲ୍ଲୀକୁ ହକରା ହୋଇଯାଆନ୍ତି । ସେଠାରୁ ନୂଆ ବିଚାର, ନୂଆ ଯୋଜନା ଓ ସେଗୁଡ଼ିକ ପାଇଁ ନୂଆ ଅର୍ଥରାଶିର ପ୍ରତିଶ୍ରୁତି ନେଇ ଘରକୁ ଫେରନ୍ତି । ରାଜ୍ୟସ୍ତରରେ ତନାଘନା ଲାଗିଯାଏ ଏବଂ କିଛିଦିନ ପରେ ମଉଳନ ପଡ଼ିଯାଏ । ଆମ ଦେଶରେ ଶିକ୍ଷାର ବ୍ୟବସ୍ଥା ତଥା ଅବ୍ୟବସ୍ଥାଗୁଡ଼ିକର ପରିପ୍ରେକ୍ଷୀରେ ବିଚାରକରି ଦେଖିଲେ ଦେଶର ରାଜନୀତିକ ଦଳଗୁଡ଼ିକର ଶିକ୍ଷା ବିଷୟରେ ପ୍ରାୟ ଏକାଭଳି ଖିଆଲ କେତେଟା ରହିଥାଏ । ତେଣୁ ଗୋଟାଏ ଦଳ ଯାଇ ଆଉ ଗୋଟାଏ ଦଳ କ୍ଷମତାକୁ ଆସିଲେ ଶିକ୍ଷାଟା ତଥାପି ସେହି ପୁରୁଣା ଜାତକ ଅନୁସାରେ ଚଳୁଥାଏ । ପ୍ରାୟ କେଉଁଠି ହେଲେ କିଛି ବଦଳେ ନାହିଁ । ସତେ ଯେପରି କେଉଁଠି କିଛି ବଦଳିବ ନାହିଁ ବୋଲି ସବୁ ରାଜନୀତିକ ପକ୍ଷ ନିଜ ନିଜ ଭିତରେ ସଲା କରି ରଖିଥାନ୍ତି । ଫଳରେ, ଏକ ବିକାଶଶୀଳ ଦେଶରେ ଶିକ୍ଷା ବିଷୟରେ ଯେଉଁ ମାନବିକ ତଥା ରାଜନୀତିକ ଅଙ୍ଗୀକାରବଦ୍ଧତାଗୁଡ଼ିକ ଭିନ୍ନ ଭିନ୍ନ ରାଜନୀତିକ ଦଳ ଅନୁସାରେ ଅବଶ୍ୟ ଭିନ୍ନ ଭିନ୍ନ ହୋଇ ରହିବା ଉଚିତ, ଭାରତବର୍ଷରେ ପ୍ରାୟ ଅଧେ ମଣିଷ ନିରକ୍ଷର ହୋଇ ରହିଥିଲେହେଁ ଏବଂ ଦେଶର ପ୍ରାୟ ଅଧେ ପିଲା ଆଦୌ କୌଣସି ବିଦ୍ୟାଳୟକୁ ଯିବାରୁ ବିରତ ହୋଇ ରହିଥିଲେ ମଧ୍ୟ ଭାରତବର୍ଷର ସରକାରୀ ଶିକ୍ଷାବ୍ୟବସ୍ଥାରେ ପ୍ରାୟ କୌଣସି ପୁରୋଦୃଷ୍ଟି ନଥାଏ, ଆଦୌ କୌଣସି ସାମାଜିକ କିମ୍ବା ରାଜନୀତିକ ସ୍ଵପ୍ନ ନଥାଏ । ଖାଲି ଯନ୍ତ୍ରଟାଏ ସତେଅବା କଂସ ହୋଇ ବସିଥାଏ ।

 

ସ୍ଵପ୍ନ ନଥିଲେ, ପୁରୋଦୃଷ୍ଟି ନଥିଲେ ଯେ ଆଦୌ କୌଣସି ଶିକ୍ଷା ସମ୍ଭବ ହୁଏନାହିଁ, ଶିକ୍ଷା ବିଷୟରେ ସତକୁସତ ଏକ ନିର୍ଦ୍ଦିଷ୍ଟ ବିଚାର ରଖୁଥିବା ଯେକୌଣସି ବ୍ୟକ୍ତି ସେକଥା ଅବଶ୍ୟ ସ୍ୱୀକାର କରିବ । ସ୍ୱପ୍ନଛଡ଼ା ହୋଇ, ଦୃଷ୍ଟିବର୍ଜିତ ହୋଇ ଆମ ମନ୍ତ୍ରୀମାନେ ଅଥବା ଆମ ହାକିମମାନେ ସତକୁସତ ଶିକ୍ଷା ବିଷୟରେ ଆଉ କ’ଣ କରିପାରିବେ ? ସେମାନେ ତେଣୁ କାଗଜପତ୍ରରେ ବୁଡ଼ି ରହନ୍ତି । କାଗଜପତ୍ରରେ ଶିକ୍ଷାକୁ ଚଳାନ୍ତି । ମହାମାମଲତ୍‍କାରୀ କରନ୍ତି । ଶିକ୍ଷକମାନଙ୍କୁ ନଚାନ୍ତି ଓ କଚାନ୍ତି । ସେମାନଙ୍କୁ ଏଠୁ ସେଠାକୁ ବଦଳି କରାଇ ତଥା ବଦଳି ବନ୍ଦ କରି କେବଳ ଶିକ୍ଷକମାନଙ୍କୁ ନୁହେଁ, ସମୁଦାୟ ଶିକ୍ଷାବିଭାଗକୁ ଏବଂ ଶିକ୍ଷା ଜଗତକୁ ଅସାଧୁ କରନ୍ତି । ଶିକ୍ଷାର ଯାବତୀୟ ପରିମଳକୁ ଦୂଷିତ କରିଦିଅନ୍ତି । ନଚାକଚାକୁ ଭୟ କରି କରି ବିଚରା ଶିକ୍ଷକ ମଧ୍ୟ କ୍ରମେ ଗୋଟାଏ ନିପଟ ଚାକିରିଆରେ ପରିଣତ ହୋଇଯାଏ । ନିଜ ଶିକ୍ଷକତ୍ଵକୁ ହରାଇବସେ । ଆପଣାକୁ ଧର୍ମତଃ ଗୋଟାଏ ଘୁଷୁରିରେ ପରିଣତ କରିଦିଏ । ସଂଘରେ ଆହୁରି କେତେକଅଣ କରେ । ଜଣେ ଶିକ୍ଷକ ବା ଶିକ୍ଷାଦାତା ହିସାବରେ ଆପଣାର ବଳ ଅପେକ୍ଷା କ୍ରମେ ସିଏ ସଂଘବଳକୁହିଁ ଅଧିକ ଓଜନଦାର ବୋଲି ଗ୍ରହଣ କରିନିଏ । ଅର୍ଥାତ୍ ଏକାବେଳେକେ ଦୁଇଆଡ଼ୁ ଘୁଷୁରି ହୋଇ ରହିଯାଏ । ବିଭାଗର ଗୁହାଳରେ ବନ୍ଧା ହୋଇଥାଏ, ପୁଣି ତେଣେ ସଂଘର ଗୁହାଳରେ ବନ୍ଧା ହୋଇଥାଏ । ଏହି କଲବଲ ଭିତରେ, ଯେଉଁ ପିଲାମାନଙ୍କୁ ସେ ପାଠ ପଢ଼ାଇବ ବୋଲି ଜଣେ ଶିକ୍ଷକରୂପେ ନିଯୁକ୍ତ ହୋଇଛି, ସେହି ପିଲାମାନଙ୍କୁ ସେ ଗୋଟାପଣେ ପାସୋରିଯାଏ । ଆଗ ଆଉ କ’ଣ ସବୁ ଭାବି ସବାଶେଷରେ ଯାଇ ପିଲାମାନଙ୍କର କଥା ଭାବେ । କେଡ଼େ ସାନ ହୋଇଯାଏ ।

 

ସ୍ପଷ୍ଟତଃ ଏହିସବୁ କାରଣପାଇଁ ଆମ ଦେଶରେ ବା ଆମ ରାଜ୍ୟରେ ଶିକ୍ଷା ଅଲକ୍ଷଣା ହୋଇପଡ଼ିଛି । ଶିକ୍ଷାର ବିଭାଗ ଗୋଟାଏ ଛତରା ବିଭାଗରେ ପରିଣତ ହୋଇଛି । କେତେକେତେ ପାଠ ପଢ଼ି, କୁଢ଼କୁଢ଼ ଟଙ୍କା କମାଇ କେତେକେତେ ହାକିମ ଶିକ୍ଷାର ଦାୟିତ୍ୱରେ ନିଯୁକ୍ତ ହୋଇ ରହିଛନ୍ତି ସିନା, ମାତ୍ର ମଞ୍ଜ ଭିତରେ ସବୁକିଛି ଖତରା ଓ ଛତରା ହୋଇଗଲାଣି । ସମସ୍ତେ ଯେପରି ପ୍ରଧାନତଃ ଲୁଟିନେବାକୁ ଆସି ଶିକ୍ଷାର ମଣ୍ଡପ ଚାରିକଡ଼େ ରୁଣ୍ଡ ହୋଇଛନ୍ତି । କେବଳ ଆମ ପିଲାମାନେ ଯେ ପାଠରୁ ବଞ୍ଚିତ ହେଉଛନ୍ତି ତା’ ନୁହେଁ, ଦେଶର ଭବିଷ୍ୟହିଁ ଲୁଟି ହୋଇଯାଉଛି ଏବଂ ସମ୍ପୃକ୍ତ ସମସ୍ତେ ଶିକ୍ଷାରେ ଦିନୁଁ ଦିନ ସବୁ ଯେ ତଳକୁ ତଳକୁ ଯାଉଛି, ତାହାର ନାନା କାରଣ ଦେଖାଉଛନ୍ତି । କୈଫିୟତ୍‍ବି ଦେଉଛନ୍ତି । ସମ୍ଭବତଃ କାରଣ ଦେଖାଇବା ଅପେକ୍ଷା ଅଧିକତର ଅବସରରେ କୈଫିୟତ୍‍ହିଁ ଦେଉଛନ୍ତି । ସଜ୍ଜନମାନେ ବାହୁନିବାର ଲାଗିଛନ୍ତି । ସେମାନେ ସଭାରେ ବାହୁନୁଛନ୍ତି, ଖବରକାଗଜରେ ମଧ୍ୟ ବାହୁନୁଛନ୍ତି ଏବଂ ଚଣ୍ଡ ଓ ସୁପ୍ରତିଷ୍ଠିତମାନେ ଏହି ଅଧୋଗତି ନିମନ୍ତେ ପରସ୍ପରକୁ ଦୋଷ ଦେଉଛନ୍ତି, ଏକ ଆରେକୁ ଗାଳି ଦେଉଛନ୍ତି ।

 

ଯେତେବେଳେ ଚାରିଆଡ଼େ ଅନ୍ଧାର ଘୋଟି ରହିଥାଏ, ସେତେବେଳେ ଅଧିକସଂଖ୍ୟକ ମଣିଷ ଅନ୍ଧକାରକୁହିଁ ଅଭିଶାପ ଦେବାରେ ଲାଗିଥାନ୍ତି । ସତେଅବା ନିଜ ଭିତରେ ଲୁଚାଇ ରଖିବାକୁ ଇଚ୍ଛା କରୁଥିବା ଅଥଚ ତଥାପି, ନିଜ ପାଖରୁ ଲୁଚାଇ ପାରୁ ନଥିବା କୌଣସି ଗ୍ଳାନିକୁହିଁ ସେହି ଆଳରେ ଭର୍ତ୍ସନା କରୁଥାଆନ୍ତି ଓ ଅଭିଶାପ ଦେଉଥାଆନ୍ତି । ଅନ୍ଧକାରରୁ ବେଶ୍ ଫାଇଦା ଉଠାଉଥିବା ମଣିଷମାନେ ମଧ୍ୟ ସେତେବେଳେ ଅନ୍ଧକାରକୁ କମ୍ ଭର୍ତ୍ସନା କରନ୍ତି ନାହିଁ । ଏପରି କରି ସେମାନେ ନିଜ ଭିତରେ କିଞ୍ଚିତ୍‌ ଉଶ୍ୱାସବି ଅନୁଭବ କରୁଥିବେ, ଅନ୍ତତଃ ସେହି ସମୟଟି ନିମନ୍ତେ ନିଜ ବିବେକ ସାମ୍ନାରେ ମୁହଁ ଦେଖାଇ ଠିଆ ହୋଇ ପାରୁଥିବେ । ମାତ୍ର, ଅନ୍ଧକାରକୁ ଅଭିଶାପ ଦେଲେ ଅନ୍ଧକାର କଦାପି ଯାଏନାହିଁ । ତେଣୁ ପ୍ରତିବାଦ କରିବାକୁ ହୁଏ ଏବଂ ନିଜେ ଗୋଟିଏ ଦୀପ ଜଳାଇ ସେହି ପ୍ରତିବାଦଟିକୁ ଘୋଷଣା କରିବାକୁ ହୁଏ । ଅନ୍ଧକାର ଯେତେ ବେଶୀ ପ୍ରତାପୀ ଓ ପରାକ୍ରମଶାଳୀ ହୋଇଥିଲେ ମଧ୍ୟ ତଥାପି ଦୀପଟିଏ ଜାଳି ପ୍ରତିବାଦ କରିବାର ଅବକାଶ ସର୍ବଦାହିଁ ରହିଥାଏ । ଅଧିକରୁ ଅଧିକ ଜର୍ଜର ଏବଂ ପ୍ରତିକ୍ରିୟାହୀନ ଯେକୌଣସି ସମାଜରେ ଏବଂ ଯେକୌଣସି କାଳରେ ମଧ୍ୟ ତଥାପି ସାହସୀ ମଣିଷ ରହିଥାନ୍ତି । ମୁଷ୍ଟିମେୟ ହେଲେ ମଧ୍ୟ ତଥାପି ଥାଆନ୍ତି । ସେମାନେ ପ୍ରତିବାଦସ୍ୱରୂପ ଦୀପଟିଏ ଜଳାନ୍ତି । ସେହି ଦୀପଟି ଯେଡ଼େ ସାନ ହୋଇଥାଉ ପଛକେ, ଅନ୍ଧକାରର ସମ୍ପୂର୍ଣ୍ଣ ବ୍ୟାପ୍ତିଟିକୁ ହଟାଇଦେଇ ପାରିବାର ଶକ୍ତି ଆପାତତଃ ସେହି ଦୀପର ନଥିଲେ ମଧ୍ୟ ସେମାନେ ତଥାପି ଦୀପଟିଏ ଜଳାନ୍ତି । ଅନ୍ଧକାର ଅପେକ୍ଷା ଆଲୋକ ଉପରେ ସେମାନଙ୍କର ଅଧିକ ଅର୍ଥାତ୍ ଦୃଢ଼ତର ବିଶ୍ଵାସ ରହିଥାଏ ବୋଲିହିଁ ସେମାନେ ଦୀପଟିଏ ଜଳାନ୍ତି ।

 

ଆମ ଦେଶରେ ଶିକ୍ଷାର ବର୍ତ୍ତମାନ ସ୍ଥିତିକୁ ଯଦି ଅନ୍ଧକାର ଅଥବା ଅରାଜକତାର ଏକ ସ୍ଥିତି ବୋଲି କୁହାଯାଏ, ତେବେ ତାହାରି ଭିତରେ ତଥାପି ନିଜର ଦୀପଟିଏ ଜଳାଇବାର ମଣିଷମାନେ ଯେ ତଥାପି ରହିଚନ୍ତି, ତାହାକୁହିଁ ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ କଥା ବୋଲି ଜାଣି ରଖିବାକୁ ପଡ଼ିବ । ଭାରତବର୍ଷର ବିଭିନ୍ନ ସ୍ଥାନରେ ବ୍ୟକ୍ତିମାନେ ତଥା ଗୋଷ୍ଠୀମାନେ ନିଜ ନିଜ ମାର୍ଗରେ ଶିକ୍ଷାରେ ବହୁ ପ୍ରୟୋଗ କରୁଛନ୍ତି । ସେମାନେ ଦୀପଟିଏ ଜଳାଇ ରଖିବାର ପ୍ରୟାସ କରୁଛନ୍ତି । ପ୍ରାୟ ଗୋଟାସୁଦ୍ଧା ନିଜ ଉପରେ ନିର୍ଭର କରି ସେମାନେ ସେହି ପ୍ରୟୋଗଗୁଡ଼ିକ ମଧ୍ୟକୁ ଲମ୍ଫ ପ୍ରଦାନ କରିଛନ୍ତି । ସେମାନଙ୍କର ତଥାପି ଏକ ସ୍ଵପ୍ନ ରହିଛି । ଅନ୍ଧକାର ଅପେକ୍ଷା ଆଲୋକହିଁ ଅଧିକ ସତ୍ୟ ବୋଲି ସେମାନେ ପ୍ରାୟ ଅନମନୀୟ ଭାବରେ ବିଶ୍ୱାସ କରୁଛନ୍ତି । ସ୍ଵାଧୀନତାପୂର୍ବ କାଳର କେତେ ପ୍ରୟୋଗ ପ୍ରବଳ ଯାନ୍ତ୍ରିକତାର କବଳରେ ପଡ଼ି କିପରି ଫସରଫାଟିଗଲା, ଦେଶର ଚାରିଆଡ଼େ କିପରି ପରିପନ୍ଥୀ ହାଉଆମାନ ବହୁଛି, ସମସ୍ତଙ୍କୁ ସତେଅବା କିପରି ଏକ ମେରୁଦଣ୍ଡହୀନ ଏକରୂପତାର କଡ଼ାଇ ଭିତରେ ଆଣି ନିକ୍ଷିପ୍ତ କରିଦେବାର ଉପଦ୍ରବ ଚାଲିଛି, ଏସବୁ ଭଲ ଭାବରେ ଦେଖି ମଧ୍ୟ ସେମାନେ ତଥାପି ବିକଳ୍ପ ପ୍ରୟୋଗମାନ କରୁଛନ୍ତି । ସେମାନେ ବିକଳ୍ପ ହେବାର ପ୍ରୟାସ କରୁଛନ୍ତି ।

 

ପୁରୁଣା ପ୍ରଥା ବା ପୁରୁଣା ସଂସ୍ଥା କେବଳ ରୁଷିଆରେ ଭାଙ୍ଗି ପଡ଼ିଲା ନାହିଁ, ସାରା ପୃଥିବୀରେ ମଧ୍ୟ ତାହା ଭାଙ୍ଗିପଡ଼ୁଛି । ଏହି ଭାଙ୍ଗି ପଡ଼ିବାର ପ୍ରକ୍ରିୟାରେ କେଉଁଠି ଅଧିକ କୋଳାହଳ ହେଉଛି ତ କେଉଁଠି ଅପେକ୍ଷାକୃତ କମ୍ କୋଳାହଳ ହେଉଛି । ରାଜନୀତିର ପୁରୁଣା ଛାଞ୍ଚଗୁଡ଼ାକ ଭାଙ୍ଗିଯାଉଛି । ସମାଜବାଦ ଓ ଗଣତନ୍ତ୍ର ଉଭୟର କ୍ଷେତ୍ରରେ ତାହା ଘଟୁଛି । ପୁରୁଣା ବିଜ୍ଞାନ ଟେକନିକପ୍ରଧାନ ଥିଲା; ଏବେ ଯେଉଁ ବିଜ୍ଞାନ ପୃଥିବୀ ଉପରେ ନିଜକୁ ପ୍ରତିଷ୍ଠିତ କରିବାକୁ ଆସୁଛି, ତାହା ମଣିଷକୁ ଭିତ୍ତି କରି ଛିଡ଼ାହେବ । ମଣିଷ କହିଲେ ଏଣିକି ସବୁ ମଣିଷକୁ ବୁଝାଇବ । ଏବଂ ଏହି ଈପ୍‌ସିତ ପରିବର୍ତ୍ତନରେ ଶିକ୍ଷାହିଁ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଜ୍ଞାନ ଏବଂ ନୂତନ ଜ୍ଞାନରୁ ଆମ ପୃଥିବୀ ଯଥୋଚିତ ଭାବରେ ଉପକୃତ ହୋଇପାରିବାକୁ ହେଲେ ଆମ ସାର୍ବଜନୀନ ଶିକ୍ଷାର କ୍ଷେତ୍ରଟିକୁ ମଧ୍ୟ ବିଜ୍ଞାନ–ସମ୍ମତ ହେବାକୁ ପଡ଼ିବ । କୌଣସି ବାବୁତନ୍ତ୍ର ଅଥବା ଉଦାସୀନ ଶାସନଯନ୍ତ୍ର ତାହାର ପଥରୋଧ କରିପାରିବ ନାହିଁ । ଆଧୁନିକ ଭାରତବର୍ଷରେ ଆମର ପ୍ରାୟ ଯାବତୀୟ କ୍ରିୟାଶୀଳତା ଏବଂ ଯାବତୀୟ ବିଚାରବୁଦ୍ଧିକୁ ଏବେ ଏକ ସାମନ୍ତବାଦୀ ଆଦିମତା ମାଡ଼ିବସିଛି । ଆମ ଅମଲାତନ୍ତ୍ର ପ୍ରଧାନତଃ ସାମନ୍ତବାଦୀ ହୋଇ ରହିଛି । ତଥାପି ଶିକ୍ଷାରେ ଯେଉଁମାନେ ଏହି ଦେଶରେ ନୂତନ ପ୍ରୟୋଗମାନ କରୁଛନ୍ତି, ସେମାନେ ଏକ ଅନୁକୂଳ ଅନ୍ୟ କିଛି ବାହାର କରିବେ ବୋଲି ବ୍ରତୀ ହୋଇଛନ୍ତି । ପ୍ରଧାନତଃ ଏକ ଭବିଷ୍ୟକାମୀ ବିଶ୍ୱାସକୁ ସମ୍ବଳ କରି ସେମାନେ ଏପରି ଏକ ସ୍ୱପ୍ନ ଦେଖୁଛନ୍ତି, ଯାହାକି ସମୟ ଆସିଲେ ସମଗ୍ର ଦେଶଲାଗି ଏକ ସୂତ୍ର ବତାଇ ଦେଇପାରିବ । ଭାରତ ପରି ଏକ ବୃହତ୍ ଓ ବହୁ ବୈଚିତ୍ର୍ୟପୂର୍ଣ୍ଣ ଦେଶରେ ଶିକ୍ଷା ଯେ ଗୋଟିଏ ଛାଞ୍ଚର ହେବ, ତାହା କଦାପି ନୁହେଁ । ତେଣୁ ହୁଏତ ସବୁଯାକ ପ୍ରୟୋଗ କାମରେ ଲାଗିବ । ତେଣୁ ବହୁବିଧ ଭାବରେ ଚାଲିଥିବା ଏହି ପ୍ରୟୋଗଗୁଡ଼ିକୁ ଆମେ ଅବଶ୍ୟ ସ୍ୱାଗତ କରିବା-। ଆମେ ସେଗୁଡ଼ିକୁ କଦାପି ଈର୍ଷା କରିବା ନାହିଁ । ସରକାର ମଧ୍ୟ ସେଗୁଡ଼ିକୁ ଈର୍ଷା କରିବେ ନାହିଁ, ସମସ୍ତଙ୍କ ଉପରେ ହୁଣ୍ଡା ମଇଟାଏ ଚଳାଇଦେଇ ସମସ୍ତଙ୍କୁ ଏକାକାର ଅର୍ଥାତ୍‌ ସମାନ ଭାବରେ ନିଷ୍ଫଳ ପ୍ରତିପାଦିତ କରିବାକୁ କୌଣସି ଚେଷ୍ଟା କରିବେ ନାହିଁ ।

 

ଏବେ ସମସ୍ତଙ୍କୁ ଅନ୍ତତଃ ପୃଥିବୀର ସବୁ ପିଲାଙ୍କୁ ବିଦ୍ୟାଳୟକୁ ଆଣିବାର ବିଚାର କରାଗଲାଣି । ଭାରତବର୍ଷରେ ମଧ୍ୟ ସେହି ଉଦ୍ୟମର ହାଉଆ ଆସି ବାଜିଲାଣି । ଏତଦ୍‍ବ୍ୟତୀତ ଅନୌପଚାରିକ ଶିକ୍ଷା, ନବସୃଜନ ଶିକ୍ଷା ପ୍ରଭୃତି କେତେକେତେ ଅଭିନବ ପ୍ରୟୋଗର କଥା ମଧ୍ୟ ଚିନ୍ତା କରାଗଲାଣି । ମଣିଷମାତ୍ରକେ ସମସ୍ତେ ପରିପୂର୍ଣ୍ଣ ମଣିଷ ହେବାଲାଗି ପୂର୍ଣ୍ଣ ସୁଯୋଗ ପାଇବେ, ଯାବତୀୟ ଉଦ୍ୟମ ପଛରେ ଏହିପରି ଏକ ବିଚାର ଅଥବା ଆସ୍ପୃହା ରହିଛି । ସରକାର ଏହି ସବୁକିଛି ଲାଗି ନିମିତ୍ତ ହୋଇ ବାହାରିବାକୁ ବାଧ୍ୟ ହେବେ । ତେଣୁ ସରକାରଙ୍କୁ ଅନେକ ନମନୀୟ ଅର୍ଥାତ୍ ଗ୍ରହଣଶୀଳ ହେବାକୁ ପଡ଼ିବ।

 

ଭାରତର ଏକ ସ୍ୱତନ୍ତ୍ର ମନୀଷା–ପରମ୍ପରା ରହିଛି ଏବଂ ସେହି ଅନୁସାରେ ଶିକ୍ଷାର ମୂଳ ମୂଲ୍ୟଗୁଡ଼ିକର କ୍ଷେତ୍ରରେ ମଧ୍ୟ ଏକ ନିଜସ୍ୱ ପରମ୍ପରା ରହିଛି । ସେହି ପରମ୍ପରା ମୂଳଦୁଆରୂପେ କାମ କରିବ, ଦେଶର ଉପସ୍ଥିତ ସମସ୍ୟାମାନ ଉପଯୁକ୍ତ ଚାଲେଞ୍ଜଗୁଡ଼ିକୁ ଯୋଗାଇଦେବ । ବିଜ୍ଞାନ ଆଖି ଆଣିଦେବ । ମୂଳତଃ ଏହିଭଳି ଗୋଟିଏ ଭୂମିକୁ ଏକ ବଳିଷ୍ଠ ଦିଗ୍‌ବଳୟ ଯୋଗାଇ ଦେବାକୁ ସରକାର ବାହାରେ ଶିକ୍ଷାରେ ପ୍ରୟୋଗମାନ ଚାଲିଛି । ସରକାର ସେଗୁଡ଼ିକ ଆଡ଼କୁ ଆଖିବୁଜି ରହିଲେ ଆଉ ମୋଟେ ଚଳିବ ନାହିଁ ।

Image

 

ଅଲଗା ଦିଶିବାର ଦୋଷ (୨)

 

୧୯୩୭ ମସିହାରେ ଜାକିର ହୁସେନ୍ କମିଟି ଯେତେବେଳେ ଗାନ୍ଧିଜୀଙ୍କର ଶିକ୍ଷାବିଷୟକ ବିଚାରକୁ ଏକ ବିଧିବଦ୍ଧ କାର୍ଯ୍ୟକ୍ରମ ଆକାରରେ ସାଧାରଣରେ ଆଣି ଥୋଇଲେ, ସେତେବେଳେ ତତ୍କାଳୀନ କଂଗ୍ରେସର ଜଣେ ନେତା ଶ୍ରୀଯୁକ୍ତ କୃପାଳିନୀ ସେହି ବିଷୟରେ ଆଲୋଚନା କରି The Latest Fad ନାମ ଦେଇ ଗୋଟିଏ ବହି ଲେଖିଲେ । ବିନୋଦ କରି ଗାନ୍ଧିଜୀଙ୍କର Basic Educationକୁ ସେ ମହାତ୍ମାଙ୍କର ସର୍ବଶେଷ ଫ୍ୟାଡ଼୍ ବା ଖିଆଲ ବୋଲି କହିଥିଲେ । ତତ୍କାଳୀନ ପ୍ରାୟ ଅର୍ଦ୍ଧଶତାବ୍ଦୀର ଅବଧିରେ ଗାନ୍ଧିଜୀଙ୍କର ପ୍ରତ୍ୟେକ କଥା ଓ ପ୍ରତ୍ୟେକ କାର୍ଯ୍ୟକ୍ରମ ଗୁଳାରେ ଭାବୁଥିବା ଓ ଗୁଳାରେ ଚାଲୁଥିବା ବ୍ୟକ୍ତିମାନଙ୍କୁ ଅବଶ୍ୟ ଗୋଟିଏ ଗୋଟିଏ ଖିଆଲ ପରି ନିଶ୍ଚୟ ଲାଗିଥିବ । ଭାରତବର୍ଷ ବ୍ରିଟିଶ ଶାସନ ସହିତ ଲଢ଼ିବ ଓ ତାକୁ ଦେଶରୁ ତଡ଼ିବ, ଏଇଟାକୁ ମଧ୍ୟ ସେହି ସମୟରେ ଅନେକ ପ୍ରତିଷ୍ଠାସମ୍ପନ୍ନ ବ୍ୟକ୍ତି ଗାନ୍ଧୀଙ୍କର ଗୋଟାଏ ଖିଆଲ ବୋଲି ମନେ କରିଥିବେ । ‘ହିନ୍ଦ୍‌ ସ୍ୱରାଜ’ ଗୋଟାଏ ନିର୍ଧୁମ୍ ଖିଆଲ, ଅହିଂସା ଗୋଟାଏ ଖିଆଲ, ସତ୍ୟାଗ୍ରହ ଓ ଅସହଯୋଗ ମଧ୍ୟ ଗୋଟାଏ ଖିଆଲ ବୋଲି କହି ପାରମ୍ପରିକମାନେ ପର୍ଯ୍ୟାୟକ୍ରମେ କେତେ ବିଦ୍ରୂପ କରି କହିଥିବେ । ମାତ୍ର ଏବେ ଗାନ୍ଧୀ ପୃଥିବୀରୁ ବିଦା ହୋଇଯିବାର ପ୍ରାୟ ୫୦ ବର୍ଷ ପରେ ପଛକୁ ଅନାଇ ମନେହେଉଛି, ଗାନ୍ଧୀ କହିଥିବା ତଥା କରିଥିବା କଥାରୁ କୌଣସି ଗୋଟିଏ ମଧ୍ୟ ଆଦୌ ଖିଆଲ ନଥିଲା । ତାହା ଏକ ସମଗ୍ର ଜୀବନଦୃଷ୍ଟି ଓ ପୃଥିବୀକଳ୍ପନାରେ ଗୋଟିଏ ଗୋଟିଏ ଅତ୍ୟନ୍ତ ପ୍ରାସଙ୍ଗିକ ସୋପାନ ଏବଂ ପଦେକ୍ଷପ ହୋଇ ରହିଥିଲା ।

 

୧୯୩୭ ମସିହାରେ ଦେଶରେ କେତୋଟି ରାଜ୍ୟରେ ଥିବା ନିର୍ବାଚିତ କଂଗ୍ରେସ ସରକାର ସେତେବେଳେ ମୌଳିକ ଶିକ୍ଷାର ପ୍ରୟୋଗକୁ ରାଜକୀୟ ସ୍ୱୀକୃତି ଦେଇଥିଲେ । ସେହି ଶିକ୍ଷାର ଯେ ମାତ୍ର ତିନି ଚାରିଟା ବର୍ଷ ଭିତରେ ଆମ ଦେଶର ସାମାଜିକ ଏବଂ ରାଜନୈତିକ ହାଉଆ ଉପରେ ଏକ ଗଭୀର ପ୍ରଭାବ ପଡ଼ିଥିଲା, ୧୯୪୨ର ଭାରତଛାଡ଼ ଆନ୍ଦୋଳନରୁହିଁ ତାହାର ପ୍ରମାଣ ମିଳିଗଲା । ଭାରତ ସ୍ୱାଧୀନ ହେଲା, ସମଗ୍ର ଭାରତବର୍ଷରେ କଂଗ୍ରେସୀମାନେ ଆସି ଗାଦିରେ ବସିଲେ, ସରକାର ହେଲେ । ସେମାନେ ମୌଳିକ ଶିକ୍ଷାକୁ ମଧ୍ୟ ଆପଣାର ସମ୍ପତ୍ତି ଜ୍ଞାନର ଅକ୍ତିଆର କରିନେଲେ । ଯାହା ଗୌରବର ସହିତ ଏକ ପ୍ରୟୋଗରୂପେ ଏକଦା ଚାଲିଥିଲା, ସେମାନେ ତାହାକୁ ସରକାରୀ ଶିକ୍ଷାବିଭାଗ ସହିତ ନେଇ ପୋତି ଦେଲେ । କେବଳ ଉପର ଆଦେଶ ପାଳନ କରିହିଁ ସେହି ଶିକ୍ଷା ବିଷୟରେ ବ୍ରହ୍ମା ବିଷ୍ଣୁ ନ ଜାଣିଥିବା ଶିକ୍ଷାବିଭାଗର ହାକିମମାନେ ସେହି ଶିକ୍ଷାକୁ ବଳବତ୍ତର କରାଇ ଚଳାଇବାର ଦାୟିତ୍ୱରେ ମୁତୟନ ହୋଇ ରହିଲେ-। ସେମାନେ ସବୁ ପାରିବେ ବୋଲି ବାହାସ୍ଫୋଟ ମାରିଲେ ଓ ମାତ୍ର କେତେଟା ବର୍ଷରେ ଗୋଟାଏ ବହୁ ପ୍ରତିଶ୍ରୁତିପୂର୍ଣ୍ଣ ପ୍ରୟୋଗକୁ ମାଙ୍କଡ଼ରେ ପରିଣତ କରିଦେଲେ । ଆମ ଓଡ଼ିଶାରେ ମଧ୍ୟ ଏହି ମାଙ୍କଡ଼ କରି ଦେବାର ପର୍ଯ୍ୟାୟରେ ଏକ ଅତ୍ୟନ୍ତ ହାସ୍ୟାସ୍ପଦ କାହାଣୀ ରହିଛି । ଉପରୁ ଅତ୍ୟୁତ୍ସାହୀ ନେତାମାନେ ମନ୍ତ୍ରୀପଦ ଛାଡ଼ି ଏହି ଶିକ୍ଷାକୁ ସରକାରୀବାହିନୀକୁ ସାଙ୍ଗରେ ଧରି ଦୋରସ୍ତ କରି ଗଢ଼ି ପକାଇବେ ବୋଲି ପ୍ରୟୋଗଟି ଉପରେ ରଜା ହେବାକୁ ଆସିଲେ ଏବଂ ନିତାନ୍ତ ନିରୀହ ହାକିମମାନେ ମୌଳିକ ଶିକ୍ଷାର ‘ମ’ ଅକ୍ଷରକୁ ମଧ୍ୟ ସ୍ୱୀକାର କରୁ ନଥିଲେ ମଧ୍ୟ ଯୁଧିଷ୍ଠିରଙ୍କ ପଛେ ପଛେ ଅର୍ଜୁନ ଓ ଭୀମ ହୋଇ ବାହାରିଲେ । ନେତା ପୁନର୍ବାର ତାଙ୍କ ମନ୍ତ୍ରୀପଦକୁ ବାହୁଡ଼ିଗଲେ, ସ୍ଵଧର୍ମର ପାଳନ କଲେ । ମୌଳିକ ଶିକ୍ଷା ତୁଚ୍ଛା ହାକିମମାନଙ୍କ ହାତରେ ଆସି ପଡ଼ିଲା, ଅଣନିଃଶ୍ୱାସୀ ହୋଇଗଲା ।

 

ମୌଳିକ ଶିକ୍ଷା କେବଳ ଏକ ବିକଳ୍ପ ପାଠବ୍ୟବସ୍ଥାହିଁ ନଥିଲା, ତାହା ପଛରେ ଏକାବେଳକେ ଏକ ଅନ୍ୟ ପ୍ରକାର ସମାଜକଳ୍ପନା ପ୍ରଚ୍ଛନ୍ନ ହୋଇ ରହିଥିଲା । ପ୍ରଚଳିତ ପାହାଚଧର୍ମୀ ସମାଜ ବିରୋଧରେ ସେଥିରେ ଏକ ଅଭିନବ ଷଡ଼ଯନ୍ତ୍ର ନିହିତ ହୋଇ ରହିଥିଲା । ମୌଳିକ ବିଦ୍ୟାଳୟମାନଙ୍କରେ ଛାତ୍ର ଓ ଶିକ୍ଷକ ଆଗ ପରି ପରସ୍ପରଠାରୁ ଦୂରଛଡ଼ା ହୋଇ ରହୁ ନଥିଲେ, ସେମାନେ ପରସ୍ପରର ପରିପୂରକ ହୋଇ ସତେଅବା ଏକାଠି ଶିକ୍ଷାଗତ ଯାବତୀୟ କାର୍ଯ୍ୟକ୍ରମର ପରିଚାଳନା କରୁଥିଲେ । ସମସ୍ତେ ନେତା ହେଉଥିଲେ, ସମସ୍ତେ କର୍ମୀ ମଧ୍ୟ ହେଉଥିଲେ । ଏକାଠି ଜ୍ଞାନର ଅନୁସନ୍ଧାନ ଏବଂ ଆବିଷ୍କାର କରୁଥିଲେ; ଏକାଠି ବଗିଚା କାମ କରୁଥିଲେ, ଏକାଠି ପାଇଖାନା ସଫା କରୁଥିଲେ, ଏକାଠି ପ୍ରାର୍ଥନା କରୁଥିଲେ । ସୂତା କାଟୁଥିଲେ, ପାରସ୍ପରିକ ସମ୍ମାନ ଏବଂ ଆନ୍ତରିକତା ଭରପୂର ହୋଇ ରହିଥିଲା । ସାନମାନେ ବଡ଼ମାନଙ୍କୁ ଭାଇ ଓ ଅପା ବୋଲି ଡାକୁଥିଲେ । ପିଲାମାନେ ମାସକୁ ମାସ ଏକ ମନ୍ତ୍ରିମଣ୍ଡଳ ଗଢ଼ୁଥିଲେ ଏବଂ ସେହି ମନ୍ତ୍ରିମଣ୍ଡଳ ଶିକ୍ଷକମାନଙ୍କର ସହଯୋଗରେ ବିଦ୍ୟାଳୟରେ ଯାବତୀୟ ବ୍ୟାପାର ତୁଲାଉଥିଲେ । ଜ୍ଞାନ ଲାଗି ସମ୍ମାନ ଥିଲା, ବୟସ ଲାଗି ସମ୍ମାନ ରହିଥିଲା । ମାତ୍ର କର୍ତ୍ତୃତ୍ୱର ଆଦୌ କୌଣସି ଉପଦ୍ରବ ନଥିଲା-। ତେଣୁ ପୁରୁଣା ଅମଲାତନ୍ତ୍ରର କର୍ତ୍ତୃତ୍ୱଧର୍ମୀ ମହାମାତ୍ୟ ଏବଂ ମହାଭୃତ୍ୟମାନେ ଏ ସବୁକୁ କିପରି ସହ୍ୟ କରିଥାନ୍ତେ ? ସେମାନେ ଆପଣାର ଅଙ୍କୁଶ ପ୍ରୟୋଗ କରି ଅଳ୍ପ କେତେଟା ବର୍ଷ ମଧ୍ୟରେ ମୌଳିକ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ଅତି ପରିଚିତ ପୁରୁଣା ମାମୁଲି ବିଦ୍ୟାଳୟରେ ପରିଣତ କରି ଆଣିଲେ । ଅନମନୀୟ ଶିକ୍ଷକମାନଙ୍କୁ ବଦଳି କରାଇଲେ ଓ ସେମାନଙ୍କର ଅଣ୍ଟା ଭାଙ୍ଗିଦେଲେ । ପୁରୁଣା ସମାଜ ଓ ପୁରୁଣା ସାମନ୍ତତନ୍ତ୍ରକୁ ଏହି ନୂଆ ପ୍ରୟୋଗ ଭାରି ଅଡ଼ୁଆ ଲାଗିଲା । ସେତେବେଳକୁ ଶାସନର ସବା ଉପରେ ଥିବା ରାଜନୈତିକ ମଣିମାମାନେ ମଧ୍ୟ କ୍ରମଶଃ ମୂଳ ରାଜନୈତିକ ଆଦର୍ଶରୁ ବିଚ୍ୟୁତ ହୋଇ ସ୍ଵାର୍ଥକାମୀ ହେବାକୁ ଆରମ୍ଭ କରି ଦେଇଥିଲେ । ତେଣୁ ଶିକ୍ଷାର ଏହି ଅବଗମନରେ ସେମାନେ ଆଉ ବାଧା ଦେଇପାରିଲେ ନାହିଁ-। ବହୁ ଲାଳସା ଭିତରେ ପଡ଼ି ବିଭାଗୀୟ ମହାଭୃତ୍ୟମାନଙ୍କ ହାତରେ ମୃଗୀ ହୋଇ ନାଚିଲେ-। ତା’ପରେ ଅନ୍ୟ ପ୍ରକାରେ ଦିଶିବା ଲାଗି ଓ ବିକାଶ ଲାଭ କରିବାଲାଗି ମୌଳିକ ଶିକ୍ଷାର ମଧ୍ୟ ଆଉ ଜୁ ରହିଲା ନାହିଁ ।

 

କବିଗୁରୁ ରବୀନ୍ଦ୍ରନାଥ ମାତ୍ର ଛଅଜଣ ପିଲାଙ୍କୁ ନେଇ ୧୯୦୧ ଖ୍ରୀଷ୍ଟାବ୍ଦରେ ଶାନ୍ତିନିକେତନରେ ବ୍ରହ୍ମଚର୍ଯ୍ୟାଶ୍ରମ ଆରମ୍ଭ କରିଥିଲେ । ତତ୍କାଳୀନ ବଙ୍ଗୀୟ ଅଭିଜାତ ଶ୍ରେଣୀଠାରୁ ସେହି ବିଦ୍ୟାଳୟକୁ କମ୍ ତାଚ୍ଛଲ୍ୟ ସହ୍ୟ କରିବାକୁ ହୋଇ ନଥିଲା । ବ୍ରିଟିଶ ସରକାର ସେହି ଶିକ୍ଷାକୁ ୧୯୪୭ ମସିହା ପର୍ଯ୍ୟନ୍ତ ଆପଣାର ସ୍ୱୀକୃତି ଦେଇ ନଥିଲା । ୧୯୨୧ ମସିହାରେ ବ୍ରହ୍ମଚର୍ଯ୍ୟାଶ୍ରମ ବିଶ୍ୱଭାରତୀ ହେଲା ଓ ଏକଦା ପଣ୍ଡିତ ଜବାହାରଲାଲ ବ୍ୟକ୍ତ କରିଥିବା ଭାଷା ଅନୁସାରେ ଭାରତର ରାଜନୈତିକ ମରୁଭୂମିରେ ଏକ ମରୁଦ୍ୟାନ ସଦୃଶ ହୋଇ ରହିଲା । ରବୀନ୍ଦ୍ରନାଥ ବହୁ କଷ୍ଟରେ ନିଜର ସେହି ଶିକ୍ଷାସ୍ଥଳୀଟି ନିମନ୍ତେ ଅର୍ଥର ବ୍ୟବସ୍ଥା କରୁଥିଲେ । ତାଙ୍କର ବିଦ୍ୟାଳୟଟି ବାହାରୁ ଏକାବେଳକେ ଅଲଗା ପ୍ରକାରର ଦିଶୁଥିବାରୁ ତାହା ସମ୍ଭ୍ରାନ୍ତମାନଙ୍କର ଚକ୍ଷୁଃଶୂଳ ହୋଇ ରହିଥିଲା । ତେଣୁ ମଝିରେ କବିଙ୍କର ଏକାନ୍ତ ଇଚ୍ଛା ବିରୋଧରେ ସେଠାରେ କଲିକତା ବିଶ୍ୱବିଦ୍ୟାଳୟର ଏକ ପାଠ୍ୟକ୍ରମକୁ ଆଣି ଯୋଡ଼ା ଯାଇଥିଲା । ପ୍ରଥମ କାଳରେ ଦୁଇଟିଯାକ ପାଠ୍ୟକ୍ରମ ସମାନ୍ତର ହୋଇ ଚାଲୁଥିଲେ ମଧ୍ୟ କ୍ରମେ ବିଶ୍ୱଭାରତୀର ମୂଳ ଓ ମୁକ୍ତ କାର୍ଯ୍ୟକ୍ରମଟି ନିଷ୍ପ୍ରଭ ହୋଇ ଆସିଲା । ଭାରତବର୍ଷ ସ୍ଵାଧୀନ ହେବାପରେ ବିଶ୍ୱଭାରତୀ ଏକ ସରକାରୀ କୃପାପ୍ରାପ୍ତ ବିଶ୍ୱବିଦ୍ୟାଳୟ ହେଲା । ସହସ୍ର ଗୁଣରେ ସାମଗ୍ରୀମାନ ବଢ଼ିଲା ଏବଂ ସେହି କ୍ରମରେ ଏକ ବୃହଦାକାର ମାମୁଲି ବିଦ୍ୟାଳୟରେ ପରଣିତ ହେଲା । ବାହାରକୁ ସବୁ ବଡ଼ ଦିଶିଲା ଏବଂ କ୍ରମେ ଭିନେ ହୋଇ ମଧ୍ୟ କିଛି ଦିଶିଲା ନାହିଁ । ଖୋଦ୍ ଭାରତବର୍ଷର ପ୍ରଧାନମନ୍ତ୍ରୀମାନେ ସମ୍ଭବତଃ ଆପଣାର ଗୌରବ ବଢ଼ାଇବା ପାଇଁ ବିଶ୍ୱଭାରତୀର କୁଳାଧିପ ହେଲେ । ସବୁକିଛି ନିୟମର ଅଧୀନ ହୋଇ ଚାଲିଲା । ଆନନ୍ଦ ମରିଗଲା, ସ୍ୱତଃସ୍ଫୂର୍ତ୍ତତା ବିଦାୟ ନେଲା ।

 

ଶ୍ରୀ ଅରବିନ୍ଦ ଭାରତୀୟ ଜାତୀୟ କଂଗ୍ରେସରେ ଜଣେ ତୁଙ୍ଗ ନେତା ଥିଲେ । କଂଗ୍ରେସ ଭିତରେ ସେତେବେଳେ ଯେଉଁ ମାନ୍ଦା ରାଜନୀତି ଚାଲୁଥିଲା, ସେ ତାହାକୁ ଅତିକ୍ରମ କରି ଅନେକ ଆଗକୁ ଚିନ୍ତା କରୁଥିଲେ । ବ୍ରିଟିଶ ସରକାରଙ୍କ ଜେଲ୍‌ରେ ଗୋଟିଏ ବର୍ଷ ରହି ବାହାରକୁ ଆସିବା ପରେ ସେ ନିଜ ଭିତରୁ ନିର୍ଦ୍ଦେଶ ପାଇ ପ୍ରଥମେ ଚନ୍ଦନନଗର ଓ ତା’ପରେ ପଣ୍ଡିଚେରୀ ଚାଲିଯାଇଥିଲେ । ସେଠାରେ ଏକ ଆଶ୍ରମ ଗଢ଼ି ଉଠିଥିଲା ଏବଂ ଚେତନାର ଉନ୍ମୋଚନରେ କିପରି ପୃଥିବୀର ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରିବ, ସେହି ଆଶ୍ରମରେ ଏକ ଅଭିନବ ତପଃପ୍ରୟାସ ଆରମ୍ଭ ହେଲା । ଏହି ଶତାବ୍ଦୀର ପ୍ରଥମ ଦଶକରେ ବନ୍ଦେ ମାତରମ୍ ଆନ୍ଦୋଳନର ଜଣେ ନେତା ହିସାବରେ ଶ୍ରୀ ଅରବିନ୍ଦ ଶିକ୍ଷା ସମ୍ବନ୍ଧରେ ଆପଣାର କେତୋଟି ବିଚାର ପ୍ରକଟ କରିଥିଲେ । ସମଗ୍ର ଦେଶ ସମ୍ମୁଖରେ ଜାତୀୟ ଶିକ୍ଷାର ଏକ ଯୋଜନା ବାଢ଼ିଥିଲେ । ପରେ ୧୯୪୩ଠାରୁ ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀରେ ସେହି ବିଚାରକୁ ଭିତ୍ତି କରି ଏକ ଶିକ୍ଷାକେନ୍ଦ୍ରର ସ୍ଥାପନା ହେଲା । ପରେ ତାହା ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରୂପେ ନାମିତ ହେଲା । ଶିକ୍ଷାର ସେହି ଅଭିନବ ଧାରାଟିକୁ Integral Education ବା ପୂର୍ଣ୍ଣାଙ୍ଗ ଶିକ୍ଷା ବୋଲି କୁହାଗଲା । ଆଗରୁ ବିଦେଶରେ total Eduation ଏବଂ Education of the whole Manର ଚର୍ଚ୍ଚା ହୋଇଥିଲା । ଭାରତୀୟ ଯୋଗ ଓ ଆଧ୍ୟାତ୍ମିକତାକୁ ଏକ ନୂତନ ଭିତ୍ତି ପ୍ରଦାନ କରି ପୂର୍ଣ୍ଣାଙ୍ଗ ଶିକ୍ଷା ସେହିଦିନଠାରୁ ଭାରତବର୍ଷ ତଥା ସମଗ୍ର ପୃଥିବୀ ନିମନ୍ତେ ଏକ ସ୍ୱତନ୍ତ୍ର ମଡ଼େଲର ଉପସ୍ଥାପନା କରିବାକୁ ଚେଷ୍ଟା କରିଛି । ଯଦି ଆମେ ପୂର୍ଣ୍ଣ ଆନ୍ତରିକତାର ସହିତ ସେହି ମଡ଼େଲଟିକୁ ଗ୍ରହଣ କରିପାରିବା, ତେବେ ବର୍ତ୍ତମାନ ଭାରତରେ ବହୁ ସମସ୍ୟା ଓ ଅଡ଼ୁଆର ସମାଧାନ କରିବା ନିମନ୍ତେ ଆମକୁ ସେଥିରୁ ବଳ ଓ ଅନ୍ତର୍ଦୃଷ୍ଟି ଅବଶ୍ୟ ମିଳିଯିବ ।

 

ସରକାରୀ ସ୍ତରରେ ଶିକ୍ଷାକୁ ଚଳାଉଥିବା ହାକିମ ଓ ଅମଲାମାନେ ଏସବୁ କଥାର କେତେ ଅଳପ ଜାଣନ୍ତି ଏବଂ ଯେତିକି ଜାଣନ୍ତି, ହୁଏତ ତାହାର ଏକଶତାଂଶ ମଧ୍ୟ ହୃଦୟଙ୍ଗମ କରନ୍ତି ନାହିଁ । ସେଥିଲାଗି ଗୋଟାକ ପରେ ଗୋଟାଏ ଯୋଜନା ହୁଏ, ଯୋଜନାମାନେ ଛଞ୍ଚାଣବତ୍ ଉପରୁ ଆସି ପଡ଼ନ୍ତି ଓ ସେହି ଅନୁସାରେ ପୁରୁଣା କଳଗୁଡ଼ାକୁ ନୂଆ ଭଙ୍ଗୀରେ ଅର୍ଥାତ୍ ନୂଆ ଚଲାଖିରେ ସଜାଡ଼ି ଦିଆହୁଏ । ନୂଆ ନୂଆ ଶବ୍ଦରେ ସେହି ପୁରୁଣା କଥାଗୁଡ଼ାକୁ ଦୋହରାଯାଏ । ଆଉ ଅଧିକ କିଛି ହୋଇପାରେ ନାହିଁ । ନୂଆକୁ ଭୟ କରୁଥିବା ମଣିଷବାବୁମାନେ ସେତିକିରେ ସନ୍ତୁଷ୍ଟ ହୋଇଯାଆନ୍ତି । ବିରାଟ କଳଟା ଭିତରେ ସମ୍ଭବତଃ ପ୍ରତ୍ୟେକ ହାକିମ ନିଜକୁ ଏତେ ଅଳପ ଓ ଏତେ ଅସମର୍ଥ ଅନୁଭବ କରୁଥାନ୍ତି ଯେ, ଏକାବେଳକେ କୌଣସି ବଡ଼ ନିଷ୍ପତ୍ତି ନିମନ୍ତେ ସାହସ କରିପାରନ୍ତି ନାହିଁ । ସେମାନେ ଆଦୌ କୌଣସି ଅନିଶ୍ଚିତତା ଭିତରେ ପଶିବାକୁ ଚାହାନ୍ତି ନାହିଁ । ଆପଣାର ଚାକିରିଟାକୁ ଦୋରସ୍ତ କରି ରଖିବାକୁ ପରମ ଇଷ୍ଟରୂପେ ଗ୍ରହଣ କରି ନେଇଥାନ୍ତି ।

 

ତେଣୁ ସେମାନେ ଆଦୌ କୌଣସି ନୂଆ ପ୍ରୟୋଗ କରିପାରନ୍ତି ନାହିଁ । ଅଧିକ ଟଙ୍କା ଖର୍ଚ୍ଚ କରନ୍ତି, ଦଶ ଜଣଙ୍କ ସ୍ଥାନରେ ଶହେଦଶ ଜଣଙ୍କୁ ନିଯୁକ୍ତ କରି ଦେଇ ଏଥର ଲକ୍ଷ୍ୟଗୁଡ଼ିକ ହାସଲ ହୋଇଯିବ ବୋଲି ନିଜକୁ ଭରସା ଦେଉଥାନ୍ତି । ତେଣୁ ଶିକ୍ଷାରେ କେଉଁଠି କିଏ ନୂତନ ସାହସ ଦେଖାଇଲେ କିମ୍ବା ନୂଆ ପ୍ରୟୋଗ କଲେ, ସେମାନେ ସତେଅବା ଭାରି ପ୍ରମାଦ ଗଣନ୍ତି । କୌଣସି ସ୍ଥାନରେ କିଛି ଅଲଗା ଦିଶିଲେହିଁ ଅତ୍ୟନ୍ତ ତୀବ୍ର ପ୍ରତିକ୍ରିୟା ଦେଖାନ୍ତି ଓ ବିଚଳିତ ହୋଇପଡ଼ନ୍ତି । ତେଣୁ ସାଧାରଣତଃ ସରକାରୀ ଯନ୍ତ୍ରଦ୍ଵାରା କିମ୍ବା ସରକାରୀ ବିଭାଗଦ୍ୱାରା ଶିକ୍ଷାରେ କୌଣସି ଯଥାର୍ଥ ଅଗ୍ରଗତି ହୋଇପାରେ ନାହିଁ । କାରଣ କୌଣସି ଯଥାର୍ଥ ପ୍ରୟୋଗ ମଧ୍ୟ ହୋଇପାରେ ନାହିଁ । ତେଣୁ ଯେଉଁମାନେ ପ୍ରୟୋଗ କରନ୍ତି, ସେମାନେ ଧର୍ମତଃ କଳର ବାହାରେ ଥାଆନ୍ତି । ଏହି କ୍ଷେତ୍ରରେ କଳ ଭିତରେ ଥିବା ଅଥଚ ଶିକ୍ଷାର ତଥା ସମାଜର ମଙ୍ଗଳକାମନା କରୁଥିବା ଉତ୍ତମମାନେ ଯଥେଷ୍ଟ ସହାନୁଭୂତିର ସହିତ ପ୍ରୟୋଗଗୁଡ଼ିକୁ ବୁଝିବା ଏବଂ ସେଗୁଡ଼ିକୁ ଆପଣାର ପରିପୂରକରୂପେ ସ୍ୱୀକାର କରିବା ଏକାନ୍ତ ଆବଶ୍ୟକ ହୋଇପଡ଼େ । ସେହି ମନୋଭାବର ଅଭାବ ରହିଥିବା ପର୍ଯ୍ୟନ୍ତ ବଡ଼ ଅହେତୁକ ଭାବରେ ଶିକ୍ଷା ପ୍ରମାଦଗ୍ରସ୍ତ ହୋଇ ରହେ-। ଦେଶର ଅହିତ ହୁଏ । ମଣିଷର ହିତ କାମନା କରୁଥିବା ଦେବତାମାନେ ମଧ୍ୟ ଭାରି ଦୁଃଖୀ ହୁଅନ୍ତି-

Image

 

ଅଲଗା ଦିଶିବାର ଦୋଷ (୩)

 

ଶ୍ରୀ ଅରବିନ୍ଦଙ୍କର ବିଚାର ଓ ଦର୍ଶନର ଆଲୋଚନା ଓ ଅଧ୍ୟୟନ କରି ସେହି ଅନୁସାରେ ଏକ ଅନୁରାଗୀ ଗୋଷ୍ଠୀ ହିସାବରେ ଜୀବନଟିଏ ବଞ୍ଚିବା ନିମନ୍ତେ ପରସ୍ପରକୁ ପ୍ରେରଣା ଦେବାଲାଗି ଗତ ପଚାଶ–ଦଶକରେ ଓଡ଼ିଶାରେ ପାଠଚକ୍ରମାନ ପ୍ରତିଷ୍ଠା କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା-। ପ୍ରଥମେ ଏହି ପାଠଚକ୍ର ସହରଗୁଡ଼ିକରେ ଥିଲା । ତା’ପରେ ଗାଁମାନଙ୍କୁ ସଂକ୍ରମିତ ହେଲା-। ସେହି ଅନୁରାଗ–ପ୍ରବାହର ଏକ ପରବର୍ତ୍ତୀ ସୋପାନରୂପେ ନୂତନ ଆଭିମୁଖ୍ୟ ନେଇ ରାଜ୍ୟରେ ୧୯୭୦ ମସିହାରେ ରାଜଧାନୀରେ ବିଦ୍ୟାଳୟଟିଏ ଆରମ୍ଭ ହୋଇଥିଲା । ତତ୍କାଳୀନ ପୁରୋଗାମୀମାନେ ତାହାକୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବୋଲି କହିଲେ । କ୍ରମେ ଅନ୍ୟ ସହରମାନଙ୍କରେ ଏହିଭଳି ଶିକ୍ଷାକେନ୍ଦ୍ର ଗଢ଼ିଉଠିଲା । ତା'ପରେ ସେହି ଉଦ୍ୟମ ପ୍ରାୟ ଏକ ଆନ୍ଦୋଳନରେ ପରିଣତ ହୋଇ ଗ୍ରାମାଞ୍ଚଳକୁ ପ୍ରସାରିତ ହୋଇଗଲା । ଆଗରୁ ସକ୍ରିୟ ହୋଇ ରହିଥିବା ପାଠଚକ୍ରମାନେ ଏହି ଶିକ୍ଷାକେନ୍ଦ୍ରଗୁଡ଼ିକର ମୂଳଦୁଆ ପରି କାର୍ଯ୍ୟ କଲେ । ବର୍ତ୍ତମାନ ସମଗ୍ର ରାଜ୍ୟରେ ଏହିପରି ଶିକ୍ଷାକେନ୍ଦ୍ରର ସଂଖ୍ୟା ଦେଢ଼ଶହ ପାଖାପାଖି ହେଲାଣି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଶିକ୍ଷାକେନ୍ଦ୍ର ଖୋଲି ସାରିଲାଣି-। କେବଳ ସଂଖ୍ୟାରେ ଆଉ କେତୋଟି କଥା କହିଲେ, ଏହି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରମାନଙ୍କରେ ପ୍ରାୟ ଆଠଶହ ଭାଇ ଓ ଭଉଣୀ ଶିକ୍ଷକତା କରୁଛନ୍ତି, ପ୍ରାୟ ଆଠ ନଅ ହଜାର ପିଲା ପାଠ ପଢ଼ୁଛନ୍ତି ଏବଂ ସେହିମାନଙ୍କ ମାଧ୍ୟମରେ ପ୍ରାୟ ପାଞ୍ଚ ଛଅ ହଜାର ପରିବାର ଏହି ଉଦ୍ୟମ ଓ ଆନ୍ଦୋଳନଟି ସହିତ ଗୁନ୍ଥି ହୋଇ ରହିଛନ୍ତି ।

 

ଆଧ୍ୟାତ୍ମିକତାର ଭିତ୍ତି ଉପରେ ସମସ୍ତ ଶିକ୍ଷାକ୍ରମଟି ଛିଡ଼ା ହୋଇ ରହିଛି । ମନୁଷ୍ୟ ସମାଜ ଚେତନାର ସିଡ଼ିରେ ସତତ ଆଗକୁ ଆଗକୁ ଯାଉଛି, ପ୍ରତ୍ୟେକ ମନୁଷ୍ୟ ଭିତରେ ଏକ ଦିବ୍ୟତା ପ୍ରଚ୍ଛନ୍ନ ହୋଇ ରହିଛି । ସେହି ଦିବ୍ୟତା ଅନୁକୂଳ ପରିବେଶ ପାଇଲେ କ୍ରମୋନ୍ମୋଚିତ ହୋଇ ଆସିବ ଏବଂ ତାହାହେଲେ ବର୍ତ୍ତମାନର ଏହି ପୃଥିବୀର ସମସ୍ତ ମଳିନତାକୁ ଦୂର କରିପାରିବ, ଏକ ନୂତନ ସମାଜ ତଥା ନୂତନ ପାରସ୍ପରିକତାର ପ୍ରତିଷ୍ଠା ହେବ, ଏହି ସତ୍ୟଟିକୁ ହୃଦୟଙ୍ଗମ କରୁଥିବା ବ୍ୟକ୍ତିମାନେ ଯଥାର୍ଥ ଉଦ୍ୟମ କଲେ ସେହି ଅଭିଳଷିତ ସ୍ଥିତିଟିର ଆସିବା ତ୍ୱରାନ୍ୱିତ ହୋଇଯିବ ।

 

ଏହି ମୂଳ ବିଶ୍ଵାସଗୁଡ଼ିକୁ ପୁଞ୍ଜିକରି ଏକତ୍ର ହୋଇଥିବା ବନ୍ଧୁଗୋଷ୍ଠୀମାନେ ଶିକ୍ଷାର ଏହି ପ୍ରୟୋଗ ଏବଂ ପ୍ରଚେଷ୍ଟାଗୁଡ଼ିକୁ ଆରମ୍ଭ କରିଛନ୍ତି ଏବଂ ଶିକ୍ଷାକେନ୍ଦ୍ରଗୁଡ଼ିକର ଯାବତୀୟ ପ୍ରୟାସ ଓ ଆସ୍ପୃହା ସେହି ବିଶ୍ୱାସକୁ ମୂଳ କରି ଆପଣାକୁ ଗତିଶୀଳ କରିରଖିଛି । ପିଲାର ଶାରୀରିକ, ସଂବେଗଗତ, ମାନସିକ ତଥା ଆନ୍ତର ବିକାଶ ଏପରି ଭାବରେ ହେବ, ଯାହାଦ୍ଵାରା କି ତା’ର ଅସଲ ବ୍ୟକ୍ତିତ୍ଵ ଏବଂ ଅସଲ ସାହସଟି ତା’ ଭିତରୁହିଁ ବିକଶିତ ହୋଇଆସିବ । ଏହି ମୂଳ ଓ ମୀମାଂସକ ବିଶ୍ୱାସଟି ଅନୁସାରେ ପିଲାଟିଏ ତା’ର ଗଣିତ, ବିଜ୍ଞାନ, ସାହିତ୍ୟ, ଭୂଗୋଳ ଓ ଇତିହାସ ଯାବତୀୟ ବିଷୟରେ ଅଧ୍ୟୟନ କରୁଛି । ସେ ଖୁସି ହୋଇ ପାଠ ଯେମିତି ପଢ଼ୁଛି, ଖେଳପଡ଼ିଆରେ ଖେଳବି ସେମିତି ଖୁସି ହୋଇ ଖେଳୁଛି । ପୂର୍ଣ୍ଣ ପ୍ରାଣୋଚ୍ଛ୍ୱାସରେ ଗୀତ ଗାଉଛି । ସେତିକି ଖୁସି ହୋଇ ପ୍ରାର୍ଥନା ମଧ୍ୟ କରୁଛି । ତା’ ଉପରେ ଆଦୌ କୌଣସି ବିଷୟକୁ ଲଦି ଦିଆଯାଉନାହିଁ । ସତେଅବା ଖୁସିରେ ଫୁଲଟିଏ ଫୁଟି ଫୁଟି ଯାଉଛି ଏବଂ ଚତୁର୍ଦ୍ଦିଗରେ ଆତଜାତ ହେଉଥିବା ପୃଥିବୀ ସହିତ ଖୁସିରେ ଖିଅଟିଏ ଲାଗି ଲାଗି ଯାଉଛି । ଏଥିପାଇଁ ଏକ ଅନୁରୂପ ଶୃଙ୍ଖଳା ସତେଅବା ଭିତରୁ ବିକଶିତ ହୋଇଆସୁଛି; ଭିତରେ ରହିଥିବା ଏକ ପ୍ରାଣବନ୍ତ ନୀରବତା ବାହାରର ଯାବତୀୟ କ୍ରିୟାଶୀଳତାକୁ ସତେଅବା ଜନନୀଟିଏ ପରି ପରିଚାଳିତ କରିନେବାରେ ଲାଗିଛି ।

 

ଏହିସବୁ ବିଦ୍ୟାଳୟରେ ଶିକ୍ଷକ ପ୍ରଧାନତଃ ସାଥୀ ଓ ସହଯୋଗୀ ହୋଇ ରହିଛନ୍ତି । ଶିକ୍ଷକମାନେ ପ୍ରଚଳିତ ସମାଜରେ ସ୍ଵୀକୃତ ହେଉଥିବା ଉଚ୍ଚ ଶିକ୍ଷାଡ଼ିଗ୍ରୀଗୁଡ଼ିକୁ ହାସଲ କରିଛନ୍ତି ସତ, ମାତ୍ର ସେମାନେ ଶିକ୍ଷାର ଏହି ଅଲଗା ଧାରାଟିକୁ ଏକ ଯଥାର୍ଥ ଧାରା ବୋଲି ଗ୍ରହଣ କରି ନେଇଛନ୍ତି ବୋଲି ଶିକ୍ଷକତା କରିଆସିଛନ୍ତି । ପାଠ ପଢ଼ାଇବା ସେମାନଙ୍କୁ ସତକୁସତ ଭଲ ଲାଗୁଛି-। ବାହାରର ଗୁଳାଗୁଡ଼ିକ ଉପରେ ଚାଲୁଥିବା ବିଦ୍ୟାଳୟମାନଙ୍କର ତୁଳନାରେ ସେମାନେ ଦଶଗୁଣ ଖଟୁଛନ୍ତି । ମାତ୍ର ତଥାପି ଖଟିବା ପରି ଅନୁଭବ କରୁନାହାନ୍ତି । ମାତ୍ର ବାହାରେ କାଗଜପତ୍ରରେ ସ୍ଵୀକୃତ ସରକାରଙ୍କର ତତ୍ତୁଲ୍ୟ ସ୍କୁଲ୍‍ମାନଙ୍କରେ ଶିକ୍ଷକମାନେ ବେତନ ହିସାବରେ ଯାହା ପାଉଛନ୍ତି, ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକମାନେ ଅଧିକାଂଶ ସ୍ଥଳରେ ତା’ର ହୁଏତ ଦଶଭାଗରୁ ଭାଗେ ମଧ୍ୟ ପାଉନାହାନ୍ତି । ଏକ ବୃହତ୍ ପରିବାରର ରୀତିରେ ସବୁକିଛି ଚାଲିଛି । ସମ୍ପୃକ୍ତ ସମସ୍ତଙ୍କୁ ପର୍ଯ୍ୟାପ୍ତ ଆନନ୍ଦ ମିଳୁଛି । ସେହି ସକାଶେହିଁ ସବୁକିଛି ଚାଲିଛି । ଅଭିଭାବକମାନେ ଶିକ୍ଷାକେନ୍ଦ୍ର ସହିତ ନିବିଡ଼ ଭାବରେ ସମ୍ପୃକ୍ତ ହୋଇ ରହିଛନ୍ତି । ସେମାନଙ୍କ ପିଲା ସ୍କୁଲ୍‍ରେ ପଢ଼ୁଛନ୍ତି, ତେଣୁ ସେମାନଙ୍କର ଇସ୍କୁଲ ଉପରେ ଅଧିକାର ରହିଛି । ଏହି ଇସ୍କୁଲଗୁଡ଼ିକ ଗୁଳାଗୁଡ଼ିକରେ ନଚାଲି ଆପଣା ଧାରାରେ ଚାଲୁଥିଲେ ମଧ୍ୟ ସେମାନେ ନିଜର ସତେଅବା ଆଉ କେଉଁ ଅନ୍ତର୍ଗତ ବଳିଷ୍ଠତର ବିଶ୍ୱାସଦ୍ଵାରା ପ୍ରେରିତ ହୋଇ ଏଠାରେ ନିଜ ପିଲାଙ୍କୁ ଛାଡ଼ିଛନ୍ତି । ତେଣୁ ସ୍କୁଲ୍ ଉପରେ ସେମାନଙ୍କର ସର୍ବଦା ଏକ ଅଧିକାର ରହିଛି ଏବଂ ସେମାନଙ୍କର ସଦିଚ୍ଛା ଓ ସହାୟତା ଉପରେ ନିର୍ଭର କରି ଚାଲୁଥିବା ଶିକ୍ଷାକେନ୍ଦ୍ରଗୁଡ଼ିକର ମଧ୍ୟ ସେମାନଙ୍କ ଉପରେ ଅଧିକାର ରହିଛି । କୌଣସି ପ୍ରକାରର ଆନୁଷ୍ଠାନିକ ବା ଔପଚାରିକ ନିୟମ ନୁହେଁ, ଏକ ଆତ୍ମୀୟତାହିଁ ସେମାନଙ୍କୁ ପରସ୍ପର ସହିତ ବାନ୍ଧି ରଖିଛି ଓ ବଳଶାଳୀ କରାଇଛି ।

 

ଇତିମଧ୍ୟରେ ପ୍ରାୟ ଦଶ ବାରୋଟି ଶିକ୍ଷାକେନ୍ଦ୍ର ହାଇସ୍କୁଲ ପରୀକ୍ଷାର ସ୍ତରକୁ ଆସିଗଲାଣି ଏବଂ କୋଡ଼ିଏଟି ଶିକ୍ଷାକେନ୍ଦ୍ରର ପିଲାମାନେ ସପ୍ତମ ଶ୍ରେଣୀରେ ଆସି ପହଞ୍ଚିଗଲେଣି । ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସିଲାବସ୍‍ ରହିଛି । ଶିକ୍ଷାକେନ୍ଦ୍ରଗୁଡ଼ିକର ବିଶେଷ ଲକ୍ଷ୍ୟ ଓ ଆଭିମୁଖ୍ୟଗୁଡ଼ିକୁ ଦୃଷ୍ଟିରେ ରଖି ସମସ୍ତେ ଏକାଠି ବସି ସେହି ସିଲାବସ୍‌କୁ ତିଆରି କରିଛନ୍ତି । ମାତ୍ର, ସରକାର ସେହି ସିଲାବସ୍‌କୁ ସ୍ୱୀକୃତି ଦେଇନାହାନ୍ତି । ସିଲାବସ୍ ବଢ଼ିଆ ହୋଇଛି ବୋଲି ସରକାରୀ କର୍ତ୍ତାମାନେ ବ୍ୟକ୍ତିଗତ ଭାବରେ କହିଛନ୍ତି, ମାତ୍ର ତାହାକୁ ଆବଶ୍ୟକ ସ୍ୱୀକୃତି ଦେବାଲାଗି ସେମାନେ ପ୍ରତିନିଧିତ୍ୱ କରୁଥିବା କଳଟିକୁ ରାଜି କରାଇପାରିନାହାନ୍ତି । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପିଲାମାନେ ଗତ ପ୍ରାୟ ବାର ତେରବର୍ଷ ହେଲା ରାଜ୍ୟ ମାଧ୍ୟମିକ ଶିକ୍ଷାବୋର୍ଡ଼ର ପରୀକ୍ଷା ଦେବାକୁ ଆରମ୍ଭ କଲେଣି ଓ ପ୍ରତ୍ୟେକବର୍ଷ ଶତକଡ଼ା ୯୦ରୁ ୧୦୦ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ତୁଳନାତ୍ମକଭାବେ ଦେଖିଲେ କେତେକ ଶିକ୍ଷାକେନ୍ଦ୍ର ଓଡ଼ିଶାର ଯେକୌଣସି ହାଇସ୍କୁଲ ଅପେକ୍ଷା ପ୍ରାୟ ନିୟମିତ ଅଧିକ ଭଲ ଫଳ ଦେଖାଇ ଆସିଛନ୍ତି । ସପ୍ତମ ଶ୍ରେଣୀର ନିମ୍ନ ମାଧ୍ୟମିକ ପରୀକ୍ଷାରେ ବସିଥିବା ଶିକ୍ଷାକେନ୍ଦ୍ରଗୁଡ଼ିକ ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଭାବରେ ଆପଣାର ପରିଚୟ ଦେଇପାରିଛନ୍ତି । ସରକାରଙ୍କ ତରଫରୁ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ତଥା ଅଳ୍ପୋଚ୍ଚ ହାକିମମାନଙ୍କ ପର୍ଯ୍ୟନ୍ତ ଯିଏ ଯେତେବେଳେ ଏହି ଶିକ୍ଷାକେନ୍ଦ୍ରଗୁଡ଼ିକୁ ଆସିଛନ୍ତି, ସେମାନେ ସମସ୍ତେ ସେମାନଙ୍କ କାର୍ଯ୍ୟର ବହୁଳ ପ୍ରଶଂସା କରିଛନ୍ତି । ମାତ୍ର ତଥାପି ସେଗୁଡ଼ିକୁ ଆହୁରି ସ୍ୱାଧୀନ ଓ ନିୟନ୍ତ୍ରଣମୁକ୍ତ ହୋଇ ଅଗ୍ରଗତି କରିବାଲାଗି ପୂରାପୂରି ବାଟ ଛାଡ଼ିଦେବା ସରକାରଙ୍କ ଲାଗି ସମ୍ଭବ ହୋଇନାହିଁ ।

 

ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନିଜର ଏକ ଶିକ୍ଷକ–ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏକ ତିନିମାସିଆ ପ୍ରଶିକ୍ଷଣ ସିଲାବସ୍ ଅନୁସାରେ ପ୍ରଶିକ୍ଷଣ ଦିଆଯାଉଛି । ସରକାରୀ ବ୍ୟକ୍ତିମାନେ ସେହି ସିଲାବସ୍‍ ଉପଯୁକ୍ତ ଏବଂ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ସ୍ୱୀକାର କରିଛନ୍ତି । ମାତ୍ର ସେହି ପ୍ରଶିକ୍ଷଣକୁ ସରକାର ଆନୁଷ୍ଠାନିକ ସ୍ୱୀକୃତି ଦେଇନାହାନ୍ତି । ସରକାରୀ ପ୍ରଶିକ୍ଷଣ–କଳ ଭିତରୁ ଯେଉଁମାନେ ବାହାରୁଛନ୍ତି, ସେମାନେ ଆପଣାର ଜ୍ଞାନକୁ କେତେକଅଣ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ଯାଇ ଲଗାଉଛନ୍ତି, ସେକଥା ଆମ ସାଧାରଣ ସ୍କୁଲ୍‍ଗୁଡ଼ିକର ପରିମଳରୁ ପ୍ରମାଣିତ ହୋଇଯାଉଛି । ସରକାର ନିଜେ ସେହି ମାହାଲଗୁଡ଼ିକୁ ଚଳାଉଛନ୍ତି ବୋଲି ସେଗୁଡ଼ିକ ସ୍ୱୀକୃତି ଭିତରେ ସଢ଼ୁଛନ୍ତି ଓ ଏଣେ ଦୁର୍ଦ୍ଦଶା ବଢ଼ି ବଢ଼ି ଯାଉଛି । ମାତ୍ର ଯେଉଁଠାରେ ପ୍ରକୃତ ଆନ୍ତରିକତା ସହିତ କେହି କିଛି କରୁଛି, ନିଜ ପ୍ରତ୍ୟୟପତ୍ରର ପୂର୍ଣ୍ଣ ପ୍ରମାଣ ଦେଉଛି, ସେଠି ଆଇନଗତ ଯାବତୀୟ ଅଡ଼ୁଆ ଆସି ପହଞ୍ଚି ଯାଉଛି ଓ କର୍ତ୍ତାମାନେ ମୁହଁ ଆଡ଼େଇ ରହୁଛନ୍ତି । ଶିକ୍ଷାର ହିତ ଇଚ୍ଛା କରୁଥିବା ଓ ବର୍ତ୍ତମାନର ଶିକ୍ଷା–ଗୁହାଳରେ ଆବଶ୍ୟକ ପରିବର୍ତ୍ତନମାନ ହେଉ ବୋଲି ପ୍ରକୃତରେ ଚିନ୍ତା କରୁଥିବା ସରକାର ଆଉ ଗୋଟିଏ ଉଦ୍ୟମ ଅନ୍ୟ ପ୍ରକାରେ ଦିଶୁଛି ବୋଲି କାହିଁକି ଯେ ଏପରି ସ୍ପର୍ଶକାତର ହୋଇ ରହିଥିବେ, ଉପରେ ପ୍ରଶଂସା ଓ ବାହା ବାହା ଦେଇ ଭିତରେ ବାଟ ଉଗାଳି ବସିଥିବେ, ସେକଥା ଆଦୌ ବୁଝି ହେଉନାହିଁ ।

 

ଏଠାରେ କେବଳ ଗୋଟିଏ ପ୍ରୟୋଗର କଥା କୁହାଯାଇଛି । ରାଜ୍ୟରେ ଏହିପରି ଏକାଧିକ ପ୍ରୟୋଗ ବର୍ତ୍ତମାନ ଚାଲିଛି । ସାଧୁତା ଓ ସଦିଚ୍ଛାର ସହିତ ଚାରିଆଡ଼େ ସବୁକିଛି ଭାଙ୍ଗି ଭାଙ୍ଗି ଯାଉଥିବା ସମୟରେ ସମ୍ଭବତଃ କେବଳ ଏହି କେତୋଟି କ୍ଷେତ୍ରରେ ସତକୁସତ କିଛି ଚାଲିଛି-। ଆମେ ଇଚ୍ଛା କଲେ, ଉଦାସୀନତା ପରିହାର କଲେ ବହୁତ କିଛି ଯେ ପ୍ରକୃତରେ ବଦଳିଯାଇ ପାରିବ, ସେହିପରି ଏକ ଅନ୍ତର୍ଗତ ପ୍ରତ୍ୟୟ ସହିତ ଶିକ୍ଷକର ସେହି ପ୍ରୟୋଗସବୁ ଚାଲିଛି-। ବ୍ୟକ୍ତିମାନେ ବା ଗୋଷ୍ଠୀମାନେ ସତକୁସତ ସମ୍ମୁଖରେ ଏକ ବୃହତ୍ତର ସ୍ୱପ୍ନକୁ ଉତ୍ତୋଳିତ କରି ରଖି ସେହି ପ୍ରୟୋଗଗୁଡ଼ିକୁ ଚଳାଉଛନ୍ତି । ସେମାନେ ନିଜ ବାଟରେ ଓ ନିଜ ଧାରାରେ ଆହୁରି ଅଧିକ ଅନୁକୂଳତା ସହିତ ଆଗକୁ ଯାଇପାରିବେ ବୋଲି ସରକାରଙ୍କଠାରୁ ସହଯୋଗର ଅପେକ୍ଷା ରଖିଛନ୍ତି, ଏକ ଯଥାର୍ଥ ସ୍ୱୀକୃତିର ମଧ୍ୟ ଅପେକ୍ଷା ରଖିଛନ୍ତି । କେତେକ ସ୍ଥଳରେ ସ୍ଥୂଳ ସହାୟତାର ଅପେକ୍ଷା ରଖିଛନ୍ତି ।

 

ପୂର୍ବରୁ ବହୁ ପ୍ରୟୋଗର କ୍ଷେତ୍ରରେ ସରକାରୀ କର୍ତ୍ତା ଓ କଳମାନେ ଉଦାସୀନ ହୋଇ ରହିଛନ୍ତି, ପ୍ରୟୋଗଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଗୁଳାରେ ଆସି ପଡ଼ିଗଲେ ଯାଇ ସେମାନଙ୍କୁ ସହାନୁଭୂତି ପ୍ରଦର୍ଶନ କରାଯିବ ବୋଲି ସେମାନେ ଅତ୍ୟନ୍ତ ବଧିର ଭାବରେ ବାହାରୁ ଥାଇ ସୁକୁଟ ଦେଖିଛନ୍ତି, ହୁଏତ ଆହ୍ଲାଦ ଅନୁଭବ କରିଛନ୍ତି । ସରକାର ଏତେ ଧନ ଓ ଏତେ ମେହେନତ ଖର୍ଚ୍ଚ କରି ଯେଉଁସବୁ ଶିକ୍ଷାସ୍ଥାନ ବସାଇଛନ୍ତି, ସେଗୁଡ଼ିକରେ କିଛି ହେଉନାହିଁ ବୋଲି ସରକାର ନିଜେ କହୁଛନ୍ତି, ସେଗୁଡ଼ିକ ତଥାପି ଚାଲିଛି । କେଉଁଠି ଶିକ୍ଷକ ଥିଲେ ମଧ୍ୟ ପାଠ ପଢ଼ାଇବାକୁ ତାଙ୍କର ମନ ନାହିଁ । ମାତ୍ର, ଏଣେ ରାଜ୍ୟରେ ଏପରି କେତେକେତେ ପ୍ରୟୋଗ ହେଉଛି, ଯେଉଁଠାରେ କି ଶିକ୍ଷାଦାନକୁ ସତକୁସତ ଏକ ଚାଲେଞ୍ଜ ବୋଲି ଗ୍ରହଣ କରାଯାଇଛି, ଯେଉଁଠାରେ ଏକ ନିଶ୍ଚିତ ସାଂସ୍କୃତିକ ମୂଳଦୁଆ ଉପରେ ଆଧୁନିକ ଶିକ୍ଷାବିଜ୍ଞାନରୁ ଆଖି ନେଇ ପ୍ରକୃତରେ କିଛି ଉଦ୍ୟମ କରାଯାଉଛି । ସେହିସବୁ ଶିକ୍ଷାକେନ୍ଦ୍ର ସରକାରୀ ପରୀକ୍ଷାରେ ମଧ୍ୟ ଭଲ ଫଳ ଦେଖାଉଛନ୍ତି ।

 

ତଥାପି ସେମାନଙ୍କୁ ଆବଶ୍ୟକ ସହାନୁଭୂତି ତଥା ସହାୟତା ମିଳୁନାହିଁ କାହିଁକି ? ସେମାନଙ୍କୁ ଆବଶ୍ୟକ ସ୍ଵାଧୀନତା ଦିଆଯାଉନାହିଁ କାହିଁକି ? ଏହିସବୁ ଶିକ୍ଷାକେନ୍ଦ୍ରରେ ଏହି ଦେଶରହିଁ ପିଲା ପାଠ ପଢ଼ୁଛନ୍ତି, ସେଗୁଡ଼ିକ ପଛରେ ଏହି ଦେଶର ପିତାମାତାଙ୍କର ପ୍ରତ୍ୟୟ ଓ ଅନୁମୋଦନ ରହିଛି; ତେବେ ସେଗୁଡ଼ିକୁ ବିଶ୍ଵାସ କରାଯାଉନାହିଁ କାହିଁକି ? ସେମାନେ ମଧ୍ୟ ଅସାଧୁ ହୁଅନ୍ତୁ ଏବଂ ଗୁଳାରେ ପଶିଯାଇ ଆତ୍ମହତ୍ୟା କରନ୍ତୁ ବୋଲି ସରକାର ଇଚ୍ଛା କରୁଛନ୍ତି କି ? ବେଳେବେଳେ ଭାବିବାକୁ ମନହୁଏ, ସରକାରୀ କଳ ଭିତରେ ତଥାପି କେହି ବା କେତେଜଣ ଶ୍ରଦ୍ଧାବାନ ଓ ସାହସୀ ଥାଆନ୍ତେ, ଯେଉଁମାନେ କି ଏହି ପ୍ରୟୋଗଗୁଡ଼ିକ ଅଲଗା ଦିଶୁଥିଲେ ମଧ୍ୟ କୌଣସି ଦୋଷ ଧରନ୍ତେ ନାହିଁ, ଯେଉଁମାନେ ସତକୁସତ ବୁଝନ୍ତେ ଓ ବନ୍ଧୁ ପରି ପଛରେ ଛିଡ଼ା ହୁଅନ୍ତେ, ତେବେ ଶିକ୍ଷାର କ୍ଷେତ୍ରରେ ଆହୁରି କେତେକଅଣ ସମ୍ଭବ ନ ହୁଅନ୍ତା !

Image

 

Unknown

ମୁଁ ଏକ ବଣମଲ୍ଲୀ

 

ଭଦ୍ରକରୁ ଚାନ୍ଦବାଲି ଯାଇଥିବା ରାସ୍ତାର ମଝିବାଟରେ ଏଥର ଆମର ଶୀତକାଳୀନ ଶିବିର ହୋଇଥିଲା । ଶିବିରର କାର୍ଯ୍ୟକ୍ରମରେ ଦିନଯାକ ଅଧ୍ୟୟନ ଏବଂ ଶ୍ରମ; ରାତିରେ ବ୍ୟକ୍ତିଗତ ଆଲୋଚନା ଅର୍ଥାତ୍, ସମସ୍ତେ ଏକତ୍ର ବସିବେ, ନିଜ ନିଜର କଥା କହିବେ । କୌଣସି ସଂକୋଚ ରଖିବେ ନାହିଁ, କୌଣସି ଦୂରତା ରଖିବେ ନାହିଁ, କୌଣସି ଦୁଃଖକୁ ଲୁଚାଇବେ ନାହିଁ, ନିଜ ଭିତରେ ଆଭାସ ଅଥବା ସନ୍ଧାନ ପାଇଥିବା କୌଣସି ଗୌରବ ଅଥବା ଉଜ୍ଜ୍ୱଳତାକୁ ଲୁଚାଇବେ ନାହିଁ । ସିଧା ଆପଣାର ଅନ୍ତରର ଭିତରୁ କଥାଗୁଡ଼ିକୁ କହିଯିବେ । ଶିବିରରେ ଓଡ଼ିଶାର ଚାରିଆଡ଼ୁ ସାମାଜିକ ସବୁ ସୋପାନର ତଥା ସବୁ ବୟସର ଭାଇ ଓ ଭଉଣୀମାନେ ରହିଥିଲେ; ଇଞ୍ଜିନିୟର୍‍ ଥିଲେ, ଅଧ୍ୟାପକ ଥିଲେ, କଲେଜରେ ପାଠ ପଢ଼ୁଥିବା ତରୁଣମାନେ ଥିଲେ, ସାଧାରଣ କର୍ମୀମାନେ ମଧ୍ୟ ରହିଥିଲେ । ସବୁବର୍ଷ ପରି ଏବର୍ଷ ମଧ୍ୟ ଆମକୁ ପରସ୍ପରର ନିକଟ କରି ଆଣିବାରେ ଏହି ତଥାକଥିତ ବ୍ୟକ୍ତିଗତ ଆଲୋଚନା ଭାରି ସାହାଯ୍ୟ କଲା, ସାହସ ଦେଇଥିଲା । ମୁଁ ତଥାକଥିତ ବ୍ୟକ୍ତିଗତ ବୋଲି କହିଲି; କାରଣ, ଯାବତୀୟ ଯଥାର୍ଥ ଆଲୋଚନା ହେଉଛି କେବଳ ବ୍ୟକ୍ତିଗତ ଆଲୋଚନା ।

 

କାଶୀପୁରର କୌଣସି ଏକ ଆଦିବାସୀ ଗାଁର ଯୁବକ ନିରଞ୍ଜନ ମଧ୍ୟ ତାଙ୍କ ବ୍ୟକ୍ତିଗତ କଥା କହିଲେ । କାଶୀପୁର ଆଗେ କୋରାପୁଟ ଜିଲ୍ଲାରେ ଥିଲା, ଏବେ ନୂଆ ହୋଇ ଘୋଷିତ ହୋଇଥିବା ରାୟଗଡ଼ା ଜିଲ୍ଲା ଭିତରକୁ ଆସିଛି । ନିରଞ୍ଜନ, ଅର୍ଥାତ୍ ନିରଞ୍ଜନ ଝୋଡ଼ିଆ । ବୟସ କୋଡ଼ିଏ ପାର ହୋଇ ତିରିଶି ପାର ହେବାକୁ ସମ୍ଭବତଃ ତଥାପି କିଛିବର୍ଷ ବାକି ଅଛି । ବଳିଷ୍ଠ ଶରୀର, ମନ ଅଦୂଷିତ, ପିଲାଦିନେ ହୁଏତ ଆଦୌ କୌଣସି ଅସ୍ତିତ୍ୱ ନଥିବା କୌଣସି ଇସ୍କୁଲରେ ପାଠ ପଢ଼ିଥିଲେ । ମୁଖ୍ୟତଃ ଆଦିବାସୀ ସମାଜର ମାଟିରୁ ସାର ନେଇ ବଡ଼ ହୋଇଛନ୍ତି, ବୃହତ୍ତର ଜଗତକୁ ଦେଖିବାର ଆଖି ପାଇଛନ୍ତି, ଏବେବି ଶୁଦ୍ଧ ଅଛନ୍ତି । ଅର୍ଥାତ୍, ଏବେ ମଧ୍ୟ ତାଙ୍କର ଚେର ତାଙ୍କ ମାଟିରେ ଗଭୀର ହୋଇ ଲାଗି ରହିଛି । ଗାଁରେ ସ୍ୱେଚ୍ଛାସେବୀ କର୍ମୀ ହିସାବରେ ସେ ରାତିରେ ପିଲାମାନଙ୍କୁ ପାଠ ପଢ଼ାନ୍ତି । ନିରଞ୍ଜନ ଭାଇ ମଧ୍ୟ ଆମ ଶ୍ରମଶିବିରକୁ ଆସିଥିଲେ ।

 

ପ୍ରଥମେ ଶିବିର ସହିତ ସାମିଲ ହୋଇ ତାଙ୍କୁ ଭାରି ଅଡ଼ୁଆ ଅଡ଼ୁଆ ଲାଗିଥିବ । ସିଏ ତାଙ୍କ ନିଜ ଝୋଡ଼ିଆ ଭାଷାରେ କଥା କହି ଜାଣନ୍ତି, ଇସ୍କୁଲରୁ ଶିଖିଥିବା ଓଡ଼ିଆ ଭାଷାକୁ ଲେଖି ଜାଣନ୍ତି । ଲେଖୁ ଲେଖୁ ଓଡ଼ିଆ କହି ଶିଖିଛନ୍ତି । ଆମ ଦେଶର କାଳାନୁଗତ ସାଂସ୍କୃତିକ ବର୍ଗୀକରଣର ପ୍ରକ୍ରିୟାରେ ଆଦିବାସୀମାନେ ପ୍ରାୟ ଏପରି ଭାବରେ ଗଢ଼ି ହୋଇ ଆସିଛନ୍ତି ଯେ, ସେମାନେ ସାଧାରଣତଃ ନିଜର ଗାଁ ଅର୍ଥାତ୍ ନିଜର ଗୋଷ୍ଠୀ ଭିତରେହିଁ ନିଜକୁ ମଣିଷଟିଏ ପରି ଅନୁଭବ କରନ୍ତି । ସେମାନଙ୍କର ଗାଁଗୁଡ଼ିକ ମଧ୍ୟ ସେମାନଙ୍କୁ ସୁହାଇଲା ପରି ପାହାଡ଼ଘେରା କିମ୍ବା ଜଙ୍ଗଲଘେରା ହୋଇ ରହିଥାଏ । ସେମାନଙ୍କ ପାହାଡ଼ ଉପରୁ ନିତି ସକାଳେ ଉଦୟ ହେଉଥିବା ସୂର୍ଯ୍ୟମହାପ୍ରଭୁ ଯେ ସତକୁସତ ବାହାରେ ଆଉଗୋଟିଏ ବୃହତ୍ତର ପୃଥିବୀର ପରିକ୍ରମା କରୁଥିବେ, ପ୍ରାୟ ଆବଶ୍ୟକତାରେ ପଡ଼ି ଆଦିବାସୀଟିଏ ସେକଥା ସ୍ୱାଭାବିକ ଭାବରେ ଅନୁଭବ କରିପାରେ ନାହିଁ ।

 

ତେଣୁ, ଗାଁ ଡେଇଁଲେ, ଆଦିବାସୀ ସମାଜର ପାହାଡ଼ ସୀମା ଅଥବା ଜଙ୍ଗଲ ସୀମାଗୁଡ଼ିକୁ ଡେଇଁଲେ ସେ ସତେଅବା ଗୋଟାଏ ଅତ୍ୟନ୍ତ ଅପରିଚିତ ବିଦେଶ ଭିତରେ ଯାଇ ପଶିଗଲା ପରି ଅନୁଭବ କରୁଥାଏ । ବାହାର ଜଗତରୁ ଅଣଆଦିବାସୀ ଯେଉଁମାନେ ଆଦିବାସୀମାନଙ୍କର ସମାଜ ଭିତରୁ ଯାଆନ୍ତି, ସେମାନେ ମଧ୍ୟ ସତେଅବା ଗୋଟାସୁଦ୍ଧା ପ୍ରୟୋଜନରେ ପଡ଼ି ଆଦିବାସୀ ପାଖକୁ ଆସିଥାନ୍ତି । କିଏ ଲୁଟିବାକୁ ଆସିଥାଏ, କିଏ ଆଦିବାସୀମାନଙ୍କର ଅଧ୍ୟୟନ କରିବାକୁ ଆସିଥାଏ । ପୁନଶ୍ଚ, ଆହୁରି କେଉଁମାନେ ସେମାନଙ୍କର ସେବା କରିବାକୁ ଆସିଥାନ୍ତି; କିଏ ସେମାନଙ୍କୁ ଉପଜୀବ୍ୟରୂପେ ବ୍ୟବହାର କରି ସାହିତ୍ୟ ଲେଖିବ ବୋଲି ଆସିଥାଏ, ପୁଣି କେହି ଆଦିବାସୀ ଲୋକଗୀତ ସଂଗ୍ରହ କରିବାକୁ ଆସିଥାଏ । ଏବଂ ସର୍ବୋପରି, ଯେଉଁ ଆଦିବାସୀ ପିଲାଏ ବଡ଼ ହୋଇ ସରକାରୀ ବିଶେଷ ଆଶ୍ରମମାନଙ୍କରେ ପାଠ ପଢ଼ି ଉଚ୍ଚକୁ ଉଚ୍ଚକୁ ଯାଇ ବଡ଼ ଚାକିରିଆ ହୁଅନ୍ତି, ବଡ଼ବଡ଼ ମନ୍ତ୍ରୀ ଓ ପ୍ରତିନିଧିମାନ ହୁଅନ୍ତି, ସେମାନେ ମଧ୍ୟ ପ୍ରାୟ କେହିହେଲେ ବାହାରୁ ପାହାଡ଼ କିମ୍ବା ଜଙ୍ଗଲ ଡେଇଁ ଏପାଖକୁ ଫେରନ୍ତି ନାହିଁ-। ଭିତରୁ ଅନୁମାନ କଲେ ମନେହୁଏ, ସତେ ଯେପରି ସେହି ପିଲାମାନେ ସତେ ଯେପରି ହାକା କରି ବାହାର ସଂସାରକୁ ଯାଇଥିଲେ, ଆଉ ଫେରି ଆସିଲେ ନାହିଁ । ବିକି ହୋଇଗଲେ ।

 

ନିରଞ୍ଜନ ବ୍ୟକ୍ତିଗତ ଆଲୋଚନାର ସବାଶେଷ ସନ୍ଧ୍ୟାରେ ଯାଇ ନିଜେ କିଛି କହିବା ଲାଗି ଛିଡ଼ା ହେଲେ । ବିଗତ ଆଠଦିନଯାକ ହୁଏତ ଖାଲି ଅନ୍ୟମାନଙ୍କର କହୁଥିବା କଥାକୁ ଶୁଣୁଥିଲେ । ଶିବିର ଭିତରେ ସମସ୍ତେ ସମସ୍ତଙ୍କର ବନ୍ଧୁ; ଏକାଠି ରହିବା, ଏକାଠି କଥାହେବା କ୍ରମେ ଦୂରତାଗୁଡ଼ିକ କଟି କଟି ଯାଉଥିଲା । ନିରଞ୍ଜନ ନିଜକୁ ଆବିଷ୍କାର କଲେ । ନିଜକୁ ଆବିଷ୍କାର କରି ସେ ଆପଣା ପାଖରେ ଆପଣାର ଯଥାର୍ଥ ଆକାରରେ ଓ ଯଥାର୍ଥ ପରିଚୟରେ ଦିଶିଲେ । ତା'ପରେ ଯାଇ ନିଜେ କିଛି କହିବେ ବୋଲି ଛିଡ଼ା ହେଲେ । କହିଲେ, “ମୁଁ ଏକ ବଣମଲ୍ଲୀ । ବଣ ଭିତରେ ଗଛଟିଏ ହୋଇ ଜନ୍ମ ହୋଇଥିଲି । ବଣରେ ଲତାଟିଏ ହୋଇ ମାଡ଼ିଥିଲି । ସେହି ଲତାରେବି ଫୁଲ ଫୁଟିଥାନ୍ତା । ସେହି ଫୁଲରେ ମହକବି ଥାଆନ୍ତା । ମାତ୍ର ସେହି ମହକକୁ କେହି ପାଇ ନଥାନ୍ତେ, କେହି ଜାଣି ନଥାନ୍ତେ । ଆଜି ଏହି ଶିବିରକୁ ଆସି ମୁଁ ଏକ ବୃହତ୍ତର ସଂସାରର ପରିଚୟ ପାଇଲି । ସମସ୍ତଙ୍କ ସହିତ ମିଶିଲି, ସମସ୍ତଙ୍କଠାରୁ ମୁଁ କେତେକେତେ କଥା ଶୁଣିଲି, ସଂସାରଟା ପ୍ରକୃତରେ ଏଡ଼େ ବଡ଼ ବୋଲି ଜୀବନରେ ପ୍ରଥମଥର ପାଇଁ ଜାଣିଲି ।’’

 

ସଂସାରଟା ପ୍ରକୃତରେ କେଡ଼େ ନା କେଡ଼େ ବଡ଼ । କେତେ ବିଚିତ୍ର, କେଡ଼େ ବହୁବର୍ଣ୍ଣ ଏବଂ ସମ୍ଭବତଃ ସେହି କାରଣରୁ କେଡ଼େ ସୁନ୍ଦର ଓ କେଡ଼େ ମହିମାମୟ । ଆତ୍ମଗରୁମାନେହିଁ ଏହି ସଂସାରକୁ ଦୁଃଖମୟ ହୋଇ ରହିବାରେ ସବୁଠାରୁ ବଡ଼ ଭୂମିକାମାନ ଗ୍ରହଣ କରିଛନ୍ତି । ଯିଏ ଅନ୍ୟମାନଙ୍କୁ ସତେଅବା ଖାଲି ଗିଳି ପକାଇବ ବୋଲି ସଂସାରକୁ ବାହାରିଛି, ବିଦ୍ୟାର କେଉଁ ନୀଳକୁଣ୍ଡରେ ନିଜର ଲାଞ୍ଜଟାକୁ ଥରେ ବୁଡ଼ାଇଦେଇ ଆସିଛି ବୋଲି ଯିଏ ସଂସାରରେ ସମସ୍ତଙ୍କର ଛାତି ଉପରେ ଯାଇ ବସିବାର ଅମଣିଷ ସାଜି ବାହାରିଛି, ଯିଏ ସଂସ୍କୃତିକୁ ସତେଅବା ଏକ ଭୋଜନସାମଗ୍ରୀ ପରି ଦେଖୁଛି, ସେହିମାନେ କାଳେ କାଳେ ଆତ୍ମଖୁରୁ ହୋଇ ରହିଛନ୍ତି । ତେଣୁ, ପାହାଡ଼ ଓ ଜଙ୍ଗଲମାନେ ସତେଅବା ଆମକୁ ପରସ୍ପରଠାରୁ ଅଲଗା ଓ ଉଦାସୀନ କରି ରଖିବା ଲାଗି ଗୋଟାଏ ଗୋଟାଏ ପାଚେରୀ ପରି କାର୍ଯ୍ୟ କରୁଛନ୍ତି । ବଣମଲ୍ଲୀମାନେ ଏପାଖର ବଗିଚା ମଲ୍ଲୀମାନଙ୍କଠାରୁ ଅନ୍ତରାଜ୍ୟରେ ସତେଅବା କେତେ ଦୂରଛଡ଼ା ହୋଇ ରହିଛନ୍ତି ।

 

ବଣମଲ୍ଲୀ ବଣରେ ଫୁଟେ, ବଣରେ ଝରିପଡ଼େ । ଏହି କଥାଟିକୁ ଆମେ ପିଲାଦିନେ ଆମ ସାହିତ୍ୟ ବହିରେ ପଢ଼ିଥିଲୁ । ବଣମଲ୍ଲୀର ଏହି ଦୁଃଖ ନିମନ୍ତେ ଆମେ ମଧ୍ୟ କେଡ଼େ ଦୁଃଖୀ ହେଲାପରି ଅନୁଭବ କରିଥିଲୁ, ହୁଏତ କ୍ଷଣକପାଇଁ ଚହଲିଯାଇ କିଞ୍ଚିତ୍ ସହାନୁଭୂତି ପ୍ରକାଶ କରିଥିଲୁ । ହୁଏତ ଏବେ ମଧ୍ୟ ସାହିତ୍ୟ ଭିତରେ ସେହି ଉପମାଟି ସେହିଭଳି ରହିଛି । ବଗିଚା ମଲ୍ଲୀମାନେ ବଣମଲ୍ଲୀମାନେ ତଥାପି ରହିଛନ୍ତି ବୋଲି ଜାଣୁଛନ୍ତି ଓ ଝୁରିହେବା ଭଳି କବିତା ଲେଖୁଛନ୍ତି । ଉପମା ବା ଉପାଧିଟି କ୍ରମେ ଆମ ଆଧୁନିକ ପୃଥିବୀରେ ଭିନ୍ନ ଭିନ୍ନ ବ୍ୟଞ୍ଜନାର ପର ଲଗାଇ ସତେଅବା ଉଡ଼ିବାକୁ ଏବଂ ଆମକୁ ଆନନ୍ଦ ଦେବାକୁ ଆରମ୍ଭ କଲାଣି । ଆମେରିକା ଏସିଆକୁ ବଣମଲ୍ଲୀଟିଏ ପରି ଭାବୁଛି, ଏସିଆ ଆଫ୍ରିକାକୁ ବଣମଲ୍ଲୀଟିଏ ପରି ଭାବୁଛି । ପୃଥିବୀର ଧନୀ ଦେଶମାନେ ତଥାକଥିତ ଦରିଦ୍ର ଦେଶମାନଙ୍କୁ ବଣମଲ୍ଲୀ ପ୍ରାୟ ଭାବୁଛନ୍ତି । ଭାରତବର୍ଷରେ ଦିଲ୍ଲୀ ଓଡ଼ିଶାକୁ ଏବଂ କଟକ କଳାହାଣ୍ଡିକୁ ବଣମଲ୍ଲୀଟିଏ ପରି ବିଚାର କରୁଛି । ପୃଥିବୀ ସ୍ତରରେ ଏପରି କେତେକ ଲୋକହିତୈଷୀ ଅନୁଷ୍ଠାନ ରହିଛନ୍ତି, ଯେଉଁମାନେ କି ବଣମଲ୍ଲୀମାନଙ୍କୁହିଁ ଆପଣା ସେବା–ବ୍ୟକ୍ତିତ୍ଵର ଗଳାରେ ମାଳାରୂପେ ପରିଧାନ କରିଛନ୍ତି । ଆପେ ବଗିଚାମଲ୍ଲୀ ଭଳି ଦିଶିବାପାଇଁ ବଣମଲ୍ଲୀମାନଙ୍କୁ ଶୃଙ୍ଗାରର ସାଧନ ସଦୃଶ ବ୍ୟବହାର କରୁଛନ୍ତି । ପୃଥିବୀଟା କ୍ରମେ ଅଢ଼ଙ୍ଗିଆ ଓ ଅବାଗିଆ ହେବାରେ ଲାଗିଛି । ଯୋଉମାନେ ପରିବେଶକୁ ନଷ୍ଟ କରିବାରେ ଏକଦା ବିଚିତ୍ରବୀର୍ଯ୍ୟ ପରି କାମ କରିଛନ୍ତି, ସେମାନେ ସେହି ପରିବେଶକୁ ନଷ୍ଟ ହୋଇଯିବାର ଦୁର୍ଗତିରୁ ଯେକୌଣସି ପ୍ରକାରେ ରକ୍ଷା କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ ବୋଲି ଦାବି କରି ବାହାରୁଛନ୍ତି ।

 

ବଣରେ ଫୁଟୁଥିବା ମଲ୍ଲୀ ନିଜକୁ ସର୍ବପ୍ରଥମେ ମଲ୍ଲୀ ବୋଲି ଆବିଷ୍କାର କରୁ । ସବୁଯାକ ମଲ୍ଲୀ ଏକଦା ବଣରେହିଁ ଫୁଟୁଥିଲେ । ସବୁଯାକ ମଣିଷ ଏକଦା ଜଙ୍ଗଲରେ ବାସ କରୁଥିଲେ । ସଭ୍ୟତାର ଯାତ୍ରା ସବୁଠାରେ ସେହି ଜଙ୍ଗଲରୁହିଁ ଆରମ୍ଭ ହୋଇଛି । ଆପେ ଅଧିକ ସଭ୍ୟ ହୋଇ ରହିବା ଲାଗି ଯେଉଁ ମଣିଷମାନେ ଆପଣା ନିମନ୍ତେ ଅରଣ୍ୟଦେହରୁ ଅରାଏ ଅରାଏ କାଟି ନେଇ ଖଣ୍ଡେ ଖଣ୍ଡେ ବଗିଚା ତିଆରି କରିଛନ୍ତି, ସେମାନେ ମଧ୍ୟ ବୃହତ୍ତର ପୃଥିବୀଟିର ଆବିଷ୍କାର କରି ବାହାରନ୍ତୁ । ଆମ ପୃଥିବୀରେ ପଢ଼ା ହେଉଥିବା ବିଦ୍ୟା ପ୍ରଧାନତଃ ସବାଆଗ ସମସ୍ତଙ୍କୁ ସେହି ସୁବିଧାଟିକୁ ଆଣି ଯୋଗାଇ ଦେଉ । ପୃଥିବୀଯାକର ଧନ ଓ ପୃଥିବୀଯାକର ବୁଦ୍ଧି ସବାଆଗ ସେଇଥିପାଇଁ ଖର୍ଚ୍ଚ ହେଉ । ବଣମଲ୍ଲୀ ମଲ୍ଲୀ ହୋଇ ବଗିଚାର ମଲ୍ଲୀକୁ ସଙ୍ଖୋଳି ଆସୁ, ବଗିଚା ମଲ୍ଲୀ ମଧ୍ୟ ସବାଆଗ ମଲ୍ଲୀଟିଏ ହୋଇ କୁଶଳ ପୁଛିବା ଲାଗି ବଣକୁ ଯାଉ । ଉଭୟେ ଉଭୟଙ୍କର ସୌରଭରେ ସମଗ୍ର ପୃଥିବୀଟିକୁ ସୁରଭିତ କରନ୍ତୁ । ସମସ୍ତ ପୃଥିବୀଟିକୁ ଯଦି ବଗିଚାଟିଏ ପରି ବିଚାର କରି ନିଆଯାଏ, ତେବେ ଏଥିରେ ବଣ ଆଉ ବଗିଚା ବୋଲି ଅଲଗାଅଲଗା ଦୁଇଟା ଜାଗା କାହିଁକି ରହିବ ?

 

ସେଦିନ ନିରଞ୍ଜନ ଝୋଡ଼ିଆଙ୍କର ମୁହଁରୁ ବାହାରି ଆସୁଥିବା କଥାଗୁଡ଼ିକୁ ଶୁଣୁଥିବା ସମୟରେ ମୁଁ ଏହିସବୁ କଳ୍ପନା ଭିତରେ ପଶିଯାଇଥିଲି ଏବଂ ଆଲୋକହିଁ ଦେଖୁଥିଲି । ନିରଞ୍ଜନ ଝୋଡ଼ିଆଙ୍କର ମୁହଁ ଉପରେ ମଧ୍ୟ ଆଲୋକ ଦେଖିପାରୁଥିଲି । ମଣିଷ ମଣିଷକୁ ଦେଖି କେବଳ ଏହି ଆଲୋକକୁ ଦେଖିବାକୁହିଁ ସମର୍ଥ ହେଉ । ଦୟା ବା ଅନୁଗ୍ରହର ବାଣ ମାରି ମଣିଷ ମଣିଷଠାରୁ ଅଲଗା ହୋଇ ଠିଆ ହେବାକୁ ମୋଟେ ଭଲ ନପାଉ । ଆମ ସମସ୍ତଙ୍କୁ ଏକାଠି କରି ଏହି ପୃଥିବୀ ପ୍ରକୃତରେ ସୁନ୍ଦର ଦିଶୁ । ମହକମାନେ ଉଢ଼ୁଆଳ ହୋଇ ନରହନ୍ତୁ, ପରସ୍ପରକୁ ଧନାଢ଼୍ୟ କରନ୍ତୁ ।

Image

 

ବଡ଼ ଦୁଷ୍ଟ ଦାରୁଣ

 

ପ୍ରାୟ ପନ୍ଦରବର୍ଷ ତଳର ଘଟଣା । ସରକାରୀ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍‍ରେ ଏକ ସଭା ସରକାରଙ୍କ ପକ୍ଷରୁ ଡକା ହୋଇଥାଏ । ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକୁ ସରକାରୀ ସ୍ୱୀକୃତି ପ୍ରଦାନ କରାଯିବ କି ନାହିଁ, ସେହି କଥାଟିକୁ ସବୁଆଡ଼ୁ ବିଚାର କରି ଦେଖିବାପାଇଁ ସରକାରଙ୍କ ତରଫରୁ ଗୋଟିଏ କମିଟି ଗଠନ କରାଯାଇଥାଏ । ଶିକ୍ଷା ନିର୍ଦ୍ଦେଶକ ସେହି କମିଟିର ବୈଠକଟିଏ ଡାକିଥାଆନ୍ତି । ତା’ ପୂର୍ବରୁ ପୂର୍ଣ୍ଣାଙ୍ଗ ଶିକ୍ଷାର ଉଦ୍ୟମୀମାନଙ୍କ ପକ୍ଷରୁ ମାଟ୍ରିକ୍ ଶ୍ରେଣୀଗୁଡ଼ିକ ଲାଗି ଗୋଟିଏ ସ୍ୱତନ୍ତ୍ର ସିଲାବସ୍‍ ତିଆରି କରାଯାଇ ସରକାରଙ୍କର ମାଧ୍ୟମିକ ଶିକ୍ଷା ବୋର୍ଡ଼ ପାଖରେ ଦାଖଲ ହୋଇସାରିଥାଏ । କମିଟି ସେଇଟି ଉପରେ ମଧ୍ୟ ବିଚାର କରିବ ଏବଂ ଆବଶ୍ୟକ ପରାମର୍ଶ ଦେବ । ଏହା ବ୍ୟତୀତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ଶିକ୍ଷକମାନଙ୍କ ସକାଶେ ବେଶ୍ କେତେବର୍ଷ ଆଗରୁ ଏକ ତିନିମାସିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଚାଲିଥାଏ । ପ୍ରତ୍ୟେକ ବର୍ଷ ଜୁନ୍‌ ମାସରେ ସେହି ପ୍ରଶିକ୍ଷଣକୁ ଭିତ୍ତି କରି ଏକ ବୃହତ୍ତର ସମାବେଶର ମଧ୍ୟ ଆୟୋଜନ ହେଉଥାଏ । ଏଗୁଡ଼ିକର ମଧ୍ୟ ସିଲାବସ୍‍ ଥାଏ, ଏଇଟିକୁ ସରକାର ଏକ ଉପଯୁକ୍ତ ସିଲାବସ୍‍ଭାବେ ସ୍ୱୀକାର କରିବେ କି ନାହିଁ ଅର୍ଥାତ୍ କୌଣସି ସରକାରୀ ଟ୍ରେନିଙ୍ଗ୍ କଲେଜର ଡିଗ୍ରୀ ପରୀକ୍ଷା ପାସ୍ କଲେ ଯାଇ ଜଣେ ଶିକ୍ଷକକୁ ପ୍ରଶିକ୍ଷଣପ୍ରାପ୍ତ ବୋଲି ସ୍ୱୀକାର କରିବାର ସେହି ପୁରାତନ ପରମ୍ପରାଟିକୁ ସରକାର ଭାଙ୍ଗିବେ କି ନାହିଁ, ସମ୍ପୃକ୍ତ କମିଟି ସେହି ବିଷୟରେ ବିଚାର ଓ ଆଲୋଚନା କରିବାର କଥା ମଧ୍ୟ ରହିଥିଲା ।

 

କମିଟିରେ ପୂର୍ଣ୍ଣାଙ୍ଗ ଶିକ୍ଷା ତରଫରୁ ଦୁଇଜଣ ଥିଲେ । ଏହା ବ୍ୟତୀତ ହାଇସ୍କୁଲର କେତେ ଜଣ ପ୍ରଧାନ ଶିକ୍ଷକ ଥିଲେ । ଶିକ୍ଷାମଣ୍ଡଳର ନିରୀକ୍ଷକ ଥିଲେ । ସରକାରୀ କଲେଜମାନଙ୍କରୁ କିଛି ଅଧ୍ୟାପକ ମଧ୍ୟ ଥିଲେ । ସୌଜନ୍ୟମୂଳକ ଚାହାପାନ ପରେ ଆଲୋଚନା ଆରମ୍ଭହେବା କଥା । ଏଥର କଥା ପଡ଼ୁ ବୋଲି କୁହାଯିବାମାତ୍ରକେ ଜଣେ ମହିଳା ପ୍ରଧାନ ଶିକ୍ଷକ ଉଠିଲେ ଏବଂ ବକ୍ତବ୍ୟ ଆରମ୍ଭ କରିଦେଲେ । ପ୍ରାୟ ଗୋଟିଏ କଥାକୁହିଁ ସେ ବାରମ୍ବାର ବ୍ୟକ୍ତ କରୁଥିଲେ ଏବଂ କ୍ରମଶଃ ଅଧିକରୁ ଅଧିକ ଉତ୍ତେଜନା ସହିତ ତାହାକୁ ବ୍ୟକ୍ତ କରୁଥିଲେ । ସତେଅବା ଆଉ କାହାକୁ କୁହାଇ ନଦେବା ନିମନ୍ତେ ସେ ଆଗରୁ ସଜ୍ଜିତ ଓ ସଂକଳ୍ପବଦ୍ଧ ହୋଇ ଆସିଥିଲେ । ସ୍ଵୟଂ ଶିକ୍ଷା ନିର୍ଦ୍ଦେଶକ ସଭାପତିର ଆସନରେ ବସିଥିଲେ । ତାଙ୍କର ମୁଖମଣ୍ଡଳରୁ ତାଙ୍କ ଅସହାୟତା ବେଶ୍ ପ୍ରକଟ ହୋଇ ଆସୁଥିଲା । ଭଦ୍ରମହିଳା ବସିଲେ ସିନା ଆଉ କିଏ କ’ଣ କହିବ । ସିଏ ଏଡ଼େ ପାଟିରେ ବୋଲୁଅ ମାରିବା ଭଳି କେବଳ କହୁଥିଲେ–ସାରା ରାଜ୍ୟରେ ବର୍ତ୍ତମାନ ତିନି ହଜାରରୁ ଅଧିକ ହାଇସ୍କୁଲ ଅଛି । ସେଗୁଡ଼ିକର ଦୁରବସ୍ଥା କହିଲେ ନସରେ । ସରକାର ସେଗୁଡ଼ିକ ବିଷୟରେ କାହିଁକି କୌଣସି ଚିନ୍ତା କରୁନାହାନ୍ତି, ମାତ୍ର ଡଜନେ ଦେଢ଼ଡଜନ ଏହିସବୁ ସ୍କୁଲ୍‍ପାଇଁ କାହିଁକି ଏଡ଼େ ଦରଦ ଦେଖାଉଛନ୍ତି ? ଏବେ ସିନା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକରୁ ପ୍ରାୟ କୋଡ଼ିଏ ସରିକି ବିଦ୍ୟାଳୟ ହାଇସ୍କୁଲର ସ୍ତରଯାଏ ଆସି ପହଞ୍ଚିଲେଣି, ସେତେବେଳେ ମୋଟେ ତିନୋଟି ସ୍କୁଲ୍‍ରେ ଅଷ୍ଟମ ଶ୍ରେଣୀ ଖୋଲିଥାଏ । ଏହି ଆରମ୍ଭରୁହିଁ ଆମକୁ ନିଜର ବାଟଟିଏ ଚାଲିବାର ସ୍ଵୀକୃତି ମିଳିଲେ ଆମେ ଅଧିକ ନିର୍ଭର ସହିତ ଆମ ଆଗ୍ରହର ପରୀକ୍ଷା ଦେଇପାରନ୍ତୁ ବୋଲି ଅନୁଭବ କରି ଆମେ ସରକାରଙ୍କର ଦ୍ୱାରସ୍ଥ ହୋଇଥାଉ । ସେଦିନ କମିଟିର ବୈଠକରୁ ଆମେ ପ୍ରାୟ ହତବାକ୍ ହୋଇ ଫେରିଲୁ । ଆମର ବିଶେଷ ଅନୁରୋଧଟି ଭିତରେ ପ୍ରକୃତରେ ସାପ ଅଛି କି ବେଙ୍ଗ ଅଛି, ତାହାର ଆଉ ଆଲୋଚନା ହୋଇପାରିଲା ନାହିଁ । ଆମେ ଦାଖଲ କରିଥିବା ସିଲାବସ୍‌ଟି ଏବେ ମଧ୍ୟ ସରକାରଙ୍କର ଗନ୍ତାଘରେ କେଉଁଠି ଫାଇଲ୍ ଭିଡ଼ା ହୋଇ ରହିଥିବ । ଖୋଦ୍ ସରକାରଙ୍କଠାରୁ ବରାଦ ପାଇ ଓ ବଇନା ନେଇ ରାଧାକୃଷ୍ଣନ୍ ଏବଂ କୋଠରୀ କମିଶନର ରିପୋର୍ଟଗୁଡ଼ିକ ଯେପରି ରହିଛି, ଆମ ସିଲାବସ୍‌ଟି ମଧ୍ୟ ସେହିପରି ମର୍ଯ୍ୟାଦା ଲାଭ କରିଛି । ଏହି କମିଟିରୁ ସେଦିନ ବାହୁଡ଼ି ଆସିଥିବାର ଦଶ ବାରବର୍ଷ ପରେ ଆମ ରାଜ୍ୟର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ମୋର ବନ୍ଧୁକଠାରୁ ଯାହା ଶୁଣିଲି, ବର୍ତ୍ତମାନ ସେହି କଥାଟିକୁ କହିଦେବା ମୁଁ ଏଠାରେ ପ୍ରାସଙ୍ଗିକ ମନେକରୁଛି ।

 

ତାଙ୍କର ପୁଅଟିଏ ଏକଦା ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠ ପଢ଼ୁଥିଲା । ବର୍ଷେ ଦୁଇବର୍ଷ ସେଇଠି ପଢ଼ୁଥିଲା । ହଠାତ୍ ବାପା ତାକୁ ଅନ୍ୟ ଏକ ହାଇସ୍କୁଲକୁ ଉଠାଇ ନେଇଗଲେ । ପିଲାଟି ଭଲ ପଢ଼ୁଥିଲା, ଖୁସି ହୋଇ ପଢ଼ୁଥିଲା । ଥରେ କଥାବାର୍ତ୍ତା ପ୍ରସଙ୍ଗରେ ତତ୍କାଳୀନ ଓଡ଼ିଶା ରାଜ୍ୟର ଜଣେ ମନ୍ତ୍ରୀ ତାଙ୍କୁ ସଲା ଦେଇ ଉକ୍ତ ସାମ୍ବାଦିକ ବନ୍ଧୁଙ୍କୁ ତାଙ୍କ ପିଲାକୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଅନ୍ୟତ୍ର ଉଠାଇ ଆଣିବାକୁ କହିଲେ । ଯୁକ୍ତି ହେଲା, ଏହି ଶିକ୍ଷାକେନ୍ଦ୍ରର ଭବିଷ୍ୟତ କିଛି ନାହିଁ । ସରକାର ଏହାକୁ ସ୍ୱୀକୃତି ଦେଇ ନାହାନ୍ତି, ତେଣୁ ପିଲାକୁ ଅନିଶ୍ଚିତତା ଭିତରକୁ ଠେଲିଦେବା ବାପା ହିସାବରେ ତାଙ୍କର ଆଦୌ ଉଚିତ ହେବନାହିଁ । ସାମ୍ବାଦିକ ବନ୍ଧୁ ତାଙ୍କ ମନ୍ତ୍ରୀବନ୍ଧୁଙ୍କର କଥା ମାନିଥିଲେ । କୌଣସି ସ୍ୱୀକୃତ ଶିକ୍ଷାକେନ୍ଦ୍ରରୁ ଆସି ନଥିବାରୁ ପୁଅର ନୂଆ ସ୍କୁଲ୍‍ର ପ୍ରଧାନ ଶିକ୍ଷକ ସେ ତା’ପାଠ ଅନୁସାରେ ଯେଉଁ ଶ୍ରେଣୀରେ ନାମ ଲେଖାଇଥାନ୍ତା, ତାକୁ ତା’ ତଳ ଶ୍ରେଣୀରେ ଭର୍ତ୍ତି କଲେ । ସେ ମାଟ୍ରିକ୍ ପରୀକ୍ଷା ଦେବାବେଳକୁ, ସିଏ ଯେଉଁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଚାଲି ଆସିଥିଲା, ସେଠା ପିଲାମାନେ ମଧ୍ୟ ବୋର୍ଡ଼ ପରୀକ୍ଷା ଦେବାର ତାଲିକାଭୁକ୍ତ ହୋଇ ସାରିଥିଲେ । ସାମ୍ବାଦିକ ବନ୍ଧୁ ପଛକୁ ଅନାଇ କିଞ୍ଚିତ୍ ପସ୍ତାଇବା ପରି ହୋଇ ମୋତେ କହୁଥିଲେ ଯେ, ଯଦି ସେ ତାଙ୍କ ପୁଅକୁ ମନ୍ତ୍ରୀଙ୍କ କଥାରେ ପଡ଼ି ତା’ ପ୍ରଥମ ବିଦ୍ୟାଳୟରୁ କାଢ଼ି ନେଇ ନଥାନ୍ତେ, ତେବେ ସିଏ ହୁଏତ ଅଧିକ ଭଲ ଫଳ ଦେଖାଇପାରିଥାନ୍ତା ଏବଂ ସିଏ ବରଷକ ଆଗରୁ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥାନ୍ତା ।

 

ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ଯେଉଁ ସିଲାବସ୍‌ଟି ବର୍ତ୍ତମାନ ବହୁବର୍ଷ ହେଲା ସରକାରୀ ଖୋଲରେ ବାଧ୍ୟତାମୂଳକ ବିଶ୍ରାମ ନେଉଛି, ସେଥିରେ ଏକ ଦୀର୍ଘ ମୁଖବନ୍ଧ ରହିଛି ଏବଂ ସେହି ମୁଖବନ୍ଧରେ ପୂର୍ଣ୍ଣାଙ୍ଗ ଶିକ୍ଷାର ବିଶେଷ ବିଚାରଭୂମି ତଥା ଆଭିମୁଖ୍ୟଟିକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଦର୍ଶାଇ ଦିଆଯାଇଛି । ସେହି ମୁଖବନ୍ଧଟିକୁ ମାଧ୍ୟମିକ ଶିକ୍ଷାବୋର୍ଡ଼ର କୌଣସି ଉଚ୍ଚକର୍ତ୍ତା କେବେ ପଢ଼ିଥିଲେ ଆମ ସହିତ ହୁଏତ ସେଗୁଡ଼ିକ ବିଷୟରେ ଆଲୋଚନା କରିଥାନ୍ତେ ଏବଂ ଆମେ ଯେ ଆମ ବିଶେଷ ଶିକ୍ଷାକ୍ରମଟିଦ୍ୱାରା ସରକାରଙ୍କ ବିରୋଧରେ ଆଦୌ କୌଣସି ଷଡ଼ଯନ୍ତ୍ର କରୁନାହୁଁ, ଆମେ ସେକଥା ତାଙ୍କୁ ବୁଝାଇ ଦେଇଥାନ୍ତୁ । ସେହି କଥାଟି ଆମ ଭାଗ୍ୟରେ ଏବେ ମଧ୍ୟ ଜୁଟିଲା ନାହିଁ । ଶିକ୍ଷାର ଭିନ୍ନ ଭିନ୍ନ ବିଚାର ବିଷୟରେ ସରକାରୀ ଶିକ୍ଷାର ବିଭାଗ ଓ ରାଜ୍ୟରେ ଶିକ୍ଷାକୁ ମାଧ୍ୟମ କରି କରାଯାଉଥିବା ଭିନ୍ନ ଭିନ୍ନ ଉଦ୍ୟମ ମଧ୍ୟରେ ପ୍ରାୟ ଏକ ନିୟମରୂପେ ଏକ ଡିବେଟ୍ ଲାଗି ରହିଥିଲେ ହୁଏତ ସାରା ଓଡ଼ିଶାପାଇଁ କ୍ରମେ ବିକଳ୍ପଟିଏ ବାହାରି ପାରନ୍ତା ଓ ତଦ୍ଦ୍ୱାରା ସରକାରଙ୍କର ମଧ୍ୟ ମହତ ବଢ଼ନ୍ତା । ମାତ୍ର, ସରକାରଙ୍କ ଘରେ ଏବେ ଯଥାର୍ଥ ସାଧୁତାର ସହିତ ଶିକ୍ଷା ବିଷୟରେ କିଏ ଆଲୋଚନା କରୁଛି ? ଦେଶରେ କେଉଁ ରାଜନୀତିକ ଦଳ ଓ ତାହାକୁ ଖାଲରୁ ଆହୁରି ଅଧିକ ଖାଲକୁ ଅବଲୀଳାକ୍ରମେ ଖସାଇ ନେଇ ଯାଉଥିବା କେଉଁ ରାଜନୈତିକ ନେତା ଏବେ ସାଧୁତାର ସହିତ ରାଜନୀତି ବିଷୟରେ ଆଲୋଚନା କରୁଛି ? ଇଏ ପ୍ରାୟ ସେହିପରି ଏକ କଥା । ଉଦ୍ୟମ ଓ ପ୍ରୟୋଗର କ୍ଷେତ୍ରରେ ସକଳ ପ୍ରତିବନ୍ଧକ ସତ୍ତ୍ୱେ କେତେକଅଣ ଘଟୁଛି, କେତେକଅଣ ଆଲୋକ ଦେଖାଯାଉଛି, ତଥାପି ଖାମିଦମାନଙ୍କର ସେଆଡ଼କୁ ଖିଆଲ ନାହିଁ ।

 

ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପିଲାଏ ଏବେ ଅଗତ୍ୟା ମାଧ୍ୟମିକ ଶିକ୍ଷାବୋର୍ଡ଼ର ପରୀକ୍ଷା ଦେଉଛନ୍ତି । ଫଳ ଦେଖାଇବାରେ ଖାସ୍ ଉଆସ ଭିତରେ ଚାଲିଥିବା ହାଇସ୍କୁଲର ସମକକ୍ଷ ହୋଇ ପାରୁଛନ୍ତି । ପୂର୍ଣ୍ଣାଙ୍ଗ ଶିକ୍ଷା ଅପେକ୍ଷା କରି ରହିଛି । କୋଉ ହୃଦୟବାନ କର୍ତ୍ତାଟିଏ ସରକାରୀ ଗୁମ୍ଫାରେ ଯେତେ ନିବୁଜ ହୋଇ ବସିଥିଲେ ମଧ୍ୟ ସିଏ ତଥାପି ଏହି ଦେଶର ଶିକ୍ଷାଗତ ନାନା ଆହ୍ୱାନର ବାତାୟନ ମଧ୍ୟଦେଇ ସରକାର ବାହାରେ ଚାଲିଥିବା ଶିକ୍ଷା ପ୍ରୟୋଗଗୁଡ଼ିକ ଉପରେ ଦୃଷ୍ଟିପାତ କରିବ ଏବଂ ତା’ର ସତକୁସତ ହୃଦ୍‌ବୋଧ ହେଉଥିଲେ, ସେ ସେଗୁଡ଼ିକ ପ୍ରତି ଅମଙ୍ଗ ସରକାରଙ୍କୁ ମଙ୍ଗାଇ ଆଣିବ । ପୂର୍ଣ୍ଣାଙ୍ଗ ଶିକ୍ଷା ସେହି ସୁ–କ୍ଷଣଟି ନିମନ୍ତେ ଅପେକ୍ଷା କରିଛି । ଆପଣାର ସକଳ ନୂତନ ଉତ୍ସାହ ଏବଂ ଉଦ୍ୟମକୁ ଅବ୍ୟାହତ ରଖି ତାହା ପିଲାମାନଙ୍କୁ ପୁରୁଣା ପରମ୍ପରାର ବରାଦ ଅନୁସାରେ ମଣ କରୁଛି, ତଥାପି ପ୍ରତ୍ୟୟର ସହିତ ଅପେକ୍ଷା କରୁଛି ।

 

ଏଠାରେ ଅଙ୍ଗେ ନିଭାଇଥିବା ଆଉ ଗୋଟିଏ ଘଟଣା ମଧ୍ୟ ଭାରି ମନେପଡ଼ୁଛି । ୧୯୭୭ ମସିହାରେ ଓଡ଼ିଶାର ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତା’ର ପ୍ରଥମ ଦଳ ପିଲାଙ୍କୁ ଯେତେବେଳେ ସପ୍ତମ ଶ୍ରେଣୀ ଯାଏଁ ଆଣି ପହଞ୍ଚାଇ ଦେଲା, ସେତେବେଳେ ସରକାରୀ ସ୍ୱୀକୃତି ପାଇବା ନିମନ୍ତେ ଆମେ ସର୍ବପ୍ରଥମ ଚେଷ୍ଟା କରିଥିଲୁ । ତତ୍କାଳୀନ ଶିକ୍ଷା ନିର୍ଦ୍ଦେଶକ ପ୍ରଥମେ ଭୁବନେଶ୍ୱର ଶିକ୍ଷାକେନ୍ଦ୍ରଟିକୁ ଦେଖିଲେ । ତା'ପରେ ଆମ ଭିତରୁ ଜଣକୁ ସାଙ୍ଗରେ ନେଇ ସମ୍ବଲପୁର ଶିକ୍ଷାକେନ୍ଦ୍ର ଦେଖିଲେ ଏବଂ ରାଉରକେଲାରେ ଆମ କେତେଜଣଙ୍କର ସମ୍ମୁଖରେ ବସି ଓଡ଼ିଶା ସରକାରଙ୍କୁ ଯେଉଁ ମତାମତ ଦେଲେ, ତାହା ବଳରେ ଆମ ନିଜ ପରୀକ୍ଷାରେ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଉଥିବା ଗୋଟିଏ ପିଲା ଓଡ଼ିଶାର ଯେକୌଣସି ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ଯାଇ ନାମ ଲେଖାଇପାରିବ ବୋଲି ଆମକୁ ଲିଖିତ ଭାବରେ ସରକାରୀ ମାନ୍ୟତା ମଧ୍ୟ ମିଳିଲା । ତା’ପରେ ଆମପାଇଁ ସ୍ୱତନ୍ତ୍ର କମିଟି ବସିଲା । ସେଥିରେ ସରକାରୀ କର୍ତ୍ତା ରହିଲେ, ପୂର୍ଣ୍ଣାଙ୍ଗ ଶିକ୍ଷା ପଟୁ ମଧ୍ୟ କେତେଜଣ ରହିଲେ । ଏହି କମିଟିରେ ଆଉ ଜଣେ ଶିକ୍ଷା ନିର୍ଦ୍ଦେଶକଙ୍କର ଏକ ପ୍ରସ୍ତାବ ଉପରେ ଏକଦା ଆଲୋଚନା ହେଉଥିଲା ଯେ, ଦଶମ ଶ୍ରେଣୀ ସ୍ତରରେ ମଧ୍ୟ ସ୍କୁଲ୍‍ରେ କରାଯାଉଥିବା ଶେଷ ପରୀକ୍ଷାର ଫଳକୁ ଷାଠିଏ ବା ତତୋଽଧିକ ପ୍ରତିଶତ ସରକାରୀ ମାନ୍ୟତା ଦିଆଯିବ; ବାକି ଚାଳିଶପାଇଁ ସରକାର ଏକ ପରୀକ୍ଷକ–ମଣ୍ଡଳୀ ଗଢ଼ିବେ । ମଣ୍ଡଳୀ ପିଲାମାନଙ୍କର ପରୀକ୍ଷା ନେବେ ଓ ସେମାନଙ୍କର ବିଭିନ୍ନ ବିଷୟରେ ମାଟ୍ରିକ୍ ସ୍ତରର ଜ୍ଞାନ ରହିଛି କି ନାହିଁ, ତାହାର ମୂଲ୍ୟାୟନ କରିବେ ଏବଂ ଏହିପରି ମୋଟ ଶହେରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ କଲେଜରେ ନାମ ଲେଖାଇପାରିବାକୁ ଯୋଗ୍ୟ ହେବେ ।

 

ତା’ପରେ କୋଉଠି କ’ଣ ବିଗିଡ଼ିଗଲା । ସଦିଚ୍ଛାର କଳ କାଳକ୍ରମେ କାଲ ହୋଇ ଆସିଲା । ସରକାରୀ ଗଣ୍ଠିମାନେ ଟାଣ ହୋଇ ଆସିଲେ । କାଗଜରେ ଲେଖା ହୋଇଥିବା ନିୟମଗୁଡ଼ାକର ନଜିର ଦେଖାଇ ସେଠି ବର୍ତ୍ତମାନ ଆମେ ସେମାନଙ୍କର ପୋଷ ମାନିନେଲେ ସରକାରୀ ସକଳ ସହାୟତାର ଭାଜନ ଅଲବତ୍ ହୋଇପାରିବୁ ବୋଲି ପ୍ରବୋଧନାମାନ ଦିଆଗଲା-। ସମସ୍ତେ କହୁଛନ୍ତି ବର୍ତ୍ତମାନ ଆମକୁ ଶନିସପ୍ତା ପଡ଼ିଛି । ଶନିସପ୍ତାରେ ମଧ୍ୟ ମଣିଷର ତଥାପି ଆଶା କରିବାର ଅଧିକାର ରହିଥାଏ । ଆମର ମଧ୍ୟ ସେହି ଅଧିକାର ଅବଶ୍ୟ ରହିଛି ।

Image

 

କିଞ୍ଚିତ୍‍ ସଂଳାପ–ଏକାଦଶାହର

 

ସାଙ୍ଗରୁ ଯିଏ ଚାଲିଯାଏ, ସିଏ କଦାପି ସାଙ୍ଗ ଛାଡ଼ି ଯାଏନାହିଁ । ପରସ୍ପରର ଏକାନ୍ତ ସମସାମୟିକ ଭାବରେ କୌଣସି ଭାଷାରେ ଯେଉଁମାନେ ଲେଖୁଥାନ୍ତି, ସେମାନେ ବ୍ୟକ୍ତିଗତ ଭାବରେ ଏକ ଅପରକୁ ନଚିହ୍ନିଥିଲେ ମଧ୍ୟ ତଥାପି ଏକ ଅପରର ସାଙ୍ଗରେ ରହିଥାନ୍ତି । ଏକ ଅପର ମଧ୍ୟରେ କେତେ ଭଳି ସାକ୍ଷାତ ହେଉଥାଏ, ଏକ ଆରେକ ସହିତ ବହୁ ସମୟରେ କଳିବି ଲଗାନ୍ତି । ଇଂରାଜୀ ଭାଷାରେ ଯାହାକୁ Lovers' Quarrel ବୋଲି କୁହାଯାଏ ଠିକ୍ ସେହିପରି କଳି; ସେହି କଳି ପ୍ରେରଣା ଦିଏ, ଏକ ଆହ୍ୱାନରୂପେ ସତତ ଜାଗରୁକ କରି ରଖିଥାଏ । ପରସ୍ପରର ସମସାମୟିକ ଭାବରେ ଯଦି ଜଣେ ଲେଖକ ଆଉ ଜଣକ ସହିତ ଏକ dialogue ଜମାଇ ନପାରିଲା, ଆଉଜଣକ ପାଇଁ ଯଦି ଏକ ଆହ୍ୱାନ ପରି ଖୁରି ଖାଇ ନପାରିଲା ଅର୍ଥାତ୍ ଆନ୍ଦୋଳିତ କରି ନପାରିଲା, ତେବେ ସେମାନେ କୋଉ ଜାତିର ଲେଖକ ହୋଇଥିବେ କେଜାଣି ?

 

ଡକ୍ଟର ଓ ଅଧ୍ୟାପକ ଶ୍ରୀ କୃଷ୍ଣପ୍ରସାଦ ମିଶ୍ରଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଜାଣିଥିଲି । ବାଣୀବିହାରର ଏକ ନିର୍ଦ୍ଦିଷ୍ଟ ବିଭାଗର ପ୍ରଫେସର୍‍ ଅଥବା ମୁଖ୍ୟ ହିସାବରେ ସେ ପ୍ରକୃତରେ କେତେ ଦକ୍ଷ ଭାବରେ ନିଜର କାମଗୁଡ଼ିକୁ ଅର୍ଥାତ୍ ଅଧ୍ୟାପନାର କାର୍ଯ୍ୟଟିକୁ ତୁଲାଇ ପାରୁଥିଲେ ଏବଂ ସେଥିରୁ କେତେଦୂର ଅନ୍ତଃସନ୍ତୋଷ ଲାଭ କରୁଥିଲେ, ସେ ବିଷୟରେ ମୋର ଆଦୌ କୌଣସି ଧାରଣା ନାହିଁ । ଆମ ତଥାକଥିତ ଉଚ୍ଚଶିକ୍ଷାର ବିହାରଗୁଡ଼ିକ କାଳକ୍ରମେ ଯେପରି ଗୋଟିଏ ଗୋଟିଏ ମାହାଲରେ ପରିଣତ ହେଲାଣି, ସେଥିରେ ଆପଣାର ବିଦ୍ୟାକୁ ସତକୁସତ ଭଲ ପାଉଥିବା ଓ ଆପଣାର ଛାତ୍ରମାନଙ୍କ ସହିତ ନିଜକୁ ସତକୁସତ ଅଙ୍ଗୀକାରବଦ୍ଧ ବୋଲି ଅନୁଭବ କରୁଥିବା ଜଣେ ଚକ୍ଷୁଶୀଳ ଅଧ୍ୟାପକ ଖାଲି ଛଟପଟ ହେବ ସିନା, ଆପଣାର ଅସଲ ଦକ୍ଷତା ଅର୍ଥାତ୍‌ ଅସଲ ସମର୍ପିତତାର ଆଦୌ ଖୁବ୍‌ ବେଶୀ ପରିଚୟ ଦେଇପାରିବ ନାହିଁ । ହୁଏତ, ଖାପ ଖାଇଯିବାକୁ ଅର୍ଥାତ୍ ଚୁପ୍‍ଚାପ୍ ନିଜର ଚଉକିଟାକୁ ଯଥାସମ୍ଭବ ଅଧିକ ଶାଳୀନତା ସହକାରେ ମୁଣ୍ଡାଇ ବୁଲିବାକୁହିଁ ଅଧିକ ସମୀଚୀନ ଓ ସମୁଚିତ ବୋଲି ମନେ କରିବ । ଡଃ କୃଷ୍ଣପ୍ରସାଦ ମିଶ୍ରଙ୍କ ସହିତ ମୋର ଯେତେଥର ସାକ୍ଷାତ ଏବଂ କଥାବାର୍ତ୍ତା ହୋଇଛି, ସେତେବେଳେ ତାଙ୍କର ବାଣୀବିହାରରେ ଅଧ୍ୟାପନା ବିଷୟରେ ଆଦୌ କୌଣସି ପ୍ରସଙ୍ଗ ପଡ଼ିନାହିଁ ।

 

ତାଙ୍କ ସହିତ ଏକତ୍ର କଟାଇଥିବା ଯେଉଁ ଅବସରଟି ସବାଆର ମନେ ପଡ଼ିଯାଉଛି, ସେଇଟି ହେଉଛି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ । ସେତେବେଳେ ଓଡ଼ିଶାରେ ଜରୁରୀ ଅବସ୍ଥାର ପ୍ରଭଞ୍ଜନ ବୋହୁଥାଏ । ସେହି ପ୍ରଭଞ୍ଜନ ଆମକୁ ସତେଅବା ବସନ୍ତ ପବନ ଭଳି ଲାଗୁଛି ବୋଲି ଆନୁଷ୍ଠାନିକ ଭାବରେ କୁହାଇବାକୁ କେତେଜଣ ଉଦ୍‍ଯୋଗୀ ଅଧ୍ୟାପକ ତତ୍କାଳୀନ ସମ୍ରାଟମାନଙ୍କର ଶୁଭେଚ୍ଛା ଓ ସହାୟତାରେ ରବୀନ୍ଦ୍ରମଣ୍ଡପରେ ଏକ ଦିନମାନ ଯାବତ୍ ଆସରର ଆୟୋଜନ କରିଥାଆନ୍ତି । ଆଗରୁ ଆମକୁ କୁହାହୋଇଥାଏ ଯେ “ପରିବର୍ତ୍ତିତ ପରିସ୍ଥିତିରେ ଲେଖକର କର୍ତ୍ତବ୍ୟ’ ବିଷୟରେ ଏକ ମୁକ୍ତ ଆଲୋଚନା ସେଦିନ ହେବ । ଆଗରୁ ଆମକୁ ସେଥିଲାଗି କଣ୍ଟ ଦିଆଯାଇଥାଏ ଓ ଆମେ କେତେଜଣ ବରାଦ ମୁତାବକ ପ୍ରବନ୍ଧମାନ ଲେଖିକରି ନେଇଥାଉ । ମନ୍ତ୍ରୀ କେଇଜଣ ଆସିବେ ବୋଲି ଅପେକ୍ଷା ରହିଥାଏ ଏବଂ ସବାଶେଷରେ ମାଗଣା ମହାପ୍ରସାଦ–ସେବନର ବନ୍ଦୋବସ୍ତ ଥାଏ ।

 

କାର୍ଯ୍ୟକ୍ରମ ଆରମ୍ଭ ହେଲା । ଲାଗଲାଗ ୪/୫ ଜଣ ମଞ୍ଚ ଉପରେ ଯାହା ଯେପରି କହିଲେ, ସେଥିରୁ ଫସ୍ କରି ଜଣାପଡ଼ିଗଲା ଯେ, ପରିବର୍ତ୍ତିତ ପରିସ୍ଥିତି କହିଲେ ଏହି ଆୟୋଜନରେ ଜରୁରୀ ଅବସ୍ଥା ଜାରିହେବାଦ୍ୱାରା ଦେଶରେ ଯେଉଁ ପରିସ୍ଥିତି ଉପୁଜିଛି, ନିର୍ଦ୍ଦିଷ୍ଟ ଭାବରେ ତାହାକୁହିଁ ବୁଝାଉଛି ଏବଂ ଏଥିରେ ଲେଖକମାନଙ୍କର କ’ଣ କର୍ତ୍ତବ୍ୟହେବା ଉଚିତ, ସେ କଥାଟିକୁ ସେହିମାନଙ୍କର ମୁହଁରୁ ଶୁଣି ଆତ୍ମପ୍ରସାଦ ଲାଭ କରିବା ଲାଗି କର୍ତ୍ତାମାନେ ଏଭଳି ଗୋଟିଏ ଅବସରର ବରାଦ କରିଛନ୍ତି । ଆଗରୁ ସ୍ଥିର ହୋଇ ରହିଥିବା ପରି ଏକ ଦୁଇ ତିନି କରି ବରାଦିଆ ବକ୍ତାମାନେ ଆପଣାର ଉଦ୍‌ଗାରମାନ ବାଢ଼ିଲେ । ସମସ୍ତେ ଅତ୍ୟନ୍ତ ବିଶ୍ୱସ୍ତ ଭାବରେ ପ୍ରାୟ ଗୋଟିଏ କଥାହିଁ କହିଲେ । ଭିତରେ ନିଜ ବିବେକ ଭୁଷା ମାରୁଥାଏ କି କ’ଣ କେଜାଣି, ସେମାନେ ଆପଣା ଆପଣାର ନିଜସ୍ୱ ବାଗରେ ବଙ୍କାଇ ବଙ୍କାଇ କଥାଗୁଡ଼ିକୁ କହିଲେ । ଏହି ବଙ୍କାଇ କହିବାଟା ଜଣେ ଲେଖକ ତଥା ସରକାରୀ ଅଧ୍ୟାପକଙ୍କୁ ସତେଅବା ଭାରି ଅସୁନ୍ଦର ଲାଗିଲା କି କ’ଣ, ସିଏ ଭଡ଼ଭଡ଼ ମଞ୍ଚ ଉପରକୁ ଉଠିଯାଇ ସିଧା ଭାଷାରେ ସବୁ କଥାତକ କହି ପକାଇଲେ । ଏକାବେଳେକେ ନିଜ କଥାଟିର ପ୍ରାମାଣିକ ଉଦାହରଣ ଦେଇ ସେ କହିଲେ, ପୂର୍ବରୁ ସେ ଚେଇଁ ଶୋଇଥିଲେ, ଘାଲେଇ ଶୋଇ ନିଜର କର୍ତ୍ତବ୍ୟରେ ମହାଅବହେଳା କରୁଥିଲେ ଏବଂ ସବୁକିଛି ବେଶ୍ ଚମତ୍କାର ଭାବରେ ଚଳିଯାଉଛି ବୋଲି ଭାରି ଖୁସି ହୋଇ ରହିଥିଲେ । ଏବଂ ଏହି ଜରୁରୀ ପରିସ୍ଥିତି ଆସି ତାଙ୍କୁ ସଜାଡ଼ି ଦେଇପାରିଲା, ତାଙ୍କର ନିଦ ଭାଙ୍ଗିଦେଲା ଓ ସେ କର୍ତ୍ତବ୍ୟପରାୟଣ ହୋଇପାରିଲେ । ତେଣୁ, ସ୍ଵାଗତମ୍ ଜରୁରୀ ପରିସ୍ଥିତି ।

 

ସେହି ସଂଯୋଗବଶତଃ ଶ୍ରୋତାମାନଙ୍କର ଧାଡ଼ିରେ ଡଃ କୃଷ୍ଣପ୍ରସାଦ ମିଶ୍ର ଓ ମୁଁ ଏକାଠି ପାଖାପାଖି ହୋଇ ବସିଥିଲୁ । ସିଏ ବକ୍ତାମାନଙ୍କର ବକ୍ତବ୍ୟମାନ ଶୁଣୁଥାନ୍ତି ଏବଂ ଭାରି ଅସହଜ ଅନୁଭବ କରୁଥାନ୍ତି । ‘ଏସବୁ କ’ଣ ହେଉଛି, ଆମକୁ ଏପରି ଏକ ଥାନକୁ କାହିଁକି ଡକାଯାଇଛି’ ବୋଲି କହି ମୋତେ ମଝିରେ ମଝିରେ ଖେଞ୍ଚି ଦେଉଥାନ୍ତି । ପ୍ରସନ୍ନ ବଦନରେ ସବୁଯାକ କଥା ଉଦ୍‌ଗାରି ଯାଉଥିବା ଏମାନେ ସମସ୍ତେ ହେଉଛନ୍ତି ସତୀର୍ଥ, ସମଧର୍ମୀ, ବନ୍ଧୁ ଓ ବିରାଦର । କିଏ ଲେଖକ ତ ପୁଣି କିଏ ଅଧ୍ୟାପକ । ତଥାପି ଶ୍ରୀମଦ୍ ଭଗବଦ୍‌ଗୀତାକୁ ହଜମ କରିଥିବା ଡଃ କୃଷ୍ଣପ୍ରସାଦ ଗୀତାର ଅର୍ଜୁନ ପରି ଏକ ବିଷାଦଯୋଗରେ ମଜ୍ଜିଯାଇ ମଉକାଟିକୁ ଗଡ଼ାଇ ଦେବାକୁ ଆଦୌ ଇଚ୍ଛା କଲେ ନାହିଁ । ସିଏ କିଛି କହିବାଲାଗି ମଞ୍ଚ ଉପରକୁ ଉଠିଲେ, ନିର୍ଭୀକ ଭାବରେ ଆପଣାକୁ ଖୋଲିଦେଲେ । ସାହିତ୍ୟ ସବୁଦିନ ଶାସନକୁ ବାଟ ଦେଖାଇବ ଏବଂ ଜଣେ ସାହିତ୍ୟିକ କଦାପି କୌଣସି ମନମୋଟା ନିରଙ୍କୁଶତା ପାଖରେ ମୁଣ୍ଡ ବିକି ଦେବନାହିଁ ବୋଲି ସେ ଅତ୍ୟନ୍ତ ଅନୁତ୍ତେଜିତ ଭାବରେ ଅଳପକେ କହି ନିଜର ଆସନକୁ ଫେରିଆସିଲେ । ସେ ସତେଅବା ପବନର ଦିଗ ଲେଉଟାଇ ଦେଲେ । ସମସ୍ତଙ୍କର ବିବେକ ସତେଅବା ଅଣ୍ଟା ସିଧା କରି ବସିଲା । ସେତେବେଳେ ଏହି ଗୋଟିଏ ଦିନ ସମ୍ପାନ–ପୁଷ୍କରିଣୀରୁ ବାଳିଆ ମାରିବାକୁ ଆସିଥିବା ଶାମ୍ବ ଓ ଶିଖଣ୍ଡୀମାନେ ସତେଅବା ଦାନ୍ତ ନିକୁଟିବାରେ ଲାଗିଥିଲେ । ସେହି ଦୃଶ୍ୟ ଏବେ ମଧ୍ୟ ମନେଅଛି ।

 

ସାହିତ୍ୟ ଭିତରୁ ଯିଏ ସାଙ୍ଗ ଛାଡ଼ି ଚାଲିଗଲା, ଅନେକେ ତା’ପାଇଁ ଭାରି ଝୁରି ହୁଅନ୍ତି, ତା’ପାଇଁ ବାଛି ବାଛି ବିଶେଷ ବିଶେଷ ଶବ୍ଦର ଲଥା ବ୍ୟବହାର କରନ୍ତି ଏବଂ ହୁଏତ ଯେତିକି ଭାବପ୍ରବଣ ଭାବରେ ଝୁରି ହୁଅନ୍ତି, ସେତିକି ଅଧିକ ଶୀଘ୍ର ପାସୋରିବି ପକାନ୍ତି । ଏକ ସାମନ୍ତବାଦୀ ଅଭିନୟବାଦୀ ସମାଜରେ ଦୁଃଖ କ୍ଷଣକ ଲାଗି ଆସି କ୍ଷଣକରେ ଚାଲିଯାଏ । ଆମେ ତ ପ୍ରତ୍ୟେକେ ଦିନେ ନା ଦିନେ ଯିବା, ତେବେ ପ୍ରକୃତରେ କିଏ କାହାପାଇଁ ଦୁଃଖ କରିବ ? କିଏ ଏଠାରୁ ଯିବନାହିଁ ଯେ ସିଏ ଆଉଜଣକ ନିମନ୍ତେ ବାହୁନିବାକୁ ମନ କରିବ ? କିନ୍ତୁ, ଏକଥା ମଧ୍ୟ ଏକାନ୍ତ ଅକାଟ୍ୟ ଭାବରେ ସତ ଯେ, ଆମେ ଯେଉଁମାନେ ଏକ ସମାଜରେ ପରସ୍ପରର ସମସାମୟିକ ଭାବରେ ରହିଥିଲେ, ସେମାନେ ପରସ୍ପରକୁ ନାନାଭାବେ ପ୍ରେରଣା ଦେଇଥିଲେ ଏବଂ ପ୍ରଭାବିତ କରିଥିଲେ । ତେଣୁ, ପରସ୍ପର ସହିତ ଗଅଁଠାଇ ହୋଇ ରହିଥିଲେ । ଯେଉଁମାନେ ଗଲେ, ଖାସ୍ ଏହି ଦୃଷ୍ଟିରୁ ସେମାନଙ୍କର ଆଲୋଚନା ହେଉ, ସମୀକ୍ଷା ହେଉ । ଆମେ ଯେଉଁମାନେ ଆପାତତଃ ରହିଗଲୁ, ଚାଲିଗଲାମାନେ ଆମକୁ ଠିକ୍ କେଉଁପରି ଭାବରେ ଆନ୍ଦୋଳିତ କରି ଯାଇଛନ୍ତି, ସେମାନେ ତାହାରି ସମୀକ୍ଷା କରନ୍ତୁ । ତାହାହିଁ ସର୍ବୋତ୍ତମ ସ୍ମରଣ ବୋଲି ସ୍ୱୀକୃତ ହେଉ । ମରଣ ଅବଶ୍ୟମ୍ଭାବୀ ସତ, ମାତ୍ର ତଥାପି ଏହି ଜୀବନ ହେଉଛି ଚିରନ୍ତନ । ସତେଅବା କେଉଁ ମହାଜୀବନର ନିର୍ଦ୍ଦେଶରେ ନିତ୍ୟ–ବିବର୍ତ୍ତନର ଲୀଳାଟିକୁ ଅଧିକ ଅଗ୍ରସର କରାଇ ନେବାପାଇଁ ଓ ସମୃଦ୍ଧ କରି ରଖିବାପାଇଁ ଆମକୁ ନୂତନ ଯୋଗ୍ୟତା ଆହରଣ କରିବା ଉଦ୍ଦେଶ୍ୟରେ ଏଠୁ କିୟତ୍ ସମୟ ଅପସରି ଯିବାକୁ ହୁଏ । ଆମ ସଂସାରରେ ତାହାକୁହିଁ ମୃତ୍ୟୁ ବୋଲି ସମସ୍ତେ କହନ୍ତି ।

Image

 

ଈଶ୍ୱର ସେଠାରେ ନାହାନ୍ତି

 

ଦକ୍ଷିଣ ଲେବାନନରେ ଗୋଟିଏ ଗିର୍ଜା ଘରେ ଲୋକମାନେ ପ୍ରାର୍ଥନା କରୁଥିଲେ । ସେତେବେଳେ ସେହି ଗିର୍ଜା ଭିତରେ ବାହାରୁ ହାତରେ ବନ୍ଧୁକ ଧରି କୋଉମାନେ ପଶିଲେ କେଜାଣି, ପ୍ରାର୍ଥନାରତ ମଣିଷମାନଙ୍କ ଭିତରୁ କେତେ ବ୍ୟକ୍ତି ସେମାନଙ୍କର ଗୁଳିମାଡ଼ରେ ଟଳିପଡ଼ିଲେ । ୟୁରୋପର କେତେ ଭାଷାରେ ଗିର୍ଜାକୁ ଭଗବାନଙ୍କର ଘର ବୋଲି କୁହାଯାଏ । ଆମ ଘରେ କୁକୁର କି ମାଙ୍କଡ଼ ପଶିଲେ ଆମେ ବାଡ଼ିଧରି ବାହାରି ପଡ଼ୁଛୁ ଓ ସେମାନଙ୍କୁ ଘଉଡ଼ାଇ ଦେଉଛୁ । ଦିନ ଆଲୁଅରେ ଭଗବାନଙ୍କ ଘରେ ଆତତାୟୀ ପଶିଲେ, ଅଥଚ ଭଗବାନ କିଛି କଲେ ନାହିଁ । ଭଗବାନ ସତକୁସତ ସେଠାରେ ଥିଲେ ସିନା ଯାହାକିଛି କରିଥାନ୍ତେ ।

 

ଶୁକ୍ରବାରକୁ ଶୁକ୍ରବାର ମସଜିଦରେ ନମାଜ ପଢ଼ାଯାଏ । ସେହିଭଳି ଗୋଟିଏ ଶୁକ୍ରବାର ଦିନ ଇସ୍ରାଏଲ୍ ଦଖଲ କରି ଗତ ପ୍ରାୟ ତିରିଶବର୍ଷ ହେଲା ଭୋଗ କରୁଥିବା ପାଲେଷ୍ଟାଇନର ହେବ୍ରନ ସହରରେ ସେଠା ଲୋକମାନେ ନମାଜ ପଢ଼ୁଥିଲେ । ସେତିକିବେଳେ ଜଣେ ବନ୍ଧୁକଧାରୀ ମଣିଷ ତା' ଭିତରେ ପଶିଲା ଏବଂ ତା’ର ବନ୍ଧୁକର ଗୁଳିରେ ପଚାଶରୁ ଅଧିକ ମଣିଷଙ୍କୁ ମାରିଦେଲା-। ଗୋଟାସୁଦ୍ଧା ଦିନ ଆଲୁଅରେ ସେହି ଘଟଣାଟି ଘଟିଲା । ଭଗବାନ ସେତେବେଳେ କଦାପି ଶୋଇ ନଥିବେ । ଅସଲ କଥା ସମ୍ଭବତଃ ହେଉଛି, ଭଗବାନ ସେଠି ନଥିଲେ । ଯଦି ଥାଆନ୍ତେ, ତେବେ ଏତେ ନିମଗ୍ନ ଭାବରେ ତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଥିବା ଉକ୍ତ ମନୁଷ୍ୟମାନଙ୍କୁ ସେ କଦାପି ଏପରି ମାହାଳିଆରେ ମରିବାକୁ ଦେଇ ନଥାନ୍ତେ ।

 

ଅମୃତସରରେ ମନ୍ଦିରକୁ ସ୍ୱର୍ଣ୍ଣ ମନ୍ଦିର ବୋଲି କୁହାଯାଏ । ଭଗବାନ ମଧ୍ୟ ମଣିଷ ପରି ସୁନାପ୍ରତି ଲୋଭ ରଖିଥିବେ କି ନାହିଁ, ଭଗବାନ ସେକଥା କେବେ କହିନାହାନ୍ତି । ତଥାପି ମଣିଷ ସତେଅବା ଭଗବାନଙ୍କର ପଟ ହୋଇ ନିଜର ସୁନାଲୋଭ ମଧ୍ୟରେ ତାଙ୍କୁ ଜଡ଼ାଇ ଧରି ତାଙ୍କର ମନ୍ଦିର ଉପରେ ସୁନାର ପାତିଆ ଛାଉଣି କରିଦେଇଛି । ସେଥିଲାଗି ହୁଏତ କେତେ ଗର୍ବ ଅନୁଭବ କରୁଛି, ନିଜର ଭକ୍ତିକୁ ସୁନାରେ ମଣ୍ଡନ କରି ରଖିଛି । ତଥାପି ଦଳେ ଲୋକ ସେଠାରେ ଭଗବାନ ଅଛନ୍ତି ବୋଲି ସ୍ୱୀକାର କଲେନାହିଁ । ବାହାରେ ସେମାନଙ୍କର ଅଭୀଷ୍ଟ ପୂରଣ କରିବା ଅସୁବିଧାଜନକ ହେବାରୁ ମନ୍ଦିର ଭିତରେ ବସା କଲେ । ନିଜର ବନ୍ଧୁକ, ଗୋଳା ଓ ବାରୁଦକୁ ତାହାରି ଭିତରେ ରଖିଲେ । ସେଠାରେ ଭଗବାନଙ୍କର ପୂଜାରୀ ଏବଂ ପ୍ରତିହାରୀମାନେ ଥିଲେ । ସେମାନଙ୍କୁ ଅଟକାଇ ପାରିଲେନାହିଁ । ମଝିରେ ମଝିରେ ସେଇ ମନ୍ଦିର ଭିତରୁ ଗୁଳିଗୁଳା ଚାଲିଲା । ଭଗବାନଙ୍କର ଏଡ଼େ ଭବ୍ୟ ଘରଟିଏ ସତେଅବା ସନ୍ତ୍ରାସବାଦୀମାନଙ୍କର ଏକକ ଅଭୟାରଣ୍ୟରେ ପରିଣତ ହେଲା । ଶେଷକୁ ସରକାରୀ ପ୍ରତିପକ୍ଷ ଅଧିକ ଗୋଳାବାରୁଦ ନେଇ ସେହି ମନ୍ଦିର ଭିତରେ ପଶିଲେ ଏବଂ ସେଠାରେ ବସା ବାନ୍ଧି ରହିଥିବା ଉଗ୍ରମାନଙ୍କୁ ବିନାଶ କଲେ । ଭଗବାନଙ୍କ ଘରେ ଘଟୁ ଘଟୁ ଏତେ କାଣ୍ଡ ଘଟିଲା, ଏତେ ନାଟ ଲାଗିଲା, ଅଥଚ ସେ କିଛି କହିପାରିଲେ ନାହିଁ । ସେଠାରେ ସିଏ ସତରେ ଥିଲେ ନିଶ୍ଚୟ କିଛି ନା କିଛି କରିଥାନ୍ତେ ଅଥବା କରାଇଥାଆନ୍ତେ ।

 

ଶ୍ରୀନଗରର ହଜରତବାଲ୍ ମସଜିଦରେ, ବିରୁଡ଼ି ଆମ ଘରେ ଆସି ବସା ବାନ୍ଧିଲା ପରି ସନ୍ତ୍ରାସବାଦୀମାନେ ଯାଇ ବସା ବାନ୍ଧିଲେ । ବିଚରା କେତେ ଯାତ୍ରୀଙ୍କୁ ପଣବନ୍ଦୀ କରି ରଖିଲେ । ଯାତ୍ରୀମାନେ ସେମାନଙ୍କର ଆଦୌ କୌଣସି କ୍ଷତି କରି ନଥିଲେ । ଯାତ୍ରୀମାନଙ୍କ ସହିତ ସେମାନଙ୍କର କୌଣସି ଝଗଡ଼ା ନଥିଲା । ତଥାପି ସେମାନେ ପଣବନ୍ଦୀ ହୋଇ ରହିଲେ । ସରକାରଙ୍କୁ ଏଡ଼େ ବଡ଼ ନାଗରା ପିଟି କହିଲେ, ତୁମେ ଆମର ଅମୁକ ଓ ସମୁକ ଦାବିକୁ ମାନିଯାଅ, ତୁମେ ଧରି ନେଇଥିବା ଆମର ଏହିସବୁ ସାଙ୍ଗମାନଙ୍କୁ ଖଲାସ କରିଦିଅ, ନହେଲେ ଆମେ ଏହି ପଣବନ୍ଦୀମାନଙ୍କୁ ଜୀବନରୁ ମାରିଦେବୁ । ଭଗବାନଙ୍କୁ ଏସବୁ ବ୍ୟାପାର ପ୍ରକୃତରେ କିପରି ଲାଗିଥିବ କେଜାଣି ? ସରକାର ସେମାନଙ୍କୁ ଦିନ ଦିନ ଧରି ବୁଝାଇଲେ, କ’ଣ ସବୁ ସଲା କଲେ । ତେବେ ଯାଇ କଥା ତୁଟିଲା ଗୋଟାଏ ମାସରୁ ଅଧିକ କାଳ ଦେଶ ଓ ପଡ଼ିଶା ଦେଶର ରାଜନୀତି ହୁହୁ ହୋଇ କମ୍ପିଲା । ଅଥଚ ଭଗବାନ କିଛି କରିପାରିଲେନାହିଁ । ଗୋଟିଏ ଅର୍ଥରେ କହିଲେ ମଣିଷହିଁ ଶେଷକୁ ଭଗବାନଙ୍କର ସାହା ହୋଇ କିଛି କଲା । ଧରଣୀ ଶାନ୍ତ ହେଲା । ଭଗବାନ ସେତକ ଦିନ କେଉଁ ଅଣସର ଘରେ କାହିଁକି ଚୁପ୍ ହୋଇ ବସିଥିଲେ କେଜାଣି ?

 

ଯେଉଁଦିନ ଅଯୋଧ୍ୟାରେ ପ୍ରବଳ ଭକ୍ତମାନଙ୍କର ସାବଳ ଓ ଗଇଁତି ମାଡ଼ରେ କେତେକ ଲୋକ ମସଜିଦ ବୋଲି କହୁଥିବା ସୌଧଟି ଭାଙ୍ଗି ଚୁନା ହୋଇଗଲା, ସେତେବେଳେ ଏ ପାଖରେ ରାମଲାଲାଙ୍କ ନାମରେ ହଜାର ହଜାର ମଣିଷଙ୍କୁ ବସାଇ ସଭା ହେଉଥିଲା । ରାମଲାଲାଙ୍କ ପ୍ରେରଣାରେ ସାଧୁ ଓ ସାଧ୍ୱୀମାନେ ତୁମ ଆମ ପରି ମଣିଷମାନଙ୍କୁ ଉଦ୍‌ବୁଦ୍ଧ କରିବାରେ ଲାଗିଥିଲେ-। ସରକାରଙ୍କ ଜଗୁଆଳମାନେ ସତେଅବା ସନ୍ଦିଗ୍ଧ ଶିକାରୀଙ୍କ ପରି ସେଠି ଚକଡ଼ା ଗୋଟାକ ପଇଁତରା ମାରୁଥିଲେ ଏବଂ ବିଜ୍ଞ ବ୍ୟକ୍ତିମାନେ ପରେ ଯାହା କହିଲେ, ସେମାନଙ୍କ ଆଖି ଆଗରେ ଦଳେ ମଣିଷ ସଭା ଭିତରୁ ଉଠି ସେପାଖକୁ ମାଡ଼ିଗଲେ ଓ ହାଁ ହାଁ ବୋଲି କହିବା ଆଗରୁ ପଥରର ପୁରୁଣା ଘରଟାକୁ ଭାଙ୍ଗି ଧୂଳି କରିଦେଲେ । ରାମଲାଲାଙ୍କର ଆଶ୍ରିତମାନେ ସେଠାରେ ପ୍ରବଳ ଉତ୍ସାହରେ ରୁଣ୍ଡ ହୋଇଥିଲେ ସିନା, ମାତ୍ର ସ୍ୱୟଂ ରାମଲାଲା କଦାପି ସେଠାରେ ନଥିଲେ-। କୌଣସି ଭଗବାନ, ସିଏ ଯେଉଁ ଧର୍ମର କିମ୍ବା ଯେଉଁ ଶାସ୍ତ୍ରର ହୋଇଥାନ୍ତୁ ପଛକେ, ସିଏ ଏପରି ଗୋଟିଏ ଘଟଣାକୁ କଦାପି ବରଦାସ୍ତ କରିପାରି ନଥାନ୍ତେ । ନିଜର ଭକ୍ତମାନଙ୍କୁ ଅଟକାଇ ରଖିପାରି ନଥାନ୍ତେ ପଛକେ, ମାତ୍ର ହୁଏତ ଏମିତି ଗୋଟାଏ କୁହୁକ ବା କିମିଆ କରିଥାନ୍ତେ, ଯାହା ଫଳରେ କି ସେପାଖର ସୌଧଟା ଯେତେ ଯେତେ ସାବଳ ମାଡ଼ ବାଜିଲେ ସୁଦ୍ଧା ତଥାପି ସେହିପରି ରହିଥାନ୍ତା-। ସାବଳ ଭାଙ୍ଗି ଯାଇଥାନ୍ତା, ମାତ୍ର ପଥର ସେହିପରି ଅଖୁଣ ହୋଇ ରହିଥାନ୍ତା । ପ୍ରକୃତ କଥା ହେଉଛି, ରାମଲାଲା ସେଠାରେ ମୋଟେ ନଥିଲେ ।

 

ପୃଥିବୀର ଧର୍ମସ୍ଥାନଗୁଡ଼ିକରେ ଏହିପରି ନିତ୍ୟ–ଅଭିନୟ ଚାଲିଥିବାର ଏହି ନିର୍ମମ ଯୁଗରେ ଅଫିମ ଖାଇ ଦୁର୍ଗ ଜୟ କରିବାକୁ ବାହାରିଥିବା କ୍ରୋଧୀ ଓ ଉଦ୍ଦଣ୍ଡୀମାନେ ହୁଏତ ଏକଥା ଶୁଣିବାକୁ ମୋଟେ ରାଜି ହେବେନାହିଁ, ମାତ୍ର ଏକଥା ସମ୍ପୂର୍ଣ୍ଣ ସତ ଯେ, ପୃଥିବୀର ପ୍ରାୟ ସବୁ ଧର୍ମସ୍ଥ ବ୍ୟକ୍ତିମାନେ ଭଗବାନ ମନ୍ଦିର ଭିତରେ ନାହାନ୍ତି ବୋଲି କାଳେ କାଳେ କହି ଆସିଛନ୍ତି । ସନ୍ଥମାନେବି କାଳେ କାଳେ ସେହିକଥା କହିଛନ୍ତି । ଭଗବାନ ମଣିଷପାଇଁ ସବାଆଗ ମଣିଷ ଭିତରେ, ଅର୍ଥାତ୍ ନିଜ ଭିତରେ ଅଛନ୍ତି । ମାତ୍ର, ଭଗବାନଙ୍କୁ ଗୋଟାସୁଦ୍ଧା ବୁଡ଼ାଇ ଦେବାକୁ ଷଡ଼ଯନ୍ତ୍ର କରି ଆସିଥିବା ଚତୁରମାନେ ସେହି କଥାଟିକୁ ତଥାପି ଆମ ସମସ୍ତଙ୍କ ପାଖରୁ ଭୁରୁଡ଼ାଇ ରଖିବାର ମତଲବରେ ଆମକୁ ଭଗବାନଙ୍କୁ ସବାଆଗ ମନ୍ଦିର ଭିତରେ ଠାବ କରିବାର ମନ୍ଦବୁଦ୍ଧି ଦେଖାଇଛନ୍ତି । ଏହି ଚତୁରମାନଙ୍କର ଉଦ୍ଦେଶ୍ୟପୂରଣ ନିମିତ୍ତ ଭାରତବର୍ଷରେ ଶାସ୍ତ୍ରକୁ ଅନ୍ଧକାରରେ ରଖାଯାଇଛି ଏବଂ ଶାସ୍ତ୍ରଗୁଡ଼ିକ ଲେଖା ହୋଇଥିବା ସଂସ୍କୃତ ଭାଷାକୁ କେବଳ ଗୋଟାଏ ପାଟକର ଏକଚାଟିଆ ମିଛ ଧନରୂପେ ଗୋପ୍ୟକରି ରଖାଯାଇଛି । ମଣିଷମାନଙ୍କୁ ଚକ୍ଷୁହୀନ କରି ଦିଆଯାଇଛି । ଅତ୍ୟନ୍ତ ହୃଦୟହୀନ ଭାବରେ ମଣିଷକୁ ମଣିଷଠାରୁ ଅଲଗା କରି ରଖାଯାଇଛି ।

 

ଅସଲ ଧନ ଓ ଅସଲ ଉଜ୍ଜ୍ୱଳତାଟି ସବାଆଗ ମଣିଷ ଭିତରେ ରହିଛି ବୋଲି ଯଦି ମଣିଷର ନେତାମାନେ ମଣିଷମାନଙ୍କୁ କହିଆସିଥାନ୍ତେ, ତେବେ ଭାରତବର୍ଷ ସମେତ ସମଗ୍ର ପୃଥିବୀକୁ ଆଜିଭଳି ଏତେ ବିଷାକ୍ତତା ଘାରି କରି କଦାପି ରଖି ନଥାନ୍ତା । ମଣିଷର ସମାଜ ଅନ୍ୟପ୍ରକାରେ ଗଢ଼ା ହୋଇଥାନ୍ତା । ପ୍ରତ୍ୟେକ ମନୁଷ୍ୟ ଆପଣାକୁ ମନୁଷ୍ୟର ସମ୍ମାନ ଦେଇପାରୁଥାନ୍ତା । ଏକ ଆତ୍ମୀୟତା ଅର୍ଥାତ୍ ପାରସ୍ପରିକତାହିଁ ବିଶ୍ଵକର୍ମା ହୋଇ ଆମ ସମସ୍ତଙ୍କର ଏହି ପୃଥିବୀକୁ ଗଢ଼ିଥାନ୍ତା ଓ ଆମକୁ ମଧ୍ୟ ସେହି ପୃଥିବୀର ଅନୁରୂପ କରି ଗଢ଼ିଥାନ୍ତା । ସେତେବେଳେ ମଧ୍ୟ ମନ୍ଦିର ରହନ୍ତା, ମସଜିଦ ରହନ୍ତା, ଗିର୍ଜା ରହନ୍ତା ଓ ଗୁରୁଦ୍ୱାରା ମଧ୍ୟ ରହନ୍ତା । ସେଗୁଡ଼ିକ ଭିତରେ ଭଗବାନ ଜଳଜଳ ହୋଇ ଦିଶୁଥାନ୍ତେ । ନିଜ ଭିତରେ ଭଗବାନଙ୍କୁ ପ୍ରତ୍ୟକ୍ଷ କରି ମଣିଷ ତାଙ୍କୁ ସର୍ବତ୍ର ଭେଟିପାରୁଥାନ୍ତା ।ଏବର ଏହି ପାଖଣ୍ଡ ନଥାନ୍ତା, ଏହି ପ୍ରବଳମାନେବି ଉଧେଇବାକୁ କୌଣସି ଗଡ଼ିଆ ବା ଗୋଳିପାଣି ମୋଟେ ପାଆନ୍ତେ ନାହିଁ । ସେତେବେଳେ ମଣିଷ ଭାଙ୍ଗିବା ପରିବର୍ତ୍ତେ ଅଧିକରୁ ଅଧିକ ଗଢ଼ି ପାରୁଥାନ୍ତା ଓ ଘୃଣା କରିବା ପରିବର୍ତ୍ତେ ସତକୁସତ ଏବଂ ଅଧିକରୁ ଅଧିକ ଭଲ ପାଇପାରୁଥାନ୍ତା ।

Image

 

ଅସମର୍ଥତାରୁ ଦାର୍ଶନିକତା

 

ମଣିଷ କ'ଣସବୁ କରିବ ବୋଲି ଅଣ୍ଟା ଭିଡ଼ି ସାଧାରଣ କ୍ଷେତ୍ରକୁ ବାହାରିଥାଏ । ଯେଉଁସବୁ ଅବ୍ୟବସ୍ଥାକୁ ବଦଳାଇବ ବୋଲି ସେ ଜନସାଧାରଣଙ୍କର ପ୍ରତ୍ୟୟ ନେଇ କେଉଁ ଦରବାରକୁ ଯାଇଥାଏ, ମାତ୍ର ହୁଏତ ଏକାଧିକ କାରଣରୁ ସେହି ଅବ୍ୟବସ୍ଥାର ଜାଲ ଭିତରେ ନିଜେ ପଡ଼ିଯାଏ । ଚେତା ଆସେ । ମାତ୍ର ଅସମର୍ଥତା–ବୋଧ ଖାଇଯାଉଥାଏ । ତେଣୁ ମଣିଷ କ’ଣ ଗୋଟାଏ କହି ନିଜକୁ ସାନ୍ତ୍ୱନା ଦିଏ । ସେ ଦାର୍ଶନିକତା କରେ । ଯେଉଁ ଦେଶର ସାଧାରଣ କ୍ଷେତ୍ରମାନଙ୍କରେ ବେଶୀ ଅସମର୍ଥତା ଏବଂ ବିଫଳତା ମଣିଷମାନଙ୍କର ଭାଗ୍ୟକୁ କାମୁଡ଼ି ଧରିଥାଏ, ସମ୍ଭବତଃ ସେହି ଦେଶର ଗାଦିଆସୀନ ଉପରିସ୍ଥମାନେ ଆଳ ପାଇଲାମାତ୍ରକେ ଦାର୍ଶନିକତା କରନ୍ତି-। ଭାରତବର୍ଷ ଯେ ପ୍ରାୟ ଆପଣାର ସ୍ଵଧର୍ମାଚରଣ କରି କର୍ମକୁଶଳତା ତୁଳନାରେ କାଳେ କାଳେ ଅଧିକ ଦାର୍ଶନିକତା ଦେଖାଇଆସିଛି, ତାହା ପାଶ୍ଚାତ୍ୟରେ ସମ୍ଭବତଃ ସେହିଭଳି କୌଣସି କାରଣ ରହିଛି କି ?

 

ଗୋଟିଏ ଚିଠିର ଉତ୍ତରରେ ମନ୍ତ୍ରୀ ଲେଖିଛନ୍ତି; ‘‘ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁଙ୍କ ଭଳି ସ୍ଵାର୍ଥତ୍ୟାଗୀ ଲୋକ ସରକାରୀ ଓ ବେସରକାରୀ ସଂସ୍ଥାରେ ନରହିଲେ ସକଳ ଯୋଜନା ବିଫଳ ହେବହିଁ ହେବ । ତେଣୁ ସବୁସ୍ତରରେ ପ୍ରଚାର କରାନଯାଇ ସ୍ୱାର୍ଥହୀନତା ଆଚରଣ କରିବା ସର୍ବାଦୌ କର୍ତ୍ତବ୍ୟ । ବ୍ୟକ୍ତି ଠିକ୍ ହେଲେ, ସମଷ୍ଟି ଆପେଆପେ ଠିକ୍ ହୋଇଯିବ।’’ ଅର୍ଥାତ୍, ବ୍ୟକ୍ତି ଠିକ୍ ହେବନାହିଁ କି ତେଣୁ ସମଷ୍ଟି ଠିକ୍ ହେବନାହିଁ; ଅର୍ଥାତ୍ ସମଷ୍ଟିକୁ ସଜାଡ଼ି କି ବଦଳାଇ ହେବନାହିଁ । ଏମିତି ଚାଲିଥିବ । ଭାରତବର୍ଷ ଗତ ପଚାଶବର୍ଷ ହେଲା ଠିକ୍ ଏହିପରି ଚାଲିଛି । କ୍ଷମତାସୀନ ବଡ଼ମାନେ ବାଧ୍ୟ ହୋଇ ଉପରେ ଅଛନ୍ତି, ଶାସନରେ ଅଛନ୍ତି, ଆମ ଗନ୍ତାଘର ଅର୍ଥାତ୍ ସମ୍ଭାବନା–ଘରଗୁଡ଼ାକରେ ମାଲିକ ହୋଇ ବସିଛନ୍ତି । ଏଡ଼େ ଲମ୍ବା ଲମ୍ବା କଥା କହୁଛନ୍ତି ଯେ ସ୍ଵର୍ଗକୁ ବାଡ଼ି ପାଇଗଲା ପରି ମନେ ହେଉଛି । ଏବଂ ସର୍ବୋପରି ଦାର୍ଶନିକତା କରୁଛନ୍ତି । ନିଜ ଅସମର୍ଥତାକୁ ଲୁଚାଇବା ପାଇଁ ସେମାନେ ଦାର୍ଶନିକତା କରୁଛନ୍ତି ।

 

ମନ୍ତ୍ରୀ ଆଗ ଗାନ୍ଧୀ, ଗୋପବନ୍ଧୁ ଅଥବା ମଧୁବାବୁଙ୍କ ଭଳି ହୋଇପାରିବାର ସାଧନା କରିଥାନ୍ତେ, ତା'ପରେ ଯାଇ ରାଜନୀତି କରିଥାନ୍ତେ, ଗାଦିମାନଙ୍କୁ ମନ କରିଥାନ୍ତେ । ଗାଦିରେ ବସି ବିଫଳତାଗୁଡ଼ାକ ଉପରେ ଏଡ଼େ ବଡ଼ ହୋଇ ଦିଶିବା ଭଳି ଚକାମାଡ଼ି ବସିଯାଇ ଗାନ୍ଧୀ ଗୋପବନ୍ଧୁଙ୍କର ଦ୍ୱାହି ଦେବା, ଏହା କଦାପି ଅସଲ ପାରଙ୍ଗମତା ନୁହେଁ, ଏହା ହେଉଛି ଅସମର୍ଥତା-। ମନ୍ତ୍ରୀ ହୁଏତ ଏକଥା ଭଲ କରି ଜାଣିଛନ୍ତି ଯେ ଗାନ୍ଧୀ କିମ୍ବା ଗୋପବନ୍ଧୁଙ୍କ ପରି ଆପଣାକୁ ସତକୁସତ ତିଆରି କରିଥିଲେ ସେ କଦାପି ଆସନକୁ ମନ କରି ନଥାନ୍ତେ । ସେ ତଳେ ରହିଥାନ୍ତେ, ଲୋକମାନଙ୍କ ସହିତ ରହିଥାନ୍ତେ । ଲୋକମାନଙ୍କ ପାଇଁ ସେ କଦାପି ଡିକୁ ହୋଇ ଭୁବନେଶ୍ୱରରୁ ଅଥବା ଦିଲ୍ଲୀରୁ ସେମାନଙ୍କର ଭାଗ୍ୟକୁ ଉଜ୍ଜ୍ୱଳ କରିଦେବାର ଫନ୍ଦି ଭିତରେ ଆସି ପଶି ନଥାନ୍ତେ-। ଗାନ୍ଧୀ ବା ଗୋପବନ୍ଧୁ ଆପଣାର ନାକସିଧା ବାଟଗୁଡ଼ିକୁ ଚାଲିବା ନିମନ୍ତେ କେବେହେଲେ ସରକାରରେ ପଶି ନଥିଲେ ବା କ୍ଷମତାରେ ବସି ନଥିଲେ । ସେମାନେ ଆପଣା ଆପଣା କାଳର ବିବେକ ହୋଇ ରହିଥିଲେ । ବିବେକ ଥିବା ମଣିଷ ବାହାରେ ଥାଏ, କ୍ଷମତାସୀନ ମଣିଷକୁ ନିତାନ୍ତ କ୍ଷମତାସକ୍ତ ହୋଇ ନରହିବା ନିମନ୍ତେ ସିଏ ତାକୁ ନିରନ୍ତର ସତର୍କ କରିଦେଉଥାଏ-

 

ଯିଏ ଲୋକମାନଙ୍କର ପ୍ରତିନିଧି ହୋଇ ଶାସନକୁ ଯାଇଥାଏ, ସିଏ ଲୋକମାନଙ୍କୁ କେତେକ ପ୍ରତିଶ୍ରୁତି ଦେଇ ସେଠାକୁ ଯାଇଥାଏ । ସେହି ପ୍ରତିଶ୍ରୁତିଗୁଡ଼ିକୁ ରକ୍ଷା କରି ନପାରିଲେ ସେଠାରେ ବସି ରହିବାପାଇଁ ତା’ର ଧର୍ମତଃ କୌଣସି ଅଧିକାର ରହିବା ଉଚିତ ନୁହେଁ । ସ୍ଵାଧୀନ ଭାରତବର୍ଷରେ ଲୋକପ୍ରତିନିଧିମାନେ ଲୋକମାନଙ୍କ ପାଖରେ ଦେଇଯାଇଥିବା ମୂଳ ପ୍ରତିଶ୍ରୁତିଗୁଡ଼ାକୁ ମୋଟେ ରକ୍ଷା କରିନାହାନ୍ତି । ସେମାନେ ଲୋକସାଧାରଣଙ୍କ ଅପେକ୍ଷା ନିଜ କଥାଗୁଡ଼ାକୁ ବେଶୀ ଭାବିଛନ୍ତି । ଭାରତବର୍ଷର ଭାଗ୍ୟକୁ ଧୋକାଦେଇ ଆସିଛନ୍ତି । ଯେଉଁ ଦଳ ଶାସନରେ ଥାଉ ପଛକେ, ଦଶା ତାହାହିଁ ହୋଇଛି । ଏସବୁ ହୋଇଛି, କାରଣ ତଳୁ ପ୍ରାୟ କିଛିହେଲେ ଗଢ଼ା ହୋଇନାହିଁ । ଉପରୁ କେତେଟା ଦୟା ଦେଖାଯାଇଛି; ଉପରର ଚୋରିଗୁଡ଼ାକ, ଧୋକାଗୁଡ଼ାକ ଏବଂ ଅସାଧୁତାଗୁଡ଼ାକ ଭେଦି ଭେଦି ସଂକ୍ରାମକ ହୋଇ ଭାରତବର୍ଷର ତଳଟାକୁବି ଖାଇବାକୁ ଆସିଲାଣି । ତଥାପି ଯେଉଁମାନେ ନିଜର ଅସମର୍ଥତାସବୁକୁ ଲୁଚାଇବା ଲାଗି ଦାର୍ଶନିକତା କରୁଛନ୍ତି, ଏ ଦେଶର ବିଧାତା ସେମାନଙ୍କୁ ଆଉ କେତେଦିନ ସହୁଥିବ କେଜାଣି ?

 

ଗାନ୍ଧୀ ଓ ଗୋପବନ୍ଧୁଙ୍କର ସ୍ଵପ୍ନ ଥିଲା; ନିଜକୁ ନେଇ ନୁହେଁ, ଏହି ଭାରତବର୍ଷ ତଥା ପୃଥିବୀକୁ ନେଇ ସ୍ଵପ୍ନ ରହିଥିଲା । ସେହି ସ୍ୱପ୍ନର ବୋଲ ମାନି ସେମାନେ ବାଟଟିଏ ଚାଲିବେ ବୋଲି ନିଜ ପାଖରେ ପଣ କରିଥିଲେ ବୋଲି ସେମାନେ ଗାନ୍ଧୀ ଗୋପବନ୍ଧୁ ହୋଇପାରିଲେ । ଆମେ କ୍ଷମତାସୀନମାନେ ଆଦୌ କୌଣସି ପଣ କରିନାହୁଁ ବୋଲି କ୍ଷମତାରେ ରହି ମଧ୍ୟ କିଛି କରିପାରୁନାହୁଁ । ଖାଲି ନିର୍ବାଚନ ଲଢ଼ୁଛୁ, ବିକାକିଣା ହେବାରେ ଲାଗିଛୁ, ଭୀରୁ ହୋଇ ଆମର ପ୍ରାୟ ସବୁଯାକ ଇଜ୍ଜତକୁ ହରାଇ ବସିଛୁ । ଦାରିଦ୍ର୍ୟ ଓ ଅଶିକ୍ଷାର ଏହି ମହାସମୁଦ୍ର ଭିତରେ ଭୋଗର ଦ୍ୱୀପମାନ ସୃଷ୍ଟିକରି ଆତ୍ମଘାତୀ ହୋଇରହିଛୁ ଓ ତଥାପି ନିଜକୁ ସାନ୍ତ୍ୱନା ଦେବାଲାଗି ଗାନ୍ଧୀ ଓ ଗୋପବନ୍ଧୁଙ୍କଭଳି ସ୍ଵାର୍ଥତ୍ୟାଗୀ ନବାହାରିଲେ ସକଳ ଯୋଜନା ବିଫଳ ହେବହିଁ ହେବ ବୋଲି ଦର୍ଶନ ବଖାଣୁଛୁ । ଏହି ଦର୍ଶନ ପଛରେ ଆଦୌ କୌଣସି ସାଧୁତା ନାହିଁ । ମୂଳତଃ ଅସମର୍ଥ ତଥା ଅସାଧୁ ଲୋକମାନେହିଁ ସମ୍ଭବତଃ ସ୍ୱାର୍ଥତ୍ୟାଗ ଶିଖିବାକୁ ଅଥବା ଅନ୍ତତଃ ସ୍ୱାର୍ଥତ୍ୟାଗ ବିଷୟରେ ଉଦ୍‌ବୋଧନ ଦେବାକୁ କ୍ଷମତାକୁ ଯାଆନ୍ତି । କେଉଁଠି କିଛି ଘଟୁ ନଥିଲେ ମଧ୍ୟ ସେଇଠାରେ ରହିଥାନ୍ତି ।

 

ମନ୍ତ୍ରୀ ପୁଣି ଲେଖିଛନ୍ତି, ଆମେ ସବୁଲୋକଙ୍କୁ କିଛିଦିନ ପାଇଁ ଓ କିଛି ଲୋକଙ୍କୁ ସବୁଦିନ ପାଇଁ ଠକାଇ ପାରିବୁ, ମାତ୍ର ସବୁଲୋକକୁ ସବୁଦିନ ପାଇଁ ଠକାଇ ପାରିବୁନାହିଁ ।” ଏହି କଥାଟିକୁ ଆବ୍ରାହମ୍‍ଲିଙ୍କନ୍ କହିଥିଲେ । ଆପଣାର କେତୋଟି ସ୍ୱପ୍ନକୁ ପଣ କରି ଲିଙ୍କନ୍ କ୍ଷମତାକୁ ଯାଇଥିଲେ । ସେ ଅଙ୍ଗୀକାରବଦ୍ଧ ଭାବରେ କ୍ଷମତାକୁ ସେହି କାମରେ ଲଗାଉଥିଲେ । ସେଥିଲାଗି ପ୍ରାଣ ଦେଲେ । ମାତ୍ର କଦାପି ଭୀରୁ ହୋଇ ନଥିଲେ । ଜଣେ କ୍ଷମତାର ମଣିଷ ହିସାବରେ ନୁହେଁ, ଜଣେ ସାହସୀ ମଣିଷ ହିସାବରେ ସେ ଇତିହାସରେ ଅମର ହୋଇ ରହିଲେ । ଆମେରିକାର ଭାଗ୍ୟରେଖାକୁ ବଦଳାଇ ଦେଇଗଲେ । ଭାରତବର୍ଷରେ କ୍ଷମତା ଯେ ଅସାଧୁ ହୋଇଛି, ତାହାରି ମୁକାବିଲା କରିବାପାଇଁ ଦେଶରେ ଏକ ବିକଳ୍ପ ବାହାର କରିବାର ପ୍ରୟାସରେ ବେସରକାରୀ ସଙ୍ଗଠନଗୁଡ଼ିକର ସୃଷ୍ଟି ହୋଇଛି । ଯେକୌଣସି ଗଣତନ୍ତ୍ରରେ ସରକାରୀ କ୍ଷମତା ଓ ତଜ୍ଜନିତ ନିର୍ବୋଧତାଗୁଡ଼ିକର ପ୍ରତିରୋଧ କରିବାପାଇଁ ବା ଅନ୍ତତଃ ତାହାକୁ ସତର୍କ କରିଦେବା ପାଇଁ ବେସରକାରୀ ସଂସ୍ଥାଗୁଡ଼ିକର ଆବଶ୍ୟକତା ସବୁବେଳେ ରହିଥାଏ । ପ୍ରାୟ ସବୁ କ୍ଷେତ୍ରରେ ସରକାର ସେମାନଙ୍କୁ କିଣି ନେବାଲାଗି ଚେଷ୍ଟା ମଧ୍ୟ କରନ୍ତି । କେତେକ ସ୍ଥଳରେ କିଣିବି ନିଅନ୍ତି । ବେସରକାରୀ ସଂସ୍ଥାମାନେ ସରକାରଙ୍କର ଗୋଡ଼ାଣିଆ ହୋଇଯାଆନ୍ତି । ନଟଖଟ ନାରଦଙ୍କ ପରି ‘ନାରାୟଣ’ ‘ନାରାୟଣ’ ହେଉଥାନ୍ତି । ଭାରତବର୍ଷରେ ସର୍ବୋଦୟ ଆନ୍ଦୋଳନର ଗୋଟାଏ ପଂକ୍ତି ମଧ୍ୟ ସେହି ଘଟଣାର ଏକ ନିଦର୍ଶନ ହୋଇରହିଛି । ଭଗବାନ କରନ୍ତୁ, ଭାରତବର୍ଷରେ ଯେତେ କମ୍ ସଂଖ୍ୟାରେ ହେଲେ ମଧ୍ୟ ତଥାପି ଏପରି ବେସରକାରୀ ଅନୁଷ୍ଠାନ ତଥା ବେସରକାରୀ ପ୍ରୟୋଗମାନ ବଞ୍ଚି ରହିଥାଉ, ଯେଉଁମାନେ କେବେହେଲେ ନାରଦ ନହୁଅନ୍ତୁ, ନିଜର ବିକଳ୍ପ ଦୃଷ୍ଟାନ୍ତ ବଳରେ ସେମାନେ କେବଳ ସରକାରଙ୍କ ଲାଗି ନୁହେଁ, ନାରଦମାନଙ୍କ ଲାଗି ମଧ୍ୟ ଅନୁକ୍ଷଣ ଆତଙ୍କ ହୋଇ ରହିଥାନ୍ତୁ ।

Image

 

ବିନ୍ଦୁ ଓ ସିନ୍ଧୁର ବିବାଦ

 

ମନ୍ତ୍ରୀ ମହୋଦୟ ପୁନଶ୍ଚ ଲେଖିଛନ୍ତି, ‘‘ବିନ୍ଦୁ ଠିକ୍ ହେଲେ ସିନ୍ଧୁ ସ୍ୱତଃସ୍ଫୂର୍ତ୍ତଭାବେ ଠିକ୍ ହୋଇଯିବ । ମାତ୍ର ବିନ୍ଦୁକୁ ଠିକ୍ ନ କରି ଆମ୍ଭେମାନେ ସିନ୍ଧୁକୁ ଠିକ୍ କରିବାକୁ ଚେଷ୍ଟା କରୁଥିବା ହେତୁ ସକଳ ଉଦ୍ୟମ ଆଶାନୁରୂପ ଫଳପ୍ରସୂ ହେଉନାହିଁ ।” ବିନ୍ଦୁ ଏବଂ ସିନ୍ଧୁ ଭିତରେ ମୂଳତଃ ଆଦୌ କୌଣସି ବିବାଦ ରହିବା ଉଚିତ ନୁହେଁ । ମାତ୍ର ଗୋଟାଏ ଗୋଟାଏ ସମାଜ ପ୍ରାୟ କାଳକାଳରୁ ଏପରି ବିକୃତ ଭାବରେ ଗଢ଼ାହୋଇ ରହିଛନ୍ତି ଯେ, ସେଥିରେ ଗୋଟାଏ ଗୋଟାଏ ବିନ୍ଦୁ ନିଜକୁ ସତେଅବା ଏଡ଼େବଡ଼ ଫୋଟକା ସଦୃଶ ଭାବୁଛନ୍ତି । ସିନ୍ଧୁକୁ ଧୋକା ଦେଉଛନ୍ତି, ସିନ୍ଧୁଟାଏ ଅଛି ବୋଲି ସ୍ୱୀକାରବି କରୁନାହାନ୍ତି ।

 

ସମାଜ, ଯେକୌଣସି ସମାଜ ହେଉଛି ଗୋଟିଏ ସିଷ୍ଟମ୍, ଯାହା ବ୍ୟକ୍ତିର ବିକାଶ ତଥା ଅଭ୍ୟୁଦୟରେ ଅନୁକୂଳ ହୋଇପାରେ, ପ୍ରତିକୂଳବି ହୋଇପାରେ । ସାମନ୍ତବାଦୀ ସମାଜ ଏପରି ଏକ ଅସୁସ୍ଥ ସିଷ୍ଟମ୍, ଯେଉଁଠିକି କେତେକ ବ୍ୟକ୍ତି ଗୋଟାଏ ଗୋଟାଏ ଫୋଟକା ପରି ସମଷ୍ଟି ନାମକ ଦେହ ଉପରେ କାୟା ବିସ୍ତାର କରି ରହିଥାନ୍ତି । ପୂରା ଦେହଟାକୁ ଅସୁସ୍ଥ ଏବଂ ବିକାରଯୁକ୍ତ କରି ରଖିଥାନ୍ତି । ଏହିସବୁ ସମାଜରେ ଜମି ଥାଏ, ମାତ୍ର ଜମିରେ ଫଳୁଥିବା ଫସଲ ସେହି ଜମିକୁ ଚଷୁଥିବା ମଣିଷମାନଙ୍କର ଘରକୁ ନଯାଇ ଜମିର ତଥାକଥିତ ମାଲିକମାନଙ୍କ ଘରକୁ ଯାଏଁ । ଯେଉଁଠି ବିଦ୍ୟା ରହିଥାଏ, ମାତ୍ର ସବୁ ମଣିଷପିଲା ସେହି ବିଦ୍ୟାର ଅଧିକାରୀ ହୋଇପାରନ୍ତି ନାହିଁ । ଯେଉଁଠାରେ ମଣିଷ ନାମକ ସମ୍ବଳମାନଙ୍କ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ, ଅଥଚ ସେହି ଟଙ୍କା ବାଟରେ ପ୍ରାୟ ଏହି ଫୋଟକାମାନେ ଆତ୍ମସାତ୍ କରିନେଉଥାନ୍ତି । ସ୍ୱାଧୀନତା ଲାଭକଲା ପରେ ଭାରତବର୍ଷରେ ସେହି ସିଷ୍ଟମ୍ ବଦଳି ଯିବ ବୋଲି କଥା ଥିଲା । ମାତ୍ର ସାମନ୍ତମାନେ ସେହି କଥାକୁ ଆଖି ବୁଜିଦେଲେ । ନିଜେ ସୁନ୍ଦର ଦିଶିବେ ବୋଲି ଏହି ଦେଶରେ ବହୁ ଅସୁନ୍ଦରତାକୁ ଅତ୍ୟନ୍ତ ଅସଭ୍ୟ ଭାବରେ ସ୍ଥାୟୀ କରି ରଖିଲେ । ସେମାନେ ଆମ ସାମାଜିକ ଜୀବନର ସବୁଯାକ ଘରକୁ ବଳାତ୍କାର କରି ମାଡ଼ି ବସିଲେ । ସେହିମାନେ ପାଠପଢ଼ି ବଡ଼ ଚାକିରି କଲେ, ହାତରେ ରଜ୍ଜୁଗୁଡ଼ାକୁ ଧରି ଦେଶଟାକୁ ଫାଶରେ ବାନ୍ଧି ରଖିଲେ । ମଣିଷ ସାଧାରଣଙ୍କର ପ୍ରତ୍ୟୟ ଓ ସମର୍ଥନ ନେଇ ଯେଉଁମାନେ ସେମାନଙ୍କର ପ୍ରତିନିଧି ହୋଇ ଦେଶକୁ ବଦଳାଇବେ ବୋଲି ଯାଇଥିଲେ, ସେମାନେ ମଧ୍ୟ କେଉଁ ସାମନ୍ତବାଦୀ ଆନନ୍ଦ ବଜାରରେ ଡିକୁ ହୋଇ ରହିଗଲେ । ରାଜନୀତିକୁ ମାରାକଲେ, ଉପେକ୍ଷାର ଅବତାର ହୋଇ ରହିଲେ ।

 

ଭାଗ୍ୟବାଦ ଓ କର୍ମବାଦଦ୍ୱାରା ପରିଚାଳିତ ହୋଇଆସିଥିବା ଆମ ଭାରତବର୍ଷରେ ତଥାପି ସିଷ୍ଟମ୍ ବଦଳିବ ବୋଲି ଏଠି ରାଜନୈତିକ ସ୍ୱାଧୀନତା ହାସଲ କରିବା ନିମନ୍ତେ ଏକ ଅଭିନବ ଆନ୍ଦୋଳନ ହୋଇଥିଲା । ସେହି ଆନ୍ଦୋଳନର ନେତୃତ୍ୱ ରାଜନୀତିକ କ୍ଷମତା–ହସ୍ତାନ୍ତର ପରେ ଆହୁରି ଅନ୍ୟ ବିପ୍ଳବମାନ ସଂଗଠିତ ହୋଇ ଏଠି ଗୋଟେ ଏପରି ନୂଆ ସମାଜର ପ୍ରତିଷ୍ଠା ହେବ ବୋଲି ସ୍ୱପ୍ନ ଦେଖିଥିଲା,–ଯେଉଁଥିରେ ଭେଦ ରହିବନାହିଁ, ଯେଉଁଠାରେ ସମସ୍ତେ ମଣିଷରୂପେ ସ୍ୱୀକୃତ ହେବେ, ମଣିଷ କହିଲେ ଯେଉଁଠି ସବୁ ମଣିଷଙ୍କୁ ବୁଝାଇବ । ମାତ୍ର ତାହା ହେଲାନାହିଁ । ଲୋକମାନଙ୍କର ମନୋରଞ୍ଜନ ନିମନ୍ତେ ବଢ଼ିଆ ସମ୍ବିଧାନଟାଏ ତିଆରି ହେଲା ସତ; ମାତ୍ର ତଥାପି ସାମନ୍ତମାନଙ୍କ ହାତରେ ସବୁଯାକ ଅଢ଼ା ରହିଗଲା । ଏପରି ଏକ ଭାଲୁ ମନ୍ତରରେ ଶାସନ ଚାଲିଲା ଯେ, ଏକଲବ୍ୟମାନେ ମଧ୍ୟ ଆସି ଦୁର୍ଯୋଧନମାନଙ୍କ ସହିତ ହାତ ମିଳାଇ ଏଇଠି ଏଇ ସଭାରେ ମୁହଁ ବାନ୍ଧି ରହିଗଲେ, ସମୂହଟାକୁ ଭୁଲି ରହିଲେ । ଫୋଟକାମାନେ ନିଜର ହିତପାଇଁ ଆଇନ ପାସ୍ କରାଇନେଲେ । ଅସଲ ସମସ୍ୟାଗୁଡ଼ିକୁ ଭୁଲାଇ ଆମକୁ ନାନା ମିଛମଣ୍ଡଳ ଭିତରେ ଧୂର୍ତ୍ତ ଭାବରେ ଭୁଆଁ ବୁଲାଇଲେ । ଶୋଷଣ ରହିଲା, ଅନ୍ୟାୟ ରହିଲା, ଭୟମାନେ ରହିଲେ, ଅମଣିଷ ଓ ତସ୍କରମାନେ ଚକ୍ରବର୍ତ୍ତୀ ହୋଇ ରହିଲେ । ମହାତ୍ମାଗାନ୍ଧୀ ବଞ୍ଚିଥିଲେ ଏଠି ଏକ ଦେଶବ୍ୟାପୀ ସତ୍ୟାଗ୍ରହର ଡାକରା ଦେଇଥାନ୍ତେ । ବିନ୍ଦୁ ଠିକ୍ ହୋଇଗଲେ ସିନ୍ଧୁ ଆପେଆପେ ଠିକ୍ ହୋଇଯିବ ବୋଲି ଯିଏ ମନ୍ତ୍ରଣା ଦେଉଛି, ସିଏ ପ୍ରକୃତରେ ସେହି ଅନ୍ୟାୟ–ଆଶ୍ରିତ ସିଷ୍ଟମ୍‍ର ପକ୍ଷରେ ଯାଇ ରହିଛି । ସିଏ ହୁଏତ ସେହି ସିଷ୍ଟମ୍‍ଦ୍ୱାରା ନିଜେ ଉପକୃତ ହେଉଛି ଅଥବା ଆପଣା ଭିତରେ ସବାଆଗ ନିଜର ବିବେକ ନାମକ ମେରୁଦଣ୍ଡଟିକୁ ଦେଖିପାରୁନାହିଁ ବୋଲି ମଉନ ହୋଇ ରହିଛି, ଭୀରୁ ହୋଇ ରହିଛି, ତଥାପି ରହିଛି ।

 

ଯେକୌଣସି ସିଷ୍ଟମ୍‍ରେ ଦୁଇପ୍ରକାରର ମଣିଷ ଥାଆନ୍ତି । ଗୋଟାଏ ପ୍ରକାରର ମଣିଷମାନେ ସିଷ୍ଟମ୍‍ଟା ସହିତ ପୂରାପୂରି ହାତ ମିଳାଇ ଦେଇଥାନ୍ତି । କାରଣ ସେମାନେ ସେହି ସିଷ୍ଟମ୍‍ଦ୍ୱାରା ଉପକୃତ ହେଉଥାନ୍ତି । ଅନ୍ୟ ଅନେକ ମଣିଷଙ୍କର କାନ୍ଧ ଉପରେ ବସି ଫୋଟକା ପରି ଶୋଭା ପାଉଥାଆନ୍ତି । ଅନ୍ୟମାନଙ୍କୁ ବଞ୍ଚିତ କରି ଓ ଅନ୍ୟ ଅନେକଙ୍କର ଦୁଃଖର କାରଣ ହୋଇ ସେମାନେ ନିଜେ ସୁଖ ଭିତରେ ଥାଆନ୍ତି । କବି ଗଙ୍ଗାଧର ମେହେରଙ୍କ ଭାଷାରେ ‘ତାଙ୍କୁ ମଧ୍ୟ ଧର୍ମାବତାର’ ବୋଲି କୁହାଯାଇପାରିବ । ଭାରତବର୍ଷରେ ବର୍ତ୍ତମାନ ଏଇଥିରୁ ଗୁଡ଼ାଏ ସଂଖ୍ୟାରେ ସାମୂହିକ ଜୀବନର ସବୁଯାକ ଦପ୍ତରରେ ଓ ଗୋଦାମରେ ଧର୍ମାବତାର ହୋଇ ବସିଛନ୍ତି । ସେମାନେ ଶିକ୍ଷା ଗୋଦାମରେ ମଧ୍ୟ ସେହିପରି ରହିଛନ୍ତି । କଚେରିଠାରୁ ଆରମ୍ଭ କରି କୁରୁସଭା ପର୍ଯ୍ୟନ୍ତ ସବୁଠାରେ ରହିଛନ୍ତି । ଦେଶରେ ଅବଶ୍ୟ କିଛି ହେଉଛି ବୋଲି ଭାବୁଛନ୍ତି । ଦାର୍ଶନିକତା କରି ନିଜ ଭିତରର ବିବେକଟାକୁ ବୋଧ ଦେଉଛନ୍ତି । ସତେଅବା ଯୁଗବିଧାତାର କେଉଁ ନିର୍ମମ ଆଘାତପାଇଁ ଅପେକ୍ଷା କରି ରହିଛନ୍ତି ।

 

ଅନ୍ୟ ପ୍ରକାରର ମଣିଷ ସିଷ୍ଟମ୍‍ଟା ସହିତ ମୋଟେ ଖାପ ଖାଇ ପାରନ୍ତି ନାହିଁ । ସେମାନେ ସିଷ୍ଟମ୍‍ଗୁଡ଼ାକୁ ସମାଜସ୍ଥ ସବୁ ମଣିଷଙ୍କର ହିତ ତଥା ଉଦୟର ଅନୁକୂଳ କରି ଗଢ଼ିବାପାଇଁ ଇଚ୍ଛା କରୁଥାନ୍ତି । ସେମାନେ ନିଜପାଇଁ ରାଜନୀତିକ କ୍ଷମତା ଚାହାନ୍ତି ନାହିଁ ଏବଂ ତେଣୁ ନିଜର ବିବେକ ତଥା ବିଚାରଗତ ମାନଦଣ୍ଡଗୁଡ଼ିକୁ ଆଦୌ ୫ ବର୍ଷର ମିଆଦ ଭିତରେ ପୂରାଇବାର ଭ୍ରମ ଭିତରେ ଆପଣାକୁ ବିକି ଦିଅନ୍ତି ନାହିଁ । ସେମାନେ ଲୋକଶକ୍ତି ପଟେ ରହିଥାନ୍ତି-। ଯୁଗେଯୁଗେ ଏମାନଙ୍କର ସଂଖ୍ୟା ସବୁଠାରେ ଅଳପ ହୋଇ ରହିଆସିଛି । ତଥାପି ଏହିମାନଙ୍କଦ୍ୱାରାହିଁ ଯୁଗ ବଦଳେ । କାରଣ ଆଗକୁ ଯେଉଁ ବିଚାର ଏବଂ ବିବେକଟିର ବେଳ ଆସୁଛି, ସେମାନେ ତାହାରି ପଟରେ ରହିଥାନ୍ତି । ସେହି ଅନୁସାରେ ନିଜର ଜୀବନକୁ ଦୀକ୍ଷିତ ଓ ସମ୍ମତ କରିନେଇଥାନ୍ତି । ସବୁ ସରକାର ସେମାନଙ୍କୁ ଭାରି ଭୟ କରୁଥାଏ; ଯାବତୀୟ ପ୍ରକାରର ଏଷ୍ଟାବ୍ଲିସ୍‍ମେଣ୍ଟ୍ ସେମାନଙ୍କୁ ପଟାଇ ରଖିବାକୁ ଜାଲ ମେଲାଇ ରଖିଥାଏ । ମାତ୍ର, ସେମାନେ ଯୁଗବିଧାନର ଖାତାରେ ସ୍ୱଇଚ୍ଛାରେ ନାମ ଲେଖାଇ ସାରିଥାନ୍ତି ବୋଲି ଏସବୁ ଜାଲରେ ମୋଟେ ପଟନ୍ତି ନାହିଁ ।

Image

 

ଇସ୍କୁଲ ଏକ ଘର ପରି ହେବ

 

ଆମ ଓଡ଼ିଶାରେ ଏପରି କଲେଜମାନେ ଅଛନ୍ତି, ଯେଉଁଠାକୁ ସରକାର ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରି ପଠାଇଥାଆନ୍ତି । ଅଧ୍ୟକ୍ଷମାନେ ସରକାରଙ୍କ ଗଉଣି ଅନୁସାରେ ମୂଲ ପାଆନ୍ତି । ମାତ୍ର, କଲେଜର ଅଧ୍ୟାପକମାନେ ହାତରୁ ପଇସା ଦେଇ ସେହି କଲେଜମାନଙ୍କରେ ରହିଥାନ୍ତି । ନିଜ ଘରେ ବାପାଙ୍କ ଦରମାରୁ ଖାଆନ୍ତି, ଚଳନ୍ତି, ହାତରୁ ବାଟ ଖର୍ଚ୍ଚ ଗଣି କଲେଜକୁ ନିତି ଯାଇ ସେଠାରେ ପାଠ ପଢ଼ାଇ ନିତି ଘରକୁ ଫେରନ୍ତି । କଲେଜ ସେମାନଙ୍କୁ ପଇସାଟିଏ ଦିଏନାହିଁ । ସେମାନେ ପିଲାଙ୍କୁ ପାଠ ପଢ଼ାନ୍ତି ଅର୍ଥାତ୍ କଲେଜକୁ ଚଳାନ୍ତି । ସେମାନେ କୁଆଡ଼େ ଭବିଷ୍ୟତକୁ ଆଶା ରଖି ବେଠି ଖଟୁଥାନ୍ତି । କେତେକ କଲେଜରେ ପ୍ରାୟ ସେହିପରି ରୀତିରେ ଅଧ୍ୟାପକମାନେ ଦୁଇଶହ କି ଅଢ଼େଇଶହ ମାସିକ ପାଆନ୍ତି; ଅଧ୍ୟକ୍ଷମାନେ ହୁଏତ ଅଢ଼େଇ ହଜାରରୁ ଉପରକୁ ପାଆନ୍ତି । ଏକଥା ମଧ୍ୟ ଶୁଣିବାକୁ ମିଳିଥାଏ ଯେ, ଏହି ଅଧ୍ୟାପକବୃନ୍ଦ ଯେତେବେଳେ ଆପଣାର ଦୁଃଖ ଜଣାଇବାକୁ ପେଟ ଦେଖାଇ ଧର୍ମଘଟ କରନ୍ତି, କୋଉଠି ଯାଇ ଧାରଣା ଦିଅନ୍ତି, ସେତେବେଳେ ଅଧ୍ୟକ୍ଷ ସେମାନଙ୍କ ସହିତ ଧର୍ମଘଟରେ ଯୋଗ ଦିଅନ୍ତି ନାହିଁ । ସେତେବେଳେ କଲେଜ ଚଳୁ ନଥାଏ ସତ, ତଥାପି ଅଧ୍ୟକ୍ଷ ଦୋକାନ ଫିଟାଇ ବସନ୍ତି, ପୁଣି ବେଳ ହେଲେ ଦୋକାନ ବନ୍ଦ କରି ଘରକୁ ଯାଆନ୍ତି । ଏସବୁ ସେହି କଲେଜର ପିଲାମାନଙ୍କୁ ନିଶ୍ଚୟ ଏକ ତାମସା ପରି ଦିଶୁଥିବ ।

 

ଆମ ଦେଶର ଇସ୍କୁଲ ଓ କଲେଜ ଗୋଟିଏ ଗୋଟିଏ ଘରପରି ହୋଇଥାନ୍ତା, ସମସ୍ତଙ୍କର ଡୋର ସମସ୍ତଙ୍କ ସହିତ ଲାଗିଥାନ୍ତା ଏବଂ ସମସ୍ତଙ୍କର ଡୋର ସତକୁସତ ଶିକ୍ଷା ସହିତ ଅର୍ଥାତ୍, ସେଠାରେ ପାଠ ପଢ଼ିବାକୁ ଆସୁଥିବା ପିଲାଙ୍କ ସହିତ ଲାଗିଥାନ୍ତା । ଯେକୌଣସି ଘରର ମଣିଷଙ୍କର ଡୋର ଯେପରି ପରସ୍ପର ସହିତ ରହିଥାଏ, ପ୍ରାୟ ସେହିପରି ହୋଇଥାନ୍ତା । ବର୍ତ୍ତମାନ ଯେପରି ସରକାର ଭାଲୁ ନଚାଇବା ଭଳି ଆମ ଇସ୍କୁଲ ଓ କଲେଜଗୁଡ଼ିକୁ ନଚାଉଛନ୍ତି, ସେପରି ଆଦୌ ହେଉ ନଥାନ୍ତା । ଯେଉଁମାନେ କୌଣସି ଶିକ୍ଷାଳୟକୁ ତିଆରି କରିଛନ୍ତି, ସେହିମାନେହିଁ ଶିକ୍ଷାଳୟକୁ ଚଳାଉ ଥାଆନ୍ତେ, ସେଇମାନେ ପାଠ ପଢ଼ାଉ ଥାଆନ୍ତେ । ଯିଏ ବେଙ୍ଗଳା ପକାଉ ଥାଆନ୍ତା, ସେଇ ବଳଦ ହେଉଥାନ୍ତା । ଅସଲ ପଢ଼ାଇବା ମଣିଷକୁ ଯେପରି ନିଜେ ପଢ଼ିବାକୁ କୌଣସି ଲାଜ ମାଡ଼େନାହିଁ, ଇଏ ପ୍ରାୟ ସେହିଭଳି କଥାଟିଏ ହୋଇଥାନ୍ତା । ସରକାର ଅବଶ୍ୟ ରହିଥାନ୍ତେ, ମାତ୍ର ଇସ୍କୁଲଗୁଡ଼ିକର ଚୁଟି ତାଙ୍କ ହାତରେ ନଥାନ୍ତା । ଶିକ୍ଷାବିଭାଗ ନାମରେ କେବେହେଲେ ପାଠ ପଢ଼ାଉ ନଥିବା ଲୋକମାନଙ୍କର ଗୋଟାଏ ସିରସ୍ତା ଶିକ୍ଷାକୁ ଚଳାଇବା ନାଆଁରେ କାହାର ଚୁଟି ଧରି ନଚାଇବା ନିମନ୍ତେ ଆଦୌ କୌଣସି ପ୍ରଶ୍ରୟ ପାଉ ନଥାନ୍ତା । ଯେକୌଣସି ଆଦର୍ଶ ଓ ସମ୍ମାନୋଚିତ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକମାନଙ୍କ ବୋଲ ମାନିବାକୁ ଅର୍ଥାତ୍ ସେମାନଙ୍କର ଶିକ୍ଷଣଗତ ଆବଶ୍ୟକତାଗୁଡ଼ିକର ପୂରଣ କରିବା ସକାଶେହିଁ ଶିକ୍ଷାବିଭାଗ ରହିଥାନ୍ତା-

 

ଯେକୌଣସି ରାଜ୍ୟରେ ଶିକ୍ଷାର ହେପାଜତ ଓ ତତ୍ତ୍ୱାବଧାନ କରିବାକୁହିଁ ସରକାରୀ ସ୍ତରରେ ଏକ ଶିକ୍ଷା ବିଭାଗ ରହିଥାଏ । ମାତ୍ର ଯେଉଁମାନଙ୍କର ହେପାଜତ କରିବା କଥା, ସେମାନେ ଏକ ପ୍ରଦୂଷିତ ପରମ୍ପରାର ଭଉଁରୀରେ ପଡ଼ି କାଳକ୍ରମେ ଶିକ୍ଷା ଉପରେ ବାବୁ ହୋଇ ବସନ୍ତି । ମୋର ମନେଅଛି, ଆମ ଗାଁର ପ୍ରାଥମିକ ବିଦ୍ୟାଳୟକୁ ଯଦି କେବେ କଦବା ସେହି ଶିକ୍ଷା ସର୍କଲର ସବ୍‌ଇନ୍ସପେକ୍ଟର ଇସ୍କୁଲ ପରିଦର୍ଶନ କରିବାକୁ ଆସୁଥିଲେ, ସେତେବେଳେ ଆମ ସ୍କୁଲ୍‍କୁ ବାବୁ ଆସୁଛନ୍ତି ବୋଲି ଆମ ଶିକ୍ଷକ ମହାଶୟ ଆମକୁ କହୁଥିଲେ । ସେତେବେଳେ ବାବୁମାନଙ୍କର ସଂଖ୍ୟା ଅଳ୍ପ ଥିଲା, ଏବେ ଆବଶ୍ୟକତାରୁ ଅତିରିକ୍ତ ହୋଇଗଲାଣି । ଖଜୁରି ଗଛର ଉପରୁ ତଳଯାଏ ଖାଲି ପାହାଚେ ପାହାଚେ ବାବୁ ଭର୍ତ୍ତି ହୋଇ ରହିଛନ୍ତି । କୁଢ଼କୁଢ଼ କାଗଜ ଭିତରେ ଶିକ୍ଷାର ଅସଲ ଚଦର ଓ ଅସଲ ପରିମଳଗୁଡ଼ିକୁ ସେମାନେ ଅଟକାଇ ରଖିଛନ୍ତି । ସେମାନେ ସତେଅବା ମନ୍ତ୍ରଣାକରି ଏ ଦେଶର ଶିକ୍ଷାଘରଗୁଡ଼ିକୁ ଭାଙ୍ଗିବାରେ ଲାଗିଛନ୍ତି । ଶିକ୍ଷାଳୟ ଏକ ଘରପରି ନହେଲେ ସେଠାରେ ଯେ ଶିକ୍ଷାର ମହତ କେବେହେଲେ ରହେନାହିଁ, ସେହି ତତ୍ତ୍ୱଟିକୁ ଏହି ବୀର ବଧିରମାନଙ୍କୁ କିଏ କିପରି ବୁଝାଇ ଦେଇପାରିବ ?

 

ରବୀନ୍ଦ୍ରନାଥଙ୍କର ଶାନ୍ତିନିକେତନ ପ୍ରଥମେ ଯାବତୀୟ ଅର୍ଥରେ ଘରଟିଏ ପରି ଥିଲା । ବାହାରୁ ଦେଖିଲେ ମଧ୍ୟ ତାହା ଗୋଟିଏ ଉଦ୍ୟାନଘର ପରି ଦିଶୁଥିଲା । ତାହାର ଦେହଟାକୁ ଅଧିକ ହୃଷ୍ଟପୁଷ୍ଟ କରି ପକାଇବେ ବୋଲି ସରକାର ଯେଉଁଦିନଠାରୁ ତାକୁ ନିଜ ତହବିଲଟି ଭିତରେ ନେଇ ଭର୍ତ୍ତି କଲେଣି, ସେହିଦିନଠାରୁ ତାହା କ୍ରମେ ଉଦ୍ୟାନଶୋଭିତ ଗୋଟିଏ ଡାକବଙ୍ଗଳା ପରି ଦେଖାଗଲାଣି । ବିଭାଗମାନେ ଯେଝା ଡିହରେ ଯିଏ ରଜା ହେଲେଣି । ଅନ୍ୟ ଥାନଗୁଡ଼ିକ କଥା ତେଣିକି ଥାଉ, ପ୍ରାର୍ଥନା ଥାନରେ ମଧ୍ୟ ସେଠି ଏବେ ବିଭାଗୀୟ ଛୋଟଲାଟମାନେ ପରସ୍ପରକୁ ସଙ୍ଖୋଳିବାକୁ ଆସୁନାହାନ୍ତି । ଅଲଗାଅଲଗା ଟେବୁଲ ଉପରେ ଏବେ ସେଠାରେ ଏକଶିଙ୍ଗିଆ ପଣ୍ଡିତମାନଙ୍କଦ୍ଵାରା ସଂସ୍କୃତି ଲେଖା ଚାଲିଛି । ଘରଟିଏ ନାହିଁ । ତେଣୁ ତପସ୍ୟା ମଧ୍ୟ ନାହିଁ ।

 

ତପସ୍ୟା ନଥିବାରୁ ସେହି ଥାନଟି ଆଉ ଆଗପରି ଗୋଟିଏ ନୀଡ଼ ଭଳି ମୋଟେ ଦେଖାଯାଉନାହିଁ । ଗାନ୍ଧିଜୀଙ୍କର ମୌଳିକ ଶିକ୍ଷାରେ ବିଦ୍ୟାଳୟକୁ ମୂଳତଃ ଏକ ଘର ବୋଲି କଳ୍ପନା କରାଯାଇଥିଲା ଓ ସେହି ଅନୁସାରେ ସେଠାରେ ସବୁକିଛି କାର୍ଯ୍ୟକ୍ରମ ଚାଲିଥିଲା । ସମସ୍ତେ ଏକାଠି ରହୁଥିଲେ, ବଗିଚାରେ ଏକତ୍ର କାମ କରୁଥିଲେ, ଶିକ୍ଷାର କଠାଉ ପିନ୍ଧି ଏକତ୍ର ସ୍ୱପ୍ନ ଦେଖୁଥିଲେ ଓ ଏକତ୍ର ସାହସ କରୁଥିଲେ । ପରସ୍ପର ସହିତ ଭାଇ ଭଉଣୀ ଡୋରରେ ଗୁନ୍ଥା ହୋଇ ରହୁଥିଲେ । ଏକ ସମଗ୍ର ଗ୍ରାମ ବା ସମଗ୍ର ଗୋଷ୍ଠୀର ବୃହତ୍ କଳ୍ପନାକୁ ଏକକରୂପେ ଅନୁମାନ କରି ସତେଅବା ବିଦ୍ୟାଳୟଟିକୁ ଏକ ଅଧିକରୁ ଅଧିକ ପାରସ୍ପରିକତାପୂର୍ଣ୍ଣ ଘରରୂପେ ପ୍ରଶିକ୍ଷିତ କରିନେବାର ସାହସ ତଥା ନେତୃତ୍ୱ ମୌଳିକ ଶିକ୍ଷାର ମଞ୍ଜ ଭିତରେ ସର୍ବଦା ରହିଥିଲା । ଭାରତବର୍ଷର ସ୍ଵାଧୀନ ସରକାର ତାଙ୍କ ଶିକ୍ଷା ବିଭାଗରୁ ବାବୁମାନଙ୍କୁ ପେଷି ସେହି କିଆରିଟିକୁ ଗୋଟାସୁଦ୍ଧା ଉଜାଡ଼ିଦେଲେ । ବାନା ଉଡ଼ାଇଲେ ।

 

ଏବେ ମଧ୍ୟ ଓଡ଼ିଶା ସମେତ ଭାରତବର୍ଷରେ ଏକାଧିକ ସ୍ଥାନରେ ଏକାଧିକ ପ୍ରୟୋଗ ହେଉଛି, ଯେଉଁଠାରେ କି ବିଦ୍ୟାଳୟକୁ ଯଥାସମ୍ଭବ ଗୋଟିଏ ଘର ପରି ବିକଶିତ କରାଇ ଆଣିବାର ଆନନ୍ଦ ପ୍ରୟାସ ଅବ୍ୟାହତ ରହିଛି । ଯଥାସମ୍ଭବ ଅଧିକ ପରିମାଣରେ ଯାବତୀୟ ଅସମାନତାକୁ ଦୂରରେ ରଖିବା ଲାଗି ସେଗୁଡ଼ିକରେ ସାହସପୂର୍ଣ୍ଣ ନବୋଦ୍ୟମମାନ ଲାଗି ରହିଛି । ପଢ଼ାଉଥିବା ଓ ପଢ଼ୁଥିବା ବର୍ଗ ଦୁଇଟି ଭିତରେ କେବଳ ବୟସଟା ବ୍ୟତୀତ ଆଉ ପ୍ରାୟ କୌଣସି ବ୍ୟବଧାନକୁ ସ୍ୱୀକୃତି ଦିଆଯାଉନାହିଁ । ବିଦ୍ୟାଳୟକୁ ଯେତେ ଯୁଆଡ଼ୁ ଯେତିକି ଅର୍ଥ ମିଳୁଛି, ସେମାନେ ଅର୍ଥାତ୍ ଶିକ୍ଷକମାନେ ତାହାକୁ ନିଜ ଭିତରେ ବାଣ୍ଟି ନେଉଛନ୍ତି । ବାଣ୍ଟି ପାରିବାର ଶୁଦ୍ଧକାରୀ କଳାଟିକୁ ଜାଣିଥିଲେ ସହସ୍ର ଅଭାବ ସତ୍ତ୍ୱେ ତଥାପି ଭାବ ଯେ ସାମୂହିକ ଜୀବନ ତଥା ସାମୂହିକ ଅଗ୍ରଗତିର ଏକ ସୁନିଶ୍ଚିତ ନିୟାମକ ହୋଇ କାର୍ଯ୍ୟ କରିପାରେ, ଏହିସବୁ ବିଦ୍ୟାଳୟ ତାହାର ସାକାର ଉଦାହରଣ ହୋଇରହିଛି । ବାହାର ହାଟମାନଙ୍କ ତୁଳନାରେ ଶିକ୍ଷକମାନେ ହୁଏତ ଦଶଭାଗରୁ ଭାଗେବି ବେତନ ପାଉନାହାନ୍ତି । କିନ୍ତୁ ଖୁସି ଅର୍ଥାତ୍ ସ୍ୱତଃପ୍ରବୃତ୍ତ ହୋଇ ସତେଅବା ଦଶଗୁଣ ଅଧିକ କାର୍ଯ୍ୟ କରୁଛନ୍ତି । ସେମାନେ କେହି ଉପରେ କେବଳ ତଥାକଥିତ ପରିଚାଳକ ହୋଇ ବସିନାହାନ୍ତି, ଅଥଚ ସମସ୍ତେ ଏକ କେଡ଼େ ସହଜ ଖୁସିଦ୍ୱାରା ପରିଚାଳିତ ହେଉଛନ୍ତି, ପ୍ରତ୍ୟେକେ ପ୍ରତ୍ୟେକର ଏକାବେଳେକେ ଅତି ପାଖରେ ଯାଇ ରହିଥିବା ପରି ଅନୁଭବ କରୁଛନ୍ତି । ଶୃଙ୍ଖଳ ନାହିଁ, ତେଣୁ ଶୃଙ୍ଖଳା ନିରନ୍ତର ରହିଛି, ସତେଅବା ଏକ ଜଳବାୟୁ ପରି ବିଦ୍ୟାଳୟର ଜୀବନଟିକୁ ଘେରି ରହିଛି ।

 

ଏବଂ, ପିଲାମାନେହିଁ ଏହିସବୁ ବିଦ୍ୟାଳୟରେ ମଧ୍ୟମଣି ହୋଇ ରହିଛନ୍ତି । ସେମାନଙ୍କର ଖୁସିରେ ବିଦ୍ୟାଳୟ ମୁଖରିତ ହୋଇ ରହିଛି, ସେଠି ମାର୍ଗଗୁଡ଼ିକୁ କେଡ଼େ ହାଲୁକା ଭାବରେ ଚାଲି ହେଉଛି । କୌଣସି ପ୍ରକାର ରେଚକ, ପୂରକ ବା କୁମ୍ଭକଦ୍ୱାରା ମୋଟେ ଅଣନିଃଶ୍ୱାସୀ ହେବାକୁ ପଡ଼ୁନାହିଁ । ବିଦ୍ୟାଳୟରେ ଖୁସିହିଁ ରାଜା ହୋଇଛି, ତେଣୁ ପିଲାଏ ପାଠବି ଭଲ ପଢ଼ୁଛନ୍ତି । ସେମାନେ ସତ ଗ୍ରହଣଶୀଳ ହୋଇ ରହିଛନ୍ତି । ତେଣୁ ସେମାନଙ୍କ ପାଖରେ ଅଧିକରୁ ଅଧିକ ଅଜାଡ଼ି ଦେଇ ହେଉଛି । ଶିକ୍ଷାକୁ ବ୍ରତଟିଏ ପରି ଗ୍ରହଣ କଲେ ଶିକ୍ଷାଳୟ ସତକୁସତ ଏକ ଘରରେ ପରିଣତ ହୋଇଯାଏ । ଶିକ୍ଷାକୁ ଏକ ବ୍ରତ ବୋଲି ଗ୍ରହଣ କଲେ ତାହା ଅଧ୍ୟାତ୍ମର ଏକ ସ୍ତରକୁ ଉତ୍ତୋଳିତ ହୋଇଯାଏ । ସରକାରୀ ଗାଈଆଳମାନଙ୍କୁ ଏହାର ମର୍ମ କିଏ କିପରି ବୁଝାଇବାକୁ ସମର୍ଥ ହେବ ? ତେଣୁ ହୁଏତ ରାଜଦାଣ୍ଡରେ ନିୟୁତ ନିୟୁତ ଖର୍ଚ୍ଚ କରି ମର୍ମଶୂନ୍ୟ ବିଭାଗଟା ଶିକ୍ଷାର ବେଲୁନଗୁଡ଼ାକୁ ଫୁଙ୍କି ଠୋଲା କରି ପୁଣି ଫଟାଇ ଦେବାରେ ଲାଗିଥିବ ଓ ସେଥିପାଇଁ କେଡ଼େ ଉତ୍ସାହରେ ବେଲୁନଗୁଡ଼ାକ ଫାଟିଗଲା ବୋଲି ରୋଦନ କରୁଥିବ ଏବଂ ତେଣେ ଅନୁରାଗୀମାନେ ତଥାପି ଶିକ୍ଷା ଲାଗି ଅନୁକୂଳ ଓ ସମ୍ମତ ଘରଟିଏ ଯୋଗାଇ ଦେଇପାରିବେ ବୋଲି ପ୍ରୟାସ କରିବାରେ ଲାଗିଥିବେ ।

Image

 

ଶିକ୍ଷା ଓ ସରକାରୀ ସ୍ୱୀକୃତି

 

ସରକାରଙ୍କଦ୍ୱାରା ପରିପାଳିତ ଏବଂ ପରିଚାଳିତ ଦେଉଥିବା ଶିକ୍ଷା ଯେତେବେଳେ ଦେଶଟାକୁ ବୁଡ଼ାଇଦେଲା ଭଳି ଅଶିକ୍ଷାର ସୃଷ୍ଟି କରିବାରେ କାରଣ ହୋଇ ରହିଥାଏ, ସେତେବେଳେ ଶିକ୍ଷାଲାଗି ସରକାରୀ ସ୍ୱୀକୃତି କହିଲେ ପ୍ରକୃତରେ କ’ଣ ବୁଝାଏ ? ଶିକ୍ଷାର ଚୁଟି ଧରି ଆମ ସରକାର ବିଗତ ଗୋଟାଏ ବା କେତେଟା ପୁରୁଷ ଧରି ଦେଶରେ ତାଙ୍କ ତତ୍ତ୍ୱାବଧାନରେ ପରିପାଳିତ ହେଉଥିବା ଯାବତୀୟ ଶିକ୍ଷା–ସକ୍ରିୟତାକୁ ବର୍ତ୍ତମାନର ଅବସ୍ଥାରେ ଆଣି ପହଞ୍ଚାଇଛନ୍ତି, ଅର୍ଥାତ୍ ଯାବତୀୟ ଶିକ୍ଷା ଏବଂ ଶିକ୍ଷିତତାକୁ ମାରି ଅଶିକ୍ଷାହିଁ ଅଧିକରୁ ଅଧିକ ପ୍ରଚଣ୍ଡ ହେବାରେ ପ୍ରୋତ୍ସାହନ ଯୋଗାଇ ଆସିଛନ୍ତି । ଏବେ ମଧ୍ୟ ସରକାରଙ୍କର ସେହି ଚୁଟି ଧରିବାଟାହିଁ ସରକାରୀ ଶିକ୍ଷାନୀତିର ସବୁଠାରୁ ପ୍ରଧାନ କାଇଦା ଓ ପ୍ରଧାନ କରିବାପଣ ହୋଇରହିଛି । ଯଥାସମ୍ଭବ ଅଧିକରୁ ଅଧିକ ପରିମାଣରେ ଶିକ୍ଷାର ତ୍ରୁଟିକୁ ନିଜର ହାତରେ ରଖିବାକୁହିଁ ଶିକ୍ଷା ବିଭାଗ ନାମରେ ଏଡ଼େବଡ଼ କଳଟାଏ ନିଯୁକ୍ତ ହୋଇ ରହିଛି । ସେହି କଳଟାକୁ ସତକୁସତ କିଏ ଚଳାଉଛି, ସେକଥା ଶିକ୍ଷାବିଭାଗର ସାନଠାରୁ ବଡ଼ ପର୍ଯ୍ୟନ୍ତ ହୁଏତ କେହି ହେଲେ ଜାଣିନାହାନ୍ତି । ଅର୍ଥାତ୍ କେହି ଦାୟିତ୍ଵ ମୁଣ୍ଡାଇବାକୁ କୌଣସି ଇଚ୍ଛା କରୁନାହିଁ । ସିଏ ୟାକୁ ପ୍ରଚାର ଓ ଇଏ ତାକୁ ପଚାର ବୋଲି କହି ପ୍ରଧାନତଃ ଟାଳିଦେବାରେ ଲାଗିଛନ୍ତି । ତଥାପି, କଳଟା ଚାଲିଛି, ତଥାପି ଚୁଟିଗୁଡ଼ାକ ହାତରେ ରହିଛି । ତାହାହିଁ ସତେଅବା ସବୁଯାକ ସକ୍ରିୟତାର ଏକମାତ୍ର କାମ୍ୟ ହୋଇ ରହିଛି ।

 

ଏହି ନିଷ୍କ୍ରିୟ ଓ ନିଶ୍ଚିନ୍ତ ବାବୁମାନଙ୍କ ଆଗରେ ତୁମେ ଶିକ୍ଷାରେ ନୂତନ ପ୍ରୟୋଗର କଥାକୁ କାହିଁକି କେଉଁ ଆଶାରେ କହିବାକୁ ଯିବ ? ଭୋଗ କରିବାକୁହିଁ ଫିତାଗୁଡ଼ାକୁ ହାତରେ ଜାବୁଡ଼ିକରି ଧରିଥିବା ଏହି ଭୀରୁମାନଙ୍କୁ ତୁମେ ଆଦୌ କୌଣସି ସାହସର କଥା କାହିଁକି କହିବ ? ଅଥଚ ଶିକ୍ଷାକୁ ତା’ର ବର୍ତ୍ତମାନ ଗୁହାଳଗୁଡ଼ାକରୁ ଉଦ୍ଧାର କରିପାରିବାକୁ ହେଲେ, ବିଭିନ୍ନ ପ୍ରୟୋଗ କରି କିଛି ସମ୍ଭବ କରିବା ବ୍ୟତୀତ ଏକ ସମାଜର ହାତରେ ଆଉ ପ୍ରକୃତରେ କୌଣସି ଉପାୟହିଁ ନଥାଏ । ଶିକ୍ଷା ସତକୁସତ ଉଧେଇ ପାରିବାକୁ ହେଲେ କର୍ତ୍ତୃତ୍ୱ ନୁହେଁ, ଏକ ନେତୃତ୍ୱର ଆବଶ୍ୟକତା ରହିଛି । ସେହି ନେତୃତ୍ୱ ଶିକ୍ଷା ବାହାରେ ଥାଇ ଶିକ୍ଷାକୁ ଚଳାଉଥିବା ସରକାର ଦେଇପାରିବେ ନାହିଁ । ଆଉ ଏକ ଦଳକୁ ଯେକୌଣସିମତେ କ୍ଷମତାରୁ ହଟାଇ ନିଜେ ତା’ର ସ୍ଥାନାପନ୍ନ ହୋଇ ବସିବାଲାଗି ବେଳେବେଳେ ଅତ୍ୟନ୍ତ ନିର୍ବୋଧ ଭାବରେ ଫକର ଫକର ହୋଇ ଡେଇଁଥିବା ତଥାକଥିତ ରାଜନୈତିକ ଦଳମାନେ ମଧ୍ୟ ଶିକ୍ଷାରେ ଯଥାର୍ଥ ନେତୃତ୍ୱ ଦେଇପାରିବେ ନାହିଁ । ସେମାନେ ଗର୍ଜନ କରିବେ, ବଡ଼ ହାସ୍ୟାସ୍ପଦ ଭାବରେ ଗର୍ଜନ କରିବାରେହିଁ ନିଜର ଗରିମା ଦେଖାଉଥିବେ; ସେମାନେ ଯେତିକିର ନୁହଁନ୍ତି, ତା’ଠାରୁ ହଜାର କିଲୋମିଟର ଅଧିକମାନର କଥାମାନ କହୁଥିବେ । ସଭାମାନଙ୍କରେ ଫୁଲେଇ ବେଙ୍ଗମାନଙ୍କ ପରି ବସି ସାହିତ୍ୟ, ସଂସ୍କୃତି ଓ ଆହୁରି କେତେକଅଣ ବିଷୟରେ ଉଦ୍ଦଣ୍ଡ କଥାମାନ ବଖାଣୁଥିବେ ସିନା, ମାତ୍ର ସେମାନେ କଦାପି କୌଣସି ନେତୃତ୍ୱ ଦେଇପାରିବେ ନାହିଁ ।

 

କର୍ତ୍ତୃତ୍ୱ କ୍ଷମତା ଉପରେ ଭରାଦେଇ ଛିଡ଼ାହୋଇ ରହିଥାଏ; ତେଣୁ ସେମାନେ ବାହାରେ ଯେଡ଼େ ଯେଡ଼େ ପରାକ୍ରମ ଓ ପାରଙ୍ଗମତାର ହାବୁକା ମାରୁଥିଲେ ମଧ୍ୟ ତାହା ନିଜ ପାଖରେ ପ୍ରକୃତରେ ଭାରି ହେରେସା ହେବାରେ ଲାଗିଥାଏ । ଯେତିକି ହେରେସା ହେଉଥାଏ, ବାହାରେ ସେତିକି ଉଦ୍ଦଣ୍ଡ ହେଉଥାଏ । ଭାରତୀୟ ନେତୃତ୍ୱ–ସ୍ଥାନଗୁଡ଼ିକ ସ୍ୱାଧୀନତା ପରେ କିପରି କାଳକ୍ରମେ କର୍ତ୍ତୃତ୍ୱ ଭିତରକୁ ପଶିଯାଇ ନିଜର ଧର୍ମ ଓ ନିଜର ଅକଲକୁ ହରାଇ ବସିଛନ୍ତି, ସେଇ ବିଷୟକୁ ନେଇ ଏକ ଚମତ୍କାର ଅଧ୍ୟୟନ ପ୍ରସ୍ତୁତ କରାଯାଇପାରିବ । ଭାରତୀୟ ନେତୃତ୍ୱ କ୍ରମେ କର୍ତ୍ତୃତ୍ୱ ଭିତରକୁ ଖସି ପଡ଼ିବାର ପ୍ରକ୍ରିୟାରେ ଭାରତୀୟ ସାମନ୍ତବାଦ, ଭାରତୀୟ କର୍ମବାଦୀ ପରମ୍ପରା ଓ ଅଧିକାଂଶ ମଣିଷଙ୍କୁ ଅକିଞ୍ଚନ ଏବଂ ଭାଗ୍ୟହୀନ କରି ରଖିବାର ଏକ ଅହିତକର ସମାଜବ୍ୟବସ୍ଥା ସବୁକାଳେ ଭାରି ସାହାଯ୍ୟ କରିଆସିଛି, ଏବେ ମଧ୍ୟ କମ୍ ସାହାଯ୍ୟ କରୁନାହିଁ । ଯେଉଁ ଶିକ୍ଷା ଏହି ପରମ୍ପରାକୁ ବଦଳାଇପାରିବ ଅଥବା ଯାବତୀୟ ଦୁଷ୍ଟ ପରମ୍ପରା ସତ୍ତ୍ୱେ ଏକ ସୁସ୍ଥ ଓ ବଳିଷ୍ଠ ଅନ୍ୟ ବ୍ୟବସ୍ଥା ଆଡ଼କୁ ବାଟ କଢ଼ାଇ ନେଇପାରିବ, ଭାରତବର୍ଷ ନିମନ୍ତେ ସେହିଭଳି ଏକ ଶିକ୍ଷା ଦରକାର । ସେହି ଶିକ୍ଷାହିଁ ଭାରତୀୟ ଗଣତନ୍ତ୍ରକୁ ଯଥାର୍ଥ ଅନୁକୂଳତା ଯୋଗାଇପାରିବ ଓ ଦେଶର ସବୁ ମଣିଷଙ୍କ ଆଡ଼କୁ ଶାସନର ଦୃଷ୍ଟିକୁ ଫେରାଇ ଆଣିପାରିବ । ମଣିଷମାନଙ୍କୁ ଅନୁଗୃହୀତ ଏବଂ ପ୍ରତିକ୍ରିୟାରହିତ କରି ରଖିବା ପରିବର୍ତ୍ତେ ତାହା ସେମାନଙ୍କ ଭିତରେ ଏକ ସମ୍ମାନବୋଧକୁ ଜାଗୃତ କରାଇଆଣିବ ।

 

ଏବଂ, କର୍ତ୍ତୃତ୍ୱ ଉପରେ ନିର୍ଭର କରୁଥିବା ଏକ ସରକାର ସେଦିଗରେ ଦେଶବାସୀଙ୍କୁ ଆଦୌ କୌଣସି ବାଟ ଦେଖାଇପାରିବ ନାହିଁ । ଥାନ ଅଥାନ ସକଳ ଅବସରରେ ଆପଣାକୁ ଅଚଳ ସମ୍ରାଟମାନଙ୍କ ପରି ପ୍ରଦର୍ଶିତ କରିବାରେ ଲାଗିଥିବା କର୍ତ୍ତୃତ୍ଵବିଶ୍ୱାସୀମାନେ ସେକଥା କଦାପି କରିବେ ନାହିଁ । ଗତ ୫୦ ବର୍ଷ ଭିତରେ କୋଟି କୋଟି ଟଙ୍କା ପାଣିରେ ବା ପାଟିରେ ପକାଇଥିବା କର୍ତ୍ତାମାନେ ଯେ ଦେଶକୁ ଶିକ୍ଷାଦ୍ୱାରା ତା’ର ଯଥାର୍ଥ ବିବେକଗୁଡ଼ିକ ପାଖକୁ ଫେରାଇ ଆଣିବାରେ ପ୍ରାୟ କିଛି କରିପାରି ନାହାନ୍ତି, ତାହାହିଁ ସେମାନଙ୍କର ଅଯୋଗ୍ୟତାର ଏକ ପ୍ରମାଣପତ୍ର ହୋଇରହିଛି ।

 

ତଥାପି ସରକାର ଢମ ଛାଡ଼ୁ ନାହାନ୍ତି, ମିଛ କାଗଜପତ୍ରର ବେଲୁନ ଉଡ଼ାଇ ସେମାନେ ଏଥର ସତକୁସତ କିଛି କରିବାକୁ ଯାଉଛନ୍ତି ବୋଲି ବାରବାର ଭ୍ରମ ସୃଷ୍ଟିକରି ରଖିବାର ଅପକୌଶଳକୁ ତଥାପି ପରିହାର କରିନାହାନ୍ତି । ଏବଂ, ତଥାପି, ସେମାନଙ୍କ ସତ୍ତ୍ୱେ ଏହି ଦେଶରେ ଯେଉଁମାନେ ଶିକ୍ଷାଦ୍ୱାରାହିଁ କିଛି ଅବଶ୍ୟ ସମ୍ଭବ ହେବ ବୋଲି ବିଶ୍ୱାସ ରଖି କୌଣସି ପ୍ରୟୋଗ କରୁଛନ୍ତି ଓ ତଜ୍ଜନିତ ସଫଳତାର କିଞ୍ଚିତ୍‍ ନିଦର୍ଶନ ଦେଖାଇପାରୁଛନ୍ତି, ସରକାର ସେମାନଙ୍କର ଗୋଡ଼ହାତ ବାନ୍ଧି ରଖିବାକୁହିଁ ନିଜର ତଥାକଥିତ ଶିକ୍ଷା ଆଇନଗୁଡ଼ିକୁ ଅସ୍ତ୍ର ଓ ଆୟୁଧରୂପେ ବ୍ୟବହାର କରୁଛନ୍ତି । ସରକାରୀ ସ୍ୱୀକୃତି ନହେଲେ ଏ ଦେଶରେ ଟୋପାଏ ପାଣିବି ବରଷିବାର ଅନୁମତି ଆଦୌ ପାଇବ ନାହିଁ ବୋଲି ମରୁଡ଼ିର ପ୍ରତିନିଧିତ୍ୱ କରି ଆସିଥିବା ସରକାରୀ ଗୌନ୍ତିଆମାନେ ହୁଙ୍କାର ଦେଉଛନ୍ତି, ଏ ଦେଶରେ ଶିକ୍ଷାର ବାଟଗୁଡ଼ିକୁ ମିଛଟାରେ ଓଗାଳି ବସିଛନ୍ତି-

 

ଆମର ଶାସନଗତ ପରିମଳଟି ଭଦ୍ର ଓ ବିବେକୀ ହୋଇଥିଲେ ଏହି ସବୁକିଛି ଅନ୍ୟ ପ୍ରକାରର ହେଉଥାନ୍ତା । ଏହି ଦେଶରେ ଯାବତୀୟ ସାଧୁ ପ୍ରୟୋଗକୁ ବାଟ ଛାଡ଼ି ଦିଆଯାଉଥାନ୍ତା । ଶିକ୍ଷାର ବିକଳ୍ପ ନେତୃତ୍ୱଗୁଡ଼ିକୁ ବାଟ ଛାଡ଼ି ଦେଉଥିଲେ ସରକାର ବାହାଦୁରଙ୍କର ନିୟମତଃ ଆଦୌ କୌଣସି କ୍ଷତି ହେଉ ନଥାନ୍ତା । ଏହି ନେତୃତ୍ଵଗୁଡ଼ିକ ବିକଳ୍ପ ପ୍ରୟୋଗ କରୁଥାନ୍ତେ, ସେମାନଙ୍କର ପ୍ରୟୋଗରେ କୌଣସି ଅବିବେକ କିମ୍ବା ଅସାଧୁତା ରହିଥିଲେ ସେମାନେ ବଳେ କିଛି ବାଟଯାଇ ଅଟକି ଯାଉଥାନ୍ତେ, ଲୋକହସା ହେଉଥାନ୍ତେ । ସେମାନଙ୍କର ପିଲାମାନେ ଯଦି ଅନ୍ୟ ପ୍ରକାର ଏକ ଅଧିକ ସୁସ୍ଥ ଓ ଅଧିକ ଶ୍ରଦ୍ଧା ତଥା ବିଶ୍ଵାସଯୁକ୍ତ ପରିବେଶରେ ପାଠପଢ଼ି ସରକାର ନିର୍ଦ୍ଧାରିତ କରିଦେଇଥିବା ପରୀକ୍ଷାଗୁଡ଼ିକରେ ବସିଲେ, ତେବେ ସେହି ପିଲାମାନଙ୍କର ବିଦ୍ୟାଳୟକୁ ଓ ସେହି ବିଦ୍ୟାଳୟର ସ୍ୱତନ୍ତ୍ର ନେତୃତ୍ୱଗୁଡ଼ିକୁ ଆବଶ୍ୟକ ସ୍ୱୀକୃତି ଦେବାରେ ସରକାର ବରଂ ଅଧିକ ସମ୍ମତ ହୋଇ ବାହାରି ଆସୁଥାନ୍ତେ । ମାତ୍ର ବର୍ତ୍ତମାନ ଓଡ଼ିଶାରେ ଠିକ୍ ବିପରୀତ ଘଟଣାଟିହିଁ ଘଟୁଛି । ତଥାକଥିତ ସରକାରୀ ଦରବାରମାନଙ୍କରେ ମିଛଟାରେ ଯାଇ ଘୋଷାରି ହେବାକୁ ପଡ଼ୁଛି । ସରକାରୀ ଶିକ୍ଷାକଳ ଯେଉଁ ମିଛରେ ଚାଲୁଛି, ସେହି ମିଛରେ ଭାଗ ନେବାପାଇଁ ଏହି ବିକଳ୍ପ ନେତୃତ୍ୱମାନେବି ରାଜି ହୋଇ ଯାଆନ୍ତୁ, ମହତ ହରାନ୍ତୁ ଓ ଜଙ୍ଗଲଟା ଭିତରେ ଅବିକଳ ଅନ୍ୟ ସମସ୍ତଙ୍କ ପରି ଦିଶନ୍ତୁ, ସରକାରୀ ବ୍ୟାକରଣଗୁଡ଼ିକୁ ଜାରିକରି ରଖିଥିବା ନୀଳପୁଚ୍ଛମାନେ ଆଉ କ’ଣ ମନେମନେ ସେହି କାମନା ରଖିଛନ୍ତି କି ?

 

ପ୍ରୟୋଗଗୁଡ଼ିକୁ ସରକାର ଯେ କେବଳ ସ୍ୱୀକୃତି ଦେଉଥାନ୍ତେ ତାହା ନୁହେଁ, ଆବଶ୍ୟକ ଅର୍ଥ ସାହାଯ୍ୟ ଦେବାକୁ ମଧ୍ୟ ନିଜର କର୍ତ୍ତବ୍ୟ ବୋଲି ମନେ କରୁଥାନ୍ତେ । ଦେଉଥିବା ଅର୍ଥର ପାହି ପାହି ଯାଞ୍ଚ କରୁଥାନ୍ତେ ସତ, ତଥାପି ଅର୍ଥ ସାହାଯ୍ୟ ଦେଉଥାନ୍ତେ । ଏହି ବିଦ୍ୟାଳୟଗୁଡ଼ିକ ଅପେକ୍ଷାକୃତ ଅଧିକ ଆନ୍ତରିକତା ଓ ଉଦ୍ୟମଶୀଳତାର ଦୃଷ୍ଟାନ୍ତ ହୋଇ ରହିଥିବା ପର୍ଯ୍ୟନ୍ତ ଏମାନଙ୍କ କ୍ଷେତ୍ରରେ ସରକାରୀ ନିୟମଗୁଡ଼ିକୁ ସ୍ଥଳ ବିଶେଷରେ କୋହଳ କରିଦିଆଯାଉଥାନ୍ତା ସିନା, ମାତ୍ର ଧୃଷ୍ଟତା ଆଚରଣକରି ସରକାର କଦାପି ଏମାନଙ୍କର ଚୁଟି ନିଜ ହାତରେ ଧରିବାକୁ ମନ କରନ୍ତେ ନାହିଁ ବା ଏମାନେ ଯାବତୀୟ ପ୍ରତିକୂଳତାର ଆଘାତ ଖାଇ କ୍ରମେ ଶୁଖି ଶୁଖି ଯାଆନ୍ତୁ ଓ ମରି ଯାଆନ୍ତୁ ବୋଲି କଦାପି କାମନା ରଖନ୍ତେ ନାହିଁ । ତଥାପି ଯେ ଏପରି ହେଉଛି, ତାହାକୁ ଉକ୍ତ ପ୍ରୟୋଗ ଓ ସେଗୁଡ଼ିକର ନେତୃତ୍ୱଗୁଡ଼ିକ ଲାଗି ଏକ ଯଥାର୍ଥ ପରୀକ୍ଷା ବୋଲି କୁହାଯାଇପାରିବ । କାଳ ପାଖରେ, ନିଜର ଆକର୍ଷଣକାରୀ ଦେବତାଟି ପାଖରେ ଶିକ୍ଷାର ଯେଉଁ ଶପଥଟି ନେଇ ସେମାନେ ବାହାରିଛନ୍ତି, ସେହି ଶପଥ ରୂପକ ସୂତାଟିର ପ୍ରକୃତରେ ବଳ କେତେ, ଏହାଦ୍ୱାରା ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ତାହାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ୁଥିବ ।

Image

 

Unknown

ଦ୍ୱିତୀୟ ଶ୍ରେଣୀର ନାଗରିକ

 

ଅଧ୍ୟାତ୍ମର ଆଖିରେ ସବୁ ମଣିଷ ସମାନ । ପ୍ରତ୍ୟେକ ମନୁଷ୍ୟ ଭିତରେ ଦେବକଳାମାନ ରହିଛି; ଅର୍ଥାତ୍ ଏପରି ଅନେକ ଦେବସମ୍ଭାବନାମାନ ରହିଛି, ଯାହାର ଉତ୍ତରୋତ୍ତର ଓ ପୂର୍ଣ୍ଣ ବିକାଶ କରିପାରିଲେ ଜଣେ ମନୁଷ୍ୟ ଯେ କେତେ ଆଗକୁ ବା କେତେ ଊର୍ଦ୍ଧ୍ୱକୁ ଯାଇପାରିବ, ସେକଥା ସେ ଏଇଠି ଥାଇ ଅର୍ଥାତ୍ ତା’ର ଭାଗ୍ୟକୁ ମାନିନେଇ କଦାପି ବିଶଦ ଭାବରେ କଳ୍ପନା କରିପାରିବ ନାହିଁ-। ଅଧ୍ୟାତ୍ମ ସତ୍ୟଗୁଡ଼ିକର ଚାରିପଟେ ବାଡ଼ଦେଇ ପୃଥିବୀରେ ଧର୍ମଗୁଡ଼ିକର କଳ୍ପନା କରାଯାଇଛି-। ସେହି ଧର୍ମମାନଙ୍କରେ ଭଗବାନଙ୍କର କଳ୍ପନା କରାଯାଇଛି । ଭଗବାନଙ୍କୁ ମହଦାଶ୍ରୟ ବୋଲି କୁହାଯାଇଛି । ମଣିଷମାନେ ଯଦି ସେହି ଭଗବାନଙ୍କୁ ମଧ୍ୟ ସତକୁସତ ସ୍ୱୀକାର କରୁଥାନ୍ତେ ଓ ତାଙ୍କର ବୋଲମାନି ବାଟ ଚାଲୁଥାନ୍ତେ, ତେବେବି ସେମାନେ ବହୁତ ପରିମାଣରେ ନିଜ ନିଜର ସାମୂହିକ ଜୀବନରେ ସମମୂଲ୍ୟ ଓ ସମଞ୍ଜସ ହୋଇ ରହିଥାନ୍ତେ, ପରସ୍ପରକୁ ସମ୍ମାନ ଦେଇପାରୁଥାନ୍ତେ ଏବଂ ପରସ୍ପରଠାରୁ ମନୁଷ୍ୟୋଚିତ ସମ୍ମାନ ପାଇପାରୁଥାନ୍ତେ । ମାତ୍ର; ଯୁଗେଯୁଗେ, ଧୂର୍ତ୍ତ ମଣିଷମାନେ ଭଗବାନଙ୍କୁ ବଳି ଯାଇଛନ୍ତି । ଭଗବାନଙ୍କୁ ପଘାରେ ବାନ୍ଧି ମଣ କରି ରଖିଥିଲା ପରି ସେମାନେ ତାଙ୍କରି ଦ୍ୱାହି ଦେଇ, ତାଙ୍କରି ନାମରେ ଶାସ୍ତ୍ର ଓ ସଂହିତାମାନ ଲେଖି ପୃଥିବୀଟାକୁ, ସମ୍ବନ୍ଧଗୁଡ଼ାକୁ ଅତ୍ୟନ୍ତ ନିର୍ମମ ଭାବରେ ଅସମାନ କରି ରଖିଛନ୍ତି ଏବଂ ନିଜେ ବଡ଼ ଗାଦିମାନଙ୍କରେ ବସି ପାଷଣ୍ଡ ପରି ଶୋଭା ପାଉଛନ୍ତି ।

 

ସେଦିନ ସରକାରୀ ସଭାଘରେ ମଣ୍ଡଳ–କନ୍ଦଳ ବିଷୟରେ ସମ୍ଭ୍ରାନ୍ତମାନେ ଚର୍ଚ୍ଚା କରୁଥିବା ସମୟରେ ଜଣେ ମନ୍ତ୍ରୀ କେଡ଼େ କରୁଣ ଭାବରେ କହିବାକୁ ଆରମ୍ଭ କଲେ ଯେ, ସ୍ଵାଧୀନତାର ପ୍ରାୟ ଅର୍ଦ୍ଧଶତାବ୍ଦୀ ଭୋଗ କରିସାରିବା ପରେ ମଧ୍ୟ ଆମ ଦେଶରେ ହରିଜନ ଓ ଆଦିବାସୀମାନେ ଆପଣାକୁ ଦ୍ୱିତୀୟ ଶ୍ରେଣୀର ନାଗରିକ ପରି ଅନୁଭବ କରୁଛନ୍ତି । ସେକଥା ଶୁଣି ପ୍ରକାଶ୍ୟରେ ଅନ୍ୟମାନେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କଲେନାହିଁ ସତ, ମାତ୍ର ମୁଁ ତଥାପି ସେମାନଙ୍କର ଅବଚେତନସ୍ଥ ନାଡ଼ିଗୁଡ଼ାକୁ ଲକ୍ଷ୍ୟକରି ବେଶ୍ ଜାଣିପାରୁଥିଲି ଯେ, ସେମାନଙ୍କର ଅନ୍ତରଟା ଏପରି ଏକ କଥା ଶୁଣି ସତେଅବା ଆହା ଆହା ବୋଲି କହିଉଠୁଛି । ଭାରତବର୍ଷ ଏପରି ଏକ ବିଚିତ୍ର ପରମ୍ପରାର ଦେଶ, ଯେଉଁଠାରେ କି ଅଧିକାଂଶ ମଣିଷ ସାମୟିକ ଭାବରେ ଏକ ସହାନୁଭୂତିସୂଚକ ଆହା ବୋଲି କହି ଦୁଃସ୍ଥ ଅନ୍ୟମାନଙ୍କ ପ୍ରତି ଆପଣା କର୍ତ୍ତବ୍ୟର ସମାପନ କରିଦିଅନ୍ତି । ଏ ଦେଶରେ ଅଧିକାଂଶ ସମ୍ଭାବନା ଏକ ନିର୍ମମ ଦୟାପ୍ରଦର୍ଶନ ପର୍ଯ୍ୟନ୍ତହିଁ ଯିବାକୁ ସାହସ କରିଥାଏ, ତା’ଠାରୁ ଅଧିକ ଆଗକୁ ଯିବାଲାଗି ମୋଟେ ସାହସ କରେନାହିଁ । ଭାରତୀୟ ରାଜଯୋଗ ସାଧନାରେ ସାମୟିକ ଭାବରେ ଏକ ସମାଧି ବା ଭାବାବେଶ ଭିତରେ ମଗ୍ନ ହୋଇ ଯାଇପାରିବେ ବୋଲି ଏ ଦେଶରେ କେତେକ ଯୋଗୀ ଯେପରି ଜୀବନଯାକ ସାଧନାକ୍ଳେଶ କରୁଥାନ୍ତି, ତାହା ଏହିପରି ଗୋଟିଏ କଥା । ହଁ, ଏକାନ୍ତ ସାମୟିକ ଭାବରେ ଆହା ବୋଲି କହିହେବ, ଏକାନ୍ତ ସାମୟିକ ଭାବରେ ନାନାମନ୍ତେ ଦୟା ପ୍ରଦର୍ଶନ କରିହେବ ।

 

ମାତ୍ର, ଏପରି ଏକ ନିଷ୍ପତ୍ତି ନେବ, ଯେପରିକି ତଦ୍ଦ୍ୱାରା ତୁମର ଜୀବନଯାକ ବଦଳିଯିବ, ଯେପରିକି ତୁମେ ପୁରୁଣା ‘ସିଷ୍ଟମ୍’ଟାକୁ ପ୍ରତ୍ୟାଖ୍ୟାନ କରି ଏକ ନୂଆ ବିଧାନରେ ନିଜ ଜୀବନଟିକୁ ବଞ୍ଚିବ ଓ ନିଜର ସମ୍ବନ୍ଧଗୁଡ଼ିକୁ ନିର୍ଣ୍ଣୟ କରିପାରିବ, ଏ ଦେଶରେ ସେକଥା ବେଶୀ କୁହାହୋଇନାହିଁ କିମ୍ବା ତଦନୁରୂପ ଜୀବନଟିଏ ବଞ୍ଚିବା ଲାଗି ଭାରତବର୍ଷରେ କାଳର ଲଗାମ ଧରିଥିବା ମଣିଷମାନେ ନିଜ ଭିତରୁ ଖୁବ୍ ବେଶୀ ତାଡ଼ନା ଅନୁଭବ କରିନାହାନ୍ତି ।

 

ଆମ ଦେଶରେ ଆଦିବାସୀ ଓ ହରିଜନମାନଙ୍କ ଭିତରୁ କେତେ ବ୍ୟକ୍ତି ମନ୍ତ୍ରୀ ହୋଇଛନ୍ତି, ନିର୍ବାଚିତ ଲୋକପ୍ରତିନିଧି ହୋଇଛନ୍ତି, ସାହେବ ପାହିଆର ଉଚ୍ଚ କର୍ମଚାରୀ ବା ତୁଙ୍ଗ ଚାକିରିଆ ହୋଇପାରିଛନ୍ତି । ସେମାନେ ମଧ୍ୟ କେଡ଼େ କେଡ଼େ ଚଉକିରେ ଯାଇ ବସିଛନ୍ତି ଓ ବସୁଛନ୍ତି । ସେମାନେବି ପାଷଣ୍ଡମାନଙ୍କର ଅନୁକରଣ କରୁଛନ୍ତି । ପୂର୍ବସୂରି ଧୂର୍ତ୍ତମାନଙ୍କଠାରୁ ଧୂର୍ତ୍ତତାର ସବୁଯାକ କାଇଦା ଶିଖି ସେମାନେ ସାକ୍ଷାତ ଲମ୍ବକର୍ଣ୍ଣ ସଦୃଶ ଦେଖାଯାଉଛନ୍ତି । ସେମାନେ ଯେତେ ଉପରେ ଥିଲେ ମଧ୍ୟ ଅନ୍ୟ ଉତ୍ତମମାନଙ୍କ ପାଖରେ ନିଜକୁ ତଥାପି ଦ୍ୱିତୀୟ ଶ୍ରେଣୀର ନାଗରିକବତ୍ ଅନୁଭବ କରୁଛନ୍ତି; ମନ୍ତ୍ରୀମାନଙ୍କ ମେଳରେ ଆପଣାକୁ କୁଜୀମନ୍ତ୍ରୀଟିଏ ପରି ଭାବୁଛନ୍ତି, ଅଫିସରମାନଙ୍କର ମେଳରେ ଆପଣାକୁ ସତେଅବା କାହାଦ୍ଵାରା ଅନୁଗୃହୀତ ହୋଇ ସେଠାରେ ଥାନ ପାଇଥିବା ଅଧମଟିଏ ପରି ଅନୁଭବ କରୁଛନ୍ତି । ଆପଣା ଦୋଷରୁ ମନେମନେ ସତେଅବା କାଇଲି ହୋଇ ରହିଯାଉଛନ୍ତି । ନିଜକୁ ଗୋଟିଏ ଦେଶର ନାଗରିକ ବୋଲି ଭାବୁଥିଲେ ଯେଉଁ ମେରୁଦଣ୍ଡଟି ଅବଶ୍ୟ ରହିଥିବା ଆବଶ୍ୟକ, ସେହି ମେରୁଦଣ୍ଡଟିକୁ ସେମାନେ ସତେଅବା ଆଉ କୋଉଠି ବାହାରେ ବୁଜୁଳାଟିଏ କରି ରଖିଦେଇ ଆସିଛନ୍ତି । ସେମାନେ କେବଳ ଏହି ଯୁଗଟାକୁ ନୁହେଁ, ଆପଣାକୁବି ବଡ଼ ଲୋକହସା କରି ରଖିଛନ୍ତି । ହୁଏତ ନିଜକୁ ଅନାଇ ନିଜେ ହସୁଛନ୍ତି ।

 

ଆଦିବାସୀ ବା ହରିଜନ ମନ୍ତ୍ରୀ ବା ବାବୁଟିଏ ତା’ ଗାଁକୁ ଗଲେ ସେଠି ସେ ପ୍ରାୟ ନିୟମତଃ ନିଜକୁ ଏକ ଚକ୍ରବର୍ତ୍ତୀ ପରି ଦେଖୁଛି ଓ ଏକଦା ତା’ରି ବିରାଦର ବା ପ୍ରତିବେଶୀ ହୋଇ ରହିଥିବା ଅନ୍ୟ ଆଦିବାସୀ ଓ ହରିଜନଙ୍କୁ ଦ୍ୱିତୀୟ ଏବଂ ଏପରିକି ତୃତୀୟ ଶ୍ରେଣୀର ନାଗରିକ ପରି ଦେଖୁଛି । ଅନ୍ୟ ଭାଷାରେ କହିଲେ, ସେ ଆପଣାକୁ କିମ୍ବା ଅନ୍ୟମାନଙ୍କୁ କାହାକୁ ହେଲେ ଯଥାର୍ଥ ସମ୍ମାନର ସହିତ ଦେଖୁନାହିଁ । ଆପଣା ପାଖରେ ଚଉକିଟାଏ ରହିଛି ବୋଲି ଆପଣାକୁ ଫୁଲେଇ ହୋଇ ଦେଖୁଛି ଓ ଅନ୍ୟ ଅନେକେ ତା’ ପରି ଭାଗ୍ୟର ଅଧିକାରୀ ହେବାର ଯୋଗ୍ୟ ହୋଇପାରିଲେ ନାହିଁ ବୋଲି ସେମାନଙ୍କୁ ତାଚ୍ଛଲ୍ୟ ସହିତ ଦେଖୁଛି, ତା’ର ଦାରିଦ୍ର୍ୟ ବିଷୟରେ ସଭାରେ ଭାଷଣ ଦାନ କରୁଛି । ମାତ୍ର ତାକୁ ମଣିଷରୂପେ ଦେଖୁନାହିଁ । ଏ ଚାଲାଖି ଆମ ସମାଜରେ ଆବହମାନ ଯୁଗରୁ ଚାଲିଆସିଛି । ଭିତରେ କେଉଁ ଦୁଷ୍ଟତାର ବଶବର୍ତ୍ତୀ ହୋଇ ଏଠି ମଣିଷମାନେ ନିଜ ଭିତରେ ଭଗବାନଙ୍କୁ ଲୁଚାଇ ରଖିଛନ୍ତି କେଜାଣି, ସେମାନେ ସବାଆଗ ନିଜର ଜାତିଟାକୁ ଦେଖୁଛନ୍ତି, ନିଜର ଚଉକିକୁ ଦେଖୁଛନ୍ତି; ନିଜକୁ ବଡ଼କରି ଦେଖୁଛନ୍ତି ବୋଲି ଅନ୍ୟମାନଙ୍କୁ ଅବର କରି ଦେଖୁଛନ୍ତି ଓ ନିଜକୁ ଅବର ଓ ହୀନକରି ଦେଖୁଛନ୍ତି ବୋଲି ଅନ୍ୟମାନଙ୍କୁ ବଡ଼ କରି ଦେଖୁଛନ୍ତି । ବଡ଼ସାନ ତାମସା ଲାଗି ରହିଛି । ଏହି ତାମସା ଧୂର୍ତ୍ତମାନଙ୍କ ନିମନ୍ତେ ଗୋଳିପାଣିର ଭିଆଣ କରିରଖିଛି । ରାଜନୀତି ଏହି ଗୋଳିଆ ପାଣି ଭିତରେ କୋଉ କାଳରୁ ବଜାରୀ ହୋଇଗଲାଣି ।

 

ଏ ଦେଶରେ ଦିନେ ରାଜାମାନେ ଥିଲେ । ଗଣତନ୍ତ୍ରର ବନ୍ୟାରେ ପଡ଼ି ସେମାନେ ନାଗରିକ ହେଲେ । ଜମିଦାରମାନେବି ଥିଲେ । ସେମାନେବି କ୍ରମେ ଏକ ଗଣତାନ୍ତ୍ରିକ ପଦ୍ଧତିରେ ନାଗରିକର ପାହ୍ୟାକୁ ଉନ୍ନୀତ ହୋଇଯିବାର ବାଟ ପାଇଲେ । ମାତ୍ର, ତଥାପି ନୂଆ ରାଜା ଓ ନୂଆ ନବାବ ବା ଜମିଦାରମାନେ ବାହାରି ଏ ଦେଶରେ ନାଗରିକତାକୁ ପୁଣି ଅସମ୍ମାନ କରିବାକୁ ଆରମ୍ଭ କରିଦେଲେ, ସେମାନେ ଦେଶଟାକୁ ପଛକୁ ନେଇଗଲେ; ନିଜକୁ ଲୋକପ୍ରତିନିଧି ବୋଲି କହି କିଏ ଯଥେଷ୍ଟ ସମ୍ମାନିତ ଅନୁଭବ କରି ନପାରୁଥିଲା ପରି ସଭାରେ ନିଜକୁ ସମ୍ରାଟ କୁହାଇଲା; ଚାରଣମାନେ କରତାଳି ଦେଲେ । ଭାରତବର୍ଷରେ ବ୍ରାହ୍ମଣର ଯେପରି ଏକ ସ୍ୱକୀୟ ଉଜ୍ଜ୍ୱଳ ଇତିହାସ ରହିଛି, ଶୂଦ୍ରର ମଧ୍ୟ ସେହିପରି ଏକ ସ୍ୱକୀୟ ଉଜ୍ଜ୍ୱଳ ଇତିହାସ ରହିଛି । ହିନ୍ଦୁର ଯେପରି ରହିଛି, ମୁସଲମାନରବି ସେହିପରି ରହିଛି । ପୁରୁଷର ରହିଛି, ନାରୀର ମଧ୍ୟ ରହିଛି । ବ୍ରାହ୍ମଣର ଗୁଣ ପରି ଶୂଦ୍ରର ଗୁଣ ମଧ୍ୟ ଏହି ଦେଶର ମର୍ଯ୍ୟାଦା ରୂପକ ଅଟ୍ଟାଳିକାଟିକୁ ଗଢ଼ିବାରେ ଆପଣାର ବହୁମୂଲ୍ୟ ଅବଦାନ ଦେଇଆସିଛି । ଗଣତନ୍ତ୍ରରେ ମଣିଷମାତ୍ରକେ ସମସ୍ତଙ୍କର ଭାଗ ଅବଶ୍ୟ ରହିଛି-। ମାତ୍ର, ଯିଏ ଭିତରେ ନିଜକୁ ନ୍ୟୂନ ଭାବୁଛି ବୋଲି ଉପରେ ଉଗ୍ରତାର ପ୍ରଦର୍ଶନ କରୁଛି ଅଥବା ଭିତରେ ଉଗ୍ରହୋଇ ରହିଛି ବୋଲି ବାହାରେ ନ୍ୟୂନତାର ଅଭିନୟ କରୁଛି, ସିଏ ଏବେ ମଧ୍ୟ ସମ୍ମାନାସ୍ପଦ ମଣିଷଟିଏ ହୋଇ ତିଆରି ହୋଇନାହିଁ । ଗଣତନ୍ତ୍ରଲାଗି, ସମାଜଲାଗି ଓ ସକଳପ୍ରକାରର ସ୍ଵାସ୍ଥ୍ୟ ଲାଗି ସିଏ ଏକ ବିପଦ ହୋଇ ରହିଛି ।

 

ତେଣୁ ଯଥାର୍ଥ ନାଗରିକ ହେବାର ଅକଲଟିକୁ ଶିଖିବାକୁ ପଡ଼ିବ ଏବଂ ଆଗ ଯଥାର୍ଥ ମଣିଷଟିଏ ନହୋଇପାରିଲେ ଯଥେଷ୍ଟ ନାଗରିକ ହେଲା ବୋଲି କିଏ କିପରି ଦାବି କରିପାରିବ ? ଏ ଦେଶରେ ଯେଉଁ ତଥାକଥିତ ପ୍ରଥମ ଶ୍ରେଣୀର ନାଗରିକମାନେ ରହିଛନ୍ତି, ସେମାନେ ଏଠାରେ ଯାବତୀୟ ଦୁଷ୍ଟତାର କାରଣ ହୋଇରହିଛନ୍ତି । ଦେଶର ଗଣତନ୍ତ୍ରକୁ ସେମାନେ ଧାଈ କରି ରଖିଛନ୍ତି, ଏ ଦେଶରେ ମଣିଷର ଭାଗ୍ୟକୁ ମେଣ୍ଢା କରି ରଖିଛନ୍ତି । ଯିଏ ଆପଣାକୁ ସବାଆଗ ପ୍ରଥମ ଶ୍ରେଣୀର ଅଥବା ଦ୍ୱିତୀୟ ଶ୍ରେଣୀର ନାଗରିକ ବୋଲି ଅନୁଭବ କରୁଛି, ସିଏ ଏଠି ଯଥାର୍ଥ ଗଣତନ୍ତ୍ରର ବିକାଶ ନିମନ୍ତେ କଦାପି ସହାୟକ ହେବନାହିଁ । ତାହାରି ଉପଦ୍ରବଦ୍ଵାରା ଏ ଦେଶରେ କେବଳ ରାଜନୀତି ନୁହେଁ ବା କେବଳ ଅର୍ଥନୀତି ନୁହେଁ, ଏ ଦେଶର ସାହିତ୍ୟ, ସଂସ୍କୃତି, ନୈତିକତା, ସଫଳତା ଏବଂ ବିଫଳତାର ଯାବତୀୟ ସଂଜ୍ଞା ଚଉକିଗୁଡ଼ାକର ସାମନାରେ ମେଣ୍ଢା ହୋଇ ରହିଛି । ପଚାଶବର୍ଷର ବନ୍ଧ୍ୟାତ୍ୱକୁ ଉପଭୋଗ କଲାପରେ ମଧ୍ୟ ସେହି ଚଉକିମାନଙ୍କୁ ତଥାପି ଲାଜ ମାଡ଼ୁନାହିଁ ।

Image

 

ବିଷାଦରୁ ବିଷୁବ

 

ଜଣେ କବି ସ୍ଵପ୍ନ ଦେଖେ । ସ୍ଵପ୍ନ ଦେଖେ ବୋଲି କବି ହୁଏ, ଅର୍ଥାତ୍ ଏକାବେଳେକେ ଏକ ଅନ୍ୟ ଦୀକ୍ଷା ଗ୍ରହଣ କରେ । ସେ ଆପଣାକୁ ନେଇ ସ୍ଵପ୍ନ ଦେଖେ, ତା’ର ଆଖି ସାମ୍ନାରେ ତାକୁ ବେଢ଼ି ରହିଥିବା ଏହି ପୃଥିବୀକୁ ନେଇ ସ୍ୱପ୍ନ ଦେଖେ । ସେ ଅତ୍ୟନ୍ତ ସଚେତନ ଭାବରେ ସ୍ଵପ୍ନ ଦେଖେ । ଏଠୁ ପଳାଇ ନ ଯିବାକୁହିଁ ସ୍ୱପ୍ନ ଦେଖେ । ସିଏ ଧରିନିଏ, ଏହି ଜଗତକୁ ଆତଯାତ କରୁଥିବା ଅର୍ଥାତ୍ ଭାଙ୍ଗୁଥିବା ଓ ଗଢ଼ୁଥିବା ଭଗବାନ ମଧ୍ୟ ଅବଶ୍ୟ ସ୍ୱପ୍ନ ଦେଖୁଥିବେ । ଭାରତୀୟ ଆଧ୍ୟାତ୍ମରେ ଜଣେ କବିହିଁ ଭଗବାନଙ୍କ ସହିତ ଅତ୍ୟନ୍ତ ନିବିଡ଼ ଭାବରେ ଏକାତ୍ମ ହୋଇ ରହିଥିବାର ଏକ ମୁହୂର୍ତ୍ତରେ ଭଗବାନଙ୍କୁ କବି ବୋଲି ବର୍ଣ୍ଣନା କରିଛି ।

 

କବି ସବାଆଗ ସ୍ଵପ୍ନ ଦେଖେ ବୋଲି କବିଟିଏ ହେବାକୁ ନିଜର ଅସଲ ଧର୍ମ ବୋଲି ଆଦରି ନିଏ । ତା'ପରେ ଯାଇ ସେ ଗଦ୍ୟ ଲେଖିବ କି ପଦ୍ୟ ଲେଖିବ, ପ୍ରାଚୀନ ହେବ କି ଆଧୁନିକ ହେବ ସେକଥାକୁ ମନ ବଳାଏ । ଶୈଳୀଟା ହୁଏତ ସବାପଛରେ ଆସେ । ନିଜର ସ୍ୱପ୍ନଗତ ସରଞ୍ଜାମଗୁଡ଼ିକୁ ଆଗ ଆପଣା ଅନୁରାଗର ବେଦୀ ଉପରେ ଠୁଳକରି ରଖିସାରିଲେ ଯାଇ ସେ ଶୈଳୀକୁ ଲୋଡ଼େ ଏବଂ ଲୋଡ଼ିବାମାତ୍ରକେ ଶୈଳୀଟିଏ, ତା’ ଲାଖି ଅର୍ଥାତ୍ ତା’ର ସ୍ୱପ୍ନଲାଖି ଶୈଳୀଟିଏ ଆସି ପହଞ୍ଚିଯାଏ । ଏପରିକି ଶବ୍ଦଗୁଡ଼ିକୁ ନେଇ ଆଦୌ ଲଣ୍ଡଭଣ୍ଡ ହେବାକୁ ପଡ଼େନାହିଁ-। ସ୍ୱପ୍ନ ମୁତାବକ ଶବ୍ଦଗୁଡ଼ିକ ସତେଅବା ଆପେଆପେ ଆସି ପହଞ୍ଚି ଯାଉଥାନ୍ତି ।

 

ଏହି ପୃଥିବୀକୁ ନେଇ ସ୍ଵପ୍ନ, ସାହିତ୍ୟର, ଯାବତୀୟ କବିତାର ତାହାହିଁ ସବୁଠାରୁ ବଡ଼ ଲକ୍ଷ୍ୟ । ପୃଥିବୀକୁ ନେଇ ପୂର୍ଣ୍ଣତାର ସ୍ଵପ୍ନ,–ଅର୍ଥାତ୍ ଏପରି ଏକ ନିକଟ ସମ୍ବନ୍ଧର ସ୍ଵପ୍ନ, ଯେଉଁଠାରେ କେହି କାହାକୁ ବର୍ଜନ କରିବେ ନାହିଁ, କେହି କାହାକୁ ଗିଳିପକାଇବେ ନାହିଁ । ଏପରି ଏକ ପୃଥିବୀ, ଯେଉଁଠାରେ ଘୃଣା କରିବା ବଦଳରେ ମଣିଷ ଭଲ ପାଇବାକୁହିଁ ଅଧିକ ସ୍ୱାଭାବିକ ବୋଲି ମନେକରୁଥିବ । ଆପଣାକୁ ଗୋଟାସୁଦ୍ଧା କପଟଶୂନ୍ୟ ଭାବରେ ଖୋଲି ଦେବାକୁ ଆପଣାକୁ ଲୁଚାଇ ରଖିବା ଅପେକ୍ଷା ସେ ଅଧିକ ହିତକର ଏବଂ ସୁସ୍ଥ ବୋଲି ଜାଣିଥିବ । କିଞ୍ଚିତ୍‍ ଅଧିକ ସ୍ଥୂଳ ଭାବରେ କହିଲେ, ସମସ୍ତଙ୍କର ପେଟ ପୂରୁଥିବ, ହୃଦୟର ଉତ୍ତରୋତ୍ତର ଅନୁଶୀଳନ ଲାଗି ଯେଉଁଠି ପର୍ଯ୍ୟାପ୍ତ ଅବସର ରହିଥିବ, ସାଧନଗୁଡ଼ିକବି ରହିଥିବ । ଯେଉଁଠି ସମ୍ମାନ ଦେଇ ହେଉଥିବ ଓ ସମ୍ମାନ ପାଇହେଉଥିବ । ଏବଂ ଗୋଟିଏ କଥାରେ କହିଲେ, ଆମ ଭିତରେ ସତେଅବା ଯୁଗଯୁଗର ଖଳତାଦ୍ୱାରା ଲାଳିତ ହୋଇ ଆସିଥିବା ଅର୍ଦ୍ଧସତ୍ୟମାନେ ଅସଲ ସତ୍ୟଗୁଡ଼ିକୁ ବାଟ ଛାଡ଼ିଦେଉଥିବେ । ଆମ ଅନ୍ଦାଜ ଓ ଆକଳନର ବୃତ୍ତଗୁଡ଼ିକ ସତତ ସଂପ୍ରସାରିତ ହେବାରେ ଲାଗିଥିବେ । ସାହିତ୍ୟ ଯୁଗେଯୁଗେ ତପସ୍ୟା କରିଆସିଛି, ଯେପରି ତାହା ଏହିଭଳି ଏକ ଅନ୍ୟ ପୃଥିବୀକୁ ଧରାତଳ ଯାଏଁ ଅବତୀର୍ଣ୍ଣ କରାଇ ଆଣିପାରିବ । ସେ ମୁଖ୍ୟତଃ ନିମିତ୍ତ ହେବ, ଯାବତୀୟ ଅଳ୍ପତା ଓ ଅହଂକାରିତାର ଗର୍ବକୁ ଖର୍ବ କରିବାରେ ତାହା ସତକୁସତ ଶକ୍ତିମନ୍ତ ଭାବରେ ନିମିତ୍ତ ହୋଇପାରିବ ।

 

ଆମର ସାହିତ୍ୟ ତା’ର ଆଧୁନିକ ପର୍ଯ୍ୟାୟକୁ ଆସି ସ୍ଵପ୍ନ, ସଂକଳ୍ପ ଏବଂ ପ୍ରତିଶ୍ରୁତିର କଥା ଯେତେ କହୁନାହିଁ, ସଂଶୟର କଥାକୁ ଶହେଗୁଣ ଅଧିକ କହୁଛି । ବିଶ୍ଵାସର କଥା ଯେତେ କହୁନାହିଁ, ଅବିଶ୍ୱାସର କଥାକୁ ତା’ଠାରୁ ଶହେଗୁଣ ଅଧିକ ଧିସାରେ କେତେ ବଡ଼ପାଟିରେ କହିବାରେ ଲାଗିଛି । ଯେଉଁସବୁ ଆକାଂକ୍ଷା ମଣିଷକୁ ପରସ୍ପରର ଅଧିକ ନିକଟବର୍ତ୍ତୀ କରିଆଣୁଥାନ୍ତା, ସାହିତ୍ୟ ସେଗୁଡ଼ିକର କଥା ଯେତେ କହୁନାହିଁ, ମଣିଷକୁ ମଣିଷଠାରୁ ଯାହାସବୁ ଅଧିକରୁ ଅଧିକ ଦୂରବର୍ତ୍ତୀ କରି ରଖିବାର ଚକ୍ରାନ୍ତ କରୁଛି, ଆଧୁନିକ ସାହିତ୍ୟ ସତେଅବା ସେଗୁଡ଼ିକର କଥା ଅଧିକ ପରିମାଣରେ କହିପାରୁଛି । କେତେ ଫେଣେଇକରି ସେସବୁକୁ କହୁଛି; ଅତ୍ୟନ୍ତ ବିଚକ୍ଷଣ ଭାବରେ ସେ ସେଗୁଡ଼ିକ ନିମନ୍ତେ ନୂଆ ନୂଆ ଶୈଳୀର ଉଦ୍ଭାବନ କରୁଛି । ପ୍ରୀତିର ଯୋଗ୍ୟହୋଇ ପାରୁନାହିଁ ବୋଲି ରୀତିର ଜଙ୍ଗଲ ଭିତରେ ବହୁ ପ୍ରକୁପିତ ହୋଇ ରହିବା ଲାଗି ସେ ସତେଅବା ଅଧିକ ପୁଲକ ଅନୁଭବ କରୁଛି । ସେ ବଞ୍ଚୁଥିବା ଜୀବନଟି ସହିତ ଜଣେ ସାହିତ୍ୟିକ ଲେଖୁଥିବା ସାହିତ୍ୟର ସତେଅବା ନିୟମତଃ ପ୍ରାୟ କୌଣସି ସମ୍ବନ୍ଧ ନାହିଁ । ମଣିଷ କ’ଣଟିଏ ହେବ ବୋଲି ସ୍ୱପ୍ନ ଦେଖି ସିନା କ’ଣଟିଏ ଲେଖନ୍ତା, ସେହି ଲେଖାଟିକୁ ପାଠକରି ଅନ୍ୟମାନେ ମଧ୍ୟ ତାକୁ ନିବିଡ଼ଭାବେ ଚିହ୍ନିବା ଲାଗି ବାଟଟିଏ ପାଇଯାଉଥାନ୍ତେ । ତାହାଦ୍ୱାରା ଆମ ସାମୂହିକ ଜୀବନର ସବୁ କ୍ଷେତ୍ରରେ ଏକ ଯଥାର୍ଥ ଆତ୍ମୀୟତା ସମ୍ଭବ ହେଉଥାନ୍ତା । ସାହିତ୍ୟ ଆମକୁ ବାଟ ଚାଲିବାପାଇଁ ପ୍ରେରଣା ଦେଉଥାନ୍ତା, ଆମର ଯଥାର୍ଥ ଗଭୀରରେ ଉନ୍ମୋଚନ ଲାଗି ଅପେକ୍ଷା କରିଥିବା ସାହସୀଟିକୁ ଗୁହାମୁକ୍ତ କରିବାରେ ସାହାଯ୍ୟ କରୁଥାନ୍ତା । ଏବେ ଲେଖା ହେଉଥିବା ଗଦାଗଦା ସାହିତ୍ୟ ଆମେ ନିଜ ପାଖରେ ସତେଅବା ନିଜେ ଲୁଚି ରହିବା ଲାଗି ଆମକୁ ଅଧିକ କୃତ୍ରିମ କରୁଛି, ଆମ ହୃଦୟର ଯାବତୀୟ ବୁଦ୍ଧି ଓ ବୃତ୍ତିକୁ ସତେଅବା ଭୀରୁ ହୋଇ ରହିବାପାଇଁ ଓ ବହୁବିଧ ଚତୁରତାଦ୍ଵାରା ସେହି ଭୀରୁତାକୁ ଢାଙ୍କି ରଖିବାପାଇଁ ପ୍ରୋତ୍ସାହନ ଦେଉଛି । ଆମ ଭଗବାନକୁ ଆମଠାରୁ ଦୂରଛଡ଼ା କରି ନେଇଯାଉଛି ।

 

ଏବଂ ଆମ ଚାରିପାଖର ପୃଥିବୀଟାକୁ ଆମର ସତେଅବା ମୋଟେ କଳ ପାଉନାହିଁ । ଆମ ଅକଲର ସକଳ ସ୍ତମ୍ଭକୁ ସତେଅବା ଏକାବେଳେକେ ଉତ୍ପାଟିତ କରି ଦେବା ଭଳି କେତେକେତେ ଘଟଣା ଏହି ପୃଥିବୀରେ ପ୍ରତ୍ୟହ ଘଟୁଛି । ଅଥଚ ସେଗୁଡ଼ିକୁ ଆମର କୌଣସି ବଳ ପାଉନାହିଁ । ମଣିଷ ଭିତରେ ଦେବତା ରହିଛି ବୋଲି ସାହିତ୍ୟ ସିନା କାଳେ କାଳେ କେଡ଼େ ପୁଲକିତ ଭାବରେ କହିଆସିଥିଲା, ଏବେ ମଣିଷମାନଙ୍କ ଭିତରୁ ପାଷଣ୍ଡଟାହିଁ ପଦାକୁ ବାହାରି ଆସିବା ପରି ମନେହେଉଛି ଓ ପୃଥିବୀର ଭଲ ମଣିଷମାନଙ୍କୁ ବକାକରି ରଖିଛି । ମଣିଷ ସହିତ ମଣିଷକୁ ଏକଜୁଟ କରି ଆଣିବାର ଅଭିପ୍ରାୟରେ ପୃଥିବୀର ଧର୍ମମାନେ କେଡ଼େ ଦମ୍ଭକରି ବାହାରିଥିଲେ; ଏବେ ଗୋଟାଏ ଧର୍ମର କୁହାଳିଆମାନେ ଆଉ ଗୋଟାଏ ଧର୍ମର କୁହାଳିଆମାନଙ୍କ ଆଡ଼କୁ ବାଡ଼ି ଦେଖାଉଛନ୍ତି ଅଥବା ଖଣ୍ଡା ଉଞ୍ଚାଉଛନ୍ତି । ଯେଉଁମାନେ ଆପଣାକୁ ମୌଳବାଦୀ ବୋଲି କହୁଛନ୍ତି, ସେମାନେ ଆଉ ପାଟିରେ କଥା ନ କହି ବୋମା ଓ ବନ୍ଧୁକରେ କଥା କହିଲେଣି । ରାଜନୀତିରେ ଆଉ ନୀତିହିଁ ନାହିଁ, ନିତାନ୍ତ ନିଲଠାମାନେ ସେଠି ନେତା ହୋଇଛନ୍ତି ଓ ପୃଥିବୀ ରସାତଳକୁ ଯାଉ ପଛକେ, ସେମାନେ ତଥାପି କ୍ଷମତାରେ ରହନ୍ତୁ ବୋଲି ନୀତି ଧରି ଭଳିଭଳି ଗଦ ଶୁଙ୍ଘାଇବାରେ ଲାଗିଛନ୍ତି । ବିଦ୍ୟାଳୟମାନଙ୍କରେ କାଲିକାର ଗୁଣ୍ଡାମାନେ, ଧୂର୍ତ୍ତମାନେ ଏବଂ କାମାତୁରମାନେ ତିଆରି ହେଉଛନ୍ତି । ଅଧ୍ୟାପକ ଅଛନ୍ତି, କୋଠାଗୁଡ଼ାକ ରାଣୀହଂସପୁର ପରି ଦିଶୁଛନ୍ତି; ମାତ୍ର ବିଦ୍ୟା ନାହିଁ । କବି ଏ ସବୁକୁ ଦେଖୁଛି, ମାତ୍ର କିଛି କରିପାରୁନାହିଁ । ଲେଖକ ଅନୁକ୍ଷଣ ତାହାରି ଭିତରେ ରହିଚି । ମାତ୍ର ସତେଅବା କେଉଁ କ୍ରୂରକାଳର ଆଦେଶରେ ତା’ ସାହିତ୍ୟର ଆରାଧ୍ୟ ଦେବତାଙ୍କର ମୂଷ୍ମଛେଦନ ହୋଇଥିବା ପରି ସେ କିଛି କରିପାରୁନାହିଁ ।

 

ସମ୍ଭବତଃ ଆପଣାର ଅସଲ ସାହସ, ସାମର୍ଥ୍ୟ ଏବଂ ପ୍ରତ୍ୟୟଟିକୁ ହରାଇବସିଛି ବୋଲି ସାହିତ୍ୟିକ ଏବେ ସାହିତ୍ୟ ମାଧ୍ୟମରେ ଉତ୍ସବକୁ ମନ କରୁଛି । ଉତ୍ସବକୁ ମନ କରିବାର ଭୋଳ ଭିତରେ ସେ ଆପଣାର ଅସାମର୍ଥ୍ୟଗୁଡ଼ିକୁ ପାସୋରିଦେବାକୁ ଇଚ୍ଛା କରୁଛି । ସାହିତ୍ୟିକ କିମ୍ବା କବି କୌଣସି ସମାଜରେ ଏକ ସ୍ୱତନ୍ତ୍ର ଶ୍ରେଣୀର ଅଲଗା ଜୀବ ହୋଇ ରହି ନଥାନ୍ତି । ସେମାନଙ୍କ ଭିତରୁ କିଏ ଅଧ୍ୟାପକ ହୋଇଥାଏ, କିଏ ରାଜନୀତିରେ ଥାଏ, କିଏ ଚାକିରି କରି ଶାସନର କଳକୁ ଚଲାଇବାରେ ନିଯୁକ୍ତ ହୋଇରହିଥାଏ । ଏବଂ ସେମାନେ ସମସ୍ତେ ନିଜ ନିଜ ପରିଚୟର ଅସଲ ବୃତ୍ତରେ ବାପାମାଆ ହୋଇରହିଥାନ୍ତି, ଭଉଣୀ, ଭାଇ ହୋଇ ରହିଥାନ୍ତି । ସେମାନେ ପରସ୍ପରର ସୁହୃତ୍ ହୋଇରହିଥାନ୍ତି । ଏବେ ସେମାନେ ନିଜର ଅସଲ ଶକ୍ତି ଓ ସନ୍ତକଗୁଡ଼ିକୁ କେଉଁଠି ହଜାଇ ଦେଇଆସିଛନ୍ତି କେଜାଣି, ତଜ୍ଜନିତ ବିଷାଦଟିକୁ ଭୁଲିବା ଲାଗି ଆପଣା ପାଖରେ ନିତାନ୍ତ ଦାୟିତ୍ୱହୀନ ଭାବରେ ବାଆଁରେଇ ଦେବାଲାଗି ସେମାନେ ଅଧିକରୁ ଅଧିକ ଉତ୍ସବକୁ ମନ କରୁଛନ୍ତି-। ଆଗେ ବିଷୁବ କହିଲେ, ଓଡ଼ିଶାର ମାତ୍ର ଗୋଟିଏ ଜାଗାରେ ସବୁ ସାହିତ୍ୟିକଙ୍କୁ ଏକାଠି ଆଣି ବସାଇବାର ଉଦ୍ୟମଟିକୁ ବୁଝାଉଥିଲା । ସେତେବେଳେ ମଧ୍ୟ ତାହା ଅଲବତ୍ ଏକ ଉତ୍ସବ ପରି ଲାଗୁଥିଲା ସତ, ମାତ୍ର ତଥାପି ଉଦ୍ୟମଟିଏ ମଧ୍ୟ ଅତ୍ୟନ୍ତ ସାକାର ଭାବରେ ରହିଥିଲା-। ଏବେ ବିଷୁବ ଏକ ସଂକ୍ରାମକ ବିସ୍ମରଣରେ ପରିଣତ ହେଲାଣି । ଅଧିକାଂଶତଃ ଏକ ଉତ୍ସବ ଭିତରେ ପଶି ହେରେସା ହେଲାଣି । ଯେଝା ଦରବାରରେ ନିଜେ ରଜାହୋଇ ବସିବାର ସତେଅବା ଏକ ଭେଳିକିରେ ପରିଣତ ହେଲାଣି । ଯିଏ ଯାହା ନୁହନ୍ତି ବା ଯାହା ହେବାକୁ ମୋଟେ ଇଚ୍ଛା କରୁନାହାନ୍ତି, ସେମାନେ ବିଷୁବର ଦରବାରରେ ସେହି କଥାଗୁଡ଼ିକୁ କହୁଛନ୍ତି, ସତେଅବା ନିଜ ଭିତରର ବିଷାଦଟିକୁ ଲୁଚାଇ ରଖିବାର ଅଭିପ୍ରାୟରେ ସେମାନେ ଏପରି ଏକ ଶୈଳୀକୁ ଆଦରି ନେଇଛନ୍ତି । ବଡ଼ ବଲବଲ ଭାବରେ ଧରାପଡ଼ି ଯାଉଛନ୍ତି ।

 

ବିଷାଦକୁ, ଆପଣାର ଅସଲ ଅସାମର୍ଥ୍ୟଗୁଡ଼ିକୁ ଘୋଡ଼ାଇ ରଖିବାକୁ ବିଷୁବର ଉତ୍ସବ ସତେଅବା ଏକ ଆବରଣ ଯୋଗାଇ ଦେଉଛି । ଆମେ ଆମର ଅସଲ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହୋଇପାରୁନାହୁଁ, ଆମର ଅସଲ ଦେବତାମାନଙ୍କ ପାଖରେ, ଅସଲ ଜବାବଦେହି ହେଇପାରୁନାହୁଁ-। ତେଣୁ ଉତ୍ସବରେ ମାତିଛୁ, ପୁରସ୍କାରରେ ମାତିଛୁ । ଆମକୁ ଏହିପରି ଏକ ବିସ୍ମରଣ ଭିତରେ ଏଡ଼େ ଏଡ଼େ ଶିଙ୍ଗ ବାହାର କରି ନାଚିବାକୁ ପୂର୍ଣ୍ଣ ଉତ୍ତେଜକଟିଏ ଯୋଗାଇଦେବାକୁ ଆମ ଦେଶରେ ଭଳିଭଳି ପୁରସ୍କାରର ସୁକୁଟ ଦେଖାଇବାର ଅତିସମର୍ଥମାନେ ଅଧିକରୁ ଅଧିକ ସଂଖ୍ୟାରେ ବାହାରିଲେଣି । କବିତା କବିମାନଙ୍କୁ ଏକ ଶୌର୍ଯ୍ୟର ପାରସ୍ପରିକତା ଭିତରକୁ ଆମନ୍ତ୍ରଣ କରି ଆଣନ୍ତା । ସାହିତ୍ୟ ସାହିତ୍ୟିକମାନଙ୍କୁ ଏକତ୍ର କରାନ୍ତା; କପଟ ଭୁଲାନ୍ତା, ଶକ୍ତି ବଢ଼ାନ୍ତା-। ଏକ ପାଷଣ୍ଡ କାଳ ଓ ତା’ର ଦଣ୍ଡଧାରୀମାନଙ୍କୁ ଉପଯୁକ୍ତ ଜବାବ ଦେବାଲାଗି ଉତ୍ତରୋତ୍ତର ବଳ ଦେଉଥାନ୍ତା । ମାତ୍ର ଦୁର୍ଭାଗ୍ୟବଶତଃ, ଆମ ଭିତରେ ଆମକୁ କୋରି ପକାଉଥିବା ବିଷାଦଗୁଡ଼ିକ ଆମକୁ ଉତ୍ସବ ଭିତରେ ଭଣ୍ଡାଇ ରଖିଛି । ଏହି ରାତିଗୁଡ଼ାକୁ ତାହା ଦୀର୍ଘ କରିବାରେହିଁ ସାହାଯ୍ୟ କରୁଛି । ଆମ ଉତ୍ସବମାନେ ଆମକୁ ଯୁଗଟାକୁ ଠକି ଦେବାର ଆମର ଯାବତୀୟ ଫିସାଦରେ କେତେ ପ୍ରରୋଚନା ଯୋଗାଇ ଦେଉଛନ୍ତି । ଭୁଲି ରହିଲେ ବିଷାଦ କଟେନାହିଁ, ସଚେତନ ହୋଇପାରିଲେ କଟେ । ଅଭିନୟ ନ କରିବା ଲାଗି ପଣ କରି ବାହାରିଲେ ବିଷାଦ କଟେ-। ମଣିଷମାତ୍ରକେ ସବୁରି ଭିତରେ ରହିଥିବା ଉଜ୍ଜ୍ୱଳତା ଲାଗି ବାଟ ଫିଟିଯାଏ । ଏବଂ ପରସ୍ପର ଭିତରେ ସେହି ଉଜ୍ଜ୍ୱଳତାକୁ ଠାବ କରି ବାହାରିଥିବା ସମଧର୍ମୀମାନେହିଁ ସାହିତ୍ୟର, ଜୀବନର ଓ କାଳର ମହତ ରଖିବାରେ ସମର୍ଥ ହୁଅନ୍ତି । ଅସଲ କବି, ଅସଲ ଲେଖକ ତା’ ଜୀବନର ସଂକଳ୍ପଗୁଡ଼ିକୁ ବଢ଼ାଉ, ସିଏ ଯାହା ଲେଖୁଛି, ତାହା ଦେବାକୁ ଚେଷ୍ଟା କରୁ, ଢାଙ୍କୁଣିଗୁଡ଼ିକ ଯେଡ଼େ ଚକଚକ ଦେଖାଯାଉଥିଲେ ମଧ୍ୟ ସିଏ ସେଗୁଡ଼ିକୁ ବିଦୀର୍ଣ୍ଣ କରି ସତ୍ୟର ଉନ୍ମୋଚନ ଘଟାଉ-। ତା’ର ଅସଲ ପୂର୍ଣ୍ଣତା ସେ ସେତିକିବେଳେ ପାଇବ ।

Image

 

ଆନ୍ଦୋଳନ ସଫଳ

 

ପିଲାଙ୍କର ପରୀକ୍ଷା ନସୁରୁଣୁ ଅଧ୍ୟାପକମାନେ ସେମାନଙ୍କର ପରୀକ୍ଷା ଖାତା ଦେଖିବେ ନାହିଁ ବୋଲି ନୋଟିନ୍ ଦେଇସାରିଲେଣି । ଧରଣୀରେ ବସନ୍ତକାଳ ସମାଗତହେବା ପୂର୍ବରୁ ପିକମାନେ ଏଥର କୁହୁ କୁହୁ କରିବେ ନାହିଁ ବୋଲି ନୋଟିସ୍ ଜାରି କରିଦେଲେ ଦାଣ୍ଡକୁ ଯେପରି ଲାଗନ୍ତା ଇଏ ପ୍ରାୟ ସେହିପରି ଲାଗୁଛି । ଧର୍ମଘଟର ମୂଳ ସଂସ୍କାରଟି ଗତ ଶତାବ୍ଦୀର ଇଉରୋପର କାରଖାନାମାନଙ୍କରେ ଶ୍ରମିକମାନଙ୍କଦ୍ୱାରା ଆରମ୍ଭ ହୋଇଥିଲା । ସେତେବେଳେ କାରଖାନାରେ ମାଲିକମାନେ ଶ୍ରମିକମାନଙ୍କୁ ଶ୍ରମ ଖଟୁଥିବା ଗୋଟିଏ ଗୋଟିଏ ମେସିନପରି ଦେଖୁଥିଲେ ଓ ସେମାନଙ୍କୁ ଅକଥନୀୟ ଭାବରେ ଶୋଷଣ କରୁଥିଲେ । ତେଣୁ ଶ୍ରମିକମାନେ ସେହି ଶୋଷଣ ବିରୋଧରେହିଁ ସଂଗ୍ରାମ କରୁଥିଲେ ଏବଂ ଧର୍ମଘଟ ସେହି ସଂଗ୍ରାମରେ ଏକ ଆୟୁଧରୂପେ ବ୍ୟବହୃତ ହେଉଥିଲା । କାରଖାନାର ମାଲିକଙ୍କ ସହିତ ତାଙ୍କର ଶୋଷଣ ପ୍ରକ୍ରିୟାରେ ଅସହଯୋଗ କରିବାର ଅଭିପ୍ରାୟରେ ସେତେବେଳେ ଧର୍ମଘଟ ଏକ ଅସ୍ତ୍ରରୂପେ ଉଦ୍ଭାବିତ ହୋଇଥିଲା । ସେହି ଅସ୍ତ୍ରଟି ଏବେ ମଧ୍ୟ ମାଲିକମାନଙ୍କ ବିରୋଧରେ ପ୍ରୟୋଗ କରାଯାଉଛି । ଏହି ଅସ୍ତ୍ରର ଏକାଧିକ ପ୍ରୟୋଗଦ୍ୱାରା ଶ୍ରମିକମାନେ ଗତ ପ୍ରାୟ ଗୋଟିଏ ଶହ ବର୍ଷରେ ଆପଣାପାଇଁ ବହୁ ଅଧିକାର ହାସଲ କରିପାରିଛନ୍ତି । ସମଗ୍ର ପୃଥିବୀରେ ହାସଲ କରିଛନ୍ତି, ଭାରତବର୍ଷରେ ମଧ୍ୟ ହାସଲ କରିଛନ୍ତି । ସର୍ବୋପରି ପୃଥିବୀର ଶ୍ରମସମ୍ବନ୍ଧ କ୍ଷେତ୍ରରେ ମାନବିକତା ବଢ଼ାଇବାରେ ତାହା ପ୍ରଭୂତ ସହାୟତା କରିଆସୁଛି ।

 

ଶିକ୍ଷାନାମକ କାରଖାନାରେ ଶିକ୍ଷକମାନଙ୍କୁ କେତେଦୂର ଜଣେ ଜଣେ ଶ୍ରମିକ ବୋଲି କୁହାଯାଇପାରିବ, ସେହି ବିଷୟରେ ଭିନ୍ନ ଭିନ୍ନ ମତ ଅବଶ୍ୟ ରହିବ । ଶିକ୍ଷାର କ୍ଷେତ୍ରଟି ଆଗ ଏକ କାରଖାନାରେ ପରିଣତ ହୋଇଯିବାକୁ ମନ କରିବାରୁ ଶିକ୍ଷକମାନେ କ୍ରମେ ଆପଣାକୁ ଶ୍ରମିକବତ୍ ଭାବିବାକୁ ଆରମ୍ଭ କଲେ ଅଥବା କେତେକ ତାତ୍କାଳିକ ଅପପ୍ରେରଣାର ପାଲରେ ପଡ଼ି ଶିକ୍ଷକମାନେ ଏକ ପଲ ହିସାବରେ ଆପଣାକୁ ଏକ ଶ୍ରମିକଗୋଷ୍ଠୀ ବୋଲି ମନେ କରିବାରୁ ଓ ତଦନୁରୂପ ଆଚରଣ କରିବାରୁ ଆମ ଦେଶରେ ଶିକ୍ଷାର କ୍ଷେତ୍ରଟି କ୍ରମଶଃ ଗୋଟିଏ କାରଖାନାରେ ପରିଣତ ହୋଇଗଲା, ସେଥିରେ ମଧ୍ୟ ଭିନ୍ନ ଭିନ୍ନ ମତର ଅବଶ୍ୟ ଅବକାଶ ରହିବ । ମାତ୍ର ଶ୍ରମିକମାନେ ଯେପରି ସେମାନଙ୍କର ମାଲିକମାନଙ୍କ ସହିତ ଲଢ଼ାଇ କରୁଛନ୍ତି, ଆମ ଶିକ୍ଷକମାନଙ୍କର ଲଢ଼ାଇ ସେହିପରି ସେମାନେ ଯାହାର ଦାନା ଖାଉଛନ୍ତି, ସେହି ସରକାରଙ୍କ ସହିତ ହେବାହିଁ ଉଚିତ । ମାତ୍ର, ଦୁର୍ଭାଗ୍ୟବଶତଃ, ଶିକ୍ଷାର କ୍ଷେତ୍ରରେ ଏକ ତୃତୀୟ ପକ୍ଷବି ରହିଛି, ଯାହାକୁ ଆମେ ଛାତ୍ରମାନଙ୍କର ପକ୍ଷ ବୋଲି କହିପାରିବା । ପିଲା ସବୁ ଦେଶରେ ଅଛନ୍ତି ଏବଂ ପିଲାମାନଙ୍କୁ ପର୍ଯ୍ୟାୟକ୍ରମେ ସେମାନଙ୍କ ଲାଗି ଆବଶ୍ୟକ ହେଉଥିବା ଶିକ୍ଷା ପ୍ରଦାନ କରିବା, ସବୁ ଦେଶରେ ରାଷ୍ଟ୍ରର ଏକ ଦାୟିତ୍ୱ ହୋଇ ରହିଛି । ପରମ୍ପରାକ୍ରମେ ଏହା ଏକଦା ସମାଜର ଦାୟିତ୍ୱ ହୋଇ ରହିଥିଲା । ମାତ୍ର ପାରମ୍ପରିକ ସମାଜରେ ସାନ, ବଡ଼, ନିମ୍ନ ଓ ଉଚ୍ଚ ବହୁ ଶ୍ରେଣୀ ତଥା ସ୍ୱାର୍ଥ ରହିଥିବାରୁ ସେତେବେଳେ କୁଳ ଅନୁସାରେ, ବର୍ଣ୍ଣ ଓ ସାମାଜିକ ସ୍ଥାନ ଅନୁସାରେ ଶିକ୍ଷା ବା ତଥାକଥିତ ଶିକ୍ଷା କେବଳ କେତୋଟି ଶ୍ରେଣୀର ଏକଚାଟିଆ ହୋଇ ରହିଥିଲା । ଆଧୁନିକ ରାଷ୍ଟ୍ରବ୍ୟବସ୍ଥାରେ ମଣିଷମାତ୍ରେ ସମସ୍ତଙ୍କୁ କୌଣସି ଦେଶର ନାଗରିକ ବୋଲି ଗ୍ରହଣ କରିବାର ରୀତିଟି ପ୍ରଚଳିତ ହେବାପରେ ପ୍ରତ୍ୟେକ ସମାଜରେ ଅଧିକ ରାଜନୀତିକ ସଚେତନତା ରହିଛି, ସେଠାରେ ସମାଜର ପ୍ରତ୍ୟେକ ପିଲାର ଶିକ୍ଷା ନ୍ୟାୟତଃ ରାଷ୍ଟ୍ରର ଦାୟିତ୍ୱରୂପେ ପରିଗଣିତ ହେଉଛି-

 

ଓଡ଼ିଶାରେ ଅଧ୍ୟାପକମାନେ ସେମାନଙ୍କର ସଂଘ ତରଫରୁ ଘୋଷଣା କରିଦେଲେଣି ଯେ ସେମାନଙ୍କର ଦାବିଗୁଡ଼ିକ ସରକାର ପୂରଣ ନ କରିବା ପର୍ଯ୍ୟନ୍ତ ସେମାନେ ପରୀକ୍ଷାଖାତା ଦେଖିବାର କାର୍ଯ୍ୟଟିକୁ ବର୍ଜନ କରିବେ । କେତେ ଜାଗାରେ ସେମାନେ ସେହି ନିଷ୍ପତ୍ତଟିକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଲେଣି । ଏହି କାର୍ଯ୍ୟଟିକୁ ସେମାନେ ଆନ୍ଦୋଳନ ବୋଲି କହୁଛନ୍ତି ଏବଂ ଏହି ଆନ୍ଦୋଳନଟି ପ୍ରତ୍ୟାଶା ମୁତାବକ ସଫଳ ହେଲାଣି ବୋଲି ଖବରକାଗଜରେ ଆନ୍ଦୋଳନର ସ୍ଥାନୀୟ ସେନାପତିମାନଙ୍କ ତରଫରୁ ବିବୃତିମାନ ବାହାରିଲାଣି ।

 

କାରଖାନାରେ ମାଲିକ ଓ ଶ୍ରମିକମାନେ ଲଢ଼ୁଛନ୍ତି, ସେଥିରେ କାହାରି ଆଦୌ କିଛି କହିବାକୁହିଁ ରହୁନାହିଁ । ମାତ୍ର, ଶିକ୍ଷକମାନଙ୍କର ପରୀକ୍ଷାଖାତା ଦେଖିବାକୁ ବର୍ଜନ କରିବାର ଆନ୍ଦୋଳନରେ ପରୀକ୍ଷାର୍ଥୀ ଛାତ୍ରମାନଙ୍କର ଏକ ତୃତୀୟ ପକ୍ଷ ରହିଯାଉଛି, ଯେଉଁମାନଙ୍କର କି ଶିକ୍ଷକମାନଙ୍କ ପ୍ରତି କରାଯାଇଥିବା ବା ଯାଉଥିବା ଅନ୍ୟାୟରେ ସେମାନେ ଯେପରି ଭାବୁଛନ୍ତି, ଆଦୌ କୌଣସି ଭାଗ ନାହିଁ । ବିଚରା ପରୀକ୍ଷାର୍ଥୀ ଛାତ୍ରମାନେ ଶିକ୍ଷକମାନଙ୍କ ପ୍ରତି କୌଣସି ଅପରାଧ କରିନାହାନ୍ତି; ବରଂ ସେମାନେ ଅଧିକ ଭଲ ଭାବରେ ସ୍ଥିରୀକୃତ ପରୀକ୍ଷାଗୁଡ଼ିକୁ ଦେବା ନିମନ୍ତେ ସେହି ଶିକ୍ଷକମାନଙ୍କ ପାଖରେହିଁ ଘରୋଇ ଭାବରେ ଅଧିକ ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ତଦ୍ଦ୍ୱାରା ନିଶ୍ଚିତ ଭାବରେ ଆର୍ଥିକ ହିସାବର କ୍ଷେତ୍ରରେବି ଶିକ୍ଷକମାନଙ୍କୁ ଅବଶ୍ୟ ଉପକୃତ କରିଛନ୍ତି-। ସେମାନେ ନିଜ ଗୁରୁଦେବମାନଙ୍କର କୌଣସି ଅକଲ୍ୟାଣ ଚିନ୍ତା କରିନାହାନ୍ତି-। ଏକାଧିକ ପ୍ରକାରେ ସେମାନେ ଏହି ପୃଥିବୀରେ ଗୁରୁର ଭୂମିକାଟିକୁ ଅମର କରି ରଖିବାରେ ସାହାଯ୍ୟ କରିଛନ୍ତି । ଆପଣାର ସାମୀପ୍ୟ ପ୍ରଦାନ କରି ସେମାନେ ଗୁରୁମାନଙ୍କୁ ବୁଢ଼ାହେବା ପର୍ଯ୍ୟନ୍ତବି ତରୁଣ ହୋଇ ରହିବାରେ ପ୍ରଚୋଦକରୂପେ କାର୍ଯ୍ୟ କରିଛନ୍ତି । ତେଣୁ ସରକାରଙ୍କ ସହିତ ସମର କରି ବାହାରିବାବେଳେ ଶିକ୍ଷକମାନେ ତଥାପି କାହିଁକି ଯେ ସବାଆଗ ଛାତ୍ରମାନଙ୍କ ଉପରେହିଁ ପ୍ରତିଶୋଧ ନେଉଛନ୍ତି, ତାହା ପ୍ରକୃତରେ ମୋଟେ ବୁଝି ହେଉନାହିଁ । ଏହିସବୁ ଛକାପଞ୍ଝା ସମରରେ ବିଚରା ଛାତ୍ରକୁଳହିଁ ସବାଆଗ ମାଡ଼ ଖାଉଛନ୍ତି । ଗୁରୁମାନେ ଏପରି କୌଣସି ତରକୀବ ବାହାର କରି ପାରନ୍ତେ ନାହିଁ, ଯାହାଦ୍ୱାରା ସେମାନଙ୍କର ଲଢ଼େଇ ସତକୁସତ ସରକାରଙ୍କ ସହିତ ଚାଲନ୍ତା ଏବଂ ତଦ୍ଦ୍ୱାରା ଛାତ୍ରମାନେ ଆଦୌ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୁଅନ୍ତେ ନାହିଁ ? ଶ୍ରମିକମାନଙ୍କର ଲଢ଼େଇ ସେମାନଙ୍କର ମାଲିକମାନଙ୍କ ସହିତ ଚାଲନ୍ତା । ମାତ୍ର ସେହି ଲଢ଼େଇ ଛାତ୍ରମାନଙ୍କ ଉପରେ ଆଦୌ କୌଣସି ବାଦ ସାଧନ୍ତା ନାହିଁ । ଲଢ଼େଇ ଯାହା ସହିତ ଚାଲିବାର ଚାଲିଥାନ୍ତା, ସେଠି ହାରଜିତ ନିରନ୍ତର ଲାଗି ରହିଥାଆନ୍ତା, ମାତ୍ର ଛାତ୍ରମାନେ ପାଠ ପଢ଼ୁଥାଆନ୍ତେ, ପରୀକ୍ଷା ଦେଉଥାଆନ୍ତେ, ସେମାନଙ୍କର ଖାତାକୁ ସମୟ ଅନୁସାରେ ସାଧୁତାର ସହିତ ଦେଖା ହେଉଥାନ୍ତା-। ତେବେ ଛାତ୍ରମାନଙ୍କର ଶୁଭନିଃଶ୍ୱାସ ପଡ଼ି ଶିକ୍ଷକମାନେ ସମ୍ଭବତଃ ଅଧିକ ଯଥାର୍ଥ ସଫଳତାମାନ ହାସଲ କରୁଥାନ୍ତେ ଏବଂ ଏକ ସମଷ୍ଟି ବା ଗୋଷ୍ଠୀ ହିସାବରେ ହୁଏତ ଅଧିକ ସମ୍ମାନ ଲାଭ କରୁଥାନ୍ତେ ।

 

ଗତ ଗୋଟିଏ ବା କେତେଟା ପୁରୁଷ ଧରି ଶିକ୍ଷକମାନେ ଯେଉଁସବୁ ଆନ୍ଦୋଳନ ବା ଧର୍ମଘଟ କରି ଆସିଛନ୍ତି ତାହାରିଦ୍ୱାରାହିଁ ଶିକ୍ଷକମାନଙ୍କର ଏଯାବତ୍ ଯାହାକିଛି ବେତନବୃଦ୍ଧି ହୋଇଛି ତଥା ଯାବତୀୟ ସୁରକ୍ଷା ହାସଲ ହୋଇପାରିଛି ବୋଲି ଅନେକ ସମରରତ ଶିକ୍ଷକବନ୍ଧୁ ଅବଶ୍ୟ କେଡ଼େ ବଡ଼ ତର୍ଜନୀ ଦେଖାଇ ଆମ ସମସ୍ତଙ୍କୁ କହିବାକୁ ଇଚ୍ଛା କରିବେ । ମାତ୍ର, ଅପର ବହୁତର କ୍ଷେତ୍ରରେ ସେମାନଙ୍କର କେତେ ନା କେତେ ହାନି ମଧ୍ୟ ହୋଇଛି ଏବଂ ତାହା ସହିତ ଶିକ୍ଷାର ଅସଲ ମର୍ଯ୍ୟାଦାଗୁଡ଼ିକ ମଧ୍ୟ ଧୂଳିରେ ଲୋଟିବାକୁ ବାଧ୍ୟ ହୋଇଛି । ଯଦି ବେତନବୃଦ୍ଧିହିଁ ଉଦ୍ଦେଶ୍ୟ ହୁଏ, ତେବେ ସେଥିଲାଗି କରାଯାଉଥିବା ଆନ୍ଦୋଳନଗୁଡ଼ିକ ପାଇଁ ଆବଶ୍ୟକ ରଣକୌଶଳ ଯୋଗାଇ ଦେବାକୁ ଯେଉଁଭଳି ନେତୃତ୍ୱ ଲୋଡ଼ା ହେବ, ଯଦି ସର୍ବୋପରି ଶିକ୍ଷା ଓ ଶିକ୍ଷକତାକୁ ଅଧିକ ବୃଦ୍ଧି ଏବଂ ଅଧିକ ଶାଳୀନତା ଆଣି ଯୋଗାଇଦେବା ଶିକ୍ଷାର ଉଦ୍ଦେଶ୍ୟ ବୋଲି ସ୍ୱୀକୃତ ହୁଏ, ତେବେ ତାହାଠାରୁ ଏକାବେଳେକେ ଏକ ଅନ୍ୟ କିସମର ନେତୃତ୍ୱଲାଗି ଅପେକ୍ଷା ରହିବ । ଓଡ଼ିଶାରେ କାଳକ୍ରମେ ଶିକ୍ଷକ ଆନ୍ଦୋଳନର ନେତୃତ୍ୱ ଏପରି ଏକ ଗୋଷ୍ଠୀ କବଳରେ ଆସି ପଡ଼ିଯାଇଛି, ଯାହାକୁ ଯଥାର୍ଥ ଶିକ୍ଷାର ତରାଜୁରେ ତଉଲି କେବଳ ଏକ ଅଶିକ୍ଷିତ ନେତୃତ୍ୱ ବୋଲିହିଁ କୁହାଯାଇପାରିବ । ତାହା ଶିକ୍ଷକକୁ ତା’ର ସର୍ବପ୍ରଥମ ଧର୍ମରୁ ହୁଡ଼ାଇ ସତେଅବା ଆଉ ଏକ ଅନ୍ୟ ଗହନ ଭିତରେ ଆଣି ବାଟବଣା କରିଦେଇଛି । ଶିକ୍ଷକକୁଳକୁ ଶିକ୍ଷାଗତ ଯାବତୀୟ ଆହ୍ୱାନର କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଏବଂ ବର୍ବର କରି ରଖିଛି । ହାୱାଗୁଡ଼ାକୁ ଓ ଆଗ୍ରହର ଜିହ୍ୱାଗୁଡ଼ାକୁ ଏପରି ପ୍ରଦୂଷିତ ଓ ପ୍ରକୁପିତ କରି ଦିଆଯାଇଛି ଯେ, ଜଣେ ଶିକ୍ଷକ ସେହି ଘେର ଭିତରେ ତଥାପି ଯଥାର୍ଥରେ ଜଣେ ଇଜ୍ଜତ ଥିବା ଶିକ୍ଷକ ହେବାକୁ ଇଚ୍ଛା କରୁଥିଲେ ମଧ୍ୟ ପ୍ରକୃତରେ ତାହା ହୋଇପାରୁନାହିଁ । ହେବାକୁ ସାହସ କରିପାରୁନାହିଁ ।

 

ଆମର ଏହି ଶୀତଜର୍ଜର ଦେଶରେ ପ୍ରକୃତରେ କେତେ ନା କେତେ ଆନ୍ଦୋଳନ ଲାଗି ଅପେକ୍ଷା ରହିଛି । ଶିକ୍ଷାର କ୍ଷେତ୍ରରେ ମଧ୍ୟ କେତେ ନା କେତେ ଯଥାର୍ଥ ଆନ୍ଦୋଳନର ଅପେକ୍ଷା ରହିଛି । ସମ୍ପୂର୍ଣ୍ଣତଃ ଏକ ଅବ୍ୟବସ୍ଥାର ଦାୟିତ୍ଵବୁଦ୍ଧିହୀନ ଯେଉଁ ଭାରବାହକମାନେ ଏହି ଦେଶରେ ଆପଣାକୁ ସରକାର ବୋଲି କହୁଛନ୍ତି, ସେମାନେ କଦାପି ସେହି ଆନ୍ଦୋଳନଗୁଡ଼ିକରେ ନିମିତ୍ତ ହୋଇ ପାରିବେ ନାହିଁ । ଶିକ୍ଷକମାନେହିଁ ସେହି ଆନ୍ଦୋଳନ କରିପାରିବେ ଓ ଉପେକ୍ଷାର ନାନାବିଧି ପଙ୍କ ଭିତରେ ଅଟକି ଯାଇଥିବା ଆମ ସାମୂହିକ ଭାଗ୍ୟର ଶଗଡ଼ଟିକୁ ସେମାନେ ପୁନର୍ବାର ଗତିଶୀଳ କରାଇପାରିବେ । ଉଭୟ ବ୍ୟକ୍ତିଗତ ତଥା ସାମୂହିକ ଭାବରେ ଶିକ୍ଷକମାନେ ତାହା କରିପାରିବେ । ଯଥେଷ୍ଟସଂଖ୍ୟକ ଶିକ୍ଷକ ସତକୁସତ ଶିକ୍ଷାର ପକ୍ଷରେ ରହିଲେ ସେମାନେ ଯେକୌଣସି ରାଷ୍ଟ୍ରର ସରକାରକୁ ମଧ୍ୟ ଚୁନୌତି ଦେଇପାରିବେ, ଯେକୌଣସି କାଳର ଜଡ଼ତାକୁ ମଧ୍ୟ ଦୋହଲାଇ ଦେଇପାରିବେ । ଏହି ଦେଶର ଛାତ୍ରମାନଙ୍କ ପାଇଁ ସେମାନେ ସାହସ ଏବଂ ଶକ୍ତିର ପ୍ରତୀକ ହୋଇ ରହିବେ ।

 

ଭୀରୁ ମଣିଷଟାଏହିଁ ଗୋଟାଏ ମେଣ୍ଢା ହୋଇ ପଲରେ ପଶିଯିବାକୁ ଭାରି ସକସକ ହେଉଥାଏ । ଭୀରୁମାନେ ଏହି ପୃଥିବୀରେ ଅସଲ ଫଳଦାୟକ ସଂଘଟିକୁ ଆଦୌ ଗଢ଼ି ପାରନ୍ତି ନାହିଁ । ସେମାନେ ପଲର ସ୍ତରରେ ରହିଯାଆନ୍ତି । ବିଗତ ପଚାଶବର୍ଷ ଭିତରେ ଭାରତବର୍ଷ ଏହି ଭୀରୁମାନଙ୍କ ହେତୁ ବହୁ ଦୁର୍ଗତିର ସମ୍ମୁଖୀନ ହେଲାଣି । ସମ୍ଭବତଃ ଶିକ୍ଷାର କ୍ଷେତ୍ରଟିହିଁ ଏଥିରୁ ସବୁଠାରୁ ଅଧିକ ଦୁର୍ଗତି ସହ୍ୟ କରିବାକୁ ବାଧ୍ୟ ହୋଇଛି । କଂସେଇମାନଙ୍କର ଦୌରାତ୍ମ୍ୟଶାଳାରେ ସତେଅବା ଗାଭୀଟିଏ ହୋଇ ବନ୍ଧା ହୋଇଛି । ସାହସୀ ଶିକ୍ଷକମାନେ ଯେଉଁ ସଂଘ ଗଢ଼ିବେ, ତାହାରିଦ୍ୱାରାହିଁ ସମ୍ଭବତଃ ଆଗକୁ ଯଥେଷ୍ଟ ବାଟଟି ଫିଟିଯିବ । ଉପରୁ ତଳଯାଏ ଆମ ଦେଶର ଶିକ୍ଷାକୁ ନଚାଉଥିବା ଅସାଧୁତାର ଅନ୍ତ ସେତିକିବେଳେ ଯାଇ ହେବ । ବିକଳ୍ପ ମଣିଷମାନେ ବାହାରିଲେ ଯାଇ ପୁରୁଣା ଅମଙ୍ଗମାନଙ୍କର ଗଉଁ ମରିବ । ବର୍ତ୍ତମାନ ଅମଙ୍ଗମାନେହିଁ ଆମ ଦେଶରେ ଯାବତୀୟ କ୍ଷେତ୍ରରେ ସବା ଉପର ଡାଳଗୁଡ଼ାକରେ ଯାଇ ବସିଛନ୍ତି ଓ ଏହିପରି ଭାବରେ ଯୁଗଟାକୁ ଅବିଚ୍ଛିନ୍ନ ଭାବରେ ଭୋଗ କରିବେ ବୋଲି ଧରି ନେଇଛନ୍ତି । ଏହି ରାତ୍ରିର ଅବସାନ ଘଟାଇବା ନିମନ୍ତେ ଏକ ନୂତନ ଆନ୍ଦୋଳନର ମହୁ ତ ହେଲାବେଳେ ଶିକ୍ଷକମାନେ, ଅଧ୍ୟାପକମାନେ ଛାତ୍ରମାନଙ୍କର ପକ୍ଷରେହିଁ ରହନ୍ତୁ । Establishmentର ଘରେ ମହତ ବିକି କଳୁଷିତ ନହୁଅନ୍ତୁ । ଛାତ୍ରମାନେ ଚିରକାଳ ଅଧ୍ୟାପକମାନଙ୍କ ପକ୍ଷରେ ଅର୍ଥାତ୍ ଶିକ୍ଷାର ପକ୍ଷରେ ରହି ଆସିଛନ୍ତି । ଯାହାକୁ ସେମାନଙ୍କର ଭିତରେ ରହିଥିବା ସର୍ବୋତ୍ତମ ଆଗ୍ରହଟି ସୂଚାରୁରୂପେ ବରଣ କରି ନିଅନ୍ତା, ତାକୁ ରାଜାମାନଙ୍କ ପାଖରେ ଗୁହାରିଆ ହେଉଥିବାର ଦେଖି ସେ ନିଜକୁ ସତେଅବା ବିଡ଼ମ୍ବିତ ହୋଇଗଲାପରି ଅନୁଭବ କରୁଛି । ନିଜର ଅନ୍ତର ଭିତରେ ସେ ତା’ର ଯଥାର୍ଥ ଗୁରୁଟିକୁ ଏବେ ମଧ୍ୟ ଖୋଜି ବୁଲୁଛି ।

Image

 

କବିର ଦ୍ୱୈତଜୀବନ

 

ପ୍ରାଚୀନ କାବ୍ୟାବଲୋକନ–ଶାସ୍ତ୍ରରେ ସତେଅବା ଭାରି ଲୋସଡ଼ା ଭାବରେ କବିକୁ ପ୍ରଜାପତି ସହିତ ତୁଳନା କରାଯାଇଛି । ପରିବେଶ–ବିଜ୍ଞାନୀମାନଙ୍କର ଆଶଙ୍କା ଅନୁସାରେ ଆମ ପୃଥିବୀରୁ ଲକ୍ଷ ଲକ୍ଷ ବର୍ଷ ହେଲା ରହିଆସିଥିବା ଅସଲ ପ୍ରଜାପତିମାନେ କ୍ରମଶଃ ବିଲୁପ୍ତ ହୋଇଯାଉଛନ୍ତି । ସମ୍ଭବତଃ ସେଇଥିଲାଗି ଆମର ଏହି ବାସ୍ତବବାଦୀ ଯୁଗରେ ମଧ୍ୟ କବିଟିଏ ଦେଖିଲେ ତାକୁ ପ୍ରଜାପତିଟିଏ ବୋଲି କହିବା ନିମନ୍ତେ ଅନେକଙ୍କର ଭାରି ମନ ହେଉଥିବ । ଧର୍ମସଂସ୍କୃତି କହିଲେ ଯେପରି ଅନେକେ ଠାକୁରଙ୍କ ସକାଶେ ବ୍ୟବହୃତ ହେଉଥିବା ଚାମର, ଛତ୍ର, ଚାନ୍ଦୁଆ ଓ ବିମାନସଜ୍ଜାକୁ ବୁଝନ୍ତି, ଜଗନ୍ନାଥ ସଂସ୍କୃତି କହିଲେ ଆମର ଏହି ଓଡ଼ିଶାରେ ଯେପରି ଅନେକେ ସବାଆଗ କୈବଲ୍ୟ, ଅଭଡ଼ା, ସୁଆର ଓ ଷାଠିଏପଉଟି ଭୋଗକୁ ବୁଝନ୍ତି ଓ ସେହିଭଳି ବୁଝି ସେଥିରୁ କେଡ଼େ ପୁଲକ ଅନୁଭବ କରନ୍ତି, କବିକୁ ପ୍ରଜାପତି ବୋଲି କହି ସେହି ଆଗପରି ଏବେ ମଧ୍ୟ ଅନେକ ପ୍ରକୃତରେ ସାଧୁ ମଣିଷ ଅତ୍ୟନ୍ତ ପୁଲକ ଅନୁଭବ କରୁଥିବେ ।

 

ପ୍ରଜାପତିର ସତକୁସତ କେତେଟା ଜୀବନ ଅଛି କେଜାଣି, କବିର ଏକ ଦ୍ୱୈତଜୀବନ ରହିଛି ବୋଲି ଏବେ କବି ଓ କାବ୍ୟ ଜଗତର ଦରଦୀ ଓକିଲମାନେ କେଡ଼େ କଅଁଳ କାରୁଣ୍ୟ ସହିତ କରିବାକୁ ଆରମ୍ଭ କଲେଣି । ଜଣେ ଏକ ଦୈତ ଜୀବନଯାପନ କରୁଛି ବୋଲି କାହାକୁ କହି ବସିଲେ ସାଧାରଣତଃ ସେହି କଥାଟିକୁ ଏକ ଅପମାନକର କଥା ବୋଲି କୁହାଯିବ । ଏକା ମୁହଁରେ ଯିଏ ଏପାଖରେ ଅରୁଆ ଆଉ ସେପାଖରେ ଉଷୁନା ହୋଇଥିବ, ଯିଏ ନିଜ ଭିତରେ ଏବଂ ବାହାରେ ଅଲଗାଅଲଗା ପ୍ରକାରର ହୋଇଥିବ ଅର୍ଥାତ୍ ଦୁଇଭଳି ଭର୍ତ୍ତାଙ୍କୁ ନେଇ ଜୀବନ ବଞ୍ଚୁଥିବ, ତାକୁ ଆମେ ସାଧାରଣତଃ ଅସାଧୁ ବୋଲି କହିବା, ନିଜ ପାଖରେ ସତେଅବା ଠକିଯାଇ ଆଉ କୁଆଡ଼େ ଧାଇଁ ପଳାଉଥିବା ଜଣେ ମଣିଷ ବୋଲି କହିପାରିବା । ଏପରି କହି ଆମେ ତା’ର ପ୍ରକୃତରେ କୌଣସି ପ୍ରଶଂସା କରିବା ନା ତାକୁ ଅପମାନିତ କଲାଭଳି କିଛି କରି ପକାଇବା ? କିନ୍ତୁ ଆଧୁନିକ କାଳରେ ଆମେ ଯେତେବେଳେ ଜଣେ କବି ଏକପ୍ରକାର ଦ୍ୱୈତଜୀବନ ବଞ୍ଚେ ବୋଲି କହୁଛୁ, ସେତେବେଳେ ହୁଏତ ନିଜେ କବି ମଧ୍ୟ କେଡ଼େ ପ୍ରସନ୍ନତା ଅନୁଭବ କରୁଛି । କବିମାନେ ସେମାନଙ୍କର ଦ୍ୱୈତତାକୁ ତତ୍ତ୍ୱ–ପ୍ରତିଷ୍ଠିତ କରି ଦେଖାଇବାର ଅଭିପ୍ରାୟରେ ଏବେ କେତେ ଗମ୍ଭୀର କଥା କହିଲେଣି । ତଥାପି ଯିଏ ଦୁଇଟା ମୁହଁ ଦେଖାଇ ଜଗତରେ ଜୀବନ ବଞ୍ଚୁଛି, ତାକୁ ଆମେ ସତକୁସତ କୋଉ ମୁହଁ ବୋଲି କହିପାରିବା ? ଏକାବେଳେ କେତେ ମୁହାଁ ହୋଇ ରହିବାକୁ ଏ ଯୁଗରେ ସଫଳତା ଅର୍ଜନ କରିବାର ଏକ ରଣକୌଶଳ ବୋଲି ପୁଞ୍ଜିବାଦୀ ସମାଜରେ କେତେକେତେ ମଣିଷ ଯୁକ୍ତି ଦେଖାଇ କହି ଯାଇଛନ୍ତି । ଭାରତବର୍ଷରେ ଆମ ସାହିତ୍ୟ ଓ ସଂସ୍କୃତି ଭିତରେ ଯେଉଁମାନେ ପୁଞ୍ଜିବାଦୀ ମୂଲ୍ୟଗୁଡ଼ାକୁ କାମୁଡ଼ି ଧରିଥାନ୍ତି, ଯେଉଁମାନେ ଆଦୌ କିଛି ନହୋଇ କେବଳ ହାସଲ କରିବାରେ ଲାଗିଥାନ୍ତି, ସେମାନେ ମଧ୍ୟ ଅବଶ୍ୟ ଏଭଳି ଭାବୁଥିବେ ।

 

ସାହିତ୍ୟିକ ତା’ ସାହିତ୍ୟ ଭିତରେ ପଶିଥିବାବେଳେ ଗୋଟାଏ କିସମର ଜୀବନ ବଞ୍ଚିବା ଅର୍ଥାତ୍ ଗୋଟାଏ ପ୍ରକାରେ ଦେଖାଇହେବ ଏବଂ ତା’ ସଂସାର ଭିତରେ ପଶିଥିବାବେଳେ ତଦନୁରୂପ ଆଉ ଗୋଟାଏ ଜୀବନ ବଞ୍ଚିବ ଅର୍ଥାତ୍ ଆଉ ଗୋଟାଏ ପ୍ରକାରେ ବଣିଜ କରି ବାହାରିଥିବ । ଏପରି ଗୋଟିଏ କଷଣ ଭିତରେ ରହିଥିବା ମନୁଷ୍ୟପ୍ରାଣୀଟିକୁ ପ୍ରକୃତରେ ଅସାଧାରଣ ବୋଲି କୁହାଯିବ । ସାମୟିକ ଭାବରେ ଆଉ ଗୋଟାଏ ରାଜ୍ୟକୁ ଡେଇଁପଡ଼ିବା, ସେଠାରେ କେତେଦଣ୍ଡ ଲାଗି ଭଳିଭଳି କେଳି କରିବା, ଏକାବେଳକେ ଆତ୍ମବିସ୍ମୃତ ହୋଇରହିବା, ତା'ପରେ ପଇସା ସରିଗଲେ ଲୋକମାନେ ସର୍କସ୍‍ ପ୍ରାଙ୍ଗଣରୁ ବାହାରକୁ ବାହାରି ଆସୁଥିବା ଲୋକଙ୍କ ପରି କେଳି ସରିଗଲେ, ମୃଗୟା ସରିଗଲେ କିମ୍ବା ସମାଧି ଭାଙ୍ଗିଗଲେ ପୁଣି ଏପଟକୁ ବାହୁଡ଼ି ଆସିବା ଓ ଏପଟେ ମଧ୍ୟ ତୁମେ ଆଦୌ କୌଣସି ପ୍ରକାରେ କମ୍ ବୀର ନୁହ ବୋଲି କାର୍ଯ୍ୟରେ ସାଧି ଦେଖାଇଦେବା,–ଏଇଟା ନିଶ୍ଚୟ ବେଶ୍ ଉତ୍ତେଜକ ହେଉଥିବ । ମାତ୍ର, ନିଜ ଜୀବନରେ ଅସଲ କେନ୍ଦ୍ର ବା ଆକାଶକୁ ଖୋଜୁଥିବା ଜଣେ ବ୍ୟକ୍ତି ଲାଗି କଦାପି କୌଣସି ପ୍ରକାରେ ଆକର୍ଷକ ହେଉ ନଥିବା ଏପରି ଗୋଟିଏ ଡବଲ ଜୀବନ ବଞ୍ଚି ସିଏ ବିଚରା ନିଜ ଭିତରର ଅନ୍ତରଙ୍ଗ ସୋଦରଟି ପାଖରେ କ୍ରମଶଃ ଭାରି କ୍ଷୀଣ ହୋଇଯାଉଥିବ, ହୁଏତ ତାକୁ ଅଧିକାଂଶ ସମୟରେ ଲୁଚି ଲୁଚି ବୁଲୁଥିବ । ଯୋଗରେ ଗୋଟାଏ ମାର୍ଗ ଅଛି, ଯେଉଁଥିରେ କି ସାମୟିକ ଭାବରେ ଏକ ବିସ୍ମରଣ ଭିତରେ ଏକାନ୍ତ ଅଣଆୟତ୍ତ ଭାବରେ ଯାଇ ବୁଡ଼ିଯିବାକୁ ସମାଧି ବୋଲି କୁହାଯାଏ । କେତେ ମଣିଷ ତାହାକୁ ଭାବାବେଶ ବୋଲି କହନ୍ତି । ଏହିପରି ଭାବାବେଶ ଭିତରେ କିଛି ସମୟ ଡୁବିଯାଇ ପୁଣି ସଳଖ, ସୁନ୍ଦର ଓ ସୁଚତୁର ହୋଇ ସେଥିରୁ ସଂସାର ଭିତରକୁ ବାହୁଡ଼ି ଆସୁଥିବା ବ୍ୟକ୍ତିମାନଙ୍କୁବି ଆମ ଭିତରୁ ଅନେକେ ଗୁରୁର ସମ୍ମାନ ଦେଇଥାନ୍ତି, ସେମାନଙ୍କୁ ଘେରି ସଂପ୍ରଦାୟମାନ ତିଆରି କରନ୍ତି ।

 

କବିତାକୁ ଏକ ଚତୁରବିହରଣ ବୋଲି ଗ୍ରହଣ ନ କରି ଆମେ ଯଦି ଏକ conversion ବା ଦୀକ୍ଷା ଗ୍ରହଣର ଆସ୍ପୃହା ବୋଲି ଗ୍ରହଣ କରିବା, ତେବେ ତାହା ଆମକୁ କଦାପି ଏକ ଦ୍ୱୈତଜୀବନର ବିରୋଧ ପାଖରେ ଛାଡ଼ି ଚାଲିଆସିବନାହିଁ, ସେତେବେଳେ କବିତା ମଧ୍ୟ ଆମ ଜୀବନରେ ଯଥାର୍ଥ ଆରୋଗ୍ୟର ଗୋଟିଏ ସାଧନରୂପେ କାର୍ଯ୍ୟ କରି ପାରିବ । ଏବେ ମନୁଷ୍ୟର ଅନ୍ତର ଭିତରକୁ ଅନାଇ ପାରିବାର ପ୍ରଣାଳୀମାନ ଅଧିକରୁ ଅଧିକ ସାହସୀ ଅର୍ଥାତ୍ ବିଜ୍ଞାନସମ୍ମତ ହୋଇଆସୁଥିବା ସଙ୍ଗେ ସଙ୍ଗେ ସଙ୍ଗୀତ, ନୃତ୍ୟକଳା ଏବଂ ଚିତ୍ରାଙ୍କନକୁ ମଧ୍ୟ ଆମ ଭିତରେ କୌଣସି କାରଣରୁ ଖଣ୍ଡଖଣ୍ଡ ହୋଇ ଭାଙ୍ଗି ଯାଇଥିବା ଚିତ୍ତ ବା ଅନ୍ତସ୍ପରଣଟିକୁ ପୁନର୍ବାର ଯୋଡ଼ି ଆଣିବାର ଗୋଟିଏ ଗୋଟିଏ ଆରୋଗ୍ୟ–ସାଧନରୂପେ ବ୍ୟବହାର କରାଗଲାଣି । ଗୋଟିଏ ପିଲା ଅନ୍ତର୍ଗତ ଅଥବା ତା’ ପରିବେଶରେ ରହିଥିବା ଏକାଧିକ କାରଣରୁ ଯେତେବେଳେ ଆବେଗଗତ ଅଥବା ଅନୁରକ୍ତିଗତ କ୍ଷେତ୍ରଗୁଡ଼ିକରେ ସତେଅବା ବହୁବିଭକ୍ତ ଅଥବା ବ୍ୟାଧିଗ୍ରସ୍ତ ହୋଇରହିଛି ଓ ତେଣୁ ବିଦ୍ୟାଶିକ୍ଷା ତଥା ଏପରିକି ତା’ ବ୍ୟକ୍ତିତ୍ଵର ବିକାଶର କ୍ଷେତ୍ରରେ ଭାରି ବାଧାପ୍ରାପ୍ତ ହୋଇରହିଛି, ସେହିସବୁ ସ୍ଥଳରେ ଏବେ ସଙ୍ଗୀତ, ନୃତ୍ୟକଳା ଓ ଚିତ୍ରକଳା ଇତ୍ୟାଦିକୁ ତାକୁ ପୁନର୍ବାର ଯୋଡ଼ି ଆଣିବାର ଆରୋଗ୍ୟ–ପ୍ରକ୍ରିୟାରେ ସାଧନରୂପେ ବ୍ୟବହାର କରାଗଲାଣି । ଯଥାର୍ଥ ସାହିତ୍ୟ, ଅନୁରାଗ ଏବଂ ଅଙ୍ଗୀକାରଦ୍ୱାରା ଅନୁସିକ୍ତ ହୋଇ ରହିଥିବା ସାହିତ୍ୟ ମଧ୍ୟ ଉଭୟ ଲେଖକ ଏବଂ ପାଠକପାଇଁ ଠିକ୍ ସେହିପରି ଏକ ଭୂମିକାରେ ରହି ଅବଶ୍ୟ କାର୍ଯ୍ୟ କରିପାରେ ଓ ଆମକୁ ଆମର ସୁସ୍ଥତା ଆଡ଼କୁ ଅଗ୍ରସର କରାଇ ନେଇପାରେ । କବିତା ଲେଖିବା–ଏହି ସୃଜନଶୀଳ ପଦ୍ଧତିଟି ସ୍ଵୟଂ କବିକୁ ମଧ୍ୟ ତା’ ଭିତରର ବହୁ ଖଣ୍ଡିଆକୁ ଏକାଠି ଯୋଡ଼ି ଆଣିପାରେ ଏବଂ ତଦ୍ଦ୍ୱାରା ତାହାକୁ ଏକ ଅଭିନବ ମୁକ୍ତି ତଥା ପ୍ରୀତିର ସ୍ୱାଦ ଆଣି ଦେଇପାରେ, ତା’ ଜୀବନକୁ ବଦଳାଇ ଦେଇପାରେ ।

 

ମାତ୍ର, ଯେଉଁଠାରେ, କେବଳ ଜଣେ କବିର ଜୀବନରେ ନୁହେଁ, ଆମ ସମସ୍ତଙ୍କର ଜୀବନରେ ଦୁଇଟା ହୋଇ ବଞ୍ଚିବାର ସେହି ଦୁଷ୍ଟ କଷଣଟିକୁ ସତେଅବା ଏକ ସ୍ୱାଭାବିକ ସତ୍ୟ ବୋଲି ମାନି ନିଆଯାଏ, ଖଣ୍ଡିଆ ହୋଇ ରହିବାରୁହିଁ ଯଦି ଏକ ବ୍ୟାଧିତ ଆନନ୍ଦବି ମିଳୁଥାଏ, ତେବେ ସେଠାରେ କବିତା କେବେହେଲେ ଭିତରେ ଅଲଗା ହୋଇପଡ଼ିଥିବା ଆମର ଯାବତୀୟ ଖଣ୍ଡକୁ ଓ ଆମ ଭିତର ସହିତ ବାହାରକୁ ଏକ ସମ୍ପୂର୍ଣ୍ଣତର ସଂଗତି ମଧ୍ୟକୁ ଯୋଡ଼ି ଆଣିବାକୁ ଆଦୌ ଏକ ଔଷଧ ପରି କାର୍ଯ୍ୟ କରିପାରିବ ନାହିଁ । ଯିଏ ଆପଣାର ବିଧାତା ପାଖରେ ମୁଣ୍ଡ ନନୁଆଁଇ ବରଂ ଚତୁର ହେବାକୁହିଁ ଅଧିକ ଲାଭଜନକ ବୋଲି ଭ୍ରମ କରୁଥିବ, ସିଏ କେବଳ ନିଜପାଇଁ ନୁହେଁ, ସମଗ୍ର ଜଗତପାଇଁ ମଧ୍ୟ ଏକ ସମସ୍ୟା ହୋଇ ରହିଥିବ । ଏବେ, ଆମର ଲେଖକମାନେ ଆପଣାର ଦ୍ୱୈତ ଜୀବନଟିକୁ ସତେଅବା କେଉଁ ଗରଜରେ ପଡ଼ି ଅବଶ୍ୟମ୍ଭାବୀ ବୋଲି ମାନି ନେଉଛନ୍ତି ବୋଲି ଶଗଡ଼େ ଶଗଡ଼େ ଲେଖିବାପରେ ମଧ୍ୟ ସେମାନେ ନିଜ ଚେତନାର କ୍ଷେତ୍ରରେ ଗୋଟିଏ ପାହାଚବି ଉଠିପାରୁନାହାନ୍ତି କିମ୍ବା ଗୋଟିଏ ଗହନକୁବି ପାର ହୋଇପାରୁନାହାନ୍ତି । ଭଙ୍ଗାଗୁଡ଼ାକୁ ଏକ ଜନନୀର ଅନୁରାଗ ତୁଲ୍ୟ କୋମଳତା ଏବଂ ବିନୟ ସହିତ ଏକାଠି କରି ଯୋଡ଼ି ଆଣିବା, ନିଜ ଭିତରେ ଅପେକ୍ଷା କରି ରହିଥିବା କେନ୍ଦ୍ରଟିକୁ ଆବିଷ୍କାର କରି ସେହିଠାରୁହିଁ ଆପଣା ଜୀବନ–ବିଚରଣର ଯାବତୀୟ ପରିମଳଗୁଡ଼ିକର ନିର୍ଣ୍ଣୟ କରିବା, ତାହା ଏକାବେଳେକେ ଏକ ଅନ୍ୟ ବାସନାର କଥା ।

 

ଆମେ ସମ୍ମତି ଦେଲେ ଯାଇ ଆମ ଭିତରର ସୃଜନଶୀଳ ବିବେକଟି ଆମକୁ ଏହି ଦିଗରେ କ୍ରମଶଃ ମଣ କରିନେବା ନିମନ୍ତେ ଆମରି ଭିତରେ ଥାଇ ଆପଣାର କାର୍ଯ୍ୟଟିକୁ ଆରମ୍ଭ କରିଦେଇପାରିବ । ଖାଲି ସାହିତ୍ୟ କିମ୍ବା ଖାଲି କବିତା କାହିଁକି, ଆମର ନୈତିକତା, ସାମାଜିକ ବୃଦ୍ଧି, ବ୍ୟକ୍ତିଗତ ଅପରାଧ–ସଚେତନତା, ଆମର ଶିକ୍ଷା, ରାଜନୀତି, ଧର୍ମ ଏବଂ ଆଉ ଯାବତୀୟ ବିଷୟରେ ମଧ୍ୟ ଏବେ ଆମେ ଯେଉଁସବୁ ସଫଳତାକାମୀ ବାଣିଜ୍ୟ ଭିତରେ ଛନ୍ଦି ହୋଇ ରହିଯାଉଛୁ, ସମ୍ଭବତଃ ତାହାହିଁ ଆମମାନଙ୍କୁ ନିଜ ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିବାର କ୍ଷେତ୍ରରେ ଭାରି ନିର୍ବୋଧ କରି ରଖିଛି । ଜୀବନକୁ ଖଣ୍ଡଖଣ୍ଡ ହୋଇ ବଞ୍ଚିବା ନିମନ୍ତେ ଅର୍ଥାତ୍ ବିଭାଜିତ ହୋଇ ବଞ୍ଚିବା ନିମନ୍ତେ ମଣିଷ ଲାଗି ନିରନ୍ତର ଯେପରି ଅସଂଖ୍ୟ ପ୍ରଲୋଭନ ରହିଛି, ଠିକ୍ ସେହିପରି ଖଣ୍ଡଗୁଡ଼ିକୁ ଏକତ୍ର ସାଉଁଟି ଆଣି ଅବିଭାଜିତ ଓ ସମ୍ପୂର୍ଣ୍ଣ ହୋଇ ବାଟ ଚାଲିବା ନିମନ୍ତେ ମଧ୍ୟ ସେହିପରି ଅହରହ ଏକ ଆହ୍ୱାନ ରହିଛି । ଆମେ ନିଜପାଇଁ ଯେଉଁଭଳି ବାଛିନେବା, ଅଲବତ୍ ସେହିପରି ହୋଇପାରିବା । ସମ୍ପୂର୍ଣ୍ଣ ହେବାର ଆହ୍ୱାନ ହେଉଛି ଯଥାର୍ଥ ଅନୁରାଗଗୁଡ଼ିକର ଭାଜନ ହେବାର ଆହ୍ୱାନ । ଆମର ଅନୁରାଗ ଅନୁସାରେ ଆମର ସାହିତ୍ୟ ବା ଆମ କବିତା, ଆମ ଅନୁରାଗ ଅନୁସାରେ ଆମର ପାଠକତ୍ୱ ଅଥବା ଲେଖକତ୍ୱ, ଆମ ଅନୁରାଗ ଅନୁସାରେ ଆମ ପୃଥିବୀ ଓ ଆମ ଭଗବାନ । କେବଳ କବି ବା ଲେଖକ ନୁହେଁ, ଯେକୌଣସି ବ୍ୟକ୍ତି ମଧ୍ୟ ତା’ ଅନୁରାଗର ସ୍ଵଧର୍ମଟି ଅନୁସାରେ ଏକ ଦ୍ୱୈତଜୀବନକୁ ବରଣ କରି ନେଇପାରିବ; ଅନ୍ୟପ୍ରକାରେ ଇଚ୍ଛା କଲେ ତା’ର କବଳରୁ ମୁକ୍ତ ହୋଇ ବାହାରିବି ଆସିପାରିବ ।

Image

 

ସ୍ୱାଗତମ୍, ପ୍ରତିବାଦର ସ୍ୱର

 

କାହାପାଇଁ ବାଣମରା ହେଉଥିଲା । ବାଣ ଯାଇ କାହା ଚାଳ ଉପରେ ପଡ଼ିଲା । ଭୂୟାଁ ଧରଣୀଧରଙ୍କ ନାମରେ ବାଣମରା ହେଉଥିଲା; ମାତ୍ର ବାଣୁଆମାନେ କ’ଣ ଭାବି ଏମିତି ଅସଜ ଭାବରେ ବାଣ ମାରିଲେ କେଜାଣି, ବାଣ ଯାଇ ଫକୀରମୋହନଙ୍କ ଚାଳ ଉପରେ ପଡ଼ିଲା । ଫକୀରମୋହନଙ୍କୁ ଗୋଟାସୁଦ୍ଧା ଆପଣାର ରତ୍ନଫରୁଆ ବୋଲି ଭାବୁଥିବା ଆମେ କେତେଜଣ ସତେ ଯେପରି ଚାଳ ଗୋଟାକଯାକ ଜଳୁଥିବା ପରି ପ୍ରତ୍ୟକ୍ଷ କଲୁ । ଆମ ଦେହ ସହିଲା ନାହିଁ ଓ ତେଣୁ ଆମେ ଭାଷାରେ ଠେଙ୍ଗାବାଡ଼ି ନେଇ ବାହାରି ପଡ଼ିଲୁ । ଭଲହେଲା ଏପରି ଗୋଟାଏ ସଭା ହେଲା । ଭଲ ହେଲା, ବାଣମରା ହେଲା । ଭଲ ହେଲା, ତାହା ଆମ ଚାଳରେ ଆସି ପଡ଼ିବା ପରି ଆମକୁ ଲାଗିଲା ଏବଂ ଆମେ ପ୍ରତିବାଦ କଲୁ । ପ୍ରତିବାଦ ସ୍ୱାସ୍ଥ୍ୟର ଲକ୍ଷଣ । ଜଣେ ବ୍ୟକ୍ତି ପକ୍ଷରେ ସ୍ୱାସ୍ଥ୍ୟର ଲକ୍ଷଣ, ଗୋଟିଏ ସମୂହପାଇଁ ମଧ୍ୟ ସ୍ୱାସ୍ଥ୍ୟର ଲକ୍ଷଣ ।

 

ଭୂୟାଁ ଧରଣୀଧର ଏବଂ ଫକୀରମୋହନ ଉଭୟେ ଓଡ଼ିଆ ଥିଲେ, ଅର୍ଥାତ୍ ସେମାନେ ଓଡ଼ିଶାରେ ଜନ୍ମ ହୋଇଥିଲେ । ଫକୀରମୋହନ ଯେଉଁ ରଜାଙ୍କର ମାହାଲରେ କାମ କରୁଥିଲେ ଏବଂ ଭୂୟାଁ ଧରଣୀଧର ଯେଉଁ ରଜାଙ୍କ ବିରୋଧୀ ହୋଇ ମେଳି କରାଇଥିଲେ, ସେହି ରାଜା ମଧ୍ୟ ଓଡ଼ିଆ ଥିଲେ । ସ୍ଵକର୍ମ, ସ୍ୱଆଦର୍ଶ ଏବଂ ହୁଏତ ସ୍ୱନିୟତିର ଅନୁରୋଧରେ ଧରଣୀଧର ଓ ଫକୀରମୋହନ ଆମକୁ ଏପର୍ଯ୍ୟନ୍ତ ମିଳିଥିବା କାହାଣୀଟି ଅନୁସାରେ ପରସ୍ପରର ପ୍ରତିପକ୍ଷ ହୋଇ ଗୋଟିଏ ଗୋଟିଏ ଭୂମିକା ଗ୍ରହଣ କରିଥିଲେ । ସେ କଥା ଆଜିକୁ ଶହେବର୍ଷ ତଳର ଏକ ପୁରୁଣା କଥା ହୋଇଗଲାଣି । ଆମେ ଯେଉଁମାନେ ଧରଣୀଧର ଅଥବା ଫକୀରମୋହନଙ୍କୁ ସ୍ମରଣ କରିବାପାଇଁ ସଭାରେ ନାଚୁଛୁ, ଆମେ ହୁଏତ ଏପଟର ନୋହୁ କିମ୍ବା ସେପଟରବି ନୋହୁ । ଆମେ ହୁଏତ କେବଳ ନିଜରହିଁ ପଟ ନେଇ ମାତିଛୁ, ନାଚୁଛୁ ଏବଂ ଆମ ଆଡ଼କୁ ଜଗତର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପୂଜ୍ୟ ବ୍ୟକ୍ତିମାନଙ୍କର ପୂଜା କରିବା ଲାଗି ଧନ୍ଦା କରି ବାହାରିଛୁ ।

 

ବିଲାତ ବୋଲି ଗୋଟାଏ ଦେଶ ଓ ଗୋଟାଏ ସଂସ୍କୃତି ଅଛି, ଯେଉଁଠି ସେହି ଦେଶରେ ଏକଦା ଜନ୍ମିଥିବା ଓ ଇଂରାଜୀ ସାହିତ୍ୟରେ ବିଶ୍ୱହୃଦୟକୁ ଆନ୍ଦୋଳିତ କରିଥିବା ସେକ୍ସପିଅର ବୋଲି ଜଣେ ନାଟ୍ୟକାର ଜନ୍ମଗ୍ରହଣ କରିଥିଲେ । ନାଟକ ଲେଖୁ ଲେଖୁ ସେ ଜୀବନର ଜଣେ ପକ୍କା କାରିଗର ହୋଇ ବାହାରିଲେ । ବ୍ରିଟିଶ ସରକାରଙ୍କ ତରଫରୁ କେବେ ସେକ୍ସପିଅରଙ୍କ ନାମରେ ସଭା ହୁଏନାହିଁ । ସେଠା ମନ୍ତ୍ରୀମାନେ ଆପଣାର ଦାୟିତ୍ୱଗୁଡ଼ାକୁ ନେଇ ଏତେ ନିଷ୍ଠାପର ଏବଂ ସଚେତନ ଭାବରେ ବ୍ୟସ୍ତ ଥାଆନ୍ତି ଯେ, ପୂଜ୍ୟପୂଜାର ପାଲାମଣ୍ଡପ ଉପରେ ମରଦ ହୋଇ ଆସିବାକୁ ସେମାନଙ୍କର ସତକୁସତ କୌଣସି ବେଳ ନଥାଏ । ଭାରତବର୍ଷରେ ଯାହା ଚାଲିବା କଥା, ତାହା ସତକୁସତ ଚାଲେନାହିଁ । ତେଣୁ ସେଠାରେ ଯେଉଁମାନେ ନିଜର ସିରସ୍ତାଟିକୁ ମୋଟେ ଚଳାଇପାରନ୍ତି ନାହିଁ ଅଥଚ ଜଙ୍ଗଲଟା ଭିତରେ ସେହିମାନେହିଁ ସିଂହ ବୋଲି ସ୍ୱୀକାର କରି ନିଆଯାଇଥାଏ, ଆମର ଏଠି ସେହିମାନେହିଁ ବିଭାଗୀୟ ବୟସ୍ୟମାନଙ୍କର ମାଧ୍ୟମରେ ତୁହାକୁ ତୁହା ସଭା କରନ୍ତି, ସେହିସବୁ ସଭାମାନଙ୍କରେ ସ୍ୱୟଂ ସତ୍ୟପୀର ହୋଇ ବସନ୍ତି ଏବଂ ବିଚାର ଗାଳନ୍ତି । ଏଥିରେ କାହାର ଆଦୌ କ୍ଷୁବ୍ଧହେବା ଉଚିତ ନୁହେଁ । ପୃଥିବୀରେ ପ୍ରତ୍ୟେକ ଯୁଗରେ କେତେକ ବୟସ୍କ ଅବଶ୍ୟ ପିଲା ହୋଇ ଥେଇଥେଇ ନାଚିବେ, ନାଆଁ ପକାଇବେ । ଦାୟିତ୍ୱହୀନ ହେବେ, ଦାଣ୍ଡକୁ ମୁଖର କରି ରଖିଥିବେ ।

 

ଆମେ ନିଜର ତଥାକଥିତ ମତଗୁଡ଼ିକୁ ନେଇ ପ୍ରାୟ ଅତ୍ୟନ୍ତ କାମାତୁର ହୋଇପଡ଼ି ରହିଥାଉ ବୋଲି ଭିନ୍ନ ମତଟିଏ ଶୁଣିଲେ ଭାରି ସ୍ପର୍ଶକାତର ହୋଇପଡ଼ୁ । ସ୍ପର୍ଶକାତର ମନୁଷ୍ୟମାନେହିଁ ଭାରି ଅସହିଷ୍ଣୁ ହୁଅନ୍ତି । କିନ୍ତୁ ମଣିଷ ମଣିଷ ଭିତରେ ଦୃଷ୍ଟିରେ ଯେତେବେଳେ ନାନା ପାର୍ଥକ୍ୟ ରହିଛି, ସେତେବେଳେ କାହିଁକି ପାର୍ଥକ୍ୟମାନ ନ ରହିବ ? ମଥୁରାମଙ୍ଗଳରେ ଭକ୍ତଚରଣ ଦାସ ଓ ଏପରିକି ଭାଗବତ ଦଶମ ସ୍କନ୍ଧରେ ବ୍ୟାସଦେବ ବା ଜଗନ୍ନାଥ ଦାସ କୃଷ୍ଣଙ୍କୁ ଯେପରି ବର୍ଣ୍ଣନା କରିଛନ୍ତି, ବଙ୍ଗସାହିତ୍ୟର ବଙ୍କିମଚନ୍ଦ୍ର ତାଙ୍କୁ ସେପରି ଆଦୌ ବର୍ଣ୍ଣନା କରିନାହାନ୍ତି-। ଓଡ଼ିଆ ଦାର୍ଢ଼୍ୟତା ଭକ୍ତିରେ କେତେକ ମଣିଷଙ୍କୁ ଅନେକ କଥା ଭାରି ଗନ୍ଧାଇବ ଏବଂ ନିପଟ ଅତିରଞ୍ଜନ ବୋଲି ମନେହେବ । ତଥାପି ତାହା ମଧ୍ୟ ଏକ ଦୃଷ୍ଟି, ଏକମତ ଓ ସେଥିରେ ଆଦୌ କ୍ରୋଧାନ୍ୱିତହେବା ଉଚିତ ନୁହେଁ । କୃଷ୍ଣଙ୍କୁ ଭକ୍ତ ବା ଅଭକ୍ତମାନେ ଭଳିଭଳି ଦେଖିଛନ୍ତି ଓ ତେଣୁ ଭଳିଭଳି ବର୍ଣ୍ଣନା କରିଛନ୍ତି ବୋଲି କୃଷ୍ଣଙ୍କ ଦେହ ତଦ୍ଦ୍ୱାରା ମୋଟେ ଖଣ୍ଡିଆ ହୋଇଯାଇ ନଥିବ ଅଥବା ତା’ ଉପରେ ପୁଲକରେ ମୋଟେ ଆବୁ ବାହାରିଯାଇ ନଥିବ । କୃଷ୍ଣଙ୍କୁ ନିମିତ୍ତ କରି ଯଦି ଏତେ ମଣିଷ ଏତେ ପ୍ରକାରେ ଦେଖିପାରିଲେ ଓ ଏତେ ପ୍ରକାରେ ସର୍ଜନକ୍ଷମ ହୋଇପାରିଲେ, ସେଥିରେ କୃଷ୍ଣଙ୍କର ମହିମା ଓ ମାହାତ୍ମ୍ୟ ଅଧିକ ହେବ ସିନା, ଊଣା ହେବାର କୌଣସି କାରଣ ନାହିଁ ।

 

ୟୁରୋପରେ ଆଧୁନିକ ଯୁଗର ଉନ୍ମେଷକାଳରେ ଜଣେ ଦାର୍ଶନିକ ଥରେ ତାଙ୍କର ଗୋଟିଏ ବହିରେ ଲେଖିଥିଲେ ଯେ, ଯଦି ୫ ଜଣ ପିଲାଙ୍କୁ ଗଧ ବିଷୟରେ ରଚନାଟିଏ ଲେଖିବାକୁ ଦିଆଯାଏ, ତେବେ ସେଗୁଡ଼ିକରୁ ଗଧଟି ସମ୍ପର୍କରେ ଯେତେ ସତ୍ୟ ଜାଣିବାକୁ ନ ମିଳିବ, ସେହି ୫ଟି ପିଲାଙ୍କର ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ବିଷୟରେହିଁ ଅଧିକ ତଥ୍ୟ ମିଳିପାରିବ । ଗୋଟିଏ ତ୍ରିଭୁଜକୁ ନିଜ ମତପ୍ରକାଶ କରିବାର ସୁଯୋଗ ଦିଆଗଲେ ସିଏ ଭଗବାନଙ୍କୁ ହୁଏତ ତ୍ରିକୋଣାକାର ବୋଲିହିଁ କହିବ ଏବଂ ସେଥିରେ ଭଗବାନଙ୍କର ଆଦୌ କୌଣସି କ୍ଷତି ହେବନାହିଁ । ସମ୍ଭବତଃ ସେହିପରି ଏକ ବିନୋଦସୂତ୍ରର ବଶବର୍ତ୍ତୀ ହୋଇ ବୈଷ୍ଣବମାନେ ତାଙ୍କ ବିଷ୍ଣୁଙ୍କୁ ସବାବଡ଼ ପରମବ୍ରହ୍ମ ବୋଲି କହିଛନ୍ତି ଓ ଶୈବମାନେ ଶିବଙ୍କୁହିଁ ପରଂବ୍ରହ୍ମ ବୋଲି କହିଛନ୍ତି । ଏହାଦ୍ଵାରା ଆମ ଜଗତର ସରଳ ନିରୀହ ଏବଂ ନିର୍ମଳ ଭକ୍ତମାନଙ୍କୁ ଯେଝା ଯେଝା ସ୍ଥାନରେ ଅପାର ପୁଲକ ପ୍ରଦାନ କରି ବିଷ୍ଣୁ, ଶିବ ଓ ଏପରିକି ପରଂବ୍ରହ୍ମ ମଧ୍ୟ ହୁଏତ କେତେ ନା କେତେ ପୁଲକ ଅନୁଭବ କରିଥିବେ । ସ୍ଵାଧିକାରପ୍ରମତ୍ତ ଭକ୍ତମାନଙ୍କର ଚପଳତା ସେମାନଙ୍କୁ ଆଦୌ କୌଣସି ଦୁଃଖ ଦେଇ ନଥିବ ।

 

ତୁମେ ଯଦି ଧରଣୀଧରଙ୍କର ପଟ ହୋଇଥିବ ଓ ତାଙ୍କୁ ଦେଖୁଛି ବୋଲି ଫକୀରମୋହନଙ୍କୁ ସତେଅବା ଜାଣିଶୁଣି ମୋଟେ ଦେଖି ପାରୁ ନଥିବ, ତେବେ ତୁମେ ଯାହାକିଛି କହିବ, ତାହାକୁ ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରରେ କହିବ । ଅପରପକ୍ଷରେ ଯଦି ତୁମେ ଫକୀରମୋହନଙ୍କର ପଟ ହୋଇଥିବ ଓ ତାଙ୍କୁ ଦେଖୁଛ ବୋଲି ସତେଅବା ଜାଣିଶୁଣି ଧରଣୀଧରଙ୍କୁ ମୋଟେ ଦେଖିପାରୁ ନଥିବ, ତେବେ ତୁମେ ଯାହାକିଛି କହିବ, ତାହାକୁ ଅଲବତ୍ ଆଉ ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରରେ କହିବ । ଏପରି କରିବାଦ୍ୱାରା ତୁମେ ନିଜେ ଖଣ୍ଡିଆ ବୋଲି ଧରାପଡ଼ି ଯାଉଥିବ ସିନା, ଫକୀରମୋହନ କିମ୍ବା ଧରଣୀଧରଙ୍କର ମୋଟେ କିଛି ହେବନାହିଁ । ଧର୍ମମାନଙ୍କରେ, ରାଜନୀତିରେ ଓ ତଥାକଥିତ ଆଦର୍ଶବାଦରେ ଏମିତି କେତେ ଗୋଟାଏ ପାଖରେ ଠାକୁର ଗଢ଼ାଯାଇଛି ଏବଂ ଅନ୍ୟ ପାଖରେ ଠାକୁର ଭଙ୍ଗା ମଧ୍ୟ ଯାଇଛି । ତଥାପି ପରମେଶ୍ୱରଙ୍କର, ସତ୍ୟର କିମ୍ବା ଅସଲ ମୂଲ୍ୟଗୁଡ଼ିକର ଆଦୌ କିଛି ହୋଇନାହିଁ । ମଣିଷମାନେ ଯାହା ମିଛ କଳହ ଲଢ଼ିଛନ୍ତି ଓ ଖଣ୍ଡିଆ ବୋଲି ଧରାପଡ଼ି ଯାଇଛନ୍ତି ।

 

ତେଣୁ ପ୍ରତିବାଦ ହେଉ ଏବଂ ଖୁବ୍ ହେଉ । ମିଛ ପ୍ରତିମାମାନେ ଭାଙ୍ଗି ଯାଆନ୍ତୁ । ପ୍ରତିବାଦ ହେଲେ ଯାଇ ଭାବପ୍ରବଣ ତୋଷାମୋଦକାରୀମାନଙ୍କର ଆଣ୍ଟ ଭାଙ୍ଗିଯିବ । ଓଡ଼ିଶା ଏପରି ଗୋଟିଏ ରାଜ୍ୟ ଯେଉଁଠାରେ ପ୍ରତିବାଦ କ୍ୱଚିତ ହୁଏ । ପରଚର୍ଚ୍ଚା ହୁଏ, ଯେଝା ଗଳିରେ ଯିଏ ଗୋଷ୍ଠୀଟିଏ ଗଢ଼ି ଓ ଆଦର୍ଶଟିଏ ଥାପି ଫୁଲେଇ ହୁଅନ୍ତି ସିନା, ମାତ୍ର ପ୍ରତିବାଦ ଆଦୌ ହୁଏନାହିଁ । ପ୍ରତିବାଦ ନ ହେବାଦ୍ୱାରା ଯେଝା ଗଡ଼ିଆ ଭିତରେ ଯିଏ ଫୁଲେଇ ବେଙ୍ଗଟିଏ ହୋଇ ରହିଯାଆନ୍ତି । ବେଙ୍ଗକୁ ଛତା ଟେକି ଏଠାରେ ଭାରି ଲଢ଼େଇ ହୁଏ । ସାହିତ୍ୟରେ ମଧ୍ୟ ଆଦୌ କମ୍ ହୁଏ ନାହିଁ । ଏହି ତାମସିକତାର ଅନ୍ତ ହେଉ । ଏକାନ୍ତବାଦର ଅନ୍ତ ହେଉ । ପ୍ରାଚୀନ ଭାରତୀୟ ନ୍ୟାୟରେ ଅନେକାନ୍ତବାଦ ବୋଲି ଗୋଟିଏ ଦୃଷ୍ଟି ଥିଲା, ଯାହାକି ଏବେ ଆଧୁନିକ ଜଗତରେ ଯାବତୀୟ ଜୀବନଜିଜ୍ଞାସାରେ ଦିଗ୍‌ଦର୍ଶକ ବୋଲି ସ୍ୱୀକୃତ ହେଲାଣି । ଗୋଟିଏ କାରଣସମଷ୍ଟିରୁ କେବଳ ଗୋଟିଏ ଫଳ ନିଷ୍ପନ୍ନ ହୁଏ ଓ ତାହାହିଁ ଏକମାତ୍ର ସତ୍ୟ ବୋଲି କହି ଆସିଥିବା ବିଜ୍ଞାନ ମଧ୍ୟ ଏବେ ଅନେକାନ୍ତବାଦୀ ହେଲାଣି । ଭାରତବର୍ଷରେ ସେହି ଦୃଷ୍ଟିଶୈଳୀଟିକୁ ଗ୍ରହଣ କରିବା ପୂର୍ବରୁ ଥାପିତ ହୋଇ ରହିଥିବା ପ୍ରତିମାମାନେ ଓ ପ୍ରଚକ୍ଷୁମାନେ ଆଗ ଅଳପ ବୋଲି ପ୍ରମାଣିତ ହୁଅନ୍ତୁ ! ସିଏ ୟାର ପ୍ରତିବାଦ କରୁ ଏବଂ ଇଏ ତାହାର ପ୍ରତିବାଦ କରୁ । ତେବେ ଯାଇ ଅସଲ ସତ୍ୟ ଓ ଅସଲ ସ୍ୱାସ୍ଥ୍ୟ, ତେଣୁ ଅସଲ ହିତ ଏକ ସମଗ୍ରତାରେ ଓ ପରସ୍ପର ସହିଷ୍ଣୁତାରେ ନିହିତ ହୋଇ ରହିଛି ବୋଲି ଆମର ହୋସ ଆସିବ ।

 

ତଥାପି ଅନୁରାଗରେ ଯେପରି ଭିନ୍ନ ଭିନ୍ନ ସ୍ତର ରହିଛି, ପ୍ରତିବାଦରେ ମଧ୍ୟ ସେହିଭଳି ଭିନ୍ନ ଭିନ୍ନ ସ୍ତର ରହିଛି । ସମ୍ଭବତଃ ଅନୁରାଗରେ ଭିନ୍ନ ଭିନ୍ନ ସ୍ତର ରହିଛି ବୋଲିହିଁ ପ୍ରତିବାଦରେ ମଧ୍ୟ ଭିନ୍ନ ଭିନ୍ନ ସ୍ତର ରହିଛି । ପ୍ରତିବାଦର ଉତ୍‌କ୍ଷିପ୍ତ ସ୍ତର ରହିଛି, ଏକ ଉଦାର ସ୍ତର ରହିଛି । ଏକପ୍ରକାର ପ୍ରତିବାଦ ଆମକୁ ଆପଣାର ଭାବପ୍ରବଣ ସାନ ସାନ ପକ୍ଷାଗ୍ରହର ଗାଡ଼ଟି ଭିତରେ କିଳି ରଖିବାରେହିଁ ଅଧିକ ସାହାଯ୍ୟ କରେ । ଆମେ ସେତେବେଳେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ଉତ୍ତେଜିତ ହୋଇପଡ଼ୁ ଓ ୟାଡ଼ୁସାଡ଼ୁ ଉଲୁଗୁଣା ଦେଇ ଗାଳିବର୍ଷଣ କରିବାରେ ଲାଗିଯାଉ । ଏକ ଉଦ୍‌ଘାଟନକାରୀ ସ୍ତରର ପ୍ରତିବାଦ ମଧ୍ୟ ରହିଛି । ଏହି ସ୍ତରର ପ୍ରତିବାଦହିଁ ସାହିତ୍ୟକୁ ଯଥାର୍ଥ ଭାବରେ ସାହାଯ୍ୟ କରେ, ଆମ ନିଜର ଭାବନାକୁ ତାହା ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର କରେ । ସଭ୍ୟତାର ଇତିହାସରେ ଏହି ସ୍ତରର ପ୍ରତିବାଦ ସମଗ୍ର ମନୁଷ୍ୟସମାଜ ନିମନ୍ତେ କେତେକେତେ ଉନ୍ମୋଚନ ଏବଂ କେତେକେତେ କଲ୍ୟାଣକୁ ଡାକି ନେଇଆସିଛି । ପୃଥିବୀ ଏ ସୋପାନରୁ ସେ ସୋପାନକୁ ଉଠିଯାଇଛି ।

 

ତେଣୁ, ଓଡ଼ିଶାରେ ଅନ୍ତତଃ ଆମରି କଲ୍ୟାଣ ଲାଗି ଅଧିକରୁ ଅଧିକ ପ୍ରତିବାଦ ହେଉ । ଏହି ଖଣ୍ଡମଣ୍ଡଳଟିରେ ଯେତେ ଯେଉଁଠାରେ ବାହାରରେ ଅଥବା ଭିତରେ ଖଣ୍ଡିଆ ହୋଇ ରହିଛି ଓ ମାଦଳ ମଣିଷମାନେ ସେଗୁଡ଼ାକୁ କେତେ ନା କେତେ ପ୍ରେମରେ ଆଦରି ନେଇଛନ୍ତି, ତାହାରି ବିରୋଧରେ ପ୍ରତିବାଦର ଖଡ୍ଗ ଉତ୍ତୋଳିତ ହେଉ । ଜଣେ ମଣିଷ ଯେତେବେଳେ ବାହାରେ ଦେଖୁଥିବା କୌଣସି ଅଳ୍ପତା ଏବଂ ଅଶୋଭନୀୟତା ବିରୋଧରେ ପ୍ରତିବାଦର ସ୍ୱର ଉଠାଏ, ଅନେକ ସମୟରେ ସେ ଅତ୍ୟନ୍ତ ଅସଚେତ ଅଥଚ ସୁନିଶ୍ଚିତ ଭାବରେ ନିଜ ଭିତରେ ରହିଥିବା ପ୍ରାୟ ସେହି ଅଳ୍ପତା ଏବଂ ଅଶୋଭନୀୟତା ବିରୋଧରେ ମଧ୍ୟ ଖଡ୍ଗ ଉତ୍ତୋଳନ କରିଥାଏ । ତେଣୁ ତଦ୍ଦ୍ୱାରା ଉଭୟ ପକ୍ଷର ଲାଭହିଁ ହୁଏ ।

Image

 

ପୁଣି ସେହି ପୁରୁଣା ଆହ୍ୱାନଟି

 

ଦକ୍ଷିଣଆଫ୍ରିକା ସ୍ୱାଧୀନ ହେଲା । ଗତ ତିନିଶହବର୍ଷ ହେଲା ଯେଉଁମାନେ ଦକ୍ଷିଣଆଫ୍ରିକାକୁ ଶାସନ କରୁଥିଲେ, ସେମାନେ ଅବଶ୍ୟ ସର୍ବଦା ସେହି ଦେଶକୁ ଏକ ସ୍ୱାଧୀନ ଦେଶ ବୋଲି କହୁଥିଲେ । ତଥାପି ଦେଶର ତିନି ଚଉଠରୁ ଅଧିକ ମଣିଷଙ୍କ ସକାଶେ ତାହା ଏକ ପରାଧୀନ ଦେଶ ହୋଇ ରହିଥିଲା । ଦେହର ରଙ୍ଗ ଅନୁସାରେ ଭାଗ୍ୟର ବିଚାର ହେଉଥିଲା । ସମଗ୍ର ପୃଥିବୀ ବୋକାଙ୍କ ପରି ଅନାଇ ରହିଥିଲା । ତଥାପି ସେଠାରେ କେଡ଼େ ଆଡ଼ମ୍ବରରେ ଏକ ବର୍ବର ଅଶାସନ ଚାଲିଥିଲା । ସାରା ପୃଥିବୀ ଦକ୍ଷିଣଆଫ୍ରିକାକୁ ବାସନ୍ଦ କଲା, ତାହା ସହିତ କୌଣସି ବାଣିଜ୍ୟିକ ସମ୍ପର୍କ ରହିବନାହିଁ ବୋଲି ଖୋଲାଖୋଲି ଘୋଷଣା କଲା । ତଥାପି ଦକ୍ଷିଣଆଫ୍ରିକାରେ ଅଳପ ମଣିଷ ଅଧିକଙ୍କ ଉପରେ ଘୋଡ଼ା ଚଢ଼ି ରହିଥିଲେ ଓ ତାହାକୁହିଁ ସଭ୍ୟତାର ବିଶେଷାଧିକାର ବୋଲି କହୁଥିଲେ ।

 

ଯେଉଁଠି ଅନ୍ୟାୟ ଥାଏ, ସେଠାରେ ଅନ୍ୟାୟର ପ୍ରତିରୋଧ ମଧ୍ୟ ଅବଶ୍ୟ ଜନ୍ମଗ୍ରହଣ କରେ । ଦକ୍ଷିଣଆଫ୍ରିକାର ନିଗ୍ରୋମାନେ କ୍ରମେ ଅନ୍ୟାୟର ପ୍ରତିରୋଧ କରି ବାହାରିଲେ । ସେମାନଙ୍କୁ ଦିଗ୍‌ଦର୍ଶନ ଦେବା ନିମନ୍ତେ ବିଭିନ୍ନ ପ୍ରକାରର ରାଜନୀତିକ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ପ୍ରକାରର ନେତୃତ୍ୱ ମଧ୍ୟ ଜନ୍ମଲାଭ କରିଥିଲା । ଯୁଦ୍ଧ କେତେବେଳେ ହିଂସାରେ ହେଲା, କେତେବେଳେ ଅହିଂସାରେ ମଧ୍ୟ ହେଲା । ସରକାରଙ୍କର ସଙ୍ଗଠିତ ହିଂସା ପ୍ରାୟ ସବୁବେଳେ ପ୍ରବଳ ହୋଇ ସେଠି ମଣିଷମାନଙ୍କୁ ପୋକମାଛି ପରି ମାରିବାରେ ଲାଗିଥିଲା । ତଥାପି ପ୍ରତିରୋଧ ଦବି ଗଲାନାହିଁ । ପ୍ରତିରୋଧ ଆନ୍ଦୋଳନରେ ପରିଣତ ହେଲା । ତା’ପରେ ଯେଉଁ ସବାବଡ଼ ଘଟଣାଟି ଘଟିଲା, ସେଇଟି ହେଉଛି ଯେ, ଦକ୍ଷିଣଆଫ୍ରିକାର ଏକାଧିକ ଖ୍ରୀଷ୍ଟିଆନ ପାଦ୍ରୀ କଳାମାନଙ୍କର ଆନ୍ଦୋଳନକୁ ସମର୍ଥନ କଲେ, ଅନେକେ ଗୋଟାସୁଦ୍ଧା ଏପାଖକୁ ଆସି ଆନ୍ଦୋଳନରେ ନେତୃତ୍ୱ ମଧ୍ୟ ଦେଲେ । କହିବା ବାହୁଲ୍ୟ, ଏମାନେ ସମସ୍ତେ କଳା ଚମର ମଣିଷ ଥିଲେ । ତେଣୁ ସେମାନେ ଏବଂ ଗୋରା ଶାସକମାନେ ଆପାତତଃ ଗୋଟିଏ ଧର୍ମମାର୍ଗର ହୋଇଥିଲେ ମଧ୍ୟ ସେମାନେ ତଥାପି ଏକ ଅନ୍ୟ ପ୍ରେରଣାଦ୍ୱାରା ଉଦ୍‌ବୁଦ୍ଧ ହୋଇ ଅତ୍ୟାଚାରିତମାନଙ୍କର ପକ୍ଷରେ ରହିଲେ । ପ୍ରତିରୋଧ ଓ ପ୍ରତିବାଦ ଅଧିକରୁ ଅଧିକ ଶକ୍ତିଶାଳୀ ହେଲା । ବିଶ୍ଵାସ ବଢ଼ିଲା ଏବଂ ସେହି ବିଶ୍ୱାସ ପ୍ରତି ଆନୁଗତ୍ୟ ଘୋଷଣା କରି କେତେକେତେ ଯୋଦ୍ଧା ମୁକ୍ତି ସଂଗ୍ରାମରେ ଜୀବନ ଦେଲେ । ଅବଶିଷ୍ଟ ପୃଥିବୀ ଏହି ବିଷୟରେ ବିଶେଷ କିଛି କରିପାରୁ ନଥିଲା ସିନା, ମାତ୍ର ପୂର୍ଣ୍ଣ ପ୍ରତ୍ୟାଶାର ସହିତ ଏହି ଅନ୍ଧଗଡ଼ରେ ମଧ୍ୟ ଅବଶ୍ୟ ଏକ ପରିବର୍ତ୍ତନ ହେବ ବୋଲି ଅପେକ୍ଷା କରି ରହିଥିଲା ।

 

ଆନ୍ଦୋଳନର ଆଘାତରୁ ହେଉ ଅଥବା ଚୈତନ୍ୟୋଦୟ ହେତୁ ହେଉ, କ୍ରମେ କେତେକ ଗୋରାଙ୍କୁ ମଧ୍ୟ ସେହି ଅସଭ୍ୟ ଶାସନ ଅସହ୍ୟ ଲାଗିଲା । ଖୋଦ୍ ସରକାର ଭିତରେ ମଧ୍ୟ ଏପରି ବ୍ୟକ୍ତିମାନେ ଆସିଲେ, ଯେଉଁମାନେ ସେହି ଶାସନରେ ଏକ ପରିବର୍ତ୍ତନ ଇଚ୍ଛା କଲେ । ପୁରାତନ ରାଢ଼ ଓ ଜାଠମାନଙ୍କର ପ୍ରକୋପ କ୍ରମେ କମିଆସିଲା, ସେମାନଙ୍କର ଦାନ୍ତଗୁଡ଼ାକ କ୍ରମେ ଝଡ଼ିପଡ଼ିଲା । ନିଗ୍ରୋ ନେତାମାନେ ଖଲାସ ହେଲେ । ଦୀର୍ଘ ସତେଇଶିବର୍ଷ ପରେ ନେଲ୍‌ସନ ମାଣ୍ଡେଲା ମଧ୍ୟ ପଦାକୁ ବାହାରିଲେ । ଗୋରା ଓ କଳାଙ୍କ ଭିତରେ ଏକ କଥାବାର୍ତ୍ତା ମଧ୍ୟ ଆରମ୍ଭ ହେଲା । ତଥାପି ରକ୍ଷଣଶୀଳ ଅନମନୀୟମାନେ ଶେଷ ପର୍ଯ୍ୟନ୍ତ ଆଦୌ କୌଣସି ପରିବର୍ତ୍ତନ ନହେଉ ବୋଲି କେତେକଅଣ ଷଡ଼ଯନ୍ତ୍ର କରୁଥିଲେ । ମାତ୍ର ଯାହା ଅବଶ୍ୟମ୍ଭାବୀ, ତାହାହିଁ ପ୍ରକୃତରେ ଘଟିଲା । ଦକ୍ଷିଣଆଫ୍ରିକାର କଳାଗୋରା ସମସ୍ତେ ପୃଥିବୀର ମାନଚିତ୍ର ଭିତରକୁ ଆସିବେ ବୋଲି ସ୍ଥିର କଲେ, ଭୋଟ ଦେଲେ । ନିଜ ଦେଶର ଇତିହାସରେ ସେମାନେ ସର୍ବପ୍ରଥମ ଥରପାଇଁ ନିଜ ଦେଶର ନାଗରିକ ଭାବରେ ଭୋଟ ଦେଲେ । ଗଣମତର ପ୍ରତିଷ୍ଠା ହେଲା । ସମସ୍ତଙ୍କୁ ଏକତ୍ର ଗୋଟିଏ ସମୂହ ବୋଲି ସ୍ୱୀକାର କରି ହୋଇଥିବା ନିର୍ବାଚନର ଫଳ ଅନୁସାରେ ଦେଶ ସତେଅବା ଏବେ ଯାଇ ଯଥାର୍ଥରେ ସ୍ଵାଧୀନ ହେଲା ।

 

ଏହି ପରିବର୍ତ୍ତନରେ ପୃଥିବୀରେ ଆମେ ସମସ୍ତେ ଉଲ୍ଲସିତ ହେଲୁ । ସେହି ଘଟଣାଟିକୁ ଆମେ ସତେଅବା ଆମ ସମସ୍ତଙ୍କର ଉତ୍ସବ ପରି ପାଳନ କଲୁ । ନୂଆ ଆଖି ଏବଂ ନୂତନ ମୂଲ୍ୟମାନରେ ସେହି ଦେଶରେ ନୂଆ ସରକାରଟିଏ ଗଠିତ ହେଲା । ଗୋଟିଏ ଯୁଗ ସରିଲା, ଆଉ ଗୋଟିଏ ଯୁଗ ଆରମ୍ଭ ହେଲା । ଯେଉଁ ନେତୃତ୍ୱ ବଳରେ ଆଗର ଯୁଗଟି ସରିଗଲା ପରି ଆମ ସମସ୍ତଙ୍କର ଆଖିକୁ କେଡ଼େ ଜଳଜଳ ହୋଇ ଦିଶୁଛି, ସେହି ନେତୃତ୍ୱ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଉପଯୁକ୍ତ ନେତୃତ୍ୱ ଦେଇପାରିବ କି ନାହିଁ କେଜାଣି ? ଗୋଟିଏ ଦେଶ ରାଜନୀତିକ ସ୍ୱାଧୀନତା ଲାଭ କଲେ ତାହାକୁ ସେହି ଦେଶର ଭାଗ୍ୟରେ ଅବଶ୍ୟ ଏକ ବୃହତ୍‌ ଘଟଣା ବୋଲି କୁହାଯିବ । ମାତ୍ର ରାଜନୀତିକ ସ୍ୱାଧୀନତା ପରେ ଗୋଟିଏ ସମୂହର ଭାଗ୍ୟରେ ଯେଉଁ ପରବର୍ତ୍ତୀ ସୋପାନଗୁଡ଼ିକ ଅପେକ୍ଷା କରି ରହିଥାଏ, ଆର୍ଥିକ ଓ ସାମାଜିକ ପରିବର୍ତ୍ତନର ସେହି ଅନ୍ୟ ପର୍ଯ୍ୟାୟଟିରେ ସେହି ପୁରୁଣା ନେତୃତ୍ୱଟି ଯେ କେତେଦୂର ଉପଯୁକ୍ତ ଭାବରେ ନିଜର ଭୂମିକାଟିକୁ ତୁଲାଇ ପାରିବ, ତାହାରି ଉପରେ ସେହି ଦେଶର ଅସଲ ଭାଗ୍ୟଟି ନିର୍ଭର କରୁଥାଏ । ଏହାପରେ ଦକ୍ଷିଣଆଫ୍ରିକାରେ କ’ଣ ହେବ ?

 

ଗତ କେତେ ଶହ ବର୍ଷ ଭିତରେ ଅଧିକାଂଶ କଳାଲୋକ ନିଜର ଭୂମି ହରାଇଛନ୍ତି ଏବଂ ଗୋରାମାନେ ହଡ଼ପ କରି ନେଇଥିବା ଜମିରେ ଏବେ ପୁରୁଷ ପୁରୁଷ ଧରି ମୂଲ ଖଟୁଛନ୍ତି । କଳାପିଲାଙ୍କ ନିମନ୍ତେ ରହିଥିବା ନିରସିଆ ସ୍କୁଲ୍‍ମାନଙ୍କରେ ଶିକ୍ଷା ବାବଦରେ ଗୋରାପିଲାଙ୍କ ପାଇଁ ରହିଥିବା ସ୍କୁଲ୍‍ଗୁଡ଼ିକର ତୁଳନାରେ ଦଶଭାଗରୁ ଭାଗେ ମଧ୍ୟ ଖର୍ଚ୍ଚ ହେଉନାହିଁ । ଏହି ଅବସ୍ଥା ବଦଳିବ ତ ? ଗୋରା ଓ କଳା ପିଲା ଏକାଠି ଗୋଟିଏ ସ୍କୁଲ୍‍ରେ ବସି ଏକାଭଳି ପାଠ ପଢ଼ିପାରିବା ନିମନ୍ତେ ଦେଶରେ ଯେଉଁ ଆର୍ଥିକ ଅନ୍ୟଭିତ୍ତିଟି ଦରକାର, ସେହି ଭିତ୍ତିଟି କେବେ ସମ୍ଭବ ହେବ ? ଯାବତୀୟ ଜ୍ଞାନ, ବିଦ୍ୟା ଓ କୌଶଳରେ କଳାମାନେ ପୁରୁଷ ପୁରୁଷ ଧରି ସାତପଛରେ ରହିଛନ୍ତି, ସବୁ କ୍ଷେତ୍ରରେ ଗୋରା Big Brotherର ଲମ୍ବା ହାତଗୁଡ଼ାକ କଳାମାନଙ୍କର ଗୋଡ଼କୁ ପଛକୁ ଟାଣି ରଖିଛି ଓ ଆଦୌ ଆଗକୁ ଯିବାକୁ ଦେଉନାହିଁ । ଦେଶର ନୂଆ ସରକାର କେଡ଼େ ଧୀର ବା ସତ୍ୱର ଭାବରେ ସେଗୁଡ଼ିକର ସମ୍ମୁଖୀନ ହେବ ?

 

ଏଣିକି ଗୋରା–କଳା ଭିତରେ ରହିଥିବା ବର୍ଣ୍ଣର ଭେଦଟା କମ୍ ଉତ୍କଟ ହୋଇଯିବ; ଅନ୍ୟାନ୍ୟ ଭେଦଗୁଡ଼ାକ ଆହୁରି ଏଡ଼େ ଏଡ଼େ ହୋଇ ଦିଶିବ । ସେହି କଳାମାନଙ୍କ ଭିତରେ ମଧ୍ୟ ଧନୀ, ମଧ୍ୟବିତ୍ତ ଓ ଦରିଦ୍ର ରହିଥିବେ । ନାନାବିଧ ନ୍ୟସ୍ତସ୍ୱାର୍ଥ ଯେକୌଣସି ତ୍ୱରିତ ପରିବର୍ତ୍ତନ ବିରୋଧରେ ହୁଏତ ତୀବ୍ର ପ୍ରତିବାଦ କରି ବାହାରିବେ । କଳାଙ୍କ ଭିତରେବି କେତେକେତେ ଖାଇ ରହିଥିବ ଏବଂ ଦୂରତାଗୁଡ଼ାକୁ ଦୂର କରିବାକୁ ବାହାରିଲେ ପ୍ରତିକ୍ରିୟାଶୀଳ ଉପାଦାନମାନେ ବିଦ୍ରୋହ କରିଉଠିବେ ।

 

ପୁନଶ୍ଚ, ସେହି ଦେଶରେ ଯେଉଁ ଭାରତୀୟ ବଂଶୋଦ୍ଭବମାନେ ରହିଛନ୍ତି, ଯେଉଁମାନେ ଗୋରାମାନଙ୍କ ଆଖିରେ ‘କୁଲି’ ହୋଇ ରହିଥିବା ସମୟରେ ତେଣେ କଳାମାନଙ୍କୁ ପତିତ ଓ ଶୂଦ୍ରଜ୍ଞାନରେ ଦେଖୁଛନ୍ତି, ସେମାନେବି ସେହି ଦେଶର ଅନ୍ୟମାନଙ୍କ ସହିତ ନିଜକୁ କେତେ ଶୀଘ୍ର ଅଥବା କେତେ ଡେରିରେ ଅଭିନ୍ନ ବୋଲି ଅନୁଭବ କରିବେ ? ଏବେଯାଏ ସିନା ଗୋରାମାତ୍ରକେ ସମସ୍ତେ କଳାମାତ୍ରକେ ସମସ୍ତଙ୍କର ଆଖିରେ ସାମନ୍ତ ପରି ଦିଶୁଥିଲେ । ଏବେ କଳା, ଗୋରା ଓ ସାବନା ସମସ୍ତଙ୍କ ଶିବିରରେ ନୂଆ ସାମନ୍ତମାନେ ବାହାରିବାକୁ ଚେଷ୍ଟା କରିବେ, ନାନା ନ୍ୟସ୍ତସ୍ୱାର୍ଥକୁ କାମୁଡ଼ି ରହିବାକୁ ଜିଦ୍ ଧରିବସିବେ । ଦକ୍ଷିଣଆଫ୍ରିକାର ଆଗାମୀ ନେତୃତ୍ୱ କେତେ ଦକ୍ଷ ଭାବରେ ସେମାନଙ୍କର ପ୍ରତିରୋଧକୁ ଡେଇଁଯାଇ ପାରିବ ଅଥବା ସେହିମାନଙ୍କ ମଧ୍ୟରୁ କାହା ହାତରେ କ୍ରୀଡ଼ନକଟିଏ ହୋଇ ରହିଯିବ ?

 

ଭାରତବର୍ଷକୁ ମଧ୍ୟ ଦିନେ ଏହିପରି କେତେ ଉଲ୍ଲାସ ଖେଳାଇଦେଇ ଏବଂ କେତେକେତେ ପ୍ରତ୍ୟାଶାର ସନ୍ଦେଶ ବହନ କରି ରାଜନୀତିକ ସ୍ଵାଧୀନତା ଆସିଥିଲା । ଦିଲ୍ଲୀର ଲାଲକିଲ୍ଲାରେ ସେଦିନ ସ୍ଵର୍ଗରୁ କେତେ ପୁଷ୍ପ ବୃଷ୍ଟି ହୋଇଥିଲା । ପ୍ରାୟ କୋଡ଼ିଏବର୍ଷ ତଳେ ସଫଳ ମୁକ୍ତିଯୁଦ୍ଧଟିଏ ଲଢ଼ି ବଙ୍ଗଳାଦେଶ ମଧ୍ୟ ସ୍ୱାଧୀନ ହୋଇଥିଲା । ଏବଂ ତା'ପରେ କ'ଣ ହେଲା ? ଗତକାଲିର ବିପ୍ଳବୀ ବୀରମାନେ ଲୋକମାନଙ୍କଠାରୁ ଗାଦିର ଅଧିକାର ପାଇ ସେହି ଗାଦିଟାରେ କ'ଣ ଏପରି ମଜ୍ଜିଗଲେ ଯେ କ୍ରମେ ଦେଶରେ ସେହିମାନେହିଁ ସାମନ୍ତରୂପେ ପ୍ରତିଷ୍ଠିତ ହେଲେ ଏବଂ ମଣିଷମାନଙ୍କୁ ଭୁଲିଗଲେ । ପ୍ରତିଶ୍ରୁତ ଭବିଷ୍ୟତଟି ଚୁଲିକୁ ଗଲା । ଏପାଖ ସେପାଖ, ଡାହାଣ ବାମ ତଥା ସୋସିଆଲିଷ୍ଟ କମ୍ୟୁନିଷ୍ଟ ସମସ୍ତେ ସାମନ୍ତ ହେବାରେ ଏକ ଆରେକକୁ ବଳି ପଡ଼ିଲେ । ଖାଇଗୁଡ଼ାକ ନୃଶଂସ ଭାବରେ ବଢ଼ିଗଲା । କ୍ଷମତାର ମଣିଷ ଆପଣାର ଉଦାସୀନତାରେ ରାକ୍ଷସ ହେଲା ଏବଂ ମଣିଷର ଭାଗ୍ୟକୁ ଧୋକା ଦେଲା । ଏବଂ ତୃତୀୟ ବିଶ୍ୱ କହିଲେ ଏବେ ଯେଉଁ ଦେଶଗୁଡ଼ିକୁ ବୁଝାଉଛି, ସେହି ଦେଶମାନଙ୍କରେ ପୁରୁଣା ଶୋଷଣ, ପୁରୁଣା ସମାଜ ଓ ପୁରୁଣା ଉପେକ୍ଷାଗୁଡ଼ାକ ସତେଅବା ଆଇନର ସମର୍ଥନ ଲାଭ କରି ଦୃଢ଼ ହୋଇ ରହିଲା ।

 

ଆହ୍ୱାନଗୁଡ଼ିକୁ ଟାଳି ଦେଇଥିବା ଆମର ସେହି ବିପ୍ଳବୀମାନେ କୁଆଡ଼େ ଗଲେ ? ଏହିସବୁ ଦେଶରେ ପ୍ରତ୍ୟେକ ମନୁଷ୍ୟ ମନୁଷ୍ୟର ସମ୍ମାନ ଏବଂ ସମ୍ପନ୍ନତା ସହିତ ଜୀବନଟିଏ ବଞ୍ଚିପାରିବାର ସେହି ଅସଲ ଦିନଟି କେବେଯାଇ ଆସିବ ? ଏବଂ ସେଥିଲାଗି ଅସଲ ବିପ୍ଳବଟି କେବେ ଆରମ୍ଭ ହେବ ? ଏହି କ୍ଷେତ୍ରରେ ଦକ୍ଷିଣଆଫ୍ରିକା କ’ଣ ପ୍ରକୃତରେ ଏକ ବ୍ୟତିକ୍ରମ ହେବ ନା ଜାତୀୟତାବାଦର ଏହି ଚିହ୍ନା ଉତ୍ତେଜନାଗୁଡ଼ାକ ଶୀତଳ ହୋଇଆସିଲେ ସେଠି ମଧ୍ୟ ଗୋରା, କଳା ଓ ସାବନା ସାମନ୍ତମାନେ ଏକାଠି ହାତ ମିଳାଇ ବାହାରିବେ ଏବଂ ବହୁସଂଖ୍ୟକ ମଣିଷଙ୍କୁ ଅସଭ୍ୟ ଭାବରେ ବଞ୍ଚିତ କରିରଖିବେ ?

Image

 

ଶକ୍ତି ଓ ଅପଶକ୍ତିର କାହାଣୀ

 

ସବୁକିଛି ତ ଶକ୍ତି, ପୁଣି ଅପଶକ୍ତି କ’ଣ ? ଜଳ ହେଉଛି ଶକ୍ତି, ସେହି ଜଳ ଯେତେବେଳେ ବନ୍ୟାର ରୂପ ଧାରଣ କରି କୂଳ ଲଙ୍ଘନ କରେ ଓ ମନୁଷ୍ୟମାନଙ୍କର ଧନଜୀବନ ନଷ୍ଟ ହେବାର କାରଣ ହୁଏ, ସେତେବେଳେ ତାହା ଏକ ଅପଶକ୍ତି । ଏକ ଶକ୍ତି କେତେବେଳେ ଅପଶକ୍ତିରେ ପରିଣତ ହୁଏ ଏବଂ ଆମଲାଗି ଯାବତୀୟ ଅଶୁଭର କାରଣ ହୁଏ, ତାହା ମଣିଷମାନେ ନିର୍ଣ୍ଣୟ କରନ୍ତି, ଶକ୍ତି ସ୍ୱୟଂ ନିର୍ଣ୍ଣୟ କରେନାହିଁ ।

 

ଠିକ୍ ସେହିପରି ଭାବରେ ବିଚାର କଲେ ଧର୍ମ ଏକ ଶକ୍ତି, ସଂସ୍କୃତି ମଧ୍ୟ ଏକ ଶକ୍ତି । ପ୍ରାୟ ପଚାଶବର୍ଷ ପୂର୍ବେ ଆମ ଦେଶକୁ ଯେଉଁ ସ୍ୱାଧୀନତା ପ୍ରାପ୍ତ ହୋଇଥିଲା, ସେଇଟି ମଧ୍ୟ ମୁଖ୍ୟତଃ ଏକ ଶକ୍ତିରୂପେ ଆମ ଦ୍ୱାରଦେଶରେ ଆସି ଉପସ୍ଥିତ ହୋଇଥିଲା । ସାହିତ୍ୟ, କଳା କିମ୍ବା ସଙ୍ଗୀତକୁ ମଧ୍ୟ କାର୍ଯ୍ୟତଃ ଗୋଟିଏ ଗୋଟିଏ ଶକ୍ତିରୂପେ ଅନୁଭବ କରାଯାଇପାରିବ । ଆମ ଆଧୁନିକ ଯୁଗରେ ଯେଉଁ ବିଜ୍ଞାନଦ୍ଵାରା ଆମର ପୃଥିବୀ ଅଧିକରୁ ଅଧିକ ପରିମାଣରେ ସମ୍ପଦବାନ ହେବାରେ ଲାଗିଛି, ସେଇଟି ମଧ୍ୟ ଆମକୁ ଯାବତୀୟ ପ୍ରକାରେ ନାନା ଶକ୍ତିରହିଁ ଅଧିକାରୀ କରିବାରେ ଲାଗିଛି । ସେହି ଶକ୍ତି କାମରେ ଲାଗିବାକୁ ଆମ ପାଖକୁ ଆସିଥାଏ । ଏକ ସମ୍ଭାବନାରୂପେ ତାହା ଆମ ଭିତରେ ରହିଥାଏ । ମନୁଷ୍ୟ, ବ୍ୟକ୍ତି ବା ସମୂହ ତାହାକୁ ଯେଉଁ ଦିଗରେ ପରିଚାଳିତ କରିବାକୁ ନିଷ୍ପତ୍ତି କରେ, ସେହି ଅନୁସାରେ ତାହା ଆମ ଲାଗି ନାନା ଶୁଭର ତଥା ନାନା ସାମର୍ଥ୍ୟର କାରଣ ହୁଏ; ନହେଲେ ଏକ ଅପଶକ୍ତିରେ ପରିଣତ ହୋଇ ଆମର ମଞ୍ଜକୁ ଖାଇଯାଏ । ଆମ ଯୁଗ ଲାଗି ଆମକୁ ଅଯୋଗ୍ୟ ବୋଲି ପ୍ରମାଣ କରେ ।

 

ଶିକ୍ଷାକୁ ମଧ୍ୟ ଯେକୌଣସି ସମାଜରେ ଏକ ମହାନ୍ ସମ୍ଭାବନାମୟ ଶକ୍ତି ବୋଲି ବିଚାର କରାଯାଇପାରିବ । ପାରମ୍ପରିକ ସମାଜରେ ଅର୍ଥାତ୍ ସେକାଳର ପୃଥିବୀରେ ମଣିଷମାତ୍ରକେ ସମସ୍ତଙ୍କୁ ଶିକ୍ଷାର ଅଧିକାର ଦିଆଯାଉ ନଥିଲା । ଭାରତବର୍ଷର ଅସଲ ଶାସ୍ତ୍ରଗୁଡ଼ିକ ଏକଦା ଯେଉଁ ଭାଷାରେ ଲେଖା ହେଉଥିଲା, ସେହି ଭାଷା ସମାଜରେ ଅଧିକସଂଖ୍ୟକ ମଣିଷଙ୍କ ନିମନ୍ତେ ମନା ହୋଇ ରହିଥିଲା । ଏକ ଶକ୍ତିହୀନ ସମାଜ ଭାଗ୍ୟକୁହିଁ ଦେବତା ବୋଲି ମାନି ନେଇଥାଏ । ଶତାବ୍ଦୀ ଶତାବ୍ଦୀ ଧରି ଭାରତବର୍ଷର ଅଧିକସଂଖ୍ୟକ ମଣିଷଙ୍କୁ ଭାଗ୍ୟର ଲାଙ୍ଗୁଡ଼କୁ ଧରାଇ ଦେଇ ଥୋକେ ମନୁଷ୍ୟ ଆମ ସାମୂହିକ ଜୀବନର ଯାବତୀୟ ଅଳିନ୍ଦରେ ଚକ୍ରବର୍ତ୍ତୀ ହୋଇ ବସିଥିଲେ । ବହୁସଂଖ୍ୟକ ମଣିଷ ଅସମର୍ଥ ହୋଇ ରହିଥିଲେ, ଅନ୍ଧବିଶ୍ୱାସ ମଧ୍ୟରେ ବୁଡ଼ି ରହିଥିଲେ । ସେମାନେ ଭଗବାନଙ୍କୁ ଡରି ଡରି ନିଜ ଭିତରେହିଁ ଭଗବାନ ଅପେକ୍ଷା କରି ରହିଛନ୍ତି ବୋଲି କୋଉଦିନରୁ ପାସୋରି ବସିଥିଲେ । ସତେଅବା ଗୋରୁଙ୍କ ପରି, ମେଷପଲଙ୍କ ପରି ଥୋକେ ସର୍ବଭୁକ୍‌ ଲୋଭୀ ମଣିଷଙ୍କଦ୍ୱାରା ପାଞ୍ଚଣରେ ଅଡ଼ା ହେବାରେ ଲାଗିଥିଲେ ।

 

ଏହି ସବୁକିଛି ତାମସା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାର ପ୍ରତିଶ୍ରୁତି ଦେଇ ଭାରତବର୍ଷକୁ ସ୍ଵାଧୀନତା ଆସିଲା । ସ୍ୱାଧୀନତାର ସଂଗ୍ରାମଟି ଲଢ଼ାହେଉଥିବା ସମୟରେ ସଂଗ୍ରାମୀମାନେ ଯେଉଁସବୁ ଗୀତ ଗାଇ ଯେକୌଣସି ଆହ୍ୱାନର ସମ୍ମୁଖୀନ ହେଉଥିଲେ, ସେହିସବୁ ସଙ୍ଗୀତରେ ଏପରି ଏକ ଭବିଷ୍ୟତ ସ୍ଵପ୍ନର ଆଶାମୟ ଆକାଶକୁ ଉଦ୍‌ଘାଟିତ କରି ଦେଖାଇ ଦିଆଯାଉଥିଲା, ଯେଉଁଠି ଶୋଷଣ ରହିବନାହିଁ, ଭୟ ରହିବନାହିଁ, ମଣିଷମାତ୍ରକେ ସମସ୍ତେ ସ୍ଵୀକୃତି ପାଇବେ, ଯେତେବେଳେ ଏହି ଦେଶରେ ପ୍ରତ୍ୟେକ ମଣିଷଙ୍କର ଆପଣାର ସର୍ବବିଧ ବିକାଶ ନିମନ୍ତେ ପ୍ରଶସ୍ତ ଅଧିକାରମାନ ରହିବ ଏବଂ ସେହି ଅଧିକାରଗୁଡ଼ିକର ପରିପ୍ରେକ୍ଷୀରେ ଦେଶରେ ସବୁ ମଣିଷଙ୍କର ଅନୁରୂପ କର୍ତ୍ତବ୍ୟମାନ ମଧ୍ୟ ରହିବ । କାହାକୁ ତା’ର ଅଧିକାରରୁ ବଞ୍ଚିତ କରି ରଖାଯିବ ନାହିଁ କିମ୍ବା ଆଉକେହି ଅମୁକ ଆସନରେ ଯାଇ ବସିଛି ଅଥବା ଅମୂକ ବଂଶରେ ଦୈବାତ୍ ଜନ୍ମ ହୋଇଛି ବୋଲି ତା’ର କର୍ତ୍ତବ୍ୟଗୁଡ଼ିକୁ ଫାଙ୍କି ମଧ୍ୟ ଦେଇପାରିବନାହିଁ ।

 

ଆମ ଦେଶର ସ୍ୱାଧୀନତା ଯୁଦ୍ଧ ଖଣ୍ଡାରେ ଲଢ଼ା ହୋଇ ନଥିଲା, ତେଣୁ ସ୍ୱାଧୀନ ଭାରତବର୍ଷରେ ସେହି ଖଣ୍ଡାର ଭୟ ଦେଖାଇ ଆଦୌ କିଛି ଗଢ଼ା ହେବାର ପ୍ରଶ୍ନ ଉଠୁ ନଥିଲା । ଯେଉଁମାନେ ବୋମା ବା ବନ୍ଧୁକ ଉପରେ ବିଶ୍ୱାସ ରଖିପାରନ୍ତିନାହିଁ, ସେମାନଙ୍କୁ ଶିକ୍ଷା ଉପରେହିଁ ଆସ୍ଥା ସ୍ଥାପନ କରିବାକୁ ହୋଇଥାଏ । ବୋମାର ଶକ୍ତିଠାରୁ ସେମାନେ ଶିକ୍ଷାର ଶକ୍ତିକୁ ସହସ୍ରାଧିକ ଗୁଣ ଅଧିକ ଫଳପ୍ରଦ ବୋଲି ବିଶ୍ୱାସ କରନ୍ତି । ଭାରତବର୍ଷର ପୁନଃନିର୍ମାଣରେ ସ୍ୱାଧୀନତା ପରେ ଶିକ୍ଷାକୁହିଁ ସବୁଠାରୁ ଅସଲ ଓ ଅଧିକ ନିର୍ଭରଯୋଗ୍ୟ ଶକ୍ତି ବୋଲି ସ୍ୱୀକାର କରାଯାଇଥାନ୍ତା । ଭାରତ ସରକାର ବିଭିନ୍ନ ସମୟରେ ଶିକ୍ଷାରେ ସୁଧାରପାଇଁ ଯେତେ ଯେତେ କମିଶନ ବସାଇଛନ୍ତି, ସେମାନେ ସମସ୍ତେ ସେହି କଥାଟିକୁହିଁ ଘୋଷଣା କରିଯାଇଛନ୍ତି । ମାତ୍ର ଭାରତବର୍ଷର ଶାସକମାନେ ଶିକ୍ଷା ହାତରେ ସେହି ଦାୟିତ୍ୱଟିକୁ ଅର୍ପଣ କରିବାର କାର୍ଯ୍ୟଟିକୁ ଟାଳି ଟାଳି ଆସିଛନ୍ତି-। ଯଥାର୍ଥ ରାଜନୀତିକ ଦୃଷ୍ଟି ଏବଂ ରାଜନୀତିକ ଇଚ୍ଛାର ଅଭାବରୁ ସେଭଳି ଘଟିଛି-। ଶିକ୍ଷାରେ ଅସଲ ପ୍ରଶ୍ନଗୁଡ଼ିକର ସାମନା କରାଯାଇ ନଥିବାରୁ ଏକ ସ୍ୱାଧୀନ ଦେଶରୂପେ ଭାରତବର୍ଷର ଯାବତୀୟ ଅସଲ ସମସ୍ୟାକୁ ବଡ଼ ଅସଭ୍ୟ ଭାବରେ ଟାଳି ଦିଆଯାଇ ଆସିଛି-। ସାମନ୍ତବାଦୀମାନେ କ୍ରମେ ଦେଶଟାକୁ ବୁଢ଼ା କରି ପକାଇଲେଣି, ଭୀରୁ କରି ପକାଇଲେଣି; ଏହି ଦେଶରେ କେବେ ପ୍ରକୃତରେ ସାଧୁତାର ସହିତ କୌଣସି ପରିବର୍ତ୍ତନ ସମ୍ଭବହେବା ବିଷୟରେ ଦେଶବାସୀଙ୍କର ମୌଳିକ ବିଶ୍ୱାସଟିକୁ ମଧ୍ୟ ସେମାନେ ନଷ୍ଟ କରି ସାରିଲେଣି । ଶାସନ ନାମରେ ଏହି ଦେଶରେ ପ୍ରାୟ ଏକ ସାମନ୍ତବାଦୀ ଅରାଜକତାର ଦୌରାତ୍ମ୍ୟ ଚାଲିଛି ।

 

ଆମ ଦେଶରେ ଶିକ୍ଷକମାନେ ହୁଏତ ଏପରି ଗୋଟିଏ ସଙ୍କଟରେ ଦେଶକୁ ନେତୃତ୍ୱ ଦେଇଥାନ୍ତେ, ଆପଣାର ଶକ୍ତିଦ୍ୱାରା ସେମାନେ ଶାସକମାନଙ୍କୁ ମଣ କରିଥାନ୍ତେ । ଏ ଦେଶରେ ବିଶ୍ୱବିଦ୍ୟାଳୟହିଁ ଆମକୁ ଆମ ସାମୂହିକ ଭବିଷ୍ୟସମ୍ଭାବନାଗୁଡ଼ିକ ବିଷୟରେ ସବୁଠାରୁ ଅଧିକ ସଚେତନ କରାଇ ଦେଉଥାନ୍ତା । ଶିକ୍ଷକ ଆପଣାର ଯଥାର୍ଥ ଶକ୍ତିର ପରିଚୟ ଦେଇଥାନ୍ତା । ପ୍ରାଚୀନ ଭାରତବର୍ଷରେ କେତେକ ଅବସରରେ ଶାସକର ଦମ୍ଭକୁ ଚୂର୍ଣ୍ଣ କରିବା ନିମନ୍ତେ ଯେପରି ବ୍ରାହ୍ମଣ ଓ ବିଦ୍ୟାବାନ୍‍ ଆଗକୁ ବାହାରି ଆସିପାରୁଥିଲା, ଏବେ ମଧ୍ୟ ପ୍ରାୟ ସେହିପରି ହେଉଥାନ୍ତା । ଅସଲ ଦିଗ୍‍ଦର୍ଶନ ନିମନ୍ତେ ଦେଶବାସୀ ଶିକ୍ଷାବିତ୍, ଶିକ୍ଷକ ଓ ଦେଶର ବିଦ୍ୟାଳୟ ଆଡ଼କୁ ଅନାଇ ପାରୁଥାନ୍ତେ । ମାତ୍ର, ବାସ୍ତବ ସ୍ଥିତି ବର୍ତ୍ତମାନ ସତେଅବା ଓଲଟା ହୋଇଯାଇଥିବା ପରି ମନେହେଉଛି । କି ଦୁର୍ଯୋଗରେ ଆମ ଦେଶରେ ଶିକ୍ଷକମାନେ ଆପଣାର ସଂଘ ଓ ମହାସଂଘଗୁଡ଼ିକୁ ଗଢ଼ିଛନ୍ତି କେଜାଣି, ସେଗୁଡ଼ିକ ସେମାନଙ୍କର ଯାବତୀୟ ଶକ୍ତିକୁ ସତେଅବା ଏକ ଅନିଷ୍ଟକାରୀ ଅପଶକ୍ତିରେହିଁ ପରିଣତ କରିସାରିଲେଣି । ସଂଘରେ ପଶି ଶିକ୍ଷକମାନେ ସେମାନଙ୍କର ଘୁମ ଓ ମାଠିଆଗୁଡ଼ାକ ପୂରିବାକୁ ହୁଏତ ଆହୁରି କେତେକଅଣ ହାସଲ କରିପାରିଛନ୍ତି ସିନା, ମାତ୍ର ଏଣେ ନିଜର ଇଜ୍ଜତ ହରାଇଛନ୍ତି, ବଡ଼ ନିବାର୍ଯ୍ୟ ହୋଇ ପଡ଼ିଛନ୍ତି । ସେହିମାନଙ୍କର ଅପକରାମତି ଫଳରେ ଆମ ଦେଶରେ ଶିକ୍ଷା ମଧ୍ୟ ଶକ୍ତିହୀନ ହୋଇପଡ଼ିଛି । ପରାମର୍ଶ ପାଇଁ, ସମାଧାନ ଓ ଦିଗ୍‌ଦର୍ଶନ ପାଇଁ ଲୋକମାନେ ଏବେ ମହାଖଳ ବୋଲି ଜାଣିଥିଲେ ମଧ୍ୟ ରାଜନୀତି ଘରର ଶୁଣ୍ଢୀମାନଙ୍କ ପାଖକୁ ଯାଉଛନ୍ତି ସିନା, ମାତ୍ର ଜଣେ ଶିକ୍ଷକ ପାଖକୁ ଯିବାକୁ ଆଉ ମୋଟେ ମନେକରି ପାରୁନାହାନ୍ତି ।

 

ଶିକ୍ଷକମାନଙ୍କ ଭିତରେ ଏବେ ମଧ୍ୟ ଅନେକେ ଏପରି ରହିଛନ୍ତି, ଯେଉଁମାନେ କି ଯାହା କରଣୀୟ, ତାହା ବୁଝୁଛନ୍ତି । ସେମାନେ ବିକଳ୍ପ ହେବାକୁ ହୁଏତ ଇଚ୍ଛା ମଧ୍ୟ କରୁଛନ୍ତି । ମାତ୍ର ପ୍ରବଳ ସଂଘ ଚାରିଆଡ଼େ ଏପରି ଦଉଡ଼ିମାନ ବାନ୍ଧି ରଖି ପିଆଦା ଜଗାଇ ଦେଇଛି ଯେ ଅନ୍ୟ ଭଳି ଶିକ୍ଷକଟିଏ ଅନ୍ୟ ଭଳି ଦିଶିବାକୁ ବା ଆଚରଣ କରିବାକୁ ପ୍ରମାଦ ଗଣୁଛି । ତୁଚ୍ଛା ଦୁରାଗ୍ରହୀ ଓ ଚଣ୍ଡ ମଣିଷମାନେ ଆମ ଦେଶରେ ରାଜନୀତିକୁ କାବୁ କରି ମାଡ଼ି ବସିଥିବାବେଳେ ଏବେ ଭଲ ମଣିଷମାନେ ଯେପରି ସେଥିରୁ ବାହାରେ ରହିବାକୁହିଁ ନିରାପଦ ମଣୁଛନ୍ତି, ଆମ ଦେଶର ଶିକ୍ଷାକୁ ଠିକ୍ ସେହିପରି ଏକ ଆତଙ୍କ କାମୁଡ଼ି ଧରିଛି । ସମଗ୍ର ପରିମଳଟିକୁ କୋଉଦିନୁଁ ଦୂଷିତ କରି ଦିଆଗଲାଣି । ଆମ ଦେଶର ବା ଆମ ରାଜ୍ୟର ଶିକ୍ଷାହାଣ୍ଡିକୁ ଯେଉଁଠି ହେଲେ ଯେଉଁ ସ୍କୁଲ୍‍ରେ ବା କଲେଜରେ ଗୋଟାଏ ମାତ୍ର ଭାତ ଚିପିଲେ ଆମକୁ ତାହାର ପ୍ରମାଣ ମିଳିଯିବ ।

 

ଶିକ୍ଷା ଓ ଶିକ୍ଷକ ଇଚ୍ଛା କଲେ ସାରା ଦେଶକୁ ନେତୃତ୍ଵ ଦେଇପାରନ୍ତା ଓ ଅସାଧୁ ଶାସନର ମୁଖ ବନ୍ଦ କରିଦେଇପାରନ୍ତା । ମାତ୍ର ସେଥିଲାଗି ତାକୁ ନିଜର ମେରୁଦଣ୍ଡ ଉପରେ ଅଧିକ ନିର୍ଭର କରିବାକୁ ପଡ଼ନ୍ତା । ନିଜ ଇଜ୍ଜତକୁ ଚିହ୍ନିଲେ, ନିଜ ପଇତାକୁ ସବାଆଗ ନିଜେ ଚିହ୍ନିନେଇ ପାରିଲେ ଦେଶ ପୁଣି ତା’ ଶିକ୍ଷକ ଉପରେ ବିଶ୍ୱାସ କରି ଶିଖନ୍ତା, ଏଠାରେ ଥିବା ଇସ୍କୁଲ ଓ କଲେଜଗୁଡ଼ିକୁ ଆପଣାର ଅସଲ ଐଶ୍ଵର୍ଯ୍ୟସ୍ଥାନ ବୋଲି ପୁନର୍ବାର ସ୍ୱୀକାର କରି ନେଇପାରନ୍ତା । ଏପରିକି, କେତେଜଣ ଶିକ୍ଷକ ମଧ୍ୟ ଇଚ୍ଛା କଲେ ତାହା କରିପାରନ୍ତେ । ଜଣେ ଶିକ୍ଷକ ଶିକ୍ଷା ଓ ଶିକ୍ଷାଦାନକୁହିଁ ନିଜର ସର୍ବପ୍ରଧାନ ସନ୍ତକ ବୋଲି ଗ୍ରହଣ କରିଛି, ସାଧୁ ହୋଇଛି, ଆପଣାର ଧର୍ମ ପାଳନ କରିଛି, ଅଥଚ ତା’ ପିଲାମାନେ କିମ୍ବା ସମ୍ପୃକ୍ତ ଅନ୍ୟମାନେ ତାକୁ ତା'ର ପ୍ରାପ୍ୟ ସମ୍ମାନ ଦେଇନାହାନ୍ତି, ଏହି ଅତିପ୍ରଦୂଷିତ ଦେଶରେ ମଧ୍ୟ ଏପରି କେବେ ଘଟିଛି କି ?

Image

 

ଅଜାତିଆ ସାହିତ୍ୟଭାବନା

 

ସବୁ ମଣିଷଙ୍କର ଗୋଟିଏ ଗୋଟିଏ ଭାଷା ଅଛି । ମଣିଷ ମଣିଷ ମିଶି ଗୋଟିଏ ଗୋଟିଏ ଗୋଷ୍ଠୀ ତିଆରି ହୋଇଛି । ଯେଉଁଠି ଗୁଡ଼ିଏ ମଣିଷ ଅର୍ଥାତ୍ ଗୋଟିଏ ଗୋଷ୍ଠୀ ଏକ ନିର୍ଦ୍ଦିଷ୍ଟ ଭାଷାରେ ଏକ ଆରେକୁ ବୁଝି ଆସିଛନ୍ତି, ସେଠାରେ ସେମାନେ ସେହି ଭାଷାକୁ ନିଜର ଭାଷା ବୋଲି କହି ଆସିଛନ୍ତି । ଆଧୁନିକ ଜାତୀୟତାର ଯୁଗରେ ସେଥିରେ ପୁଳାଏ ମମତା ମିଶାଇ ଦିଆଯାଇ ନିଜର ଭାଷାକୁ ମାତୃଭାଷା ବୋଲି କୁହାଯାଇଛି । ପୁଳାଏ ପୁଳାଏ ମମତା ବୋଳିଦେଇ ନିଜର ଭୂମିଟିକୁ ଗୋଟିଏ ଗୋଟିଏ ଗୋଷ୍ଠୀ ଯେପରି ନିଜର ମାତୃଭୂମି କିମ୍ବା ପିତୃଭୂମି ବୋଲି କହିଛନ୍ତି, ଇଏ ପ୍ରାୟ ସେହିପରି ଗୋଟିଏ କଥା । ଜାତି ଶବ୍ଦଟି ପୃଥିବୀକୁ ବହୁତ ପରେ ଆସିଛି । ଏହି ଶବ୍ଦଟି ନାନା ଐତିହାସିକ ଏବଂ ରାଜନୀତିକ କାରଣରୁ ଜନ୍ମଲାଭ କରିଥିଲା । ଦେଶ ସହିତ ଦେଶର ଲଢ଼େଇରେ, ଭାଷା ସହିତ ଭାଷାକୁ ଲଢ଼ାଇ ଦେବାରେ ଏହି ଜାତିନାମକ ଚେତନା ୟୁରୋପରେ ଏକଦା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିଲା । ୟୁରୋପୀୟ ଶାସକମାନେ ସାରା ପୃଥିବୀକୁ ଖେଦିଯିବା ପରେ ଓ ନାନା କାରଣରୁ ପୃଥିବୀର ବିଭିନ୍ନ ଖଣ୍ଡରେ ୟୁରୋପକୁ ଅନୁକରଣ କରିବାପାଇଁ ଏକ ଉତ୍ତେଜନାତ୍ମକ ଉତ୍ସାହ ପ୍ରକାଶ ପାଇବା ପରେ ଆମେ ପୃଥିବୀଯାକ ନିଜକୁ ଗୋଟିଏ ଗୋଟିଏ ଜାତି ବୋଲି ଅନୁଭବ କରି ଶିଖିଛୁ ଏବଂ ସେଥିରୁ କେତେ ନା କେତେ ଗର୍ବ ଅନୁଭବ କରିଛୁ ।

 

ସାହିତ୍ୟ ହେଉଛି ଏକ ସର୍ଜନାତ୍ମକ ବୃତ୍ତି । ପ୍ରତ୍ୟେକ ଜାତିରେ, ପ୍ରତ୍ୟେକ ଭାଷାରେ ମଣିଷମାନଙ୍କ ଭିତରେ କାଳେ କାଳେ ସେହି ସର୍ଜନାତ୍ମକ ବୃତ୍ତଟି ଆପଣାକୁ କ୍ରିୟାଶୀଳ କରିଆସିଛି-। କେତେକ ବିଶେଷ ପରିବେଶ ବିଭିନ୍ନ ଭାଷାରେ ସାହିତ୍ୟକୁ ଭିନ୍ନ ଭିନ୍ନ ପ୍ରକାରେ ଏବଂ ଭିନ୍ନ ଭିନ୍ନ ମାତ୍ରାରେ ବିକଶିତ କରିଆଣିଛି ସତ, ମାତ୍ର ଯେଉଁଠାରେ କେତେକ ମଣିଷ ନିଜ ଉଗ୍ରମନ୍ୟତା କିମ୍ବା ହୀନମ୍ମନ୍ୟତା ହେତୁ ଆପଣାକୁ ଗୋଟିଏ ଜାତି ବୋଲି କହି ସର୍ବାଧିକ ସୁଖ ଲାଭ କଲାପରି ଅନୁଭବ କରିଛନ୍ତି, ସେଠାରେ ସାହିତ୍ୟକୁ ସେହି ପ୍ରକୋପ ବା ସେହି ଚକ୍ରାନ୍ତରେ ପଡ଼ି ଜାତିର ସମ୍ପତ୍ତି ବୋଲି କୁହାଯାଇଛି । କବି ବା ଲେଖକମାନଙ୍କୁ ଆମର ବୋଲି କହି ମଣିଷମାନେ ସତେଅବା କାହାର କାମସ୍ପର୍ଶ ଲାଭ କରିଛନ୍ତି ଏବଂ ସେଥିରୁ ସତେଅବା କେଡ଼େ କୃତାର୍ଥ ହୋଇଛନ୍ତି । ସାହିତ୍ୟ ଲେଖିବା ଲୋକ ଠିକ୍ ଜଣେ ଭଲ ପାଉଥିବା ଲୋକପରି କାହାର ହୋଇଗଲେ କୃତାର୍ଥ ହୋଇଯାଏ । ହୁଏତ ଯେଉଁମାନଙ୍କ ମଧ୍ୟରେ ଯଥାର୍ଥ ସାହିତ୍ୟବାସନା ନଥାଏ, ସଚରାଚର ଆଉ କେଉଁ ଅନ୍ୟ କୋପନରେ ପଡ଼ି ସେମାନେ କବିମାନଙ୍କୁ, ଲେଖକମାନଙ୍କୁ ଆମର ବା ଆମ ଜାତିର ବୋଲି କହି ଡିଣ୍ଡିମ ପରି ଢାଉଁ ଢାଉଁ ବାଜିବାରେ ଲାଗିଥାନ୍ତି ।

 

ଏପରି ଢାଉଁ ଢାଉଁ ହେବାର ସମ୍ଭବତଃ ଆଉ ଗୋଟିଏ ନିଦାନ ମଧ୍ୟ ରହିଛି । ଯେଉଁସବୁ ଦେଶ ବା ସମାଜରେ ଅଳପ ଲୋକ ସାହିତ୍ୟ କରନ୍ତି ଅର୍ଥାତ୍ ସାହିତ୍ୟ ଭିତରେ ମଜ୍ଜି ରହିବାକୁ ସୁଯୋଗ ପାଇଥାନ୍ତି ଏବଂ ଅଧିକ ମଣିଷ ଅନ୍ଧାର ଭିତରେ ଥାଆନ୍ତି, ଦରିଦ୍ର ଓ ଅକିଞ୍ଚନ ହୋଇ ରହିଥାନ୍ତି, ସେଠାରେ ସେହି ଲୋକମାନେ ସାହିତ୍ୟକୁ ନିଜ ଜାତିର ସମ୍ପତ୍ତି ବୋଲି କହିବାକୁ ଅଧିକ ଉଲ୍ଲୋଳ ହୋଇ ରହିଥାଆନ୍ତି । ଏଠାରେ ଜାତି କହିଲେ ଯେମିତି ଉପରେ ରହିଥିବା ଅଳ୍ପସଂଖ୍ୟକ ସେହିମାନଙ୍କୁ ବୁଝାଏ, ଠିକ୍ ସେହିପରି ସେମାନଙ୍କ ଭାଷାରେ ଲେଖା ହେଉଥିବା ସାହିତ୍ୟକୁ ମଧ୍ୟ ସେମାନେ କେଡ଼େ ଅଲିଅଳ ଭାବରେ ନିଜର ସମ୍ପତ୍ତି ବୋଲି ବିଚାର କରନ୍ତି । ନିଜ ଭାଷାର କବି ଏବଂ ଲେଖକମାନଙ୍କୁ ସେମାନେ ସତେଅବା ନିଜ ତଥାକଥିତ ସାଂସ୍କୃତିକ ଅଙ୍ଗଭୋଗର ନିମିତ୍ତ କରି ରଖିଥାଆନ୍ତି । ଗୋଟିଏ ସମୟରେ କୌଣସି ଠାକୁରଙ୍କ ଲାଗି ସଞ୍ଜା ଖଞ୍ଜି ଦେଉଥିବା ଜମିଦାରମାନେ ଯେପରି ଚଳନ୍ତି ଯାବତୀୟ ଅର୍ଥରେ ସେହି ଠାକୁରମାନଙ୍କୁ ନିଜର ସମ୍ପତ୍ତି ବୋଲି କହୁଥିଲେ ଓ ପୁରୁଷାନୁକ୍ରମେ ତାଙ୍କୁ ଭୋଗ କରୁଥିଲେ, ଏ କଥାକୁ ଆମେ ପ୍ରାୟ ସେହି ଅର୍ଥରେ ବୁଝିପାରିବା । ଓଡ଼ିଶାର ଏକାଧିକ ଗଜପତି ରାଜା ସେମାନଙ୍କ କାଳରେ ନିଜକୁ ପ୍ରାୟ ସେହିପରି ଏକ ନ୍ୟାୟରେ ଜଗନ୍ନାଥଙ୍କର ଆଦ୍ୟସେବକ ବୋଲି କହୁଥିଲେ ।

 

ପୃଥିବୀର ସୌଭାଗ୍ୟ ଯେ ଆମେ ସେହି ଗୁମ୍ଫା ଭିତରୁ କ୍ରମେ ବାହାରି ଆସିବାକୁହିଁ ବରଂ ଅଧିକ ରୁଚିସମ୍ପନ୍ନତା ବୋଲି ଅନୁଭବ କରିବାକୁ ଆରମ୍ଭ କଲୁଣି । ଆମର ଅତୀତ ଆମର ସମ୍ପତ୍ତି ନୁହେଁ, ତାହା ଆମର ମୂଳଦୁଆ । ଆମ ସାହିତ୍ୟରେ ମଧ୍ୟ ଆମେ ପ୍ରଧାନତଃ ସେହି ଆଖିଟିକୁ ଅର୍ଜନ କରିବାକୁ ଚେଷ୍ଟା କରିବା । ଯେଉଁ ସମ୍ପତ୍ତି ଉପରେ କାହାର ବ୍ୟକ୍ତିଗତ ମାଲିକାନା ରହିଥାଏ, ସେଥିରେ ଆଉ କେହି ହାତ ଦେବାକୁ ଆସିଲେ ଆମେ ପ୍ରତିବାଦ କରୁ, ସତେଅବା ଅନୁପ୍ରବେଶକାରୀକୁ ଶାସ୍ତି ଦେବାଲାଗି ଗର୍ଜନ କରିଉଠୁ । ଜୟଦେବ, ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ, ରାଧାନାଥ, ନୀଳକଣ୍ଠ, ଗୋପୀନାଥ ବା ଫକୀରମୋହନ ଏମାନେ ଆମ ଜାତିର ସମ୍ପତ୍ତି ନୁହନ୍ତି, ସେମାନଙ୍କ ଉପରେ ସାହିତ୍ୟର ଆଖି ରହିଥିବା ଯେକୌଣସି ବ୍ୟକ୍ତିର ଅଧିକାର ରହିଛି । ଆଖି ଥିବା ସବୁ ବ୍ୟକ୍ତି ସେମାନଙ୍କୁ ଦେଖିବାକୁ ଆସିବେ, ସେମାନଙ୍କର ରଚନାଗୁଡ଼ିକୁ ଅଧ୍ୟୟନ କରିବେ, ସେମାନଙ୍କୁ କେତେ ଭଳି ତରାଜୁରେ ପକାଇ ସେମାନଙ୍କର ମାନ ନିର୍ଦ୍ଧାରଣ କରିବେ । ଯଦି ସେମାନଙ୍କୁ ଅବଲୋକନ କରିବାରେ ଆଗରୁ କେଉଁଠି କୌଣସି ମୋହ ରହିଯାଇଥିବ, ତେବେ ସେମାନେ ସେଇଟିକୁ ମଧ୍ୟ ଅଲବତ୍ ଉଖାରି ଦେଖାଇ ଦେଇପାରିବେ । କିଏ ଖାଲି ଧଳା ଦେଖିଲା ପରି କିଏ ହୁଏତ ଖାଲି କଳା ଦେଖୁଥିବ । ମାତ୍ର କଳା ଧଳା ଉଭୟକୁ ଗୋଟିଏ ପ୍ରତିଭାର ସମଗ୍ର ଭିତରେ ଦେଖୁଥିବା ଜଣେ ସମୀକ୍ଷକ ସେଥିରେ କଦାପି ଚିହିଁକି ଉଠିବ ନାହିଁ ।

 

ସମଗ୍ର ଭାବରେ, ଅଧିକରୁ ଅଧିକ ସମଗ୍ର ଭାବରେ ଦେଖିବା–ସଂସ୍କୃତିରେ ତାହାରି ଅନ୍ୟନାମ ହେଉଛି ଶ୍ରଦ୍ଧା । ଆମ ଅତୀତର ସମଗ୍ର ସମୀକ୍ଷା ଉପରେହିଁ ଆମ ଭବିଷ୍ୟର ଅଟ୍ଟାଳିକାଟି ଗଠିତ ହେବ । ସେହିପରି ଆମ ସାହିତ୍ୟରେ ମଧ୍ୟ ବିଗତ ବୀରମାନଙ୍କୁ କେତେକେତେ ମାନଦଣ୍ଡରେ ପକାଇ କଷିବାକୁ କେତେକେତେ ଉଦ୍ୟମ ହେବ । ଯାହା ସୁନା ତାହା ଅବଶ୍ୟ ସୁନା ହୋଇ ରହିଥିବ । ମାତ୍ର, ହୁଏତ ଏକାଳର ସୁନା ଆଉ ଗୋଟିଏ କାଳକୁ ଆଦୌ ସୁନା ପରି ଦିଶିବନାହିଁ । ଏ ଆଖିକୁ ଯାହା ନିଖୁଣ ବା ପରିପୂର୍ଣ୍ଣ ଦେଖାଯାଉଛି, ସେ ଆଖିକୁ ଅଥବା ସେହି ଅନ୍ୟ ମାନଦଣ୍ଡଟିକୁ ସେଥିରେ କେତେ ଖଣ୍ଡିଆ ଓ ଖୁଣ ରହିଥିବା ପରି ଦିଶିଦିଶି ଯାଉଥିବ । ଆମ ଦେଖିବାର ପରିଧିଗୁଡ଼ିକ ଅଧିକ ପ୍ରଶସ୍ତ ହେବା ସଙ୍ଗେ ସଙ୍ଗେ ଆମକୁ ସମୀକ୍ଷା ଏବଂ ବିଚାରର ନୂଆ ନୂଆ ପ୍ରସ୍ଥଗୁଡ଼ିକ ଦୃଷ୍ଟିଗୋଚର ହୋଇ ଆସୁଥିବ । ଏମାନେ ସମସ୍ତେ ଆମ ଜାତିର ଏଡ଼େ ଏଡ଼େ ସମ୍ପତ୍ତି ବୋଲି କହି ଆମେ କଦାପି ଗର୍ଜନ କରି ଉଠିବା ନାହିଁ । ଏକାବେଳେକେ ଅନେକ ଆଖିରେ ସମୀକ୍ଷା ହେଉଥିବ ଏବଂ ଆମେ ସେଗୁଡ଼ିକୁ ଉଚିତ ସ୍ୱୀକୃତି ମଧ୍ୟ ଦେବା, ହୁଏତ ଆପଣାର ଚେତନା ତଥା ବିଚାରକାଠିକୁ କିଞ୍ଚିତ୍ ଊର୍ଦ୍ଧ୍ୱକୁ ଉଠାଇନେଇ ପାରିଲେ ଆମେ ସେଗୁଡ଼ିକୁ ପରସ୍ପରର ଅନୁପୂରକ ବୋଲି ବୁଝିବାକୁବି ଆରମ୍ଭ କରିବା । ଏହା ଆମକୁ ମଧ୍ୟ ଆମର କେତେକେତେ ସଂକୀର୍ଣ୍ଣ ବନ୍ଧନ ଭିତରୁ ମୁକୁଳାଇ ଆଣିବାରେ ସହାୟକ ହେବ । ଏବଂ ଏହାଦ୍ୱାରା ଓଡ଼ିଆ ସାହିତ୍ୟ ସମେତ ସକଳ ସାହିତ୍ୟ ଓ ସର୍ଜନବୃତ୍ତି ଅବଶ୍ୟ ଲାଭବାନ୍ ହେବେ ।

 

ମନୋବିକୃତି ଶାସ୍ତ୍ରରେ Paranoia ବୋଲି ଗୋଟିଏ ବେମାରି ଅଛି । ଅନ୍ୟମାନେ ମୋତେ ଗିଳି ପକାଇବେ ଓ ଖତମ କରିଦେବେ ବୋଲି ଏକ ଅହେତୁକ ଭୟ ଜଣେ ଜଣେ ମଣିଷକୁ ଏଡ଼େ ବିଚିତ୍ର ଭାବରେ ଗ୍ରାସ କରିବାକୁ ମଉକା ପାଇଯାଏ ଯେ ସେହି ମଣିଷଟି ଆପଣା ଜୀବନଟିକୁ ବଞ୍ଚିବାର ସାଧାରଣ ଭାରସାମ୍ୟଟିକୁ ହରାଇବସେ । ଗୋଟିଏ ଗୋଟିଏ ଗୋଷ୍ଠୀକୁ ମଧ୍ୟ ଏହି ବେମାରି ବେଶ୍ ଗ୍ରାସ କରିପାରେ । ପ୍ରଥମ ମହାଯୁଦ୍ଧ ପରେ ଜର୍ମାନୀ ଏହି ବେମାରିଟିର କବଳରେ ଏପରି ଅସହାୟ ଭାବରେ ପଡ଼ିଥିଲା ଯେ, ହିଟଲର୍ ତାହାର ପରିପୂର୍ଣ୍ଣ ଫାଇଦା ଉଠାଇ ଦେଶର ଶାସନକୁ ଆତ୍ମସାତ୍ କଲା, ଏବଂ ସେଇଥିରୁ ଜର୍ମାନ୍ ଉଗ୍ର ଜାତୀୟତାବାଦୀଙ୍କର ସମର୍ଥନରେ ଏକ ଦ୍ଵିତୀୟ ମହାଯୁଦ୍ଧ ଭିଆଇ ଆଣିଥିଲା । ଜାତିତ୍ୱବୋଧର ସକାରାତ୍ମକ ଉପାଦାନଗୁଡ଼ିକ ପୃଥିବୀରେ ସଂସ୍କୃତି, ସାହିତ୍ୟ, କଳା ଓ ସଭ୍ୟତାର ଉତ୍କର୍ଷ ସାଧନରେ ଅନେକ ସହାୟକ ହୋଇଆସିଛି । ଗୋପବନ୍ଧୁ, ଗଙ୍ଗାଧର, ଫକୀରମୋହନଙ୍କର ଜାତିତ୍ୱବୋଧ ସକାରାତ୍ମକ ଥିଲା । ସେଥିରେ ସହିଷ୍ଣୁତା ରହିଥିଲା, ଘୃଣାର କୌଣସି ସ୍ଥାନ ନଥିଲା । ଏହି ଉଜ୍ଜ୍ୱଳ ବ୍ୟକ୍ତିମାନଙ୍କୁ ଆମେ ଆମର ସମ୍ପତ୍ତି ବୋଲି କଦାପି ଭାବିବା ନାହିଁ ଓ ସେମାନଙ୍କୁ ନିମିତ୍ତ ପରି ବ୍ୟବହାର କରି ଅସହିଷ୍ଣୁ ହେବାନାହିଁ । କିଏ କ'ଣ ଅନ୍ୟ ମତଟିଏ ପୋଷଣ କଲା ବୋଲି ଠେଙ୍ଗାବାଡ଼ି ଧରି ବାହାରିବା ନାହିଁ । ସେ ଯୁଗ ହୁଏତ କେବେ ଥିଲା । ଏବର ପୃଥିବୀରେ ତାହା ଆମ ଅନ୍ଦାଜର କ୍ଷୁଦ୍ରତାଟିକୁହିଁ ପଦାରେ ପକାଇଦେବ, ଆମକୁ ହାସ୍ୟାସ୍ପଦ କରିବ । ଆମେ ଏମାନଙ୍କଠାରୁ ଅଧିକ ପ୍ରେରଣା ପାଇବା, ଏମାନଙ୍କ ବିଷୟରେ ହେଉଥିବା ଯାବତୀୟ ସମୀକ୍ଷାରୁ ଲାଭବାନ ହେବା, ସେହି ପ୍ରେରଣା ଆମକୁ ଅଧିକ ସୃଜନକ୍ଷମ କରିବ ଏବଂ ଆମେ ଅଧିକ ସୃଜନକ୍ଷମ ହେଲେ ଆମରି ମାଧ୍ୟମରେ ଆମ ଜାତି ନାମକ ସନ୍ତକ ଓ ପରିଚୟଟି ମଧ୍ୟ ଅବଶ୍ୟ ଅଧିକ ସମୃଦ୍ଧିଶାଳୀ ହୋଇପାରିବ ।

Image

 

Unknown

ହୁତୁ ଓ ତୁତ୍‌ସିଙ୍କର ଉପାଖ୍ୟାନ

 

ଆଫ୍ରିକାରେ ଆଗେ ଦେଶମାନେ ନଥିଲେ । ଇରୋପୀୟ ଦଖଲକାରୀମାନେ ଯେତେବେଳେ ସେହି ମହାଦେଶଟିକୁ ନିଜ ନିଜ ଭିତରେ ବାଣ୍ଟି ନେଇଥିଲେ, ସେତେବେଳେ ଯାଇ ସେଠାରେ ଅଧିକୃତ ଅଞ୍ଚଳଗୁଡ଼ିକ ଭିତରେ ଏକ ସୀମା ନିର୍ଦ୍ଧାରଣ ହେଲା ଓ ସେଗୁଡ଼ିକୁ ଗୋଟିଏ ଗୋଟିଏ ରାଜ୍ୟ ବୋଲି କୁହାଗଲା । ଇଉରୋପୀୟ ସାମ୍ରାଜ୍ୟବାଦ ଯେତେବେଳେ ହାଲିଆ ହୋଇ ଆଫ୍ରିକାରୁ ହଟିଗଲା ଓ ସାରା ପୃଥିବୀରେ ଦେଶଗୁଡ଼ିକର ମାଧ୍ୟମରେହିଁ ସମସ୍ତେ ମଣିଷମାନଙ୍କୁ ଚିହ୍ନିଲେ, ସେତେବେଳେ ଆଫ୍ରିକାର ଉକ୍ତ ଅଞ୍ଚଳମାନେ ମଧ୍ୟ ଅଲଗାଅଲଗା ଦେଶ ହିସାବରେ ସ୍ୱାଧୀନ ହେଲେ । ଏବେ ମଧ୍ୟ ଆଫ୍ରିକାର ମାନଚିତ୍ର ଉପରେ ଆଖି ବୁଲାଇ ଆଣିଲେ ଆମେ ଦେଖିପାରିବା ଯେ, ସେଠାରେ ଅଧିକାଂଶ ସ୍ଥଳରେ ଦେଶ ଦେଶ ମଧ୍ୟରେ କୌଣସି ପ୍ରାକୃତିକ ସୀମା ନାହିଁ, ସର୍ବତ୍ର ଗୋଟିଏ ଗୋଟିଏ ସରଳରେଖା ଟାଣିଦେଇ ସୀମାଗୁଡ଼ିକୁ ଚିହ୍ନିତ କରି ଦିଆଯାଇଛି । ଏବଂ ସୀମାସୀମିତ ଅଞ୍ଚଳଗୁଡ଼ିକୁ ଦେଶରେ ରୂପାନ୍ତରିତ କରି ଦିଆଯାଇଛି ।

 

ମାତ୍ର, ଗାର ପକାଇ ମାଲିକମାନେ ଅଞ୍ଚଳଗୁଡ଼ିକୁ ବାଣ୍ଟି ନେଇଥିବା ସମୟରେ ସେତେବେଳେ ଆଫ୍ରିକାରେ ମଣିଷମାନେ ରହିଥିଲେ, ଏବେ ମଧ୍ୟ ଅଛନ୍ତି । ସେମାନେ ପ୍ରାୟ ଆବହମାନ କାଳରୁ ଗୋଟିଏ ଗୋଟିଏ ପ୍ରଜାତିରୂପେ ରହି ଆସିଛନ୍ତି । ଅଲଗାଅଲଗା ଭାଷା କହୁଛନ୍ତି, ଅଲଗାଅଲଗା ସଂସ୍କୃତିଗତ ସଂସ୍କାରଗୁଡ଼ିକୁ ମାନି ଆସିଛନ୍ତି । ରୁଆଣ୍ଡା ଓ ବୁରୁଣ୍ଡି ନାମକ ଦୁଇଟି ଦେଶରେ ଏବେ ହୁତୁ ଓ ତୁତ୍‌ସି ନାମକ ଦୁଇ ପ୍ରଜାତି ଅଛନ୍ତି । ପ୍ରଜାତିମାନେ ଦେଶ ଦେଶ ଅନୁସାରେ ନୁହେଁ, ଅଞ୍ଚଳ ଅଞ୍ଚଳ ଅନୁସାରେ ବାଣ୍ଟି ହୋଇ ରହିଛନ୍ତି । ଗୋଟିଏ ଦେଶ ରାଜନୀତିକ ସ୍ୱାଧୀନତା ଲାଭ କରିବା ପରେ ଲୋକମାନେ ଏକ ଆବଶ୍ୟକ ପ୍ରକ୍ରିୟାଦ୍ୱାରା ଯେପରି ରାଜନୀତିକ ଧାରାରେ ପ୍ରଶିକ୍ଷିତ ହୋଇ ଆସିଥାନ୍ତେ ଏବଂ ତାହାରି ମାଧ୍ୟମରେ ପ୍ରଜାତୀୟ ସ୍ତରରୁ ଏକ ରାଜନୀତିକ ଭବିଷ୍ୟଦୃଷ୍ଟିର ସ୍ତରକୁ ବିକଶିତ ହୋଇ ଆସିଥାନ୍ତେ, ରୁଆଣ୍ଡା ନାମକ ଦେଶରେ ତାହା ହୋଇପାରିନାହିଁ । ପଶ୍ଚିମ ତଥା ମଧ୍ୟ ଆଫ୍ରିକାର ଆଦୌ କୌଣସି ଦେଶରେ ତାହା ହୋଇନାହିଁ ।

 

ରୁଆଣ୍ଡାରେ ଏତେ ଏତେ ରାଜନୀତିକ ପରିବର୍ତ୍ତନ ହୋଇଥିବା ସତ୍ତ୍ୱେ ସେଠାରେ ହୁତୁ ଆଉ ତୁତ୍‌ସି ନାମକ ଦୁଇ ଜାତି ପରସ୍ପରର ଘେର ଭିତରେ ରହିଛନ୍ତି ଓ ଗୋଟିଏ ଦେଶରୂପେ ଶାସିତ ହେଉଛନ୍ତି । ଅର୍ଥାତ୍ ସେଠାରେ ରାଜନୀତିକ ଦଳଗୁଡ଼ିକ ରାଜନୀତିକ ମତବାଦ କିମ୍ବା ଆଦର୍ଶ ଅନୁସାରେ ନୁହେଁ, ପ୍ରଜାତୀୟ ସୀମାଗୁଡ଼ିକୁ ଆଧାର କରି ଗଢ଼ା ହୋଇଛନ୍ତି । ତେଣୁ ରାଜନୀତି କହିଲେ ଏବେ ମଧ୍ୟ ସେଠାରେ ହୁତୁ ଓ ତୁତ୍‌ସିମାନଙ୍କ ମଧ୍ୟରେ ରହିଥିବା ପ୍ରଜାତିଗତ ଦୂରତା ଏବଂ ସେଥିରୁ ଉତ୍ପନ୍ନ ହେଉଥିବା ଆଦିମ ଭୀତି ଏବଂ ଉଗ୍ରତାଗୁଡ଼ିକୁ ବୁଝାଇ ଆସିଛି । ପ୍ରଜାତୀୟ ବିବେକ ବା ଅବିବେକଗୁଡ଼ିକୁ ସବାମୂଳ ଓ ସବାଶେଷ କରି ଧରି ସେଠାରେ ରାଜନୀତିର ଯାବତୀୟ କ୍ରିୟାଶୀଳତା ଚାଲି ଆସିଛି । ଏହିପରି ଦୁଇ ଆଦିମତାରୂପେ ବିଭକ୍ତ ହୋଇ ରହିଥିବା ମଣିଷମାନଙ୍କୁ ଆଧୁନିକ ଜାଗତିକ ସ୍ଥିତି ମଧ୍ୟକୁ ଉନ୍ନୀତ କରି ଆଣିବା ଲାଗି ଏକ ଉପଯୁକ୍ତ ନେତୃତ୍ୱ ସେଠାରେ ହୁଏତ କେବେହେଲେ ଜନ୍ମଲାଭ କରିନାହିଁ । ସମ୍ଭବତଃ କୃଷ୍ଣ ଆଫ୍ରିକାର କୌଣସି ଦେଶରେ ସେହି ବିବର୍ତ୍ତନଟି ସମ୍ଭବ ହୋଇ ପାରିନାହିଁ । ହୁତୁମାନେ ଆପଣାକୁ ହୁତୁ ବୋଲି ଭାବୁଛନ୍ତି ଓ ତୁତ୍‌ସିମାନେ ମଧ୍ୟ ଆପଣାକୁ ତୁତ୍‌ସିରୂପେ ଭାବୁଛନ୍ତି । କେହି ନିଜକୁ ରୁଆଣ୍ଡୀୟ ବୋଲି ଭାବୁନାହାନ୍ତି । ଏହି ପରିସ୍ଥିତିରେ ଲୋକମାନଙ୍କର ବୋଧ ଭିତରେ ରୁଆଣ୍ଡା ବୋଲି ଏକ ଦେଶ ହୁଏତ ଜନ୍ମଲାଭବି କରିନାହିଁ ।

 

ରୁଆଣ୍ଡାରେ ଏବେ ଯେଉଁ ନୃଶଂସ ହତ୍ୟାଲୀଳା ଆରମ୍ଭ ହୋଇଗଲା, ଆମେ ଅନେକେ ସେଇଥିରୁ ଜାଣିବାକୁ ପାଇଲୁ ଯେ, ସେପରି ନାମରେ ଆଫ୍ରିକା ମହାଦେଶରେ ଗୋଟିଏ ଦେଶ ରହିଛି । ସେଠାରେ ଯାହାସବୁ ଚାଲିଛି, ବାହାରକୁ ତାହା ସତେଅବା ଏକ ରାଜନୀତିକ ବିଦ୍ରୋହ ବୋଲି ପ୍ରତୀତ ହେଉଛି ସିନା, ମାତ୍ର ସେଥିରେ ଗୋଟିଏ ପ୍ରଜାତିଦ୍ୱାରା ଆଉ ଗୋଟିଏ ପ୍ରଜାତିର ହତ୍ୟାହିଁ ଚାଲିଛି । ନିଜ ପ୍ରଜାତିଟି ବ୍ୟତୀତ ଯେଉଁଠାରେ ନେତାମାନେ ପୃଥିବୀରେ ଆଉ ଅନ୍ୟ କାହାକୁ ସ୍ୱୀକାର କରିପାରନ୍ତି ନାହିଁ, ସେଠାରେ କି ରାଜନୀତି ପ୍ରକୃତରେ ସମ୍ଭବ ହୁଅନ୍ତା ? ସେଠି ଅଧିକାଂଶ ନିରୀହ ମଣିଷମାନେହିଁ ମରୁଛନ୍ତି, ନିର୍ଦ୍ଦୋଷ ପିଲାମାନେ ହାଣମୁହଁରେ ପଡ଼ୁଛନ୍ତି ଏବଂ ଗୋଟିଏ ପ୍ରଜାତିଦ୍ୱାରା ପୀଡ଼ିତ ହୋଇ ଆଉ ଗୋଟିଏ ଜାତିର ଲକ୍ଷ ଲକ୍ଷ ମଣିଷ ପାଖରେ ଥିବା ଆଉ ଗୋଟିଏ ରାଜ୍ୟକୁ ପଳାଇ ଯାଉଛନ୍ତି ।

 

ଆଫ୍ରିକାରେ ଏହି ହତ୍ୟା ଉପଦ୍ରବ ଗତ କେତେ ଦଶକ ହେଲା ଲାଗି ଆସିଛି । କେନିଆରେ ମାଉ ମାଉ ବିପ୍ଳବ ବା ବିଦ୍ରୋହ ମୂଳତଃ କୌଣସି ରାଜନୀତିକ ପରିବର୍ତ୍ତନକୁ ଆଖିଆଗରେ ରଖି ହେଉ ନଥିଲା, ସେଠାରେ ଦୁଇ ପ୍ରଜାତି ମଧ୍ୟରେ ଯୁଦ୍ଧ ଚାଲିଥିଲା । ଉଗାଣ୍ଡାରେ ଶ୍ରୀଯୁକ୍ତ ଇଡ଼ି ଅମିନ ପ୍ରାୟ ସେହିପରି ଏକ ଡାଆଣୀଦ୍ୱାରା ବଶୀକୃତ ହୋଇ ଆପଣାର ରାବଣଲୀଳା ଚଳାଇଥିଲେ । ପଶ୍ଚିମ ଆଫ୍ରିକାର ବାୟାପ୍ରାଂ ଅଞ୍ଚଳଠାରୁ ଆରମ୍ଭ କରି ଆଫ୍ରିକୀୟ କେତେକେତେ ଦେଶରେ ମଣିଷ ମଣିଷ ସ୍ତରରେ ପ୍ରାୟ ସ୍ଥାନୀୟତାକୁ ମୂଳକରି ପ୍ରଜାତିଗତ ଯୁଦ୍ଧମାନ ଲାଗିରହିଛି । ଏକ ଅତ୍ୟନ୍ତ ଆଦିମ ସ୍ତରରେ ଚାଲିଛି । ଆଗେ ଧନୁଶର ବା ବର୍ଚ୍ଛା ସାହାଯ୍ୟରେ ଚାଲିଥିଲା । ଏବେ ଗୁଳି, ବନ୍ଧୁକ, ହାତବୋମା, ଗୋଡ଼ବୋମା ଏବଂ ଆହୁରି କେତେକେତେ ଅଭାବନୀୟ ହତ୍ୟାସ୍ତ୍ରଦ୍ୱାରା ଚାଲିଛି । ତେଣୁ ଏପରି ଭୟାନକ ପରିଧିମାନଙ୍କୁ ସ୍ପର୍ଶ କରିପାରିଲାଣି । ଆଧୁନିକ ପୃଥିବୀରେ କେଉଠି ଏତେ ଟିକିଏ ଘଟିଲେ ମଧ୍ୟ ସମ୍ବାଦସଞ୍ଚାରର ସାର୍ବଜନୀନ ମାଧ୍ୟମଗୁଡ଼ିକର ସାହାଯ୍ୟରେ ସେଗୁଡ଼ିକ ଆଉ ଲୁଚିଛପି ରହିବା ଆଦୌ ସମ୍ଭବ ହେଉନାହିଁ । ଆମର ଯାବତୀୟ ଆଧୁନିକତା ସତ୍ତ୍ୱେ ଆମେ ମଣିଷମାନେ ଯେ କେତେ ସଂଗ୍ରାମର ବାହାନାରେ ତଥାପି ସେହି ଆଦିମ, ସ୍ଥାନୀୟ ଓ ଦୁର୍ଗନ୍ଧ ହୋଇ ରହିଛୁ, ସେହି କଥାଟି ଧରାପଡ଼ି ଯାଉଛି ।

 

ସାରା ପୂର୍ବ ଇଉରୋପର ବାହାର ରାଜନୀତିକ ଢାଞ୍ଚାଟା ଭାଙ୍ଗିଯିବା ପରେ ସେଠି ମଧ୍ୟ ସେହି ପୁରୁଣା ସ୍ଥାନୀୟତାମାନେ କେତେ ସରବ ଓ ସଶସ୍ତ୍ର ହୋଇ ଉଠିଛନ୍ତି । ଆବ୍‌ଖାଜିଆ ଓ ମଲ୍‌ଡ଼ାଭିଆଠାରୁ ଆରମ୍ଭ କରି ପ୍ରାକ୍ତନ ଯୁଗୋସ୍ଲୋଭିଆର ବୋସ୍‌ନିଆ, ହେର୍ଜଗୋଭିନା ପର୍ଯ୍ୟନ୍ତ ଆଦିମ କୁନି କୁନି ଏକକମାନେ ପୁଣି ସଶସ୍ତ୍ର ହୋଇ ଉଠିଲେଣି । କେଉଁଠି ସିହାମାନେ ସଂଖ୍ୟାଗରିଷ୍ଠ ଥିବାରୁ ସୁନ୍ନୀମାନେ ଅତ୍ୟାଚାରିତ ହେଉଛନ୍ତି ଓ ଆଉ କେଉଁଠି ସୁନ୍ନୀମାନେ ସଂଖ୍ୟାଗରିଷ୍ଠ ଥିବାରୁ ସିହାମାନଙ୍କୁ ନିପାତ କରିବାଲାଗି ରାଷ୍ଟ୍ରକୁ ହତିଆର କରି ବାହାରିଛନ୍ତି । ଭାରତବର୍ଷରେ ମଧ୍ୟ ଏହାର ଅସୁମାରି ଉଦାହରଣ ଦେଖିବାକୁ ମିଳିଲାଣି । ସିକିମ୍ ଭଳି ଏକ ସାନ ଟାପୁରେ ସିକିମ୍ ଏବଂ ନେପାଳୀମାନେ ପରସ୍ପର ବିରୋଧରେ କୁର୍କୀ ଓ ଭୁଜାଲି ଉଠାଇ ବାହାରିଲେଣି । ଗୋଟାଏ ଓଡ଼ିଶାରେ ଏଠି ମଣିଷମାନେ ପୂର୍ବ ଇତିହାସରୁ ପ୍ରେରଣା ନେଇ କୋଶଳ, କଳିଙ୍ଗ ବା ସୁବର୍ଣ୍ଣପୁରର ନୂଆ ନୂଆ ନିଆଁକୁ ଗିଳି ବାହାରିଲେଣି । ଆମ ଆଧୁନିକ ଶାସକମାନେ ମଧ୍ୟ ନିଜକୁ କୌଣସି ସୁଖମୟ ଆଦର୍ଶ ଭବିଷ୍ୟତର ଭାରପ୍ରାପ୍ତ ନାଗରିକରୂପେ ନ ଭାବି ଅତୀତର କେଉଁ ଅଜ୍ଞାତ ଅସ୍ପଷ୍ଟ ଯୁଗର ନାଳିଗୁଡ଼ାକ ଭିତରକୁ ମହାମେଘବାହନ ହୋଇ ଫେରିଯିବାକୁ ଇଚ୍ଛା କଲେଣି । ଏକ ଆଦିମ ମୂଳସ୍ଥିତିକୁ ଫେରିଯିବାର ଅପପ୍ରେରଣାରେ ସେମାନେ ଗୋଟିଏ ଗୋଟିଏ ଫୁଲାବେଙ୍ଗ ପରି ଦେଖାଗଲେଣି ।

 

ଆଗାମୀ ପୃଥିବୀରେ ଏହି ହୁତୁ ଓ ତୁତ୍‌ସିମାନେ ରହିବେ ନା ମଣିଷ ସତକୁସତ ଏକ ନୂଆ ପାହାଚକୁ ଉଠିଯିବାକୁ ସମର୍ଥ ହେବ ? ମଣିଷକୁ ପରବର୍ତ୍ତୀ ପାହାଚଗୁଡ଼ିକୁ ଉନ୍ନୀତ କରିନେବାକୁହିଁ ଆଧୁନିକ ବିଜ୍ଞାନ ଦିନେ ଆପଣାର ଜୟଯାତ୍ରା କରି ବାହାରିଥିଲା । ନିଜର ଧର୍ମପୁସ୍ତକମାନଙ୍କରେ ମଣିଷମାନଙ୍କ ଭିତରୁ ଯେଉଁ ଆଦର୍ଶ ଓ ସୁଖୀ ପୃଥିବୀର କଳ୍ପନା କରାଯାଇଥିଲା, ମଣିଷ ଭିତରେ ତଥାପି ଭାରି ଜିଦ୍‌ଖୋର ହୋଇ ରହିଥିବା ଆଦିମତାଟା ସତେଅବା ସବୁଠାରୁ ଅଧିକ ପ୍ରଚଣ୍ଡ ଭାବରେ ତାହାର ବାଟ ଓଗାଳି ଛିଡ଼ା ହେଲା । ଏବେ ମଧ୍ୟ ସ୍ଥିତି ଅଳ୍ପବହୁତେ ତାହାହିଁ ରହିଛି । ମଣିଷର ଆରୋହଣକାମୀ ଆଖିଗୁଡ଼ିକ ସତେଯେପରି ତା’ ଭିତରର ଆଦିମଟା ପାଖରେ ହାର ମାନିଯାଉଛି । କ୍ଷୁଦ୍ର ଓ ସ୍ଥାନୀୟଗୁଡ଼ିକ ସହିତ ମୁହାଁମୁହିଁ ହେବାକୁ ସତେଅବା ବୃହତ୍ତର ଓ ମହତ୍ତରଗୁଡ଼ିକର ସାହସ ପାଉନାହିଁ । ସଜ୍ଜନମାନେ ହାତଗୋଡ଼ ବାନ୍ଧି ବସିଛନ୍ତି । ସଜ୍ଜନମାନଙ୍କ ନିମନ୍ତେ ମଧ୍ୟ ଆମ ପୃଥିବୀର ଚତୁର ବ୍ୟବସ୍ଥାପକମାନେ ଭଳିଭଳି ଅଫିମ ଯୋଗାଇ ଦେଇଛନ୍ତି । ତେଣୁ ଏକ ଅନ୍ୟ ବଳ ଦରକାର, ଅନ୍ୟ ପ୍ରତ୍ୟୟ ଦରକାର ଏବଂ ଅନ୍ୟ ଜିଦ୍ ଦରକାର । ତେବେ ଯାଇ ପୃଥିବୀଯାକର ହୁତୁ ଏବଂ ତୁତ୍‌ସିମାନେ ଆପଣାର ବେଡ଼ିଗୁଡ଼ିକୁ ଛିଣ୍ଡାଇ ଫିଙ୍ଗିଦେଇ ପାରିବେ । ହୁତୁ ତଥାପି ହୁତୁ ହୋଇ ରହିବ ଓ ତୁତ୍‌ସି ତଥାପି ତୁତ୍‌ସି ହୋଇ ରହିବ । ଓଡ଼ିଆ ତଥାପି ଓଡ଼ିଆ ହୋଇ ରହିବ । ତଥାପି ଆଦିମତା ଯିବ, ଅସଲ ରାଜନୀତିର ଜନ୍ମ ହେବ, ଅସଲ ସ୍ୱପ୍ନଗୁଡ଼ିକୁ ଦେଖିବାର ଉପଯୁକ୍ତ ବଳ ପୃଥିବୀର ସବୁ ମଣିଷଙ୍କ ଭିତରେ ସେତିକିବେଳେ ଆସିବ । ବର୍ତ୍ତମାନ ଦିନ ଆଲୁଅରେ ମଧ୍ୟ ଅନ୍ଧାରମାନେ ପୃଥିବୀଟାକୁ ମାଡ଼ି ବସିଥିବା ପରି ମନେ ହେଉଥିଲେ ମଧ୍ୟ ତଥାପି ଭିତରେ ଥିବା ଅସଲ ଦର୍ପଣଟି ବାରବାର କହୁଛି ଯେ, ଏଥର ନିଶ୍ଚୟ ସକାଳ ହେବ । ତେଣୁ ଆଉ ଆଦିମ ହୁଅନାହିଁ ।

Image

 

ସାହିତ୍ୟରେ ଅସାହିତ୍ୟିକ ରତି

 

ପୂଜା କରିବାରେ ବଡ଼ ବିପଦ ରହିଛି । ଯେଉଁମାନେ ପୂଜା କରିବା ଲାଗି ସଂଗଠନଟିଏ ଗଢ଼ନ୍ତି, ସେମାନେ ପୂଜ୍ୟମାନଙ୍କୁ ନିଜର ସମ୍ପତ୍ତିରେ ପରିଣତ କରିନିଅନ୍ତି ଏବଂ ନିଜେ ସତକୁସତ ଏତେ ଏତେ ସମ୍ପତ୍ତିର ମାଲିକ ବୋଲି କହି ପୁଚ୍ଛି ଟେକି ଭାରି ଫୁଲେଇ ହୁଅନ୍ତି । ସିଦ୍ଧେଶ୍ୱର ପରିଡ଼ା ଓରଫ୍‍ ସାରଳା ଦାସ ଯେତେବେଳେ ତାଙ୍କ ମହାଭାରତ ଗ୍ରନ୍ଥଟିକୁ ଲେଖୁଥିଲେ, ଏକଥା ଅବଶ୍ୟ କଳ୍ପନା କରାଯାଇପାରେ ଯେ ତାଙ୍କ ଗ୍ରାମର ଅନୁରାଗୀ ମଣିଷମାନେ ମଝିରେ ମଝିରେ ତାଙ୍କ ପାଖକୁ ଆସୁଥିବେ ଓ ତାଙ୍କ ଲିଖିତ ମହାଭାରତ ଖେଦାରୁ ପତରେ କିମ୍ବା ଦୁଇପତର କବିଙ୍କ ମୁହଁରୁ ଶୁଣିକରି ଯାଉଥିବେ । ଖୁସି ହେଉଥିବେ, ସ୍ୱୟଂ ମହାଭାରତକାର ମଧ୍ୟ କମ୍ ଖୁସି ହେଉ ନଥିବେ । ସେକଥା ବୁଝି ହେଉଛି । ମାତ୍ର, ସାରଳା ଦାସଙ୍କୁ ପୂଜ୍ୟପୂଜାର କୌଣସି କାର୍ଯ୍ୟକ୍ରମରେ ଭର୍ତ୍ତିକରି ସେହି ଅଞ୍ଚଳର ଲୋକେ ତାଙ୍କୁ ପ୍ରଶଂସା କରି ବର୍ଷକୁ ବର୍ଷ ଅଷ୍ଟପ୍ରହରୀ କରୁଥିବେ ବା ବାହାରୁ ବଡ଼ମାଙ୍କଡ଼ମାନଙ୍କୁ ଡାକି ଖବରକାଗଜରେ ବାହାରିଲା ଭଳି ସୁଆଙ୍ଗମାନ ସୃଷ୍ଟି କରୁଥିବେ, ସେକଥା ମୋଟେ ଭାବି ହେଉନାହିଁ ।

 

ଫକୀରମୋହନଙ୍କୁ ନେଇ ଓଡ଼ିଶାରେ ସାହିତ୍ୟ ସଂଗଠନମାନ ରହିଛି । ତାଙ୍କର ନିଜ ଡିହ ବାଲେଶ୍ୱରରେ ରହିଛି, ଓଡ଼ିଶାରେ ଆହୁରି କେତେ ଜାଗାରେ ମଧ୍ୟ ରହିଛି । ଏବେ ଧରଣୀଧରଙ୍କ ନାଆଁରେ ଡକାଯାଇଥିବା ଏକ ସରକାରୀ ସଭାରେ ବକ୍ତୃତାର ନହସରେ ପଡ଼ି ବକ୍ତାମାନେ ଆଗରୁ ସୂତର କରିଥିବା ଭଳି ଫକୀରମୋହନଙ୍କ ଆଡ଼କୁ ଯେ କାହିଁକି ହୁଡ଼ିଗଲେ, ସେଥିଲାଗି ଫକୀରମୋହନଙ୍କୁ ଆମ ଫକୀରମୋହନ ବୋଲି କହି ପୁଲକିତ ହୋଇ ଆସିଥିବା ସଂଗଠନମାନେ ଉତ୍ତପ୍ତ ହେଲେଣି ଏବଂ ପଞ୍ଚାୟତରେ ବସି ଅପରାଧୀମାନଙ୍କ ପ୍ରତି ଦଣ୍ଡବିଧାନମାନ କଲେଣି । ହୁଡ଼ିଥିବା ମନ୍ତ୍ରୀମାନଙ୍କ ଉପରେ ସେମାନଙ୍କ ବିଶେଷ କ୍ରୋଧ ହୋଇଛି କି କ’ଣ କେଜାଣି, ଏକ ସାହିତ୍ୟ–ସଂଗଠନ ଘୋଷଣା କରି କହିଦେଲାଣି ଯେ ଅଭିଯୁକ୍ତ ଦୁଇ ମନ୍ତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲାରେ ଏଣିକି ମୋଟେ ପୂରାଇ ଦିଆଯିବ ନାହିଁ ଏବଂ ଆହୁରି ଅଧିକ ବିପଦର ସୂଚନା ଦେଇ ଖବର ବାହାରିଛି ଯେ, ଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ର–ସଂଗଠନ ଏବଂ ଏପରିକି ଅନେକ ରାଜନୀତିକ ଦଳ ଏହି ନିଷ୍ପତ୍ତିଟି ପ୍ରତି ଆପଣାର ସମର୍ଥନ ଜଣାଇସାରିଲେଣି । ଅର୍ଥାତ୍ ଯଦି ଅପରାଧୀମାନେ ସେମାନଙ୍କ ନାମରେ ଘୋଷଣା କରାଯାଇଥିବା ନିଷେଧାଦେଶକୁ ଅମାନ୍ୟ କରି ତଥାପି ନିଷିଦ୍ଧାଞ୍ଚଳକୁ ପଶିବାକୁ ଚେଷ୍ଟା କରିବେ, ତେବେ ଏମାନେ ସମସ୍ତେ ଏକଜୁଟ ହୋଇ ଠେଙ୍ଗାବାଡ଼ି ଧରି ବାହାରିବେ ଏବଂ ରାସ୍ତାକୁ ରୋକିରଖିବେ । ତା’ପରେ ଯାହାହେବାର ହେବ ।

 

ତା'ପରେ ସାହିତ୍ୟିକତା ଚୁଲିକୁ ଯିବ । କେବଳ ସାହିତ୍ୟିକ ସଂଗଠନମାନେ ରହିବେ । ସଭାମାନଙ୍କରେ ଚଢ଼ାଉତରା ଚାଲିବ । ଆମେ ଓଡ଼ିଆ, ତେଣୁ ଓଡ଼ିଆ ସାହିତ୍ୟ ଆମର ବୋଲି ବାହୁ ପିଟି କହୁଥିବା ସୂରୀମାନେ ମଞ୍ଚ ଉପରେ ନାଚିବେ ଏବଂ ବଳ ଦେଖାଇ ହେବେ । ଫକୀରମୋହନ ତାଙ୍କ ଜୀବନଯାକ ଯାହା କରି ନଥିଲେ ସେହିଗୁଡ଼ାକ କରାଯିବ । ରତିଗୁଡ଼ାକ ନିତାନ୍ତ ଅପାତ୍ରରେ ପଡ଼ି ଓଲଟ ରତିରେ ପରିଣତ ହେବ । ଫକୀରମୋହନ ସଂଗଠନ ତିଆରି କରି ସେହି ଡିହ ଉପରେ ଛିଡ଼ା ହୋଇ କାହାକୁ କୌଣସି ଗାଳି ଦେଇ ନଥିଲେ । ସିଏ ନିଜର ଗୋତ୍ରଟିକୁ ଖୁବ୍ ଭଲ ଭାବରେ ଚିହ୍ନିଥିଲେ । ଓଡ଼ିଶାରେ ସାହିତ୍ୟକୁ ଆଳକରି ଗତ କେତୋଟି ଦଶନ୍ଧି ମଧ୍ୟରେ ଯେଉଁ ଅସାହିତ୍ୟିକ ରାଜସିକତାମାନ ହେଉଛି, ବର୍ତ୍ତମାନ ସତେଅବା ସେଇଟାହିଁ ଗୋଟାସୁଦ୍ଧା ଉଲଗ୍ନ ହୋଇ ବାହାରେ ନାଚିବାକୁ ଏବଂ ତା’ ଆଡ଼କୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ମନ କଲାଣି । ପୂଜ୍ୟମାନଙ୍କର ପୂଜା ଓଡ଼ିଶାରେ ସତେଅବା କେଉଁ ପାପଫଳେ ବିଚରା ତୁଚ୍ଛା ଉତ୍ତେଜିତମାନଙ୍କ ହାତରେ ଯାଇ ପଡ଼ିଲାଣି ।

 

ଆପଣମାନେ ଫକୀରମୋହନଙ୍କର କବିତା ପଢ଼ିଛନ୍ତି ? ତାଙ୍କ ସମୟର ଓଡ଼ିଶା ଆମେ ତାଙ୍କ ଭଳି ଗ୍ରହଣଶୀଳ ଚେତନାଟିଏ ହୁଏତ ଯେତେ ଖୋଜି ଆସିଲେ ମଧ୍ୟ କଦାପି ପାଇବାନାହିଁ । ମଣିଷର ସମ୍ପତ୍ତିବୋଧ ଗଲେ ଯାଇ ମଣିଷ ଗ୍ରହଣଶୀଳ ହୁଏ । ଫକୀରମୋହନଙ୍କ ସମୟରେ ପରିଧିଗୁଡ଼ିକ ଏକାବେଳେକେ ଅତ୍ୟନ୍ତ କ୍ଷୁଦ୍ର ହୋଇ ରହିଥିବାବେଳେ ସିଏ ଯେ ନିଜକୁ ଏତେଦୂର ଉନ୍ମୋଚିତ କରି ରଖିପାରିଥିଲେ, ତାହା ଦେଖି ପ୍ରକୃତରେ ଭାରି ଆଶ୍ଚର୍ଯ୍ୟ ହେବାକୁ ହୁଏ । ଏବଂ ସେ ଏପରି ଉନ୍ମୋଚିତ ଓ ଗ୍ରହଣକ୍ଷମ ହୋଇ ରହିଥିଲେ ବୋଲି ହୁଏତ ନିଜର ଗୋଟିଏ ଜୀବନରେ ଏତେ ଅଧିକ ସାଧ୍ୟ କରିପାରିଲେ । ଆମେ ଅଶାନ୍ତ ଓ ଅଳପମାନେ ଫକୀରମୋହନଙ୍କର ଯେଉଁ ଶାନ୍ତିକାନନରେ ବର୍ଷକୁ ବର୍ଷ ସଭାକରି ଫକୀରମୋହନଙ୍କ ପ୍ରଶସ୍ତିଗାନଦ୍ଵାରା ଆପଣାକୁ କେତେ ଆପ୍ୟାୟିତ ଅନୁଭବ କରୁଛୁ, ଫକୀରମୋହନ ଆପଣାର ଅନ୍ତର୍ମେଦିନୀଟି ଭିତରେ ଶାନ୍ତି ଏବଂ ସମନ୍ୱୟର ସେହି କାନନଟିରେ ସତତ ବାସ କରୁଥିଲେ ।

 

କୌଣସି ଗୋଟିଏ ଧର୍ମର ଶଗଡ଼କୁ ଆଶ୍ରାକରି ମଣିଷ ଯେ କଦାପି ସ୍ୱର୍ଗକୁ ଯାଇପାରିବ ନାହିଁ, ତାଙ୍କୁ ସେଥିପାଇଁ ଯୁଗପତ୍‌ ଭାବରେ ବିଶ୍ୱାସ, ବୈରାଗ୍ୟ, ପ୍ରେମ ଓ ଭକ୍ତିକୁ ଏକତ୍ର ବଳି ଜୀବନ ବଞ୍ଚିବାକୁ ପଡ଼ିବ–ସତ୍ୟ ଉପରେ ବିଶ୍ୱାସ ରଖିବ, ଯିଶୁଖ୍ରୀଷ୍ଟ ପ୍ରଚାର କରିଥିବା ପ୍ରେମ, ଗୌତମଙ୍କର ବୈରାଗ୍ୟ ଓ ଚୈତନ୍ୟଙ୍କର ଭକ୍ତିକୁ ଏକାଠି ନିଜ ଜୀବନରେ ଗୋଳି ବାଟ ଚାଲିଲେ ଯାଇ ଅସଲ ପାହାଚଗୁଡ଼ିକୁ ଉଠିହେବ ବୋଲି ଫକୀରମୋହନ ଘୋଷଣା କରିଥିଲେ । ଜୀବନରେ ବାଟ ଦେଖାଇବା ପାଇଁ ସେ ଯେଉଁ ସାତ ଋଷିଙ୍କୁ ମଙ୍ଗୁଆଳ ବୋଲି ଧରିଥିଲେ, ସେଥିରେ ଶଙ୍କରାଚାର୍ଯ୍ୟ, ନାନକ, ଯିଶୁ, ମହମ୍ମଦ ଓ ରାମମୋହନ ରାୟ ସମସ୍ତେ ଅଛନ୍ତି । କୃଷ୍ଣ ଓ ଯିଶୁଙ୍କୁ ସେ ‘ଏକ ବୃନ୍ତେ ଦୁଇ ଫୁଲ’ ବୋଲି କହିଛନ୍ତି । ଯେଉଁ ମୁସଲମାନ ଅଣ–ମୁସଲମାନମାନଙ୍କୁ କାଫେର୍ ବୋଲି କହୁଛି, ବେକରେ ଭେକ ଗଳାଇ ଯିଏ ବୈଷ୍ଣବ ବୋଲାଉଛି ଏବଂ କେବଳ ଯିଶୁଙ୍କୁ ପ୍ରାର୍ଥନା କରି ଯିଏ ଖ୍ରୀଷ୍ଟିଆନ ହେଲା ବୋଲି ଦମ୍ଭ କରୁଛି, ଏମାନେ କେହି ପ୍ରକୃତ ମୁସଲମାନ, ପ୍ରକୃତ ବୈଷ୍ଣବ ବା ପ୍ରକୃତ ଖ୍ରୀଷ୍ଟିଆନ ନୁହଁନ୍ତି, ଏହା ଫକୀରମୋହନଙ୍କର ଉକ୍ତି । ସେହିପରି ଅଣହିନ୍ଦୁ ଅନ୍ୟମାନଙ୍କୁ ଯିଏ ମ୍ଳେଚ୍ଛ ବୋଲି କହି ନାକ ଟେକୁଛି, ସିଏ ମଧ୍ୟ ଅସଲ ହିନ୍ଦୁ ନୁହେଁ ବୋଲି ଫକୀରମୋହନ ଅବଶ୍ୟ କହିଥାନ୍ତେ ।

 

ଫକୀରମୋହନଙ୍କର ଆଲୋଚନା ଆମ ଯେଉଁମାନଙ୍କୁ ଏକତ୍ର କରୁଛି, ଚାଲ ଆମେ ସମସ୍ତେ ଫକୀରମୋହନଙ୍କର ଶାନ୍ତିକାନନକୁ ଯିବା ଏବଂ ସେହି ପ୍ରେରଣାର ପିତୃତୁଲ୍ୟ ଛାୟା ତଳେ ଉଶ୍ୱାସ ହୋଇ ପରସ୍ପରର କତିହୋଇ ବସିବା । ଧର୍ମତଃ ସାହିତ୍ୟର ପ୍ରେରଣା ନେଇ, ଜୀବନର ପ୍ରେରଣା ନେଇ ଆମେ ସମସ୍ତେ ସେଠାକୁ ଯିବା ଓ ବସିବା । ଆମ ବିଚାରରେ ଯିଏ ଭୁଲ୍ କହୁଛି, ତାକୁ ମଧ୍ୟ ସାଙ୍ଗରେ ନେବା ଓ କତିରେ ବସାଇବା । ସେଇଠାରେ ଆମେ ସତକୁସତ ଉଶ୍ୱାସ ଅର୍ଥାତ୍ ଅସୂୟାଶୂନ୍ୟ ହୋଇଗଲା ପରେ ଏକ ବିତର୍କ ଆରମ୍ଭ ହେବ । କେହି ଅପରାଧୀର ଅଡ଼ାରେ ଛିଡ଼ା ହେଲାପରି ଅନୁଭବ କରୁ ନଥିବେ କିମ୍ବା କେହି ଅପରାଧୀମାନଙ୍କର ବିଚାର କରି ସେମାନଙ୍କୁ ଦେଶରୁ ତଡ଼ିଦେବ ବୋଲି ମଧ୍ୟ ତୋଡ଼ ଦେଖାଉ ନଥିବେ । ଆମେ ସମସ୍ତେ ଫକୀରମୋହନଙ୍କର ଜଣେ ଜଣେ ଅନୁରାଗୀ ଦାୟାଦ ହିସାବରେ ସେଠାରେ ଏକତ୍ରହେବା ଏବଂ ସେହି ସନ୍ତକରେ ପରସ୍ପରକୁ ଚିହ୍ନିବା । ତା’ପରେ ବିତର୍କଟିଏ ଆରମ୍ଭ ହେବ । ଏପାଖ ଏପାଖର କଥା କହିବେ, ସେପାଖ ସେପାଖର କଥାବି କହିବେ ।

 

ତା’ପରେ ଅର୍ଥାତ୍ ସେହି ପ୍ରକ୍ରିୟାରୁ ହୁଏତ ଏକ ଅଦ୍ଭୁତ ଘଟଣା ଘଟିବ । ସାହିତ୍ୟକୁ ମଧ୍ୟ ଶାସ୍ତ୍ରରୁ ଗୋଟିଏ ଶବ୍ଦ ନେଇ ଅଘଟଣଘଟଣ–ପଟାୟସୀ ବୋଲି ଯେ ଯଥାର୍ଥରେ କୁହାଯାଇପାରିବ, ଆମେ ସେତେବେଳେ ତାହାର ଏକ ପ୍ରତ୍ୟକ୍ଷ ପ୍ରମାଣ ପାଇଯିବା । ଭିନ୍ନ ମତ ଓ ସେହି ଅନୁସାରେ ଭିନ୍ନ ଭିନ୍ନ ତର୍କର ଉପସ୍ଥାପନା କରୁଥିଲେ ମଧ୍ୟ ଆମେ ଯେ ପରସ୍ପରର କେତେ ନିକଟରେ ରହିଛୁ, ଆମେ ସମସ୍ତେ ସେହି କଥାଟିକୁ ଆବିଷ୍କାର କରିପାରିବା । ଫକୀରମୋହନ ସେତିକିବେଳେହିଁ ଆମକୁ ସତକୁସତ କେଡ଼େ ବଡ଼ ଦେଖାଯିବେ, ତାଙ୍କର ବୃହତ୍ ଏବଂ ଉଜ୍ଜ୍ୱଳ ମହିମାରେ ସେ ଆମକୁ ଜଳଜଳ ହୋଇ ଦେଖାଯିବେ । ପରସ୍ପରକୁ ଠେସା ମାରି ଗାଁରୁ ବାହାର କରିଦେବାକୁ ଚକ୍ରାନ୍ତ କରୁଥିବା ସମୟରେ ହୁଏତ ଆମେ ବସ୍ତୁତଃ ଫକୀରମୋହନଙ୍କର କେବଳ ଗୋଟିଏ ଗୋଟିଏ ପାଖକୁ ଦେଖୁଛୁ ଓ ତେଣୁ ଭୟଙ୍କର ଅପରସଚେତନତାରେ ଅତ୍ୟନ୍ତ ଖଣ୍ଡିଆ ହୋଇ ରହିଯାଉଛୁ । ଗୋଟିଏ ରତ୍ନକୁ ଗୋଟାସୁଦ୍ଧା ମୋର ବୋଲି କହିବାର ଅହଂକାର କରୁଥିବା ପର୍ଯ୍ୟନ୍ତ ଆମେ ପ୍ରକୃତରେ ଭାରି ଖଣ୍ଡିଆ ହୋଇ ଦିଶୁଥାଉ ଏବଂ ଆପଣାର ବ୍ୟାସାର୍ଦ୍ଧଗୁଡ଼ିକୁ ଭାରି ଛୋଟକରି ରଖିଥାଉ । ଏବଂ ତଦ୍ଦ୍ୱାରା ଆମ ନିଜରହିଁ ସବୁଠାରୁ ଅଧିକ କ୍ଷତି ହୁଏ । ଆମେ ଯେଡ଼େ ଉଗ୍ର ହୋଇ ରହିଥିଲେହେଁ ପ୍ରକୃତରେ ବଡ଼ ଦରିଦ୍ର ହୋଇ ରହିଥାଉ । ଏବଂ ଏଭଳି ଦରିଦ୍ରମାନେ ସେମାନଙ୍କର ସାହିତ୍ୟର ଆକାଶକୁ ଭାରି ଦରିଦ୍ର କରି ରଖିଥାନ୍ତି । ସତେଅବା ଖଣ୍ଡେ ଖଣ୍ଡେ ଉଲ୍କା ପରି ସେମାନେ ପରସ୍ପରକୁ ଆଘାତ କରିବାରେ ଲାଗିଥାନ୍ତି । ତଦ୍ଦ୍ୱାରା ଆକାଶଟା ଭାରି କ୍ଷତବିକ୍ଷତ ହୋଇ ରହିଥାଏ । ଆମେ ଆମ ଆକାଶର ମହତ ରଖିବା । ତେବେଯାଇ ସେହି ଆକାଶର ଜ୍ୟୋତିଷ୍କମାନେ ମଧ୍ୟ ସ୍ଵମହିମାରେ ବଞ୍ଚି ରହିପାରିବେ । ପୃଥିବୀ ଉଶ୍ୱାସ ହେବ ।

Image

 

ଶିକ୍ଷା କାହାର ଗରଜ ?

 

ସରକାରୀ କଚେରିର ବିଧାନ ଅନୁସାରେ ଶିକ୍ଷା ହେଉଛି ତଥାକଥିତ ଶିକ୍ଷା ବିଭାଗର ଗରଜ । ଅର୍ଥାତ୍, ଶିକ୍ଷା ସତକୁସତ କାହାରି ଗରଜ ନୁହେଁ । ଶିକ୍ଷା ନାମକ ଏକ ବିଭାଗରେ ଯିଏ ବା ଯେଉଁମାନେ ହନୁ ହୋଇ ଆସିବେ, ଶିକ୍ଷା ହେଉଛି ସେହିମାନଙ୍କର ଗରଜ । ଅଧିକ ସରଳ ଓ ଅଭଦ୍ର ଭାବରେ କହିଲେ ଶିକ୍ଷା ହେଉଛି ସେହିମାନଙ୍କର ଖିଆଲ । ନିର୍ଧୁମ୍ ଖିଆଲରେ ଗୋଟାଏ ଦେଶ ଯେ ଦୀର୍ଘ ପଚାଶବର୍ଷକାଳ ଚଳି ଆସିଲା, ସରକାରୀ ଶିକ୍ଷାକୁ ଆମେ ତାହାରି ଅନ୍ତର୍ଗତ ହୋଇ ରହିଥିବା ଏକ ସିରସ୍ତା ବୋଲି କହିପାରିବା । ସେହି ହିସାବରେ ହୁଏତ ଅଧିକ ପ୍ରମାଣ ସହିତ କୁହାଯାଇପାରିବ ଯେ, ହାତକୁ ହାତ ହୋଇ କାହା ମନ କାହା ହାତରେ ପଡ଼ି ଶିକ୍ଷା ବିଗତ ପଚାଶବର୍ଷକାଳ ଅତ୍ୟନ୍ତ ସୁଯୋଜିତ ଭାବରେ ବିଗିଡ଼ିବିଗିଡ଼ି ଆସିଲା ।

 

କେତେମାସ ତଳେ କୌଣସି ଏକ ଗାଁ ସ୍କୁଲ୍‍ର ବର୍ଷିକିଆ ଉତ୍ସବରେ ଆମନ୍ତ୍ରିତ ସବାବଡ଼ ଅତିଥି ଭାବରେ ଆମ ରାଇଜର ରାଜା କହିଥିଲେ ଯେ, ସିଏ ଯଦି କେଉଁଠାରୁ ଏକ ହଜାର କୋଟି ଟଙ୍କା ହାତରେ ପାଆନ୍ତେ, ତେବେ ଆମର ଶିକ୍ଷା ଘରଟାର ସବୁଯାକ ସମସ୍ୟାକୁ ସମାଧାନ କରିଦିଅନ୍ତେ । ସାକ୍ଷାତ ପବନପୁତ୍ର ହନୁମାନଙ୍କର ଆଣ୍ଟରେ ସେଦିନ ସେ ନିଶ୍ଚୟ ସେହିକଥା କହିଥିବେ । ଖାଲି ଏତେ ହଜାର ବା ଏତେ ଲକ୍ଷ କୋଟି ଟଙ୍କା ହେଲେ ଯେ ଦେଶରେ ବା ରାଜ୍ୟରେ ନାନା ଦୁଷ୍ଟତାଦ୍ଵାରା ଦଲଦଲ ହେଉଥିବା ଶିକ୍ଷାର କଞ୍ଚା ମହୁଡ଼ଟା ପ୍ରକୃତରେ ପକ୍କା ହୋଇଯାଇ ପାରିବ, ଶିକ୍ଷାର ଯଥାର୍ଥ ତାତ୍ପର୍ଯ୍ୟ ଅର୍ଥାତ୍ ଆହ୍ୱାନଟିକୁ ବୁଝୁଥିବା କୌଣସି କିଞ୍ଚିତ୍ ବିବେକସମ୍ପନ୍ନ ବ୍ୟକ୍ତି କଦାପି ଏପରି କହିବାକୁ ମନ ବଳାଇବ ନାହିଁ । ଖରଚ କରୁ କରୁ ସରକାର ଗତ ଏକାଧିକ ଯୋଜନାରେ ଖର୍ଚ୍ଚ କରିବା ନିମନ୍ତେ ଅସୁମାରି ହଜାର ହଜାର କୋଟି ଟଙ୍କା କରଜ କରିସାରିଲେଣି । ତଦ୍ଦ୍ୱାରା ଦେଶଟାକୁ ସବୁ ମଣିଷଙ୍କ ଲାଗି ସୁନ୍ଦର ଏବଂ ସମ୍ମାନଜନକ କରି ଗଢ଼ିବାରେ କେତେକଅଣ ସଫଳତା ମିଳିଛି ବା ନ ମିଳିଛି, ସେକଥା ଆମେ ହାଟରେ ଯାହାକୁ ପଚାରିବା, ସିଏ ଆମକୁ ତାହାର ସମାଚାର ଦେଇପାରିବ । ଆଖି ଖୋଲି ଅନାଇବାମାତ୍ରକେ ହୁଏତ ସବୁ ଜଳଜଳ ହୋଇ ଦେଖାଯିବ । ଶିକ୍ଷା–ବିଭାଗରେ ସବା ଉପରେ ଜଣେ ଶିକ୍ଷାମନ୍ତ୍ରୀ ଥାଆନ୍ତି । କାମ ଅନୁପାତରେ ମନ୍ତ୍ରୀହେବା ସକାଶେ ଅଧିକ ଆଶାୟୀ ବ୍ୟକ୍ତି ରହିଥିଲେ ବେଳେବେଳେ ଗୋଟାଏ ଥାନରେ ଦୁଇ ବା ତିନିମୂର୍ତ୍ତି ମନ୍ତ୍ରୀ ମଧ୍ୟ ଶିକ୍ଷାଲାଗି ଯୋଗାଡ଼ ହୋଇ ରହିଥାନ୍ତି । କାହାର ଶିକ୍ଷା ନିମନ୍ତେ ସତକୁସତ କୌଣସି ବିଶେଷ ଆଗ୍ରହ କିମ୍ବା ଦକ୍ଷତା ରହିଥାଏ ବୋଲି ଯେ ସେମାନଙ୍କୁ ଶିକ୍ଷାର ହାଲ୍‍ଚାଲ୍‍–ଘରେ ସବାବଡ଼ ଗଉନ୍ତିଆ କରି ବସାଇ ଦିଆଯାଏ, ସେକଥା ଆଦୌ ନୁହେଁ । ବ୍ୟବସ୍ଥାଟି ଅତ୍ୟନ୍ତ ସୁରମ୍ୟ ଭାବରେ ଏପରି ତିଆରି ହୋଇ ରହିଛି ଯେ, ଶାସନର ସବାବଡ଼ ମୁରବି ଯାହାକୁ ମନ କରନ୍ତି, ତାକୁନେଇ ଶିକ୍ଷାଘରେ ବସାଇ ଦିଅନ୍ତି । ଆପଣା ଜାଗାରେ ଶିକ୍ଷାମନ୍ତ୍ରୀ କେତେଦିନ ରହିବେ, ବିଚରା ସେ ନିଜେ ସେକଥା ଜାଣନ୍ତି ନାହିଁ । ଶିକ୍ଷା ବିଷୟରେ ସେ ହୁଏତ ଆଗରୁ ଆଦୌ କୌଣସି ସ୍ୱପ୍ନ ଦେଖି ନଥାନ୍ତି–ହୁଏତ ପୂର୍ବରୁ ନିଜେ କେବେ ମାଷ୍ଟରଟିଏ ମଧ୍ୟ ହୋଇ ନଥାନ୍ତି । ତଥାପି, ଅନ୍ତତଃ ନିଜ ପଦନିଯୁକ୍ତିର ଖାତିରିରେ ତାଙ୍କୁ ଏଣିକି ତାଙ୍କର ପଦ ମୁତାବକ କିଞ୍ଚିତ୍‌ ସ୍ୱପ୍ନ ଦେଖିବାକୁ ପଡ଼େ, କିଞ୍ଚିତ୍ ଚିନ୍ତା କରିବାକୁ ପଡ଼େ, କିଛି ନହେଲେ ମଧ୍ୟ ସିଏ ଯେ ଏଣିକି ଅନୁକ୍ଷଣ ସ୍ୱପ୍ନ ଦେଖୁଛନ୍ତି ଓ ଚିନ୍ତା କରୁଛନ୍ତି, ସେହିପରି କହିବାକୁ ବା ଦେଖାଇବାକୁ ପଡ଼ିଥାଏ । ଅବଶ୍ୟ ଆମେ ତାଙ୍କୁ କଦାପି କୌଣସି ଦୋଷ ମଧ୍ୟ ଦେଇପାରିବା ନାହିଁ । ସିଏ ହୁଏତ ନିଜ ଇଚ୍ଛାରେ ନୁହେଁ, ଆଉ କାହାର ଇଚ୍ଛାରେ ଶିକ୍ଷା ଭିତରକୁ ଆସିଥାଆନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ନିର୍ବାଚିତ ହେବାପରେ ସିଏ ଜଣେ ମନ୍ତ୍ରୀ ହେବାଲାଗି ନିଶ୍ଚୟ ଅଭିଳାଷ ରଖିଥାନ୍ତି; କେଉଁ ବିଭାଗରେ ମନ୍ତ୍ରିତ୍ୱ ଗ୍ରହଣ କରିବେ, ସେହି ବିଷୟରେ ନିଜ ସହିତ ଆଲୋଚନା କରିବା ନିମନ୍ତେ ଯଥେଷ୍ଟ ବେଳ ପାଇ ନଥାନ୍ତି । ମନ୍ତ୍ରୀଟିଏ ହୁଅନ୍ତି, ପାହିଆଟିଏ ପାଆନ୍ତି, ତାହାକୁହିଁ ଅହଲ୍ୟାର ଜୀବନରେ ପରମ ମୁକ୍ତି ବୋଲି ମାନିନିଅନ୍ତି । ଅନିତ୍ୟ ରାଜନୀତିର ସଂସାରରେ ସେତିକି କ’ଣ କମ୍ କଥା ?

 

ସରକାରୀ କିସ୍କିନ୍ଧ୍ୟା ପୁରାଣ ଅନୁସାରେ ରୀତିଗୁଡ଼ାକ ଏପରି ଚାଲେ ଯେ, ଶିକ୍ଷା ବିଭାଗରେ ସିଏ ସତକୁସତ କେତେଦିନ ରହିବେ, ସେକଥା ମନ୍ତ୍ରୀ ନିଜେ ମଧ୍ୟ ଜାଣି ନଥାନ୍ତି । କୋଉଦିନ ସେ ହଠାତ୍ ଶିକ୍ଷା ବିଭାଗରୁ ଜଙ୍ଗଲ ବିଭାଗକୁ ଯିବେ ଅଥବା ସଂସ୍କୃତିରୁ ମତ୍ସ୍ୟ ଭିତରକୁ ଯିବେ, ଅନେକ ସମୟରେ ଗୋଟାଏ ଟେଲିଫୋନ୍‍ରେହିଁ ସେହି ନିଷ୍ପତ୍ତିଟିର ଚୂଡ଼ାନ୍ତ ହୋଇଯିବ । ଏଇଟି ପ୍ରକୃତରେ ବଡ଼ ଦୟନୀୟ ସ୍ଥିତି । ବିଶେଷତଃ ଯଦି ତୁମ ଭିତରେ ବିବେକୀଟିଏ ରହିଥିବ, କୌଣସି ବିଶେଷ ଅଙ୍ଗୀକାରବଦ୍ଧତା ରହିଥିବ, ତେବେ ତୁମକୁ ସତକୁସତ ନିଜକୁ ଆହୁରି ଅଧିକ ଦୟନୀୟ ବୋଲି ଭାବିବା ବ୍ୟତୀତ ଆଉ ଅନ୍ୟ ଉପାୟ ନଥିବ । ତେଣୁ ତୁମକୁ ଅଗତ୍ୟା ବୈରାଗ୍ୟ ଆଚରଣ କରିବାକୁ ପଡ଼ିବ । ଅର୍ଥାତ୍ ଉଦାସୀନତା–ଧର୍ମର ସହାୟ ନେବାକୁ ପଡ଼ିବ । ଉପରେ ହଁ’ ହଁ’ କହୁଥିବ, ମୁରୁକି ମୁରୁକି ହସୁଥିବ, ଆବଶ୍ୟକ ହେଲେ କାହାକୁ ଟଙ୍କାଏ ମଶାଏ ଧରାଇ ଦେଇ ଖୁସି କରାଇ ଦେଉଥିବ, ତେଣେ ଭିତରେ ମାନ ମାରି ଉଦାସୀନ ରହିଥିବ । ଭିତରର ଦୁଃଖଟିକୁ ଭୁଲିବା ନିମନ୍ତେ ସଭାମାନଙ୍କୁ ଯାଉଥିବ, ଭାଷଣ ଦେଉଥିବ, ଉଲ୍ଲାସରେ ଯାହା ମନ ତାହା କହିପକାଉଥିବ, ଚିତ୍ତକ୍ଳେଶ ମେଣ୍ଟାଉଥିବ ଏବଂ ସତେଅବା ନିୟମ ରକ୍ଷା କରିବା ଭଳି ନିଜ ବିଭାଗୀୟ ସଚିବମାନଙ୍କ ଉପରେହିଁ ଗୋଟାକଯାକ ରାଜ୍ୟଭାର ସମର୍ପି ଦେଉଥିବ । ସେମାନେ ଯେ କଦାପି କିଛି କରିବେ ନାହିଁ, ସେହି କଥାଟିକୁ ତୁମେ ଭଲଭାବରେ ଜାଣିଥିବ । ସବୁକିଛି ଅତ୍ୟନ୍ତ ଭବ୍ୟ ଭାବରେ ଚଳି ଯାଉଥିବ ।

 

ବିଚରା ତଥାକଥିତ ସଚିବମାନେବି କରିବେ କ’ଣ ? ସେମାନେ ଚାକିରିଟିଏ କରିବେ ବୋଲି ପାଠ ପଢ଼ିଥିଲେ । ପାଠର ପରୀକ୍ଷା ଦେଇହିଁ ସେମାନେ ଏହି ଉଚ୍ଚତମ ଚାକିରି ନିମନ୍ତେ ଭାଜନ ହୋଇଛନ୍ତି । ଆମ ଦେଶର ପାଠ କେବଳ ମସ୍ତିଷ୍କଦ୍ୱାରାହିଁ ଯେ ସାଧ୍ୟ ହୋଇପାରୁଛି, ତାହାକୁ ଏହି ଦେଶ ବିଷୟରେ କୌଣସି ଏକ କୁବିଧାନର ଚକ୍ରାନ୍ତ ବୋଲି କହିବାକୁ ପଡ଼ିବ । ଏକ ବିକାଶମାନ ଦେଶ ଓ ସମାଜରେ ଯଥାର୍ଥ ପ୍ରଶାସକଟିଏ ହେବାଲାଗି ହୃଦୟଟିଏ ରହିଥିବା ଉଚିତ, ଏକ ନିର୍ମଳ ଓ ସଂକଳ୍ପଯୁକ୍ତ ବିବେକ ଏବଂ ଉଦ୍ୟମଶୀଳତା ରହିଥିବା ଉଚିତ ଓ ସର୍ବୋପରି ଏହି ଦେଶକୁ ନେଇ ଏକ ଗୌରବବୋଧ ତଥା ସ୍ୱପ୍ନସଚଳତା ରହିଥିବା ଉଚିତ । ତେଣୁ, କେବଳ ମୁଣ୍ଡପାଠରେ ପରୀକ୍ଷାଦ୍ୱାରା କିପରି ଏହି ଦେଶରେ କେତେ ସାଫଲ୍ୟର ସହିତ ଉଚ୍ଚ ପ୍ରଶାସକବର୍ଗ ବଛା ହୋଇ ଆସନ୍ତି, ସେହି ବିଷୟରେ ଏକାଧିକ ପ୍ରକାରେ ଗବେଷଣା କରାଯାଇପାରିବ । ପୁନଶ୍ଚ ଏହି ଜୀବିକାଟି ଭିତରକୁ ବରଣ ହୋଇ ଆସିବା ପୂର୍ବରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଜନ ହୁଏତ ଅଧ୍ୟାପନା ଭିତରେ ଥାଆନ୍ତି, ଅଧ୍ୟାପନାରେ ରହି ଆପଣା ପାରଙ୍ଗମତାର ସକଳ ଜ୍ୟୋତି ମୋଟେ ପ୍ରକାଶିତ ହୋଇପାରିବ ନାହିଁ ବୋଲି ବିଶ୍ୱାସ କରି ସେମାନେ ସେଠାରେ ଥାଇ ଉଚ୍ଚତର ଡାଳଟିକୁ ହାତ ବଢ଼ାଉଥାନ୍ତି; ପରୀକ୍ଷା ଦେଉଥାନ୍ତି ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୋଟିଏ ହୁଁ’ରେ ଉପରକୁ ଚାଲିଆସନ୍ତି । ଅଧ୍ୟାପନାଠାରୁ ପ୍ରଶାସନର ଭାଡ଼ିରେ ସାମନ୍ତହେବା ମନସାଧକୁ ମେଣ୍ଟାଇବାକୁ ଅଧିକ ସିଦ୍ଧିକାରଣ ବୋଲି ବିଶ୍ଵାସ କରୁଥାନ୍ତି । ତା’ପରେ ନିଜ ଭିତରେ ଯେଉଁ ଦୁଃଖରେ ଦହି ହେଉଥାନ୍ତୁ ପଛକେ, ବାହାରେ ଠିକ୍ ‘ଠ’ ବର୍ତ୍ତୁଳ ହୋଇରହିଥାନ୍ତି । ସେମାନଙ୍କୁ ଯେଉଁଠି ଯେତେବେଳେ ଖଞ୍ଜି ଦିଆଯାଏ, ସେଠାରେ କେଡ଼େ ଶୋଭାପାଆନ୍ତି, ବର ପରି ଦିଶୁଥାନ୍ତି ।

 

ସେମାନେ କେତେବେଳେ କୋଉ ବିଭାଗର ସାଆନ୍ତାଣୀ ହୋଇଥାନ୍ତି, ତାହାର କୌଣସି ବାଇସ ନଥାଏ । ଚକବନ୍ଦୀଠାରୁ ଶିକ୍ଷା ଗୋଦାମ ପର୍ଯ୍ୟନ୍ତ ଓ ସଂସ୍କୃତିଠାରୁ କ୍ଷୁଦ୍ରଶିଳ୍ପ ପର୍ଯ୍ୟନ୍ତ ସେମାନେ ଆଦେଶ ପ୍ରମାଣେ ସର୍ବତ୍ର କ୍ଷେତ୍ରପାଳ ହୋଇ ବସିବାକୁ ଯାଆନ୍ତି । ଆଦେଶମାତ୍ରକେ ଯିଏ ସବୁ ଥାନାକୁ ଯୋଗ୍ୟ ହୋଇଯାଏ, ତା’ର ଆନ୍ତରିକ ଆଗ୍ରହ–ଘରେ କ୍ଷମତା ଏବଂ ଚଉକିଟିଏ ବ୍ୟତୀତ ହୁଏତ କେନ୍ଦ୍ର ବୋଲି ଆଦୌ କିଛି ନଥାଏ । ଜଣେ ସତକୁସତ ସୁସ୍ଥ ମଣିଷ କଦାପି ଆପଣା ଭିତରେ କେତେକଅଣ ସହିତ ସାଲିସ୍ ନକରି କଦାପି ଏକଥା କରିପାରନ୍ତା ନାହିଁ । ଏମିତି ସବୁପାରନ୍ତାମାନେ ଶିକ୍ଷାର କ୍ଷେତ୍ରରେ କିଛି କରିପାରନ୍ତି ନାହିଁ । କେବଳ ତୋଟା ଜଗନ୍ତି, କୈକେୟୀମାନଙ୍କ ପାଖରେ ମନ୍ଥରା ହୁଅନ୍ତି ଏବଂ ନିଜର ଜୀବନ ସିଡ଼ିଟିକୁ ନିରାପଦ ରଖିଥାନ୍ତି ।

 

ଏହିଭଳି ଧନୁର୍ଦ୍ଧରମାନଙ୍କୁ ନେଇ ଏକ ବିକଶମାନ ସମାଜ ଶିକ୍ଷାରେ ଆଉ କେଉଁ ରଣଟିକୁ ଲଢ଼ିଲା ପରି ଲଢ଼ିପାରିବ ଓ ଆଦୌ କୌଣସି ପାହାଚ ଉଠିବାକୁ ମନ କରିପାରିବ ? ଯେଉଁ ଉଦାସୀନ ଏବଂ ଉଚ୍ଚମାନଙ୍କୁ ଶିକ୍ଷାର ଏହି ଅବ୍ୟବସ୍ଥାଟି ପୁଷମାସ ପରି ଭଲ ଲାଗି ଆସିଲାଣି, ସେମାନେ ତୁଚ୍ଛା ନିଜପଟେ ନରହି ଦେଶ ପଟେ, ଏହି ଦେଶରେ ଆଲୋକ ଦେଖିବାକୁ ଅପେକ୍ଷା କରି ରହିଥିବା ମଣିଷମାନଙ୍କ ପଟେ କାହିଁକି ରହିବେ ?

Image

 

କୁମାରଭାଇ

 

କୁମାର ଭାଇଙ୍କ ସହିତ କଟକରେ ଥରେ ସାକ୍ଷାତ ହୋଇଥିଲା ଅନେକ ବର୍ଷ ତଳେ । ସ୍ଥାନୀୟ ସବୁଜଗୋଷ୍ଠୀର ତରୁଣ ବନ୍ଧୁମାନେ ଟାଉନ୍‍ହଲ୍‍ରେ କ’ଣ ଗୋଟିଏ ଆଲୋଚନା ସଭା ଡାକିଥାନ୍ତି । କୁମାର ଭାଇ ସେହି କାର୍ଯ୍ୟକ୍ରମକୁ ଆସିଥିଲେ । ଏକ ସଂଯୋଗବଶତଃ ମୁଁ ମଧ୍ୟ ସେଠାରେ ଉପସ୍ଥିତ ଥିଲି । ଦେଖୁଦେଖୁ ଆମର ପରିଚୟ ହୋଇଗଲା । ସେଦିନ ନିଜ ଭାଷଣରେ ସେ ଆପଣାର ଓଜସ୍ୱିନୀ କଣ୍ଠରେ ଶ୍ରୋତାମାନଙ୍କୁ କ’ଣସବୁ କହିଲେ, ସେସବୁ କଥା ମୋର କିଛି ମନେନାହିଁ । ମାତ୍ର, ସେଇଠି ଏକାଠି ହୋଇ ଆମ ଦୁହିଁଙ୍କ ଭିତରେ ଯେଉଁ କଥାବାର୍ତ୍ତାମାନ ହୋଇଥିଲା, ସେସବୁ ଏବେ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ମନେଅଛି । ତା’ପରେ କୁମାର ଭାଇଙ୍କ ସହିତ ଆଉ କେବେହେଲେ ଭେଟ ହୋଇନାହିଁ । ତଥାପି ଏକାଠି ଏକା ବାଟଟିଏ ଚାଲୁଥିବାବେଳେ ଜଣେ ମଣିଷକୁ ଯେଉଁପରି କେବଳ ଖୁସିହିଁ ଲାଗେ, କୁମାର ଭାଇଙ୍କ ବିଷୟରେ ଖବରକାଗଜରୁ ଅଥବା ବନ୍ଧୁମାନଙ୍କ ତୁଣ୍ଡରୁ ସେକଥା ଶୁଣୁଥିବା ସମୟରେ ମୋର ସବୁବେଳେ ସେହିଭଳି ମନେ ହୋଇଛି । ଖୁସି ଲାଗିଛି । ଆଉଜଣେ କିଏ ସାଙ୍ଗ ଅବଶ୍ୟ ରହିଛି ବୋଲି କେତେ ସାହସ ମିଳିଛି ।

 

କୁମାର ଭାଇ ସେତେବେଳେ ଉଦୟଗିରିରେ ତାଙ୍କର ନୂଆ ବିଦ୍ୟାଳୟଟିକୁ ଆରମ୍ଭ କରିଦେଇଥାନ୍ତି । ସାଥୀ ଖୋଜୁଥାନ୍ତି, ସମଧର୍ମୀ ଖୋଜୁଥାନ୍ତି ଏବଂ ସ୍ଵପ୍ନ ଦେଖୁଥାନ୍ତି । କଟକ ବିଡ଼ାନାସୀଠାରେ ସମାନ୍ତର ଶିକ୍ଷାଶ୍ରମଟିଏ ଆରମ୍ଭ କରିବାର ମୂଳଦୁଆଟିଏ ପଡ଼ି ସାରିଥାଏ । ମଣିଷକୁ ଯେତେବେଳେ ତା’ର ସ୍ଵ–ଭାବ ଏବଂ ସ୍ୱ–ଧର୍ମ ଅନୁସାରେ ଆସ୍ଥାନଟିଏ ମିଳିଯାଏ, ଅର୍ଥାତ୍ ଯେତେବେଳେ ନିଜର ସ୍ୱପ୍ନ ଅନୁସାରେ ବିକଳ୍ପଟିଏ ସାକାର ହୋଇଆସେ, ସେତେବେଳେ ମଣିଷ ସତେଅବା ପରମ ପଦଟିକୁ ପାଇଯାଏ । ଆପଣାର ପଥଟିଏ ପାଇଯିବା ସଙ୍ଗେ ସଙ୍ଗେ ପରମପଦଟି ମଧ୍ୟ ସତେଅବା ମିଳିଗଲା ବୋଲି ପ୍ରତ୍ୟକ୍ଷ ଅନୁଭବ ହେଉଥାଏ । ତା'ପରେ ଜଣେ ମଣିଷ ଆଉ କୁଆଡ଼କୁ ମନ କରେନାହିଁ, ଆଉ ମୋଟେ ଅନ୍ୟମନସ୍କ ହୁଏନାହିଁ । କୁମାର ଭାଇ କେବେହେଲେ ଆଉ କୁଆଡ଼କୁ ମନ କରି ନଥିଲେ । ଯେଉଁଥିରେ ଥିଲେ, ତାହାରି ଭିତରେ ମୁହଁ ମାଡ଼ି ପଡ଼ିଥିଲେ, ସଦା ସମର୍ପିତ ହୋଇ ରହିଥିଲେ ।

 

ଯିଏ ଗୁଳା ଭିତରୁ ବାହାରିଯାଇ ଆଉ କିଛି କରେ, ତାକୁ ଲୋକେ ଆଦର୍ଶବାନ୍ ବୋଲି କହନ୍ତି । ଆଦର୍ଶବାନ୍ ଅନେକ ମଣିଷ ଏକୁଟିଆ ବାଟ ଚାଲନ୍ତି । ‘ଏକସ୍ତରତି ଦୁର୍ଗାଣି’ ନାମକ ଏକ ନୀତିବାକ୍ୟରେ ବିଶ୍ୱାସ କରନ୍ତି । ସେମାନେ ଉପରକୁ ଉଠି ଉଠି ଯାଆନ୍ତି ଓ ଶିଖର ଦେଶରେ ପହଞ୍ଚି ସିଦ୍ଧିଲାଭ କରନ୍ତି । ମାତ୍ର, ଯଦି ଶିକ୍ଷାରେ ତୁମକୁ ଗୁଳା ବାହାରର ନିଶାଟିଏ କୌଣସି କାରଣରୁ ଆସି କାମୁଡ଼ିଲା, ତେବେ ଆଉ ମୋଟେ ଏକା ବାଟ ଚାଲିବାକୁ ମନ ମଙ୍ଗୁ ନଥାଏ । ଶିଖର କହିଲେ ଏକ ବିସ୍ତୃତିକୁ ବୁଝାଏ, ବାଟ ଚାଲିବା କହିଲେ କେତୋଟି ନିର୍ଭୀକ ସାଥୀଙ୍କୁ ଆବିଷ୍କାର କରି ସେହିମାନଙ୍କ ସହିତ ଏକାଠି ହୋଇ ପାଦ ପରେ ପାଦ ପକାଇବାକୁ ବୁଝାଏ । ମଣିଷମାନଙ୍କୁ ଖୋଜି ଆଣି ଗୋଷ୍ଠୀଟିଏ ତିଆରି କରିବାକୁ ହୁଏ । କୁମାର ଭାଇ ଏତେ ବର୍ଷକାଳ ସେହିପରି ଗୋଷ୍ଠୀଟିଏ ତିଆରି କରି ତାହାରି ସହିତ ବାଟ ଚାଲିବାରେହିଁ ନିଜର ସର୍ବାଧିକ ଶକ୍ତି ଓ ସର୍ବାଧିକ ସମୟ ଦେଇ ଆସିଥିଲେ । ସେଇଥିରୁହିଁ ସର୍ବାଧକ ଖୁସି ପାଉଥିଲେ । ତାଙ୍କ ଆକାଶର ଧ୍ରୁବତାରାଟି ତାଙ୍କ ଉପରେ ପ୍ରସନ୍ନ ରହିଛି ବୋଲି ସେଇଥିରୁହିଁ ସିଏ ନିତ୍ୟପ୍ରମାଣ ଓ ନିତ୍ୟ ପ୍ରତ୍ୟୟ ଲାଭ କରୁଥିଲେ ! ଆପଣାକୁ ବିତରିତ କରିଦେବାରେ ଯେଉଁ ଆନନ୍ଦ ଓ ଯେଉଁ ବିମୋଚନ ମିଳେ ଓ ଯେତେ ସହଜରେ ଜୀବନରେ ଅସଲ ସାନ୍ନିଧ୍ୟଟିର ଅଧିକାର ମିଳେ, ନିଜେ ଯାଇ ସବା ଉପରେ ଶିଖର ଉପରେ ସବାବଡ଼ ହୋଇ ବସିଲେ ଓ ସେହିଠାରୁହିଁ ପୃଥିବୀଟାକୁ ବାଟକୁ ଆଣିବାର ଉଗ୍ରଶ୍ରମ କଲେ ତାହା କଦାପି ମିଳେନାହିଁ ।

 

କୁମାର ଭାଇ ଏହିପରି ଭାବରେ ଆପଣାକୁ ଏକ ଗୋଷ୍ଠୀ ଭିତରେ ବିତରିତ କରି ରଖିଥିଲେ । ସେଥିଲାଗି ବାହାରକୁ ଶୁଣାଯାଉ ନଥିଲେ କିମ୍ବା ଏଡ଼େବଡ଼ ଏକକ ହୋଇ ଦେଖାଯାଉ ନଥିଲେ । ତାଙ୍କ ଅନନ୍ତେ ସେହି ଗୋଷ୍ଠୀଟିହିଁ ତାଙ୍କ ବିଦ୍ୟାଳୟଗୁଡ଼ିକୁ ବଞ୍ଚାଇ ରଖିବ, ଗତିଶୀଳ କରି ରଖିବ । ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧରେ କେତେ କିସମର ମଣିଷ କେତେକେତେ କଥା କହିଛନ୍ତି । ସମ୍ଭବତଃ ଏକ ସାମୟିକ ଉତ୍ସାହର ବଶବର୍ତ୍ତୀ ହୋଇ ସେମାନେ ଏସବୁ କହିଛନ୍ତି । ଆଦୌ ସମଧର୍ମୀ ନଥିବା ବ୍ୟକ୍ତିମାନେ ହୁଏତ ଅଧିକ କଥା କହିଛନ୍ତି । କୁମାର ଭାଇ ଯେଉଁ ଅଲଗା ମହକରେ ଏବଂ ଅଲଗା ଛାଞ୍ଚରେ ତାଙ୍କର ବିଦ୍ୟାଳୟଗୁଡ଼ିକୁ ଗଢ଼ି ଆସୁଥିଲେ, ସରକାର ଆମ ରାଜ୍ୟରେ ସବୁ ବିଦ୍ୟାଳୟକୁ ସେହି ଛାଞ୍ଚରେ ତିଆରି କରିବାପାଇଁ ଏକ ବିଚାର ମଧ୍ୟ ସରକାରୀ ସ୍ତରରେ ପଡ଼ିଥିଲା ବୋଲି କେହିଜଣେ ସରକାରୀ ମାଲିକ ଭାଷଣ ସମୟରେ କହି ପକାଇଛନ୍ତି । ଭଗବାନ କୁମାର ଭାଇଙ୍କର ବିଦ୍ୟାଳୟଗୁଡ଼ିକୁ ସରକାରୀ ସ୍ନେହ ଓ ସରକାରୀ ଅନୁଗ୍ରହରୁ ବଞ୍ଚାଇ ରଖନ୍ତୁ । ଏକ ଅତିକାୟ ଓ ଅସମର୍ଥ ସରକାରୀ ବ୍ୟବସ୍ଥା ଯେତେବେଳେ କୌଣସି ଏକ ବିକଳ୍ପକୁ ରାଜ୍ୟବ୍ୟାପୀ ଶିକ୍ଷାର ଛାଞ୍ଚରୂପେ ଗ୍ରହଣ କରିନିଏ ଏବଂ ଯେତେବେଳେ ସରକାରୀ ମୂଲିଆମାନଙ୍କର ହିସାବ ଅନୁସାରେ ସେହି ଛାଞ୍ଚଟିକୁ ସାର୍ବଜନୀନ କରିବାର ଅମଲାତାନ୍ତ୍ରିକ ଉପଦ୍ରବଟି ଆରମ୍ଭ ହୋଇଯାଏ, ସେତେବେଳେ ଯେ ଯାବତୀୟ ପ୍ରୟାସର ଅସଲ ମହକଟି ଛାଞ୍ଚଗୁଡ଼ାକୁ ଛାଡ଼ିପଳାଏ, ସ୍ଵାଧୀନ ଭାରତବର୍ଷରେ ତାହାର ଏକାଧିକ ନଜିର ରହିଛି । ଭଗବାନ୍ ବିକଳ୍ପଗୁଡ଼ିକୁ ବଳ ଦିଅନ୍ତୁ, ବିକଳ୍ପଗୁଡ଼ିକ ନିମନ୍ତେ ବ୍ରତଚାରୀ ହୋଇ ବାହାରିଥିବା ଗୋଷ୍ଠୀମାନଙ୍କୁ ମଧ୍ୟ ସେ ଆବଶ୍ୟକ ବିବେକ ଓ ସଂକଳ୍ପ ଦିଅନ୍ତୁ । ମିଛ ବନ୍ଧୁମାନେ ସେମାନଙ୍କୁ ସେମାନଙ୍କର ତପସ୍ୟାରୁ ସ୍ଖଳିତ କରାଇ ନନିଅନ୍ତୁ । ତାହାହିଁ ଶୋଭନୀୟ, ତାହାହିଁ ସ୍ପୃହଣୀୟ ତାହାହିଁ ନିୟତି !

 

ତିରୋଧାନ ପରେ କୁମାର ଭାଇ ମହାପୁରୁଷ ହୋଇନଯାନ୍ତୁ । ତାଙ୍କୁ ମହାନ୍ ଆତ୍ମା ମନେ କରି ତାଙ୍କପାଇଁ ପୂଜା ନହେଉ, ସ୍ତବପାଠ ଏବଂ ଆରାଧନା ନହେଉ । ସେ ଆମ ଅନେକଙ୍କ ସହିତ ଏଇଠି ସାଙ୍ଗରେ ରହିଥାଆନ୍ତୁ । ଯେଉଁ ଗୋଷ୍ଠୀଟି ତାଙ୍କର ପ୍ରୟାସଟିକୁ ଗତିଶୀଳ କରିବାପାଇଁ ଅଙ୍ଗୀକାରବଦ୍ଧ ହୋଇ ରହିଛି, କୁମାର ଭାଇ ନିତିଦିନର ସାଧାରଣ ମୁହୂର୍ତ୍ତଗୁଡ଼ିକରେ ମଧ୍ୟ ସେମାନଙ୍କ ସାଙ୍ଗରେ ରହିଥାନ୍ତୁ । ଅନେକ ମଣିଷ ଏକାଠି ହୋଇ ଏକ ଅନ୍ୟ ବାଟ ଚାଲିବାକୁ ସଂକଳ୍ପ ବାନ୍ଧି ବାହାରିଲେ ଯାଇ ସମାଜ ବଦଳେ, ଶିକ୍ଷା ବଦଳେ । ବଦଳିବାର ଏହି ପ୍ରକ୍ରିୟାରେ ଜଣେ ଜଣେ ପୁରୋଧା ହୋଇ ବାହାରିଥାନ୍ତି, ପ୍ରେରଣା ଦେଇଥାନ୍ତି । କୁମାର ଭାଇଙ୍କୁ ଆମେ ସମସ୍ତେ ସେହିପରି ଜଣେ ପୁରୋଧାରୂପେ ମନେରଖିବା । ଅସଲ ବିକଳ୍ପ ଓ ଅସଲ ଶିକ୍ଷା ଚଳି ଆସୁଥିବା ସମାଜର ପ୍ରତିଷ୍ଠିତ ଅଶୋଭନୀୟତାଗୁଡ଼ିକୁ ବଦଳାଇବାର ପଣ କରି ବାହାରେ ଏବଂ ଯେଉଁମାନେ ନାନାବିଧ ଅଶୋଭନୀୟତାକୁ ପ୍ରାୟ ଏକ ସିଷ୍ଟମ୍‍ରେ ପରିଣତ କରି ତାହାରି ଭିତରେ ଥାକଥାକ ହୋଇ ଦଶପ୍ରହରଣ ଧାରଣ କରି ଶୋଭା ପାଉଛନ୍ତି, ଯଥାର୍ଥ ପ୍ରୟାସମାନ ସେମାନଙ୍କଦ୍ୱାରା କୌଣସି ପ୍ରକାରେ ପ୍ରଲୁବ୍‍ଧ ନହେଉ । ବ୍ରତଚାରୀମାନେ ଆଦୌ ଅନ୍ୟମନସ୍କ ନ ହୁଅନ୍ତୁ । ସଂଗ୍ରାମରତ ହୋଇ ରହିଥାନ୍ତୁ ।

 

ଆଉଗୋଟିଏ କଥା ସବା ଶେଷରେ । ବିକଳ୍ପମାନେ ଅନେକ ସମୟରେ ପୁରୋଗାମୀରୂପେ ଆର୍ବିଭୂତ ହୁଅନ୍ତି, ମାତ୍ର ନିଜର ସ୍ୱତନ୍ତ୍ର ଏକତାଟିଏ ବଜାୟ ରଖିବାକୁ କ୍ରମେ ଏକ ସମ୍ପ୍ରଦାୟରେ ପରିଣତ ହୋଇଯାଆନ୍ତି । ସମ୍ପ୍ରଦାୟ ସମ୍ପ୍ରଦାୟକୁ ନାକ ଟେକେ । ଭାରତ ତଥା ଓଡ଼ିଶାରେ ଏହି ନାକଟେକାର ଇତିହାସ କେତେ ରହିଛି । ଶିକ୍ଷାକ୍ଷେତ୍ରରେ ମଧ୍ୟ କମ୍ ରହିନାହିଁ । ଏବେ ମଧ୍ୟ ଓଡ଼ିଶାରେ ଶିକ୍ଷାର କ୍ଷେତ୍ରରେ ଏକାଧିକ ପ୍ରୟୋଗ ହେଉଛି । ଗୋଟିଏ ଭଲ ଆଉ ଗୋଟିଏ ଭଲକୁ ନାକ ଟେକିଲେ ମନ୍ଦ କାଳ ଟାହି କରିବାରେ ଲାଗିଥାଏ । ଏକାବେଳେକେ ଅନେକ ଭଲ ଅବଶ୍ୟ ସମ୍ଭବ; ସାଧୁତାର ସହିତ ଶିକ୍ଷାରେ ଏକ ଯଥାର୍ଥ ବିକଳ୍ପର ଅନ୍ୱେଷଣ, ଏହି କଥାଟିକୁ ମାନି ନେଇ ପାରିଲେ ଭଲମାନେ ପରସ୍ପରକୁ ସତକୁସତ ଲୋଡ଼ନ୍ତି ।

 

ପରସ୍ପରକୁ ଲୋଡ଼ିବାଦ୍ୱାରା ପ୍ରୟୋଗମାନେ ପ୍ରତ୍ୟେକେ ଉପକୃତ ହୁଅନ୍ତି । ପରସ୍ପରଠାରୁ ବଳ ପାଆନ୍ତି । ଓଡ଼ିଶାରେ ଯିଏ ଯେଉଁଠି ଶିକ୍ଷାରେ କାମ୍ୟ ବିକଳ୍ପଟିଏ ଖୋଜୁଛନ୍ତି, ସେମାନେ ଏକାଠି ହୁଅନ୍ତୁ, ଏକାଠି ବସନ୍ତୁ, ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ dialogue ସମ୍ଭବ ହେଉ । ସେମାନେ କେହି ଅନ୍ୟମାନଙ୍କୁ ସେମାନଙ୍କର ନିଜ ନିଜ ବାଟରୁ ଖସାଇ ଆଣିବାକୁ ବିଚାର ନ କରନ୍ତୁ, ତଥାପି dialogueଟିଏ ସମ୍ଭବ ହେଉ । ହୁଏତ ସତ୍ୟ କେଉଁଠି ଗୋଟିଏ ମାତ୍ର ଗୁମ୍ଫାରେ କୌଣସି ଗୋଟିଏ ପ୍ରୟାସର ଗୁପ୍ତଧନ ହୋଇ ଆଦୌ ରହିନାହିଁ । ତାହା ସମ୍ଭବତଃ ଏହି ଡାଇଲଗ୍ ମଧ୍ୟରେହିଁ ନିହିତ ହୋଇ ରହିଛି । ଶିକ୍ଷାଲାଗି ନୂଆ ଓ ଅଧିକ ଫରଚା ବାଟଟିଏ ଖୋଜୁଥିବା ପ୍ରୟାସଗୁଡ଼ିକ ଓଡ଼ିଶାରେ ମଧ୍ୟ ପରସ୍ପରକୁ ଆବିଷ୍କାର କରିବାକୁ ମନ କରନ୍ତୁ ।

Image

 

ଖାରବେଳ ଖରାବେଳେ

 

ଗୋଟିଏ ଦେଶର ସ୍ୱାଧୀନତା ସଂଗ୍ରାମ ଦେଶ ଆଗକୁ ଯିବାପାଇଁ ଲଢ଼ାଯାଏ । ଦେଶ କହିଲେ କୌଣସି ବଡ଼ ରାଜା ବା ତାଙ୍କର ରାଜ୍ୟଜୟକୁ ବୁଝାଏ ନାହିଁ । ଆଗେ ଶାସ୍ତ୍ରୀୟ କାଳମାନଙ୍କରେ ଯାହା ଯେତେବେଳେ ହୋଇଥାଉ ପଛକେ, ଏବେ ଦେଶବାସୀଙ୍କୁ ବୁଝାଏ । ଦେଶବାସୀ ଅର୍ଥାତ୍ ଦେଶରେ ବାସ କରୁଥିବା ମଣିଷମାନେ, ସବୁ ମଣିଷମାନେ । ଭାରତବର୍ଷର ତମାମ ଇତିହାସ କହୁଛି ଯେ, ଏହି ଦେଶରେ କେବେ ସବୁ ମଣିଷକୁ ମଣିଷରୂପେ ସ୍ୱୀକାର କରାଯାଇନାହିଁ । କର୍ମବାଦର ଅପଦର୍ଶନ ଅନୁସାରେ ମଣିଷମାନଙ୍କୁ ଥାକଥାକ, ଉଚ୍ଚନୀଚ, ଉତ୍ତମ ଓ ଅଧମ ବୋଲି ଗ୍ରହଣ କରାଯାଇଛି । ଏହି ଦେଶର ସବୁ ମଣିଷଙ୍କୁ ଏକ ନୂତନ ରାଜନୀତିକ ଗଠନ ଭିତରେ ସ୍ଵୀକୃତ କରିଆଣି ସେମାନଙ୍କୁ ମଣିଷରୂପେ ସ୍ୱୀକୃତି ଦେବାଲାଗିହିଁ ଭାରତବର୍ଷ ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ିଛି, ସ୍ୱାଧୀନ ହୋଇଛି, ଆପଣାର ସ୍ୱପ୍ନ–ଅନୁରୂପ ସମ୍ବିଧାନଟିଏ ତିଆରି କରିଛି ଏବଂ ସଂକଳ୍ପଟିଏ ନେଇଛି ।

 

ଏହି ସ୍ୱାଧୀନ ଭାରତବର୍ଷରେ ଗାଦିରେ ବସି ଯେଉଁମାନେ ନିଜକୁ ଖାରବେଳ ବୋଲି ଭାବୁଛନ୍ତି, ସେମାନଙ୍କୁ ପୂର୍ଣ୍ଣ ବିବେକର ସହିତ ସବାଆଗ ଆଦିମ ବୋଲି କହିବାକୁ ମନ ହେଉଛି । ଖାରବେଳ ଖ୍ରୀଷ୍ଟପୂର୍ବ କୌଣସି ଶତାବ୍ଦୀରେ ତାଙ୍କ ରାଜ୍ୟର ସମ୍ରାଟ ଥିଲେ । ସେ ବଳୁଆ ଥିଲେ, ସୈନ୍ୟମାନଙ୍କୁ ନେଇ ଗଙ୍ଗାନଦୀରେ ପାଣି ପିଆଇଥିଲେ, ଅର୍ଥାତ୍ ଏକ ବିସ୍ତୃତ ଭୂଖଣ୍ଡକୁ ଜୟକରି ନିଜ ରାଜ୍ୟରେ ମିଶାଇଥିଲେ । ନିଜର ମହା ମହା କୀର୍ତ୍ତିକୁ ସେ ନିଜ ଆଦେଶରେ ଗୁମ୍ଫାଛାତରେ ଖୋଳାଇ ଯାଇଛନ୍ତି । ନିଜ ଇତିହାସକୁ ଜାଣିବା ସମୟରେ ଆମେ ଖାରବେଳଙ୍କୁ ଅବଶ୍ୟ ଜାଣିବା ଓ ଆମର ଏହି ଭୂମିରେ ଏକଦା ଏପରି ଜଣେ କୀର୍ତ୍ତିମାନ ଶାସକ ଥିଲେ ବୋଲି କିଞ୍ଚିତ୍ ଖୁସିହେବା ବା ଏପରିକି କିଞ୍ଚିତ୍‌ ଗୌରବ ଅନୁଭବ କରିବା ସିନା, ମାତ୍ର ତଥାପି ପଛମୁହାଁ ହୋଇ ତାଙ୍କୁ ଆମର ମଡ଼େଲ୍ ବା ଦୃଷ୍ଟାନ୍ତ–ବ୍ୟକ୍ତିତ୍ୱ ବୋଲି କେବେହେଲେ ଗ୍ରହଣ କରିବାନାହିଁ । କଲେ ଆମର ଏ ଯୁଗ ଓ ଆମ ସମ୍ମୁଖରେ ଉପସ୍ଥିତ ଆହ୍ୱାନଗୁଡ଼ିକର ପରିପ୍ରେକ୍ଷୀରେ ନିର୍ବୋଧ ଏବଂ ଅକର୍ମଣ୍ୟ ବୋଲି ପ୍ରମାଣିତ ହେବା ।

 

ଖାରବେଳଙ୍କ ସମୟରେ ଆମର ଏ ଓଡ଼ିଶା ଜନ୍ମହିଁ ହୋଇ ନଥିଲା । ଓଡ଼ିଆଜାତି ବୋଲି ସେତେବେଳେ କିଛି ନଥିଲା । ଜାତିମାନେ ସମାଜରେ ଥିଲେ, ମାତ୍ର ଜାତି ନାମକ ଏହି ଆଧୁନିକ ରାଜନୀତିକ ବୋଧଟି ସେତେବେଳେ ଆଦୌ କେଉଁଠି ହେଲେ ନଥିଲା । ଆଧୁନିକ ରାଜନୀତିକ ସକଳ ତାତ୍ପର୍ଯ୍ୟ ଅନୁସାରେ ବର୍ତ୍ତମାନ କେବଳ ଭାରତବାସୀଙ୍କୁହିଁ ଏକ ଜାତି ବୋଲି କୁହାଯାଇପାରିବ । ଓଡ଼ିଆମାନଙ୍କୁ ନାନାବିଧ ତାତ୍କାଳିକ କାରଣ ଓ ପ୍ରୟୋଜନରୁ ଏକ ଜାତି ବୋଲି କହିଲେ ତାହା ମୁଖ୍ୟତଃ ଆମ ଅଜ୍ଞତାରହିଁ ସୂଚନା ଦେବ । ଓଡ଼ିଶା ସାହିତ୍ୟର ଉତ୍ସାହୀ କବିମାନେ ଉଲ୍ଲାସରେ ହୁଡ଼ିଯାଇ ଯେତେବେଳେ ଓଡ଼ିଆଜାତି ଅମୁକ ବା ସମୁକ ବୋଲି କହିଛନ୍ତି ବା କହୁଛନ୍ତି, ସେତେବେଳେ ସେମାନଙ୍କର ଉଲ୍ଲାସକୁ ଏକ ବିଶେଷ ସାହିତ୍ୟିକ ରୀତି ବୋଲି କୁହାଯିବ ସିନା, ମାତ୍ର ସାହିତ୍ୟ ବାହାରେ ଯିଏ ସେହିସବୁ ମିଥ୍‍ରେ ବିଶ୍ୱାସ କରୁଛି ଓ ଉଲ୍ଲସିତ ହେଉଛି, ତାକୁ ତୁଚ୍ଛା ଅଶିଷ୍ଟ ବୋଲି କୁହାଯାଇପାରିବ ।

 

ଖାରବେଳଙ୍କ ସମୟରେ ଖାଲି ଓଡ଼ିଶା ବା ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀରେ ମଧ୍ୟ ମନୁଷ୍ୟମାନଙ୍କୁ ମଣିଷ ପରି ଗଣାହୋଇ ନଥିଲା । ଶାସନରୀତି ଏବଂ ରାଜନୀତି ସେତେବେଳେ ଏକ ଆଦିମ ଓ ଅପରିଚ୍ଛନ୍ନ ସ୍ତରରେ ଯାଇ ରହିଥିଲା ଏବଂ ବର୍ତ୍ତମାନ ଆପଣାର କଳ୍ପନାରେ ଏବଂ କଳନାରେ ଏବର ଓଡ଼ିଶାକୁ ଯେଉଁମାନେ ଖାରବେଳଙ୍କର ସେହି ଝାପ୍‌ସା ସମୟକୁ ଲେଉଟାଇ ନେଇଯିବାକୁ ଫାନ୍ଦ ପକାଉଛନ୍ତି, ସେମାନେ ଆମ ବର୍ତ୍ତମାନର ପ୍ରତ୍ୟାଶାଗୁଡ଼ିକୁ ଭୁରୁଡ଼ାଇ ରଖିବାକୁ ସତକୁସତ ଏକ ଚକ୍ରାନ୍ତ କରୁନାହାନ୍ତି ତ ? ଯିଏ ରାଜତନ୍ତ୍ରରେ ବିଶ୍ୱାସ କରୁଥିବ, କେବଳ ସେଇ ଭବିଷ୍ୟତର ଓଡ଼ିଶା ଆଡ଼କୁ ଅନାଇ ଖାରବେଳ–କଳ୍ପନାର ମିଛ ଜଗତଟା ମଧ୍ୟରେ ଉଷୁମ ପାଇବାକୁ ଚେଷ୍ଟା କରୁଥିବ । ଏକ ଅପାରଗ ନେତୃତ୍ୱହିଁ ଆମକୁ ଅତୀତର ଭେଳିକି ଦେଖାଇ ବର୍ତ୍ତମାନଟାକୁ ପଙ୍ଗୁ କରି ରଖିବାକୁ ପାଞ୍ଚକରୁଥିବ । ଖାରବେଳ ଯେଡ଼େ ମହାନ୍ ବା ବଳୀୟାର ହୋଇଥାନ୍ତୁ ପଛକେ, ସବୁ ମଣିଷକୁ ଏକ ସମ୍ମାନାସ୍ପଦ ଅଧିକାର ଆସନରେ ବସାଇବାକୁ ଲକ୍ଷ୍ୟ ରଖିଥିବା ପ୍ରଜାତନ୍ତ୍ର ବା ଗଣତନ୍ତ୍ରର କୌଣସି କଳ୍ପନା ସେ କଦାପି କରିପାରି ନଥାନ୍ତେ । ଭାରତବର୍ଷରେ ରାଜନୀତିକ ଗଣତନ୍ତ୍ରର ମୂଳଦୁଆଟି ପଡ଼ିବା ପରେ ଯେଉଁ ଅବିବେକୀ ନେତୃତ୍ୱମାନେ ନାନାପ୍ରକାରେ ଦେଶଟାକୁ ସାମନ୍ତବାଦ ଭିତରେ ପକାଇ ରଖିବାର ଫିସାଦ କରୁଛନ୍ତି ଓ ଆମର ସାମାଜିକ ତଥା ଅର୍ଥନୈତିକ ଜୀବନରେ ଗଣତନ୍ତ୍ରର ସେହି ପରବର୍ତ୍ତୀ ପ୍ରତିଷ୍ଠାନଗୁଡ଼ିକୁ ସମ୍ଭବ ହେବାକୁ ଦେବେନାହିଁ ବୋଲି ପଣ କରି ବସିଛନ୍ତି, ଓଡ଼ିଶାରେ ସେହିମାନଙ୍କର ପ୍ରତିଭୂମାନେହିଁ ଖାରବେଳଙ୍କର ଦୃଷ୍ଟାନ୍ତଟିକୁ ନେଇ ବାଇଦ ବଜାଉଛନ୍ତି ଏବଂ ଅନ୍ଧାରଟାକୁ ରଜା ବୋଲି ମାନୁଛନ୍ତି । ଅନ୍ଧାର ଭିତରେ ସେମାନେ ପ୍ରକୃତରେ କେଡ଼େ କଳା ଚକଚକ ହୋଇ ଦିଶୁଛନ୍ତି ।

 

ସମ୍ମୁଖମୁଖୀ ଓ ଭବିଷ୍ୟତକାମୀ ଓଡ଼ିଶା ଏବଂ ଭାରତବର୍ଷ ସମ୍ମୁଖ ଆଡ଼କୁହିଁ ଦୃଷ୍ଟି ଦେବା ଓ ଏକ ଅନ୍ୟ ଧାରାରେ ଆପଣାର ବିଚାରଗୁଡ଼ିକୁ ସଜାଡ଼ିବ । ସାମନ୍ତାବାଦୀମାନେହିଁ ଏଠାରେ ଖାରବେଳଙ୍କ କଥା କହୁଥିବେ ଏବଂ ଦେଶରେ ମଣିଷମାନଙ୍କୁ ସେମାନଙ୍କର ଅସଲ ଭୋକଗୁଡ଼ିକ ବିଷୟରେ ବିସ୍ମୃତ କରି ରଖିଥିବେ । କୋଉ ରଜାକୁ ମଡ଼େଲ୍ ବୋଲି ମାନି ନିପଟ ଆଦିମ ଓ ସାମନ୍ତବାଦୀ ପଛମୁହାଁମାନଙ୍କୁ ଦେଶଟାକୁ ଯେପରି ଭୋଗ ଲାଗି ଛାଡ଼ି ଦିଆଯାଉଥିବ, ଥୋକେ ମଣିଷ ଯେପରି ସବୁଦିନେ ଅଧିକ ମାଡ଼ି ବସିଥିବେ, ଅସଭ୍ୟ ହେବାର ରାଜନୀତିକ ପରମିଟ୍ ପାଉଥିବେ ଏବଂ ମହାମେଘବାହନ ହୋଇ ଦେଶଟାକୁ ମେଘଦ୍ୱାରା ଢାଙ୍କି ରଖିଥିବେ, ଚତୁରମାନେ ଯେତେ ଚାତୁର୍ଯ୍ୟର ସହିତ ଖାରବେଳଙ୍କ ପରି ଚକ୍ରାନ୍ତ କରିବାରେ ଲାଗିଥିଲେ ମଧ୍ୟ ଯୁଗ ତଥାପି ଆଗକୁ ଯିବ । ଏହି ସମାଜ ବଦଳିବ ଏବଂ ଏହି ଧତଡ଼ା ରାଜନୀତି ବଦଳିବ । ଏହି ଧତଡ଼ା ନେତୃତ୍ୱ ମଧ୍ୟ ବଦଳିବ । ଅନ୍ୟ ପ୍ରକାରେ ଚିନ୍ତା କରୁଥିବା ବିକଳ୍ପ ନେତୃତ୍ୱଟିଏ ଯେତିକି ଶକ୍ତିଶାଳୀ ଭାବରେ ଆପଣାର କଥାକୁ କହିପାରିବ ଏବଂ ଆପଣାର ଔଚିତ୍ୟକୁ ପ୍ରତିପାଦିତ କରିପାରିବ, ଏହି ପରିବର୍ତ୍ତନ ସେତେ ଶୀଘ୍ର ହେବ । ଖଣ୍ଟମାନେ ବିଦା ହୋଇଯିବେ । ଆଗର ରାଜାମାନେ ଯେପରି ଗଲେ, ବର୍ତ୍ତମାନର ଏହି ଆଦିମ ଓ ଅନାବଶ୍ୟକ ସମ୍ରାଟମାନେ ମଧ୍ୟ ବିଦାହୋଇଯିବେ । ସେଥିଲାଗି ଏହି ଦେଶଲାଗି ଅଧିକ ଶିକ୍ଷା ଦରକାର, ଅଧିକ ରାଜନୀତିକ ଚେତନା ଦରକାର; ସର୍ବୋପରି ଏକ ସାଧୁ ନେତୃତ୍ଵ ମଧ୍ୟ ଦରକାର ।

 

ଆପଣାକୁ ଖାରବେଳ ବୋଲି ଭ୍ରମ କରୁଥିବା ନେତାମାନେ ଆଧୁନିକ ରାଜନୀତି ଏବଂ ତା’ର ବିଶ୍ୱବ୍ୟାପୀ ଆକାଂକ୍ଷାଗୁଡ଼ିକୁ କଦାପି ବୁଝିପାରିବେ ନାହିଁ । ସେମାନେ ଖିଆଲ ଅନୁସାରେ ରାଜ୍ୟ ଚଳାଇବେ ଏବଂ ଅପାରଗ ବୋଲି ଘୋଷିତ ହେବେ । ସେମାନେ ଦୟା କରିବେ ସିନା, ମଣିଷକୁ ତାହାର ପରିପୂର୍ଣ୍ଣ ମର୍ଯ୍ୟାଦା ଦେଇ ମୋଟେ ବୁଝିପାରିବେ ନାହିଁ । ବର୍ତ୍ତମାନ ରାଜ୍ୟଗୋଟାକୁ ସନ୍ତପ୍ତ କରି ରଖିଥିବା ଖରାବେଳଟାରେ ସେମାନେ ହୁଏତ କେଡ଼େ ସୁନ୍ଦର ଓ କେଡ଼େ କପୁଳ ଦେଖାଯାଉଥିବେ ସତ, ମାତ୍ର ଆମର ଉପସ୍ଥିତ ଯୁଗଟିକୁ ସେମାନଙ୍କର ମୋଟେ ଅକଲ ପାଉ ନଥିବ । ଓଡ଼ିଶାର ରାଜନୀତି ଓ ଶାସନ ଭିତରେ କେଉଁ ଦୁଷ୍ଟ କ୍ଷଣରେ ଦରବାରର ରୀତିଗୁଡ଼ାକ ପ୍ରବେଶ କରିଥିଲା କେଜାଣି, ସେଗୁଡ଼ିକ ଏବେ ମଧ୍ୟ ଓଡ଼ିଶାର ଆକାଶଟିକୁ ଭାରି ଅସନା ଓ ଅବର୍ଜିଆ କରି ରଖିଛନ୍ତି । ଏବଂ ତାହାହିଁ ଓଡ଼ିଶା ରାଜ୍ୟକୁ ତାହାର ଯାବତୀୟ ସମ୍ଭାବନା ସତ୍ତ୍ୱେ ଏଡ଼େ ପଛୁଆ କରି ରଖିଛି । ଓଡ଼ିଶା କାହିଁକି ପଛୁଆ ହୋଇ ରହିଛି ବୋଲି ଖାରବେଳମାନେ କେତେ ମିଛ ଦୁଃଖ ପ୍ରକାଶ କରୁଛନ୍ତି । ମାତ୍ର ସେମାନେ ନିଜେହିଁ ସେହି ଅନଗ୍ରସରତାର କାରଣ ବୋଲି କେବେ ଆପଣାଛାଏଁ ବୁଝିବେ ବୋଲି ଆଦୌ ପ୍ରତ୍ୟୟ ହେଉନାହିଁ । ଯେଉଁଦିନ ବୁଝିବେ, ସେଦିନ ଅବଶ୍ୟ ସିଂହାସନରୁ ତଳକୁ ଓହ୍ଲାଇ ଆସିବେ । ଏହି ଭୂଇଁଟାକୁ ବାଟ ଛାଡ଼ିଦେବେ ।

 

ଖାରବେଳମାନେ ବଦଳନ୍ତୁ । ଗୋଟିଏ ସଂକଳ୍ପବଦ୍ଧ ଦେଶରେ ନାଗରିକ ହିସାବରେ ଆପଣାକୁ ସବୁଠାରୁ ଅଧିକ ଭାଗ୍ୟବାନ ବୋଲି ଅନୁଭବ କରନ୍ତୁ । ଆଗକୁ ମଣିଷମାନଙ୍କର ଯୁଗ ଆସୁଛି । କ୍ଷମତାର ଯୁଗ ଯାଉଛି, ଖଳତାର ଯୁଗ ଯାଉଛି; ଯେଉଁମାନେ ତଥାପି କ୍ଷମତାକୁ ବଡ଼ପଣ ବୋଲି ଭ୍ରମକରି ଆମ ଆଗରେ ହାତୀପରି ଏଡ଼େ ବଡ଼ ହୋଇ ଦିଶୁଛନ୍ତି, ସେମାନଙ୍କର ଚେତା ଆସୁ । ସେମାନେ ଦ୍ଵିଜ ହୁଅନ୍ତୁ । ତେବେ ଯାଇ ଆଗାମୀର ସଂସ୍ଥାପନରେ ସେମାନଙ୍କର ହୁଏତ ଏକ ଭୂମିକା ରହିବ । ନହେଲେ ଇଂରେଜ ସରକାର ଯେମିତି ଯାଇଥିଲେ, ଏହି ଖାରବେଳମାନେବି ଦିନେ ସେହିପରି ଯିବେ । ମଣିଷଲାଗି ବାଟ ଛାଡ଼ିଦେବେ ।

Image

 

ପୁରସ୍କାରରେ ଧୂଳି ଉଡ଼ିଲା

 

ଓଡ଼ିଶାରେ ସମ୍ପ୍ରତି ସାହିତ୍ୟ ଅପେକ୍ଷା ସାହିତ୍ୟରେ ପୁରସ୍କାରର ଘଣ୍ଟଗୁଡ଼ାକ ଅଧିକ ବାଜୁଛି । ସାହିତ୍ୟକୁ ଗୋଟିଏ ଜାତୀୟ ଗୌରବ ବୋଲି ମନେ କରୁଥିବା ନିତାନ୍ତ ସାହିତ୍ୟବାହାର ଲୋକମାନେ ଏହାକୁ ଏବେ ଓଡ଼ିଆ ସାହିତ୍ୟର ଜୟଯାତ୍ରା ବୋଲି କହିଲେଣି । ଖବରକାଗଜର ସମ୍ପାଦକମାନେ ଏହି ବିଷୟରେ ସମ୍ପାଦକୀୟମାନ ମଧ୍ୟ ଲେଖିଲେଣି । ସତେଯେପରି ବିଭିନ୍ନ ଭାଷା–ସାହିତ୍ୟର ଘୋଡ଼ାଦଉଡ଼ ହେଉଥିଲା, ଓଡ଼ିଆ ଘୋଡ଼ାଟି ଏମିତି ପେଙ୍ଗେଇ ପେଙ୍ଗେଇ ଥଙ୍ଗେଇ ଥଙ୍ଗେଇ ସେହି ଦଉଡ଼ାରେ ଚାଲୁଥିବା ପରି ମନେହେଉଥିଲା ଯେ ତାକୁ ଦେଖି ଅଧୀରମାନଙ୍କର ଚିତ୍ତ ଓଡ଼ିଆ ସାହିତ୍ୟରେ ଆଦୌ ଗୋଟାଏ ଘୋଡ଼ା ଅଛି ବୋଲି ଆଦୌ ବିଶ୍ୱାସ କରି ପାରୁ ନଥିଲା । ଏବେ ଦଉଡ଼ିରେ ଓଡ଼ିଆ ଘୋଡ଼ାଏବି ଜିତିଲେଣି, ଖାଲି ଭୁବନେଶ୍ୱରରେ ନୁହେଁ, ଦିଲ୍ଲୀର ସର୍ବଭାରତୀୟ ପୁରସ୍କାର ଖାତାରେ ମଧ୍ୟ ସେମାନଙ୍କର ନାଆଁ ଉଠିଲାଣି । ଓଡ଼ିଆମାନେ ସତକୁସତ ପାରିଲେଣି ବୋଲି ମନେ ହେଉଛି । ଏଥର, ଓଡ଼ିଆ ସାହିତ୍ୟ ଭାରତୀୟ ଯେକୌଣସି ଭାଷାର ସାହିତ୍ୟ ତୁଳନାରେ ମୋଟେ କୌଣସି ଗୁଣରେ ଊଣା ନୁହେଁ ବୋଲି ମୁଣ୍ଡଟେକି ବାହୁ ଫୁଲାଇ କହିଲେ କେହି କଦାପି ହସିବେ ନାହିଁ ବୋଲି ହାତରେ କେତେକେତେ କାରଣ ଆସି ରହିଲାଣି ।

 

ମଧୁବାବୁଙ୍କ ଅମଳରୁ ଓଡ଼ିଶାକୁ କେଉଁ ଗ୍ରହ ଗ୍ରାସିଛି କେଜାଣି, ଓଡ଼ିଶାରେ ପର୍ବତଟିଏ ଆରୋହଣ କରିବାରେ ଏଠାରେ ଅନେକ ମଣିଷ ଯେତେ ମନୋନିବେଶ କରିନାହାନ୍ତି, ପଡ଼ିଶାର ଅନ୍ୟମାନଙ୍କଠାରୁ ଅଧିକ ହୋଇ ଦିଶିବାରେ ହୁଏତ ତା’ଠାରୁ ବେଶୀ ସଉକ ଦେଖାଇ ଆସିଛନ୍ତି । ଏହା ଅନେକ ସମୟରେ ଏକ ହୀନମ୍ମନ୍ୟତାର ପରିଚୟ ଦେଇଥାଏ ସତ, ମାତ୍ର ତଥାପି ସମ୍ପୃକ୍ତ–ହୀନମ୍ମନ୍ୟମାନଙ୍କୁ କମ୍ ଆନନ୍ଦ ଦିଏନାହିଁ । ଯିଏ ଧୀର ହୋଇ ଓଡ଼ିଆରେ କିଛି ଲେଖିବାର ମାଧ୍ୟମରେ ଶିଖରଟିଏ ଆରୋହଣ କରିବାର ସ୍ୱପ୍ନଟିଏ ଦେଖିଥିବ, ସିଏ ଆପଣାର ଅସଲ ହୃଦୟଗୁଡ଼ିକୁ ସେହି ଆରୋହଣ ଲାଗି ସମର୍ପିତ କରି ରଖିବାକୁ ପ୍ରୟାସ କରୁଥିବ ସିନା, ନିଜପାଇଁ ଅନ୍ୟମାନଙ୍କଦ୍ୱାରା ଘଣ୍ଟ ବାଡ଼େଇ ସେ ଅନ୍ୟମନସ୍କ ହେବାକୁ ଆଦୌ ମନ କରିବନାହିଁ । ଆମ ଓଡ଼ିଶାରେ ଏବେ ପୁରସ୍କାରଦ୍ଵାରା ସାହିତ୍ୟ–ଆପ୍ୟାୟନ କରିବାର ଉନ୍ମାଦନା ବଢ଼ୁଛି, ଏହାଦ୍ୱାରା ତୁଚ୍ଛା ନାନାବିଧି ଅନ୍ୟକୋପନଗୁଡ଼ାକୁ ସାହିତ୍ୟ ଭିତରେ ଆଣି ଭର୍ତ୍ତି କରିବାର ଚକ୍ରାନ୍ତ କରାଯାଉଛି-। ଅର୍ଥାତ୍, ପ୍ରଧାନତଃ କୋଳାହଳପ୍ରିୟ ଅନ୍ୟଧର୍ମୀ ଓ ଅନ୍ୟକାମୀମାନେ ସାହିତ୍ୟକୁ ହଡ଼ପ କରିବାକୁ ସତେଅବା ଏକାନ୍ତ ଆନୁଷ୍ଠାନିକ ଭାବରେ ମାତିବାକୁ ମନ କଲେଣି । ସବୁ ମାଟିପରି ଆମ ଓଡ଼ିଶା ନାମକ ଭୂଇଁର ମାଟିରେ ମଧ୍ୟ ଏପରି ଲେଖକ ରହିଛନ୍ତି, ଯେଉଁମାନେ କି ପୁରସ୍କାରଟିଏ ପାଇବାକୁହିଁ ସାହିତ୍ୟ ଲେଖିବାର ଚରୁଅନ୍ନ ସଦୃଶ ଅନୁଭବ କରୁଛନ୍ତି ।

 

ତେଣୁ ଓଡ଼ିଶାରେ ଏବେ ନୂଆ ନୂଆ ସଉକ ଓ ନୂଆ ନୂଆ ତାମସା ଦେଖିବାକୁ ମିଳିଲାଣି । କବିଟିଏ କିମ୍ବା ଲେଖକଟିଏ ନିଜ ଭିତରେ ତଥାପି ନିଜଠାରୁ ପରିତ୍ୟକ୍ତ ହୋଇ ରହିଥିବାର କି ତୀବ୍ର କ୍ଷୋଭଟିଏ ଅନୁଭବ କରୁଛି କେଜାଣି, ପୁରସ୍କାରଟିଏ ପାଇବାକୁହିଁ ସେ ନିଜର ଯାବତୀୟ ସାହିତ୍ୟଦଉଡ଼ର ଚରମତମ ପ୍ରାପ୍ତି ବୋଲି ଭାବୁଛି, ତା’ର ସମ୍ମାନାର୍ଥେ ବନ୍ଧୁମାନଙ୍କୁ ଅନୁନୟ କରି ସେ କେତେକେତେ ସମ୍ବର୍ଦ୍ଧନା ସଭାର ଆୟୋଜନ କରୁଛି । ସେଠାକୁ ସରକାରୀ ବିଶିଷ୍ଠ ଏବଂ ବିଶ୍ୱାମିତ୍ରମାନେ ନିମନ୍ତ୍ରିତ ହୋଇ ଆସୁଛନ୍ତି ଏବଂ ପ୍ରଶସ୍ତିବାଣୀ ଉଦ୍‍ଗାର କରୁଛନ୍ତି । ଅପୁତ୍ରିକମାନେ ସତେଅବା ପୁତ୍ରଲାଭ କରିବାର ରାଜକୀୟ ଆନନ୍ଦରେ ଜୁଡ଼ୁବୁଡ଼ୁ ହୋଇ ଯାଉଛନ୍ତି ।

 

ସାହିତ୍ୟରେ ବିଟମାନଙ୍କର ସଂଖ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସାହିତ୍ୟିକମାନଙ୍କୁ ସଭା ଡାକି ପୁରସ୍କାର ଦେବାର ଉପଚାରଟି ଅବଶ୍ୟ ବୃଦ୍ଧି ପାଇବ । ଆପଣାର କୋଷ୍ଠୀରେ ସାହିତ୍ୟ ନାମକ ଆଦୌ କୌଣସି ଘର ନଥିବା ବିଚରା ଦୁଃଖୀ ମହିମଣିଷମାନେ ପଇସା ଖର୍ଚ୍ଚ କରି ପୁରସ୍କାର ଦେବାର ବ୍ୟବସ୍ଥା କରାଇ ଘଡ଼ିକ ନିମନ୍ତେ ହେଲେ ମଧ୍ୟ ସାହିତ୍ୟର ସାନ୍ନିଧ୍ୟ ଲାଭ କଲାପରି ଓ ତଦ୍ଦ୍ୱାରା ସତେଅବା ତରିଯିବା ପରି ଅନୁଭବ କରିବେ । ସେମାନେ ସଂସ୍କୃତିରେ ଅବଶ୍ୟ ଅଛନ୍ତି ବୋଲି ଅନ୍ତତଃ ଆନୁଷ୍ଠାନିକ ଭାବରେ ଝଅକମାରି ପ୍ରତିପାଦିତ ହୋଇଯିବ । ତଥାପି, ଏହାର ହୁଏତ ଏକ ଭଲ ପରିଣାମର ଦିଗ ମଧ୍ୟ ରହିଛି । ଆଗେ ପୁରସ୍କାରର ସଂଖ୍ୟା ଅତ୍ୟନ୍ତ କମ୍‌ ଥିବାବେଳେ ଆଶାୟୀ ଉଚ୍ଚକାମୀ ଲେଖକମାନଙ୍କ ମଧ୍ୟରେ ପୁରସ୍କାରର ଧନ୍ଦାକୁ ନେଇ ବେଶ୍ ଅସୂୟାର ସୃଷ୍ଟି ହେଉଥିଲା, ନିତାନ୍ତ ଅସାହିତ୍ୟିକ ଭାବରେ ଖବରକାଗଜରେ କଳହମାନବି ହେଉଥିଲା । ଏଣିକି ହୁଏତ ସେହି କଳହ ଅନେକ ପରିମାଣରେ ଥଣ୍ଡା ପଡ଼ିଯିବ । ଏଠି ନିଜର ନାକ କଟିଗଲା ପରି ଅନୁଭବ କରୁଥିବା ଜଣେ ଲେଖକ ହୁଏତ ସେଠୁ ନିଜପାଇଁ ନାକଟାଏ ବରାଦ କରିନେଇ ପାରିବ । ସମସ୍ତେ ବୀର ପରି ଜିଣିବେ, ଆଉ କାହାରି ଦୁଃଖ ରହିବ ନାହିଁ ।

 

ମାତ୍ର, ଗୋଟାଏ ପୁରସ୍କାର ନ ପାଇବାର ଦୁଃଖ କ’ଣ ଜଣେ ଲେଖକର ସବୁଠାରୁ ବଡ଼ ଦୁଃଖ ? ଆମ ପୃଥିବୀର ପ୍ରାୟ ଆବହମାନ କାଳରୁ ମଣିଷକୁ ନେଇ, ସତ୍ୟକୁ ନେଇ, ପ୍ରେମକୁ ନେଇ ଓ ଭଗବାନଙ୍କୁ ନେଇ କବିମାନେ, ଲେଖକମାନେ କେତେ ସ୍ଵପ୍ନ ଦେଖିଲେ, ଅଥବା ପୃଥିବୀ ପ୍ରାୟ ପ୍ରବଞ୍ଚିତ ହେବାପରି କ୍ଷମତାଲିପ୍ତ, ଅର୍ଥମାଲିକ ପ୍ରବଳମାନଙ୍କ ହାତରେ ରହିଲା, ପ୍ରେମମାନେ ବହୁ ବର୍ଣ୍ଣାଢ଼୍ୟ ପରିଚ୍ଛଦ ପିନ୍ଧି ସାନବଡ଼, କେତେକେତେ ଘୃଣାଦ୍ଵାରା କବଳୀକୃତ ହୋଇ ରହିଲେ, ଏଇଟା କ’ଣ ସାହିତ୍ୟିକର ସବାବଡ଼ ଦୁଃଖ ନୁହେଁ ? ସାହିତ୍ୟ ଚିରକାଳ ଭଗବାନଙ୍କୁ ଆଲେଖ୍ୟ କରି ଆପଣାର ଶବ୍ଦଶିଳ୍ପ ଦେଇ ଭବିଷ୍ୟର ଯେଉଁ ଚିତ୍ରଟି ଆଙ୍କିଥିଲା, ତାହା ସତେଅବା ଆମ ପୃଥିବୀପାଇଁ କେବଳ ଆରପଟର ଦୃଶ୍ୟହୋଇ ରହିଗଲା । ପାଷଣ୍ଡ ଓ ପ୍ରବଳମାନଙ୍କ ସମ୍ମୁଖରେ କବି କେତେ ପ୍ରତିବାଦ କଲା ଏବଂ ସାହସର ପକ୍ଷ ନେଇ ଭୀରୁ ମଣିଷମାନଙ୍କୁ ଭୀରୁତା ପରିହାର କରିବାଲାଗି କେତେ ଉଦ୍‌ବୋଧନ ଦେଲା । ତଥାପି ଏହି ପୃଥିବୀରେ ଅଧିକାଂଶ ମଣିଷ ଭୀରୁ ହୋଇ ରହିଲେ; ଅଳ୍ପରେ ମଜି ରହିଲେ, ବହୁ କ୍ଷୁଦ୍ରତା ଏବଂ ଅଧମତା ସହିତ ସାଲିସ୍ କଲେ । ବାହାରେ ବସ୍ତୁମାନେ ବଢ଼ିଲେ, ପୃଥିବୀରେ ସୁଖ ଓ ସମୃଦ୍ଧି ସହସ୍ରବାହୁ ହେଲା, ତଥାପି ଅସଲ ସୂର୍ଯ୍ୟୋଦୟଟି କେବଳ ଘୁଞ୍ଚି ଘୁଞ୍ଚି ଯିବାପରି ମନେ ହେଲା । ଘୃଣା କରୁଥିବା ମଣିଷମାନେ ସାଧାରଣତଃ କୌଣସି ଦୁଃଖ ପାଆନ୍ତି ନାହିଁ; ମାତ୍ର କବି ଦୁଃଖ ପାଏ, ଲେଖକ ଦୁଃଖ ପାଏ । ବିଶ୍ଵଯାକର ସାହିତ୍ୟ ଯୁଗଯୁଗ ଧରି ଏହି ଯେଉଁ ବେଦନାକୁ ପ୍ରାୟ ନିଜର ଏକ ନିୟତି ସଦୃଶ ବହନ କରିଆସିଛି, ସେହି Weltschmerz ହିଁ ବିଚରା ଅନ୍ୟ କିଛି ଖୋଜୁଥିବା କବି ହୃଦୟକୁ ସବୁଠାରୁ ଅଧିକ ଦୁଃଖ ଦେଇଆସିଛି । ସେ ସତକୁସତ ଘରକୁ, ତା’ ଅସଲ ମୂଲ୍ୟବୋଧଗୁଡ଼ିକର ଘରକୁ ସଂସାରଟାକୁ ସାଙ୍ଗରେ ନେଇ ଫେରିଆସିବ ବୋଲି କେତେକେତେ ବ୍ୟାକୁଳତା ପ୍ରକାଶ କରିଆସିଛି; କବିର ରାତି ଏବେ ମଧ୍ୟ ପାହିନାହିଁ, ତା’ ଯୁଦ୍ଧ ଏବେବି ସରିନାହିଁ । ଏବେ ଓଡ଼ିଶାର ଜଣେ ଯଶସ୍ୱୀ କବିବନ୍ଧୁଙ୍କ ସହିତ କଥାବାର୍ତ୍ତା ହେଉଥିବାବେଳେ ଆମର ସେହି କଥା ପଡ଼ିଥିଲା । ଆମେ ରୁଷିଆର ସାହିତ୍ୟକାର ବୋରିସ୍ ପାସ୍ତର୍‌ନାକ୍‌ଙ୍କ ବିଷୟରେ କଥା ପକାଇଥିଲୁ । ପ୍ରାପ୍ତରନାକ୍‌ ତାଙ୍କର ରଚନା ମାଧ୍ୟମରେ କେତେକଅଣ କହିଲେ, ଗୋଟାଏ ଅସୁରତନ୍ତ୍ର ଆଗରେ କବିର ଅନ୍ତରଙ୍ଗ ଭାଷାରେ କେତେ ସହ୍ୟ କଲେ । ଜୀବନର ଶେଷ ତିରିଶବର୍ଷ ଯେପରି ନୃଶଂସପଣିଆର ପ୍ରତିଷ୍ଠିତ ପ୍ରବଳତାଗୁଡ଼ାକ ତାଙ୍କୁ ସତେ ଗିଳି ପକାଇବ ବୋଲି ଆଁ କରି ଦଉଡ଼ି ଆସୁଥିଲା । କବି ତଥାପି ନଇଁଲା ନାହିଁ; ସବୁ ସହିଲା । ତଥାପି ନଇଁଲା ନାହିଁ ।

 

ସବୁ ସହି ତଥାପି ନ ନଇଁବାକୁ ଯଦି ଅଙ୍ଗୀକାରବଦ୍ଧତା ବୋଲି କୁହାଯାଏ, ତେବେ ଓଡ଼ିଶା ସମେତ ଆମ ଭାରତବର୍ଷରେ ସେହି ଅଙ୍ଗୀକାରବଦ୍ଧତାର ନିଦର୍ଶନ ହୋଇ ରହିଥିବା କବିଟିଏ ଓ ଲେଖକଟିଏ କାହିଁ ବୋଲି କବିବନ୍ଧୁ ମୋତେ ବାରବାର ପ୍ରଶ୍ନ କରୁଥିଲେ । ଆମେ ଦୁହେଁ ପରସ୍ପରକୁ ଅନାଇ କ୍ରମେ ନୀରବ ହୋଇ ଆସୁଥିଲୁ ଓ ନିଜ ଅନ୍ତରଙ୍ଗତମ ଗବାକ୍ଷଗୁଡ଼ିକ ଉପରେ ବ୍ୟାକୁଳତାର ସହିତ କରାଘାତ କରୁଥିଲୁ । ଅନୁଭବ କରୁଥିଲୁ, ସେଇଠି କେଉଁଠି ଅସଲ ବନ୍ଧୁଟିଏ ରହିଛି, ଯିଏ ଆମକୁ ଆମର ଯାବତୀୟ ଆରୋହଣ ତଥା ଅବଗାହନରେ ସତ୍ୟର ସ୍ପର୍ଶ କରାଇଦେବ ବୋଲି ଅପେକ୍ଷା କରିରହିଛି । ସେଇଠୁ ସେହି ଆହ୍ୱାନଟିକୁ ଶୁଣିପାରିଲେ ବାହ୍ୟ ପୁରସ୍କାର ଲାଭର ଏହି ଘଣ୍ଟବାଡ଼ିଆ ଆମକୁ ଆଉ ମୋଟେ ଅନ୍ୟମନସ୍କ କରିପାରିବ ନାହିଁ । ଲେଖକ ଭାବରେ ଆମେ ଏହି ପୃଥିବୀର, ଆମ ପୃଥିବୀର ଅନ୍ତରଙ୍ଗତମ କଥାଗୁଡ଼ିକୁ କହିପାରୁଥାନ୍ତେ, ଆମର ସାହିତ୍ୟଚାରଣା ସେହି ରୀତିରେ ଆମ ଜୀବନର ସର୍ବଶ୍ରେଷ୍ଠ ଆରାଧନାରେ ପରିଣତ ହୋଇ ପାରିଥାନ୍ତା, ଏହି ଦୁଷ୍ଟ କାଳର ବିଟମାନେ ଆମକୁ କେବେହେଲେ ପଥଚ୍ୟୁତ କରିପାରନ୍ତେ ନାହିଁ । ସେମାନଙ୍କୁ ସତେଅବା ଈର୍ଷା କରୁଥିବା ପରି ଅର୍ଥାତ୍ ସେହିମାନଙ୍କ ପରି ସ୍ୱର୍ଣ୍ଣଲୋଭୀ ହେବାକୁ ସ୍ୱପ୍ନ ଦେଖୁଥିବା ପରି ଆମେ କଦାପି ସେମାନଙ୍କର ରଜ୍ଜୁର ଚାଳନା ଅନୁସାରେ ନାଚିବାକୁ ମନ କରନ୍ତୁନାହିଁ । ଓଡ଼ିଶାରେ ଅଧିକରୁ ଅଧିକ କବି, ଅଧିକରୁ ଅଧିକ ପ୍ରେମୀ ଓ ଅଧିକରୁ ଅଧିକ ମନ୍ତ୍ରଚାରୀ ଏହି ଅନ୍ୟ ପଥଟିକୁ ମନ କରନ୍ତୁ । ତେବେ ଆମ ସାହିତ୍ୟ ଆମକୁ ସୁନାରୁପା ଆଣିଦେଇ ପାରିବନାହିଁ ସତ, ମାତ୍ର ଆମକୁ ବହୁ ବିମୋଚନ ଲାଗି ଯୋଗ୍ୟ କରାଇ ନେଇପାରିବ ।

Image

 

ସାପ କୋଉଠି କେତେ ମଲେଣି ?

 

ଆମ ପୃଥିବୀରେ ସାପମାନେ ମରିବେ ବୋଲି ବାଡ଼ିମାନେ ତିଆରି ହୋଇଥାନ୍ତି ସିନା, ମାତ୍ର ବାଡ଼ିଦ୍ୱାରା ଯେ ପ୍ରକୃତରେ ସାପମାନେ ମରନ୍ତି, ସେକଥା ସଚରାଚର ସତ ହୁଏନାହିଁ । ପୃଥିବୀରେ ବାଡ଼ିର ଅଭାବ ରହିଛି ବୋଲି କ’ଣ ସାପମାନେ ରହିଛନ୍ତି, ଏହି ପ୍ରଶ୍ନଟିକୁ ମଧ୍ୟ ପଚାରିବାକୁ ଭାରି ଇଚ୍ଛା ହୁଏ ।

 

ଇତିହାସର ଆଦିକାଳରୁ ସାପମାନେ ମରାହେବେ ବୋଲି ବାଡ଼ିମାନଙ୍କର ଉଦ୍ଭାବନ ଲାଗି ରହିଛି । ପୃଥିବୀରେ ପ୍ରତ୍ୟେକେ ନିଜ ନିଜର ବାଡ଼ିଟାକୁ କିମ୍ବା ବାଡ଼ିଗୁଡ଼ାକୁ ସତେଅବା ଅକାଟ୍ୟ ଏବଂ ଅମୋଘ ବୋଲି ପ୍ରମାଣ କରିବାକୁ କେତେ ନା କେତେ ଉତ୍ସାହ ଦେଖାଇଛନ୍ତି । ମାତ୍ର ତଥାପି, ବାଡ଼ିଗୁଡ଼ାକ ଯେତେ ଅଧିକ ସଂଖ୍ୟାରେ ନଡ଼ ନଡ଼ କରାଯାଉଥିଲେ ମଧ୍ୟ ସାପମାନେ ତଥାପି ମରିନାହାନ୍ତି । ବେଳେବେଳେ ତ ଏପରି ମଧ୍ୟ ଅନୁମାନ ହେଉଛି ଯେ ବାଡ଼ିମାନଙ୍କର ସଂଖ୍ୟାବୃଦ୍ଧି ସତ୍ତ୍ୱେ ସାପମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

 

ଏବଂ, ହୁଏତ ଆଉ ଗୋଟାଏ ବିଚିତ୍ର କଥା ମଧ୍ୟ ଏହି ପୃଥିବୀରେ ଘଟିଆସିଛି । ଆଉ କେଉଁ ସାପମାନଙ୍କୁ ମାରିବାଲାଗି ଅଚଳା ବୁଦ୍ଧି ଏବଂ ଅମାପ ପ୍ରଜ୍ଞାଦ୍ୱାରା ଉଦ୍ଭାବିତ ହୋଇଥିବା ଆମର ବାଡ଼ିମାନେହିଁ କାଳର କେଉଁ ବିଡ଼ମ୍ବନା ଫଳରେ କାଳକ୍ରମେ ସ୍ୱୟଂ ଗୋଟିଏ ଗୋଟିଏ ସାପରେ ପରିଣତ ହୋଇ ଯାଇଛନ୍ତି । ବସ୍ତୁତଃ, ବର୍ତ୍ତମାନ ଆମର ସାମୂହିକ ଜୀବନରେ ଆମେ ଯେତେଯେତେ କଥାକୁ ସାପ ବୋଲି କହୁଛୁ ଓ ସେଗୁଡ଼ିକୁ ମାରିବା ନିମନ୍ତେ ଭଳିଭଳି ବାଡ଼ିମାନ ତିଆରି କରିବାରେ ଲାଗିଛୁ, ଏକ ସମୟରେ ଗୋଟିଏ ଗୋଟିଏ ବାଡ଼ିରୂପେହିଁ ଏହି ସଂସାରରେ ସେମାନଙ୍କର ପ୍ରଥମ ଆର୍ବିଭାବ ଘଟିଥିଲା । ଏବେ ମଧ୍ୟ କେଉଁ ଅପବିଧାତାର ଲୀଳାବଳରେ ଜଣେ ଯାହାକୁ ସାପ ବୋଲି ମଣି ତାକୁ ମାରିବ ବୋଲି ବାଡ଼ି ଉଞ୍ଚାଇ ବାହାରୁଛି, ହୁଏତ ଆଉଜଣେ ତାହାକୁ ସତକୁସତ ଗୋଟିଏ ବାଡ଼ି ବୋଲି ବିଶ୍ଵାସ କରୁଛି । ଏବଂ, କହିବା ବାହୁଲ୍ୟ ଆମର ବାଡ଼ିଗୁଡ଼ାକ ତାକୁ ସାପ ଭଳି ଦେଖାଯାଉଛି । ଏହିପରି ଭାବରେ ପୃଥିବୀରେ ସାପ ଓ ବାଡ଼ିମାନଙ୍କର ସଂଖ୍ୟା ଏଭଳି ଭୟାନକ ଭାବରେ ବୃଦ୍ଧି ପାଇଲାଣି ଯେ ସତକୁସତ କୋଉଟା ସାପ ଓ କୋଉଟା ବାଡ଼ି, ସେ କଥାଟାର କୌଣସି ପତ୍ତାହିଁ ମିଳୁନାହିଁ । କଳହହିଁ ସାର ହେଉଛି, ଦମ୍ଭହିଁ ସାର ହେଉଛି, ତ୍ରାସହିଁ ସାର ହେଉଛି ।

 

ପୃଥିବୀରେ ପାପଗୁଡ଼ାକୁ ଦେଖି ଯେଉଁ ମହାମନାମାନେ ଗୋଟାଏ ଗୋଟାଏ ତଥାକଥିତ ନୂତନ ଧର୍ମର ପ୍ରଚାର କରି ସେହି ପାପମାନଙ୍କୁ ପୃଥିବୀରୁ ବାହାର କରିଦେବେ ବୋଲି ବାହାରିଥିଲେ, ସେମାନେ କାଳକ୍ରମେ ଗୋଟାଏ ଗୋଟାଏ ମନ୍ଦିର ଅଥବା ମୂର୍ତ୍ତିରେ ପରିଣତ ହେଲେ ସିନା, ପାପମାନେ ପୃଥିବୀରେ ତଥାପି ରହିଲେ; ବାଡ଼ିଟିଏ ହେବାର ଭରସା ଦେଇ ଅବଶେଷରେ ଗୋଟିଏ ଗୋଟିଏ ସାପରେ ପରିଣତ ହୋଇଗଲେ । ଆପଣାକୁ ପୃଥିବୀର ପରିତ୍ରାଣକାରୀ ଏକମାତ୍ର ବାଡ଼ି ବୋଲି ଘୋଷଣା କରି ପରସ୍ପର ଉଦ୍ଦେଶ୍ୟରେ ସେମାନେ କେତେ ଫଁ ଫଁ ହେଲେ, ଏବେ ମଧ୍ୟ ଆହୁରି ସତରଗୁଣ ଜାକଜମକରେ ଫଁ ଫଁ ହେବାରେ ଲାଗିଛନ୍ତି । ଜଣେ ଜଣେ ଧର୍ମଗୁରୁ ଆପଣାର ଧର୍ମବାଡ଼ି ବୁଲାଇ ଏହି ପୃଥିବୀଟାକୁ ସ୍ୱର୍ଗରେ ରୂପାନ୍ତରିତ କରିଦେବେ ବୋଲି ଏକଦା ଫତୁଆ ଦେଇଥିଲେ । କେବଳ ସେହିମାନେହିଁ ସ୍ଵର୍ଗର ଅଧିକାରୀ ହେବେ ଓ ଆଉ ସମସ୍ତେ ନରକଦୁଃଖ ଭୋଗିବେ ବୋଲି ଅନୁଗାମୀମାନଙ୍କୁ କେତେମନ୍ତେ ଭରସା ପ୍ରଦାନ କରିଥିଲେ । ମାତ୍ର, ସତେଅବା କେଉଁ ଚକ୍ରାନ୍ତରେ ପଡ଼ି ଆମ ପୃଥିବୀଟାଯାକ କେଡ଼େ ସୂତରରେ ପ୍ରାୟ ଗୋଟାସୁଦ୍ଧା ଏକ ନର୍କରେ ପରିଣତ ହୋଇଗଲା । ଏ ସ୍ଵର୍ଗ ସେ ସ୍ଵର୍ଗଟା ଆଡ଼କୁ ବିଷ୍ଠା ଫିଙ୍ଗୁ ଫିଙ୍ଗୁ ଜଗତମୟ ସତେଅବା ବିଷ୍ଠାରେ ଗୋଟାସୁଦ୍ଧା ବୋଳି ହୋଇ ରହିଲା ।

 

ପୃଥିବୀର ରାଜନୀତିରେବି କ’ଣ କମ୍ ତାମସା ଘଟିଲା ? ଗୋଟାଏ ଗୋଟାଏ ରାଜନୀତିକ ବାଦ ଆପଣାକୁହିଁ ସତେଅବା ଏକମାତ୍ର ସମର୍ଥ ଏବଂ ଏକମାତ୍ର ଦଶଶିର ବୋଲି ଘୋଷଣା କଲେ ଏବଂ ସେମାନଙ୍କ ହାତକୁ ରାଷ୍ଟ୍ରର କ୍ଷମତା ଆସିବାମାତ୍ରକେ ସମ୍ପୃକ୍ତ ସମସ୍ତଙ୍କୁ ପୂର୍ଣ୍ଣ ସୁଖ ଓ ପୂର୍ଣ୍ଣ ସିଦ୍ଧି ମିଳିଯିବ ବୋଲି ବାହୁଫୁଟାଣି ମାରିଲେ । ମଣିଷମାନେ ସେମାନଙ୍କୁ କେତେ ବିଶ୍ୱାସ କଲେ ଓ ଏଇଥର ଏହି ବାଡ଼ିରେ ପୃଥିବୀର ସବୁଯାକ ସାପ ଅବଶ୍ୟ ମରିବେ ବୋଲି ଜୟନାଦ କରି ବାହାରି ପଡ଼ିଲେ । ବାଡ଼ିଗୁଡ଼ାକ ସେହି ଉତ୍ତାପରେ କ୍ରମେ ଗୋଟାଏ ଗୋଟାଏ ସାପରେ ପରିଣତ ହୋଇଗଲେ । ପୃଥିବୀକୁ ବନ୍ଧୁକ ଆସିଲା, ବିଜ୍ଞାନ ବୋମା ପରେ ବୋମା ହଗିବାକୁ ଲାଗିଲା । ଦୂରତା କମିଯିବା ନାଆଁରେ ଘୃଣାମାନେ ବୃଦ୍ଧି ପାଇଲେ । ଏଡ଼େ ବଡ଼ ପୃଥିବୀ ଭିତରେ ସମସ୍ତେ ସତେଅବା ନିଜ ଗାଡ଼ଟିକୁ ଏକମାତ୍ର ନିରାପଦ ସ୍ଥାନ ବୋଲି ମଣିଲେ । ସାମାଧାନ ନାମରେ ସଙ୍କଟ ବଢ଼ିଲା, ଅଧିକ ଜ୍ଞାନ ନାଆଁରେ ସଂଶୟ ବଢ଼ିଲା, ଗୋଟିଏ ଦେଶ ଆଉଗୋଟାଏ ଦେଶକୁ ତା’ ଉନ୍ନତିର ପଥରେ ସତେଅବା ଏକମାତ୍ର ଅନ୍ତରାୟ ବୋଲି ଭାବିଲା ଓ ପେଟରେ ପେଟେ ଘୃଣା ଭର୍ତ୍ତି କଲା, ଭୟାଳୁ ହେଲା । ଭୟାଳୁତାରୁ ଉଗ୍ରତା ଜନ୍ମଲାଭ କଲା । ବାହାରେ ସମାଧାନ ଖୋଜିବାଲାଗି ଦେଶମାନେ ପରସ୍ପର ସହିତ ଏକାଠି ବସି କଥାହେଲେ ସତ, ମାତ୍ର ଆପଣାର ବାଡ଼ିଗୁଡ଼ାକୁ ପଜାଇବାରେ ଅଧିକ ମନଦେଲେ । ବାଡ଼ିମାନେ ବଳ ପାଇ ସାପ ହେଲେ ଓ ପରସ୍ପର ଉଦ୍ଦେଶ୍ୟରେ ଗରଳ ଝାଡ଼ିଲେ ।

 

ସତଟା କ’ଣ ଗୋଟାସୁଦ୍ଧା ମୋ’ରି ପାଖରେ ଅଛି ? ମିଥ୍ୟାଟା ମଧ୍ୟ କ’ଣ ସେହି ନ୍ୟାୟରେ ଗୋଟାସୁଦ୍ଧା ସେହି ଆରପଟଟାରେ ରହିଛି ? ଖାଲି ରାଜନୀତି ଓ ରାଷ୍ଟ୍ରୀୟତାର କ୍ଷେତ୍ରରେ ନୁହେଁ, ଯୁଗେଯୁଗେ ଆମ ପୃଥ୍ୱୀମାମଲତର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏହିପରି ଏକ ଉତ୍ତାପଯୁକ୍ତ ଶୀତଳଯୁଦ୍ଧ ଲାଗି ରହିଆସିଛି । ଦୁଇପଟେ ଶାସ୍ତ୍ର ଲେଖା ହୋଇଛି, ଦୁଇପଟେ ସାହିତ୍ୟର ଚାଷ ହୋଇଛି, ଦୁଇପଟେହିଁ ଦରମିଛଗୁଡ଼ାକୁ ପୂର୍ଣ୍ଣ ସତ୍ୟ ବୋଲି କହି କେତେ ନା କେତେ ସଂକୀର୍ତ୍ତନ ହୋଇଛି । ଏହି ଜ୍ୱରଟାକୁ ଏବେ ଫୁଲେଇ ହୋଇ ଜାତୀୟତାବାଦ ଯେ ଆମକୁ କେତେବେଳେ ଧୋକା ଦେଇ ଏକାବେଳେକେ ହାସ୍ୟାସ୍ପଦ ନାନା ସ୍ଥାନୀୟତାବାଦର ଜର୍ସି ପିନ୍ଧି ଫଣା ଟେକି ବାହାରୁଛି, ଉଲ୍ଲସିତ ଅଳପମାନେ ସେକଥାର ଟେର୍‍ବି ପାଉନାହାନ୍ତି । କେତେବେଳେ ସମଗ୍ର ପୃଥିବୀକୁ ଅର୍ଥାତ୍ ସମସ୍ତ ମନୁଷ୍ୟଜାତିକୁ ଗୋଟିଏ କୁଟୁମ୍ବ ବୋଲି କୁହାଯାଉଛି ଏବଂ ପ୍ରାୟ ଯୁଗପତ୍ ଭାବରେ ଭାରତବର୍ଷକୁ ଓ ସେହି ଚାତୁରୀରେ ଓଡ଼ିଶାଟାକୁ ମଧ୍ୟ ଜନନୀ ବୋଲି କହି ସୁକୁମାର ସନ୍ତାନମାନେ ଉଲ୍ଲାସ ଅନୁଭବ କରୁଛନ୍ତି । ତାହାରି ପ୍ରତାପରେ ସାହିତ୍ୟ ଓ ସଂସ୍କୃତି କେତେ ଛଟକରେ ଜାତୀୟ ସଂସ୍କୃତି ଅଥବା ସ୍ଥାନୀୟ ସଂସ୍କୃତି କିମ୍ବା ଜାତୀୟ ସାହିତ୍ୟ ଓ ସ୍ଥାନୀୟ ସାହିତ୍ୟରେ ପରିଣତ ହୋଇଯାଉଛି । ଅସଲ ସାହିତ୍ୟ ଓ ଅସଲ ସଂସ୍କୃତି ମୁଣ୍ଡ କୋଡ଼ି ହେଉଛି ।

 

ଅଫିମ ଖାଇଲେ ସମାଧାନ ମିଳେନାହିଁ । ବାଡ଼ିଗୁଡ଼ିକୁ ସଜ କରୁ କରୁ ପୃଥିବୀରେ ସାପମାନଙ୍କର ସଂଖ୍ୟା ବଢ଼ାଇବାହିଁ ସାର ହୁଏ । ଯେଉଁମାନେ ତଥାକଥିତ ଅପରପକ୍ଷଟାକୁ ଛିଗୁଲେଇ ଯବନ, ମ୍ଳେଚ୍ଛ ବା କାଫେର୍‌ଟିଏ ବୋଲି କହୁଥାନ୍ତି, ପୃଥିବୀର ମଜା ଦେଖୁଥିବା ଭଗବାନ ତାଙ୍କ ଭିତରେ ଯବନ, ମ୍ଲେଚ୍ଛ ବା କାଫେର୍‌ଟିଏ ପ୍ରଚ୍ଛନ୍ନ ଭାବରେ ପରିପାଳିତ ହେବାଲାଗି ବାଟ ଛାଡ଼ି ଦେଇଥାନ୍ତି ବୋଲି ଏପରି ହେଉଥାଏ । ଆଉ କାହାକୁ କେଡ଼େ ପରାକ୍ରମରେ ଘୋଡ଼ାମୁହାଁ ବୋଲି କହୁଥିବା ମଣିଷ ସମ୍ଭବତଃ ସ୍ୱୟଂ ନିଜର ଅକଲଟାକୁ ଘୋଡ଼ାର ଧର୍ମରେ ଦୀକ୍ଷିତ କରାଇ ସାରିଲାଣି ବୋଲି ସିଏ ସେପରି କହୁଥାଏ ଓ ଆପଣା ଭିତରେ ଭାରି କୌତୁକପୂର୍ଣ୍ଣ ଭାବରେ କିଳି ହୋଇ ରହିଥାଏ । ପୃଥିବୀର ଅସଲ ଆହ୍ୱାନଗୁଡ଼ିକ ସାତ ପାହାଚ ଉପରକୁ ଉଠି ଯାଇଥିବାବେଳେ ସିଏ ନିଜର ଗାତ ଭିତରେ କେଡ଼େ ଦମ୍ଭରେ ବାଡ଼ି ଉଞ୍ଚାଇବାରେ ଲାଗିଥାଏ, ସତେଅବା ଏକ ଦୁଃଶାସନ ବନି କୋଉ ଦ୍ରୌପଦୀକୁ ସିଧା ସଭାସ୍ଥଳକୁ ଭିଡ଼ି ଆଣିବ ବୋଲି ଗର୍ଜନ କରି କହୁଥାଏ । ପୃଥିବୀ ତାକୁ ମଧ୍ୟ ସହିବାକୁ ବାଧ୍ୟ ହୁଏ ।

 

ମୋ’ ଭିତରେ କୋଉଠି ସାପଟାଏ ଲୁଚି ରହି ନଥିଲେ ମୁଁ କଦାପି ଆଉ କେଉଁମାନଙ୍କୁ ସାପ ବୋଲି କହି ବାଡ଼ିଟାଏ ଉଞ୍ଚାଇବାକୁ ମନ କରନ୍ତି ନାହିଁ । ସାପ ହୁଏତ ଏଠିସେଠି ଉଭୟ ପଟେ ରହିଛି । ସାପ ଘୃଣାରେ ରହିଛି, ସାପ ଅବୁଝାମଣା ଭିତରେ ରହିଛି । ତଥାକଥିତ ଠିକ୍ କଥାଗୁଡ଼ାକୁ ନେଇ ପୃଥିବୀରେ ଯୁଗେଯୁଗେ କେତେ ମଣିଷ ଯେ ଅନ୍ଧ ହୋଇଛନ୍ତି ଓ ବାଡ଼ି ବୁଲାଇ ରଣାଙ୍ଗନକୁ ବାହାରି ଯାଇଛନ୍ତି, ତାହାର ସୁମାରି କରି ହେବନାହିଁ । ଏହିପରି ଅନ୍ଧ ହେବାକୁ ମନ୍ଦୋତ୍ସାହୀମାନେ ଆଦର୍ଶବାଦ ବୋଲି କହିଛନ୍ତି । ଆଦର୍ଶବାଦମାନେ ପୃଥିବୀରେ ଯାବତୀୟ ଯଥାର୍ଥ ଆଦର୍ଶର ଇଜ୍ଜତ ନେବାରେ ସମ୍ଭବତଃ ସବୁଠାରୁ ବଡ଼ ନିମିତ୍ତ ଭଳି କାର୍ଯ୍ୟ କରିଛନ୍ତି । ସମ୍ଭବତଃ ମଣିଷ ଆଦର୍ଶବାଦୀହେବାଦ୍ୱାରାହିଁ ତା’ର ଆଦର୍ଶମାନେ ପାଣି ଫାଟି ଯାଇଛନ୍ତି । ଯେଉଁ ମଣିଷ ଯେଡ଼େ ତ୍ୱରାର ସହିତ ବାଡ଼ିଟାଏ ଉଞ୍ଚାଇ ସାପମାନଙ୍କୁ ସାଧ୍ୟ କରିବ ବୋଲି ବାହାରୁଛି, ସିଏ ହୁଏତ ତା’ ଭିତରେ ସାପଟାକୁ ଅତ୍ୟନ୍ତ ଦୁରାଗ୍ରହ ସହିତ ପ୍ରଶ୍ରୟ ଦେବାକୁ ବାଟଟାଏ ପାଇଯାଇଛି ।

 

ଆମେ ଇଚ୍ଛା କଲେ ଏହି ରୀତିଟିକୁ ବଦଳାଇ ପାରିବା । ଆମେ ଅନ୍ୟପ୍ରକାରର ହେବାକୁ ପ୍ରକୃତରେ ମନକଲେ ଆମ ଦୃଷ୍ଟି ଅନ୍ୟପ୍ରକାର ହୋଇଯିବ, ଆମ ସମ୍ବନ୍ଧଗୁଡ଼ିକ ଓ ଆମର ଅକଲମାନେ ମଧ୍ୟ ଅନ୍ୟ ପ୍ରକାରେ ହେବାକୁ ସାହସ କରିବେ । ଇତିହାସର ପୁନରାବୃତ୍ତିହେବା ଆଦୌ ଅବଶ୍ୟମ୍ଭାବୀ ହୋଇ ରହିବନାହିଁ ।

Image

 

ଇଂଲଣ୍ଡ ଓ ଓଡ଼ିଶା

 

ଦେଶମାତ୍ରକେ ସବୁ ଦେଶର ସାହିତ୍ୟ ଅଛି । ସାହିତ୍ୟ ଥିଲା, ଏବେ ମଧ୍ୟ ରହିଛି । ଠିକ୍ ସେହି ଅନୁସାରେ ସାହିତ୍ୟିକମାନେ ଥିଲେ, ଏବେ ମଧ୍ୟ ଅଛନ୍ତି । ଆହୁରି ଅଧିକ ନ୍ୟାୟୋଚିତ ଭାବରେ କହିଲେ, ଭାଷାମାତ୍ରକେ ସବୁ ଭାଷାର ସାହିତ୍ୟ ରହିଛି । ସାହିତ୍ୟ ଥିଲା, ସାହିତ୍ୟ ରହିଛି-। ସାହିତ୍ୟରେ ସଭା ହୁଏନାହିଁ, ସାହିତ୍ୟରେ ଆଲୋଚନା ହୁଏ । ସାହିତ୍ୟିକମାନଙ୍କର ପୂଜା ହୁଏନାହିଁ, ସାହିତ୍ୟିକମାନଙ୍କର ଆଲୋଚନା ହୁଏ । ଯେଉଁସବୁ ଦେଶରେ ବା ସମାଜରେ ବାଇଶି ବା ବତିଶି ଛଟକରେ ପୂଜା ହୁଏ, ସେଠି ଆଲୋଚନା ହେଉ ନଥାଏ ବୋଲି ପୂଜା ହୁଏ, ଆଲୋଚନାକୁ ଡର ମାଡ଼ୁଥାଏ ବୋଲି ପୂଜା ହୁଏ । ପୂଜାରେ ପ୍ରବଳ ଆସକ୍ତି ରଖିଥିବା ବ୍ୟକ୍ତିମାନେ ଆଲୋଚନାରେ ବସି ପାରନ୍ତି ନାହିଁ । ଆଦୌ କୌଣସି ଧୈର୍ଯ୍ୟ ନଥାଏ । ପୂଜା ନକରି ଆଲୋଚନା ହେଉଥିବାର ଦେଖିଲେ ସେମାନେ ଅସହିଷ୍ଣୁ ହୋଇପଡ଼ନ୍ତି । ଆମ ଓଡ଼ିଶାରେ ପୂଜାର ଥାନମାନଙ୍କରେ ପ୍ରଧାନତଃ ଏହି ଅସହିଷ୍ଣୁତାମାନ ପ୍ରକାଶ ପାଏ । ପ୍ରଶଂସା କଲାବେଳେ ଯେପରି ଅସହିଷ୍ଣୁତା, ନିନ୍ଦା କଲାବେଳେ ମଧ୍ୟ ସେହିପରି ଅସହିଷ୍ଣୁତା ।

 

ଅସହିଷ୍ଣୁତା ଗୁଣ୍ଡାମାନଙ୍କର ପ୍ରକୃତି । ଭିତରେ ହୁଣ୍ଡାଟାଏ ରହିଥିଲେ ବାହାରେ ଗୁଣ୍ଡା ହେବାକୁ ମନହୁଏ ଏବଂ ଯୋଗକୁ ଅଥବା ଦୁର୍ଯୋଗକୁ ତଥାକଥିତ ଚଉକିଟାଏ ମିଳିଥିଲେ ହୁଣ୍ଡା ଏବଂ ଗୁଣ୍ଡାମାନେ ପରମ ଆତ୍ମୀୟତା ଏବଂ ଆତୁରତା ସହିତ ଆପଣା ପ୍ରବୃତ୍ତିର ପାଲରେ ପଡ଼ିଯାନ୍ତି । ସାହିତ୍ୟର କିମ୍ବା ଆଲୋଚନାର ଯେକୌଣସି ପରିମଳର ମାପକାଠିରେ ବିଚାର କଲେ ସେମାନେ ଭାରି ହାସ୍ୟାସ୍ପଦ ହେବାରେ ଲାଗିଥାନ୍ତି । ଇଂଲଣ୍ଡରେ ସାହିତ୍ୟ ଓ ସଂସ୍କୃତିକୁ ନେଇ ସଭା ହୁଏନାହିଁ, ଆଲୋଚନା ହୁଏ । ଆଲୋଚନାକୁ ଅନୁରାଗୀମାନେ ସମସ୍ତେ ଆସନ୍ତି । ସେମାନଙ୍କ ଭିତରୁ କେହି ନିଜ ଚଉକିଟାକୁ ଗର୍ଭ ଭିତରେ ମୁଣ୍ଡାଇ ଆଲୋଚନାକୁ ଆସନ୍ତିନାହିଁ । ସ୍ପଷ୍ଟତଃ ଅନୁରାଗୀ ଭାବରେ ଆସନ୍ତି । ଇଚ୍ଛାକଲେ ସେହି ଅନୁରାଗୀ ଭାବରେହିଁ ଅଂଶଗ୍ରହଣ ମଧ୍ୟ କରନ୍ତି । କେହି ସେମାନଙ୍କୁ ଖୋସାମଦ କରି ଡାକି ଆଣି ନଥାଏ । ତେଣୁ, ସବୁକିଛି ମାନେ । ଗୋଟାଏ ଦେଶର ସାହିତ୍ୟ ରହିଛି ବୋଲି କେଡ଼େ ଶାଳୀନତାର ସହିତ ପ୍ରମାଣିତ କରିହୁଏ, ଅନୁଭବବି କରିହୁଏ । ଆଲୋଚନା ଆଲୋଚନା ହୋଇ ରହେ, ସଭାପରି ଇଜ୍ଜତ ହରାଏନାହିଁ ।

 

ଶ୍ରୀମତୀ ମାର୍ଗାରେଟ ଥାଚର ଏକଦା ବ୍ରିଟେନର ଜଣେ ଉଦ୍ଦଣ୍ଡୀ ପ୍ରଧାନମନ୍ତ୍ରୀ ଥିଲେ । କଥା କହିବା ସମୟରେ ସତେଅବା ଗୋଟିଏ ଗୋଟିଏ ବୋଲୁଅ ଫୋପାଡ଼ୁଥିଲେ । ଗୋଟାସୁଦ୍ଧା ମରଦମାନଙ୍କର ସମାବେଶରେ ମଧ୍ୟ ଶବ୍ଦର ବାଣରେ ସମସ୍ତଙ୍କୁ ବିଦ୍ଧ କରି ପକାଉଥିଲେ । ତଥାପି ସିଏ ଆପଣାର ସୀମା ଜାଣିଥିଲେ । ସେକ୍‌ସପିଅରଙ୍କ ବିଷୟରେ ଡକାଯାଇଥିବା କୌଣସି ଆଲୋଚନାରେ ସେ କଦାପି ବକ୍ତା କିମ୍ବା ଭର୍ତ୍ତା ହୋଇଯାଉ ନଥିଲେ । ମନ ହେଲେ ହୁଏତ ଶ୍ରୋତା ଭାବରେ ଯାଇଥିବେ, ମାତ୍ର କଦାପି ପାଟି ଖୋଲି ନଥିବେ । ପୋଖତ ମନୁଷ୍ୟମାନେ ଏହିପରି ନିଜ ନିଜର ସୀମାଟିକୁ ଜାଣିଥାନ୍ତି, ସେଠାରେ ଆପଣାର ବୀରବତ୍ ପରିଚୟ ଦିଅନ୍ତି ସିନା, ମାତ୍ର ଅଥାନରେ କଦାପି ଅପାତ୍ର ହେବାକୁ ମନ କରନ୍ତି ନାହିଁ । ସେକ୍‌ସପିଅରଙ୍କ ବିଷୟରେ କୌଣସି ଆଲୋଚନାର ଆୟୋଜନ କରାଉଥିବା ଉଦ୍ୟୋକ୍ତାମାନେ ଆଲୋଚକମାନଙ୍କୁ ଡାକିବା ବିଷୟରେ ଚିନ୍ତା କଲାବେଳେ ଇଂଲଣ୍ଡରେ କେହି କଦାପି ଶ୍ରୀମତୀ ଥାଚରଙ୍କ କଥା କେବେହେଲେ ବିଚାରକୁ ନେଇ ନଥିବେ । ଶ୍ରୀମତୀ ଥାଚର ନିଜେ ମଧ୍ୟ କୌଣସି ସେକ୍‍ସପିଅର–ଆଲୋଚନାରେ ନିଜକୁ ବକ୍ତାରୂପେ ଯାଇ ବସିବାର କଳ୍ପନା କରି ନଥିବେ ।

 

ଓଡ଼ିଶାରେ କଥାମାନ ଗୋଟାସୁଦ୍ଧା ନିଆରା । ଏଠାରେ ଆଲୋଚନା ନହେବାପାଇଁହିଁ ସତେଅବା ସଭାଗୁଡ଼ିକର ଆୟୋଜନ ହୋଇଥାଏ । ଏହିସବୁ ସଭାର ମଞ୍ଚ ଉପରେ ଦୃଷ୍ଟି ପକାଇଲେ ସତେଅବା କେଉଁ ଗାନ୍ଧାରୀ କେଡ଼େ ଆଡ଼ମ୍ବରରେ ପ୍ରସବ କରିଥିବା ମାଂସପିଣ୍ଡୁଳାଟିଏ ସେଠି ଥୁଆ ହୋଇଥିଲା ପରି ଦେଖାଯାଉଥାଏ । ସେହି ମାଂସପିଣ୍ଡୁଳାଟି ଭିତରୁ ଦୁର୍ଜୟ, ଦୁର୍ମୂଖ ଏବଂ ଦୁର୍ଦ୍ଧର୍ଷମାନେ କେଡ଼େ ଜଳଜଳ ହୋଇ ଦିଶୁଥାନ୍ତି । ହୁଏତ ନିୟମ ରକ୍ଷା କରିବା ନିମନ୍ତେ ଜଣେ ସୁଧୀ ଆଲୋଚକଙ୍କୁ ମଧ୍ୟ ଡକାଯାଇ ଅଣାଯାଇଥାଏ, ମାତ୍ର ସିଏ ସତେଅବା ଜଣେ ଅନ୍ତରକରଣଙ୍କ ଭଳି କୋଉ କଣରେ ଯାଇ ବସିଥାନ୍ତି ଓ ଏହି ଅସ୍ୱାଭାବିକ ମେଳରେ ନିଜକୁ ସତେଅବା ବିପନ୍ନ ଓ ଦୁଃସ୍ଥ ମଣୁଥିବା ପରି ଆପଣାକୁ ଲୁଚାଇ ରଖିବାକୁ ସତେଅବା ଅଧିକ ଚେଷ୍ଟା କରୁଥାନ୍ତି । ଅଥବା ଶୁଣ୍ଢଧାରୀ ଏତେ ଏତେ ଗଣେଶଙ୍କ ଭିତରେ ଆପଣାକୁ ହୁଏତ କୃତାର୍ଥ ମୂଷିକଟିଏ ପରି ଅନୁଭବ କରୁଥାନ୍ତି ଓ ଭାବ ଛଳଛଳ ଦେଖାଯାଉଥାନ୍ତି । ଓଡ଼ିଆ ଭାଷାରେ ନିଜର ଦସ୍ତଖତ କରିଥିଲେ ଯାହାଙ୍କର ଅକ୍ଷରଗୁଡ଼ିକ ହୁଏତ କୌଣସି ଦ୍ୱିତୀୟ ଶ୍ରେଣୀର ପିଲାଟିର ଅକ୍ଷରଠାରୁ ଅଧିକ ଅବର୍ଜିଆ ହୋଇ ଦେଖାଯାଏ, ସିଏ ହୁଏତ ମଝି ଗଣେଶ ହୋଇ ଆସୀନ ଥାଆନ୍ତି ଓ କନ୍ଦର୍ପଟିଏ ପରି ଦିଶୁଥାନ୍ତି । ଆଉ କେଉଁ କନିଷ୍ଠ ଗଣେଶମାନେ ନିଜ ସରକାରୀ ଦପ୍ତରରେ ଅଧସ୍ତନ କର୍ମଚାରୀମାନେ ସେମାନଙ୍କ ପାଖରେ ପେଶ୍ ହେଉଥିବା କାଗଜପତ୍ରକୁ ଇଂରାଜୀରେ ପ୍ରସ୍ତୁତ ନକରି କାହିଁକି ଓଡ଼ିଆରେ ପ୍ରସ୍ତୁତ କରୁଛନ୍ତି ବୋଲି ସେମାନଙ୍କୁ ହୁଏତ ଗାଳି ଦିଅନ୍ତି ଏବଂ ସେମାନେ ଓଡ଼ିଆ ସାହିତ୍ୟର ଆଲୋଚନା କରିବାକୁ ବର ହୋଇ ଆସିଥାନ୍ତି ଓ ମଞ୍ଚମଣ୍ଡନ କରିଥାନ୍ତି । ଏଗୁଡ଼ାକ ଇଂଲଣ୍ଡରେ କୌଣସି ତସ୍କର ମଧ୍ୟ କଳ୍ପନା କରିପାରିବ ନାହିଁ ଏବଂ ସମ୍ଭବତଃ ସେହି କାରଣରୁହିଁ ଇଂଲଣ୍ଡରେ କୌଣସି ସଭା କିମ୍ବା ପୂଜ୍ୟପୂଜା ହୁଏନାହିଁ, ଆଲୋଚନାହିଁ ହୁଏ ଏବଂ ସେହି ଆଲୋଚନାଦ୍ୱାରା ସମସ୍ତେ ଉପକୃତ ହୁଅନ୍ତି ।

 

ଏହି ପରମ୍ପରା ଭିତରେ ଏକ ବ୍ୟତିକ୍ରମ ଖୋଜିବାକୁ ଯାଇ ଓଡ଼ିଶାରେ ଜଣେମାତ୍ର ବ୍ୟକ୍ତି ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କର କଥା ମନେପଡ଼େ । ଶ୍ରୀ ଚୌଧୁରୀ ରାଜନୀତିରେ ଥିଲେ, ପଦବୀରେ ଥିଲେ, ମାତ୍ର ସେହି ପଦବୀ ବା ସେହି କ୍ଷମତା ତାଙ୍କର ବ୍ୟକ୍ତିତ୍ୱ ଅର୍ଥାତ୍ ବିବେକକୁ କେବେହେଲେ ଗିଳି ପକାଉ ନଥିଲା ଏବଂ ସିଏ କୌଣସି ଥାନରେ ଯାଇ ଏକ ହାସ୍ୟାସ୍ପଦ ହୀରୋ ହୋଇ ବସିବାକୁ ହକହକ ହେଉ ନଥିଲେ । ଓଡ଼ିଶାରେ ସ୍ଵାଧୀନତା ପରେ ଯେତେ ଯେତେ ମନ୍ତ୍ରୀ ଗାଦିରେ ବସିଛନ୍ତି, ସେମାନଙ୍କ ଭିତରେ ସମ୍ଭବତଃ ଶ୍ରୀଯୁକ୍ତ ଚୌଧୁରୀଙ୍କୁହିଁ ପ୍ରକୃତ ଅର୍ଥରେ ସର୍ବାଧିକ ଜିଜ୍ଞାସୁ, ଜ୍ଞାନ–ଅନୁରାଗୀ ଏବଂ ଜ୍ଞାନବାନ୍ ବୋଲି କୁହାଯାଇପାରିବ । ତଥାପି ତାଙ୍କ ସରକାରକୁ ସଭାମାନଙ୍କର ବରାଦ କରିବାର ନିର୍ଦ୍ଦେଶ ଦେଇ ସେ ସେସବୁ ସ୍ଥଳକୁ କଳସ ମୁଣ୍ଡାଇ ବସିବାକୁ ମୋଟେ ଯାଉ ନଥିଲେ । ସେମିନାରକୁ ଯାଉଥିଲେ, ଆଲୋଚନାମାନଙ୍କୁ ଯାଉଥିଲେ; ମାତ୍ର ପୂର୍ଣ୍ଣତଃ ନବକୃଷ୍ଣ ଚୌଧୁରୀର ପରିଚୟରେ ଯାଉଥିଲେ । ତେଣୁ, ହୁଏତ ସବାପଛରେ ଯାଇ ବସୁଥିଲେ, କେହି ଚାଟୁକାରିତା କରି ତାଙ୍କୁ ଟଳାଇବାକୁ ଚେଷ୍ଟା କଲେ ତା’ ପ୍ରତି କର୍କଶ ହେଉଥିଲେ ସିନା, ମାତ୍ର ମହତ ହରାଉ ନଥିଲେ । ଓଡ଼ିଶାର ସାଧାରଣ ଜୀବନରୁ ସେହି ପରମ୍ପରାଟିକୁ କାହିଁକି ହତ୍ୟା କରାଗଲା ?

 

ତେଣୁ ଆମେ ସାହିତ୍ୟରେ ଭଦ୍ରହେବା, ରାଜନୀତିରେ ମଧ୍ୟ ଭଦ୍ରହେବା । କିନ୍ତୁ ବିନୟ ଶିଖିବା, ତେବେ ଯାଇ ସତକୁସତ ବଡ଼ ହୋଇପାରିବା । ଏବେ ରୀତିଟା ଏଭଳି ବିପରୀତ ହୋଇଗଲାଣି ଯେ, ଆଦୌ ସାହିତ୍ୟିକ ମତଲବ ନଥାଇ ମଧ୍ୟ ଆମେ ସାହିତ୍ୟରେ ସଭାର ଆୟୋଜନ କରୁଛୁ, ନିର୍ଧୁମ୍ ଗଣ୍ଡ ସାହିତ୍ୟେତରମାନଙ୍କୁ ଆଣି ମହାମାନନୀୟ କରି ସଭାରେ ବସାଉଛୁ ଏବଂ ସମ୍ଭବତଃ ସାହିତ୍ୟେତର ନାନା ଫଳପ୍ରାପ୍ତି ଲାଗି ଏସବୁ କରିବାରେ ଶ୍ରଦ୍ଧା ଦେଖାଉଛୁ । ଡାକିବା ପକ୍ଷ ଓ ଆସିବା ପକ୍ଷ ଉଭୟଙ୍କର ରାଜିରେ ଏସବୁ ଚାଲିଛି । ସମ୍ଭବତଃ ସେହି ଲାଳସାରେ ପଡ଼ି ଏବେ ଆମ ସାହିତ୍ୟ ଓ ସଂସ୍କୃତିର ଅଧିକାଂଶ ସଭା ସରକାରୀ ଯୋଗାଡ଼ରେ ହେଉଛି । ଆଗେ ସରକାର ଆଦୌ ଏତେ ବେଶୀ ଆସି ଆମ ଘରମାନଙ୍କରେ ପଶୁ ନଥିଲେ । ସାହିତ୍ୟ ରାଜ୍ୟର, ସାହିତ୍ୟ ଭାଷାର; ରାଜ୍ୟ ସରକାରଙ୍କର ମୋଟେ ନୁହେଁ ଏବଂ ସଂସ୍କୃତି ମଧ୍ୟ ମଣିଷମାନଙ୍କର, ତାହା ଚଉକିଗୁଡ଼ାକର ମୋଟେ ନୁହେଁ ।

 

ତେଣୁ ଓଡ଼ିଶାରେ ସଭାର କୋପନମାନ କ୍ରମେ ଊଣା ହେଉ; ସାହିତ୍ୟ ଓ ସଂସ୍କୃତିରେ ଅଧିକ ଆଲୋଚନାର ଅବସରମାନ ଆସୁ । ସେହି ଆଲୋଚନାରେ ସମସ୍ତେ ଅଂଶଗ୍ରହଣ କରନ୍ତୁ । ପଦ ଅନୁସାରେ ବା ଚଉକିର ହିସାବରେ ନୁହେଁ, ସେଠାରେ ସମସ୍ତେ ଜଣେ ଜଣେ ବ୍ୟକ୍ତି ହିସାବରେ ଅଂଶଗ୍ରହଣ କରନ୍ତୁ । ଯେଉଁଦିନ ପଦ ଓ ଚଉକି ନିର୍ବିଶେଷରେ ସମସ୍ତେ ଏକାଠି ସତ ଆଗ୍ରହ ନେଇ ସାହିତ୍ୟପାଇଁ ଓ ସଂସ୍କୃତିପାଇଁ ବସିପାରିବେ, ସେଦିନ ଓଡ଼ିଶାରୁ ଅପସଂସ୍କୃତିଗତ ବହୁ ଆବର୍ଜନା ଦୂର ହୋଇଯିବ । ସେଦିନ ଆମର ରୁଚି ମଧ୍ୟ ବଦଳିଯିବ, ବର୍ତ୍ତମାନର ସାମନ୍ତବାଦୀ ବହୁ ଆର୍ତ୍ତତା ଏବଂ ବହୁ କ୍ଷୁଦ୍ରତାର କବଳରୁ ଆମେ ସମସ୍ତେ ମୁକ୍ତ ହୋଇ ଆସିବା । ମଣିଷ ମଣିଷର ଏକ ସ୍ୱାଭାବିକ ପାରସ୍ପରିକତାରେ ଖୁସି ହୋଇ ଏକତ୍ର ବସିପାରିଲେ ଆମର ଗୌରବବୋଧ ବଢ଼ିବ, ଆମେ ସେତେବେଳେ ଗୌରବ ଦେଇ ଜାଣିବା ଏବଂ ଯଥାର୍ଥ ଗୌରବର ଅଧିକାରୀ ହୋଇପାରିବା । ଓଡ଼ିଶା ସାହିତ୍ୟ ସେତେବେଳେ ଆଜିର ଜମିଦାରିଆ ତାମସା ଭିତରୁ ମୁକ୍ତ ହୋଇ ଆସିବ । ଅଯୋଗ୍ୟମାନେ ଯୋଗ୍ୟ ହେବାକୁ ଜୀବନର ସର୍ବପ୍ରଧାନ ଖୁସିରୂପେ ଗ୍ରହଣ କରିବେ । ଆମ ଭିତରୁ କେହି ହେଲେ ନିଜର ଅଯୋଗ୍ୟତାଗୁଡ଼ିକୁ ଲୁଚାଇ ନିଜର ସରକାରୀ ପଦଟାକୁ ପଲମ କରି ପେଟରେ ବାନ୍ଧି ନିଜକୁ ଏଡ଼େ ଯୋଗ୍ୟ ବା ଏଡ଼େ ବଡ଼ ବା ଏଡ଼େ ଅପରିହାର୍ଯ୍ୟ ବୋଲି ଦେଖାଇ ହେବାକୁ ଆଦୌ ମନ କରିବେ ନାହିଁ ।

Image

 

Unknown

ବେଳୁଁ ବେଳ ବନ ଉଜ୍ଜ୍ୱଳ

 

ପରାଧୀନ ଭାରତବର୍ଷରେ ଯେତେବେଳେ ରାଜନୈତିକ ମୁକ୍ତି ଲାଗି ସଂଗ୍ରାମ ଚାଲିଥିଲା, ସେତେବେଳେ ଭବିଷ୍ୟତ ଆଡ଼କୁ ଅନାଇଲେ କେତେକଅଣ ଦିଶୁଥିଲା । ମହାତ୍ମା ଗାନ୍ଧୀ ତାହାକୁ ରାମରାଜ୍ୟ ବୋଲି କହୁଥିଲେ । ରାମରାଜ୍ୟ କହିଲେ ଲୋକେ ଅତୀତରେ ରାଜତ୍ୱ କରିଥିବା ଜଣେ ରାଜାଙ୍କ ଅମଳର ରାଜ୍ୟକୁ ଯେତେ ବୁଝୁ ନଥିଲେ, ଭବିଷ୍ୟତରେ ଭାରତବର୍ଷର ଜନଗଣଙ୍କ ଲାଗି ଅପେକ୍ଷା କରାଯାଉଥିବା ଏକ ରାଜନୈତିକ ଓ ସାମାଜିକ ବ୍ୟବସ୍ଥାକୁ ତାହାଠାରୁ ଅଧିକ ବୁଝୁଥିଲେ । ସେହି ସମାଜରେ ଧର୍ମ ଥିବ, ନ୍ୟାୟ ଥିବ, ସତ୍ୟ ଥିବ, ମଣିଷ ମଣିଷକୁ ବିଶ୍ଵାସ କରୁଥିବ । ଦେଶ ନାମକ ଏହି ଘରେ ସମସ୍ତଙ୍କର ପେଟ ପୂରୁଥିବ । ସମସ୍ତଙ୍କର ମସ୍ତିଷ୍କ ଏବଂ ହୃଦୟର ବିକାଶ ହୋଇପାରୁଥିବ । ସେତେବେଳେ ଏଗୁଡ଼ିକ କେବଳ ବହିର କଥା ଅଥବା ବକ୍ତୃତାର ବାହାସ୍ଫୋଟହିଁ ନଥିଲା, ଏହିଗୁଡ଼ିକହିଁ ବାସ୍ତବ ପ୍ରେରଣା ହୋଇ ଉପସ୍ଥିତ ମୁକ୍ତି ସଂଗ୍ରାମରେ ହଜାର ହଜାର ମଣିଷଙ୍କୁ ଏକଜୁଟ କରାଇଥିଲା ।

 

ଭାରତବର୍ଷ ସ୍ଵାଧୀନ ହେଲାପରେ ଯାହାସବୁ ସବାଆଗ ଯିବାର କଥା, ସେଗୁଡ଼ିକ ଗଲାନାହିଁ କି କ’ଣ କେଜାଣି, ଦେଶଟାଯାକ କାଳକ୍ରମେ ଗୋଟାଏ ଜଙ୍ଗଲରେ ପରିଣତ ହୋଇଗଲା । ଶୋଷଣ ଗଲାନାହିଁ, ସାମନ୍ତବାଦ ଗଲାନାହିଁ, ଆସନମାନଙ୍କରେ ବସିବାକୁ ନୂଆ ନୂଆ ଖଣ୍ଟ ଓ ତସ୍କରମାନେ ବରଣ ହୋଇ ଆସିଲେ । ସେମାନେ ଏହି ଦେଶରେ ଜନ୍ମ ହୋଇଥିଲେ ଓ ଏହି ଦେଶକୁ ଗିଳିବାକୁ ଆସିଲେ । ଅଧିକରୁ ଅଧିକ ଗିଳିକରି ସ୍ଥୂଳ ଓ ବିପୁଳ ଦିଶିବାକୁହିଁ ସଫଳ ଚାକିରି ବୋଲି କୁହାଗଲା । ଉପରକୁ ଉପରକୁ ସବୁକିଛି ହେଲା । ସମ୍ବିଧାନ ଗଢ଼ାହେଲା, ନିର୍ବାଚନ ହୋଇ ନୂଆ ସରକାରମାନ ଗଢ଼ାହେଲେ, ଶହେଟା କଚେରି ହଜାରଟା ହେଲା, ବିଭାଗ ପଛକୁ ବିଭାଗ ଯୋଡ଼ାହେଲା । ଥାନାରେ ଆହୁରି ବଡ଼ବଡ଼ ବାବୁମାନେ ବସିବାକୁ ଆସିଲେ । ସମସ୍ତେ ନିୟମ ଅନୁସାରେ ଚାଲିବା ଭଳି ଦେଖାଗଲେ, ଦେଶଟା ନିୟମରେ ଚାଲିବ ବୋଲି ଅନୁରୂପ ଉଆସଗୁଡ଼ାକ ମଧ୍ୟ ତିଆରି ହେଲା । ମାତ୍ର, ଏହି ସବୁକିଛିର ମାଧ୍ୟମରେ ଯେ ଦେଶଟାଯାକ ଏକ ଜଙ୍ଗଲରେ ପରିଣତ ହେବାକୁ ଯାଉଛି, ସେକଥା ସେତେବେଳେ କିଏ ଜାଣିଥିଲା ? କିଏ ସନ୍ଦେହ ବା କରିଥିଲା ? ପଦସ୍ଥମାନଙ୍କୁ ପଇସା ବାଇ କଲା, କର୍ତ୍ତାମାନଙ୍କୁବି ସେହି ପଇସା କମ୍ ବାଇ କଲାନାହିଁ । କ୍ଷମତା ଦେଶକୁ ଗଢ଼ିବାର ଏକ ମାଧ୍ୟମରୂପେ ବ୍ୟବହାର ହୋଇଥାନ୍ତା ସିନା, ଚାଳିଶି/ପଚାଶଟା ବର୍ଷ ଭିତରେ କ୍ଷମତା ପଇସା କମାଇବାର ପାପ ପାଖରେ ପୋଇଲୀ ହୋଇ ରହିଲା । ଧର୍ମ, ନ୍ୟାୟ, ଶାସନ, ରାଜ୍ୟରକ୍ଷା ସବୁ କଥାରେହିଁ ରହିଗଲା ।

 

ପଦରେ ବସିଥିବା ଏମାନେ ଯେ ସମସ୍ତେ ଏକ ଆରେକ ସହିତ ସଲା କରିଥିବା ପରି ଦେଶଟାକୁ ପୂର୍ଣ୍ଣ ବିବେକର ସହିତ ଗୋଟାଏ ଜଙ୍ଗଲରେ ପରିଣତ କରିବାରେ ଲାଗିଥିଲେ, ସେକଥା ଏବେ ଯାଇ ଜଣାପଡ଼ୁଛି । ଜଙ୍ଗଲଟା ଉପରେ ଯହୁଁ ଯହୁଁ ଅଳପ ଅଳପ ଆଲୁଅ ପଡ଼ୁଛି, ତହୁଁ ତହୁଁ ଜଙ୍ଗଲଟା ସତକୁସତ ଜଙ୍ଗଲ ବୋଲି ଧରା ପଡ଼ିଯାଉଛି । ଯେଉଁଠାରେ ଆଙ୍ଗୁଳି ପୂରାଇଲେ ମଧ୍ୟ ଦୁର୍ଗନ୍ଧଗୁଡ଼ାକ ଭଣଭଣ ହୋଇ ବାହାରି ଆସୁଛି । ବାହାରେ ଯିଏ ଯେଉଁଭଳି ଦିଶୁଥିଲେ, ବାହାରେ ଯେଉଁଭଳି ଶଙ୍ଖମର୍ମର ରଙ୍ଗର ଉଜ୍ଜ୍ୱଳ କଥାମାନ କହୁଥିଲେ, ଏମାନେ ଯେ ମୋଟେ ସେଡ଼େ ନୁହଁନ୍ତି, ବଣଟା କ୍ରମେ ଉଜ୍ଜ୍ୱଳ ଦିଶିଆସିବା ସଙ୍ଗେ ସଙ୍ଗେ ସେହି ସତ୍ୟକଥାଟା ପଦାରେ ପଡ଼ିଯାଉଛି । ଭଗବାନଙ୍କ ଉପରେ ବିଶ୍ୱାସବି ଆସିଯାଉଛି । ଭାରତୀୟ ବିଶ୍ଵାସ ଅନୁସାରେ ଦାନବମାନେ ପ୍ରବଳ ହେଲେ ଭଗବାନବି କୁଆଡ଼େ ଆଉ ସହି ପାରନ୍ତିନାହିଁ, ଦଣ୍ଡଧାରୀ ଦଣ୍ଡଦାତାରୂପେ ପୃଥିବୀପୃଷ୍ଠକୁ ଓହ୍ଲାଇ ଆସନ୍ତି, ଆବଶ୍ୟକ ହେଲେ ପିଲାଟାର କଥା ମଧ୍ୟ ରକ୍ଷା କରି ଖମ୍ବରୁ ବାହାରି ଆସନ୍ତି, ସିଂହ ହୋଇ ଦୈତ୍ୟ ବିଦାରଣ କରନ୍ତି । ଆମର ଏ କଳିଯୁଗରେ ଠିକ୍ ସେହି ନାଟକଟି ହୁଏତ ଅଭିନୀତ ହେବନାହିଁ । ଭଗବାନ ହୁଏତ ଗୋଟାଏ ଗୋଟାଏ ମଣିଷଙ୍କ ଭିତରକୁ ଅବତରି ଆସିବେ, ମଣିଷର ବିବେକ ହୋଇ ସବୁଯାକ ଗୁପ୍ତକଥାକୁ ପଦାରେ ପକାଇଦେବେ ଏବଂ ଶୋଇ ପାକୁଳି କରୁଥିବା ଯୁଗଟା ଉପରେ ଚପେଟାଘାତ କରିବେ । ବଣଟା ଏକାବେଳକେ ଉଜ୍ଜ୍ୱଳ ଦିଶିବ, ଖଣ୍ଟମାନେ ଧରାପଡ଼ିଯିବେ, ଭଗବାନ କଡ଼ ଲେଉଟାଇବେ, ମଣିଷମାନଙ୍କର ମୋହଭଙ୍ଗ ହେବ । କୋଉକାଳୁ କବାଟ ପଡ଼ିଥିବା ମିଛ ସିରସ୍ତାଗୁଡ଼ିକ ଯେତେବେଳେ ଗୋଟି ଗୋଟି ହୋଇ ଖୋଲିବେ, ସେତେବେଳେ ଯାଇ ଧର୍ମର ପୁଣି ବଳ ବଢ଼ିବ, ଧର୍ମ ଅଧର୍ମ ସହିତ ଲଢ଼ି ତାକୁ ପରାସ୍ତ କରିବ ।

 

ଯେଉଁ ରାଜନୀତି ଉପରେ ଭରସା ରଖି ଭାରତବର୍ଷର ସ୍ଵାଧୀନତା ସଂଗ୍ରାମ ଚାଲିଥିଲା, ସେହି ରାଜନୀତି କୋଉକାଳୁ ଗଲାଣି । ଯେଉଁ ରାଜନୀତିକୁ ଆୟୁଧ କରି ଭବିଷ୍ୟତରେ ଏକ ନୂତନ ମନୋମତ ଭାରତବର୍ଷର ସ୍ୱପ୍ନ ସେତେବେଳେ ଦେଖାଯାଇଥିଲା, ଏବର ରାଜନୀତିବାଲାଏ ସେହି ରାଜନୀତିର ହତା ମଧ୍ୟ ମାଡ଼ିନାହାଁନ୍ତି । ସେମାନେ ଉପରେ ଜାଣିବାକୁ ଯେଉଁ ରାଜନୈତିକ ଦଳ ଭିତରେ ସାମିଲ ହୋଇ ରହିଛନ୍ତି, ତାହାର ରାଜନୈତିକ ଲକ୍ଷ୍ୟ ଅଥବା ଧାରାଟି ବିଷୟରେ ପ୍ରାଥମିକ ବର୍ଣ୍ଣବୋଧଟିଏ ପଢ଼ିବାର ଆବଶ୍ୟକତାକୁ ମଧ୍ୟ ଏମାନେ କେବେହେଲେ ଅନୁଭବ କରିନାହାନ୍ତି । ତେଣୁ ଭିତରେ ଖଣ୍ଟ ଓ ଉପରେ ଗୁଣ୍ଡା ପାଲଟି ଯାଇଛନ୍ତି । ସତେଅବା ଗୋଟାଏ ଗୋଟାଏ ଗେଟ୍‌ପାସ୍ ପାଇବା ଲାଗି ଏମାନେ ଏ ଦଳ ବା ସେ ଦଳ ଭିତରେ ଯାଇ ନାଁ ଲେଖାଇଛନ୍ତି । ଏମାନଙ୍କ ପାଇଁ କୌଣସି ଶିକ୍ଷା ଦରକାର ନାହିଁ, କୌଣସି ବିବେକ ଦରକାର ନାହିଁ, ନିଜର ଲାଜଟାକୁ ଲୁଚାଇବା ଲାଗି କୌଣସି ବସ୍ତ୍ର ହୁଏତ ମୋଟେ ଦରକାର ନାହିଁ ।

 

ଏବେ ତିଆରି ହୋଇଥିବା ଗୋଟାଏ ମନ୍ଦିର ତୁମେ ଦେଖାଇଲ, ଯେଉଁଠାରେ ଚୋରି ପଇସା ଲାଗିନାହିଁ ? ଏବେ ବସୁଥିବା ଗୋଟାଏ ରାଜନୈତିକ ମେଳା ଦେଖାଇଲ, ଯେଉଁଠାରେ ଦୈତ୍ୟମାନେ ଠିକାଦାରୀ ନେଇନାହାଁନ୍ତି ? ସହରମାନଙ୍କରେ ଶଇତାନ ପରି ଦିଶୁଥିବା ଉଚ୍ଚ ଉଚ୍ଚ ଅଟ୍ଟାଳିକାମାନଙ୍କରୁ ତୁମେ ଅନ୍ତତଃ ଗୋଟାଏ ଦେଖାଇଲ, ଯେଉଁଠାରେ ପ୍ରଜାର ଖଜଣାକୁ ମୋଟା ବ୍ୟକ୍ତିମାନେ ଆତ୍ମସାତ୍ କରିନାହାଁନ୍ତି ? ଏପରିକି ସାହିତ୍ୟ, ସଂସ୍କୃତି ଓ ସେହି କାଟର ପ୍ରାୟ ଯାବତୀୟ ସୂକ୍ଷ୍ମାନୁଷ୍ଠାନ ପଛରେ ଯେଉଁମାନେ ଦିବ୍ୟ ପ୍ରହରଣ ଧାରଣ କରି ବ୍ରହ୍ମା ଓ ବିଷ୍ଣୁଙ୍କ ପରି ଶବ୍ଦଚାଳନା କରୁଛନ୍ତି, ସେମାନଙ୍କର ପେଟ ଭିତରଟାକୁ ମଧ୍ୟ ପଇସା ବା ସେହିପରି ଆଉ କିଛି ଅପପେଶା ପ୍ରାୟ ଗୋଟାସୁଦ୍ଧା ପଚା ପିତ୍ତରେ ପରିଣତ କରି ସାରିଲାଣି । ଭଗବାନ କରନ୍ତୁ, ବଣଟା ବେଳୁଁ ବେଳ ଉଜ୍ଜ୍ୱଳ ହେଉ; ଏହି ମଣିଷମାନେ ଯେଡ଼େ ବଡ଼ ହୋଇ ଦିଶୁଛନ୍ତି, ସେମାନେ ଯେ ସେଡ଼େ ବଡ଼ ନୁହଁନ୍ତି, ସେକଥା ଦେଶ ଜାଣୁ । ତେବେ ଯାଇ ତା' ଗୋଡ଼ରେ ବନ୍ଧା ହୋଇଥିବା ପଥରଗୁଡ଼ାକ ପାଖରୁ ମଧ୍ୟ ସିଏ ମୁକୁଳି ଆସିପାରିବ । ଭଗବାନ ଏହିପରି ଜଣ ଜଣଙ୍କୁ ବାଛନ୍ତୁ, ଦିଲ୍ଲୀରେ ବାଛନ୍ତୁ ଓ ଭୁବନେଶ୍ୱରରେ ବାଛନ୍ତୁ । ତୁମ ଗାଁ ଓ ଆମ ଗାଁ ସବୁଠାରେ ବାଛନ୍ତୁ, ତୁମକୁ ଓ ମୋତେବି ବାଛନ୍ତୁ । ଅନ୍ତତଃ ଏସବୁ ଯିବ ବୋଲି କିଞ୍ଚିତ୍ ବିଶ୍ୱାସ ଜାତ ହେଉ; ଏମିତି ବିଶ୍ଵାସ ହେଲେ ଅର୍ଥାତ୍ କଳାକୁ କଳା ବୋଲି ଜାଣିଲେ ଯାଇ ମଣିଷ ହୁଏତ ବିକଳ୍ପଟିଏ ଅଛି ବୋଲି ପ୍ରତ୍ୟୟ କରିବ । ସେ ଆଉ ବିକଳ୍ପ ବିଷୟରେ କହିବ ନାହିଁ । ବିକଳ୍ପ ହେବ ଏବଂ ସତେଅବା ଭଗବାନଙ୍କର ଆଶୀର୍ବାଦପ୍ରାପ୍ତ ଭାବରେ ଆମେ ଏକ ବିକଳ୍ପ ଭାରତବର୍ଷଟିଏ ଗଢ଼ିବା ଲାଗି ସାହସ କରିପାରିବା । ଏକଦା ରାମରାଜ୍ୟ କହିଲେ ମର୍ମତଃ ଏହିପରି ଏକ ବିକଳ୍ପକୁହିଁ ବୁଝାଉଥିଲା ।

 

ବନ ବେଳୁଁ ବେଳ ଉଜ୍ଜ୍ୱଳ ହେଉଛି ବୋଲି ଆମ ଭିତରୁ କେତେକ ମଣିଷ ଖୁସିବି ହେଉଥିବେ । ଯେଉଁମାନେ ଧରାପଡ଼ିଲେ ବା ପଡ଼ୁଛନ୍ତି, ସେମାନଙ୍କୁ ନେଇ ଲାଗିଥିବା କୋଳାହଳରେ ଆମେ ଆଉ ଧରାପଡ଼ିବୁ ନାହିଁ ବୋଲି ସେମାନେ ହୁଏତ ଆତ୍ମପ୍ରସାଦ ଲାଭ କରୁଥିଲେ । ମାତ୍ର ଏହା ଏପରି ଏକ ପ୍ରକ୍ରିୟା, ଯାହାକି ଆଖର ଏମାନଙ୍କୁ ମଧ୍ୟ ଧରା ପକାଇଦେବ-। ଶୁମ୍ଭ ନିଶୁମ୍ଭକୁ ଗାତ ଭିତରୁ ବାହାର କରି ଆଣିବ । ଜନଗଣଙ୍କର ମୋହଭଙ୍ଗ ହେଲେ ସେମାନେ ଏହି ପ୍ରକ୍ରିୟାଟିରେ ଗୋଟିଏ ପର୍ଯ୍ୟାୟରେ ସ୍ଵୟଂ ଏକ ଭୂମିକା ଗ୍ରହଣ କରିବାକୁ ବାହାରି ଆସିବେ-। ସେହି ନୂତନ ଆହ୍ୱାନର କ୍ଷେତ୍ରଟିରେ ଏକ ନୂତନ ନେତୃତ୍ୱ ମଧ୍ୟ ଜନ୍ମଲାଭ କରିବ । ଏବେ ଯେପରି Appropriate technologyର କଥା କୁହାଯାଉଛି, ଇତିହାସରେ ସେହିପରି ଏକ Appropriate leadershipର ତତ୍ତ୍ୱ ସର୍ବଦା କାର୍ଯ୍ୟ କରୁଥାଏ । ଆମେ ବଜାରରେ ସଫଳ ଓ ସବଳ ହୋଇ ଦିଶିବା ଲାଗି ଏବେ ସତେଅବା ଠିକ୍ ଆମକୁ ସୁହାଇବା ଭଳି ଏକ ନେତୃତ୍ୱକୁ ସହ୍ୟ କରୁଛୁ । ଅନ୍ତତଃ କିଛି ଅନ୍ୟ ପ୍ରକାର ଦେଖି ଆମ ବିଶ୍ୱାସକୁ କିଛି ପୁଞ୍ଜି ମିଳିଗଲେ ସେତେବେଳେ ଏକ ଅନ୍ୟ ବାସନା ନେଇ ଆମେ ଯେଉଁ ଅନ୍ୟଭଳି ନେତୃତ୍ୱର ପ୍ରତ୍ୟାଶା କରିବାକୁ ବାହାରିବା ସେହି ନେତୃତ୍ଵ ଆମ ଭିତରୁ ବାହାରିବ, ଅଗଣାମାନେ ଗଣାହେବେ-। ଯେଉଁମାନେ ଯୁଗ ଖଳ ହୋଇଗଲା ବୋଲି ଚୁପ୍ ହୋଇ ମୁହଁ ଲୁଚାଇ ରହିଥିଲେ, ସେମାନଙ୍କ ପାଇଁ ପୁଣି ଡାକରା ଆସିବ । କାଳ ପ୍ରସ୍ତୁତ ହେଲେ ମେଘ ଅବଶ୍ୟ ବରଷିବ ।

Image

 

ଏହି ବନ୍ୟାବେଳେ

 

ଏ ବର୍ଷ ଆଷାଢ଼ମାସର ବନ୍ୟାରେ ଏତେଗୁଡ଼ିଏ ଜିଲ୍ଲାରେ ଯେତିକି କ୍ଷତି ହୋଇଛି ବୋଲି ଖବରକାଗଜରେ ବାହାରୁଛି, ପ୍ରକୃତ କ୍ଷତି ତାହାଠାରୁ ଯଥେଷ୍ଟ ଅଧିକ ହୋଇଛି । ଯେତିକି ଦୁର୍ଗତି ଆଖିରେ ପଡ଼େ, ପ୍ରକୃତ ଦୁର୍ଗତି ତା’ଠାରୁ ପ୍ରାୟ ସବୁ କ୍ଷେତ୍ରରେ ଅନେକ ଗୁଣ ଅଧିକ ହୋଇରହିଥାଏ । ଏବଂ ଖବରକାଗଜକୁ ଖବର ଲେଖି ପଠାଇବା ବ୍ୟକ୍ତିମାନେ ପ୍ରକୃତରେ କେତେ ବା ଦେଖନ୍ତି । ଏହି ଉତ୍କଳଖଣ୍ଡରେ ଯେ ବନ୍ୟା ମଣିଷମାନଙ୍କର ଜୀବନରେ ଏକ ଦୁର୍ଗତିରୂପେ ଆସନ ଭିଡ଼ି ବସିଛି, ଉତ୍କଳମଣି ଗୋପବନ୍ଧୁ ସମ୍ଭବତଃ ସେହି ସମ୍ବାଦଟିକୁ ଖବରକାଗଜକୁ ଆଣିଲେ । ସିଏ ଆଜିକୁ ପ୍ରାୟ ସତୁରି ବା ଅଶୀବର୍ଷ ତଳର କଥା ।

 

ସେତେବେଳେ ଦେଶ ସ୍ୱାଧୀନ ହୋଇ ନଥିଲା । ତତ୍କାଳୀନ ଶାସକମାନଙ୍କ ପାଖରେ ସେହି ବନ୍ୟାରୂପୀ ଦୁର୍ଗତିକୁ ଦୂର କରିବା ନିମନ୍ତେ ପ୍ରୟୋଜନ ନଥିଲା, ତେଣୁ ସମ୍ବଳ ମଧ୍ୟ ନଥିଲା-। ଦେଶ ସ୍ଵାଧୀନ ହେଲେ ନଦୀ–ବନ୍ୟାଜନିତ ଏହି ଦୁର୍ଗତି ତଥାପି ଯେ ଲକ୍ଷ ଲକ୍ଷ ମଣିଷଙ୍କୁ ଭୋଗିବାକୁ ହେବ, ତତ୍କାଳୀନ ସ୍ଵାଧୀନତା–ସଂଗ୍ରାମୀମାନେ ସେକଥା ହୁଏତ କେବେହେଲେ କଳ୍ପନା କରି ନଥିବେ । ସ୍ଵାଧୀନତା ଆସିଲା, ସ୍ଵାଧୀନ ଶାସନର ଖୁଣ୍ଟଗୁଡ଼ିକ ଦିନୁଦିନ ଅଧିକ ଜବର ହେଲା-। ନଈରେ ବନ୍ଧ ପଡ଼ିଲା, ତଥାପି ବନ୍ୟାକୁ ଆୟତ୍ତ କରି ହେଲାନାହିଁ ବା ଦୁର୍ଗତ ମଣିଷମାନଙ୍କର ଦୁର୍ଗତିକୁ ରୋକି ହେଲାନାହିଁ ।

 

ସେତେବେଳେ ଉତ୍କଳମଣି ଥିଲେ, ଯିଏ କି ଆଖିରେ ଲୁହଭରି ବନ୍ୟାଦୁର୍ଗତ ଅଞ୍ଚଳକୁ ଚାଉଳ ଓ ଚୁଡ଼ା ବାଣ୍ଠି ଯାଉଥିଲେ । ବର୍ତ୍ତମାନବି ଉତ୍କଳମଣିମାନେ ଅଛନ୍ତି, ଯେଉଁମାନେ ଏହି ଚିହ୍ନା ଓ ପୁରୁଣା ଦୁର୍ଗତିଟା ବିଷୟରେ ପୂର୍ଣ୍ଣଜାଗରୁକ ହୋଇ ରହିଛନ୍ତି । ସେମାନେ ଅଳପ ସମୟରେ ମେଘଲୋକରୁ ଦୁର୍ଗତିଗୁଡ଼ିକୁ ମାପି ପାରୁଛନ୍ତି, ଦୁଃଖର ଅଟକଳ କରିପାରୁଛନ୍ତି ଓ ସାହାଯ୍ୟ ଦେବାକୁ ପହଞ୍ଚି ଯାଇ ପାରୁଛନ୍ତି । ଏବେ ତ ରାଜଧାନୀରୁ ଖାଦ୍ୟ ରନ୍ଧାହୋଇ ସେହି ଆକାଶମାର୍ଗରୁହିଁ ଉପବାସୀମାନଙ୍କ ନିମନ୍ତେ ତଳକୁ ପକାଇ ଦିଆଯାଇପାରୁଛି । ଭୁବନେଶ୍ୱର ସିଧା ଦିଲ୍ଲୀକୁ ଲକ୍ଷ ଲକ୍ଷ ଟଙ୍କା ମାଗିପାରୁଛି । ସରକାର ଲକ୍ଷ ଲକ୍ଷ ଖରଚ କରିପାରୁଛନ୍ତି । ଏସବୁ ହରିହାଟ ଦେଖି ମନେହେଉଛି, ଏମିତି ଆଉ ଛଅଟା ଦୁର୍ଗତି ଆସି ପଡ଼ିଲେ ମଧ୍ୟ ଚିନ୍ତା କରିବାର ଆଦୌ କିଛି ନାହିଁ । ମାଲିକ ଘରେ ସବୁପ୍ରକାର ଅବସ୍ଥାକୁ ସମ୍ଭାଳି ନେବାଲାଗି ଯଥେଷ୍ଟ ମହଜୁଦ୍‍ ହୋଇ ରହିଛି । ଦୁର୍ଗତ ମଣିଷମାନେ ମଧ୍ୟ ଆଉ ଦୁର୍ଗତିଗୁଡ଼ିକୁ ସତେଅବା ସେତେ ନଡ଼ରୁଥିବା ପରି ମନେହେଉଛି । ସେମାନେ ଏହି ଦେଶରେ ତଥାପି ଅଛନ୍ତି ବୋଲି ଅନ୍ତତଃ ଦୁର୍ଗତି ସମୟରେ ତ ଜଣାପଡ଼ିଯାଉଛି । ସରକାର ତା’ ଦୁଆରମୁହଁକୁ ଆସୁଛନ୍ତି, ସରକାରରେ ନଥିବା ଅଥଚ ସରକାର ଭିତରକୁ ଆଶାୟୀ ହୋଇ ରହିଥିବା ଅନ୍ୟ ଅସ୍ତିତ୍ୱମାନେବି ଆସି ପହଞ୍ଚିଯିବାକୁ କମ୍ ବ୍ୟାକୁଳ ହେଉନାହାନ୍ତି ।

 

ବନ୍ୟାନାମକ ଦୁର୍ଗତି ବିଷୟରେ ଇଏ ହେଉଛି ଗୋଟିଏ କଥା । ଏହାର ସମ୍ପୂର୍ଣ୍ଣ ଆଉଗୋଟିଏ ପାଖ ମଧ୍ୟ ରହିଛି । ଏହା ଆମ ବଦାନ୍ୟମାନଙ୍କୁ ଭାରି ଧରାପକାଇ ଦେଉଛି । ବଦାନ୍ୟମାନେ ସରକାର ଭିତରେ ଅଛନ୍ତି, ସରକାର ବାହାରେ ମଧ୍ୟ ଅଛନ୍ତି । ଆପଣାର ସ୍ଥିତି ଦୃଷ୍ଟିରୁ ସବୁକଥା ଦୁଇପକ୍ଷକୁ ଏକାବେଳେକେ ଅଲଗାଅଲଗା ପ୍ରକାରର ଦେଖାଯାଉଛି । ଗୋଟିଏ ବନ୍ୟାକୁ, ଅର୍ଥାତ୍ ସେହି ଗୋଟିଏ ଦୁର୍ଗତିକୁ ସେମାନେ ଭିନ୍ନ ଭିନ୍ନ ଆଖିରେ ଦେଖୁଛନ୍ତି ଓ ତେଣୁ ଦୁର୍ଗତିଟିର ଦୁଇ ବିଭିନ୍ନ ପ୍ରକାରର ଭାଷ୍ୟ କରୁଛନ୍ତି । ଦୁହେଁ ବନ୍ୟାଞ୍ଚଳକୁ ସରଜମିନ ଅନୁସନ୍ଧାନରେ ଯାଉଛନ୍ତି, ତେଣୁ ଫେରିଆସି ଦୁଇ ପ୍ରକାରର ଭୂମିକା ଗ୍ରହଣ କରୁଛନ୍ତି । ଖବରକାଗଜରେ ତାହା ସତେଅବା ବାଳୀ ଓ ସୁଗ୍ରୀବଙ୍କର କଥୋପକଥନ ଅଥବା ଗୀତାଭିନୟ ପରି ଶୁଣାଯାଉଛି । ଏମାନେ ଆପଣାର ଦର୍ପଣରେ ଦୁର୍ଗତିଟିକୁ ଦେଖୁଛନ୍ତି । ଯେଉଁମାନେ ଭଣ୍ଡାରର ମାଲିକ ଭାବରେ ଶାସନ ଭିତରେ ଅଛନ୍ତି, ସେମାନେ ତ୍ରାଣର କାର୍ଯ୍ୟଗୁଡ଼ିକ ଠିକ୍ ଭାବରେ ଚାଲିଛି ବୋଲି ଖବରକାଗଜକୁ କହୁଛନ୍ତି । ସମ୍ପୂର୍ଣ୍ଣ ଯୁଦ୍ଧ ଭିତ୍ତିରେ ସବୁ ବରାଦ ହୋଇଛି ଓ ତେଣୁ ଆଦେଶ ଅନୁସାରେ ଅଲବତ୍ କାର୍ଯ୍ୟକାରୀ ମଧ୍ୟ ହେଉଥିବ ବୋଲି କହିବାରେ ଲାଗିଛନ୍ତି । ଆପଣାପ୍ରତି ସହାନୁଭୂତି ଜାଗୃତ କରାଇବାକୁ, ସିଏ ବଞ୍ଚିଥିବା ପର୍ଯ୍ୟନ୍ତ ବନ୍ୟାରେ ଜଣେମାତ୍ର ଲୋକକୁ ମରିବାକୁ ଦିଆଯିବନାହିଁ ବୋଲି କହି କେହି ଏକାନ୍ତ ଭାବପ୍ରବଣ ହୋଇ କାରୁଣ୍ୟ କରୁଛି । ସେଥିରୁ ନିଶ୍ଚୟ କିଛି ରାଜନୀତିକ ଫଳ ଅବଶ୍ୟ ଫଳିବ ବୋଲି ସେ ହୁଏତ ଭାରି ନିଷ୍ଠାପର ଭାବରେ ଭରସା ରଖିଛି । ତା’ର ଭଗାରିମାନେ ହସିବାରେ ଲାଗିଛନ୍ତି ।

 

ଭଗାରିମାନେ କହୁଛନ୍ତି, କିଛି ହେଉନାହିଁ । ତ୍ରାଣ ପହଞ୍ଚାଇବାରେ ସରକାର ଶୋଚନୀୟ ଭାବରେ ବିଫଳ ହୋଇଛନ୍ତି । ଭଗାରିମାନେ ସରକାରରେ ନାହାନ୍ତି । ଆଏବା ଥରକୁ ସେମାନେ ଅଲବତ୍ ସରକାରକୁ ଆସିବେ ବୋଲି ନାହାକ ପାଖରେ ନିଜର କୋଷ୍ଠୀ ଦେଖାଇ ଜାଣି ସାରିଲେଣି । ସେହି ପିଠାଟିକୁ ନଜରରେ ରଖି ସେମାନେ ଚୂନା କୁଟି ବାହାରିଛନ୍ତି । ଭାରତବର୍ଷ ଏମିତି ଗୋଟିଏ ପରମ ଆଗ୍ରହୋଦ୍ଦୀପକ ମୁଲକ, ଯେଉଁଠାରେ କି ରାଜନୀତିକ ମତ ଓ ଦଳର ନିର୍ବିଶେଷରେ ଯେଉଁମାନେ କ୍ଷମତାରେ ଥାଆନ୍ତି, ସେମାନେ ସବୁବେଳେ ଗୋଟିଏ ଭାଷାରେ କଥା କହନ୍ତି ଏବଂ ଯେଉଁମାନେ କ୍ଷମତାରେ ନଥାନ୍ତି ଓ କ୍ଷମତାକୁ ଉଣ୍ଡୁଥାନ୍ତି, ସେମାନେବି ସର୍ବଦା ଗୋଟିଏ ଭାଷାରେ କଥା କହନ୍ତି । ସେମାନେ ଦେଶକୁ ଦେଖନ୍ତି ନାହିଁ, ନିଜକୁହିଁ ଦେଖନ୍ତି ଏବଂ ସେହି ଅନୁସାରେହିଁ ନିଜର ଭୂମିକାଗୁଡ଼ିକୁ ସ୍ଥିର କରି ନେଇଥାନ୍ତି । ଏହି ଦୃଷ୍ଟିରୁ ଦେଖିଲେ ସେମାନେ ଆଦୌ ପରସ୍ପରଠାରୁ ଭିନ୍ନ ନୁହନ୍ତି ।

 

ଖବରକାଗଜରେ ବାହାରିଛି ଯେ, ଏବେ ବନ୍ୟାଦୁର୍ଗତ ଆମ ଅଞ୍ଚଳରେ କେଉଁଠି ଡଙ୍ଗାଟିଏ ବୁଡ଼ିଗଲା । ବନ୍ୟାପୀଡ଼ିତ ଲୋକମାନଙ୍କର ଦୁର୍ଗତିକୁ ସ୍ୱଚକ୍ଷୁରେ ଦେଖିବାଲାଗି ଯେଉଁମାନେ କଟକ ବା ଭୁବନେଶ୍ୱରରୁ ଯାଇଥିଲେ, ସେହି ଡଙ୍ଗାରେ ସେହିମାନେ ଥିଲେ । ସେମାନଙ୍କର ସମସ୍ତଙ୍କର ନାଆଁ ଖବରକାଗଜରେ ବାହାରିଛି । ଓଡ଼ିଶାରେ ରାଜନୀତିରେ ସେମାନେ ସବୁଗୁଡ଼ିକ ଚିହ୍ନା ମୁହଁ । ସେମାନେ ସମସ୍ତେ ଗୋଟିଏ ରାଜନୀତିକ ଦଳର ମଣିଷ । ଗୋଟାସୁଦ୍ଧା ଆଦର୍ଶବାଦୀ ସବୁବେଳେ ନିଜ ପାଟକଟି ସହିତ ବିଚରଣ କରୁଥାଏ । ଆଉଦିନେ ଏହି ବନ୍ୟାକ୍ରାନ୍ତ ଅଞ୍ଚଳକୁ ଲୋକପ୍ରତିନିଧିମାନେ ଯିବେ ବୋଲି ବିଧାନସଭା ତିନିଦିନ ପାଇଁ ବନ୍ଦ ହୋଇଗଲା । ବିଧାନସଭା ଭିତରେ ସେମାନେ ସମସ୍ତେ ଗୋଟିଏ ରାଜ୍ୟର ପ୍ରଜାମାନଙ୍କର ପ୍ରତିନିଧିତ୍ୱ କରୁଥିଲେ । ସେହି ପ୍ରଜାମାନେ ବନ୍ୟାବିପର୍ଯ୍ୟୟ ଭିତରେ ପଡ଼ିଥିବା ସମୟରେ ସେମାନେ ତଥାପି ଏକାଠି ହୋଇ ସେମାନଙ୍କ ପାଖକୁ ଯାଇପାରିଲେ ନାହିଁ । ଏକାଠି ଦୁର୍ଗତି ଦେଖି ଓ ସାହାଯ୍ୟ ବାଣ୍ଟିଗଲେ ହୁଏତ ଦଳର କ୍ଷତି ହେବ ବୋଲି ସେମାନେ ସତେଅବା ଏକ ଅବିବେକର ବୋଲ ମାନି ଅଲଗାଅଲଗା ଗଲେ । ଯେଝା ମତଲବରେ ଯିଏ ଗଲେ । ଯେଝା ମତଲବରେ ଯାହା ଦେଖିବାର ଦେଖିଲେ । ଏବଂ ତା'ପରେ ତିନିଦିନ ପରେ ବିଧାନସଭାକୁ ଫେରିଆସି ସେହି ଅନୁସାରେ ତୁଣ୍ଡଗୋଳ କଲେ । ସତେଅବା ନିଜେ ଗିଳିଥିବା ଗଦଟି ଅନୁସାରେ ସବୁ ଦେଖିଲେ ଓ ସବୁ ଉଦ୍‍ଗାରିଲେ ।

 

ଯଦି ଦଳ ଅନୁସାରେ ବାଣ୍ଟି ହୋଇ ନଯାଇ ଏମାନେ ଏକାଠି ମିଶି ଗୋଟିଏ ଗୋଟିଏ ଗୋଷ୍ଠୀରେ ଏଠାକୁ ବା ସେଠାକୁ ଯାଇଥାନ୍ତେ, ତେବେ ଖୁବ୍ ସମ୍ଭବ ସେମାନେ ଅନ୍ୟ ପ୍ରକାରେ ଦେଖିଥାନ୍ତେ ଓ ତେଣୁ ଅନ୍ୟପ୍ରକାରେ କାମରେ ଲାଗିପାରିଥାନ୍ତେ । ହୁଏତ ବର୍ତ୍ତମାନ ସରକାର ଚଳାଉଥିବା ସଂଖ୍ୟାଧିକ ଦଳଟି ଏହିପରି ଏକ ଅଭିନବ ପରମ୍ପରାର ସୃଷ୍ଟି କରିବାରେ ନେତୃତ୍ୱ ନେଇଥାନ୍ତା । ତେବେ ସେମାନେ ସମସ୍ତେ ଏହି ଗୋଟିଏ ରାଜ୍ୟର ପ୍ରତିନିଧି ବୋଲି ଅନୁଭବ କରିଥାନ୍ତେ ଓ ରାଜ୍ୟର ଦୁର୍ଗତ ମନୁଷ୍ୟମାନଙ୍କ ପାଖକୁ ଯାଇଥାନ୍ତେ ।

 

ତେବେ କେବଳ ତ୍ରାଣ କାର୍ଯ୍ୟଟିର ଯେ ମହିମା ବୃଦ୍ଧି ପାଇଥାନ୍ତା ତା’ନୁହେଁ, ଏହି ରାଜ୍ୟର ରାଜନୀତିରେ ମଧ୍ୟ ହୁଏତ ଏକ ଉତ୍ତୋଳନ ଘଟି ପାରିଥାନ୍ତା । ଏହାଦ୍ୱାରା ଯେ ଦଳଗୁଡ଼ିକର ସ୍ୱତନ୍ତ୍ର ଅସ୍ତିତ୍ୱରେ ଆଦୌ କୌଣସି ଆଞ୍ଚ ଲାଗିଥାନ୍ତା, ସେକଥା ମୋଟେ ନୁହେଁ । ବରଂ ଓଲଟା ଘଟଣା ଘଟିଥାଆନ୍ତା, ଯାବତୀୟ ରାଜନୀତିରେ ଯେ ସର୍ବଥା ଏକ ବୃହତ୍ ପରମ୍ପରା ରହିଚି ଓ ଯାବତୀୟ କ୍ଷୁଦ୍ର ପରମ୍ପରା ଯେ ସର୍ବଦା ତାହାକୁହିଁ ଅସଲ ପରିଧି ବୋଲି ମାନି ନିଜକୁ ପରିଚାଳିତ କରିବ, ଆମ ପ୍ରତିନିଧିମାନେ ସେହି ସତ୍ୟଟିକୁ ଅଙ୍ଗେ ନିଭାଇଥାନ୍ତେ; ରାଜ୍ୟର ପ୍ରଜାମାନଙ୍କ ପ୍ରତି ରହିଥିବା ସେମାନଙ୍କର ଅଙ୍ଗୀକାରବଦ୍ଧତାରେ ଏକ ନୂତନ ପ୍ରସ୍ଥ ହୁଏତ ଦୃଶ୍ୟ ହୋଇପାରିଥାନ୍ତା । ଏବଂ ରାଜ୍ୟବାସୀ ମଧ୍ୟ ସେମାନଙ୍କ ଉପରେ ପ୍ରତ୍ୟୟ ରଖିବାକୁ ଏକ ବଳିଷ୍ଠ କାରଣ ପାଇଯାଇଥାନ୍ତେ । ଏକାଧିକ କାରଣରୁ ସ୍ୱାଧୀନ ଭାରତବର୍ଷରେ ପ୍ରତିନିଧି ଓ ପ୍ରଜା ମଧ୍ୟରେ, ଶାସନ ଓ ଶାସିତ ମଧ୍ୟରେ ଏବଂ ସର୍ବୋପରି, ସମସ୍ୟା ଏବଂ ସେଗୁଡ଼ିକର ସମାଧାନବୋଧ ଭିତରେ ଯେଉଁ ଦୂରତାମାନ ଆମକୁ କାବୁ କରି ରଖିଥିବା ପରି ଠିଆହୋଇ ରହିଛି, ସେହି ଦୂରତାଗୁଡ଼ିକୁ କାଟି ଆଗକୁ ଯାଇ ପାରିବାରେ ଆମେ ଯେଡ଼େ କ୍ଷୁଦ୍ର ହେଲେ ମଧ୍ୟ ଉଚିତ ଓ ସାଧୁ ପଦକ୍ଷେପଟିଏ ନେଇପାରିଥାନ୍ତୁ ।

 

କାରଣ, ଯିଏ ଯାହା କହୁ ପଛକେ, ଏ ଦେଶର ମଣିଷମାନଙ୍କ ପାଇଁହିଁ ଯାବତୀୟ ରାଜନୀତି । ମଣିଷମାନଙ୍କ ପାଇଁ ଏହି ନେତାମାନେ ଏବଂ ପ୍ରତିନିଧିମାନେ । ମଣିଷମାନଙ୍କୁ ଛାଡ଼ିଛି ବୋଲି ଆମ ରାଜନୀତି କାଳକ୍ରମେ ସଭାମୁହାଁ ଓ କ୍ଷମତାମୁହାଁ ହୋଇଯାଇଛି, ମହତ ହରାଇଛି । ଏ ନେତାମାନେ କେଡ଼େ କେଡ଼େ ବଡ଼ ଦିଶୁଥିଲେ ମଧ୍ୟ ଅସଲ ମହତ ଓ ଅସଲ ଔଚିତ୍ୟଟିକୁ ହରାଇ ବସିଛନ୍ତି । ସେମାନେ ମନକଲେ ପୁନର୍ବାର ବଜାରରୁ ଘରକୁ ଫେରି ଆସିପାରିବେ । ନିଜେ ନିଜର ବିକଳ୍ପ ହୋଇପାରିଲେ ଯାଇ ସେମାନେ ଅର୍ଜିଥିବା ଲଜ୍ଜାଗୁଡ଼ାକୁ ଅତିକ୍ରମ କରିଯାଇପାରିବେ-

Image

 

ପ୍ରକୃତି ଓ ମନୁଷ୍ୟପ୍ରକୃତି

 

ଦୁଇ ପାଖରେ ପର୍ବତ, ମଝିରେ ରେଳଲାଇନ୍ ଓ ଆମ କଲେଜ । ସେ ପାଖ ପର୍ବତଟି କୋଉ ଯୁଗରୁ ଗୋଟିଏ ସବୁଜ ପିରାମିଡ଼୍‍ ପରି ଛିଡ଼ାହୋଇ ରହିଛି । ଏପାଖ ପର୍ବତର କାନ୍ଧ ଉପରେ ମେଘମାନେ ଓହଳି କରି ରହିଛନ୍ତି । ବର୍ଷାଦିନେ ସବୁ ସଜଳ ଓ ପ୍ରାଣବନ୍ତ ଦେଖାଯାଉଛି । ନୀରବତା କଥା କହୁଛି । ସକାଳେ ଚାରିଆଡ଼ ଯେମିତି ଦିଶୁଛି, ସଞ୍ଜବେଳେ ମଧ୍ୟ ସେମିତି ଦେଖାଯାଉଛି । ସମସ୍ତେ କହନ୍ତି ମଣିଷ ସୁନ୍ଦର ହେଲେ ତାକୁ ପ୍ରକୃତିଟା ମଧ୍ୟ ସୁନ୍ଦର ଦିଶେ । ତେବେ, ପ୍ରକୃତିଟା ଯେଉଁଠି ଆପେଆପେ ଏଡ଼େ ସୁନ୍ଦର ଦେଖାଯାଉଥାଏ, ସେଠି ମଣିଷମାନେ ସୁନ୍ଦର ହେବାକୁ ତଥାପି ଅମଙ୍ଗ ହୁଅନ୍ତି କାହିଁକି କେଜାଣି ?

 

ଦୁଇପାଖରେ ପର୍ବତ, ମଝିରେ ଆମ କଲେଜ ଓ ରାଜ୍ୟର ଗୋଟିଏ ପ୍ରଧାନ ରାସ୍ତା । ରାସ୍ତାରେ ଗାଡ଼ିମଟରର କୋଳାହଳ ଲାଗି ରହିଥାଏ । ମାତ୍ର ଆମ କଲେଜର ପାଚେରୀ ଏପାଖକୁ ସେହି କୋଳାହଳ ମୋଟେ ଡେଇଁ ପାରେନାହିଁ । କଲେଜ ହତାରେ ଆମ୍ବଗଛ ଆଉ ନିମ୍ବଗଛର ସୁମାରି ନାହିଁ । ଏଡ଼େ ଉଚ୍ଚ କୋଠା, ସବୁଜ ବନାନୀର ଆଭରଣ ଭିତରେ ସବୁବେଳେ କେଡ଼େ ପ୍ରସନ୍ନ ଦେଖାଯାଉଥାଏ । ସେଇସବୁ କୋଠା ଭିତରେ ଶିକ୍ଷାଳୟ, ଗ୍ରନ୍ଥାଗାର, ପ୍ରୟୋଗଶାଳା, ଛାତ୍ରମାନଙ୍କର ଆବାସ, ଆମ ଅଧ୍ୟାପକମାନଙ୍କର ପାରିବାରିକ ସଂସାରବି । ପାହାଡ଼ର ଢାଲୁରେ ଏହି ସବୁକିଛି ସତେଅବା ଗୋଟିଏ ଚିତ୍ରପଟ ପରି ଦିଶୁଥାଏ । ଆବାସଗୁଡ଼ିକୁ ଉଢ଼ୁଆଳ କରି ରଖି ଆହୁରି କେତେକେତେ ଏବେ ଲଗାହୋଇଥିବା ବଡ଼ବଡ଼ ଗଛ । ଆମ କଲେଜର ବଜାରଟି ବସିବା ପୂର୍ବରୁ ଏଠାରେ ଗୋଟାପ ଜଙ୍ଗଲ ଥିଲା ।

 

ଜଙ୍ଗଲରେ ଜଙ୍ଗଲର ଜନ୍ତୁମାନେ ଥିଲେ । ଦିନବେଳେବି ରାତିପରି ଲାଗୁଥିଲା । କଲେଜ ହେବାପରେ ଜଙ୍ଗଲଟି ଗୋଟିଏ ଘରକୁ ରୂପାନ୍ତରିତ ହୋଇଗଲା । ବିଜୁଳି ଆଲୁଅ, ଅଣ୍ଟାରୁ ମଥାଯାଏ ହତାଟା ଚାରିପାଖରେ ଗୁରାଇ ହୋଇ ରହିଥିବା ପିଚୁରାସ୍ତା । ଏଠାରେ କଲେଜଟିଏ ହେଲେ ସତକୁସତ କେଡ଼େ ସୁନ୍ଦର ଦିଶିବ ବୋଲି ପହିଲି ସମୟରେ କର୍ତ୍ତାମାନେ ଏହି ନୂଆ ସର୍ଜନାଟିକୁ ଏଠାକୁ ଆଣିଥିଲେ । ଏସବୁ ଏବର କଥା । ଭାରତବର୍ଷର ସ୍ଵାଧୀନ ହେଉଥିବାବେଳର କଥା, ଆମ ସ୍ୱାଧୀନ ଭାରତବର୍ଷର କଥା ।

 

ଆମ କଲେଜର ସରକାରୀ କଲେଜ । ସରକାର ଚଳାନ୍ତି । ସରକାର ଦରମା ଦିଅନ୍ତି । ଆମଠାରେ ତାଙ୍କର କେଉଁ ଅପାର ବିଶ୍ୱାସ ରହିଛି କେଜାଣି, ଆମଠାରୁ ହିସାବ ମାଗନ୍ତି ସିନା, ଆମର ହିସାବ ମାଗନ୍ତି ନାହିଁ । ସବୁ ହିସାବ କାଗଜରେହିଁ ପାଇଯାଆନ୍ତି । ଆମେ ବୟସରେ ଆଗେଇ ଚାଲିଥିବା ସଙ୍ଗେ ସଙ୍ଗେ ତଳ ପାହାଚରୁ ଉପର ପାହାଚକୁ ଉଠିଯିବାରେ ଲାଗିଥାଉ । ଅଧିକରୁ ଅଧିକ ପଇସା ପାଉ । ଭାରତବର୍ଷରେ ପ୍ରାଚୀନ କାଳରେ ଆଚାର୍ଯ୍ୟମାନଙ୍କର, ଗୁରୁମାନଙ୍କର ଭାରି ସମ୍ମାନ ଥିଲା । ସମ୍ଭବତଃ ସେହି ପରମ୍ପରାକୁ ସମ୍ମାନ ଦେଖାଇ ସରକାର ଆମ ଅଧ୍ୟାପକମାନଙ୍କୁ ପ୍ରାୟ ଗୋଟାସୁଦ୍ଧା ଆମ ହାତରେ ଛାଡ଼ି ଦେଇଥାନ୍ତି । କେବଳ ଆମର ଗୋଟାଏ କଲେଜରେ ନୁହେଁ, ଓଡ଼ିଶାଯାକ ଯେତେ ସରକାରୀ କଲେଜ ଅଛି, ସବୁ କଲେଜରେ । ଆମେ ସରକାରୀମାନେ ଆଗରେ, ଆଉ ତଥାକଥିତ ବେସରକାରୀମାନେ ଆମ ପଛରେ । ସେମାନେ ଆମରି ପଦାଙ୍କକୁହିଁ ଅନୁସରଣ କରନ୍ତି । ଯାହା କିଛି ଯେତେବେଳେ ପାଇବା କଥା, ସରକାର ତାହା ଆଗ ଆମକୁ ଦିଅନ୍ତି, ବେସରକାରୀମାନଙ୍କ ପାଇଁ ଗରଜରେ ପଡ଼ିଲେ ଯାଇ ହୁଏତ ସାତପଛରେ ତାହାର ବିଚାର ହୁଏ ।

 

ଆମ କଲେଜର ହାଲ୍‍ଚାଲ୍‍ ଜାଣିବାକୁ ଆପଣ ଯଦି ଆଗ ଆମର ପିଲାମାନଙ୍କ ପାଖକୁ ଯିବେ, ତେବେ ସେମାନେ ଆପଣଙ୍କୁ କହିବେ ଯେ ଏହି କଲେଜ ଚାଲୁଥିବା ପରି ଦେଖା ଯାଉଥିଲେ ମଧ୍ୟ ତଥାପି ଚାଲୁ ନଥାଏ । ଖାତାପତ୍ର ସବୁ ଠିକ୍ ଥାଏ, କିଏ କେତେବେଳେ କାହାକୁ କ’ଣ ପଢ଼ାଇବ, ସବୁ ନିଖୁଣ ଭାବରେ ବରାଦ ହୋଇ ରହିଥାଏ । ମାତ୍ର, ପାଠପଢ଼ା ହୁଏ ନାହିଁ । ପିଲାଏ ପଢ଼ିବାକୁ ଆସନ୍ତି, ମାତ୍ର ଅଧ୍ୟାପକମାନେ ପଢ଼ାଇବାକୁ ଆସନ୍ତି ନାହିଁ ବୋଲି କ୍ଲାସ୍ ହୁଏନାହିଁ-। ମକଦ୍ଦମାର ତାରିଖ ଥିଲେ ବିଚରା ମଣିଷ ଯେମିତି କଚେରିକୁ ଆସେ ଓ ଶୁଣାଣି ନହୋଇ ତାରିଖ ପୁଣି ଗଡ଼େ ବୋଲି ଯେପରି ନିରାଶ ହୋଇ ଘରକୁ ବାହୁଡ଼େ, ଇଏ ପ୍ରାୟ ସେହିଭଳି ହୁଏ । ପ୍ରତ୍ୟହ ହୁଏ-। ବର୍ଷ ପରେ ବର୍ଷ ଲାଗି ରହିଥାଏ । ସତେ ଯେପରି ପରମ୍ପରାରେ ପଡ଼ି ଯାଇଥାଏ-। ପରମ୍ପରାରେ ପଡ଼ି ଯାଇଥାଏ ବୋଲି ସମ୍ଭବତଃ ସମ୍ପୃକ୍ତ କାହାକୁ ହେଲେ କାଟେନାହିଁ-। ଅଧ୍ୟାପକ ନଆସନ୍ତୁ ବା କ୍ଲାସ୍ ନହେଉ ପଛକେ ତଥାପି କଲେଜର ପାଠାଗାରଟା ହୁଏତ ତାହାର କିଞ୍ଚିତ୍ କ୍ଷତିପୂରଣ କରିପାରୁଥାନ୍ତା । ସାଆନ୍ତ ନଥିଲେ ମଧ୍ୟ ଅମାରରୁ ଧାନ ନେଇ ହେଉଥାନ୍ତା-। ମାତ୍ର, ଅମାର ସତେଅବା ଖାଲି ପଡ଼ିଥାଏ । ବହିଗୁଡ଼ାକ ଆସିଥିଲେ ସତ, ମାତ୍ର କୋଉ ବାଟରେ ଯେ କେମିତି ଚାଲିଗଲେ, ସେକଥା ହୁଏତ ଏ ଦେଶର ଈଶ୍ଵରପାର୍ବତୀଙ୍କୁ ମଧ୍ୟ ଜଣା ନଥିବ-। ତେଣୁ ଲାଇବ୍ରେରି କଥା ପଡ଼ିଲେ, ଅଧ୍ୟାପକମାନେ ଏହି ଉଜୁଡ଼ିଯିବା ବିଷୟରେ କଥା ହୁଅନ୍ତି-। ସତେଯେପରି ଘର ଭିତରେ ଚୋର ପଶି ଘର ଉଜାଡ଼ି ଦେଉଥାଏ ଓ ଖୋଡ଼ିଆଟିଏ ସେକଥା ଦେଖି ମଧ୍ୟ କିଛି କରିପାରୁ ନଥାଏ, ଅଧ୍ୟାପକମାନେ ସେହିଭଳି ଏକ ମୁଦ୍ରାରେ କଥା କହି ତୁମକୁ ଲାଇବ୍ରେରି ବିଷୟରେ ଅବଗତ କରାଉଥାଆନ୍ତି ।

 

ପରୀକ୍ଷା ହୁଏ, ଫଳ ବାହାରେ ନାହିଁ । ଅସଲ ପରୀକ୍ଷା ତ ନିୟମତଃ ଭୁବନେଶ୍ୱରରୁ ହେବ, ତେଣୁ କଲେଜ ପରୀକ୍ଷାପାଇଁ କାହାରି ଗରଜ ନଥାଏ । ପରୀକ୍ଷାରେ କେତେ ନମ୍ବର ରଖିଛି ବୋଲି ପଚାରିଲେ ପିଲାମାନେ ବାପାମାଆ ହରାଇଥିବା ଅନାଥଙ୍କ ପରି ମୁହଁ କରନ୍ତି । ବଲବଲ ହୋଇ ହୁଏତ ତୁମ ମୁହଁକୁ ଅନାଇ ରହିଥାନ୍ତି । ବିଜ୍ଞାନପାଠର ବ୍ୟବସ୍ଥା ଥାଏ, ପ୍ରୟୋଗଶାଳା ଖୋଲେନାହିଁ; ଏବଂ ପ୍ରୟୋଗଶାଳାରେ ପରୀକ୍ଷା ନିଆଯିବା ତ ଆହୁରି ଦୂରର କଥା ।

 

ଅସଲ କଲେଜ ବାହାରେ ଚାଲେ । ସମାନ୍ତର ଭାବରେ ଚାଲେ । ସେଠି ଅଧ୍ୟାପକମାନେ ମରଦଙ୍କ ପରି ପାଠ ପଢ଼ାନ୍ତି । ହିସାବ ନେଲେ ଆପଣ ଜାଣିବେ ଯେ, କଲେଜର ଶତକଡ଼ା ଷାଠିଏ ପିଲା ସେଇ ଅନ୍ୟ କଲେଜଟାରେ ପଢ଼ନ୍ତି । ଅଧିକ ପଇସା ଦେଇ ପଢ଼ିବାକୁ ଯାଆନ୍ତି । ସକାଳ ସଞ୍ଜ ଦୁଇଓଳି ପଢ଼ନ୍ତି । ସେଠାରେ ନିୟମିତ ଭାବରେ ପରୀକ୍ଷାହୁଏ । ନମ୍ବର ଦିଆହୁଏ । ନିର୍ଦ୍ଧାରିତ ପାଠ୍ୟକ୍ରମଟି ବର୍ଷ ସରିବା ଆଗରୁ ସେଠାରେ ଅଲବତ୍ ସରେ । ତାହାରି ଉପରେ ନିର୍ଭର କରିହୁଏ । ଯେଉଁ ଅଧ୍ୟାପକମାନେ ସରକାରୀ ଦରମା ପାଇ କଲେଜରେ ପାଠ ପଢ଼ାଉ ଥାଆନ୍ତି, ସେମାନେ କଲେଜରେ ନପଢ଼ାଇ ନିଜ ନିଜ ଘରେ ସେହି ସମାନ୍ତର ଅନ୍ୟ ହାଟଟିରେ ପାଠ ପଢ଼ାଉ ଥାଆନ୍ତି । ଚତୁର ଅସଲ ହାଟଟି ଫାଲତୁ ହୋଇ ପଡ଼ିଥାଏ । ଚତୁର ପିଲାଏବି ଅନୁଭବରୁ ଶିକ୍ଷାଲାଭ କରି କଲେଜଟିକୁ ହୁଏତ ମୋଟେ ଆସନ୍ତିନାହିଁ । ଅଥବା, ଫୁର୍ତ୍ତି କରିବାକୁ ମନ ଥିଲେ ବେଳେବେଳେ ଟହଲ ମାରି ଆସନ୍ତି । କଲେଜରେ ତଥାପି ଆଉ ଯେଉଁ ଶହେରେ ଚାଳିଶି ପିଲା ରହିଲେ, ସେମାନେ ସତେଅବା କେଉଁ ମଣ୍ଡଳ କମିଶନର ଦୟାରୁ ପାଠ ପଢ଼ିବାକୁ ଆସୁଥିବାପରି ଅନୁଭବ କରନ୍ତି । ସେମାନେ ଭାଗ୍ୟ ଉପରେ ନିର୍ଭର କରନ୍ତି । ତଥାପି, ଏଡ଼େ ବଡ଼ କଲେଜରେ ଯେ ପାଠ ପଢ଼ୁଛନ୍ତି, ସେଥିପାଇଁ ନିଜର ନକ୍ଷତ୍ରମାନଙ୍କୁ ହୁଏତ ଧନ୍ୟବାଦ ଦେଉଥାନ୍ତି ଓ ଖୁସି ହେଉଥାନ୍ତି ।

 

ବାହାରର ସୁନ୍ଦର ପ୍ରକୃତି ମଣିଷର ଅସଲ ପ୍ରକୃତିଟାକୁ ମଧ୍ୟ ସୁନ୍ଦର ହେବାରେ ସାହାଯ୍ୟ କରେ ବୋଲି କାଳକାଳରୁ ଯେଉଁ ଅପବାଦ ରହିଆସିଛି, ଆମ କଲେଜକୁ ଆସି ଆମ ବାରତାଗୁଡ଼ିକୁ ଜାଣିଲେ ଆପଣଙ୍କର ସେହି କଥାଟି ଉପରୁ ଏକାବେଳେକେ ବିଶ୍ୱାସ ତୁଟିଯିବ । ଚିଲିକାନାମକ ଚାରୁଦୀର୍ଘିକାର ସୁନ୍ଦର ପ୍ରକୃତି କବିବର ରାଧାନାଥଙ୍କର ଭିତର ପ୍ରକୃତିକୁ ସତକୁସତ କେତେ ପରିମାଣରେ ଯୋଗ୍ୟ କରିପାରିଥିଲା କି ନାହିଁ, ସିଏ ଆଜି ଆମ ଭିତରେ ବଞ୍ଚି ରହିଲେ ଆମକୁ ଅବଶ୍ୟ କହି ଦେଇଥାନ୍ତେ । ଅନ୍ତତଃ, ଆମ କଲେଜଟା ସେହି ଅପବାଦଟାକୁ ଆଦୌ ପ୍ରମାଣ କରିପାରିବନାହିଁ । ଆମ କଲେଜରେ ଆପଣ ଯାହାକୁ ଦେଖିବେ ପଚାରନ୍ତୁ, ସିଏ କହିବ, ଏସବୁ ସବୁକାଳେ ଏମିତି ରହିଥିବ; ଆଦୌ କିଛିହେଲେ ବଦଳିବ ନାହିଁ । ଭାରତବର୍ଷ ଏପରି ଗୋଟିଏ ବିଶେଷ କିସମର ଦେଶ, ଯେଉଁଠାରେ କି ମଣିଷମାନେ ନିଜର ଭିତର ପ୍ରକୃତିଟାର ନିନ୍ଦା ଯେତିକି କରିଛନ୍ତି, ବାହାର ପ୍ରକୃତିଟାର ସେତିକି ଗୁଣଗାନ କରି ଆସିଛନ୍ତି ।

 

ଭାରତବର୍ଷକୁ ନିଜର ଦେଶ, ନିଜର ଘର ବୋଲି ଆଦରି ନେବାକୁ ସତକୁସତ ମନ କରୁଥିବା ମଣିଷ ଏସବୁ କଥାରେ ତଥାପି ମଙ୍ଗିବ ନାହିଁ । ଗୋଟିଏ ଘରକୁ ଏକ ସୁନ୍ଦର ଗଢ଼ଣ ଅଥବା ବେଢ଼ଣ ଦେଇ ସଜାଇବା ଆଗରୁ ଏହି ଘରଟି ଯେ ଆମ ନିଜର, ଆଗ ସେହି କଥାଟି ସ୍ୱୀକାର କରିନେବାକୁ ହୁଏ । ତା’ପରେ ବାହାର ଓ ଭିତର ପାଖକୁ ପାଖ ଲାଗି ଆସନ୍ତି । ବାହାରଟାକୁ ଦେଖୁଥିବା ଓ ଖୁସି ହେଉଥିବା ଆଖି ଭିତରେ ଥିବା ହୃଦୟର କେଡ଼େ ଅନ୍ତରଙ୍ଗ ହୋଇଆସେ । ଗୋଟିଏ କଲେଜରେ ଅନ୍ତତଃ କେତେଜଣ ଅଧ୍ୟାପକଙ୍କର ଜୀବନରେ ଏପରି ଘଟଣାଟିଏ ଘଟିଲେ, ସେହି କଲେଜର ପିଲାମାନଙ୍କର ଭାଗ୍ୟ ବଦଳିଯାଏ, ଦେଶ ବଦଳିଯାଏ ।

Image

 

ଡଙ୍କେଲ୍ ଡୁଙ୍କେଲ୍

 

ଆମେରିକାର ଡଙ୍କେଲ୍ ସାହେବଙ୍କର ନାମ ସହିତ ସମାନ ବନାନ ରହିଥିବା ମାତ୍ର ଟିକିଏ ଅଲଗା ଭାବରେ ଉଚ୍ଚାରିତ ହେଉଥିବା ଗୋଟିଏ ଶବ୍ଦ ଜର୍ମାନ୍ ଭାଷାରେ ରହିଛି । ଡୁଙ୍କେଲ୍ ଶବ୍ଦଟିର ଅର୍ଥ ଅନ୍ଧାର । ଡଙ୍କେଲ୍ ସାହେବଙ୍କର ନୂତନ ବିଶ୍ୱ ଅର୍ଥନୈତିକ ଯୋଜନାଟି ତାଙ୍କର ତଥା ତାଙ୍କ ସରକାରଙ୍କର କଳ୍ପନା ଅନୁସାରେ ସମଗ୍ର ପୃଥିବୀର ଅର୍ଥନୈତିକ ଆସ୍ପୃହାଗୁଡ଼ିକର କ୍ଷେତ୍ରରେ ଏକ ନୂତନ ପ୍ରତିଶ୍ରୁତି ଅର୍ଥାତ୍ ନୂତନ ଆଲୋକ ବହନ କରି ଆଣିବାର ସ୍ୱପ୍ନ ଦେଖୁଛି । ଆମେରିକାପଟ ପୃଥିବୀର ବହୁ ଦେଶ ବୁଝିକରି ହେଉ ଅଥବା ନବୁଝି କରି ହେଉ, ଡଙ୍କେଲ୍ ପ୍ରସ୍ତାବଟି ବିଷୟରେ ଗୋଟାସୁଦ୍ଧା ଆମେରିକା ଭଳି ଭାବୁଛନ୍ତି ।

 

ଏହାପଛରେ ଯୁକ୍ତିଯୁକ୍ତ କାରଣ ମଧ୍ୟ ରହିଛି । ଦ୍ଵିତୀୟ ମହାଯୁଦ୍ଧ ପରେ ସମଗ୍ର ପଶ୍ଚିମ ୟୁରୋପ ଯେତେବେଳେ ନାରଖାର ହୋଇ ପଡ଼ିଥିଲା, ସେତେବେଳେ ଆମେରିକା ସରକାରଙ୍କର ଅର୍ଥସହାୟତାହିଁ ତାକୁ ରକ୍ଷା କରିଛି । ଏପାଖରୁ କମ୍ୟୁନିଷ୍ଟ ରାଜତ୍ଵର ଭୂତ ମନକଲାମାତ୍ରକେ ଗୋଟା ପଶ୍ଚିମ ୟୁରୋପକୁ ଗ୍ରାସ କରି ପକାଇବ ବୋଲି ଯେତେବେଳେ ଶୀତଳ ଯୁଦ୍ଧକାଳୀନ ବାସ୍ତବ ଭୟମାନ ରହିଥିଲା, ସେତେବେଳେ ତେଣୁ ରକ୍ଷାକର୍ତ୍ତା ପରି ଆମେରିକା ସରକାର ଆସି ଭିନ୍ନ ଭିନ୍ନ ମେଣ୍ଟ ଓ ଅନ୍ୟାନ୍ୟ ବିରାଦରୀରେ ସମ୍ପୂର୍ଣ୍ଣ ସମସ୍ତଙ୍କୁ ଏକାଠି ବାନ୍ଧି ଓ ଭୟଥିବା ଗଣ୍ଠି ଜାଗାମାନଙ୍କରେ ନିଜ ଆଡ଼ୁ ଅସ୍ତ୍ର ଓ ସୈନ୍ୟବାହିନୀ ମୁତୟନ କରି ୟୁରୋପକୁ ଏକ ଫଳପ୍ରଦ ଅଭୟ ଯୋଗାଇ ଆସିଛି । ତେଣୁ କୃତଜ୍ଞତା ଦେଖାଇ ନହେଉ ପଛକେ, ଅତୀତରେ ଅଭିଜ୍ଞତାରୁ ଶିକ୍ଷା କରିଥିବା ପଶ୍ଚିମ ୟୁରୋପୀୟ ଦେଶମାନେ ଯେ ଡଙ୍କେଲ୍ ପ୍ରସ୍ତାବକୁ ଏକ ମହାନ୍ ବିଶ୍ଵଭାବାପନ୍ନ ଭବିଷ୍ୟମୁଖୀ ପ୍ରସ୍ତାବ ବୋଲି କହି ଗ୍ରହଣ କରିନେବେ, ସେଥିରେ ଆଶ୍ଚର୍ଯ୍ୟ ହେବାର ଆଦୌ କିଛିନାହିଁ ।

 

ରୁଷିଆ ଓ ଗତ ଚାଳିଶିବର୍ଷ ଧରି ସିଏ ପୂର୍ବ ୟୁରୋପରେ ଖେଳାଇ ଆସିଥିବା ମୂଷାମାନଙ୍କର ମିଛ ଢୋଲଗୁଡ଼ାକ ପଦାରେ ପଡ଼ିଯିବା ପରେ ଆମେରିକା ସରକାର ଇଚ୍ଛା କରିଥିଲେ ସେମାନଙ୍କୁ ବଲବଲ କରାଇପାରିଥାନ୍ତା ଓ ମଜା ଦେଖିଥାନ୍ତା । ମାତ୍ର ଆମେରିକା ସରକାର ପ୍ରକୃତରେ ତାହା କଲାନାହିଁ । ବରଂ ପୁରୁଣା ଅସହଜତାଗୁଡ଼ିକ ମଧ୍ୟରୁ ସେହି ଦେଶମାନେ ଯେପରି ଯଥାସମ୍ଭବ କମ୍ ଖଣ୍ଡିଆଖାବରା ହୋଇ ଗଣତାନ୍ତ୍ରିକ ଏପଟଟିର ବ୍ୟବସ୍ଥା ତଥା ବରାଦଗୁଡ଼ିକ ସହିତ ସାମିଲ ହୋଇଯାଇପାରିବେ, ସେଥିଲାଗି ଆମେରିକା ତରଫରୁ ବୁଦ୍ଧି ଯୋଗାଇ ଦିଆଗଲା, ଆବଶ୍ୟକ ଅର୍ଥସାହାଯ୍ୟମାନ ପହଞ୍ଚିଲା, ସେଗୁଡ଼ିକୁ ଏକ ଅରାଜକତା ମଧ୍ୟକୁ ଭୁଷୁଡ଼ି ପଡ଼ିବାରୁ ବଞ୍ଚାଇ ରଖାଗଲା । ତେଣୁ, ପୂର୍ବ ୟୁରୋପର ଦେଶମାନେ ସେମାନଙ୍କର ପରାକ୍ରମୀ ପୂର୍ବନାୟକ ରୁଷିଆ ସହିତ ଯେ ଖୋଲାବଜାର ଭିତରେ ଆସି ଯୋଗଦେବେ, ସେକଥା ବୁଝିବାକୁ ଆଦୌ କଷ୍ଟକର ହେଉନାହିଁ । ଏକଦା ଦୂରଦ୍ରଷ୍ଟା ଗୋର୍ବାଚଭ୍ ଯେଉଁ ପେରେଷ୍ଟ୍ରୋଇକା ଏବଂ ଗ୍ଲାସ୍‌ନୋସ୍ତ୍‌ ନାମକ ଦୁଇ ପ୍ରକ୍ରିୟାର ପ୍ରଣୟନ ରୁଷିଆରେ ରୁଡ଼ିଆ ଆଦର୍ଶ ନାମରେ ଅଟଳପ୍ରାୟ ବସି ରହିଥିବା ପଥରଖଣ୍ଡମାନଙ୍କୁ ଟଳାଇବାକୁ ଆରମ୍ଭ କରିଥିଲେ, ସମ୍ଭବତଃ ଅଧିକାଂଶ ରୁଷିଆବାସୀ ଖୋଲାବଜାରରେ ଏହି ନୂଆ ନୂଆ ପାହାଚଗୁଡ଼ିକୁ ସେହି ପ୍ରକ୍ରିୟାର ଗୋଟିଏ ଗୋଟିଏ ଅବଶ୍ୟମ୍ଭାବୀ ଆବର୍ତ୍ତନରୂପେ ଗ୍ରହଣ କରି ନେଉଛନ୍ତି ।

 

ସେହି ଡଙ୍କେଲ୍ ପ୍ରସ୍ତାବକୁ ନେଇ ଭାରତବର୍ଷରେ ଏବେ ଭାରି କୌତୁକପୂର୍ଣ୍ଣ ଘଣ୍ଟାଚକଟାମାନ ଚାଲିଛି । ଭାରତବର୍ଷର ସରକାର ଯଥାରୀତି ସେହି ପ୍ରସ୍ତାବଟିକୁ ଗ୍ରହଣ କରିସାରିଲେଣି । ଘରେ ସରକାରୀ ଦଳର ପ୍ରତିପକ୍ଷମାନେ ଯେତେ ଗୋଳ କରୁଥିଲେ ମଧ୍ୟ କାଗଜ କଲମରେ ତଥା ବାସ୍ତବ ଯାବତୀୟ ଅର୍ଥରେ ସରକାର ଡଙ୍କେଲ୍ ପ୍ରସ୍ତାବର ପରିସର ମଧ୍ୟକୁ ଆସି ସାରିଲେଣି । ରାଜନୀତିକ ବିରୋଧୀଦଳଗୁଡ଼ିକ ପକ୍ଷରୁ ଏହାର ପ୍ରତିବାଦ ହେଉଛି । ଡଙ୍କେଲ୍ ପ୍ରସ୍ତାବକୁ ଗ୍ରହଣ କଲେ ଭାରତବର୍ଷ ଗୋଟାସୁଦ୍ଧା ଡୁଙ୍କେଲ୍ ହୋଇଯିବ ବୋଲି ଗାଦିବାହାରେ ଥିବା ଭାରତୀୟ ନେତାମାନେ କହୁଛନ୍ତି । ପରବର୍ତ୍ତୀ ନିର୍ବାଚନ ନିକଟବର୍ତ୍ତୀ ହୋଇ ଆସିଲାଣି । ଯାହା ନିୟମ ଅନୁସାରେ ପଅରଦିନ ହେବାର ଅଛି, ତାହାକୁ ଏକାବେଳେକେ କାଲି କରାଇ ଦିଆଯାଉ ବୋଲି କହି ଥୋକେ ଉଚ୍ଛନ୍ନ ହେଲେଣି । ଆପଣାର ନାନା ଶର ଭିତରେ ସେମାନେ ଡଙ୍କେଲ୍ ପ୍ରସ୍ତାବର ବିରୋଧକୁବି ଏକ ଅନ୍ୟତମ ଶରରୂପେ ବ୍ୟବହାର କରୁଛନ୍ତି ।

 

ସେମାନେ ଗୋଟାସୁଦ୍ଧା ଗାନ୍ଧୀଙ୍କ ପରି କଥାବାର୍ତ୍ତା କରୁଛନ୍ତି । ଭାରତୀୟ ସ୍ୱରାଜ୍ୟ ଆନ୍ଦୋଳନର ଉଲୁଗୁଣା ଦେଉଛନ୍ତି ଓ ସରକାର ଅର୍ଥାତ୍ ସରକାରୀ ଦଳ ଦେଶଟାକୁ ସମ୍ପୂର୍ଣ୍ଣ ଭାବରେ ପୁଞ୍ଜିଖୋର ବିଦେଶୀମାନଙ୍କ ହାତକୁ ଟେକିଦେଲେ ବୋଲି ବିଷୋଦ୍‍ଗାର କରୁଛନ୍ତି । କିଏ ସର୍ବୋଦୟର ଗୀତା ଓ ଭାଗବତଗୁଡ଼ାକୁ ଧରି ବିଦେଶୀ ବର୍ଜନ କରିବାର ଏକ ଆନ୍ଦୋଳନ ଏହି ଦେଶରେ ଆରମ୍ଭ କରାଯାଉ ବୋଲି ହଲପ ଦେବାରେ ଲାଗିଛି । ବେଶ୍ ଏକ ମନୋରମ ରାଜନୀତିକ ଉଚ୍ଚାଟନର ବାତାବରଣ ତିଆରି ହେଉଛି । ଭିତରୁ ସତେଅବା ବେତାଳ ଥାଇ କହୁଛି, ଏମାନଙ୍କର ବରଂ ଡଙ୍କେଲ୍ ସାହେବ ଓ ଡଙ୍କେଲ୍ ପ୍ରସ୍ତାବ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଚିତ ଯେ, ନିଜର ଆଗାମୀ ସମରକୁ ସରଗରମ କରି ରଖିବାପାଇଁ ଦୈବପ୍ରେରିତ ପରି ସେମାନେ ବିଚରା ଏମାନଙ୍କ ହାତରେ ନୂଆ ଅସ୍ତ୍ରଟିଏ ଆଣି ଯୋଗାଇଦେଲେ ।

 

ପ୍ରାୟ ପଚାଶବର୍ଷ ତଳେ ଭାରତବର୍ଷର ଭବିଷ୍ୟକୁ ଏକ ସଂକଳ୍ପର ସାକାରତା ଦେଇ ଦେଶରେ ସମ୍ପୃକ୍ତ ମୁଣ୍ଡମାନଙ୍କୁ ଏକାଠି ବସାଇ ସମ୍ବିଧାନଟିଏ ତିଆରି ହୋଇଥିଲା । ତାହାର ଆହୁରି ପୂର୍ବରୁ ସ୍ୱାଧୀନତା ଲାଗି ସଂଗ୍ରାମଟିଏ ଚାଲୁ ରହିଥିବା ସମୟରେ ତତ୍କାଳୀନ ନେତାମାନେ ଭବିଷ୍ୟ ଭାରତ ବିଷୟରେ କେଡ଼େ କେଡ଼େ ଶୋଭାମୟ ଚିତ୍ରମାନ ଆଙ୍କିଥିଲେ । ବିଗତ ପଚାଶବର୍ଷର ଅବଧି ମଧ୍ୟରେ ପ୍ରାୟ ସେହିମାନେହିଁ ଅନ୍ୟ ରତିରେ ପଡ଼ି ଓ ଅନ୍ୟଭାବେ ମତ୍ତ ହୋଇ ସେହି ଚିତ୍ରଗୁଡ଼ିକୁ ପୋଡ଼ି ଖାଇଦେଲେ ଓ ସେହି ସମ୍ବିଧାନକୁ କେବଳ ପବିତ୍ର ବହିଟିଏ କରି ରଖିଲେ । ସେମାନେ ଭୋଗ କଲେ; ଦେଶକୁ ଭୋଗ କଲେ ଓ ଦେଶବାସୀଙ୍କୁ ଭୋଗ କଲେ । ରାଜନୀତିକୁ ଖଣ୍ଟ ଆଖଡ଼ାରେ ପରିଣତ କଲେ । କଳାକୁ କଳା ବୋଲି କହି ହସୁଥିବା ଧଳା କ୍ଷମତାକୁ ଆସି କଳାଠାରୁ ଆହୁରି ଅଧିକ କଳା ହୋଇଗଲା । ବିଦେଶରେ କେବଳ ଭାରତର ବନ୍ଧୁମାନେ ନୁହନ୍ତି, ଭଗାରିମାନେ ମଧ୍ୟ ହସିଲେ । ତା’ ପୂର୍ବରୁ ନୁହେଁ, ତା'ପରେ ଯାଇ ଆମ ଘରେ ଡଙ୍କେଲ୍ ପଶିଲା ।

 

ଗାନ୍ଧୀଙ୍କ ପରେ ଗାନ୍ଧୀବାଲାମାନେ କଦାକାର ହୋଇଗଲେ । ଗାନ୍ଧୀ ବିଚାରଟାକୁ ନିଜ ଜୀବନର କାୟାଟା ଉପରେ ଆବୁ କରି ବୋହିଲେ ସିନା, ଗାନ୍ଧୀମାର୍ଗର ଶକ୍ତିମନ୍ତ ପ୍ରତିବାଦର ପକ୍ଷଟିକୁ ଭୁଲି ବସିଲେ । ଭୀରୁ ହେଲେ । ସତ୍ୟାଗ୍ରହ ନାମକ ଅସ୍ତ୍ରଟି ପିତୃପୁରୁଷଙ୍କର ଅସ୍ଥିପରି ମାଟିପିଣ୍ଡି ଭିତରେ ରହିଗଲା । ତା’ପରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର କିମିଆରେ ପଡ଼ି ସେମାନେ ଦୁଇଭାଗ ହୋଇଗଲେ । ତୃତୀୟ ଶକ୍ତିହେବା ପରିବର୍ତ୍ତେ ସତେଅବା ତୃତୀୟ ପୁରୁଷଟିଏ ପରି ଭାରି ଅକାମୀ ଓ ଭାରି ଅବୋଧ୍ୟ ଓ ଅସାଧୁ ହୋଇ ରହିଗଲେ । ବର୍ତ୍ତମାନ ଡଙ୍କେଲ୍ ପ୍ରସ୍ତାବକୁ ଦେଖି ବାଘ ବାଘ ବୋଲି ହୁରି କଲେ ସେମାନଙ୍କୁ କାହିଁ କିଏ ବିଶ୍ଵାସ କରିବ ? ଯାହାର ମେରୁଦଣ୍ଡଟିଏ ଥାଏ, ପାଦତଳେ ଅରାଏ ଟାଣ ଭୂଇଁ ରହିଥାଏ, ତା’ର ଏକ ବିଶ୍ୱାସଯୋଗ୍ୟ ପରିଚୟ ମଧ୍ୟ ରହିଥାଏ । ତୁମେ ରାଜିହୁଅ ନହୁଅ, ଡଙ୍କେଲ୍ ପ୍ରସ୍ତାବରେ ଏକ ପରିଚୟ ରହିଛି । ମାତ୍ର ତାହାର ବିରୋଧ କରୁଥିବା ଦଳ ଓ ପଲଗୁଡ଼ିକ ପଛରେ କି ପ୍ରମାଣପତ୍ର ଅଥବା ପ୍ରତ୍ୟୟପତ୍ର ରହିଛି ?

 

କିଞ୍ଚିତ୍ ଅଲଗା ବନାନର ଓ କିଞ୍ଚିତ୍ ଅଲଗା ଉଚ୍ଚାରଣର ଜର୍ମାନ୍ ଭାଷାରେ Duenkel ବୋଲି ଆଉଗୋଟିଏ ଶବ୍ଦ ରହିଛି । ଡୁଙ୍କେଲ୍ ଅର୍ଥାତ୍ ଆତ୍ମଗର୍ବ, ଔଦ୍ଧତ୍ୟ । ଆମେ ଯେଉଁମାନେ ଡଙ୍କେଲ୍ ପ୍ରସ୍ତାବର ବିରୋଧ କରି ସଂପ୍ରତି ରାସ୍ତାରେ ବାହାରିଛୁ, ପ୍ରଧାନତଃ ତଦ୍ଦ୍ୱାରା ଆମର ଆତ୍ମଗର୍ବ ଓ ଔଦ୍ଧତ୍ୟହିଁ ଅଧିକ ପରିମାଣରେ ପ୍ରକାଶ କରାଯାଉନାହିଁ କି ? ଆମ ଭିତରେ ସମ୍ଭବତଃ ତୋଡ଼ ବାହାର କରି ଭୋଟ ମାଡ଼ି ବସିବା ଅଥବା ଯାହା ସହିତ ଯୁଦ୍ଧ ପରି ଯୁଦ୍ଧଟିଏ କରି ପାରିବାଲାଗି ଆମେ ବିକଳ୍ପ ଶିବିରଟିଏ ତିଆରି କରିପାରିଲୁନାହିଁ, ମୂଳତଃ ଏକ ହୀନମ୍ମନ୍ୟତାଦ୍ଵାରା ପ୍ରେରିତହୋଇ ତା’ପ୍ରତି ଏକ ତାମସିକ ରୋଷ ପ୍ରକଟ କରିବା ଓ ସେଥିରେ ମହାତ୍ମାଗାନ୍ଧୀଙ୍କୁ ଆଣି କେଲୁଣୀ କରି ବସାଇବା, ଏତିକି ଛଡ଼ା ଆମର ଏସବୁ ଗର୍ଜନତର୍ଜନ ପଛରେ ଆଉ ସକାରତ୍ମକ କିଛି ଅବଶ୍ୟ ରହିଛି ବୋଲି ଆମକୁ ଏକ ସ୍ପଷ୍ଟ ପ୍ରତ୍ୟୟ ଦେବାକୁ ହେବ । ଖାଲି ଅମୁକର ବା ସମୁକର ବିରୋଧ କରି ନୁହେଁ, ପ୍ରକୃତରେ କିଛି ହୋଇ ତଥା ଯାଥାର୍ଥ୍ୟରେ କିଛି କ୍ରିୟାଶୀଳ କରାଇ ଆମେ ସେହି ପ୍ରତ୍ୟୟଟିକୁ ଦେଇପାରିବା, ତେବେଯାଇ ଆମର ପାଦତଳେ ଏକ ନିର୍ଦ୍ଦିଷ୍ଟ ଭୂଇଁ ରହିଥିବ ଏବଂ ଖାଲି ରାଜନୀତି ଭିତରେ ନୁହେଁ, ରାଜନୀତିର ଊର୍ଦ୍ଧ୍ୱରେ ମଧ୍ୟ ଆମେ ଆମ ଦେଶର ଉପସ୍ଥିତ ସମସ୍ୟାଗୁଡ଼ିକ ଲାଗି ଉଚିତ ସମାଧାନଗୁଡ଼ିକୁ ଠାବ ମଧ୍ୟ କରିପାରିବା ।

Image

 

ଯୋଗ୍ୟତା ମାନଦଣ୍ଡ ହେଉ

 

ସରକାର ବାହାଦୁରଙ୍କ ପାଖରେ ଆପଣାର ଦାବି ଜଣାଇ ଧର୍ମଘଟକାରୀ ବାହାଦୁର ମତ୍ସ୍ୟଛାତ୍ରମାନେ ରାଜଧାନୀର ପାଚେରୀ କାନ୍ଥମାନଙ୍କରେ ଯୋଗ୍ୟତାହିଁ ଯାବତୀୟ ନିଯୁକ୍ତିର ମାନଦଣ୍ଡ ହେଉ ବୋଲି ଏଡ଼େ ଏଡ଼େ ଅକ୍ଷରରେ ଲେଖିଛନ୍ତି । ଚାକିରି ବା ନିଯୁକ୍ତି କହିଲେ ଆମ ଦେଶରେ ଏପରି ଏକ ସ୍ୱୀକୃତିସ୍ଥାନକୁ ବୁଝାଏ, ଯେଉଁଠାରେ କି ଆମକୁ ଏକ ବେତନ ମିଳେ । ବେତନ ମାସକୁ ମାସ ମିଳେ । ବେତନ ବଢ଼ି ବଢ଼ି ଯାଉଥାଏ । ଆମର ବୟସ ବଢ଼ି ବଢ଼ି ଯାଉଥିବା ସଙ୍ଗେ ସଙ୍ଗେ ବେତନ ବଢ଼ି ବଢ଼ି ଯାଉଥାଏ । ଯେଉଁ କାର୍ଯ୍ୟଟିକୁ ଆମେ କରିବୁ ବୋଲି ଆମକୁ ଚାକିରିଟିଏ ଦିଆଯାଇଥାଏ ଅର୍ଥାତ୍ ନିଯୁକ୍ତିଟିଏ ମିଳିଥାଏ ଆମେ ସେହି କାର୍ଯ୍ୟଟିକୁ କେତେଦୂର କରୁଛୁ ବା ନକରୁଛୁ, ସେଇଟାକୁ ମାପି ଦେଖିବାଲାଗି ଆମ ସରକାରଙ୍କ ହାତରେ କୌଣସି ଫିତା ନଥାଏ କି ପଘା ନଥାଏ । ଥରେ ଯୋଗ୍ୟ ବୋଲି ପ୍ରମାଣିତ ହୋଇଗଲେ ଅର୍ଥାତ୍ ଚାକିରିଟିଏ ମିଳିଗଲେ ଆଉ ଅଯୋଗ୍ୟ ବୋଲି ଘୋଷିତ ହେବାର ଆଦୌ କୌଣସି ଆଶଙ୍କା ନଥାଏ ।

 

ଯୋଗ୍ୟତା, ଏକମାତ୍ର ଯୋଗ୍ୟତା ହେଉଛି, ଏକ ନିର୍ଦ୍ଦିଷ୍ଟ ପ୍ରକାରର ପାଠ ପଢ଼ି ପ୍ରମାଣପତ୍ରଟିଏ ପାଇଥିବାର ଯୋଗ୍ୟତା । ପ୍ରମାଣପତ୍ର ଥିଲେହିଁ ତୁମେ ପାଠ ପଢ଼ିଛ ବୋଲି ଅଲବତ୍ ସାବ୍ୟସ୍ତ ହୋଇଯିବ । ସେଥିଲାଗି ଆମର ଏଠି ପାଠ ଅପେକ୍ଷା ସତେଯେପରି ବହୁତ ଭାବିଚିନ୍ତି ପ୍ରମାଣପତ୍ର ଉପରେହିଁ ଅଧିକ ମହତ୍ତ୍ୱ ଦିଆଯାଏ ଓ ପାଠ ଅପେକ୍ଷା ପ୍ରମାଣପତ୍ରଟାକୁହିଁ ଅଧିକ ବିଶ୍ୱାସ କରାଯାଏ । ପ୍ରମାଣପତ୍ରଟାଏ ହାତରେ ନଥିଲେ ଆଗରେ ପ୍ରତ୍ୟକ୍ଷ ମଣିଷଟିଏ ଛିଡ଼ା ହୋଇଥିଲେ ମଧ୍ୟ ସେହି ମଣିଷଟା ପ୍ରକୃତରେ ମଣିଷ ବୋଲି କେହି ବିଶ୍ୱାସ କରନ୍ତିନାହିଁ । ଏବଂ, ତୁମ ଆଗରେ ବଳଦଟାଏ ମଧ୍ୟ ଛିଡ଼ା ହୋଇଥିଲେବି, ଯଦି ତା’ ବେକରେ ତଥାକଥିତ ପ୍ରମାଣପତ୍ରଟିଏ ଲଟକା ହୋଇଥାଏ, ତେବେ ତାହାକୁ ଯୋଗ୍ୟ ବୋଲି ସ୍ୱୀକାର ନକରିବାର ଆଦୌ କୌଣସି କାରଣ ନଥାଏ । ସମ୍ଭବତଃ ସେହି କାରଣରୁ ଆମ କଲେଜମାନେ ପାଠ ପଢ଼ାଇବାଟାକୁ ସତେଅବା ଗୋଟାଏ ଗୌଣ କାର୍ଯ୍ୟ ବୋଲି ଭାବନ୍ତି । ଜଣେ ଅଧ୍ୟାପକବି ଏକ ପ୍ରମାଣପତ୍ର ବଳରେହିଁ ଅଧ୍ୟାପକ ହୋଇଥାଏ; ତେଣୁ ତାକୁ ପାଠ ପଢ଼ାଇ ଆସୁଛି କି ନାହିଁ, ଏପରିକି ପାଠ ପଢ଼ାଇ ଆସୁଥିଲେ ମଧ୍ୟ ସିଏ ସତକୁସତ ପାଠ ପଢ଼ାଉଛି କି ନାହିଁ, ତାହା ପରଖି ଅଥବା ତନଖି ଦେଖିବାକୁ ସତେଯେପରି କାହାର ଫୁରୁସତ୍ ନଥାଏ, ପ୍ରୟୋଜନ ମଧ୍ୟ ନଥାଏ ।

 

ଯୋଗ୍ୟତା ଯେ ଯାବତୀୟ ନିଯୁକ୍ତିର ଏକମାତ୍ର ମାନଦଣ୍ଡହେବା ଦରକାର, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ସେଥିରେ କାହାର କୌଣସି ଦ୍ୱିରୁକ୍ତି ରହିବା ମଧ୍ୟ ଏକାନ୍ତ ଅନୁଚିତ । ମାତ୍ର, ଗୋଟାଏ ପ୍ରମାଣପତ୍ରକୁ ଯେତେବେଳେ ଅସଲ ଯୋଗ୍ୟତା ବୋଲି ଗ୍ରହଣ କରି ନିଆଯାଏ, ସେତେବେଳେ ସେଇଥିରୁହିଁ ସବୁଯାକ ବିଭ୍ରାଟ ଆସି ପହଞ୍ଚେ । ଆମ ଦେଶରେ ଯେମିତି ପ୍ରାୟ ସବୁଯାକ ସାମୂହିକ କାର୍ଯ୍ୟ ବା ଦାୟିତ୍ଵ ଏକ ବିଭ୍ରାଟରେ ପରିଣତ ହୋଇଛି, ଏହା ପ୍ରାୟ ସେହିପରି ଏକ ବିଭ୍ରାଟର ଅବତାରଣା କରାଇଆଣେ । ଆମ ଦେଶରେ ବର୍ଷ ବର୍ଷ ହେଲା କୃଷିର ପାଠ ପଢ଼ାଯାଉଛି, କୃଷିକୁ ଏକ ବିଜ୍ଞାନ ବୋଲି କୁହାଯାଉଛି । ସ୍ୱତନ୍ତ୍ର ଉଚ୍ଚସ୍ଥାନମାନଙ୍କରେ ଶିକ୍ଷା ଦରବାର ବସାଇ ସେହି ପାଠ ବା ବିଜ୍ଞାନକୁ ପଢ଼ାଯାଉଛି । ମାତ୍ର, ତାକୁ ପଢ଼ୁଥିବା ବିଜ୍ଞାନୀମାନେ କୃଷିକାର୍ଯ୍ୟ କରୁନାହାନ୍ତି । ସେମାନେ ଜଣେହେଲେ କୃଷକ ହେଉନାହାନ୍ତି । ଯିଏ ବିଚରା କୃଷକ ହେଉଛି, ଯେଉଁମାନେ ଏ ଦେଶର ଶତକଡ଼ା ସତୁରି କି ପଚସ୍ତରି ଭାଗ ବୋଲି କୁହାଯାଉଛି, ସେମାନେ କୃଷି ବିଷୟରେ କୌଣସି ପାଠ ପଢ଼ୁନାହାନ୍ତି । ପାଠୁଆମାନେ କୃଷି କିପରି ହେବ, ତାହାକୁ ସୂତର କରି ବତାଇ ଦେଉଛନ୍ତି । ଅଯୋଗ୍ୟମାନେହିଁ କୃଷିକାର୍ଯ୍ୟ କରୁଛନ୍ତି । ଯେଉଁମାନେ କୃଷିର ପାଠକୁ ପଢ଼ିଛନ୍ତି, ପ୍ରମାଣପତ୍ର ପାଇଛନ୍ତି ଓ ତେଣୁ କୃଷି ନାମକ ସଂସ୍ଥାକୁ ଦଶଗୁଣ ବା ଆହୁରି କେତେଗୁଣ ଅଧିକ କୁଶଳ ଭାବରେ ସମ୍ଭାଳି ପାରୁଥାନ୍ତେ, ସେମାନେ ଆଉଗୋଟାଏ ଦୃଷ୍ଟିରୁ ଅଯୋଗ୍ୟ ହୋଇ ଉପରେ କୃଷିବାବୁ ହୋଇ ବସିଛନ୍ତି ବୋଲ ବତାଉଛନ୍ତି, ବାବୁ ହେଉ ହେଉ ଫିମ୍ପିମାରି ଯାଉଛନ୍ତି ।

 

ଠିକ୍ ସେହିପରି ଆମ ଦେଶରେ କୁଢ଼କୁଢ଼ ମଣିଷ ପାଠ ପରେ ପାଠ ପଢ଼ି ଅଭିପ୍ରେତ କାର୍ଯ୍ୟଟି ଲାଗି ଅଯୋଗ୍ୟ ହୋଇ ବାହାରୁଛନ୍ତି । ହାତରେ ପ୍ରମାଣପତ୍ର ଧରିଥିବାରୁ କେଡ଼େ କଦରରେ କର୍ମସ୍ଥାନଗୁଡ଼ିକ ମଧ୍ୟରୁ ଏକ ପ୍ରବେଶପତ୍ର ପାଇ ଯାଉଛନ୍ତି । ଦେଶରେ ବାବୁମାନେ ମେଳା ମେଳା ହୋଇ ବୁଲୁଛନ୍ତି ଓ ସେମାନେ ପଢ଼ିଥିବା ତଥାକଥିତ ପାଠଟା ପ୍ରାୟ ନିୟମିତ ଖତ ହୋଇଯାଉଛି । ପାଠ କାମରେ ଲାଗୁନାହିଁ ବୋଲି କେଡ଼େ ନିଷ୍ଠାପର ଭାବରେ ଖତ ହୋଇଯାଉଛି-। ଏପରି ଏକ ଆଡ଼ମ୍ବରମୟ ପ୍ରହସନ ଏବଂ ପ୍ରବଞ୍ଚନା ବୋଧହୁଏ ଆମରି ଗୋଟିଏ ଦେଶ ଭାରତବର୍ଷରେ ଦେଖିବାକୁ ମିଳୁଛି ଓ ଦିନୁଁ ଦିନ ଅଧିକ ଫୁଲେଇ ହେବାରେ ଲାଗିଛି-। ପାଠୁଆ ପାଠୁଆଙ୍କ ଭିତରେ ଚାକିରିପାଇଁ ଲଢ଼େଇ ଲାଗିଛି, ଏହି ଲଢ଼େଇରେ ଜୟଲାଭ କରିବାପାଇଁ ଫାଇଲ୍‍ଗୁଡ଼ାକ ଭିତରକୁ କେତେ ବୁଦ୍ଧି ଓ ଅପବୁଦ୍ଧିକୁ କାମରେ ଲଗାଇ ସିଦ୍ଧିଗାତ ଖୋଳା ଯାଉଛି, ମାତ୍ର ପାଠଗୁଡ଼ାକ, ଜ୍ଞାନଗୁଡ଼ାକ ଫିମ୍ପି ମାରିଯାଉଛି । ଏ ପାଠରେ ଆଉ କୌଣସି ପ୍ରୟୋଜନ ନାହିଁ ବୋଲି ଅଧିକରୁ ଅଧିକ ଲୋକ ଉପଲବ୍ଧି କରିବାକୁ ଲାଗିଲେଣି ।

 

ସେହି କାରଣରୁ, ବାବୁ ହେବାର ଏବଂ ଚାକିରି ପାଇ ପଇସା କମାଇବାର ଏହି ଅପପ୍ରକ୍ରିୟାଟି ମଧ୍ୟରେ ଏକଦା ପାଠ ପଢ଼ିଥିଲେ ମଧ୍ୟ ଆମ ଦେଶର ପାଠୁଆମାନେ କ୍ରମେ ତୁଚ୍ଛା ବଳଦ ହୋଇ ଯାଉଛନ୍ତି ଏବଂ ବାହାରକୁ ଯେଡ଼େ ଆଧୁନିକ ଏବଂ ଶୋଭନୀୟ ପରି ଦିଶୁଥିଲେ ମଧ୍ୟ ପ୍ରାୟ ସକଳ ଅର୍ଥରେ ସବୁଠାରୁ ଅଧିକ ଆଦିମ ଓ ଅଶୋଭନ ହୋଇ ରହିଛନ୍ତି । ବାହାରକୁ କେଡ଼େ ତୋଡ଼ ଦେଖାଉଛନ୍ତି ଏବଂ କେଡ଼େ ପ୍ରତାପରେ ଏହି ଦେଶରେ ଆମ ଭାଗ୍ୟ ନାମକ ଗାଡ଼ିର ଚକଗୁଡ଼ାକୁ ଅଟକାଇ ରଖିଛନ୍ତି । ପଇସାରେ ଖଇ ଫୁଟୁଛି, ଖଇ ବିଞ୍ଚା ହେଉଛି, ମାତ୍ର ଚକମାନେ ସତେଅବା ମୋଟେ ଚାଲୁନାହାଁନ୍ତି । ଚକମାନେ ଚାଲନ୍ତୁ ବୋଲି ସତେଅବା ଏମାନେ ମୋଟେ ଇଚ୍ଛାବି କରୁନାହାନ୍ତି । ବୋଧହୁଏ ବାବୁ ହୋଇ ପାରିବାକୁ ମୁଠା ମୁଠା ପଇସା ପାଉଥିବାରୁ ଆମ ପାଠୁଆମାନଙ୍କୁ ନିର୍ଧୁମ୍ ଆଦିମ ହୋଇ ରହିବାକୁ ପ୍ରାୟ କୌଣସି ଲଜ୍ଜା ଲାଗୁନାହିଁ । କାଳଟାହିଁ ଲଜ୍ଜିତ ହୋଇ ରହିଛି ।

 

ଯଦି ଅସଲ ସତ୍ୟ ଏବଂ ଅସଲ ଆବଶ୍ୟକତାଗୁଡ଼ିକର ସ୍ଵୀକୃତି ଅନୁସାରେ ଦେଶରେ ପାଠଗୁଡ଼ିକର ବରାଦ ହେଉଥାନ୍ତା, ତେବେ ସତକୁସତ ଚାଷୀର ପିଲାହିଁ କୃଷି କଲେଜକୁ କୃଷି ବିଜ୍ଞାନ ପଢ଼ି ଆସୁଥାନ୍ତା ଓ ପାଠ ସମାପ୍ତ କରି ବିଜ୍ଞାନର ଆଖି ନେଇ ଆପଣା ଘରର ସେହି ଚାଷ ବେଉସାକୁ ଫେରି ଯାଉଥାନ୍ତା । ତେବେ କୃଷିବିଜ୍ଞାନର ମଧ୍ୟ ଇଜ୍ଜତ ରହିଥାଆନ୍ତା । ଇତର ଓ ବିଟମାନଙ୍କ ହାତରେ ପଡ଼ି ବର୍ତ୍ତମାନ ପରି ମୋଟେ ମାଡ଼ଖାଇ ଯାଉ ନଥାନ୍ତା । କେଉଟ ଘରର ପୁଅଝିଅମାନେହିଁ ମତ୍ସ୍ୟ–ବିଜ୍ଞାନର କଲେଜମାନଙ୍କରେ ପାଠପଢ଼ି ପାରିବା ନିମନ୍ତେ ସବାଆଗ ଯୋଗ୍ୟ ଘୋଷିତ ହେଉଥାନ୍ତେ । ପାଠପଢ଼ା ସମାପ୍ତ କରି ସେମାନେ ନିଜ ପିଲାଦିନରେ ବାପ–ମାଆମାନଙ୍କ ପାଖରୁ ତାଲିମ ପାଇଥିବା ବେଉସାଟି ମଧ୍ୟକୁ ବିଜ୍ଞାନର ଅଧିକ ଦୃଷ୍ଟିସମର୍ଥ ଏବଂ କ୍ରିୟାଶୀଳ ଆଖିଟିକୁ ସାଙ୍ଗରେ ଧରି ଫେରି ଯାଉଥାନ୍ତେ । ବର୍ତ୍ତମାନର ମତ୍ସ୍ୟ କଲେଜମାନେ ଯେପରି ପ୍ରମାଣପତ୍ର ବୋଲି କୁହାଯାଉଥିବା ଖଣ୍ଡେ କାଗଜକୁ ଦେଖି ତୁଚ୍ଛା ଅଯୋଗ୍ୟ ଏବଂ ଅସମ୍ମତମାନଙ୍କୁ କଲେଜରେ ଭର୍ତ୍ତି କରାଇ ନେଉଛନ୍ତି, ସେହି ଅପକର୍ମଟି ଆଦୌ କରିବାକୁ ପଡ଼ୁ ନଥାନ୍ତା । ମାଛ ମାରିବାର ବିଶ୍ୱପ୍ରସିଦ୍ଧ ଦେଶ ଡେନ୍‍ମାର୍କ ଓ ନରୱେ ବା ଜାପାନରେ ଯାହା ହେଉଛି, ଆମ ଦେଶରେ ମଧ୍ୟ ତାହାହିଁ ହେଉଥାନ୍ତା । ଠକମାନଙ୍କର ପ୍ରବେଶାଧିକାର ନଥାନ୍ତା ।

 

ତେଣୁ, ମତ୍ସ୍ୟଛାତ୍ରମାନେ କେଉଁଭଳି ଯୋଗ୍ୟତାକୁ ଯାବତୀୟ ନିଯୁକ୍ତି ଏବଂ କର୍ମସଂସ୍ଥାନର ମାନଦଣ୍ଡ ବୋଲି ମାନୁଛନ୍ତି ? ନିଜପାଇଁ ଆହାର ଅର୍ଥାତ୍ ଜୀବିକାଟିଏ ଖୋଜି ସେମାନେ ଅତ୍ୟନ୍ତ ଆକସ୍ମିକ ଭାବରେ ମତ୍ସ୍ୟ କଲେଜକୁ ଉଡ଼ି ଆସିନାହାନ୍ତି ତ ? ପ୍ରାୟ ଗୋଟାଏ ପୁରୁଷଧରି ଭାରତବର୍ଷରେ ପ୍ରାୟ ଡଜନେ କୃଷି ବିଶ୍ୱବିଦ୍ୟାଳୟରେ ଯେପରି କୃଷକକୁ ବଞ୍ଚିତ କରି ରଖି କୃଷି ବିଭାଗର ମିଛବାବୁମାନଙ୍କୁ ତିଆରି କରିବାରେ ଅଖା ଅଖା ଟଙ୍କା ପାଣିରେ ପଡ଼ୁଛି, ଆମ ମତ୍ସ୍ୟକଲେଜ ନାମକ ଚତୁର ଅନୁଷ୍ଠାନଟିବି ସେହିଭଳି ଏକ ମନ୍ଦ ମତଲବରେ ତୁଚ୍ଛା ଅସମ୍ମତମାନଙ୍କ ହାତରେ ପ୍ରମାଣପତ୍ରଟିଏ ଧରାଇ ଦେଇ ସେମାନେ ଯୋଗ୍ୟ ହେଲେ ବୋଲି ଘୋଷଣା କରିବାର ଅପକର୍ମଟି ଆଚରିବାକୁ ଷଡ଼ଯନ୍ତ୍ର କରି ଜନ୍ମଲାଭ କରିନାହିଁ ତ ? ତେଣୁ ଯୋଗ୍ୟତାହିଁ ମାନଦଣ୍ଡ ହେଉ; ମିଛ କାଗଜଗୁଡ଼ାକରେ ଆଉ କାହାରି ହେଲେ ବିଶ୍ୱାସ ନରହୁ । ଏହି ଦେଶକୁ ଆମର ହୁଣ୍ଡା ବାବୁମାନେ ଯେପରି ମିଛ କାଗଜ କଲମର ଭାଣ ଦେଖାଇ ନିପଟ ଅଯୋଗ୍ୟତାର ଏକ ମଣୋହି ବଜାରରେ ପରିଣତ କରି ରଖିଛନ୍ତି, ଏହି ଅନ୍ଧାରଯୁଗର ଅବସାନ ଘଟୁ । ପାଠର ମର୍ଯ୍ୟାଦା ରହୁ; ତେବେ ପାଠୁଆଙ୍କର ମର୍ଯ୍ୟାଦା ବଳେ ବଳେ ରହିବ । ଆମ ଦେଶରେ ଶାସନ ଓ ପ୍ରଶାସନର ସବୁଯାକ ଖଞ୍ଜା ସେତେବେଳେ ଏକ ଅନ୍ଧବିଶ୍ଵାସ ଅନୁସାରେ ନୁହେଁ, ଏକ ବିଜ୍ଞାନସମ୍ମତ ବିବେକ ଅନୁସାରେ ଚଳିବ ।

Image

 

ପାନଛେପ ପକାନ୍ତୁ ନାହିଁ

 

ଏକାଧିକ ମହଲାର ଏଡ଼େବଡ଼ କଚେରି, ବାବୁମାନଙ୍କ ସକାଶେ କେତେ ଯତ୍ନରେ ଓ କେଡ଼େ କଦରରେ ତିଆରି ହୋଇଛି । ଯଦି ତୁମର ଉପରମହଲାରେ କାମ ଥିବ, ତେବେ ସିଡ଼ିର ପାହାଚଗୁଡ଼ିକୁ ଧରି ତୁମେ ଉପରକୁ ଯାଇପାରିବ । ଯୋଉଠି ଯୋଉଠି ତୁମକୁ ଗୋଟିଏ ଥାକ ପାହାଚ ଉଠିସାରିବା ପରେ ଆଉ ଥାକେ ପାହାଚ ଆରମ୍ଭ କରିବା ନିମନ୍ତେ ମୋଡ଼ ବୁଲିବାକୁ ପଡ଼ିବ, ଠିକ୍ ସେହିଭଳି କେତେ ଜାଗାରେ କାନ୍ଥରେ କଳା ଟିଣ ବାଡ଼ିଆ ହୋଇ ଧଳା ଗୋଲ ଗୋଲ ଅକ୍ଷରରେ ଯା–ଆସ କରୁଥିବା ମଣିଷମାନଙ୍କୁ ପାନଛେପ ନ ପକାଇବା ପାଇଁ ଅନୁରୋଧ କରାଯାଇଛି ଏବଂ ଜାଗାଗୁଡ଼ାକହିଁ ବିଶେଷଭାବରେ ପାନଛେପରେ ବୁଡ଼ିଛି । ଉଆସ ଭଳିଆ କୋଠା, ନାଲି, କଳା ଓ ଧଳାର ମୋଜାଇକରେ ଚାରିଆଡ଼ ଛିଟପରି ଜକଜକ ଦିଶୁଛି । ପାହାଚଗୁଡ଼ିକ ମଧ୍ୟ ମୋଜେଇକ୍‌ ଦେଇ ତିଆରି ହୋଇଛି । ତଥାପି ପାନଛେପରେ ଗୋଟାଏ ଗୋଟାଏ କୋଣ ଅଣ୍ଟାଏ ପର୍ଯ୍ୟନ୍ତ ବୁଡ଼ିଛି । ବାହାଘର କାନ୍ଥରେ ଚିତା ଲେଖା ହେଲେ ଦୂରରୁ ଯେମିତି ନାଲି ସରସର ଦେଖାଯାଏ, କଚେରିର ସିଡ଼ି କାନ୍ଥଗୁଡ଼ିକ ସମେତ ଆହୁରି କେତେକେତେ କାନ୍ଥବି ମଞ୍ଜୁଆତି ବୋଳି ହୋଇଥିଲା ପରି ଟହଟହ ଦେଖାଯାଉଛି । ବେଶ୍ ମନୋରମ ଦିଶୁଛି । ପାନ ରସିକମାନଙ୍କର ଦୁଃଖକୁ ବିଧାତା ଅନ୍ତତଃ ଏ ଭାରତବର୍ଷରେ ଦରଦର ସହିତ ବିଚାର କରିପାରୁଛି ବୋଲି କିଞ୍ଚିତ୍ ଆଶ୍ୱସ୍ତ ଲାଗୁଛି । ତେବେ ଦୁର୍ବଳ ହୃଦୟଟା ଭିତରୁ ଥାଇ ସତେଅବା ଆପତ୍ତି କରି କହୁଛି, ଯଦି ସବୁକଥା ସମସ୍ତଙ୍କର ଆଖି ସାମ୍ନାରେ ହେଉଛି, ତେବେ ପାନଛେପ ପକାନ୍ତୁନାହିଁ ବୋଲି ସେହି ଲେଖାଟା ଏଠିସେଠି ମରା ହୋଇ ନଥିଲେ କ’ଣ ଚଳି ନଥାନ୍ତା ?

 

ନାହିଁ, ଚଳି ନଥାନ୍ତା । କାରଣ, ମଣିଷର ବିବେକ ବୋଲି ପଦାର୍ଥଟାଏବି ତ ରହିଛି । ବାହାରେ ନଥିଲେ ମଧ୍ୟ ଭିତରେ ତ ରହିଛି । ଆମ ଦେଶରେ ସତ୍ୟଗୁଡ଼ାକ, ନୀତିଗୁଡ଼ାକ ଶାସ୍ତ୍ରରେ ଥାଏ; ତେଣୁ ଜୀବନରେ କେଉଁଠିହେଲେ କିଛି ଦେଖିବାକୁ ନମିଳୁଥିଲେ ମଧ୍ୟ ତଥାପି ଆମକୁ ସେତିକିରୁ କେତେ ସାନ୍ତ୍ୱନା ମିଳେ, କେତେ ଦେଖାଇ ହେବାକୁ ମନହୁଏ । ସରକାରୀ ଅଫିସ୍‍ମାନଙ୍କରେ ଏବେ କୁଆଡ଼େ ନିଜର କୌଣସି କାମ ସକାଶେ ହାତଗୁଞ୍ଜା ଦିଅନ୍ତୁ ନାହିଁ ବୋଲି ଅନୁରୋଧ କରି ସମ୍ପୃକ୍ତ ସଂସାରୀମାନଙ୍କୁ ବାହାଦୁର ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ସେହିସବୁ ଅନୁରୋଧ ଲେଖା ହୋଇ ଆଖି ପଡ଼ିପାରିବାର ଜାଗାମାନଙ୍କରେ ଝୁଲୁଛନ୍ତି । ହାତଗୁଞ୍ଜା ନେବାକୁ ବିଷ୍ଣୁ, ବିମଳା ଓ ଲକ୍ଷ୍ମୀଙ୍କ ସହିତ ସେମାନଙ୍କର ଗରୁଡ଼ମାନେବି ପକ୍ଷ ବିସ୍ତାର କରି ରହିଛନ୍ତି-। ସେମାନଙ୍କର ହାତରେ କିଛି ନଥୋଇଲେ ତୁମକୁ ସେଠାରୁ ଲୋକହସା କରି ଘଉଡ଼ାଇ ଦିଆଯିବ ବୋଲି ବଡ଼ସାନ ସମସ୍ତେ ବସି ଷଡ଼ଯନ୍ତ୍ରର ଜାଲ ବିସ୍ତାରି ବସିଛନ୍ତି । ତୁମେ ଜାଲ ଭିତରକୁ ଯିବ, ଅଥଚ କିପରି ତଥାପି ଛନ୍ଦି ହୋଇଯିବ ନାହିଁ କହିଲ ? ପଣ୍ଡାମାନଙ୍କୁ ନତୋଷି ତୁମେ ଜଗନ୍ନାଥଙ୍କଠାରୁ କାମ ଆଦାୟ କରିପାରିବ ବୋଲି ଭକ୍ତମାନେ ଲେଖିଥିବା ତାଙ୍କ ଜଣାଣଗୁଡ଼ିକରେ କେଉଁଠି ହେଲେ ଲେଖା ହୋଇନାହିଁ ।

 

ପାନଛେପରେ କାନ୍ଥଗୁଡ଼ାକ ଖଇର ଗରଗର ଦିଶୁଥିଲେବି ଯୋଉ ସରକାର ପାନଛେପ ପକାନ୍ତୁ ନାହିଁ ବୋଲି ପତାକା ମାରିଦେଇଛନ୍ତି, ସିଏ ମଦ ଓ ଆଉ ଯାବତୀୟ ମାଦକଦ୍ରବ୍ୟର ପକ୍ଷରେ କି ବିପକ୍ଷରେ ସେକଥା ମଧ୍ୟ ଖୋଲାଖୋଲି ବୁଝି ହେଉନାହିଁ । ମନେହେଉଛି, ସରକାର ଏଇଟା ଚାହୁଁଛନ୍ତି, ସେଇଟାକୁବି ଚାହୁଁଛନ୍ତି । ସରକାର ବୋଲାଉଥିବାରୁ ତାଙ୍କର ଦୁଇଟା ମୁହଁ ଅଛି ଏବଂ ଦୁଇଟା ମୁହଁ ଥିବାରୁ ସିଏ ନିର୍ମଳ ବିବେକର ସହିତ ଏଇଟା କରିପାରୁଛନ୍ତି, ସେଇଟା ମଧ୍ୟ କରିପାରୁଛନ୍ତି । ମଦ ନପିଇବା ବିଷୟରେ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଗନ୍ଧର୍ବ ମହାତ୍ମାଙ୍କ ପର୍ଯ୍ୟନ୍ତ କେତେ ତୁଣ୍ଡରୁ ବାଣୀମାନ ଆଣି ଫରଫର ଉଡ଼ାଉଛନ୍ତି । ମଦ ନ ପିଇଲେ ସରକାରୀ ପୁଅମାନେ ସୌଖିନୀପାଇଁ ପଇସା ପାଇବେନାହିଁ ବୋଲି ହୃଦୟଙ୍ଗମ କରିପାରିଥିବାରୁ ଠିକଣା ଜାଗାମାନଙ୍କରେ ମଦ ଦୋକାନବି ଖୋଲୁଛନ୍ତି । ମଦ ବିଷୟରେ ଆଦୌ କୌଣସି ରାଜନୀତିକ ମତଭେଦ ନାହିଁ । କାରଣ ପଇସା ସମସ୍ତଙ୍କର ଲୋଡ଼ା । ତେଣୁ ଅନିତ୍ୟ ସଂସାରରେ କିଛି ମଣିଷ ମଦ୍ୟସେବନ କରିବାଦ୍ୱାରା ଯଦି ସରକାରଙ୍କର ସାଆନ୍ତମାନେ ଏବକାଳରେ ରାଜାମାନଙ୍କ ପରି ଆତଯାତ ଲଗାଇପାରୁଛନ୍ତି, ତେବେ ସେଇଟା ଭିତରକୁ ରାଜନୀତିକ ବିଚାରର ହଙ୍ଗାମାଗୁଡ଼ାକୁ ପୂରାଇବା ନିମନ୍ତେ କାହାରି ଇଚ୍ଛା ହେଉନାହିଁ । ନୈତିକ ବିଚାର ପୂରାଇବାର ତ କୌଣସି ପ୍ରଶ୍ନହିଁ ଉଠୁନାହିଁ । ବିଜ୍ଞାନଦ୍ଵାରା ଏତେ ମୋଟା ହୋଇ ଦିଶୁଥିବା ଏକ ବିକଶମାନ ପୃଥିବୀରେ ନୈତିକତା ପୂରାଇ ଶାନ୍ତିଭଙ୍ଗ କରାଇବାର ହୁଏତ କୌଣସି ପ୍ରୟୋଜନହିଁ ନାହିଁ ।

 

ଧୂମପାନର ବଣିଜରେ ମଧ୍ୟ ସରକାରୀ ନୀତି ଠିକ୍ ପାନଛେପ ସଦୃଶ ନୀତି । କମ୍ପାନୀମାନେ କେଡ଼େ କେଡ଼େ ସୁନ୍ଦର ରୂପ ଓ ସୁନ୍ଦର ଠାଣିର ପ୍ରଦର୍ଶନ କରାଇ ଧୂମପାନକୁ ପ୍ରାୟ ଏକ ସାଂସ୍କୃତିକ କର୍ତ୍ତବ୍ୟ ବୋଲି ଆମକୁ ବୁଝାଇ ଦେବାକୁ ଭଳିଭଳି ବିଜ୍ଞାପନର ସର୍ଜନା କଲେଣି । ସରକାର ସେଥିରେ ମୋଟେ କୌଣସି ଆପତ୍ତି କରୁନାହାନ୍ତି । ମାତ୍ର ସରକାରୀ ସମ୍ଭ୍ରମ ଅନୁସାରେ ଧୂମପାନ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ହାନିକାରକ ବୋଲି ସେହି ବିଜ୍ଞାପନଗୁଡ଼ିକର ଗୋଟାଏ କୋଣକୁ ଲେଖି ଦିଆଯାଉଛି । ଆଖିରେ ନପଡ଼ିଲା ତ ସବୁଠାରୁ ଭଲ, ଆଖିରେ ପଡ଼ିଗଲା ତ ମୋଟେ କିଛି ଯାଏଁ ଆସେନାହିଁ । କେତେକ ନୀତିବାଦୀଙ୍କର ଚାପରେ ପଡ଼ି ଲୋକପ୍ରିୟ ସରକାର ସମସ୍ୟାଟିର ଏହିପରି ଏକ ହେରେସା ସମାଧାନ ବାହାର କରିଛନ୍ତି । ସିନେମା ଘରମାନଙ୍କରେ ମଧ୍ୟ ଏକ ଅର୍ଥକାରୀ ଉନ୍ମାଦନାର ବଶବର୍ତ୍ତୀ ହୋଇ ମଣିଷ ଭିତରେ କନ୍ଦର୍ପକୁ ଟିହାଇ ଆଣିବାକୁ ଉଭା ଓ ପୋତା କେତେକେତେ ଶୃଙ୍ଗାରିକ ଚିତ୍ରର ଏବେ ପ୍ରଦର୍ଶନ ହେଲାଣି । ବଣିକମାନେ ସମ୍ଭବତଃ ମଣିଷର ଅସଲ କୋପନଗୁଡ଼ିକୁ ଭଲ ଭାବରେ ସମଝି ତାକୁ ତା’ ନିଜ ସମ୍ମାନର ଘରୁ ସିନେମାର ଦାଣ୍ଡକୁ ବାହାର କରି ଆଣିବାର କୌଶଳଟିକୁ ବହୁ ଗବେଷଣା ପରେ ଆବିଷ୍କାର କରିଛନ୍ତି । ସରକାର ତାକୁ କଦାପି ବନ୍ଦ କରିବେ ନାହିଁ । ତଥାପି ଅଶ୍ଳୀଳ ଦିଶିଲା, ଅଶ୍ଳୀଳ ହୋଇଗଲା ବୋଲି ଚିନ୍ତା କରୁଥିବା ଆଉ ଥୋକେ ମଣିଷଙ୍କର ମନବୋଧ କରିବାକୁ ସରକାର ଅଚିରେ ଏପରି ଏକ ନୂଆ ଭିଆଣ ବାହାର କରିବେ, ଯାହାଦ୍ୱାରା କି ସୁନ୍ଦର ଚିତ୍ରପଟଗୁଡ଼ିକରେ ଆଉ ଗୋଟାଏ କିଛି ନିଷେଧବାର୍ତ୍ତା ଅଲବତ୍ ଲେଖାହେବ ବୋଲି ଆଇନ କରିଦେବେ । ସମସ୍ତେ ସବୁ ଦେଖିପାରିବେ । ତଥାପି କାଣି ଆଙ୍ଗୁଠି ପ୍ରମାଣ ଥାନରେ ସେଇଠି ଗୋଟାଏ କୋଣକୁ ହୁଏତ କଟକଣାଟା ଧମକ ଦେଲାଭଳି ଲେଖାହୋଇ ରହିଥିବ ।

 

ଭାରତବର୍ଷ ଚିରଦିନ ସମ୍ଭବତଃ ଏହିପରି ଏକ ରହସ୍ୟବାଦ ଭିତରେ କେତେ ଆରାମରେ ରହିଆସିଛି । ପିଲାଏ ସମ୍ପୃକ୍ତ ସମସ୍ତଙ୍କର ସକ୍ରିୟ ସହଯୋଗରେ ପରୀକ୍ଷାରେ କପି କରୁଛନ୍ତି, ତଥାପି କପି କରିବା ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଘୋଷିତ ହୋଇଛି । ଆମଭଳି ଆମ ସରକାର ପ୍ରକୃତରେ କ’ଣ, ତାହା ଜାଣିବା ସବୁଦିନ ପରି ଏବେ ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇରହିଛି । ସଂସ୍କୃତ ଗପର ସେହି ଦୁଇମୁଖ ବିଶିଷ୍ଟ ଭାରଣ୍ଡ ପକ୍ଷୀ ପରି ଭାରତର ସଂସ୍କୃତିକୁ ଆମେ ଏକ ଭାରଣ୍ଡ ସଂସ୍କୃତି ବୋଲି କହିପାରିବା କି ? ତାହା ଯେଉଁ ନାମରେ ଯେଉଁଭଳି ସଂସ୍କୃତି ହୋଇଥାଉ ପଛକେ, ତାହା ଆମକୁ ଅତ୍ୟନ୍ତ ଭଲ ଲାଗୁଛି । ଭଲ ଲାଗୁଛି ବୋଲି କେତେ ଚମତ୍କାର ଭାବରେ ସହନୀୟ ହୋଇଯାଇଛି । ମଣିଷ ଆଲୁଅ ଚାହିଁଲେ ଅନ୍ଧାରକୁ ସହିପାରେ ନାହିଁ । ନ୍ୟାୟକୁ ମନ କଲେ ଅନ୍ୟାୟକୁ ସହିପାରେ ନାହିଁ । ଧର୍ମକୁ ମନକଲେ ଅଧର୍ମକୁ ଚିହ୍ନିପାରେ । ସଫାକୁ ମନ କଲେ ମଇଳାଠାରୁ ଦୂରରେ ରହେ । ଭାରତୀୟ ମଣିଷ ଏବଂ ଭାରତୀୟ ଅନୁଷ୍ଠାନମାନଙ୍କର ଧାତୁରେ କୋଉଠି କି ଖାଦ ପଶିକରି ରହିଛି କେଜାଣି, ପ୍ରାୟ ଆବହମାନ କାଳରୁ ଏଠାରେ ପ୍ରାୟ ଏକ ମୂଳଭୂତ ଧୂର୍ତ୍ତତାହିଁ ସବୁକିଛିକୁ ଭାରି ହେରେସା କରି ରଖିଛି । ପ୍ରାୟ ଏହିପରି ଏକ ହେରେସାମିର ଆକର୍ଷଣରେ ହୁଏତ ଭାରତବର୍ଷର ପୁରାଣମାନ ଲେଖାହୋଇଛି । ଏବେ ମଧ୍ୟ ଭାରତୀୟ ଜୀବନର ଯାବତୀୟ କାରବାର ଏହିଭଳି ଏକ ହେରେସାମି ଭିତରେ ଚାଲିଛି । ଭାରତୀୟ ଆଦିମ ଅରଣ୍ୟ ଏବଂ ନିକାଞ୍ଚନ ଗୁମ୍ଫା ଭିତରେ ଏଠି ମଣିଷ ସତେଅବା କେତେ ସମ୍ପ୍ରସାରିତ ହୋଇ ବ୍ରହ୍ମର କଥା କହିଛି ଓ ପ୍ରାୟ ତାହାର ସଂସାରୀ ସଂସ୍କରଣଟା ସମାନ ଉତ୍ସାହରେ ସଂକୀର୍ଣ୍ଣରୁ ଆହୁରି ସଂକୀର୍ଣ୍ଣ ହୋଇ ଅନ୍ୟକୁ ସାନ ଓ ନିଜକୁ ବଡ଼ ବୋଲି ଦେଖାଇ ପୃଥ୍ୱୀ–ଭାଗ୍ୟରେ ପ୍ରାୟ ସବୁଯାକ ପ୍ରାପ୍ୟର ଅଧିକାରୀ ହୋଇ ବସିବାର ଫିକର କରିଛି । ଅବଲୀଳାକ୍ରମେ ଅର୍ଥାତ୍ ନିଜର ସୁବିଧା ଅନୁସାରେ କେତେବେଳେ ଗୋଟାସୁଦ୍ଧା ବ୍ରହ୍ମର ବଚନିକା କରିଚି ଏବଂ ଆହୁରି କେତେବେଳେ ଆପଣା ଓ ଅପର ମଧ୍ୟରେ ଏଡ଼େବଡ଼ କାନ୍ଥମାନ ଠିଆକରି ରଖିଦେଇଛି । ଭାଗ୍ୟର ଲାଙ୍ଗୁଡ଼ ଧରି ଥୋକେ ଗୟଳ ହୋଇଛନ୍ତି ତ ଆଉ ଥୋକେ ଘୁଷୁରି ହୋଇ ରହିଛନ୍ତି ।

 

ଭାରତରେ ଯେଉଁମାନେ ସବୁଠାରୁ ଅଧିକ ଉଚ୍ଚଶିକ୍ଷାପ୍ରାପ୍ତ, ସେଇମାନେହିଁ ସବୁଠାରୁ ଅଧିକ ଉଦ୍ଦଣ୍ଡ, ଅଧିକ ହୃଦୟହୀନ ଓ ଅଧିକ ଉଦାସୀନ । ସେମାନଙ୍କ ହାତରେ ରହିଥିବା ଶାସ୍ତ୍ରଗୁଡ଼ାକ ସେମାନଙ୍କୁ ସତେଅବା ଏକାନ୍ତ ନିଦକ ଭାବରେ ଅଧିକରୁ ଅଧିକ ନିର୍ମମ ହୋଇ ରହିବାରେ ଉତ୍ସାହ ଯୋଗାଇଛି । ଏହି ବିଷଚକ୍ର କେବେ ମଣିଷକୁ ଏଠି ଅସହ୍ୟ ଲାଗିବ କେଜାଣି-? ଚେତନା ବଦଳିଲେ ଯାଇ ସେକଥା ହେବ, ମାତ୍ର ଚେତନା ବଦଳିବ ପୁଣି କିପରି ? ଭୀରୁତା କଟିଲେ ଯେ ମଣିଷ ସାହସୀ ହୁଏ, ସେଥିରେ ଲେଶମାତ୍ର ସନ୍ଦେହ ନାହିଁ । ମାତ୍ର ସ୍ୱୟଂ ମଣିଷ ମନକଲେ ଯାଇ ଭୀରୁତା ଭିତରୁ ବାହାରି ଆସିପାରିବ ଏବଂ ସତକୁସତ ସାହସକୁ ସାହସ କରିପାରିବ । ସେତେବେଳେ ଆମ କୋଠାଘରମାନେ ପ୍ରକୃତରେ ଲକ୍ଷ୍ମୀଙ୍କ ଘର ଓ ଗୌରବର ଘର ପରି ଦିଶିବେ, ସେହିପରି ହୋଇଯିବେ । ପାନଛେପ ପକାନ୍ତୁନାହିଁ ବୋଲି କହି ପାନଛେପରେ କାନ୍ଥକୁ କୁତ୍ସିତ କରିବାର ଆଉ ଆଦୌ କୌଣସି ପ୍ରୟୋଜନ ରହିବନାହିଁ ।

Image

 

ଗାନ୍ଧୀ ଅନ୍ତରାଳ ହୋଇରହିଲେ

 

ଗାନ୍ଧୀ ପୂଜା ପାଇବାକୁ ଆସି ନଥିଲେ । ସେ ଭାରତବର୍ଷର ପ୍ରାଣ ଓ ଆତ୍ମାକୁ ସଚଳ କରିଦେବାକୁ ଆସିଥିଲେ । କମ୍ ସଚଳବି କରିନାହାଁନ୍ତି । ଗୋଟିଏ ଜୀବନକାଳରେ ସେ ଭାରତବର୍ଷରେ କେତେକଅଣ ଘଟାଇଲେ, କେତେକଅଣ ସମ୍ଭବ କଲେ । ତାଙ୍କ ଆଖିରେ ଭାରତବର୍ଷକୁ ତଥା ନିଜକୁ ଦେଖି ଆମେ କେତେ ନୂଆ ନୂଆ ଆହ୍ୱାନ ତଥା ଅନାଗତକୁ ଅନୁଭବ କରିବା ଲାଗି ସମର୍ଥ ହେଲୁ । ବର୍ତ୍ତମାନର ସମ୍ମୁଖୀନ ହେବାକୁ ବଳ ପାଇଲୁ । ଅତୀତକୁ ପୁନରାବିଷ୍କାର କଲୁ ଏବଂ ଏକ ଭବିଷ୍ୟତର ସ୍ୱପ୍ନ ଦେଖିଲୁ । ସେହି ସ୍ୱପ୍ନ ନିମନ୍ତେ ସଂକଳ୍ପ ନେଲୁ, ସଚଳ ହେଲୁ ।

 

ସ୍ୱାଧୀନ ଭାରତରେ ଗାନ୍ଧୀ–ଅନୁରୂପ ସାହସ ନଥିବାରୁ ଆମ ଭିତରୁ ଯେଉଁମାନେ ଗାନ୍ଧୀଙ୍କର ବିରୋଧୀ ହେଲେ ଏବଂ ତେଣେ ଭଦ୍ର ଭାବରେ ବିଚାର ତଥା ରାଜନୈତିକ ସକ୍ରିୟତାର କ୍ଷେତ୍ରରେ ତାଙ୍କ ସାମ୍ନାରେ ସମକକ୍ଷ ପରି ବସି ନିଜର ଯୁକ୍ତି ବାଢ଼ି ପାରିଲେନାହିଁ, ମହାତ୍ମା ଗାନ୍ଧୀଙ୍କୁ ସେହିମାନେ ହତ୍ୟା କଲେ । ଗାନ୍ଧୀଙ୍କୁ ଅମର କରିଦେଲେ । କେବଳ ଭାରତବର୍ଷ ପାଇଁ ନୁହେଁ, ସମଗ୍ର ପୃଥିବୀ ଲାଗି ତାଙ୍କୁ ସତେଅବା ଜଣେ ଅତ୍ୟନ୍ତ ଅନ୍ତରଙ୍ଗ ପ୍ରେରଣା ପୁରୁଷରେ ପରିଣତ କରିଦେଲେ । ସମ୍ଭବତଃ ଯୁଗଯୁଗ ଲାଗି ତାଙ୍କୁ ଆମଲାଗି ଜଣେ ଅପରିହାର୍ଯ୍ୟ ବନ୍ଧୁ କରି ରଖିଲେ । ଭାରତବର୍ଷ ଗାନ୍ଧୀଙ୍କ ପରେ ଗାନ୍ଧୀଙ୍କ ଲାଗି ଯେତେ ଅଯୋଗ୍ୟ ହେଲେ ମଧ୍ୟ ତଥାପି ଗାନ୍ଧୀଙ୍କୁ ନେଇ ଗୌରବ ଅନୁଭବ କଲା । ଯେଉଁମାନେ ଆପଣାର ନାନା ଅଳ୍ପତା ତଥା ଅନ୍ଧତାଗୁଡ଼ିକୁ ଉତ୍ତେଜନାରୂପେ ବ୍ୟବହାର କରି ତାଙ୍କ ନିଜ ଫରମାସ ଅଥବା ଫଏସଲାଗୁଡ଼ାକ ଅନୁସାରେ ଭାରତବର୍ଷକୁ ଏକ ଅନ୍ୟ ପ୍ରକାରେ ଗଢ଼ିବେ ବୋଲି ବାହାରିଲେ, ସେମାନେ ମଧ୍ୟ ଗାନ୍ଧୀଙ୍କୁ ଛାଡ଼ି ପାରିଲେ ନାହିଁ । ଆପଣାର ବିବେକାକାଶଗୁଡ଼ିକରେ ସେମାନେ ମହାତ୍ମା ଗାନ୍ଧୀଙ୍କର ଭୂତଟାକୁ ଦେଖିଲେ ଓ ସେହି ଭୂତଟା ସହିତ ଲଢ଼ାଇ କଲେ । ଏହି ଦେଶରେ ଗାନ୍ଧୀଙ୍କୁ କାହିଁକି ମିଛଟାରେ ମହାତ୍ମା ବୋଲି ଅଥବା ଜାତିର ଜନକ ବୋଲି କୁହାଯାଉଛି ବୋଲି ଅଭିଯୋଗ କଲେ ଓ ଗୋଳ ଆରମ୍ଭ କରିଦେଲେ । ଅର୍ଥାତ୍ ଭାରତରେ ସଚେତନମାନେ ତିନିଭାଗ ହୋଇଗଲେ ।

 

ଗୋଟିଏ ଭାଗ, ସବୁଠାରୁ ବଡ଼ ଭାଗଟି ଗାନ୍ଧୀଙ୍କୁ ପୂଜା କଲା । ଚାଲାଖ ସରକାର ମଧ୍ୟ ନିଜର ପ୍ରୟୋଜନ ଦୃଷ୍ଟିରୁ ଏଇମାନଙ୍କ ପଟେ ରହିଲା । ପୂଜା ଲାଗି, ମୂର୍ତ୍ତି ଓ ମନ୍ଦିର ଲାଗି ଅର୍ଥ ଯୋଗାଇଦେଲା, ଅଫିସ୍ ଯୋଗାଇଦେଲା । ଦ୍ୱିତୀୟ ଭାଗଟି ଗାନ୍ଧୀଙ୍କ ସହିତ ଏକ ହାସ୍ୟାସ୍ପଦ ମୁଷ୍ଟିଯୁଦ୍ଧ ଆରମ୍ଭ କରିଦେଲା । ଏମିତି ଗୋଟିଏ ବ୍ୟକ୍ତିତ୍ୱ ଭାରତବର୍ଷରେ କାହିଁକି ଆବିର୍ଭୂତ ହୋଇଥିଲା ବୋଲି ବାହାରେ ଅତି ଉତ୍ତେଜିତ ଏବଂ ଭିତରେ ଭାରି ଛାନିଆ ହୋଇ ପ୍ରଶ୍ନମାନ ପଚାରିବାକୁ ଲାଗିଲା । ଏକାଧାରରେ ଏହି ଉତ୍ତେଜିତ ଏବଂ ଛାନିଆ ହେବାରୁ ଏକ ଅଶୁଭ ଓ ଅସୁନ୍ଦର ରାଜନୀତି ମଧ୍ୟ ଦେଶରେ ଜନ୍ମଲାଭ କଲା ଏବଂ ଅଧିକରୁ ଅଧିକ ଆକର୍ଷକ ହେବାଲାଗି ଏକାଧିକ ଅଘଟଣ ଘଟାଇବାକୁ ମନକଲା । ତୃତୀୟ ଭାଗଟି ନୀରବ ହୋଇଗଲା ଗାନ୍ଧୀ ଏକଦା ଆରମ୍ଭ କରିଥିବା କେତେଟା ବାହ୍ୟ କାର୍ଯ୍ୟକ୍ରମକୁ ନେଇ ବେଳେବେଳେ କିଞ୍ଚିତ୍ ଖୁଜୁବୁଜୁ ହେଲା ସତ, ମାତ୍ର ମୁଖ୍ୟତଃ ନୀରବ ହୋଇଗଲା । ସେ ଗାନ୍ଧୀର ବାଟଟିକୁ ବୁଝୁଥିଲା, ଗାନ୍ଧୀର ଉପସ୍ଥିତ ପ୍ରାସଙ୍ଗିକତାଟିକୁ ବୁଝୁଥିଲା, ସତକୁସତ କେଉଁବାଟରେ ଗଲେ ଗାନ୍ଧୀଧାରାର ପ୍ରୟାସଟି ଶକ୍ତିମାନ ଏବଂ କ୍ରିୟାଶୀଳ ହୋଇରହିବ, ତାହା ସମ୍ଭବତଃ ସେହି କଥାଟିକୁ ମଧ୍ୟ ବୁଝୁଥିଲା । ତଥାପି ହୁଏତ ଉପଯୁକ୍ତ ନେତୃତ୍ୱ ଅଭାବରୁ ଉପଯୁକ୍ତ ମୁହୂର୍ତ୍ତଟି ହାତଛଡ଼ା ହୋଇ ଯାଇଥିବା ପରି ନୀରବ ହୋଇ ରହିଗଲା । ଅନ୍ତରାଳ ହୋଇ ରହିଗଲା । ଆପଣାର ଆଦର ପିତୁଳା ଏବଂ ଆଦର୍ଶର ପିତୁଳାଟିକୁ ସତେଅବା କେଉଁ କନାପୁଟୁଳିଟି ଭିତରେ ଲୁଚାଇ ରଖିଲା ଏବଂ ଏମାନେ ଅନ୍ତରାଳ ହୋଇ ରହିଯିବା ସଙ୍ଗେ ସଙ୍ଗେ ଗାନ୍ଧୀ ମଧ୍ୟ କ୍ରମେ ଅନ୍ତରାଳ ହୋଇ ରହିଗଲେ ।

 

କାଳର ପ୍ରକୋପରେ ଏବଂ ଗାନ୍ଧୀ–ଅନୁରାଗୀମାନଙ୍କର ଅସମର୍ଥତା ହେତୁ ଗାନ୍ଧୀ ସିନା ଅନ୍ତରାଳକୁ ଚାଲିଗଲେ; ମାତ୍ର ଗାନ୍ଧୀ ଆନ୍ଦୋଳନର ଟେକନିକଗୁଡ଼ାକ ଗାନ୍ଧୀଙ୍କୁ ପ୍ରାୟ ବାଦ୍ ଦେଇ ଚାଲୁଥିବା ଆମ ଦେଶରେ ଏହି ରାଜନୈତିକ ସଂସାରରେ ସତେଅବା କେଡ଼େ ମାନ୍ୟତା ପାଇଥିବା ପରି କେତେ ଠାଣିରେ ତଥାପି ବଞ୍ଚିରହିଲା । ଆହୁରି ଅଧିକ ବିଡ଼ମ୍ବନାର ବିଷୟ ହେଉଛି ଯେ, ବର୍ତ୍ତମାନର ଘୋର ଅଗାନ୍ଧୀଆମାନେ ମଧ୍ୟ ପ୍ରବଳ ଆଗ୍ରହରେ ଖାସ୍ ସେହି ଟେକନିକଗୁଡ଼ାକୁ ନିଜସ୍ୱ କରିନେଲେ । ଧାରଣା, ଆଇନ ଅମାନ୍ୟ, ଆମରଣ ଅନଶନ ଏଗୁଡ଼ିକ ଏବେ ଯେତେ ସଂଖ୍ୟାରେ ଦେଖିବାକୁ ମିଳୁଛି, ଗାନ୍ଧୀ ଥିଲାବେଳର ଭାରତବର୍ଷରେ ମଧ୍ୟ ସମ୍ଭବତଃ ସେତେ ସଂଖ୍ୟାରେ ହେଉ ନଥିଲା । ସହଚାରୀମାନଙ୍କୁ ଯୋଗ୍ୟ ଓ ପ୍ରସ୍ତୁତ ନକରି ଏବଂ ପ୍ରାଥମିକ ଓ ପୂର୍ବବର୍ତ୍ତୀ ଅନ୍ୟ ଯାବତୀୟ ପଦକ୍ଷେପଗୁଡ଼ିକୁ ଗ୍ରହଣ କରି ବିଫଳ ନହେବା ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ କେବେହେଲେ ଆନ୍ଦୋଳନାତ୍ମକ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରୁ ନଥିଲେ । ଏବେ ତ ରାଜନୀତିର ଡାଆଣାମାନେ କିଛି ଗୋଟାଏ ଖଳବ କରିବା ଭଳି ପରିସ୍ଥିତି ଉପସ୍ଥିତ ହେବାମାତ୍ରକେ ସେହି ଗାନ୍ଧୀ ମାର୍କା ପଦକ୍ଷେପଗୁଡ଼ିକ ଭିତରକୁ ଫକ୍ କରି ଡେଇଁବେ ବୋଲି ବାହାରି ପଡ଼ୁଛନ୍ତି । ସତେଅବା ଆଉ କେତେଟା ସିଡ଼ିକୁ ଉଠିଯାଇ ସେମାନେ ଆତ୍ମାହୁତି ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଉଛନ୍ତି । ଏବଂ, ଏଗୁଡ଼ାକଦ୍ୱାରା ଗାନ୍ଧୀଙ୍କର ଗୌରବ ବୃଦ୍ଧି ପାଇଛି ବା ଆଉ ଅନ୍ୟ କିଛି ହୋଇଛି, ନିଜ ନିଜ ଅକଲ ଅନୁସାରେ ଆମେ ଅବଶ୍ୟ ତାହାର ବିଚାର କରିପାରିବା । ତଥାପି ଏତିକି ଅବଶ୍ୟ କହିପାରିବା ଯେ, ଗାନ୍ଧୀ–ବିଚାରର ଓ ଗାନ୍ଧୀ–କଳନାର ଧାର ଧାରୁ ନଥିଲେ ମଧ୍ୟ ଆମର ଏହି ମହାବିଜ୍ଞ ସମୟର କାରିନ୍ଦାମାନେ ଗାନ୍ଧୀରଙ୍ଗର ଏକାଧିକ ଟେକନିକକୁ ଅତ୍ୟନ୍ତ ଉପାଦେୟ ବୋଲି ଗ୍ରହଣ କରି ନେଇଛନ୍ତି । ଗାନ୍ଧୀ ସେମାନଙ୍କ ନାମରେ ଯେ ଏଥିଲାଗି କୌଣସି ଧର୍ମଦରବାରରେ ମାନହାନି ମୋକଦ୍ଦମା ମୋଟେ କରିବେ ନାହିଁ, ଗାନ୍ଧୀ ଉପରେ ସେମାନଙ୍କର ଅନ୍ତତଃ ଏତିକି ବିଶ୍ୱାସ ରହିଛି । ଗାନ୍ଧୀଙ୍କର ରାଜନୀତି କେବଳ ରାଜନୀତି ନଥିଲା । ରାଜନୀତି କହିଲେ ଅନ୍ତତଃ ବର୍ତ୍ତମାନର ରାଜନୈତିକ ନିଶାଖୋରମାନେ ଯାହା ବୁଝୁଛନ୍ତି, ଗାନ୍ଧୀଙ୍କର ରାଜନୀତିରେ ସେକଥା ଆଦୌ ନଥିଲା । ଏବର ରାଜନୀତି ପଛରେ ତ ସର୍ବଦା ଏକ ପ୍ରଦୂଷଣକାରୀ ମତଲବ ରହିଛି । ମତଲବିମାନେ ସବାଆଗ ନିଜପାଇଁ କିଛି ଚାହୁଁଛନ୍ତି । ତେଣୁ ରାଜନୀତି ଭିତରେ ଆସି ପଶିଛନ୍ତି । ସେମାନେ ନିଜପାଇଁ ଧନ ଚାହୁଁଛନ୍ତି, ପଦ ଚାହୁଁଛନ୍ତି, କ୍ଷମତା ଚାହୁଁଛନ୍ତି । ଗାନ୍ଧୀଙ୍କର ରାଜନୀତି ଭିତରେ ଏସବୁ ମତଲବ କେବେହେଲେ ନଥିଲା । କେବଳ ଏହି ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀରେ ସଂସ୍କୃତି ତଥା ସାହସର ପରମ୍ପରା ମଧ୍ୟରେ ଯାହାକିଛି ବଳଦାୟୀ, ଉତ୍ତୋଳନକାରୀ ଏବଂ ଆହ୍ୱାନସଂବୁଦ୍ଧ ହୋଇ ରହିଥିଲା, ଗାନ୍ଧୀଙ୍କର ରାଜନୀତି ସତେଅବା ସେହିଗୁଡ଼ିକୁ ଏକାଠି ବଳି ପୃଥିବୀ ସମକ୍ଷରେ ଏକ ନୂଆ ବାଟର ମୂଳଦୁଆ ପକାଇବାକୁ ବାହାରିଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ସେହି ରାଜନୀତିଟିରେ ସଫଳ ପରୀକ୍ଷା ମଧ୍ୟ ହୋଇଗଲା । ଗାନ୍ଧୀଙ୍କ ପୂର୍ବରୁ ପୃଥିବୀର ଇତିହାସରେ ଆଧ୍ୟାତ୍ମିକତା ନାମକ ସମ୍ପଦଟି କେବେହେଲେ ଏତେ ସଂଗତିପୂର୍ଣ୍ଣ ଭାବରେ କ୍ରିୟାଶୀଳ ହୋଇ ନଥିଲା । କେବେହେଲେ ଏତେ ଅଧିକ ପରିମାଣରେ ଆମ ଇହଜୀବନର ଅଭୀପ୍ସାଗୁଡ଼ିକୁ ଉଦ୍‌ଧାବିତ କରି ନଥିଲା ।

 

ଗାନ୍ଧିଜୀ କେବଳ ସତ୍ୟକୁ ନିଜ ମାନଚିତ୍ରଟିର ମୂଳନାଭିରୂପେ ଗ୍ରହଣ କରି ନଥିଲେ, ସତ୍ୟର ଆଗ୍ରହକୁ ସେ ଏକାବେଳକେ ଆମ ଜୀବନୋଦ୍ୟମର ସବାତଳ ସ୍ତରକୁ ମଧ୍ୟ ଅବତରଣ କରାଇ ଆଣିଥିଲେ । ସ୍ୱାଧୀନ ଭାରତରେ ସେହି ସତ୍ୟାଗ୍ରହକୁହିଁ ସତେଅବା ସିନ୍ଦୁକ ଭିତରେ ଲୁଚାଇ ରଖି ଦିଆଯାଇଛି । ତଥାକଥିତ ଯେଉଁ ଗାନ୍ଧୀବାଲାମାନେ ଏବେ ମଧ୍ୟ ଆପଣାକୁ କର୍ପୂରର ଦାୟାଦ ବୋଲାଇ କନାପରି ପଡ଼ିରହିଛନ୍ତି ଏବଂ କାଳରେ ଅକାଳରେ ସ୍ଵଦେଶୀ, ସର୍ବୋଦୟ ପ୍ରଭୃତି କଥା କହୁଛନ୍ତି, ସେମାନେ ସତ୍ୟାଗ୍ରହର ପ୍ରେରଣାଟିକୁ କୋଉ ପଛରେ ପକାଇଦେଇ ଆସିଲେଣି । ଖଣ୍ଡାଟା ଖୋଳ ଭିତରେ ସତେଅବା ସେଇମାନଙ୍କର ଏକାଧିକ ଅସମର୍ଥତା ହେତୁ କୋଲପ ପଡ଼ି ରହିଛି ଏବଂ ସେମାନେ ଏଣେ ଖଣ୍ଡାଟାର ଯଶୋଗାନ କରିବାରେ ଲାଗିଛନ୍ତି । ଯିଏ ସତ୍ୟଲାଗି ସତକୁସତ ଆଗ୍ରହୀ ହୁଏ, ସିଏ ସତକୁସତ ଅସଲ ପରିବର୍ତ୍ତନଗୁଡ଼ିକୁ ଇଚ୍ଛା କରୁଥାଏ । ସିଏ ସତ୍ୟାଗ୍ରହକୁ ମଧ୍ୟ ଅସ୍ତ୍ରରୂପେ ଗ୍ରହଣ କରିଥାଏ । ଅସତ୍ୟଗୁଡ଼ାକୁ ଯୁଦ୍ଧଂ ଦେହୀ ବୋଲି କହୁଥାଏ । ଜୀବନପାତ କରେ ପଛକେ, ଅସତ୍ୟକୁ ମାନିନିଏ ନାହିଁ । ସତ୍ୟାଗ୍ରହହିଁ ଗାନ୍ଧୀ ସଂହିତା ମଧ୍ୟରେ ଏକ ବିଶେଷ ଅବଜ୍ଞା ହୋଇ ରହିଥିଲା ଏବଂ ସ୍ୱାଧୀନ ଭାରତରେ ତାହାକୁ କୌଣସି ଅନ୍ୟ ଆଳରେ ଗାନ୍ଧୀବାଲାଏହିଁ ଅନ୍ତରାଳ କରି ରଖିଲେ ।

 

ସ୍ୱାଧୀନ ଭାରତକୁ ଏକ ସୁନ୍ଦର, ସୁସ୍ଥ ଏବଂ ଭାରତବାସୀ ସମସ୍ତଙ୍କର ଭାରତରେ ପରିଣତ କରିବା ଲାଗି ରାଜନୈତିକ ସ୍ୱାଧୀନତା ହାତକୁ ଆସିବା ପରେ ଯେଉଁସବୁ ପରିବର୍ତ୍ତନ ଅବଶ୍ୟ ଆସିବା ଉଚିତ ଥିଲା, ସେଗୁଡ଼ିକ ଲାଗି ସତ୍ୟାଗ୍ରହହିଁ ଏହି ଦେଶରେ ଗାନ୍ଧୀ ରାଜନୀତି ଅନୁସାରେ ମୁଖ୍ୟ ଅସ୍ତ୍ରରୂପେ ବ୍ୟବହୃତ ହୋଇଥାନ୍ତା । ସେକଥା ହୋଇପାରିଲା ନାହିଁ । ଗାନ୍ଧୀଙ୍କ ପରେ ଗାନ୍ଧୀବାଲାମାନେ ଗାଣ୍ଡିବଟିକୁ ଉଠାଇବା ଲାଗି ମଧ୍ୟ ନିଜକୁ ସତେଅବା ଅସମର୍ଥ ବୋଧ କଲେ । ତାକୁ ବ୍ୟବହାର କରିବାର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିବା ତ ଆହୁରି ଦୂରର କଥା । ଦେଶ ଏବେ ଏକ ଯଥାର୍ଥ ନେତୃତ୍ୱ ନିମନ୍ତେ ଅପେକ୍ଷା କରି ରହିଛି । ସେହି ନେତୃତ୍ୱ ଯେ ପୁନର୍ବାର ସତ୍ୟାଗ୍ରହକୁ ଅସ୍ତ୍ରରୂପେ ବ୍ୟବହାର କରିବାର ଏକ ନେତୃତ୍ୱ ହେବ, ପୃଥିବୀର ହାୱାଟା ମଧ୍ୟ ସେହି କଥାର ସାକ୍ଷ୍ୟ ଦେଇଯାଉଛି ।

Image

 

ଗୁରୁଦିବସ କଳା ଦିବସ

 

ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଯେତେବେଳେ ଭାରତବର୍ଷରେ ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ପଦରେ ଥିଲେ, ସରକାରଙ୍କ ତରଫରୁ ସେତିକିବେଳେ ଗୁରୁଦିବସର ଭିଆଣ କରାଯାଇଥିଲା । ଡକ୍ଟର ସର୍ବପଲ୍ଲୀ ଦିଲ୍ଲୀ ଗାଦିକୁ ଯିବା ପୂର୍ବରୁ ଅଧ୍ୟାପକ ଥିଲେ । ସିଏ ଅଧ୍ୟାପକ ଥିବା ସମୟରେ ତାଙ୍କର ଜନ୍ମ ଦିବସଟିକୁ ଏପରି ଏକ ବିଶେଷ ଦିବସରୂପେ ମାନିବାକୁ ସରକାରଙ୍କ ଉଚ୍ଚ କଚେରିରେ କେହି କେବେ ଚିନ୍ତା କରିଥିବାର ପ୍ରଶ୍ନ ଆଦୌ ଉଠୁନାହିଁ । ରାଧାକୃଷ୍ଣନଙ୍କ ଭାଗ୍ୟ ଯେ, ସିଏ ଅଧ୍ୟାପକରୁ ଯାଇ ଉପରାଷ୍ଟ୍ରପତି ବା ରାଷ୍ଟ୍ରପତି ହେଲେ । ସିଏ ରାଷ୍ଟ୍ରପତି ହେବାପରେ ଯାଇ ଦିଲ୍ଲୀର ରାଜନୀତି ଓ ରାଜମହଲ ସିଏ ଜଣେ ଅଧ୍ୟାପକ ଥିବାବେଳର ସ୍ମୃତିଟିକୁ ଜାତୀୟ ମର୍ଯ୍ୟାଦା ଦେବାଲାଗି ଇଚ୍ଛା କଲେ ଏବଂ ତାହାରି ଫଳରେ ଆମେ ଏହି ଗୁରୁଦିବସଟିକୁ ପାଇଲୁ ।

 

ଗୁରୁଦିବସକୁ ଶିକ୍ଷକ–ଦିବସ ବୋଲି ନିରାପଦରେ କୁହାଯାଇପାରିଥାନ୍ତା । ଶାସ୍ତ୍ରୀୟ ଶବ୍ଦମନ୍ଥନରେ ‘ଗୁରୁ’ ଶବ୍ଦଟି ଯେପରି ଜାକଜମକିଆ ଶୁଣାଯାଉଛି ‘ଶିକ୍ଷକ’ ଶବ୍ଦ କଦାପି ସେପରି ଶୁଣାଯାଇ ନଥାନ୍ତା । ତେଣୁ ସରକାରୀ ଫତୁଆ ଅନୁସାରେ ଦେଶର କେଇ କୋଟି ଶିକ୍ଷକ ଏବଂ ଅଧ୍ୟାପକ ଯେତେବେଳେ ଅନ୍ତତଃ ଦିନକ ଲାଗି ଗୁରୁ ପାହିଆକୁ ଉନ୍ନୀତ ହେଲେ, ସେତେବେଳେ ଏହି କଥାଟି ସେମାନଙ୍କୁ କିଞ୍ଚିତ୍ ଅସଜ ଲାଗିଥିବ ସତ, ମାତ୍ର ଭାରି ଭଲ ଅବଶ୍ୟ ଲାଗିଥିବ । ନିଜେ ହଠାତ୍ ଏପରି ଟେକି ହୋଇଯିବାରେ ସମ୍ଭବତଃ ସେମାନେ ଏପରି ଖୁସି ହୋଇଗଲେ ଯେ, ଦେଶରେ ସେତେବେଳେ ଶିକ୍ଷା ବୋଲି ଯେତିକି ଥିଲା, ସେତିକିକୁ ମଧ୍ୟ ପଣ୍ଡ କରିଦେବାରେ ପରବର୍ତ୍ତୀ ବର୍ଷମାନଙ୍କରେ ସେମାନେ ସତେଅବା ସଂଘବଦ୍ଧ ଭାବରେ ନିମିତ୍ତ ହେଲେ ।

 

ସେମାନଙ୍କର କବଚ ଓ କୁଣ୍ଡଳକୁ ଅପହରଣ କରିନେବାକୁ ଆଗରୁ ଯେଉଁ ସଂଘଟି ରହିଥିଲା, ତାହା ବଡ଼ବଡ଼ ଦାନ୍ତ ବାହାର କରି ଲଢ଼ି ବାହାରିଲା । ଇସ୍କୁଲ ବନ୍ଦ କରି ସିଧା ରାଜଧାନୀ ଯାଇ ସରକାରୀ ମନ୍ତ୍ରୀମାନଙ୍କ ସହିତ ଲଢ଼ିଲା । ସରକାରୀ ଦଣ୍ଡଧାରୀମାନଙ୍କ ଅପେକ୍ଷା ଶିକ୍ଷା ଯେ ଆପଣାର ମହତ ରହିବା ନିମନ୍ତେ ସେହି ଶିକ୍ଷକମାନଙ୍କ ଉପରେ ଅଧିକ ନିର୍ଭର ଅଲବତ୍ କରିବ, ଆମ ଶିକ୍ଷକମାନେ କ୍ରମେ ସେକଥା ପାଶୋରି ଦେଲେ । ସଂଘ–ସଂଗ୍ରାମରୁ ନଗଦ ଲାଭ ମିଳିଲା, ସେମାନଙ୍କ ଘରେବି ତାହାରି ବଳରେ କୁବେରଙ୍କର କୁକୁରମାନେ ବନ୍ଧା ହେଲେ । ସେମାନେ ଯେତିକି ଶିକ୍ଷକଙ୍କ ଭଳି ନ ଦିଶିଲେ ନାହିଁ ପଛକେ, ଅବଶ୍ୟ ଅଧିକ ପାରିବା ଭଳି ଦେଖାଗଲେ । ନିଜର ଇସ୍କୁଲଟିକୁ ଛାଡ଼ପତ୍ର ଦେଇ ସେମାନେ ସରକାରୀ ଶିକ୍ଷା ବିଭାଗ ସହିତ ବାହା ହୋଇପଡ଼ିଲେ । ଆମ ଦେଶରେ ଶିକ୍ଷା ପୋଇଲୀ ହୋଇ ରହିଲା । ନିତାନ୍ତ ଭେରେସାମି କରି ସେମାନେ ନିଜ ଘରେ ମଧ୍ୟ ପାଠର ବଜାର ବସାଇଲେ । ସେଇଠାରେ ବେପାର କରି ଆପଣାକୁ ଏପରି ହୀନିମାନିଆ ଅଥଚ ରାଜକୀୟ ଭାବରେ ସର୍ବସ୍ୱାନ୍ତ କରିଦେଲେ ଯେ ଇସ୍କୁଲରେ ସତେଅବା ଅତିକ୍ଳାନ୍ତ ଜିରୋମାନଙ୍କ ପରି ଦେଖାଗଲେ । ତେଣିକି ପିଲାମାନଙ୍କ ସହିତ ସେମାନଙ୍କର କ୍ଲାସ୍‌ରେ ନୁହେଁ, ଅଧିକ ମାହାସୁଲରେ ନିଜର ଘରେହିଁ ଭେଟହେଲା ।

 

ଏବର୍ଷ ଓଡ଼ିଶାରେ ଏହି ଶିକ୍ଷକମାନେ ଗୁରୁଦିବସକୁ କଳା ଦିବସ ବୋଲି ପାଳନ କଲେ-। ପ୍ରକୃତ ମର୍ଯ୍ୟାଦା ଅନୁସାରେ ଏହି ଦିନଟି ଇସ୍କୁଲମାନଙ୍କରେ ଶିକ୍ଷକମାନଙ୍କର ଜନ୍ମଦିବସ ପରି ପାଳିତ ହେଉଥାନ୍ତା । ଏବର୍ଷ ସତେଅବା ଏକ ମୃତ୍ୟୁ ଭଳି ପାଳନ କରାଗଲା । ପିଲାମାନେ ପ୍ରକୃତରେ ଭାରି ଅବାକ ହୋଇ ଯାଇଥିବେ । ଅସଲ ଗୁମରଗୁଡ଼ିକୁ ସେମାନେ ହୁଏତ କିଞ୍ଚିତ୍ କିଞ୍ଚିତ୍ ପରିମାଣରେ ବୁଝୁଥିଲେ ମଧ୍ୟ ତଥାପି ବୁଝି ପାରି ନଥିବେ । ସେମାନେ ଯେଉଁ ଦେଶଟି ଲାଗି ପ୍ରସ୍ତୁତ ହେଉଛନ୍ତି, ସେହି ଦେଶରେ ଏସବୁ ଘଟଣା କାହିଁକି ଘଟିବାଲାଗି ପ୍ରଶ୍ରୟ ପାଆନ୍ତି କେଜାଣି ? ପିଲାମାନେ ଆଦୌ ଗୁରୁଦିବସର ଚଳଣିଟିକୁ ଆରମ୍ଭ କରି ନାହାନ୍ତି । ମାତ୍ର ପ୍ରଧାନତଃ ବୟସସୁଲଭ ଅନୁରାଗଦ୍ୱାରା ପ୍ରେରିତ ହୋଇ ସେମାନେ ଏହିପରି ଦିବସଟିକୁ ପାଳନ କରି ଆସିଛନ୍ତି । ନିଜ ଗୁରୁମାନଙ୍କର ଗୁଣଗାନ କଲାବେଳେ ସେମାନେ କେଡ଼େ ସାବଧାନତାର ସହିତ ନିଜ ମୁହଁରୁ କେବଳ ଭଲ କଥାମାନ ବାହାର କରି କହିଛନ୍ତି । ହୁଏତ ସ୍ୱର୍ଗରୁ ବିଶେଷଣମାନ ଚୟନ କରି ଆଣିଛନ୍ତି ସିନା, ତଥାପି ଦୈନନ୍ଦିନ ଯାହା ଅଙ୍ଗେ ନିଭାଇଛନ୍ତି, ସେସବୁ ଆଦୌ ପ୍ରକାଶ କରିନାହାନ୍ତି । ଅନ୍ତତଃ ଗୋଟିଏ ଦିନପାଇଁ ଚରମ ବାକ୍‍ସଂଯମ ଅବଲମ୍ବନ କରିଛନ୍ତି । ଏହିଭଳି ଗୋଟିଏ ଦିବସରେ ଶିକ୍ଷକମାନଙ୍କର ଭାରି ଖୁସି ହୋଇ ପିଲାମାନଙ୍କ ପାଖକୁ ଆସିବାର କଥା ଏବଂ ପିଲାମାନଙ୍କ ସହିତ ଏକାଠି ବସିବାର କଥା । ଯେଉଁ କାରଖାନାରୁ ମୂଲ ଭରଣା ହୋଇ ସେମାନଙ୍କୁ ଜଣେ ଜଣେ ଶିକ୍ଷକରୂପେ ନିଯୁକ୍ତ କରି ରଖାଯାଇଛି, ଅନ୍ତତଃ ବରଷକରେ ଗୋଟିଏ ଦିନ ସେମାନଙ୍କର ସେହି କାରଖାନାର ସକଳ ବିଷାଦକୁ ଭୁଲି ପିଲାମାନଙ୍କ ମେଳରେ ଉଶ୍ୱାସ ହୋଇ ବସିପାରିବା କଥା । ମାତ୍ର ଏହି କଳାଦିବସର ଅପଭାବନାକୁ ସେମାନଙ୍କ ଅକଲ ଭିତରେ କିଏ ଆସି ଭର୍ତ୍ତି କଲା ?

 

ନିଜର ଛାତ୍ରମାନଙ୍କ ଗହଣରେ ଶିକ୍ଷକ ହେଉଛି ସବାଆଗ ଶିକ୍ଷକ ଏବଂ ସବାଶେଷରେ ମଧ୍ୟ ଶିକ୍ଷକ । ଅନ୍ତତଃ ଛାତ୍ରମାନଙ୍କ ଆଖିରେ ସେମାନେ ଠିକ୍ ସେହିଭଳିହିଁ ଦେଖାଯାଆନ୍ତି । ସରକାରଙ୍କ ଆଖିରେ କାରଖାନାର ନ୍ୟାୟଶାସ୍ତ୍ର ଅନୁସାରେ ସେମାନେ ଜଣେ ଜଣେ ଶ୍ରମିକ ପରି ହୁଏତ ଦେଖାଯାଉଥିବେ, ଅଥବା କାରଖାନାର ଫଳ ଖାଇ ଖାଇ ଅନ୍ତତଃ ନିମକସଚ୍ଚା ଭଳି ଦେଖାଯିବା ପାଇଁ ସେମାନେ ଆପଣାକୁ ନିଜର ସେହି ଭୂମିକାରେ ଜଣେ ଜଣେ ଶ୍ରମିକରୂପେ ଅନୁଭବ କରିଥିବେ ଏବଂ କରୁଥିବେ । ସେଠି ନିଜର ଗୁହାରି ଜଣାଇବା ନିମନ୍ତେ ସଂଗ୍ରାମ କରିବାକୁ ଓ ଯୁଦ୍ଧ ଜିତିବାକୁ ବାଧ୍ୟ ହେଉଥିବେ । ମାତ୍ର ସେଥିଲାଗି ଦେଶର ପିଲାମାନେ କାହିଁକି ତାହାର ଦାଉ ସହିବାକୁ ଛେଳିପରି ବ୍ୟବହୃତ ହେବେ ? ଗୁରୁଦିବସ ନାମକ ରୀତିଟିକୁ ଏକଦା ସରକାର ଚଳାଇଥିଲେ, ମାତ୍ର କାଳକ୍ରମେ ତାହା ଧର୍ମତଃ ଶିକ୍ଷକ ଏବଂ ଛାତ୍ରମାନଙ୍କ ମଧ୍ୟରେ ପାଳିତ ହେଉଥିବା ଏକ ଦିବସରେ ପରିଣତ ହୋଇଯାଇଛି । ଛାତ୍ରମାନଙ୍କ ତରଫରୁ ଏହି କ୍ଷେତ୍ରରେ ଆଦୌ କୌଣସି ଖିଲାପ କରାଯାଇନାହିଁ । ଶିକ୍ଷକମାନେ ସଂଘବାଉଳା ହୋଇ କାହିଁକି ତାହାକୁ କଳା ଦିବସ ବୋଲି କହି ଦୋଚାରୁଣୀ ହେଉଛନ୍ତି, ଆମେ ତାହାର କାରଣ ଖୋଜି ଆଉ କାହା ପାଖକୁ ଯିବା ?

 

ମୁହଁଟାକୁ କଳା କରିବା ସକାଶେ ଗୁରୁମାନେ ସମ୍ଭବତଃ ଆଉ ଗୋଟିଏ ଦିନ ବାଛି ପାରିଥାନ୍ତେ । ଏପରି ଦିନଟିଏ ସ୍ଥିର କରିଥାନ୍ତେ ଯେ ପିଲାମାନଙ୍କ ଉପରେ ତାହାର କୌଣସି ଧକ୍କା ଆସି ବାଜି ନଥାନ୍ତା । ପିଲାମାନେ ପାଠ ପଢ଼ିବାଲାଗି ପୃଥିବୀରେ ଇସ୍କୁଲମାନେ ଅଛନ୍ତି ଓ ଏହି ଇସ୍କୁଲମାନେ ଅଛନ୍ତି ବୋଲି ମଧ୍ୟ ଯେ ଶିକ୍ଷକ ରହିଛନ୍ତି, ଏହି ମୂଳ କଥାଟିକୁ କେହି କେବେ କାଟିଦେଇ ପାରିବ ନାହିଁ । ତେଣୁ ଶିକ୍ଷକମାନଙ୍କର ଆମ ପିଲାମାନଙ୍କ ପାଖରେ ପ୍ରକୃତରେ ଋଣୀ ହୋଇ ରହିପାରୁଥିବା ଉଚିତ । ଆପଣାର ଅସଲ ପରିଚୟ–ପତ୍ରଟିର ଇଜ୍ଜତକୁ ସେମାନେ ନିଜେ ରଖିପାରୁଥିବା ଉଚିତ । ଗତ କେତେଟା ଦଶନ୍ଧି ମଧ୍ୟରେ ସେମାନଙ୍କର ସେହି ପରିଚୟପତ୍ରଟି କୋଉଠୁ ଯାଇ କୋଉଠି ଯେ ହେଲାଣି, ନିଜର ଏକ ନିକିତି ଥିଲେ ସେମାନେ ସେହି କଥାଟିର କଳନା କରି ଦେଖିପାରୁଥିବେ । ତେଣୁ ଗୁରୁଦିବସ ଦିନ ଗୁରୁମାନେ ଘରେ ରହନ୍ତୁ, ଅର୍ଥାତ୍ ଇସ୍କୁଲରେ ରହନ୍ତୁ, ନିଜ ପିଲାମାନଙ୍କ ମେଳରେ ରହନ୍ତୁ, ସ୍ୱୀକୃତ ହୁଅନ୍ତୁ । ଅଥଚ, କଳାଦିବସଟିଏ ପାଳନ କରିବାର କାଙ୍ଗାଳପଣରେ ବୁଡ଼ିଯାଇ ଯଦି ସେମାନେ ରାଜଧାନୀକୁ ଆସି ସର୍ବସାଧାରଣରେ ଖିଙ୍କାରିହେବେ ଅଥବା ଖୁସାମତି କରିବେ, ତେବେ ଏହି ଦେଶରେ କ୍ରମେ ହୁଡ଼ି ହୁଡ଼ି ଯାଉଥିବା କାଳଟାକୁ ଫେରାଇ ଆଣିବା ସମ୍ପୃକ୍ତ ସମସ୍ତଙ୍କ ପାଇଁ ଆହୁରି କଷ୍ଟକର ହୋଇପଡ଼ିବ-

 

ଶିକ୍ଷକ ତା’ ମର୍ଯ୍ୟାଦାକୁ ଜଗିଥିଲେ ସିଂହାସନମାନେ ତା’ ପାଦ ପାଖକୁ ଅବଶ୍ୟ ଆସିବେ । ପୂର୍ବକାଳର କାହାଣୀମାନଙ୍କରେ ଏହାର ବହୁ ଉଦାହରଣ ରହିଛି । ଆମର ଏହି ବହୁ ଅଳିଆ ଯୁଗରେ ମଧ୍ୟ ସେହି ସତ୍ୟଟିର ପ୍ରତିଷ୍ଠା ଆଦୌ ମଳିନ ହୋଇ ଯାଇନାହିଁ । ମାତ୍ର ଶିକ୍ଷକର ଚାକିରିଟାଏ କରିପକାଇଲା ବୋଲି ଜଣେ ଶିକ୍ଷକ ତା’ର ସମକାଳୀନ ସିଂହାସନଗୁଡ଼ିକ ଆଗରେ ନିଜର ମର୍ଯ୍ୟାଦାକୁ ଅମଳିନ ରଖିବାରେ ଯେ ସମର୍ଥ ହୋଇଯିବ, ସେ କଥା ଆଦୌ ନୁହେଁ । ତା’ ଦରମା ଆହୁରି ୭ଗୁଣ ଅଧିକ ହେଲେ କିମ୍ବା ତା’ର ସଂଘ ଆହୁରି ବିଶା ଶହେଗୁଣ ଅଧିକ ଚଣ୍ଡ ହେଲେ ମଧ୍ୟ ତାହା ହେବ ନାହିଁ । ଜଣେ ଶିକ୍ଷକ ହିସାବରେ ସିଏ ଶକ୍ତିମାନ ହେଲେ ଯାଇ ତାହା ହୋଇପାରିବ । ପିଲାମାନେ ସବୁବେଳେ ତାହାର ପକ୍ଷରେ ରହିଥିବେ । ବର୍ଷ ବର୍ଷ ଧରି ସଂଘର ପିଛା ଧରିଥିବା ହେତୁ ଶିକ୍ଷକମାନେ ପିଲାମାନଙ୍କର ବିଶ୍ୱାସ ଏବଂ ସମର୍ଥନ ହରାଇ ବସିଛନ୍ତି । ଏ ଦେଶରେ ପିଲାମାନେ ଶିକ୍ଷକପଟେ ନାହାଁନ୍ତି ବୋଲି ସରକାର ଗୋଟାଏ ପଟେ ଗୁରୁଦିବସର ଭେଳିକି ଲଗାଇ ଦେଇ ଆଉ ଗୋଟାଏ ପଟେ ଶିକ୍ଷକମାନଙ୍କୁ ନଚାଇବାରେ ଲାଗିଛି । ପିଲାମାନଙ୍କର ପଟ ଅର୍ଥାତ୍ ଶିକ୍ଷାର ପଟ ଛାଡ଼ି ଦେଇଥିବାରୁ ଶିକ୍ଷକମାନେ ଏକ ସମୂହ ହିସାବରେ ବଡ଼ ଭୀରୁ ହୋଇ ଗଲେଣି । ସେମାନେ ପୁନର୍ବାର ଘରକୁ ଲେଉଟି ଆସନ୍ତୁ, ଲକ୍ଷଣଯୁକ୍ତ ହୁଅନ୍ତୁ ।

Image

 

Unknown

ପାଶ୍ଚାତ୍ୟ ଓ ପ୍ରାଚୀ

 

ପାଶ୍ଚାତ୍ୟ ପୃଥିବୀ କହିଲେ ଆମେ ଇଉରୋପ ଏବଂ ଆମେରିକାକୁ ବୁଝୁ । ଜ୍ଞାତ ପୃଥିବୀଟିକୁ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଏହିପରି ଦୁଇ ଭାଗରେ ନାମକରଣ କରିବା, ଏଇଟି ପ୍ରଥମେ ପାଶ୍ଚାତ୍ୟରୁହିଁ ଆରମ୍ଭ ହୋଇଛି । ପ୍ରାଚ୍ୟ କହିଲେ ଭୂଗୋଳ ଅନୁସାରେ ଭାରତବର୍ଷ ସହିତ ଚୀନ ଓ ଜାପାନକୁ ବୁଝାଇ ଆସିଛି । ମାତ୍ର, କେଉଁ କାରଣରୁ କେଜାଣି ପ୍ରାଚ୍ୟ ଶବ୍ଦଟି ଉଚ୍ଚାରଣ କରିବାମାତ୍ରକେ ଭାରତରେ ଆମେ ଅନେକେ କେବଳ ଭାରତବର୍ଷକୁ ବୁଝିଥାଉ । ପ୍ରାଚ୍ୟ ବିଦ୍ୟା କହିଲେ ଅଧିକ ନିର୍ଦ୍ଦିଷ୍ଟ ଭାବରେ ପ୍ରାଚୀନ ଭାରତୀୟ ବିଦ୍ୟାକୁହିଁ ବୁଝୁ।

 

ଇଉରୋପରୁ ସବାଆଗ ବଣିକମାନେ ଭାରତକୁ ଆସିଥିଲେ । ବାଣିଜ୍ୟ କରୁକରୁ ସେମାନେ ଏହି ଭୂମିଟିକୁ ଜୟ କଲେ, ସମଗ୍ର ଭୂଖଣ୍ଡଟିର ମାଲିକ ହେଲେ । ଆମକୁ ଶାସନ କଲେ, ଶୋଷଣ ମଧ୍ୟ କଲେ । ଏହା ଫଳରେ ଭାରତ ସହିତ ପାଶ୍ଚାତ୍ୟ ପୃଥିବୀର ଯେଉଁ ଯୋଗସୂତ୍ର ସ୍ଥାପିତ ହେଲା, ସେହି ମାର୍ଗଟି ଧରି ଇଉରୋପରୁ ଏପରି ବ୍ୟକ୍ତିମାନେ ମଧ୍ୟ ଭାରତବର୍ଷକୁ ଆସିଲେ, ଯେଉଁମାନେ କି ଆମର ଭାଷାଗୁଡ଼ିକୁ ଶିକ୍ଷା କଲେ । ପ୍ରାଚୀନ ଓ ଆଧୁନିକ ଉଭୟ ଭାଷା ଶିଖିଲେ । ଆମର ଯେ ଏକ ଗୌରବମୟ ଜ୍ଞାନଭଣ୍ଡାର ରହିଛି, ଆମ ପାଖରେ ସେହିମାନେହିଁ ଆଗ ସେକଥା କହିଲେ । ଆମେ ଯେଉଁ ସାଂସ୍କୃତିକ ମାଟିଟି ଉପରେ ଇତିହାସରେ ବିବର୍ତ୍ତିତ ହୋଇ ଆସିଛୁ, ସେମାନେ ଆମକୁ ସେହି ମାଟିଟି ସହିତ ପରିଚିତ କରାଇଦେଲେ । ଆଗରୁ ତ ସମଗ୍ର ଭଣ୍ଡାରଟା କେବଳ ଗୋଟାଏ ଜାତିର ଏକଚାଟିଆ ହୋଇ ରହିଥିଲା । ଇଉରୋପୀୟମାନେହିଁ ସର୍ବପ୍ରଥମେ ସେଗୁଡ଼ିକ ଆମ ସମସ୍ତଙ୍କର ଜାତୀୟ ସମ୍ପଦ ବୋଲି ଆମକୁ ଚିହ୍ନାଇଦେଲେ । ଆମ ଓଡ଼ିଆଭାଷା ସମେତ ଭାରତୀୟ ଯାବତୀୟ ଭାଷାରେ ସର୍ବପ୍ରଥମ ବହିଗୁଡ଼ିକ ସେହିମାନେ ଛାପିଛନ୍ତି ଏବଂ ସର୍ବପ୍ରଥମ ବ୍ୟାକରଣ ସେହିମାନେ ଲେଖିଛନ୍ତି । ଆମ ପ୍ରାଚୀନ ସଂସ୍କୃତି–ଭଣ୍ଡାରଟିର ଘରେ ସେହି ଇଉରୋପୀୟମାନେହିଁ ଆମକୁ ଏକ ସଚେତନ ପ୍ରବେଶାଧିକାର ଆଣି ଦେଇଛନ୍ତି ।

 

ଆଧୁନିକ ବିଜ୍ଞାନ କହିଲେ ଆମେ ଯାହାକିଛି ଏବେ ବୁଝିଲୁଣି, ତାହା ଆମେ ପାଶ୍ଚାତ୍ୟ ସହିତ ଆମର ପରିଚୟରୁହିଁ ଲାଭ କରିଛୁ । ଆମ ସ୍ୱାଧୀନତା–ସଂଗ୍ରାମର ସର୍ବମୂଳ ପ୍ରେରଣାଗୁଡ଼ିକୁ ଆମେ ଇଉରୋପରୁ ଓ ଆମେରିକାରୁ ଆଣିଛୁ । ଆଧୁନିକ ଭାରତ ପଛରେ ପ୍ରତିନିଧିମୂଳକ ଭାବରେ ଠିଆ ହୋଇ ଏବେ ମଧ୍ୟ ଆମକୁ ଆଗକୁ, ଆହୁରି ଆଗକୁ ବାଟ କାଢ଼ିବାର ଉତ୍ସାହ ଯୋଗାଇ ଦେଉଥିବା ଦ୍ରଷ୍ଟା ଓ ନେତାମାନେ ମହାତ୍ମାଗାନ୍ଧୀ, ଶ୍ରୀ ଅରବିନ୍ଦ, ରବୀନ୍ଦ୍ରନାଥ, ପ୍ରତ୍ୟେକେ ଆପଣାର ନିର୍ମୀୟମାଣ ବୟସରେ ସେହି ପାଶ୍ଚାତ୍ୟର ସର୍ବଶ୍ରେଷ୍ଠ ଅବଦାନଗୁଡ଼ିକରେ ଅବଗାହନ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ପାଶ୍ଚାତ୍ୟର ସର୍ବୋତ୍ତମ ଉପାଦାନଗୁଡ଼ିକ ସହିତ ପରିଚିତ ହୋଇ ସେମାନେ ଆମ ଭାରତବର୍ଷରେ ମଧ୍ୟ ଆମର ସର୍ବୋତ୍ତମ ଉପାଦାନ ତଥା ସମ୍ଭାବନାଗୁଡ଼ିକର ଆବିଷ୍କାର କରିବାକୁ ମନ ବଳାଇଛନ୍ତି । ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କରିବା ପରେ ଆପଣାର ଯାବତୀୟ ନବନିର୍ମାଣର ଆଖିଗୁଡ଼ିକୁ ପ୍ରଧାନତଃ ସେହି ପାଶ୍ଚାତ୍ୟରୁ ପାଇଛି । ଆମ ଗବାକ୍ଷଗୁଡ଼ିକ ମଧ୍ୟ ସେଠାରୁ ସତେଅବା ଏକାଧିକ ନୂଆ ପ୍ରସ୍ଥମାନ ଲାଭ କରି ନୂଆ ମୂଲ୍ୟଗତ ପରିମିତିରେ ପୃଥିବୀକୁ ଦେଖି ଶିଖିଛନ୍ତି ଏବଂ ତଦ୍ଦ୍ୱାରା ଅମିତ ପ୍ରକାରେ ଲାଭବାନ୍ ହୋଇପାରିଛନ୍ତି ।

 

ଭାରତବର୍ଷକୁ ସତେଅବା ଦ୍ୱୀପଟିଏ କରି ରଖିବାକୁ, ମାନବତାର ଏହି ଜାଗତିକ ସମଗ୍ରବସତି ମଧ୍ୟରେ ତଥାପି ଅଲଗା ଓ ଅସ୍ପୃଶ୍ୟଟିଏ କରି ରଖିବାକୁ ଭାରତବର୍ଷର ରକ୍ଷଣଶୀଳ ଅର୍ଥାତ୍ ସ୍ପର୍ଶକାତର ଶିବିରମାନେ କେତେକେତେ ଚେଷ୍ଟା କରିଛନ୍ତି ଓ ତେଣୁ ସେଥିଲାଗି ଆବଶ୍ୟକ ପାଚେରୀମାନ ଛିଡ଼ା କରି ରଖିବାର ମତଲବ ଦେଖାଇ ଆସିଛନ୍ତି । ଏବେ ମଧ୍ୟ କମ୍ ଦେଖାଉ ନାହାନ୍ତି । ପାଶ୍ଚାତ୍ୟରୁ ବସ୍ତୁବାଦ ଆସି ଭାରତବର୍ଷର ଜାତି ନେବାକୁ ବସିଛି ବୋଲି ସେମାନେ ଅବସର ଓ ଅନବସରରେ ବାଘ ବାଘ ବୋଲି କେଡ଼େ ପାଟି କରୁଛନ୍ତି । ବସ୍ତୁବାଦ ଓ ଆଧୁନିକତାକୁ ସେମାନେ ପ୍ରାୟ ଗୋଟିଏ କଥା ପରି ଦେଖୁଛନ୍ତି । ସେହିମାନେହିଁ ଭାରତବର୍ଷରେ ଏକାଧିକ ଅନ୍ୟାୟ ଶୋଷଣ ଏବଂ ଏକାଧିକ ଉପେକ୍ଷା ତଥା ଅବଜ୍ଞାର କାରଣହୋଇ ରହିଛନ୍ତି ଏବଂ ଏକ ଭାବପ୍ରବଣତାପୂର୍ଣ୍ଣ ଅତୀତଚିତ୍ରର ଉଲୁଗୁଣା ଦେଇ ସେମାନେ ଭାରତବର୍ଷରେ ଭବିଷ୍ୟତର ସଂକ୍ରମଣଟିକୁ ଓଗାଳି ରହିଛନ୍ତି । ସତେଅବା ଦ୍ୱୀପଟିଏ ହୋଇ ରହିବାକୁହିଁ ଭାରତୀୟତା ବୋଲି ଭ୍ରମ କରୁଛନ୍ତି ।

 

ଭାରତବର୍ଷ କହିଲେ ଯଦି ଏହି ଭୂମିରେ ବାସ କରୁଥିବା ସବୁ ମଣିଷଙ୍କୁ ବୁଝାଏ, ତେବେ ଆମର ପରବର୍ତ୍ତୀ ପଦକ୍ଷେପମାନଙ୍କରେ ଆମର ତଥାକଥିତ ରତ୍ନଖଚିତ ଅତୀତ ଅପେକ୍ଷା ପାଶ୍ଚାତ୍ୟର ସଚଳ ଦୃଷ୍ଟାନ୍ତଟି ଆମକୁ ହୁଏତ ଅଧିକ ଅନ୍ତର୍ଦୃଷ୍ଟି ଯୋଗାଇ ଦେଇପାରିବ । ଭାରତବର୍ଷରେ ଅଳପ ମଣିଷ ପ୍ରାୟ ସବୁକିଛି ଭାଗ୍ୟକୁ ଭୋଗ କରିବେ, ସେହିମାନେହିଁ ବିଦ୍ୱାନ ବୋଲାଇବେ, ଶାସକ ହୋଇ ଆମ ଛାତି ଉପରେ ବସିଥିବେ, ଚିରନ୍ତନ କାଳ ନିମନ୍ତେ ଏଠାରେ ଉଚ୍ଚନୀଚ, ବଡ଼ସାନ, ଉତ୍ତମ ଓ ଅଧମ ଅନୁସାରେ ସବୁକିଛିର ବରାଦ ହେଉଥିବ, ଶାସ୍ତ୍ରଗୁଡ଼ାକୁ ଦେଖାଇ ଆଚାର୍ଯ୍ୟମାନେ ଆମକୁ ଚଳତ୍‌ଶକ୍ତିହୀନ କରି ରଖିଥିବେ–ପଶ୍ଚିମ ପୃଥିବୀରେ ବିଗତ ଦୁଇଶହ ବର୍ଷ ଭିତରେ ଯାହାସବୁ ହୋଇଛି, ସାହସ କରି ସେହି ଆଡ଼କୁ ଆଗ୍ରହ କରି ପାରିଲେ ଯାଇ ଆମେ ହୁଏତ ଏହିଗୁଡ଼ାକୁ ହଟାଇ ଏଠି ସବୁ ମଣିଷଙ୍କର ଉଦୟ ତଥା ଅଭିବୃଦ୍ଧି ନିମନ୍ତେ ପ୍ରକୃତରେ କିଛି ସମ୍ଭବ କରିପାରିବା । ଗଣତନ୍ତ୍ରରେ ମଧ୍ୟ ଗତ ପଚାଶବର୍ଷ ହେଲା ଯେଉଁମାନେ ଆମଦ୍ୱାରା ନିର୍ବାଚିତ ହୋଇ ଆମ ଶାସନଘରେ କର୍ତ୍ତା ହୋଇ ବସିଛନ୍ତି, ସେମାନେ ମୂଳତଃ ଅତୀତର ଅସନାଗୁଡ଼ାକୁ ଯାବୁଡ଼ି ଧରିଛନ୍ତି ବୋଲି ଭଦ୍ର ହୋଇ ପାରୁନାହାନ୍ତି । ଆପଣାକୁ ସତେଅବା ଅତୀତର କୌଣସି ରାଜାଧିରାଜ ବୋଲି ବିଚାରୁଛନ୍ତି ଓ ଏହି ଦେଶର ରାଜନୀତି ତଥା ପ୍ରଗତିକୁ ଆପଣାର ଗଉଁଗୁଡ଼ାକ ଭିତରେ ପ୍ରାୟ ଅସମର୍ଥ କରି ରଖିଛନ୍ତି । ଏହାର ପ୍ରତିକାର ପାଇଁ ତଥାପି ଯେ ରାସ୍ତା ରହିଛି, ତାହାର ଉଦାହରଣ ଆମକୁ ଭାଗ୍ୟବାଦୀ ଭାରତବର୍ଷର ପୁରୁଣା ଖାତାଗୁଡ଼ିକରୁ ନୁହେଁ, ପାଶ୍ଚାତ୍ୟର ଇତିହାସରୁହିଁ ଅଧିକ ପରିମାଣରେ ମିଳିପାରିବ ।

 

ଭାରତବର୍ଷରେ ଥୋକାଏ ଲୋକ ଅଛନ୍ତି, ଯେଉଁମାନେ କି ଭାରତବର୍ଷକୁ ଏକ ଆଧ୍ୟାତ୍ମିକତାର ଭୂମି ବୋଲି କହନ୍ତି । ଆପଣାର ବିବେକକୁ ନିଦାରୁଣ ଭାବରେ ସ୍ଥୂଳ କରି ରଖିବାକୁ ସେମାନେ ନିଜର ପାରମ୍ପରିକ ଲୁଗାକାନିଗୁଡ଼ାକରେ ଯାହାକିଛି ବାନ୍ଧି ରଖିଥାନ୍ତି, ସେହିଗୁଡ଼ିକୁହିଁ ଆଧ୍ୟାତ୍ମିକତା ବୋଲି ଓ ସେହିପରି କହି କେତେ ନା କେତେ ପୁଲକ ଅନୁଭବ କରନ୍ତି । ନିଜର ସାନ ଘରଟିରେ ବନ୍ଦ ହୋଇ ରହିବାକୁହିଁ ସମ୍ଭବତଃ ‌ସେମାନେ ଏହି ଆଧ୍ୟାତ୍ମିକତାକୁ ଏକ ମାଧ୍ୟମ ପରି ବ୍ୟବହାର କରନ୍ତି । ଆଧ୍ୟାତ୍ମିକତା ଦୁଆରଗୁଡ଼ାକୁ କିଳି ରଖେନାହିଁ, ଦୁଆରଗୁଡ଼ାକୁ ଖୋଲିଦିଏ । ବ୍ୟକ୍ତି ଭିତରେ ବିଶ୍ଵର ଦର୍ଶନ କରାଏ, ବ୍ୟକ୍ତି ଭିତରେ ବିରାଟ ଲାଗି ଥାନ କରାଇବାର ବାଟଗୁଡ଼ିକୁ ବତାଇଦିଏ । ପାରମ୍ପରିକ ପୃଥିବୀରେ ମଣିଷମାନେ ଯେତେପ୍ରକାର ଆଳ ଦେଖାଇ ନିଜ ନିଜ ଘରମାନଙ୍କରେ କିଳି ହୋଇ ରହିଥିଲେ, ନିଜର ଦିବ୍ୟ ପରିଚୟଗୁଡ଼ିକୁ ପାଇବା ଆଗରୁ ନାନାବିଧ ସମ୍ପ୍ରଦାୟ–ଭେଦରେ ଗଧ ଓ ଘୁଷୁରି ପରି ହୋଇ ରହିଥିଲେ, ବିଜ୍ଞାନହିଁ ଯଥାର୍ଥ ସାହସ ଦେଖାଇ ସେହି ଆଳଗୁଡ଼ିକର ମୋହକୁ ଭାଙ୍ଗି ଦେଉଛି; ଥୋକେ ମଣିଷ ନଚାହୁଁଥିଲେ ମଧ୍ୟ ତାହା ସବୁ ମଣିଷଙ୍କୁ ଗୋଟିଏ ବିଶ୍ଵଯାତ୍ରା ଏବଂ ତାହାର ଅବଶ୍ୟମ୍ଭାବୀ ପରବର୍ତ୍ତୀ ସୋପାନରୂପେ ସତକୁସତ ଏକ ଅନ୍ତର୍ଯାତ୍ରାରେ ପରସ୍ପରର ସହଯାତ୍ରୀ କରି ଆଣୁଛି । ଏହି ପୃଥିବୀରେ, ଭାରତବର୍ଷ ସମେତ, ସମସ୍ତଙ୍କ ପାଇଁ ଅନ୍ନର ବରାଦ ହେବ, ଉପାର୍ଜନର ବରାଦ ହେବ, ବିଦ୍ୟାର ବରାଦ ହେବ । ଏହିପରି ଏକ ସମ୍ମାନବୋଧର Infrastructure ଉପରେହିଁ ଅସଲ ଆଧ୍ୟାତ୍ମିକତାର ଖୁଣ୍ଟଗୁଡ଼ିକ ପୋତାହେବ, ସଉଧଟିଏ ଗଢ଼ାହେବ । ଏବଂ ତାହା ଆମ ପଛମୁହାଁ ଆଚାର୍ଯ୍ୟ ଅଥବା ଉପାଧ୍ୟାୟମାନଙ୍କର ବହିକଥାଦ୍ୱାରା ନୁହେଁ, ବିଜ୍ଞାନଦ୍ୱାରାହିଁ ସମ୍ଭବ ହେବ । ଏକ ବିଶ୍ଵଦୃଷ୍ଟି ବିଜ୍ଞାନ ଅଧ୍ୟାତ୍ମର ସାରଥିରୂପେ କାର୍ଯ୍ୟ କରିବା ।

 

ତେଣୁ ପ୍ରାଚ୍ୟ ପାଶ୍ଚାତ୍ୟ ପରି ଅଧିକ ଗ୍ରହଣଶୀଳ ହେଉ, ରୂଢ଼ିଗୁଡ଼ାକୁ ଯାବୁଡ଼ି ନଧରି ସମ୍ମୁଖ ଆଡ଼କୁ ଅନାଉ; ତେବେ ସିଏ ପାଶ୍ଚାତ୍ୟକୁ ତା’ର ସାଥୀରୂପେ ଆବିଷ୍କାର କରିବ । ଏପର୍ଯ୍ୟନ୍ତ ଏକ ମୂଳଭୂତ ହୀନମ୍ମନ୍ୟତାହିଁ ପ୍ରାଚ୍ୟକୁ ପାଶ୍ଚାତ୍ୟର ପରିପ୍ରେକ୍ଷୀରେ ମିଛଟାରେ ଉଗ୍ର ଓ ସ୍ପର୍ଶକାତର କରି ରଖିଛି । ସ୍ପର୍ଶକାତର ମଣିଷର ରାତି କେବେହେଲେ ପାହେନାହିଁ । ସିଏ ସତେଅବା ନିଜ ଅପବୁଦ୍ଧିରେ ପଡ଼ି ଆପଣାର ସାନ ସାନ ଠାକୁରମାନଙ୍କ ପାଖରେ ବାନ୍ଧି ହୋଇ ରହିଯାଏ । ଅନ୍ୟନିନ୍ଦୁକ ହୁଏ । ହୁଏତ ଆପଣାକୁ ଘୃଣା କରୁଥାଏ । ହୁଏତ ଆପଣକୁ ଭୟ କରୁଥାଏ । ଚୀନ ଓ ଜାପାନ ସେହି ଶୃଙ୍ଖଳରୁ ଅତ୍ୟନ୍ତ ପ୍ରଶଂସନୀୟ ଭାବରେ ବାହାରି ଆସିଲେଣି-। ବର୍ତ୍ତମାନ ଭାରତବର୍ଷ ଲାଗି ଅପେକ୍ଷା ରହିଛି ।

Image

 

ବିଜ୍ଞାନରେ ବାମନଦୃଷ୍ଟି

 

ଆଗେ କବିମାନେ ନୀଳ ଆକାଶ ଓ ସେଥିରେ ଉଜ୍ଜ୍ୱଳ ହୋଇ ଜଳୁଥିବା ନକ୍ଷତ୍ରମାନଙ୍କୁ ଦେଖି କେଡ଼େ ମୁଗ୍ଧ ହେଉଥିଲେ । ଏବେ ନକ୍ଷତ୍ରମାନଙ୍କୁ ଦେଖି ବିଜ୍ଞାନ ହେଲାଣି । କେଉଁ ମାସରେ ନକ୍ଷତ୍ରମାନେ ଆକାଶର କେଉଁ କେଉଁ ସ୍ଥାନରେ ଅବସ୍ଥାନ କରୁଛନ୍ତି ଓ ରାତ୍ରିର କେଉଁ କେଉଁ ସମୟରେ ଦୃଶ୍ୟ ବା ଅଦୃଶ୍ୟ ହେଉଛନ୍ତି, ବୈଜ୍ଞାନିକ ଶୈଳୀରେ ସେଗୁଡ଼ିକୁ ସଜାଇ କୁହାଗଲାଣି । ସେସବୁ ପଢ଼ି ଦୂର ଆକାଶ ଆମର କେଡ଼େ ନିକଟବର୍ତ୍ତୀ ହୋଇ ଆସୁଛି । ସେହି ରହସ୍ୟମାନେ ଆମ ପଡ଼ିଶା ପରି ସ୍ପଷ୍ଟ ଏବଂ ପରିଷ୍କାର ହୋଇ ଆସୁଛନ୍ତି । କେତେ ଖୁସି ଲାଗୁଛି, କେତେ ସମ୍ପ୍ରସାରିତ ହୋଇଗଲା ପରି ଲାଗୁଛି ।

 

ୟୁରୋପରେ ଆଧୁନିକ ବିଜ୍ଞାନ ସେହି ନକ୍ଷତ୍ରମାନଙ୍କଠାରୁ ଆରମ୍ଭ ହୋଇଥିଲା । ନକ୍ଷତ୍ରବିଜ୍ଞାନରୁ ଆମେ ପଦାର୍ଥବିଜ୍ଞାନକୁ ଆସିଲୁ ଏବଂ ପଦାର୍ଥବିଜ୍ଞାନରୁ ଜୀବବିଜ୍ଞାନ । କ୍ରମେ ଏହି ଧାରାରେ ପୃଥିବୀର ଆଖି ତା’ ନିଜ ପାଖକୁ ଆସିଲା, ନିଜ ଉପରେ ମଧ୍ୟ ପଡ଼ିଲା । ଏଇଥିରୁ ସମାଜବିଜ୍ଞାନ, ମନୋବିଜ୍ଞାନ ଓ ନୃତତ୍ତ୍ୱ ବିଜ୍ଞାନର ଅନ୍ୟ ଅଳିନ୍ଦଗୁଡ଼ିକ ମଧ୍ୟ ଖୋଲିଗଲା । ବିଜ୍ଞାନରୁ ପ୍ରେରଣା ପାଇ ଅର୍ଥାତ୍ ଅପ୍ରମତ୍ତ ଏବଂ ଶ୍ରଦ୍ଧାପୂର୍ଣ୍ଣ ଭାବରେ ମଣିଷ ନିଜର ଚାରିପାଖରେ ମଣିଷକୁ ଦେଖିଲା, ନିଜର ଆଚରଣ ଓ ତା’ର ଗଭୀର ଚେରଗୁଡ଼ିକର ସନ୍ଧାନ କଲା; ତଥାକଥିତ ନିଜ ସଂସ୍କୃତିରୁ ବାହାରି ଯାଇ ସେ ଅନ୍ୟ ସଂସ୍କୃତିଗୁଡ଼ିକୁ ମଧ୍ୟ ଘୃଣାମୁକ୍ତ ହୋଇ ଅଧ୍ୟୟନ କଲା ଏବଂ ଯାବତୀୟ ସଂସ୍କୃତି ପଛରେ ସଂସ୍କୃତି ନାମକ ଏକ ସତ୍ୟ ଅବଶ୍ୟ ରହିଛି ବୋଲି ଆବିଷ୍କାର କରିପାରିଲା । ପୃଥିବୀର ମଣିଷମାନଙ୍କୁ ଅହଂକାର ଓ ତଜ୍ଜନିତ ସଂକୀର୍ଣ୍ଣତାରୁ ମୁକ୍ତି କରି ଆଣିବାରେ ତା’ ବିଜ୍ଞାନପ୍ରେରିତ ଆଖିଗୁଡ଼ିକର ଏହିପରି ଭାବରେ ଏକ ବଳିଷ୍ଠ ଅବଦାନ ରହିଆସିଛି ।

 

ନିଜର ସମାଜକୁ ମଣିଷ ଅପ୍ରମର ହୋଇ ଜାଣିଲା, ସମାଜକୁ ବଦଳାଇଲା । ନିଜକୁ ଅପ୍ରମତ୍ତ ଭାବରେ ଜାଣିଲା, ନିଜକୁ ମଧ୍ୟ ବଦଳାଇଲା । ଅନ୍ୟ ଗୋଷ୍ଠୀ ଏବଂ ସଂସ୍କୃତିଗୁଡ଼ିକୁ ଅଧିକ ସହାନୁଭୂତି ସହିତ ଜାଣିବା ଫଳରେ ନିଜଟା ବିଷୟରେ ତା’ର ରହି ଆସିଥିବା ମିଛ ଅଭିମାନ ଓ ମିଛ ଅତିରଞ୍ଜନଗୁଡ଼ିକରେ ମଧ୍ୟ କ୍ଷୟ ହୋଇପାରିଲା । ମନୁଷ୍ୟର ଆଖି ପ୍ରସାରିତହେବା ସଙ୍ଗେ ସଙ୍ଗେ ତା’ର ପୃଥିବୀଟି ମଧ୍ୟ ପ୍ରସାରିତ ହୋଇଥିଲା । ପ୍ରସାରିତ ପୃଥିବୀ, ଅର୍ଥାତ୍ ପ୍ରସାରିତ ଓ ପରିବର୍ତ୍ତିତ ସମାଜଦୃଷ୍ଟି ମଣିଷର ତଥାକଥିତ ବିଜ୍ଞାନ ଆଲୋଚନାକୁ ମଧ୍ୟ କେତେ ନୂଆ ନୂଆ ବଳ ଆଣି ଯୋଗାଇଦେଲା । ତୁଚ୍ଛା ପଦାର୍ଥବିଜ୍ଞାନରେ ମଧ୍ୟ ନୂଆ ପ୍ରସ୍ଥ ଏବଂ ନୂଆ ପର ଆସି ଯୋଡ଼ାହେଲା । ଗତ ଶହେ ବା ଦୁଇଶହ ବର୍ଷ ଭିତରେ ପୃଥିବୀରେ ବିଜ୍ଞାନର ଯେତିକି ଅଗ୍ରଗତି ହୋଇଛି, ତା’ ପୂର୍ବରୁ ହୁଏତ ଦୁଇ ବା ତିନିହଜାର ବର୍ଷ ମଧ୍ୟରେ ବିଜ୍ଞାନ ଆଗକୁ ଯିବା ଲାଗି ଯେ ସେତିକି ବାଟ ପାଇ ନଥିଲା, ଅତୀତ ପ୍ରତି ଆଦୌ କୌଣସି ଅସମ୍ମାନ ପ୍ରଦର୍ଶନ କରାନଯାଇ ସେହି କଥାଟିକୁ ଅବଶ୍ୟ କୁହାଯାଇପାରିବ । ମଣିଷର ସମାଜ ବଦଳି ଯାଉଥିବା ସହିତ ସିଏ ସାହସ କରୁଥିବା ବିଜ୍ଞାନର ଯାବତୀୟ ଚର୍ଚ୍ଚା ଯେ ଅଧିକ ବଳିଷ୍ଠ ଏବଂ ଫଳଯୁକ୍ତ ହେବାରେ ଲାଗିଥିବ, ସେକଥା କେହି ଅସ୍ୱୀକାର କରିବେନାହିଁ ।

 

ଭାରତବର୍ଷରେ ଆଧୁନିକ ବୈଜ୍ଞାନିକ ଦୃଷ୍ଟିଟି କେବଳ ନକ୍ଷତ୍ର ବା କେବଳ ପଦାର୍ଥବିଜ୍ଞାନ ପର୍ଯ୍ୟନ୍ତ ଆସି ସତେଅବା କେଉଁ ଷଡ଼ଯନ୍ତ୍ରର ଶିକାର ହୋଇ କେଡ଼େ ଅଳିଅଳ ଭାବରେ ଆଗ୍ରହର କ୍ଷେତ୍ରରେ ସେତିକି ଭିତରେ ଅଟକି ରହିଛି କି ? ଆମ ଇସ୍କୁଲମାନଙ୍କରେ ଯେଉଁଠାରେ ବିଜ୍ଞାନ ପ୍ରକୃତରେ ପଢ଼ାଯାଉଛି, ସେଠାରେ ପ୍ରଧାନତଃ ଗେହ୍ଲାମାନେ ପାଠ ପଢ଼ୁଛନ୍ତି । ଆମ ଦେଶରେ ବଡ଼ କଲେଜମାନଙ୍କରେ ପଢ଼ି ଯେଉଁମାନେ ଡାକ୍ତର, ଇଞ୍ଜିନିୟର୍‍ ଅଥବା ଅନ୍ୟ କୌଣସି ଅନ୍ୟ ବିଜ୍ଞାନ ପଢ଼ିଥିବା ଗେହ୍ଲା ମଣିଷ ହୋଇ ବାହାରୁଛନ୍ତି, ସେମାନେ ସବାଆଗ ଚାକିରିଆ ହୋଇ ରହିଛନ୍ତି, ନିଜ ନିଜ ବିଜ୍ଞାନର କ୍ଷେତ୍ରରେ ହୁଏତ ଅତ୍ୟନ୍ତ କମ୍ କାମରେ ଲାଗୁଛନ୍ତି-। ଚାକିରି ମାଳମାଳ ରହିଛି, ମାତ୍ର ଅସଲ ଡାକ୍ତର ବା ଅସଲ ଇଞ୍ଜିନିୟର୍‍ଟିଏ ହୁଏତ ଅକାଳେ ସକାଳେ ମଧ୍ୟ ଦେଖିବାକୁ ମିଳୁନାହିଁ । ବିଜ୍ଞାନ ପଢ଼ି ଆମ ଦେଶରେ ବାବୁମାନେ ତିଆରି ହେଉଛନ୍ତି, ବିଜ୍ଞାନକୁ ପିଢ଼ା କରି ସେମାନେ ତାହାରି ଉପରେ ବସିଛନ୍ତି । ଏବଂ, ଦେଶଟାଯାକ ଅନ୍ଧାର ହୋଇ ରହିଛି ।

 

ଆମର ରାଜନୀତି ବିଜ୍ଞାନ ଅନୁସାରେ ଚାଲୁଥାନ୍ତା, ସାମୂହିକ ଜୀବନର ବିଭିନ୍ନ କ୍ଷେତ୍ରରେ ଆମର ନେତୃତ୍ୱଗୁଡ଼ିକ ମଧ୍ୟ ଏକ ବୈଜ୍ଞାନିକ ବିନୟ ଓ ବୈଜ୍ଞାନିକ ବିବେକଦ୍ୱାରା ପରିଚାଳିତ ହେଉଥାନ୍ତେ । ଏପରିକି, ଆମ ଇସ୍କୁଲ ଓ କଲେଜମାନେ ମଧ୍ୟ ବିଜ୍ଞାନ ଅନୁସାରେ ଚାଲୁଥାନ୍ତେ; ଅଧିକ ଭଦ୍ର ହୋଇଥାନ୍ତେ, ଅଧିକ ସଭ୍ୟବି ହୋଇଥାନ୍ତେ । ଆମ ପରିବାରଗୁଡ଼ିକରେ ମଧ୍ୟ ଯଥାର୍ଥ ପରିମଳଟିଏ ରହିଥାନ୍ତା । କେହି କର୍ତ୍ତୃତ୍ୱ ବିସ୍ତାର କରୁ ନଥାନ୍ତେ, କେହି କାହାରିକୁ ଗିଳି ପକାଇବେ ବୋଲି ଧାଇଁ ନଥାନ୍ତେ । ଆମ ସରକାର, ଆମ କଚେରି, ଆମ ଅର୍ଥନୀତି ଓ ଏପରିକି ଆମ ଧର୍ମବିଚାର ମଧ୍ୟରେ ମଧ୍ୟ ବିଜ୍ଞାନ ଲାଗି ଏକ ନ୍ୟାଯ୍ୟ ସ୍ଥାନ ରହିଥାନ୍ତା । ଏକ ବୈଜ୍ଞାନିକ ଦୃଷ୍ଟି ଆମ ମାମଲତ୍‍କାରୀଗୁଡ଼ାକୁ ନିୟନ୍ତ୍ରିତ କରିପାରୁଥାନ୍ତା । ତେବେ ଆମେ ଏ ଦେଶ ଭିତରେ ନିର୍ଧୁମ୍ ଆଦିମ ଓ ନିର୍ଧୁମ୍ ବର୍ବର ହୋଇ ରହି ଉପରେ ନିଜକୁ ବଡ଼ମଣିଷ, ଧନୀ ମଣିଷ ତଥା ସ୍ୱେଚ୍ଛାଚାରୀ ଅମଣିଷଙ୍କ ପରି କଦାପି ବହୁଳ ଢମ ଦେଖାଇବାରେ ଏତେ ସୁଖ ପାଉନଥାନ୍ତୁ । ବିଜ୍ଞାନ ନକ୍ଷତ୍ରଲୋକ ଓ ପଦାର୍ଥପ୍ରୟୋଗରେ ସ୍ତରରୁ ଆମ ଜୀବନଶାଳା ପର୍ଯ୍ୟନ୍ତ ପ୍ରସାରିତ ହୋଇ ଆସିପାରୁଥିଲେ ହୁଏତ ତାହା ହୋଇପାରୁଥାନ୍ତା ।

 

ଡାଇନୋସର କେବେ ଥିଲେ, ଏବେ ନାହାନ୍ତି । ଆମେ ମଣିଷମାନେ ସେହି ଡାଇନୋସରକୁ ଅବଶ୍ୟ ଜାଣିବା, ମାତ୍ର ତା’ଠାରୁ ଦଶହଜାର ଅଧିକ କୌତୂହଳ ଏବଂ ଅଧିକ ମମତା ଦେଇ ଆମେ ନିଜକୁ ଜାଣିବା, ପରସ୍ପରକୁ ଜାଣିବା । ମଣିଷର ଯାବତୀୟ ବିଜ୍ଞାନ ସବାଆଗ ପରସ୍ପରକୁ ଅଧିକରୁ ଅଧିକ ଜାଣିବାରେ ଏବଂ ଅଧିକରୁ ଅଧିକ ସୁସ୍ଥ ଭାବରେ ପରସ୍ପରକୁ ସାଙ୍ଗରେ ନେଇ ବାଟ ଚାଲିବାରେହିଁ ସାହାଯ୍ୟ କରୁଥିବ ଏବଂ ସାହସ ଯୋଗାଇ ଦେଉଥିବ । ମାତ୍ର, ଯେଉଁ ବିଜ୍ଞାନେଚ୍ଛୁମାନେ ହୁଏତ କୌଣସି ଅନ୍ୟ ଅନୁରକ୍ତିରେ ପଡ଼ି ନକ୍ଷତ୍ରମଣ୍ଡଳ ଓ ଡାଇନୋସର ବିଷୟରେ ବେଶୀ ମୁଣ୍ଡ ଘୂରାଉଛନ୍ତି ଏବଂ ସମାଜ ବିଷୟରେ ବିଜ୍ଞାନଚର୍ଚ୍ଚାର ମଣ୍ଡଳଟି ଭିତରେ ସତେଅବା ଆଦୌ ପାଟି ଫିଟାଇବେ ନାହିଁ ବୋଲି କାଳପାଖରେ ହଲପ କରିଛନ୍ତି, ସେମାନେ ବିଜ୍ଞାନକୁ ମାତ୍ର କେତେକଙ୍କର ଏକଚାଟିଆ କରି ରଖିବାର ଏକ ନିତାନ୍ତ ମନ୍ଦ ମୃଗତୃଷ୍ଣା ଭିତରେ ଆସି ପକାଇ ଦେଇଛନ୍ତି କି ? କେବଳ ଥୋକେ ମଣିଷ ଯେପରି ବିଜ୍ଞାନକୁ ଜାଣିବେ, ବିଜ୍ଞାନକୁ ରମଣ ଓ ଭୋଗ କରିବେ, ସେହି ଅନୁସାରେ ଏଠି ଆମ ପିଲାମାନଙ୍କୁ ନକ୍ଷତ୍ର ତଥା ଡାଇନୋସରର ଗେହ୍ଲା କଥାମାନ କହିବାରେ ଆହ୍ଲାଦ ପାଉଥିବା ବ୍ୟକ୍ତିମାନଙ୍କର ଏକ ସମଗ୍ର ବୈଜ୍ଞାନିକ ଦୃଷ୍ଟିକୋଣ ଅଥବା ଦରଦ ରହିଛି ବୋଲି କେତେଦୂର କୁହାଯାଇପାରିବ ?

 

ବିଜ୍ଞାନ ସବାଆଗ ପାଖଟାକୁ ଦେଖେ । ପାଖରୁ ଦୂରକୁ ଯାଏଁ । ପାଖଟିର ବିଶ୍ଳେଷଣ କରେ ଓ ପାଖଟିକୁହିଁ ଆପଣା ବୁଦ୍ଧିପ୍ରବେଶର ପ୍ରଥମ ପାବଚ୍ଛରୂପେ ବ୍ୟବହାର କରେ । ମଣିଷର ସଂସାରରୁହିଁ ସେ ନକ୍ଷତ୍ରମାନଙ୍କର ସଂସାରକୁ ପାଦ ବଢ଼ାଏ କିମ୍ବା ଡାଇନୋସର ଯୁଗର ଇତିହାସକୁ ମନ କରେ । ଭାରତବର୍ଷରେ ଆଗେ ସଂସାରଟାକୁ ପାରୁ ନଥିଲେ ବୋଲି ଅନେକ ଅସ୍ଥିର ମୁକ୍ତିକାମୀ ଏହି ସଂସାରକୁ ଛାଡ଼ି ସନ୍ନ୍ୟାସୀ ହେଉଥିଲେ । ଏହି ସଂସାରରେ ଆଦୌ କୌଣସି ସୁଖ ସମ୍ଭବ ହେବନାହିଁ ଓ କେବଳ ସ୍ଵର୍ଗରେହିଁ ମୋକ୍ଷଧନ ମିଳିପାରିବ ବୋଲି ସେମାନେ କେତେକେତେ ଧର୍ମୀୟ ଓ ଶାସ୍ତ୍ରୀୟ ଚାତୁରୀରେ ଆମ ସଂସାରୀମାନଙ୍କ ଆଗରେ ଟାକରା ଫୁଟାଉଥିଲେ । ଏବେ ମଧ୍ୟ ଭାରତରେ ଗୋଟାଏ ପ୍ରକାରର ସାହିତ୍ୟାମୋଦୀ ରହିଛନ୍ତି, ଯେଉଁମାନେ କି ସଂସାର ଭିତରେ ଥାଇ ଓ ଆତଯାତ ହୋଇ ମଧ୍ୟ ଏଠାରେ ନିଃସଙ୍ଗ ହୋଇ ରହିଛନ୍ତି ଓ ବିକୃତିକୁ ଏକ ବର୍ଣ୍ଣାଢ଼୍ୟ ରସସମ୍ପଦରେ ପରିଣତ କରି ଆମ ଆଗରେ ଏକ ଗେହ୍ଲା ସାହିତ୍ୟର ଚାରଣା କରୁଛନ୍ତି । ନିଜେ ଗେହ୍ଲା ହୋଇ ରହିବେ ବୋଲି ଏହିପରି ଭାବରେ ଆହୁରି ଆହୁରି ଲୋକେ ପାଠକୁ, ଧର୍ମକୁ, ଧନକୁ, ରାଜନୀତିକୁ ଓ ନୈତିକତାକୁ କେଡ଼େ ଗେହ୍ଲା କରି ରଖିଛନ୍ତି । ଭାରତବର୍ଷରେ ଏକ ସମାନ ଅନ୍ୟାୟରେ ବିଜ୍ଞାନବି କ’ଣ ଗେହ୍ଲା ହୋଇ ରହିବାକୁ ଇଚ୍ଛା କରୁଛି କି ? ନହେଲେ, ସିଏ ଚାରିପାଖର ମଣିଷଙ୍କୁ, ସବୁ ମଣିଷଙ୍କୁ ନଦେଖି ନକ୍ଷତ୍ରମଣ୍ଡଳ ଓ ଡାଇନୋସର ସହିତ ବାନ୍ଧି ହୋଇ ରହିବାକୁ ଏପରି ନିରାପଦ ଏବଂ ସଜ୍ଜନସୁଲଭ ବୋଲି ମଣୁଛି କାହିଁକି ?

 

ଆମ ବିଜ୍ଞାନ ଆମ ଲାଗି କେବଳ ଶୃଙ୍ଗାରର ଉପଚାରମାତ୍ର ନହୋଇ ଏକ ଆହ୍ୱାନରୂପେ ଅନୁଭୂତ ହୋଇପାରେ । ଆମ ଥୋକେ ମଣିଷଙ୍କ ସକାଶେ ପ୍ରାୟ ଏକ ପ୍ରସାଧନ ସାମଗ୍ରୀ ହୋଇ ନରହି ଆମ ଜୀବନକୁ ଓ ସମ୍ବନ୍ଧଗୁଡ଼ିକୁ ଅଧିକରୁ ଅଧିକ ସୁନ୍ଦର ଏବଂ ସମ୍ମାନଯୁକ୍ତ କରିବାର ଏକ ପ୍ରୟୋଜନରୂପେ ବ୍ୟବହୃତ ହୋଇବି ପାରେ । ବିଜ୍ଞାନ ଆମକୁ ଶୁଆଇ ପକାଇବା ପରିବର୍ତ୍ତେ ଆମ ନିଦକୁ ଭଙ୍ଗାଇବାରେ ଏକ ପ୍ରଚୋଦକରୂପେ କାର୍ଯ୍ୟ କରିପାରେ । ଭାରତବର୍ଷରେ ଅସଲ ଅବିଜ୍ଞାନଗୁଡ଼ିକୁ ଚାଲେଞ୍ଜ ଦିଆଯାଇ ନଥିବା ପର୍ଯ୍ୟନ୍ତ ଆମର ନକ୍ଷତ୍ରପ୍ରୀତି କିମ୍ବା ଡାଇନୋସର–ପ୍ରେମ ଆମକୁ ହୁଏତ ଅତ୍ୟନ୍ତ ଅଭଦ୍ର ଭାବରେ ମନୁଷ୍ୟର, ଯାବତୀୟ ସମ୍ବନ୍ଧର ଏହି ପୃଥିବୀଠାରୁ ବଡ଼ ଦୂରଛଡ଼ା କରି ରଖିଥିବ । ବିଜ୍ଞାନ ଆଗ ଏହି ଆଖିପାଆନ୍ତାରୁ ଆରମ୍ଭ ହେଲେ ଯାଇ ନିକଟ ଅସଲ ଭୂମିଗୁଡ଼ିକୁ ଚିହ୍ନିବ, ସବୁ ମଣିଷଙ୍କର କାମରେ ଲାଗିବ ଓ ଗେହ୍ଲାମାନଙ୍କୁ ସେମାନଙ୍କର ବିସ୍ମୃତି ଭିତରୁ ଉଦ୍ଧାର କରିଆଣିବ ।

Image

 

ଫର୍ଦ୍ଦେ ବିଜ୍ଞାପନ

 

ଦଶହରାର ପ୍ରାକ୍‌କାଳରେ, କୋଉ ଉପଲକ୍ଷେ କେଜାଣି, ସରକାରୀ ଶିକ୍ଷାବିଭାଗର ଖବରକାଗଜରେ ଫର୍ଦ୍ଦେ ବିଜ୍ଞାପନ ବାହାରିଛି । ଗତ ଚାରିବର୍ଷ ହେଲା ଆମର ଏହି ରାଜ୍ୟରେ ଶିକ୍ଷାର ସିରସ୍ତାଟି ତରଫରୁ ମସ୍ତ ମସ୍ତ କ’ଣ ସବୁ ମହାକାର୍ଯ୍ୟମାନ ହୋଇଛି ଓ ମହାସିଦ୍ଧିମାନ ହାସଲ କରାଯାଇଛି, ବିଜ୍ଞାପନରେ ସେହି ତଥ୍ୟଗୁଡ଼ିକର ବଖାଣ କରାଯାଇଛି । ସତେଅବା କେଡ଼େ ପୁଲକର ସହିତ କରାଯାଇଛି । ଉପରେ ଦୁଇକୋଣରେ ଦୁଇଟି ଫଟୋଚିତ୍ର ବାହାରିଛି; ଗୋଟିଏ ଖୋଦ୍ ମଣିମାଙ୍କର ଏବଂ ଆଉ ଗୋଟିଏ ବିଭାଗୀୟ ପଟାଏତଙ୍କର । ଏହି ତମାମ୍ ବିଜ୍ଞାପନରେ ଦୈନିକ ଖବରକାଗଜଟା ହସୁଥିଲା ପରି ଦେଖାଯାଉଛି ।

 

୧୯୯୦–୯୪ର ଏହି ଚାରିଟା ବର୍ଷକୁ ରାଜ୍ୟରେ ସ୍କୁଲ୍ ଓ ଗଣଶିକ୍ଷାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଛି । ସ୍ୱୟଂ ସୁବର୍ଣ୍ଣକେଶରୀମାନଙ୍କ ତରଫରୁ ଏକତରଫା ଭାବରେ ବିଜ୍ଞାପନ ବାବତରେ ପଇସା ଦିଆଯାଇ ଏହି କଥାଟିର ଘୋଷଣା କରାଯାଇଛି । ସୁବର୍ଣ୍ଣ ଯୁଗ ଏଥିସକାଶେ ନୁହେଁ ଯେ ଶିକ୍ଷାରେ ସତକୁସତ କେଉଁଠି ସୁବର୍ଣ୍ଣ ଫଳୁଥିଲା । ସୁବର୍ଣ୍ଣ ଯୁଗ ଏଥିସକାଶେ ଯେ, ଏହି ଚାରିଟା ବର୍ଷ ମଣିମାମାନେ ଆମକୁ ଶାସନ କରୁଥିଲେ । ସେମାନେ ଆପଣାର କରିବାପଣ ଦେଖାଇ ରାଜ୍ୟରେ ଆମ ଲାଗି କେତେକଅଣ କଲେ । ଆଗରୁ ସତେଅବା କେହି କିଛି କରି ନଥିଲେ, ଏମାନେ ସେତିକି ଯୋଗ୍ୟ ବୋଲି ସେସବୁ କରିପାରିଲେ । ଅର୍ଥାତ୍ ଏହି ଯୋଗ୍ୟ ଲୋକମାନଙ୍କୁ ଯଦି ପୁନର୍ବାର ସିଡ଼ିଟିଏ ଯୋଗାଇ ଦିଆଯାଏ, ତେବେ ସେମାନେ ଆହୁରି କେତେବର୍ଷ ଆମକୁ ଓ ଶିକ୍ଷାକୁ ଶାସନ କରିବେ ଓ ଆହୁରି ଆହୁରି ବିଜ୍ଞାପନମାନ ଛାପି ଆମକୁ ଚକିତ କରିଦେବେ ।

 

ହିସାବରେ ଏକ ସରକାରୀ ତଥ୍ୟଭିତ୍ତିକ ଓ ସଂଖ୍ୟାଗୁରୁ ପରିପାଟୀରେ କୁହାଯାଇଛି ଯେ, ଏହି ଅବଧି ମଧ୍ୟରେ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ବଢ଼ିଛି । ପାଠ ପଢ଼ୁଥିବା ଏବଂ ପ୍ରତିବର୍ଷ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଗେ ପୂରା ଶିକ୍ଷା ବିଭାଗରେ ଯେତିକି ପଇସା ଖର୍ଚ୍ଚ ହେଉଥିଲା, ଏବେ ଖାଲି ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ତା’ଠାରୁ ଗୋଟାଏ କିମ୍ବା ଦୁଇଟା ବୁଜୁଳା ଅଧିକା ପଇସା ଖରଚ ହେଲାଣି । ସରକାର ଉଦାରତା ଅବଲମ୍ବନ କରି ଏତେଟା ଅଧିକ ଇସ୍କୁଲକୁ ହାତକୁ ନେଇଛନ୍ତି । ଆହୁରି ଅଧିକ ହାତକୁ ନେବେ ବୋଲି ମନ୍ତ୍ରଣାବି କରୁଛନ୍ତି । ଶିକ୍ଷକମାନଙ୍କର ପ୍ରଶିକ୍ଷଣ ନିମନ୍ତେ ନୂଆ ନୂଆ ବ୍ୟବସ୍ଥା ହୋଇଛି ଓ ଆହୁରି ହେବାକୁ ଯାଉଛି । ଇସ୍କୁଲମାନଙ୍କୁ ରେଡ଼ିଓ ଏବଂ ଟେଲିଭିଜନ ଯୋଗାଇ ଦିଆଯାଉଛି । ତେଣେ ନିରକ୍ଷରମାନଙ୍କୁ ସାକ୍ଷର କରିବାର ମହାଭିଯାନରେ ମଧ୍ୟ ସରକାର କମ୍ କାମ କରୁନାହାନ୍ତି । ଯିଏ କାମ କରୁଥାଏ, ସିଏ ଯେତେବେଳେ ନିଜର ବିଜ୍ଞାପନ ଛପାଇ ନିଜ ସମର୍ଥତାର ପ୍ରମାଣଦିଏ, ସେତେବେଳେ ଆମ ଗାଁରେ ତାକୁ ମୋଟେ ଗୋଟାଏ ଭଲ ବା ସାଧୁ ମଣିଷ ବୋଲି କହନ୍ତି ନାହିଁ । ହାଣ୍ଡିରେ ଚାଉଳ ପଡ଼ି ଭାତ ଫୁଟି ପ୍ରସ୍ତୁତ ହୋଇଗଲେ ଲୋକମାନେ ବଳେବଳେ ତାକୁ ବାଢ଼ିନେଇ ଖାଇ ବସନ୍ତି । ହାଣ୍ଡିମାନେ, ଚୁଲିମାନେ, ଭାତମାନେ ଫୁଟିଲେ ଅଥବା ଭୋଜନଯୋଗ୍ୟ ହୋଇଗଲେ ବୋଲି ଆଦୌ ବିଜ୍ଞାପନ ଦେବାକୁ ମନ କରନ୍ତି ନାହିଁ । ସରକାରମାନଙ୍କର ବିଧିଗୁଡ଼ିକ ସମ୍ଭବତଃ ଅଲଗା କିସମର ହୋଇଥିବାରୁ ଏଠି ହାଣ୍ଡିମାନେ ଓ ଚୁଲିମାନେ ତୁହାକୁ ତୁହା ନିଜର ବିଜ୍ଞାପନ ଦେଉଥାନ୍ତି ଓ ସେହି ପୁରୁଣା ଧିସାଗୁଡ଼ିକୁ ଦୋହରାଇ ଥାଆନ୍ତି ।

 

ବିଜ୍ଞାପନରୁ ଖବର ମିଳୁଛି, ଶିକ୍ଷାର କ୍ଷେତ୍ରରୁ ଯେପରି ଅସାଧୁତାଗୁଡ଼ାକ ଦୂର ହୋଇଯିବ, ସେଥିଲାଗି ସରକାର ଅଧିକ ତଦାରଖକାରୀ ନିଯୁକ୍ତ କରିଛନ୍ତି । ପିଲାମାନେ ପରୀକ୍ଷା ଦେଲାବେଳେ ଯେପରି କପି ନକରିବେ, ସେଥିଲାଗି କପିଧରାବାହିନୀକୁ ଆଗଠାରୁ ଅଧିକ କଡ଼ା କରାଯାଇଛି । ସରକାର ଖୋଲାଖୋଲି କିଛି କହିନାହାନ୍ତି ସତ, ତଥାପି ଏହି ଦୀର୍ଘକାୟ ବିଜ୍ଞାପନରେ ଯାହା କହିବାକୁ ଇଚ୍ଛା କରୁଛନ୍ତି, ତାହା ହେଉଛି, ଏଥର ସ୍ୱର୍ଣ୍ଣଯୁଗ ସତକୁସତ ଆସିଯିବ । ଯିଏ ଯେଉଁଠାରେ ଅଛ, ସେହିଠାରେ କେବଳ ଅପେକ୍ଷା କରି ରହିଥାଅ, ସ୍ୱର୍ଣ୍ଣଯୁଗ ଆସି ତୁମ ଘର ଅଗଣାରେ ପହଞ୍ଚିଯିବ ଓ ତୁମକୁ ଧନ୍ୟ କରିବ । କାଳକୁ ଉଜ୍ଜ୍ୱଳ କରିଦେବ । ଭାରତବର୍ଷ ସ୍ଵାଧୀନ ହେବାପରେ ଦେଶର ସରକାରଙ୍କ ତରଫରୁ ଯେତେ ଯେତେ ଶିକ୍ଷା କମିଶନ ବସା ଯାଇଥିଲା, ସେମାନେ ମଧ୍ୟ ସେମାନଙ୍କର ସ୍ଵପ୍ନପ୍ରୟାସ ଛଳରେ ଆମକୁ କେତେକେତେ ସୁବର୍ଣ୍ଣ ଯୁଗର ପ୍ରତିଶ୍ରୁତି ଆଣି ଦେଇଥିଲେ । ବିଗତ ପଚାଶବର୍ଷ ଭିତରେ ସେହି ସରକାରକୁ କେଉଁ କିନ୍ନର କିମ୍ବା ବାନରମାନେ ଚଳାଇଲେ କେଜାଣି, ସେହି ପ୍ରତିଶ୍ରୁତିଗୁଡ଼ିକ ପ୍ରଧାନତଃ ଏକ ଢମରେ ପରିଣତ ହୋଇ ରହିଲା । ନଡ଼ିଆଗଛମାନେ ନୂଆ ଚଅଁର ପକାଇଲେ ଓ ଚକଚକ ଦିଶିଲେ ସତ, ମାତ୍ର ନଡ଼ିଆମାନଙ୍କୁ ଭୂତ ଖାଇଗଲା । ମନ୍ତ୍ରୀମାନେ ଆସୁଥିଲେ ଓ ଚାଲି ଯାଉଥିଲେ । ସେମାନେ ଏବେ ମଧ୍ୟ ଆସୁଛନ୍ତି ଓ ଚାଲିଯାଉଛନ୍ତି ।

 

ଯେକୌଣସି ସଭ୍ୟ ଦେଶରେ ସରକାରଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ: ସରକାର ପଇସା ଦେବେ ଏବଂ ପୋଲିସ୍ ହେବେ । ସର୍ବନିମ୍ନ ଯେଉଁଭଳି ଏକ ଅନୁକୂଳ ବାତାବରଣରେ ଯଥାର୍ଥ ଶିକ୍ଷା ସମ୍ଭବ ହେବ, ସରକାର ପଇସା ଦେଇ ଏବଂ ପୋଲିସ୍ ହୋଇ ସେହିପରି ବାତାବରଣର ଏକ ନିର୍ଭର ଯୋଗାଇଦେବେ । ଶିକ୍ଷା ଓ ଶିକ୍ଷଣ–ଅନୁକୂଳ ଦୃଷ୍ଟି ଯେପରି ଯଥେଷ୍ଟ ପ୍ରତ୍ୟୟର ସହିତ କାର୍ଯ୍ୟ କରିପାରିବେ, ସରକାର ସେଥିପାଇଁ କେବଳ ଏକ କାର୍ଯ୍ୟକାରୀ ଗଢ଼ଣହିଁ ଯୋଗାଇଦେବେ । ଶିକ୍ଷାରେ ଗୁଣାତ୍ମକମାନ ବୃଦ୍ଧି କରିବା ସରକାରଙ୍କର କାର୍ଯ୍ୟ ନୁହେଁ, ସେହି କାର୍ଯ୍ୟ ଶିକ୍ଷାବିତ୍‍ମାନଙ୍କର । ଶିକ୍ଷାବିତ୍‍ମାନେ କାମ କରୁଥିବାବେଳେ ସରକାର ଚୋରକୁ ଜଗିବେ, ଚୋରକୁ ଧରିବେ । ପରମ ଜଗଦୀଶଙ୍କର ଅପାର କୃପାରୁ ଦେଶର ଅବସ୍ଥା ଏପରି ହୋଇଛି ଯେ, ସତେଅବା ମୁଖ୍ୟତଃ ଚୋରମାନେ ଘରଗୁଡ଼ିକୁ ଚଳାଇବାରେ ଖୋଲା ଲାଇସେନ୍‍ସ୍ ପାଇ ଚତୁର୍ଦ୍ଦିଗରେ ମାମଲତି କରୁଛନ୍ତି–ଶିକ୍ଷାବିତ୍‍ମାନେ, ଅର୍ଥାତ୍ ଯେଉଁମାନେ ସତକୁସତ ଶିକ୍ଷାପାଇଁ ମନ କରନ୍ତେ, ଭଲ ଶିକ୍ଷକଟିଏ ହୁଅନ୍ତେ, ଏହି ପୁରୁଣା ଗୁହାଳଗୁଡ଼ାକ ସତ୍ତ୍ୱେ ପରିଚ୍ଛନ୍ନ କରି କିଛି ଗଢ଼ନ୍ତେ ଅଥବା ଆଲୁଅଟିଏ ଜଳାନ୍ତେ, ସେମାନେ ସତେଅବା କ’ଣ ଦୋଷ କରିଥିବା ପରି କାଇଲି ହୋଇ ଚୁପ୍ ରହିଛନ୍ତି । ତୁମେ ଏହି ମୁଲକରେ କୌଣସି ଇସ୍କୁଲ୍ କିମ୍ବା କଲେଜକୁ ଯାଅ, ଦେଖିବ, ଯେଉଁମାନେ ଶିକ୍ଷା ବ୍ୟତୀତ ସେଠି ଆଉ ସବୁକିଛିକୁ ନେଇ ହାଙ୍ଗାମା କରିବାରେ ଲାଗିଛନ୍ତି, ସେହିମାନେହିଁ ଅଧିକ ଦୁଲଦୁଲ ହୋଇ ବାଟ ଚାଲୁଛନ୍ତି । ଯେଉଁମାନେ ଶିକ୍ଷାପଟେ ଅଛନ୍ତି, ସେମାନେ ଲାଜରା ହୋଇ ବସିଛନ୍ତି, ପାଟି ଖୋଲିବାମାତ୍ରକେ ଗଉନ୍ତିଆମାନଙ୍କର ପାହାରେ ସେହିମାନଙ୍କ ଉପରେ ପଡ଼ିବାକୁ ବାହାରି ପଡ଼ୁଛି । ଆଉ କେତେ କୋଟି ଅଧିକ ଖର୍ଚ୍ଚ କଲେ ସରକାର ଅନ୍ତତଃ ପୋଲିସ୍ ହିସାବରେ ଆପଣାର କର୍ତ୍ତବ୍ୟଟିକୁ କରିପାରିବେ ?

 

ପିଲାମାନେ କପି କରୁଛନ୍ତି । ଭୀଷ୍ମ ଓ ଦ୍ରୋଣମାନେ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କର ଆଶୀର୍ବାଦ ନେଇ କପି ଯୋଗାଉଛନ୍ତି । ପଇସା ଖର୍ଚ୍ଚ କଲେ ତୁମକୁ ସବୁ ମିଳିଯାଇ ପାରୁଛି । ଇସ୍କୁଲମାନଙ୍କର ପରୀକ୍ଷାରେ ନୁହେଁ, କୁଜୀ କଲେଜମାନଙ୍କର ପରୀକ୍ଷା ସମୟରେ ମଧ୍ୟ ବିଚରା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପିଲାମାନଙ୍କୁ କପି ଲେଖି ଯୋଗାଇ ଦେବାଲାଗି ପରିଚାଳନା କମିଟିର ବାଘମାନଙ୍କ ତରଫରୁ ବାଧ୍ୟ କରାଯାଉଛି । ନାହିଁ କଲେ ପ୍ରାଣକୁ ଭୟ ରହିଛି । ଯେଉଁମାନେ ଧମକ ଦେଉଛନ୍ତି, ସେମାନଙ୍କ ପଛରେ ସେହି ଗାଁଠାରୁ ଭୁବନେଶ୍ୱର ଯାଏଁ ରାଜତ୍ଵ କରୁଥିବା ସାନ ଓ ବଡ଼ ବେତାଳମାନେ ରହିଛନ୍ତି । ତଥାପିବି ଏହି ଅନ୍ଧକାରଟା ଭିତରେ କାଁଭାଁ କେତେ ଶିକ୍ଷକ ଶିକ୍ଷାର ପକ୍ଷରେ ରହିଛନ୍ତି, ଯେଉଁମାନେ କି କପି କରିବାକୁ ନ ଦେଇ ମାଡ଼ ଓ ଛୁରାଭୁଷା ଖାଉଛନ୍ତି, ବଜାରରେ ରାଜନୀତିଆ ଦାଦାମାନଙ୍କର ଆକ୍ରମଣ ସହୁଛନ୍ତି । ମକଦ୍ଦମା କ’ଣ ହେଉନାହିଁ, ମାତ୍ର ପ୍ରାୟ ସବୁକିଛି ଉପରମହଲାକୁ ଆସି ଫସର ଫାଟି ଯାଉଛି । ଯେଉଁ ଶିକ୍ଷକ ବା ଅଧ୍ୟାପକମାନେ କପି ଧରୁଛନ୍ତି ଓ ମାଡ଼ ଖାଉଛନ୍ତି, ସେମାନେ ପିଲାଙ୍କୁ ପାଠ ପଢ଼ାଇବାର ନିଜ କର୍ତ୍ତବ୍ୟରେ ଯେ କଦାପି ହେଳା କରୁ ନଥିବେ, ସେ ବିଷୟରେ ଯେକୌଣସି ଅଧ୍ୟୟନ ବା ଗବେଷଣାରୁ ତାହା ଅବଶ୍ୟ ପ୍ରମାଣିତ ହୋଇଯାଆନ୍ତା ।

 

ବିଜ୍ଞାପନରେ ଯେଉଁମାନଙ୍କର ଫଟୋ ବାହାରିଛି, ସେମାନେ ଏ ଦିଗରେ ଆଦୌ କୌଣସି ଚିନ୍ତା କରିପାରିବେ ନାହିଁ । ଏହି କ୍ଷେତ୍ରରେ ସତକୁସତ କିଛି କରିବା ତ ଆହୁରି ଅଧିକ ଦୂରର କଥା । ସେମାନଙ୍କର ଆୟୁଷ ଏତେ କମ୍ ଯେ, ସେମାନେ ପ୍ରକୃତରେ କିଛି ଚିନ୍ତା କରିପାରିବେ ନାହିଁ ଓ କିଛି କରିପାରିବେ ନାହିଁ । ସେମାନଙ୍କର ସ୍ୱନିର୍ବାଚିତ ଧନ୍ଦା ଓ ଧର୍ମଗୁଡ଼ାକ ଏତେ ଅଲଗା ପ୍ରକାରର ଯେ, ସେମାନେ ଏଣେ ଆଦୌ ମୁଣ୍ଡ ଖେଳାଇବେ ନାହିଁ । ସେମାନେ ରଜା ହେଲେ ମଧ୍ୟ ସେମାନଙ୍କର ଦରଦ ଓ ବିବେକର ମିଆଦଟା ଭାରି ଅଳପ । ସେମାନଙ୍କର ଦରଦ ଓ ଦକ୍ଷତା ସେମାନଙ୍କର ଚଉକିଟା ସହିତହିଁ ଘୂରି ବୁଲୁଥାଏ । ହୁଏତ ସେହି ଆବଶ୍ୟକତାରୁ ଦରଦ ଓ ଦକ୍ଷତାଗୁଡ଼ାକ କେବଳ ସେମାନଙ୍କର ନିଜ ନିମନ୍ତେହିଁ ସମର୍ପିତ ହୋଇ ରହିଥାଏ । ଅନ୍ୟାନ୍ୟ ସିରସ୍ତାରେ ସେତିକିରେ ହୁଏତ କିଞ୍ଚିତ୍‍ କିଞ୍ଚିତ୍‍ ଚଳିଯାଏ ସିନା, ମାତ୍ର ଶିକ୍ଷାର କ୍ଷେତ୍ରରେ ଆଦୌ ଚଳେନାହିଁ । ଦିଲ୍ଲୀରେ ତଥା ଭୁବନେଶ୍ୱରରେ ସେହି କାରଣରୁ କେତେ ଆସିଲେଣି ଓ କେତେ ଗଲେଣି, ମାତ୍ର ଶିକ୍ଷା କ୍ରମଶଃ ତଳକୁ ତଳକୁ ଯାଉଛି । ଗଣ୍ଡା ଗଣ୍ଡା ବିଜ୍ଞାପନ ବାହାରୁଛି ସିନା, ଶିକ୍ଷାକୁ ମଢ଼ କରି ଶକୁନିମାନେ ଭକ୍ଷଣ କରିବାରେ ଲାଗିଛନ୍ତି । ଅନେକ ସମୟରେ ସେମାନେ ଏହାକୁ ହୁଏତ ଏକ ସପ୍ଲାଇ ବିଭାଗ ଅଥବା ଅବକାରୀ ବିଭାଗ ବୋଲି ଭ୍ରମ କରୁଛନ୍ତି । ତେଣୁ କାଳଟାକୁ, ଆମ ସମସ୍ତଙ୍କୁ ଭ୍ରମରେ ପକାଇ ରଖିଛନ୍ତି ।

 

ଅସାଧୁମାନେ ଏକଥା କଦାପି ବୁଝିପାରିବେନାହିଁ । ଶିକ୍ଷାବିତ୍‍ହିଁ ବୁଝିବ । ପୃଥିବୀରେ ଶତାବ୍ଦୀ ଶତାବ୍ଦୀ ଧରି ଶିକ୍ଷାର ଗୁଣାତ୍ମକ କ୍ଷେତ୍ରରେ ଯେତେ ଯାହା ହୋଇଛି, ପ୍ରଧାନତଃ ଶିକ୍ଷାକୁ ଏକ ବ୍ରତରୂପେ, ମନ୍ତ୍ରରୂପେ ଗ୍ରହଣ କରିଥିବା ମନୁଷ୍ୟମାନଙ୍କଦ୍ୱାରା ହୋଇଛି । ସେହିମାନେହିଁ ନିଜର ସାଧୁତାଦ୍ଵାରା ସମସାମୟିକ ସମାଜକୁ ଅନୁକୂଳ ଭାବରେ ସଚେତନ କରାଇଛନ୍ତି । ଅସମ୍ମତ ହାଉଆମାନଙ୍କୁ ସମ୍ମତ କରାଇଛନ୍ତି । ସରକାର ପ୍ରଧାନତଃ ପୋଲିସ୍‍ର କାର୍ଯ୍ୟ କରିଛନ୍ତି । ଆଧୁନିକ କାଳରେ ଶିକ୍ଷାର ବ୍ୟବସ୍ଥା ଅଧିକରୁ ଅଧିକ ତାତ୍ପର୍ଯ୍ୟର ସହିତ ଶିକ୍ଷାଗ୍ରହୀ ଏବଂ ଶିକ୍ଷାବ୍ରତୀମାନଙ୍କ ହାତକୁ ଆସୁଛି । ସରକାରୀ ନିୟନ୍ତ୍ରଣ ଓ ବିଜ୍ଞାପନୀ ହସ୍ତକ୍ଷେପ କମି କମି ଯାଉଛି । ନୂଆ ନୂଆ ପ୍ରୟୋଗକୁ ବାଟ ଛାଡ଼ି ଦିଆଯାଉଛି । ସେଗୁଡ଼ିକୁ ଅନୁକୂଳ ଭୂମିଟିଏ ଯୋଗାଇ ଦେବାଲାଗି ଦେଶର ଶାସକମାନେ ନିୟମର ଗୁଳାଗୁଡ଼ିକରୁ ବାହାରିଯାଇ ମଧ୍ୟ ସମସ୍ତ ପ୍ରକାରେ କ୍ରିୟାଶୀଳ ହୋଇପାରୁଛନ୍ତି । ଭାରତବର୍ଷରେ ସେକଥା କେବେ ହେବ ? ବିଜ୍ଞାପନଦ୍ୱାରା ଅସଲ କଥାଗୁଡ଼ିକୁ କୁହାଇ ନଦେବାର ଏବଂ ଅସଲ ଘାଆଗୁଡ଼ିକୁ ଆଦୌ ନ ଉଖାରିବାର ଅସାଧୁତା ଯାଇ କେବେ ଆମର ଅକଲ ଶିକ୍ଷାପାଇଁ ରାଜି ହୋଇପାରିବ ? ସତର ପ୍ରକାରର ବିଭେଦସୃଷ୍ଟିକାରୀ ମିଛ ଶିକ୍ଷାର ଖଳତାଗୁଡ଼ାକ ଦୂର ହୋଇ ଏହି ଦେଶର ସବୁ ପିଲାଙ୍କୁ କେବେ ଯାଇ ମଣିଷଟିଏ ହେବାର ସାହସୀ ଓ ବଳଯୁକ୍ତ ଶିକ୍ଷା ଦିଆଯାଇପାରିବ ?

 

କୋଉ ମନ୍ତ୍ରୀ କାହିଁକି ଶିକ୍ଷାକୁ ଏକ ମନ୍ତ୍ର ବୋଲି ଗ୍ରହଣ କରିବ ? ଜଗତଯାକରେ ଯଥାର୍ଥ ଶିକ୍ଷା ହେଉଛି ପ୍ରତ୍ୟେକ ମନୁଷ୍ୟକୁ ତା’ର ଅନ୍ତର୍ନିହିତ ଉଜ୍ଜ୍ୱଳତା ଏବଂ ଐଶ୍ୱର୍ଯ୍ୟ ବିଷୟରେ ପରିଚିତ ଏବଂ ସଚେତନ କରାଇଦେବାର ଶିକ୍ଷା । ଯାବତୀୟ କ୍ଷମତା ମଣିଷମାନଙ୍କୁ ପ୍ରାୟ ନ୍ୟାୟତଃ ପରୋକ୍ଷ ଅଥବା ପ୍ରତ୍ୟକ୍ଷ ଭାବରେ ଅନୁଗତ ଏବଂ ଗୋଲାମ କରି ରଖିବାକୁ ଇଚ୍ଛା କରୁଥାଏ । କ୍ଷମତାର ଗୋଲାମମାନେ ସେହିପରି ପ୍ରଧାନତଃ ନିଜ ଚଉକିଗୁଡ଼ାକର ବଳରେ ଭଳିଭଳି ଫିସାଦ ଓ ଭଳିଭଳି ଆୟୁଧ ଦେଖାଇ ମଣିଷକୁ ମେଣ୍ଢା କରି ରଖିବାକୁ ଇଚ୍ଛା କରୁଥାନ୍ତି । ସ୍ୱାଧୀନ ଭାରତବର୍ଷରେ ପ୍ରଧାନ ଶିକ୍ଷାର ଦୋକାନମାନଙ୍କରେ ଶିକ୍ଷାମାହାଲର ମାଲିକମାନେ ମଣିଷମାନଙ୍କୁ ମେଣ୍ଢା କରି, ମେରୁଦଣ୍ଡହୀନ ଚାକିରିଆଟିଏ କରି ରଖିବାର ଚକ୍ରାନ୍ତ କରୁଛନ୍ତି । ସେମାନେ ଏକଦା ପରାଧୀନତାର ଶୃଙ୍ଖଳକୁ ଛଡ଼ାଇ ନିଜ ମହିମାର ଆବିଷ୍କାର କରି ନିଜ ବଗିଚାରେ ଫୁଲ ହୋଇ ଫୁଟିବାର ସ୍ୱପ୍ନ ନେଇ ସ୍ଵାଧୀନ ହେବାର ଏହି ଦେଶଟିକୁ ଅର୍ଥାତ୍ ଆମ ସମସ୍ତଙ୍କୁ ନୂଆ ନୂଆ ପରାଧୀନତା ଓ ନୂଆ ନୂଆ ଅସମର୍ଥତାର କଙ୍କଣ ପିନ୍ଧାଇ ରଖିବାର ଷଡ଼ଯନ୍ତ୍ର କରିବାରେ ଲାଗିଛନ୍ତି । ପରାଧୀନ ଭାରତରେ ମଧ୍ୟ ଅଶିକ୍ଷାର ଚକ୍ରାନ୍ତମାନଙ୍କୁ ଭାଙ୍ଗିଦେବା ଲାଗି କେତେକେତେ ବିକଳ୍ପ ପ୍ରୟୋଗଦ୍ୱାରା ଆମକୁ ଭବିଷ୍ୟତ ଲାଗି କେତେ ସମ୍ଭାବନା ଦେଖାଇ ଦିଆଯାଇଥିଲା । ଆମ ଶିକ୍ଷାକୁ ଏବେ ଶାସନ କରୁଥିବା ମହାଜନମାନେ ସେହି ସ୍ୱପ୍ନର ଶ୍ରଦ୍ଧାଘରଟିକୁ ଛାରଖାର କରି ସାରିଲେଣି । ସେମାନଙ୍କ ପରେ ଅବଶ୍ୟ ପ୍ରଳୟ ଆସିବ, ଏବର ଏହି ଖର ଓ ଦୂଷଣମାନେ କ’ଣ ସେହିପରି ଏକ ଅଶିକ୍ଷିତ ଦମ୍ଭର ଆଶ୍ରୟ ତଳେ ଆମ ଶିକ୍ଷାକୁ ଚିରକାଳ ଶାସନ କରିବେ ବୋଲି ସରାଗ ବାନ୍ଧିଛନ୍ତି କି ?

 

ନାଇଁ–ସମଗ୍ର ପୃଥିବୀରେ ଯାହା ହେଉଛି, ଏଠି ଭାରତବର୍ଷରେ ମଧ୍ୟ ତାହାହିଁ ହେବ । ଏଠି ମଧ୍ୟ ସବୁ ପିଲା ପାଠ ପଢ଼ିବେ, ଏକାଭଳିଆ ପାଠ ପଢ଼ିବେ, ଏହି ଦେଶଟାକୁ ବଦଳାଇ ଦେବାକୁ ସେମାନେ ପାଠ ପଢ଼ିବେ । ଭାରତବର୍ଷରେ ମଧ୍ୟ ସାମନ୍ତମାନଙ୍କର ବଦଳରେ ମଣିଷହିଁ ଲଗାମ ଧରିବ, ମଣିଷହିଁ କାଳଟାକୁ ନିଜର ଆବଶ୍ୟକତା ଅନୁସାରେ ସଜାଡ଼ି ଦେବାପାଇଁ ସାହସୀ ହୋଇ ବାହାରିବ ଏବଂ ସେତେବେଳେ ଆଉ କୌଣସି ବିଜ୍ଞାପନ ଦେବାକୁ ପଡ଼ିବ ନାହିଁ । ରଜାଙ୍କ ଦୟାରୁ ଦେଶରେ ସବୁକିଛି ହେଉଛି ବୋଲି ଆଉ କୌଣସି ଭୟ କିମ୍ବା ହାସ୍ୟାସ୍ପଦତା ସୃଷ୍ଟି କରାଯିବ ନାହିଁ । ଏ ଦେଶରେ ଏବେ ମଧ୍ୟ ସ୍ଵପ୍ନଦେଖା ବନ୍ଦ ହୋଇନାହିଁ । ମଣିଷର ଇତିହାସରେ ଏପରି ଏକ ଅନ୍ଧାର ଯୁଗ କେବେ ଆସିନାହିଁ, ଯେତେବେଳେ କି ଏକାବେଳେକେ ତା’ର ସବୁଯାକ ସ୍ଵପ୍ନଦେଖା ବନ୍ଦ ହୋଇଯାଇଛି । ସେହି ସ୍ୱପ୍ନରୁହିଁ ନୂତନ ଅଙ୍କୁରଗୁଡ଼ିକ ବାହାରିଛି, ଭଗବାନ ସେହି ସ୍ୱପ୍ନ ଅନୁସାରେହିଁ ମଣିଷକୁ ଅନୁରୂପ ବଳ ଯୋଗାଇ ଦେଇଛନ୍ତି । ଭୀରୁମାନଙ୍କ ସତ୍ତ୍ୱେ ସେହି ବଳରୁହିଁ ବାରମ୍ବାର ଯଥାର୍ଥ ବିକଳ୍ପଗୁଡ଼ିକର ଅବତାରଣା କରାଯାଇଛି । ପୃଥିବୀକୁ, ଭାରତବର୍ଷକୁ ଯେଉଁ ଅସଲବେଳଟି ଆସୁଛି, ତାହା ହେଉଛି ଏହି ବିକଳ୍ପର ବେଳ । ସେଥିପାଇଁ ବିକଳ୍ପ ମଣିଷମାନେ ସଜ ହୁଅନ୍ତୁ, ସାହସ କରନ୍ତୁ, କ୍ରିୟାଶୀଳ ହୁଅନ୍ତୁ ।

Image

 

ଏକ ବିସ୍ତାରବାଦର ବିଲୟ

 

ରୁଷିଆରେ ଅକ୍ଟୋବର ବିପ୍ଳବ ପରେ କମ୍ୟୁନିଷ୍ଟବାଦର ଫଳଗୁଡ଼ାକୁ ସେଠାକାର ନୂଆ ଗଛଟିରେ ଯଥାଶୀଘ୍ର ଏବଂ ଯେକୌଣସି ପ୍ରକାରେ ଫଳାଇବା ନିମନ୍ତେ ଯାହାସବୁ ଘଟଣା ଏବଂ ଅଘଟଣା ଘଟୁଥିଲା, ତତ୍କାଳୀନ ଜର୍ମାନୀର ଜଣେ ପ୍ରଖ୍ୟାତ କମ୍ୟୁନିଷ୍ଟ ଶ୍ରୀମତୀ ରୋଜା ଲୁକ୍‌ସୁମ୍‌ବେଆର୍ଗଙ୍କର ସେତେବେଳର ଗୋଟିଏ ଉକ୍ତିରୁ ତାହାର ଏକ ଆଭାସ ମିଳିଯିବ । କମ୍ୟୁନିଷ୍ଟବାଦ ଅର୍ଥାତ୍ କମ୍ୟୁନିଷ୍ଟ ପାର୍ଟିର ଶାସନକୁ ରୁଷିଆରେ ଦୃଢ଼ ପ୍ରତିଷ୍ଠିତ କରିବା ଲାଗି ବିପ୍ଳବର ନେତା ଲେନିନ୍ ଯେଉଁସବୁ ସାଧନ ଅର୍ଥାତ୍ ମାର୍ଗ ଅବଲମ୍ବନ କରିଥିଲେ, ତାହାକୁ ସେ ଭୁଲ୍ ବୋଲି ଘୋଷଣା କରିଥିଲେ । ଖାଲି ରାଜନୀତିରେ ନୁହେଁ, କାରଖାନାରେ ଓ କୃଷିକ୍ଷେତ୍ରରେ ମଧ୍ୟ ଏକାଧିପତି ଏବଂ ଏକାଧିକାରୀମାନଙ୍କର ପ୍ରବଳ ଶାସନ ଚାଲିଥିଲା, ଆତଙ୍କଦ୍ୱାରା ସମ୍ପୃକ୍ତ ସମସ୍ତଙ୍କୁ ତ୍ରସ୍ତ ଓ ଭୀତ କରାଇ, ଚରମ ଶାସ୍ତିର ଧମକ ଦେଇ ନୂତନ ବାଦ ଓ ନୂତନ ହାକିମିଟିର ବଶକୁ ଆଣିବା ଲାଗି ଏକାବେଳେକେ ଆଖିବୁଜା ଭାବରେ କ୍ଷମତାଧାରୀମାନଙ୍କରେ ଦୌରାତ୍ମ୍ୟ ଆରମ୍ଭ ହୋଇଯାଇଥିଲା । ଏହିପରି ଭୟ ଦେଖାଇ ସମସ୍ତଙ୍କୁ ନୂଆ ଆଦର୍ଶଟିଦ୍ୱାରା ସତକୁସତ ଅନୁପ୍ରାଣିତ କରି ଅଣାଯିବ ବୋଲି ସଦ୍ୟ ବିଜୟ ଲାଭ କରିଥିବା ଉଲ୍ଲସିତମାନେ ସତେଅବା କେଡ଼େ ସହଜରେ ବିଶ୍ୱାସ କରି ପକାଇଥିଲେ । ଏସବୁ ବଳାତ୍କାରଦ୍ୱାରା ନୂତନ ଆଦର୍ଶର ପ୍ରତିଷ୍ଠା କେବେହେଲେ ହେବନାହିଁ ବୋଲି ଶ୍ରୀମତୀ ଲୁକ୍‌ସୁମ୍‌ବେଆର୍ଗ ସେତେବେଳେ ଲେନିନ୍‍ଙ୍କୁ ସାବଧାନ କରି ଦେଇଥିଲେ । ହୁଏତ ତାଙ୍କର ସେହି ମତପ୍ରକାଶକୁ ଏକ ଅବଜ୍ଞା ପ୍ରଦର୍ଶନ ବୋଲି ଭାବି ଜର୍ମାନୀର ଜଣେ ଲେନିନ୍‍ପନ୍ଥୀ କମ୍ୟୁନିଷ୍ଟ ତାଙ୍କୁ ହତ୍ୟା କରି ପଥ ପରିଷ୍କାର କରିଦେବାକୁହିଁ ଏକମାତ୍ର ଉଚିତ ପଥ ବୋଲି ମନେ କରିଥିଲେ । ବିରୋଧୀ ମତ ଓ କଣ୍ଠଗୁଡ଼ିକୁ ଏହିପରି ଦର୍ପ ବଳରେ ବନ୍ଦ କରିଦେବାକୁ ଚେଷ୍ଟା କରି ପୃଥିବୀର କ୍ଷମତାବାଦୀମାନେ ଚିରଦିନ ମଣିଷର ଇତିହାସ ପାଖରେ ପରାସ୍ତ ହୋଇ ଆସିଛନ୍ତି ।

 

ଲେନିନ୍‍ଙ୍କ ପରେ ରୁଷିଆରେ ଷ୍ଟାଲିନ୍ ଆସିଲେ । ଦୌରାତ୍ମ୍ୟମାନେ ଦଶଗୁଣ ଅଧିକ ପ୍ରକୋପ ଏବଂ ଅଧିକ ଦୁରାଗ୍ରହ ସହିତ ରାଜା ହେବାକୁ ଆରମ୍ଭ କଲେ । ଏକଛତ୍ରବାଦ ସାର୍ବଭୌମ ହେଲା । ଅନ୍ୟ ମତ ଏବଂ ଅନ୍ୟ ପଥଗୁଡ଼ିକୁ ଦବାଇ ଦେବାପାଇଁ ନୂଆ ନୂଆ ଅଧିକରୁ ଅଧିକ କ୍ରୂର କୌଶଳସବୁ ବାହାରିଲା ଏବଂ ଶାସନଟାକୁ ଏକାବେଳେକେ ପକ୍କା କରିଦେବା ଲାଗି ପ୍ରଚେଷ୍ଟା କରାଯାଇଥିଲା । ମଣିଷମାନେ ଯେପରି ଅନ୍ୟ ପ୍ରକାରେ ଚିନ୍ତାବି କରି ନପାରିବେ, ସେଥିଲାଗି ଦେଶରେ ଶିକ୍ଷା, ସାହିତ୍ୟ, ଦର୍ଶନ ଓ ବିଜ୍ଞାନ କ୍ଷେତ୍ରରେ ଯାବତୀୟ ମୁକ୍ତ ଚର୍ଚ୍ଚାକୁ ଆକଟ କରି ରଖାଗଲା । ରାଜନୀତି ଓ କ୍ଷମତାର ଦରଜିମାନେ ସତେଅବା କତୁରୀ ଧରି ଠିକ୍ ନିଜର ନକ୍ସାଗୁଡ଼ିକ ଅନୁସାରେ ମଣିଷମାନଙ୍କର ମନ, ହୃଦୟ ଏବଂ ବିବେକକୁ କାଟି ପକାଇଲେ । ସରକାରୀ ଘୋଷଣା ଅନୁସାରେ ଏକ ନୂଆ ସୋଭିଏଟ୍ ମଣିଷକୁ ଗଢ଼ି ପୃଥିବୀ ସପକ୍ଷରେ ଏକ ଅଭୂତପୂର୍ବ ଆଦର୍ଶ ନମୁନାକୁ ଗଢ଼ି ଦେଖାଇ ଦେବାର ପୂର୍ଣ୍ଣ ଅଭିଯାନ ଚାଲିଲା । ବିଚାରର ପ୍ରଚାରଦ୍ଵାରା କିମ୍ବା ହୃଦୟଦ୍ୱାରା ହୃଦୟର ସଂକ୍ରମଣଦ୍ୱାରା ନୁହେଁ, ବନ୍ଧୁକର ବେତବାଡ଼ି ଦେଖାଇ ଓ ସାଇବେରିଆର ନିର୍ବାସନଦ୍ୱାରା ପୃଥିବୀରେ ସତେଅବା ସବୁ ସମ୍ଭବ ହେବ ବୋଲି ଏକ ଅନ୍ଧବିଶ୍ୱାସଦ୍ଵାରା ହୁଡ଼ିଯାଇ ରୁଷିଆରେ କେତେକଅଣକୁ ପ୍ରଶ୍ରୟ ଦିଆଗଲା । ଆଦର୍ଶବାଦ ନିର୍ମମ ହେଲେ ଓ ଗୋଟାଏ ହାତରେ କ୍ଷମତା ଏବଂ ଆର ଗୋଟିଏ ହାତରେ ନିର୍ଯାତନାର ଗୁଡ଼ାଏ ଆଧୁନିକ ହତିଆରକୁ ଆୟତ୍ତ କରି ରଖିବାର ମଉକା ମିଳିଗଲେ ସମ୍ଭବତଃ ମଣିଷମାନଙ୍କୁ ଏହିପରି ଗଧ ବୋଲି ଭାବି ନିଆଯାଏ ଏବଂ ସେମାନଙ୍କୁ ଅଲବତ୍ ମଣ କରାଯାଇପାରିବ ବୋଲି ଦମ୍ଭ କରାଯାଏ ।

 

ଦ୍ୱିତୀୟ ମହାଯୁଦ୍ଧ ସରିବା ପରେ ପୂର୍ବ ଇଉରୋପର ଦେଶମାନେ ପ୍ରାୟ ରାତାରାତି କମ୍ୟୁନିଷ୍ଟ ହୋଇଗଲେ । ରୁଷିଆର ବିଜୟୀ ସୈନ୍ୟମାନେ ଜର୍ମାନୀକୁ ହଟାଇ ହଟାଇ ପଶ୍ଚିମ ଆଡ଼କୁ ଯେତେ ଦୂରଯାଏ ମାଡ଼ିଯାଇ ପାରିଥିଲେ, ସେସବୁ ଦେଶ ହଠାତ୍ କମ୍ୟୁନିଷ୍ଟ ବୋଲି ଘୋଷିତ ହେଲେ । ସେସବୁ ଦେଶରେ ପ୍ରକୃତରେ କ’ଣ ଘଟିଲା, ସେହି କଥାଟିକୁ ଜାଣିବା ନିମନ୍ତେ ମଧ୍ୟ ବାହାରେ ରହିଥିବା ବୃହତ୍ତର ପୃଥିବୀକୁ ଯେପରି ଆଦୌ କୌଣସି ସୁଯୋଗ ନମିଳିବ, ସେଥିଲାଗି କ୍ରମେ ଇଉରୋପର ସେପାଖଟାକୁ ଏପାଖଠାରୁ କିଳି ରଖିବାକୁ ମଝିରେ ତାରବାଡ଼ ବସାଇ ବନ୍ଦ କରିଦିଆଗଲା, ଶେଷରେ ବର୍ଲିନ୍ ସହରର ମଝିରେ ଗୋଟାଏ ଲମ୍ବ ପାଚେରୀ ଛିଡ଼ା କରାଇ ଦିଆଗଲା । ପଶ୍ଚିମରୁ ପୂର୍ବକୁ ଲୋକମାନେ ଚାଲି ଆସିବାର ତ କୌଣସି ପ୍ରଶ୍ନ ନଥିଲା, କିନ୍ତୁ ପୂର୍ବରୁ ପଶ୍ଚିମକୁ ଯେପରି ଲୋକମାନେ ପଳାଇ ନଆସିବେ, ସେଥିପାଇଁ ଚବିଶିଘଣ୍ଟା ପହରା ଦେବାକୁ ଓ ପଳାତକମାନଙ୍କୁ ଗୁଳିଦ୍ଵାରା ଶିକ୍ଷା ଦେବାକୁ ଉଚ୍ଚ ଉଚ୍ଚ ମଞ୍ଚାମାନଙ୍କରେ ସଶସ୍ତ୍ର ସୈନ୍ୟମାନେ ମୁତୟନ ହୋଇରହିଲେ । ଗୋଟାଏ ରାଜନୀତିକ ସତ୍ୟ ତଥା ମାନବିକ ଆଦର୍ଶକୁ ଯେ କିପରି ଘରର କବାଟ ଓ ଝରକାଗୁଡ଼ାକୁ କିଳି ରଖି ପରିପାଳନ କରାଯାଏ ଓ ଲୋକମାନଙ୍କୁ ସେଥିଲାଗି ଉଦ୍‍ବୁଦ୍ଧ କରାଯାଏ, କେବଳ ଆଧୁନିକ ଇତିହାସରେ ନୁହେଁ, ପୃଥିବୀର କୌଣସି ଯୁଗର ଇତିହାସରେ ମଧ୍ୟ ଆମେ ଆଉ କୌଣସି ଏଡ଼େ ବୁଦ୍ଧିମାନ୍ ଏକ ଦୃଷ୍ଟାନ୍ତ ଆଦୌ ଦେଖିବାକୁ ପାଇବା ନାହିଁ । କମ୍ୟୁନିଷ୍ଟ ଶାସନାଦର୍ଶକୁ ଅଭୟ ତଥା ଅବଲମ୍ବନ ଯୋଗାଇ ଦେବାଲାଗି ପୂର୍ବ ଇଉରୋପର ପ୍ରତ୍ୟେକ ଦେଶରେ ରୁଷିଆ ତରଫରୁ ସୈନ୍ୟ ଏବଂ ଟ୍ୟାଙ୍କ୍‍ମାନେ ବାଘ ପରି ଜଗି ରହିଲେ । ମଣିଷମାନଙ୍କୁ କିଛି ସମୟପାଇଁ ହୁଏତ ମଣ କରି ରଖାଯାଇପାରେ, ମାତ୍ର ସେମାନଙ୍କୁ ଯେ କଦାପି ସେମାନଙ୍କର ଇଚ୍ଛା ଓ ପ୍ରତ୍ୟୟଗୁଡ଼ିକର ବିରୋଧରେ ସମ୍ମତ କରାଯାଇପାରିବ ନାହିଁ, ପ୍ରାୟ ଚାଳିଶବର୍ଷର ନିବୁଜ ପ୍ରୟୋଗ ପରେ ଏକ ମଉକା ଆସି ପହଞ୍ଚିବାମାତ୍ରକେ ସେକଥା ପ୍ରମାଣିତ ହୋଇଗଲା । ସାରା ପୃଥିବୀକୁ କେଡ଼େ ବଡ଼ ଶିକ୍ଷାଟାଏ ମିଳିଲା ।

 

ପୂର୍ବ ଇଉରୋପରେ ବିଭିନ୍ନ ଦେଶରେ କମ୍ୟୁନିଜମ୍‌ର ମୂଳ କଚେରିପାଇଁ ଯେଉଁ ସ୍ଥାନୀୟ କମ୍ୟୁନିଷ୍ଟ ପାର୍ଟିମାନେ ଗୁମାସ୍ତା ପରି କାର୍ଯ୍ୟ କରୁଥିଲେ, ମୂଳ କର୍ତ୍ତାମାନଙ୍କର ଆବଶ୍ୟକତା ଅନୁସାରେ ଆବିଷ୍କୃତ ଅଥବା ବରଖାସ୍ତ ହେଉଥିଲେ, ସେମାନେ ଯେ ସବୁବେଳେ ପୂର୍ଣ୍ଣାନୁଗତ ଭାବରେ ସବୁ ଆଦେଶଗୁଡ଼ାକୁ ତାମିଲ କରୁଥିଲେ, ସେକଥା ମଧ୍ୟ ଆଦୌ ନୁହେଁ । ପ୍ରାୟ ସବୁ ଗୁମାସ୍ତାଙ୍କ ପରି ସେମାନେ ମଧ୍ୟ ନିଜେହିଁ ଅସଲ ନିୟାମକ ବୋଲି ଅନ୍ତତଃ ନିଜ ସ୍ଥଳଗୁଡ଼ିକରେ ପ୍ରମାଣ କରିବାକୁ ପ୍ରୟାସ କରୁଥିଲେ । ଯୁଗୋସ୍ଲୋଭିଆର ମାର୍ଶାଲ ଟିଟୋଙ୍କ ପରି ବା ରୁମାନିଆର ଚାଓସେସ୍କୁଙ୍କ ପରି ଅଲଗା ହୋଇବି ଯାଉଥିଲେ । ଏସିଆରେ ଚୀନା ହାତୀକୁ ଅଲଗା ପାହୁଣ୍ଡ ପକାଇବାର ଦେଖି କୁନି ଆଲବାନିଆରେ ବେଙ୍ଗମାନେ ମଧ୍ୟ ଫୁଲି ଫୁଲି ନିଜକୁ ଅଲଗା ବୋଲି ଗୌରବ ଅର୍ଜନ କରିବାକୁ କମ୍ ଗଉଁ ଦେଖାଇ ନାହାନ୍ତି । ରୁଷିଆର ଅଧିପତିତ୍ୱ ବିରୋଧରେ ବେଳେବେଳେ ପ୍ରତିବାଦ ମଧ୍ୟ ହୋଇଛି । ହଙ୍ଗେରୀରେ ହୋଇଛି, ଚେକୋସ୍ଲୋଭାକିଆରେ ମଧ୍ୟ ହୋଇଛି । ଖୋଲା ପବନର ଇଚ୍ଛା କରି ସେଠାରେ ବିକଳ୍ପମାନଙ୍କର ଉଦୟ ହୋଇଛି, ମାତ୍ର ସିଧା ରୁଷିଆର ସୈନ୍ୟବାହିନୀଦ୍ୱାରା ସେଗୁଡ଼ିକୁ ଦବାଇ ଦିଆଯାଇଛି । ଏସବୁର ବିରୋଧରେ ପଶ୍ଚିମ ଇଉରୋପରୁ ସହାନୁଭୂତିପୂର୍ଣ୍ଣ କେତେ ଚିତ୍କାର ଶୁଭିଛି ସତ, ମାତ୍ର କାମରେ କିଛି ହୋଇନାହିଁ ।

 

ରୁଷିଆର ଏହି ଦୁରାଗ୍ରହୀ ବିସ୍ତାରବାଦକୁ ଅଧିକ ମୁହଁ ଦେଇ ଅଧିକ ଉଗ୍ର କରିବାକୁ ସାରା ପୃଥିବୀର ସେତେବେଳର କମ୍ୟୁନିଷ୍ଟ ପାର୍ଟିମାନେ ମଧ୍ୟ କମ୍ ସାହାଯ୍ୟ କରିନାହାନ୍ତି । ସେମାନେ ରୁଷ୍‌ କମ୍ୟୁନିଷ୍ଟ ପାର୍ଟିର ସତେଅବା ଜଣେ ଜଣେ ପ୍ରଜା ହୋଇ ରହିଛନ୍ତି । ଗୋଟିଏ ଗୋଟିଏ ମୃଗିଣୀ ହୋଇ ମୃଗରାଜଙ୍କର ସ୍ତବ ଗାଇଛନ୍ତି । ନିଜ ଭୂମିରେ ଆପଣାର ରାଜନୀତିକ ମହତ ହରାଇଛନ୍ତି ସତ, ମାତ୍ର ବିଶ୍ଵଦାଣ୍ଡରେ ରୁଷିଆର ଅନୁସରଣିଆ ହୋଇ ରହିବାରେ କେଡ଼େ ଗୌରବ ଅନୁଭବ କରିଛନ୍ତି । ଭାରତ ସମେତ ଏମାନଙ୍କର ଇତିହାସଗୁଡ଼ିକ ବିଚାର ଓ ରାଜନୀତିକ ସ୍ଵଚ୍ଛବିବେଚନାକୁ ବିକି ଦେଇଥିବାର ଗୋଟିଏ ଗୋଟିଏ ପ୍ରାୟ ହାସ୍ୟାସ୍ପଦ ଦୃଷ୍ଟାନ୍ତ ହୋଇ ରହିଛି । ଜର୍ମାନୀର ନାତ୍‌ସୀ ଶାସନ ରୁଷିଆ ଉପରେ ଆକ୍ରମଣ କରିବା ପରେ ରୁଷିଆବି ମିତ୍ରପକ୍ଷରେ ସାମିଲ ହୋଇଯିବା ପରେ ଭାରତରେ କମ୍ୟୁନିଷ୍ଟ ପାର୍ଟି ସତେଅବା ଉପରୁ ବୋଲ ମାନି ଗୋଟାଏ ନିର୍ଧୁମ୍ ସାମ୍ରାଜ୍ୟବାଦୀ ଯୁଦ୍ଧକୁ ଜନସାଧାରଣଙ୍କର ଯୁଦ୍ଧ ବୋଲି ଘୋଷଣା କରିଛି ଏବଂ ଭାରତବର୍ଷରେ ଇଂରେଜମାନଙ୍କୁ ହଟାଇ ଦେବାର ଶେଷ ସଂଗ୍ରାମ ହେଉଥିବା ସମୟରେ ଏଠି ଇଂରେଜମାନଙ୍କ ପକ୍ଷରେ ଯୁଦ୍ଧପାଇଁ ପାଣ୍ଠି ସଂଗ୍ରହ କରିଛି । ନିଜ ଦେଶର ରାଜନୀତିରେ ନିଃସଙ୍ଗ ହୋଇ ରହିଛି ପଛକେ, ତଥାପି ଭାଲୁର ଲାଙ୍ଗୁଡ଼ଟାକୁ ଛାଡ଼ିପାରିନାହିଁ । ଯୁଦ୍ଧ ପରବର୍ତ୍ତୀ ଶୀତଳଯୁଦ୍ଧର ପଛ ତାମସାଟାରେ ଯାଇ ପୁଣି ସାମ୍ରାଜ୍ୟବାଦର ବିରୋଧୀ ପକ୍ଷରେ ଛିଡ଼ା ହୋଇଛି-। ଭାରତବର୍ଷରେ ଏକ ବାମପନ୍ଥୀ ଦୃଢ଼ ନେତୃତ୍ୱକୁ ସମ୍ଭବ କରିବାର ସମ୍ଭାବନାକୁ ମୁଖ୍ୟତଃ ସେଇଥିପାଇଁ ହରାଇ ବସିଛି ।

 

ରୁଷିଆଠାରୁ ଅଭୟ ପାଇ ପୂର୍ବ ଉଇରୋପର ସ୍ଥଳାଭିଷିକ୍ତମାନେ ନିଜ ନିଜ ଦେଶରେ କମ୍ୟୁନିଜମ୍‌କୁ ବଦନାମ କରାଇବାରେ ହୁଏତ ସବୁଠାରୁ ବଡ଼ ନିମିତ୍ତରୂପେ କାର୍ଯ୍ୟ କରିଛନ୍ତି । ରୁଷିଆରେ ସବୁପ୍ରକାରର ଅନୁକୂଳ ପାଳକ ପାଇ ଯେପରି କମ୍ୟୁନିଷ୍ଟ କର୍ତ୍ତାମାନଙ୍କର ଏକ New class ଗଢ଼ି ହୋଇ ଆସୁଥିଲା, ନିଜ ଦେଶରେ ଦଶଟାଯାକ ଦିଗକୁ ଅନ୍ଧାର କରି ରଖି ସେମାନେ ନିଜେ ମଧ୍ୟ କ୍ରମେ ସେହି ନୂତନ ଶ୍ରେଣୀ ଅର୍ଥାତ୍ ବ୍ରାହ୍ମଣ ଶ୍ରେଣୀର ପ୍ରତିନିଧି ହୋଇ ରହିବାକୁ କେତେକେତେ କସରତ କରିଛନ୍ତି । ରୋମାନିଆର ଛାତ୍ରମାନେ ଯେତେବେଳେ ସେଠା ଶାସକବିରୋଧୀ ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ ଜୀବନ ବଳି ଦେଇ ଚାଓସେସ୍‍କୁ ଦମ୍ପତିକୁ ସେମାନଙ୍କର ପ୍ରାସାଦ ଭିତରେ ଠାବ କରି ହତ୍ୟା କଲେ, ସେତେବେଳେ କମ୍ୟୁନିଜମ୍‌ର ଆଦର୍ଶବାଦୀ ଶାସନ ନାଆଁରେ ଯେ ସେଠାରେ ତୁଚ୍ଛା ସାମନ୍ତବାଦୀମାନେ ନିଜକୁ ସତେଅବା ଜଣେ ଜଣେ ନବାବଙ୍କର ମହାବିଳାସ ଭିତରେ ବୁଡ଼ାଇ ରଖିଥିଲେ, ସେକଥା ସମଗ୍ର ପୃଥିବୀର ଆଖି ଆଗରେ ଧରା ପଡ଼ିଗଲା । ସମସ୍ତ ବିଶ୍ଵକୁ ହତବାକ୍ କରିଦେଲା । ପୂର୍ବ ଜମାନୀରେ ମଧ୍ୟ ପ୍ରାୟ ସେହି ରାଜକୀୟ ତାମସା ବର୍ଷ ବର୍ଷ ଧରି ଲାଗି ଆସିଥିବାର ସତ୍ୟୋଦ୍‍ଘାଟନ ହେଲା ।

 

ପ୍ରାୟ ତିନି ଚାରିବର୍ଷ ତଳେ ଦୁଇ ସପ୍ତାହ କାଳ ଏକଦା ପୂର୍ବ ଜର୍ମାନୀ ହୋଇ ରହିଥିବା ଅଞ୍ଚଳଗୁଡ଼ିକରେ ବୁଲି ସେଠାରେ ସଦ୍ୟ ବିତାଡ଼ିତ ହୋଇଥିବା ଅତୀତଟିକୁ ଜାଣିବାକୁ ଚେଷ୍ଟା କରୁଥିବା ସମୟରେ କେତେ ସ୍ତରର କେତେ ମଣିଷଙ୍କ ପାଖରୁ ମୋତେ ଏହି ବୃହତ୍ ବିଡ଼ମ୍ବନାଟିର ନାନା କାହାଣୀ ସେଠା ମଣିଷମାନଙ୍କଠାରୁ ଶୁଣିବାକୁ ମିଳିଥିଲା । ସେହି ଦେଶରେ କମ୍ୟୁନିଷ୍ଟ ପାର୍ଟିର ତୁଙ୍ଗମାନଙ୍କ ନିମନ୍ତେ ଅଲଗା ଦୋକାନମାନ ରହିଥିଲା, ଯେଉଁଠାରେ କି ଗୋଟାଏ ରାଜାପରି ଜୀବନ ବଞ୍ଚିବାର ଯାବତୀୟ ସାମଗ୍ରୀ କିଣିବାକୁ ମିଳୁଥିଲା । ସେମାନେ ଖାଇବା ନିମନ୍ତେ ବିଦେଶରୁ ପାଚିଲା କଦଳୀ, ପେସ୍ତା, ବାଦାମ ଓ କିସ୍‍ମିସ୍ ଆସୁଥିଲା । ସେସବୁ ସାମଗ୍ରୀ କେବଳ ବିଶେଷ ଦୋକାନମାନଙ୍କରେ ବିଶେଷ ମନୁଷ୍ୟମାନଙ୍କ ପାଇଁ ମିଳୁଥିଲା । ଆମ ଦେଶରେ ସୈନ୍ୟବାହିନୀର ମଣିଷଙ୍କ ପାଇଁ ଯେପରି ବିଶେଷ କ୍ୟାଣ୍ଟିନ୍‍ମାନ ଏବେ ରହିଛି, ଠିକ୍ ସେହିପରି । ଅରାଜନୀତିକ ସାଧା ମଣିଷମାନେ ସେହି ଦୋକାନରେ ପ୍ରବେଶ କରିପାରିବାର ପ୍ରଶ୍ନହିଁ ନଥିଲା । ସରକାରୀ ପାର୍ଟିର ପିଲାମାନଙ୍କ ପାଇଁ ଅଲଗା ରାଜକୀୟ କିସମର ଇସ୍କୁଲ ରହିଥିଲା । ସାଧାରଣ ୟା’ ତା’ମାନଙ୍କର ପିଲାଙ୍କ ସକାଶେ ଆମ ଦେଶ ପରି ଅରିକ୍ଷିତିଆ ଇସ୍କୁଲମାନ ରହିଥିଲା । ଯିଏ କର୍ତ୍ତାମାନଙ୍କର ପୋଷା ମାନିଯାଉଥିଲା ସିଏ ସବୁକିଛି ପାଉଥିଲା; ଭାଗ୍ୟବାନ ହୋଇପାରୁଥିଲା । ଯେଉଁ ସାଧାରଣ ମଣିଷମାନେ ହଜାର ହଜାର ସଂଖ୍ୟାରେ ଥିଲେ, ସେମାନେ ରାଷ୍ଟ୍ରରୂପୀ ସୌଧ ନିର୍ମାଣରେ ମୁଖ୍ୟତଃ ବାଧ୍ୟ ହୋଇ ଖଟୁଥିଲେ । ନାନାବିଧ କଟକଣାରେ ସେମାନଙ୍କର ମୁହଁ ବନ୍ଦ ହୋଇ ରହିଥିଲା ।

 

ଏବଂ, ସତେଅବା ଫୁଙ୍କିଦେଲାମାତ୍ରକେ ମାତ୍ର ଅଳ୍ପ କେତେଟାମାସ ଭିତରେ ସେହି ସୌଧଗୁଡ଼ାକ ଭୁଷୁଡ଼ି ପଡ଼ିଲା । ସେଠାରେ ରାଷ୍ଟ୍ର ନାମରେ, ଆଦର୍ଶ ନାମରେ ଜାରି ରହିଆସିଥିବା ହୁକୁମତଗୁଡ଼ାକ ପଛରେ ଯଦି କୌଣସି ଲୋକସତ୍ୟ ପ୍ରକୃତରେ ରହିଥାଆନ୍ତା, ତେବେ ଏଭଳି କେବେହେଲେ ଘଟି ନଥାନ୍ତା । ପ୍ରତିପାଦିତ ହୋଇଗଲା, ସତେ ଯେପରି ରୁଷିଆ ତରଫରୁ ଟ୍ୟାଙ୍କ୍‍ଗୁଡ଼ାକ ସକାଶେହିଁ ଏସବୁ ଦେଶର ମଣିଷମାନେ ପାଟି ବନ୍ଦ କରି ରହିଥିଲେ । ଏବଂ, ରୁଷିଆରେ ତେଣେ ଦେଉଳରୁ ପଥର ଖସିବା ଆରମ୍ଭ ହେବାମାତ୍ରକେ ଏସବୁ ଦେଶରେ ମଧ୍ୟ ମିଛ ସୌଧଗୁଡ଼ାକର ମୂଳ ତାଡ଼ିବା ଆରମ୍ଭ ହୋଇଗଲା । ରୁଷିଆର ସୈନ୍ୟ ଓ ଟ୍ୟାଙ୍କ୍‍ମାନେ ଥିଲେ, ମାତ୍ର ଆଗପରି ଏସବୁକୁ ଦମନ କରିଦେବା ସକାଶେ ସେମାନଙ୍କ ପାଖରେ ହୁକୁମ ନଥିଲା । ଯେଉଁଠାରୁ ହୁକୁମ ଆସିଥାନ୍ତା, ସେଠାରେ ନୂଆ ନେତୃତ୍ୱ ନୂଆ ବିବେକରେ ଚିନ୍ତା କରିବାକୁ ଆରମ୍ଭ କରି ସାରିଥିଲା । ସତେଅବା ଗୋଟାଏ ନୂଆ ମୋହଭଙ୍ଗ ଜାଣିଶୁଣି ପୁରୁଣା ମିଛ ପିଣ୍ଡଟାକୁ ପୁନର୍ବାର ଆଗପରି ଖଣ୍ଡଖଣ୍ଡ ହୋଇଯିବାକୁ ବାଟ ଛାଡ଼ିଦେବ ବୋଲି କାଳପାଖରେ ରାଜି ହୋଇଯାଇଥିଲା ।

 

ତେଣୁ, ମିଖାଏଲ୍ ଗୋର୍ବାଚଭ୍‌ ରୁଷିଆର ସାମ୍ପ୍ରତିକ ଇତିହାସରେ ଆଦୌ ଏକ ଆକସ୍ମିକ ଦୁର୍ଘଟଣା ନୁହନ୍ତି; ଗୋଟାଏ ମିଛ ଭେରସା ହୋଇ ଧରାପଡ଼ି ଯାଉଥିବା ସମୟରେ ତାହାକୁ ପ୍ରକୃତରେ ମିଛ ବୋଲି ମନକୁମନ ଘୋଷଣା କରିଦେଲେ ଅବଦମିତ ସତ୍ୟମାନଙ୍କୁ ପୁନର୍ବାର ସେମାନଙ୍କର ଏକ ସ୍ୱାଭାବିକ ପ୍ରୟୋଗଧାରା ଭିତରେ ସୁସ୍ଥ ଭାବରେ ବିକଶିତ ହେବା ଲାଗି ଛାଡ଼ି ଦେବାର ଏକ ସତ୍ୟ ଘଟଣା । କେବଳ ଖାଲି ରୁଷିଆପାଇଁ ନୁହେଁ, ସମ୍ଭବତଃ ତମାମ ପୃଥିବୀ ଲାଗି ଏପରି ଏକ ଘଟଣା ଘଟିବାର ନିୟତିନିର୍ଦ୍ଦିଷ୍ଟ ଏକ ଆବଶ୍ୟକତା ରହିଥିଲା । ଏହି ପ୍ରକ୍ରିୟାରେ ଅଜାଣତରେ ଶ୍ରୀଯୁକ୍ତ ନିକିତା କୃଶ୍ଚଭ ପ୍ରଥମ ନିମିତ୍ତ ହେଲେ । ସେଇ ବିରୁଡ଼ି ବସାରେ ସର୍ବପ୍ରଥମେ ହାତ ମାରିଲେ । ତଥାପି, ହୁଏତ ତାହାର ଯଥାର୍ଥ ସମୟଟି ଆସି ପହଞ୍ଚି ଯାଇଥିଲା ବୋଲି କୃଶ୍ଚଭଙ୍କୁ କେହି ଗୁଳି ମାରି ଉଡ଼ାଇ ଦେଇପାରିଲେ ନାହିଁ । ଏହାର ଏକାଧିକ ବର୍ଷ ପୂର୍ବରୁ ଏକ ସ୍ୱାଗତଯୋଗ୍ୟ ବରଫ ତରଳା ବା thawର ସୂଚନା ଦେଇ ରୁଷିଆର ସାହିତ୍ୟ ସତେଅବା ଏକ ଆସନ୍ନ ଓଲପାଲଟ ନିମନ୍ତେ ଜମିକୁ ପାଗ କରି ଆଣୁଥିଲା । ଏକାଧିକ କବି ଓ ଲେଖକ ଅଧିକ କିଛି କରିପାରିଲେ ନାହିଁ ବୋଲି ସତେଅବା ପରାଜୟ ମାନି ଆତ୍ମହତ୍ୟା କରିଥିଲେ ବା ରୁଷିଆ ବାହାରକୁ ପଳାଇ ଯାଇଥିଲେ । ବୋରିସ୍ ପାସ୍ତରନାକ ହେଉଛନ୍ତି ଏପରି ଆଉ ଗୋଟିଏ ଖୁଣ୍ଟ, ଯିଏକି ସରକାରୀ ରୁଷିଆରେ ଯେ ପ୍ରକୃତରେ ଆଉ ଏକ ଅନ୍ୟ ରୁଷିଆ ରହିଛି ଓ ସେଠି ପାଚେରୀଗୁଡ଼ାକୁ ଭାଙ୍ଗିବାର ଶ୍ରଦ୍ଧା ଦେଖାଇଲାଣି, ତାହାରି ପ୍ରତ୍ୟୟ ପ୍ରଦାନ କଲେ । ଏମାନେ ସମସ୍ତେ ନିଜ ଭୂମି ରୁଷିଆକୁ ଭଲ ପାଉଥିଲେ, କମ୍ୟୁନିଜମ୍‌କୁ ଭଲ ପାଉଥିଲେ, ମାତ୍ର ଏକାଧିକାରୀ ରାଷ୍ଟ୍ରୀୟ ତଥା ସାମରିକ କ୍ଷମତା ଏହି ଯାବତୀୟ ପ୍ରତିଶ୍ରୁତିକୁ ମାରାତ୍ମକ ଭାବରେ ଦୂଷିତ କରିଦେଉଛି ବୋଲି କହିବାକୁ ସାହସ କଲେ । ସେମାନେ ତାହାର ପ୍ରତିବାଦ କରିଥିଲେ । ଏହି ପ୍ରକ୍ରିୟାରେ ମୁଣ୍ଡି ମାରିବାକୁ ଗୋର୍ବାଚୋଭ ଯାହା ନିମିତ୍ତ ପରି କାର୍ଯ୍ୟ କଲେ ।

 

କମ୍ୟୁନିଜମ୍‌ର ଅସଲ ଐତିହ୍ୟର ପଛରେ ସମତା ଏବଂ ନ୍ୟାୟର ଯେଉଁ ଗଭୀର ଆବେଦନଟି ରହିଛି, ସେଇଟି ପୃଥିବୀରେ ସବୁଦିନ ରହିବ, ତଥାକଥିତ ଅଣକମ୍ୟୁନିଷ୍ଟ ସମୂହଗୁଡ଼ିକ ମଧ୍ୟ ତାହା ଆଗକୁ ଆଗକୁ ବାଟ ଚାଲିବା ନିମନ୍ତେ ବଳ ଏବଂ ବିବେକ ଯୋଗାଇଦେବ । ଏକଦା ଇଂଲଣ୍ଡର ଜଣେ ସମୀକ୍ଷକ କମ୍ୟୁନିଜମ୍‌ର ଆଦର୍ଶକୁ ବନ୍ଧୁରୂପେ, ଭାଇରୂପେ ଓ ସାଥୀରୂପେ ଭଗବାନଙ୍କର ଉପାସନା ଅର୍ଥାତ୍ ମନୁଷ୍ୟର ଉଚ୍ଚତମ ମୂଲ୍ୟଗୁଡ଼ିକର ଅବଧାରଣା ବୋଲି ବର୍ଣ୍ଣନା କରିଥିଲେ । ସେହି ଅବଧାରଣାଟି ପୃଥିବୀଯାକର ମନୁଷ୍ୟସମୂହକୁ ସବୁକାଳ ଲାଗି ସଚଳ କରି ରଖିଥିବ । ଏପରିକି ଜାତୀୟତାବାଦର ଅଫିମ ମଧ୍ୟ ମଣିଷକୁ ସେହି ଯାତ୍ରାଟିର ଅଧବାଟରେ କଦାପି ଅଟକାଇ ରଖିପାରିବ ନାହିଁ । ରୁଷିଆ ଯେ ଆଉ କଦାପି ପୁରୁଣା ରାଜତନ୍ତ୍ରକୁ ଫେରିବ ନାହିଁ, ସେଥିରେ କୌଣସି ସନ୍ଦେହନାହିଁ । ମାତ୍ର, କୌଣସି ସ୍ୱୈରତନ୍ତ୍ର ମଧ୍ୟ କୌଣସି ଚକଚକ ଆଦର୍ଶ ରାଷ୍ଟ୍ରର ଭେଳିକି ଲଗାଇ ଜଣେ ଜାଗ୍ରତ ମଣିଷକୁ ଆଉ ଭୁତାଇ ଦେଇପାରିବ ନାହିଁ । ରୁଷିଆ ଏବଂ ପୂର୍ବ ଇଉରୋପର ସାହସିକ ଘଟନାବଳି ସାରା ପୃଥିବୀକୁ ଯେ ସେହି କଥାଟି ବିଷୟରେ ଚେତାଇଦେଲା, ଆମେ ସେଥିପାଇଁ ସେମାନଙ୍କ ପାଖରେ କୃତଜ୍ଞ ହୋଇ ରହିବା ।

Image

 

ଏକ ବିସ୍ତାରବାଦର ବିଲୟ (୨)

 

କାର୍ଲମାର୍କ୍ସଙ୍କର ପ୍ରୋଲେଟାରିଆଟ୍ ଶବ୍ଦଟିକୁ ଭାରତୀୟ ଭାଷାମାନଙ୍କରେ କାହିଁକି ‘ସର୍ବହରା' ବୋଲି ଅନୁବାଦ କରାଯାଇଥିଲା କେଜାଣି ? ମାତ୍ର ତଥାପି ଆମେ ଏହି କ୍ଷେତ୍ରରେ ସେହି ସର୍ବହରା ଶବ୍ଦଟିକୁହିଁ ବ୍ୟବହାର କରୁଛୁ । ଭାରତବର୍ଷରେ ପ୍ରାୟ ନିୟମତଃ ଯେଉଁମାନେ ସର୍ବହରାମାନଙ୍କ ପାଇଁ ଏକାଠି ହେଲେ, ସେମାନଙ୍କ ବିଷୟରେ ଭାବିଲେ ଏବଂ ସେମାନଙ୍କୁ ନେଇ ଏକ ଅନ୍ୟ ଭଳି ଭବିଷ୍ୟତର ସ୍ୱପ୍ନ ସେତେବେଳେ ଦେଖିଥିଲେ, ସେମାନେ ଆଦର୍ଶବାଦୀ ଥିଲେ, ତଥାକଥିତ ଉଚ୍ଚବର୍ଗର ଏବଂ ଉଚ୍ଚ ବର୍ଣ୍ଣର ଥିଲେ । ଏବେ ମଧ୍ୟ ସେମାନେ ଅଳ୍ପବହୁତ ପ୍ରାୟ ତାହାହିଁ ହୋଇ ରହିଛନ୍ତି । ସତେଅବା ବାହାରୁ ଥାଇ ନିମ୍ନତରମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ସେମାନଙ୍କୁ ଏକଜୁଟ କରାଇ ସେମାନଙ୍କ ପାଇଁ ଏଥିରୁ ସେଥିରୁ ଗୋଟାଏ କିଛି ହାସଲ କରି ଆଣିବାପାଇଁ ଚେଷ୍ଟା ମଧ୍ୟ କରାଯାଉଛି । ସମ୍ଭବତଃ ସେହି କାରଣରୁହିଁ ଭାରତୀୟ ପରମ୍ପରାରେ ସତେଅବା ମୂଳତଃ ଦୟାପରବଶ ହୋଇ ସର୍ବହରା ଶବ୍ଦଟି ବ୍ୟବହୃତ ହୋଇଆସିଛି ।

 

ସ୍ଵୟଂ କାର୍ଲମାର୍କ୍ସ ପ୍ରୋଲେଟାରିଆଟ୍ ଶବ୍ଦଟିକୁ ତାଙ୍କ ଆଦିକାଳରେ କିନ୍ତୁ ଅନ୍ୟ ପ୍ରକାରେ ଅର୍ଥାତ୍ ଅନ୍ୟ ଏକ ବ୍ୟଞ୍ଜନା ଏବଂ ଅନ୍ୟ ଏକ ପ୍ରେରଣା ଦେଇ ବୁଝିଥିଲେ । ଆପଣାର ନୈତିକ ତଥା ଭୌତିକ ଦାରିଦ୍ର୍ୟ ସମ୍ବନ୍ଧରେ ସଚେତନ ଦାରିଦ୍ର୍ୟ, ଆପଣାର ଅଧୋଗତି ବିଷୟରେ ସଚେତନ ଅଧୋଗତି, ମାର୍କ୍ସ ଏହିପରି ଭାବରେ ପ୍ରୋଲେଟାରିଆଟ୍ ଶବ୍ଦଟିର ବ୍ୟାଖ୍ୟା କରିଛନ୍ତି । ଦରିଦ୍ର ସେବେ ଥିଲେ, ଏବେ ମଧ୍ୟ ରହିଛନ୍ତି । ଅଧୋଗତି ମନୁଷ୍ୟ ସେତେବେଳେ ଥିଲେ, ଏବେ ଆମ ସମୟରେ ମଧ୍ୟ ରହିଛନ୍ତି । ଦାରିଦ୍ର୍ୟ ଏବଂ ଅଧୋଗତିକୁ ସ୍ୱୟଂ ଦରିଦ୍ର ଏବଂ ଅଧୋଗତିମାନେ ମଧ୍ୟ ସତେଅବା କେଉଁ ପ୍ରବଞ୍ଚନାରେ ପଡ଼ି ଭାଗ୍ୟର ଅର୍ଥାତ୍ ଭଗବାନଙ୍କର ବରାଦ ବୋଲି ବିଶ୍ଵାସ କରିଆସିଛନ୍ତି । ଏବଂ, ସେହି କାରଣରୁ ତାହାକୁ ମାନି ମଧ୍ୟ ନେଇଛନ୍ତି, ନିଜର ଅବସ୍ଥାରେ କିଞ୍ଚିତ୍‍ ପରିବର୍ତ୍ତନ ଲାଗି ସେମାନେ ସାଧାରଣତଃ ଆଉମାନଙ୍କର ସହାନୁଭୂତି କିମ୍ବା ଦୟା ଉପରେ ନିର୍ଭର କରିଆସିଛନ୍ତି । ଦାରିଦ୍ର୍ୟ ଓ ଅଧୋଗତିକୁ ଯେ ଏହି ପୃଥିବୀରେ ମଣିଷମାନେ ଭିଆଣ କରିଛନ୍ତି–ପାଖେ ପଶୁ ଭଳି ଲୋଭୀ, ଆତ୍ମକେନ୍ଦ୍ରୀ ଏବଂ ଉପଦ୍ରବୀ ହୋଇଛନ୍ତି, ଏବଂ ଆଉ ଗୋଟିଏ ପାଖ ପଶୁଭଳି ମାନି ନେଇଛନ୍ତି ଏବଂ ତେଣୁ ସହ୍ୟ କରିଆସିଛନ୍ତି ବୋଲି ଆମ ପୃଥିବୀରେ ଦାରିଦ୍ର୍ୟ, ଅଧୋଗତି, ବଞ୍ଚନା ଏବଂ ଅବମାନନା ରହିଛି, ଦାରିଦ୍ର୍ୟ ଓ ଅଧୋଗତି ସ୍ୱୟଂ ସେହି ବିଷୟରେ ସଚେତନ ହେଲେ ଯାଇ କାଳକାଳର ଏହି ଅବ୍ୟବସ୍ଥା ଦୂର ହେବ, ଏକ ଅନ୍ୟ ବିବେକରେ ମଣିଷମାନେ ସେମାନଙ୍କର ସାମୂହିକ ଗଢ଼ଣଗୁଡ଼ିକୁ ତିଆରି କରିବେ, ଏହିପରି ଏକ ସମ୍ମୁଖଧର୍ମୀ ଦୃଷ୍ଟି ରଖିହିଁ ମାର୍କ୍ସ ପ୍ରୋଲେଟାରିଆଟ୍‌ ଶବ୍ଦଟିର ବ୍ୟବହାର ଏବଂ ବ୍ୟାଖ୍ୟା କରିଛନ୍ତି । ଅନୁବାଦରେ ତାହାକୁ ଆମେ ଯାହାକିଛି କହିବା ବା ନକହିବା ପଛକେ, ମାର୍କ୍ସଙ୍କର ସେହି ମୂଳ ତାତ୍ପର୍ଯ୍ୟଟି ବିଷୟରେ ସଚେତନ ରହିପାରିଥିଲେ ଆମକୁ ଆଦୌ କୌଣସି ବିଶେଷ ପ୍ରମାଦରେ ପଡ଼ିବାକୁ ପଡ଼ିବ ନାହିଁ ।

 

କମ୍ୟୁନିଜମ୍‌ର ପ୍ରତିଷ୍ଠା ହେଲେ ପ୍ରୋଲେଟାରିଆଟ୍‍ହିଁ ସବୁକିଛିର ମୀମାଂସା କରିବ, ସର୍ବନିୟାମକ ହେବ–Dictatorship of the Proletariat କଥାଟି ଦ୍ୱାରା କାର୍ଲମାର୍କ୍ସ ବସ୍ତୁତଃ ତାହାହିଁ ବୁଝିଥିଲେ । ରୁଷିଆରେ ଯେତେବେଳେ ରାଜତନ୍ତ୍ରର ଲୋପ କରାଇ ଏକ ଶକ୍ତିମାନ ବିପ୍ଳବଦ୍ୱାରା ସୋସିଆଲିଜମ୍‌ର ପ୍ରତିଷ୍ଠା ହେଲା ଏବଂ ସେହି ବିପ୍ଳବର ପୁରୋଗାମୀରୂପେ କମ୍ୟୁନିଷ୍ଟମାନେ କ୍ଷମତାକୁ ଆସିଲେ, ଦେଶରେ ଶାସନକୁ ସେହି ପରବର୍ତ୍ତୀ ଅବସ୍ଥାଟି ମଧ୍ୟକୁ ପ୍ରସ୍ତୁତ ଅର୍ଥାତ୍ ବିକଶିତ କରାଇନେବାହିଁ ସେମାନଙ୍କର ସର୍ବପ୍ରଥମ ଧେୟ ହୋଇ ରହିଥିଲା । ପରିଭାଷାକୁ କିଞ୍ଚିତ୍‌ ପରିମାଣରେ ବଦଳାଇ ହୁଏତ ଏହିପରି କୁହାଯାଇପାରିବ ଯେ, ରୁଷିଆରେ ଲୋକଶକ୍ତିହିଁ ସର୍ବନିୟାମକ ହେବ–ରଜ୍ଜୁଗୁଡ଼ିକ ତାହାରି ହାତରେ ରହିବ, ଶକ୍ତିମାନ ଅଥଚ ସଚେତନ ମଣିଷମାନଙ୍କର ଏକ ଅନ୍ୟ ବ୍ୟବସ୍ଥା ଲାଗି ବାଟ ପରିଷ୍କାର କରିଦେବାହିଁ ମଧ୍ୟବର୍ତ୍ତୀ ଭାରପ୍ରାପ୍ତମାନଙ୍କର ସବାବଡ଼ କର୍ତ୍ତବ୍ୟ ହୋଇରହିବ । ବିପ୍ଳବବିଜୟୀ କମ୍ୟୁନିଷ୍ଟ ପାର୍ଟିହିଁ ସେତେବେଳେ ସେହି ମଧ୍ୟବର୍ତ୍ତୀ ନେତୃତ୍ୱଟି ଲାଗି ନିମିତ୍ତ ହୋଇ ରହିଥିଲେ । ସେମାନେ ପ୍ରାରମ୍ଭିକ ପତ୍ତନଗୁଡ଼ିକୁ ଏପରି ଭାବରେ ପକାଇବେ ଯେ, ଅଧିକରୁ ଅଧିକ କମ୍ ସମୟରେ ଲୋକଶକ୍ତିହିଁ ସଚେତନ ଓ ସମର୍ଥ ହୋଇ ଆସୁଥିବ ଓ ନିମିତ୍ତଟି କ୍ରମେ ନିଜକୁ ଅପସାରିତ କରାଇ ଆଣୁଥିବ । ରାଷ୍ଟ୍ର ପଛକୁ ପଛ ରହିଯାଉଥିବ ଏବଂ ଲୋକଶକ୍ତିହିଁ ଲଗାମଗୁଡ଼ିକୁ ହାତକୁ ନେଇ ନେଉଥିବ । ଏହି ପ୍ରକ୍ରିୟାଟିକୁ କେଉଁ ବୁଝୁଥିବା ମଣିଷ କେବଳ ଏକ ରାଜନୀତିକ ପ୍ରକ୍ରିୟା ବୋଲି କହିପାରିବ ?

 

ରାଷ୍ଟ୍ର ଯିବ, ଲୋକମାନେହିଁ ନିଜର ନିୟାମକ ହେବେ, ସିଦ୍ଧାନ୍ତରେ ସେହି କଥା ଥିଲା । ରାଷ୍ଟ୍ରଶକ୍ତି ସେହି ଦିଗରେ କ୍ଷେତ୍ର ପ୍ରସ୍ତୁତ କରିଦେବ, ବାଟ ଛାଡ଼ିଦେବ । ଏଥିପାଇଁ କେତେଦିନ ଲାଗିବ ? ରୁଷିଆରେ ଯେଉଁମାନେ ନୈରାଜ୍ୟବାଦରେ ବିଶ୍ୱାସ କରୁଥିଲେ, ସେମାନେ ସମ୍ଭବତଃ ବଡ଼ ଉଲ୍ଲସିତ ହୋଇ ଭାବୁଥିଲେ ଯେ, ଏହି କଥାଟି ରାତାରାତି ହୋଇଯିବ । ଲେନିନ୍ ସେମାନଙ୍କୁ ତୁଚ୍ଛା ସ୍ୱପ୍ନଦର୍ଶୀ ବୋଲି କହି ଉପହାସ କରୁଥିଲେ । ସେ କହୁଥିଲେ ଯେ, ଏହି ପରିବର୍ତ୍ତନଟି ନିମନ୍ତେ ଇତିହାସର ପୂରା ଯୁଗଟାଏ ଲାଗିବ । ତଥାପି ଗୋଟାଏ ନିର୍ଦ୍ଦିଷ୍ଟ ମିଆଦର ଅନୁମାନ ମଧ୍ୟ ସେତେବେଳେ କରାଯାଇପାରୁଥିଲା । ୧୯୧୮ ମସିହାରେ ସମାଜବାଦୀ ରାଷ୍ଟ୍ରର ନେତା ଲେନିନ୍ କହିଥିଲେ ଯେ, ରାଷ୍ଟ୍ରର ବିଲୟ ନିମନ୍ତେ ୧୦ ବର୍ଷ ବା ଆଉ କିଛି ଅଧିକ ସମୟ ଲାଗିବ । ଏବଂ ୧୯୧୯ ମସିହାର ମଇ ଦିବସ ଅବସରରେ ମସ୍କୋର ରେଡ଼୍ ସ୍କୋୟାରଠାରେ ଅନୁଷ୍ଠିତ ହୋଇଥିବା ସମାବେଶରେ ଭାଷଣ ଦେବା ସମୟରେ ଘୋଷଣା କରି ସେ କହିଥିଲେ ଯେ, ସେଠି ସେହି ସମାବେଶରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ବୟସ ୩୦ ବା ୩୫କୁ ଅତିକ୍ରମ କରିନାହିଁ, ସେମାନେ ଅବଶ୍ୟ କମ୍ୟୁନିଜମ୍‌ର ନୂତନ ପ୍ରଭାତଟିକୁ ଦେଖିପାରିବେ । ସେତେବେଳେ ରୁଷିଆ ସେହି ପରବର୍ତ୍ତୀ ଲକ୍ଷ୍ୟଠାରୁ ତଥାପି ବହୁଦୂରରେ ରହିଥିଲା ବୋଲି ଲେନିନ୍ ସ୍ୱୀକାର ମଧ୍ୟ କରିଥିଲେ । ପୁଣି କିଛିକାଳ ପରେ ସେ ଲେଖିଲେ ଯେ, “ବିଶ୍ୱ–ଇତିହାସର ପରିପ୍ରେକ୍ଷୀରେ ବିଚାର କଲେ ଦଶ ବା କୋଡ଼ିଏବର୍ଷ ଶୀଘ୍ରରେ କିମ୍ବା ବିଳମ୍ବରେ ସେହି ପରିବର୍ତ୍ତନଟି ପ୍ରକୃତରେ ଆସିବ, ସେହି କଥାଟି ଆଦୌ ମହତ୍ୱପୂର୍ଣ୍ଣ ନୁହେଁ ।” ମାତ୍ର, ରୁଷିଆରେ ଅକ୍ଟୋବର ବିପ୍ଳବର ବହୁପୂର୍ବରୁ ଲେନିନ୍ ନିଜର ଲିଖିତ ଗୋଟିଏ ଗ୍ରନ୍ଥରେ ଅତ୍ୟନ୍ତ ଦୃଢ଼ତାର ସହିତ ଏପରି ମଧ୍ୟ କହିଥିଲେ ଯେ, ରାଜନୀତିକ ପରିବର୍ତ୍ତନର ସଙ୍ଗେ ସଙ୍ଗେ ଅର୍ଥାତ୍ ରାଜତନ୍ତ୍ରର ଲୋପ କରାଇ କମ୍ୟୁନିଷ୍ଟ ପାର୍ଟିର ଶାସନ ପ୍ରବର୍ତ୍ତିତହେବା ସଙ୍ଗେ ସଙ୍ଗେହିଁ ରାଷ୍ଟ୍ରର ଅବଲୟ ଘଟିବାର ପ୍ରକ୍ରିୟାଟି ଅବଶ୍ୟ ଆରମ୍ଭ ହୋଇଯିବ ।

 

ମାତ୍ର; ବିପ୍ଳବର ପରବର୍ତ୍ତୀ ବର୍ଷଗୁଡ଼ିକରେ ଯାହାସବୁ ଘଟିଲା, ସେଥିରୁ ରାଷ୍ଟ୍ରହିଁ ପ୍ରବଳରୁ ଅଧିକ ପ୍ରବଳ ହେଉଥିବାର ଭୟାନକ ସଙ୍କେତମାନ ଦୃଷ୍ଟିଗୋଚର ହେବାରେ ଲାଗୁଥିଲା । ଲୋକମାନେ ସତେଅବା ଆଁ କରି ଅନାଇ ରହିଥିଲେ, ସେମାନଙ୍କ ଲାଗି କାଳର କଚେରିରୁ ଏକ ଅଭୂତପୂର୍ବ ବିଜୟ ଆଣି ଦେଇଥିବା କମ୍ୟୁନିଷ୍ଟ ପାର୍ଟିହିଁ ସେମାନଙ୍କ ତରଫରୁ ଶାସନଦ୍ୱାରା ସେମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଆଣୁଥିଲା । ରୁଷିଆରେ ସେହି ପର୍ଯ୍ୟାୟରେ କମ୍ ପରିବର୍ତ୍ତନ ହୋଇନାହିଁ । ଏକ ଦୁରାଚାରୀ ରାଜତନ୍ତ୍ରର ଅନ୍ଧାର ଦୂରୀଭୂତ ହୋଇ ଶିକ୍ଷା, ବିଜ୍ଞାନ, ଆର୍ଥିକ ସମ୍ପର୍ଣ୍ଣତା ଏବଂ ଆଶାପୂର୍ଣ୍ଣ ସୁଖୀ ଜୀବନର ଆଲୋକ ସତକୁସତ ଅଭୂତପୂର୍ବ ଭାବରେ ଆପଣାକୁ ପରିବ୍ୟାପ୍ତ କରି ଆଣୁଥିଲା । ଆପଣାକୁ ଅଧିକରୁ ଅଧିକ କ୍ଷମତାଦ୍ଵାରା ବଳବାନ୍‌ କରି ପାର୍ଟି ଜନସମୂହ ନିମନ୍ତେ ସେହିସବୁ କଥାକୁ ସମ୍ଭବ କରୁଥିଲେ । ପାର୍ଟି ହାତରେହିଁ ଅଧିକରୁ ଅଧିକ ରଜ୍ଜୁ ଧରାଇ ହୋଇ ଯାଉଥିଲା ଓ ସଦ୍ୟପ୍ରାପ୍ତ ଅଧିକରୁ ଅଧିକ ସୁଖବୋଧର ମୋହରେ ଲୋକମାନେ ସେହି ରଜ୍ଜୁ ଭିତରେ ଅଧିକରୁ ଅଧିକ ପରିମାଣରେ ବାନ୍ଧି ହୋଇ ଯାଉଥିଲେ । ସେମାନଙ୍କ ଲାଗି ପ୍ରତିଶ୍ରୁତ କ୍ଷମତାଗୁଡ଼ିକ କ୍ରମେ ଅଧିକରୁ ଅଧିକ ଆଶଙ୍କାପୂର୍ଣ୍ଣ ଭାବରେ ରାଷ୍ଟ୍ରର ହାତକୁ ଚାଲିଯାଉଥିଲା । ପାର୍ଟିର ଏକାଧିପତ୍ୟହିଁ ସତେଅବା ନିଜକୁ ଜନସମୂହର କଳ୍ପିତ ଅଗ୍ରଗତିଗୁଡ଼ିକ ଦୃଷ୍ଟିରୁ ଅପରିହାର୍ଯ୍ୟ ବୋଲି ମନେହେଉଥିଲା । ପାର୍ଟିପାଇଁ ଆତ୍ମସମୀକ୍ଷା ନିମନ୍ତେ ସତେଯେପରି କୌଣସି ତରହିଁ ନଥିଲା । ରାଷ୍ଟ୍ରବାଦୀ ସଫଳମାନଙ୍କ ପାଖରେ ସମ୍ଭବତଃ କେତେବେଳେ ହେଲେ ମଧ୍ୟ ଏସବୁ ସକାଶେ ତର ନଥାଏ ।

 

ସେହି ପ୍ରଥମ ସମୟରେ ମଧ୍ୟ ଗୋଟାସୁଦ୍ଧା ଲେନିନ୍ ଓ ତାଙ୍କ ଶିବିରଟି ସହିତ ରହି ନଥିବା ଅନ୍ୟମାନେ ଏହି ବିଷୟରେ ସମ୍ପୃକ୍ତ କ୍ଷମତାଧାରୀମାନଙ୍କୁ କିଞ୍ଚିତ୍‌ ଚେତାବନୀ ମଧ୍ୟ ଶୁଣାଇଥିଲେ । ଏକଦା ତାଙ୍କରି ଜଣେ ରାଜନୀତିକ ସାଥୀ ପ୍ଲେଖାନଫ୍ ଗୋଟିଏ ଲେଖାରେ ଲେନିନ୍‍ଙ୍କର ତତ୍କାଳୀନ ନୀତିଗୁଡ଼ିକୁ ବୋନାପାର୍ଟବାଦୀ ବୋଲି କହି ଆକ୍ଷେପ କରିଥିଲେ । ନୋପୋଲିଅନ୍ ବୋନାପାର୍ଟ ତାଙ୍କ ଶାସିତ ଫ୍ରାନ୍ସରେ ନିଜ ପଟେ ଥିବା ଲୋକସମର୍ଥନର ସୁଯୋଗ ନେଇ ଶାସନର ପ୍ରାୟ ସକଳ କ୍ଷମତାକୁ ନିଜ ହାତକୁ କେନ୍ଦ୍ରିତ କରି ଆଣିଥିଲେ । ଲେନିନ୍ କ’ଣ ସେହିପରି ପାର୍ଟିକୁ ଏକ–ଅତିକ୍ଷମତାଯୁକ୍ତ ବିଶାଳ ମୂର୍ତ୍ତିରେ ପରିଣତ କରି ଦେଉଛନ୍ତି ଏବଂ କ୍ରମେ ଲୋକମାନଙ୍କ ପାଖକୁ ଯେଉଁସବୁ କ୍ଷମତା ଆସୁଥାନ୍ତା, ତାହାକୁ ସିଏ ପାର୍ଟିପାଇଁ ଏକଠୁଳ କରି ପକାଉଛନ୍ତି କି ? ପ୍ରୋଲେଟାରିଆଟ୍‌ର ଡିକ୍ଟେଟରସିପ୍‌କୁ ଲେନିନ୍ ପ୍ରୋଲେଟାରିଆଟ୍ ଉପରେ ପାର୍ଟିର ଡିକ୍ଟେଟରସିପ୍‌ଦ୍ଵାରା ଗଣ୍ଡଗୋଳିଆ କରି ଦେଉଛନ୍ତି ବୋଲି ପ୍ଲେଖାନଫ୍ ଲେନିନ୍‍ଙ୍କ ଉପରେ ଦୋଷାରୋପ କରିଥିଲେ । ଲେନିନ୍ ସେତେବେଳକୁ ବୁଢ଼ା ହୋଇ ଆସୁଥିଲେ; କ୍ରମେ ଅସୁସ୍ଥବି ହୋଇପଡ଼ିଲେ । ତାଙ୍କ ଚେଲାମାନେ ତାଙ୍କୁ ବଳି ପଡ଼ୁଥିଲେ । ସମ୍ଭବତଃ ସେହି କାରଣରୁ ସେ ନିଜେ ଯେପରି ଘ୍ରାଣ କରିପାରୁଥିଲେ, ମଙ୍ଗଗୁଡ଼ାକୁ ମୋଟେ ସେପରି ଭାବରେ ମୋଡ଼ି ପାରୁ ନଥିଲେ । ଫଳରେ କମ୍ୟୁନିଜମ୍‌ ଟୋପିକୁ ମୁଣ୍ଡରେ ପିନ୍ଧି ସେହି ଆରମ୍ଭବେଳରୁହିଁ ରୁଷିଆରେ ସତେଅବା ଆଉ କିଛି ସବାର ହୋଇ ବାହାରି ପଡ଼ିଲା । ଚକଗୁଡ଼ାକ ଆଉ କୁଆଡ଼େ ଗଡ଼ିଗଲା ।

 

ଚକମାନେ ରାଷ୍ଟ୍ରବାଦ ଆଡ଼କୁ ଗଡ଼ିଗଲେ । ଜାତୀୟବାଦ ଆଡ଼କୁ ଗଡ଼ିଗଲେ । ବିଶ୍ୱ ରାଜନୀତିରେ ସୋଭିଏଟ୍ ରୁଷିଆର ଭୂମିକାଟି ମଧ୍ୟ ଏହି ଦିଗରେ ତାହାକୁ ଅତି ପ୍ରବଳ ଭାବରେ କ୍ରମେ ପ୍ରଲୋଭିତ କରିନେଲା । ତା’ପରେ ସେଠି କମ୍ୟୁନିଜମ୍‍ର ନେତାମାନେ ଅଧିକରୁ ଅଧିକ ଔଚିତ୍ୟର ସହିତ ଜଣେ ଜଣେ ଚକ୍ରବର୍ତ୍ତୀ ପରି ଦିଶିଲେ, କମ୍ୟୁନିଜମ୍‌ର କଥା ନକହି ଏକ ମହାନ୍ ରୁଷିଆର କଥାମାନ କହିଲେ । ରୁଷିଆର ଅସ୍ତ୍ରବଳ ବଢ଼ିବା ସଙ୍ଗେ ସଙ୍ଗେ ଅଫିମଟା ଆହୁରି ଖଳବଳ ଯୋଗାଇଦେଲା । ଦେଶରେ ରାଷ୍ଟ୍ରର ବିଲୋପସାଧନ କରି ପ୍ରୋଲେଟାରିଆଟ୍‌ର ନିୟାମକତା ସ୍ଥାପିତ ହେବାର ପ୍ରକରଣଟା କ୍ରମେ ପାସୋର ହୋଇ ରହିଲା । କଥିତ ଅଛି, ଯେତେବେଳେ ଶ୍ରୀ କୃଶ୍ଚଫ ଆମେରିକା ଗସ୍ତରେ ଯାଇଥିଲେ, ସେତେବେଳେ ରୁଷିଆରେ ସୋସିଆଲିଜମ୍ ସ୍ଥାନରେ କେବେ କମ୍ୟୁନିଜମ୍‍ର ପ୍ରତିଷ୍ଠା ହେବ ବୋଲି ତାଙ୍କୁ ଏକ ପ୍ରଶ୍ନ ପଚରା ଯିବାରୁ ସିଏ ଏପରି ଉତ୍ତରଟିଏ ଦେଇଥିଲେ ଯେ, ପୃଥିବୀରେ ଯେପର୍ଯ୍ୟନ୍ତ ପୁଞ୍ଜିବାଦ ରହିଥିବ, ସେପର୍ଯ୍ୟନ୍ତ ରୁଷିଆରେ ମଧ୍ୟ ସୋସିଆଲିଜମ୍ ଅବଶ୍ୟ ରହିବ । ପୃଥିବୀରେ ପୁଞ୍ଜିବାଦ ଦୀର୍ଘଜୀବୀ ହେବ ବୋଲି ସତକୁସତ ଆଶଙ୍କା ଅଥବା ବିଶ୍ୱାସ କରୁଥିବାରୁ କିମ୍ବା ଏତେ ଶୀଘ୍ର ନିଜକୁ ତଥା ନିଜ ପାର୍ଟିକୁ ବର୍ତ୍ତମାନର ସାର୍ବଭୌମ ଯଥେଚ୍ଛାଚାରରୁ ବଞ୍ଚିତ କରି ରାଷ୍ଟ୍ରଟାକୁ ପ୍ରୋଲେଟାରିଆଟ୍‌ମାନଙ୍କ ହାତରେ ଟେକିଦେବା ନିମନ୍ତେ ସେ ଆଦୌ ସମ୍ମତ ନଥିଲେ ବୋଲି ଏପରି କହିଥିଲେ, ପିତ୍ତଗୁଡ଼ାକର ପରୀକ୍ଷା କରି କିଏ ଏହି ସଂଶୟଟିର ଠିକ୍ ଉତ୍ତରଟିଏ ଦେଇପାରିବ ?

 

ନିଜର ନିକଟତମ ମାର୍ଗସାଥୀ ବଲ୍‌ଶେଭିକ୍‌ମାନଙ୍କ ଭିତରେ ମଧ୍ୟ ଉଗ୍ର ଜାତୀୟତାବାଦୀଟି ଆତ୍ମଗୋପନ ଜଗିରହିଛି ବୋଲି ଲେନିନ୍ ସନ୍ଦେହ କରୁଥିଲେ । ଜଣେ ବଲ୍‌ଶେଭିକ୍‌ର ଦେହକୁ ଫାଡ଼ି ଦୁଇଫାଳ କରିଦେଲେ ତୁମେ ତା’ ଭିତରୁ ଜଣେ ରୁଷୀୟ ଉଗ୍ର ଜାତୀୟତାବାଦୀକୁ (Chauvinist) ଅବଶ୍ୟ ଆବିଷ୍କାର କରିପାରିବ ବୋଲି ସେ ଥରେ କହିଥିଲେ । ମୁଁ ରୁଷିଆର ଏହି ବୃହତ୍ ଉଗ୍ର ଜାତୀୟତାବାଦ ବିରୋଧରେ ଯୁଦ୍ଧ ଘୋଷଣା କରୁଛି ବୋଲି ଥରେ ଲେନିନ୍ ଟ୍ରଟ୍‌ସ୍କିଙ୍କ ପାଖରେ ମତବ୍ୟକ୍ତବି କରିଥିଲେ । ସବୁ ଜାଗାରେ କ୍ଷମତାକାମୀ ଅଣନେତାମାନେ ମାନବିକ ମୂଲ୍ୟଗୁଡ଼ିକୁ ପ୍ରତାରିତ କରି ରଖିବା ନିମନ୍ତେ ଜାତୀୟତାବାଦକୁ ଆୟୁଧ ଓ ଅଫିମରୂପେ ବ୍ୟବହାର କରିଆସିଛନ୍ତି । ତେଣୁ, ଯାହା ହେବାର କଥା, ରୁଷିଆରେ ତାହାହିଁ ହେଲା । ଏକ ନୂତନ ସାମାଜ–ପ୍ରେରଣାରେ ଅଗ୍ରଗାମୀ ହୋଇ କାର୍ଯ୍ୟ କରିବାର ଭୂମିକାଟି ରୁଷିଆରେ ରାଷ୍ଟ୍ରବାଦ ଭିତରେ ବିସର୍ଜିତ ହୋଇ ରହିଗଲା । ରୁଷିଆ ବିଶ୍ୱର ଏକ ବୃହତ୍‍ଶକ୍ତି ହେଲା ଏବଂ ଆମେରିକା ସହିତ କେଡ଼େ ସମର୍ଥ ଭାବରେ ଟକ୍କର ଦେଇପାରିଲା ସତ, ମାତ୍ର ଆପଣାର ବିଶ୍ୱଭୂମିକାଟି ପାଖରେ ସତେଅବା ଓଲୁ ହୋଇ ରହିଗଲା।ଏକାନ୍ତ ବିଡ଼ମ୍ବନାର ବିଷୟ ଯେ, ତମାମ୍ ବିଶ୍ଵର, ତୃତୀୟ ବିଶ୍ୱର ଦରିଦ୍ର ରାଷ୍ଟ୍ରରୂପେ ପରିଚିତ ଦେଶଗୁଡ଼ିକ ସମେତ, କମ୍ୟୁନିଷ୍ଟ ପାର୍ଟିମାନେ ମଧ୍ୟ ଏତିକିଟି ଭିତରେ ମଜ୍ଜିଗଲେ, ସମ୍ରାଟ ଠିକ୍ ଲୁଗା ଅବଶ୍ୟ ପିନ୍ଧିବେ ବୋଲି ପୂର୍ଣ୍ଣ ଆନୁଗତ୍ୟ ମଧ୍ୟରେ ଆପଣାକୁ ପ୍ରତ୍ୟୟ ଦେବାକୁ ଲାଗିଲେ ।

 

ଗତ ୬/୭ ବର୍ଷ ମଧ୍ୟରେ ସେହିଗୁଡ଼ିକରହିଁ ପରିଣାମ ଘଟିଲା । ପୁରୁଣା ଯେଉଁ ଭ୍ରମଗୁଡ଼ିକ ଏଡ଼େ ଏଡ଼େ ସୌଧ ହୋଇ ଛିଡ଼ା ହୋଇଥିଲା, ଅସଲ ବିବେକଟି ଛୁଇଁଲାମାତ୍ରକେ ସେଗୁଡ଼ିକ କେତେ ଅବିଶ୍ଵସନୀୟ ଭାବରେ ଭୁଷୁଡ଼ି ପଡ଼ିଲା । ଅଣକମ୍ୟୁନିଷ୍ଟମାନେ ଏଥିରେ କେଡ଼େ ହୃଷ୍ଟ ହୋଇଥିବେ । କମ୍ୟୁନିଷ୍ଟମାନେ ମଧ୍ୟ ହଠାତ୍ କେତେ ପ୍ରକାରେ ବଣା ହୋଇ ଯାଇଥିବେ । ତାହାହିଁ ଘଟିଲା । ଉତ୍ତେଜନା ଭିତରେ ସେମାନେ ଆପଣାର ପ୍ରଥମ ପ୍ରତିକ୍ରିୟାସ୍ୱରୂପ ସବାଆଗ ଖଣ୍ଡଖଣ୍ଡ ହୋଇଗଲେ । ଗୋଟାଏ ସାମ୍ରାଜ୍ୟ କେତେଟା କ୍ଷୁଦ୍ର ଦ୍ୱୀପରେ ବିଭକ୍ତ ହୋଇଗଲା । ତଥାପି ଅସଲ ସ୍ଵପ୍ନ ଓ ଅସଲ ପ୍ରେରଣାଟି ଆଦୌ ଖଣ୍ଡଖଣ୍ଡ ହୋଇଯାଇନାହିଁ । ସମତା, ନ୍ୟାୟ, ସହଯୋଗ, ପାରସ୍ପରିକତା ଏଗୁଡ଼ିକ ଇତିହାସର ସ୍ଥାନ–ବୈଶିଷ୍ଟ୍ୟ ଅନୁସାରେ ପ୍ରଥମେ ମାତ୍ର କେତୋଟି ଭୂଖଣ୍ଡରେ ଆପଣାକୁ ରୂପାୟିତ କରି ଆଣିବାର କେତୋଟି ପ୍ରାଥମିକ ପ୍ରୟୋଗରେ ତତ୍ପର କରି ରଖିଥିଲେ ସିନା, ମାତ୍ର ସେହିପରି ପ୍ରାଥମିକ କେତେକ ବିଚ୍ୟୁତି ହେତୁ ସେଗୁଡ଼ିକର ଅଭିକ୍ରମ କଦାପି ବନ୍ଦ ହୋଇଯିବ ନାହିଁ । ଯାହା ସମଗ୍ର ବିଶ୍ୱରେ ମଣିଷମାନଙ୍କ ପାଇଁ ସମଗ୍ର ଭାବରେ ଏକ ଭବ୍ୟତର ଏବଂ ଭଦ୍ରତର ଭବିଷ୍ୟତର ସ୍ୱପ୍ନ ଦେଖିବାର ସାହସ କରିଛି ତାହାର କଦାପି ବିଲୟ ହେବନାହିଁ । ହୁଏତ, ପ୍ରୟୋଗରେ ଏହି ଉତ୍ତରୋତ୍ତର ବିଶ୍ଵଯାତ୍ରାରେ ବିଭିନ୍ନ ଦେଶରେ ତଥା ସମାଜରେ ନେତୃତ୍ୱମାନେ ଏପରି ଏକ ସ୍ତରରେ ଆସି ପହଞ୍ଚିବେ, ଯେଉଁଠାରେ କି ଯଥାର୍ଥ ସାମ୍ୟବାଦ ଓ ଯଥାର୍ଥ ଗଣତନ୍ତ୍ର ମଧ୍ୟରେ ପ୍ରକୃତରେ କୌଣସି ଫରକ ଅଥବା ବୈର ରହିବ ନାହିଁ । ନାନା ତାତ୍କାଳିକ ଗରଜ ଭିତରେ ପଡ଼ି ଏପର୍ଯ୍ୟନ୍ତ ଏଗୁଡ଼ିକ ଦୁଇଟି ଭିନ୍ନ ଭିନ୍ନ ରାଜନୀତିକ ଏବଂ କ୍ଷମତାଭିତ୍ତିକ ପରିମିତ ଭିତରେ ଆପଣାକୁ ବାନ୍ଧି ରଖିଥିଲେ ବୋଲି ହୁଏତ ନିଜକୁ ପରସ୍ପରର ବୈରୀ ଓ ବାଧକରୂପେ ଦେଖୁଥିଲେ । କ୍ରମେ ଆମେ ସମସ୍ତେ ସେହି ଭ୍ରମର ବାଡ଼ଗୁଡ଼ିକୁ ଅତିକ୍ରମ କରିଯିବା । କେବଳ ତଥାକଥିତ ଜୀବନମୂଲ୍ୟ କିମ୍ବା ସମାଜମୂଲ୍ୟଗୁଡ଼ିକ ନୁହେଁ; ଭୌତିକ ବିଜ୍ଞାନର ଆହ୍ୱାନ ଏବଂ ଅନୁବନ୍ଧଗୁଡ଼ିକ ମଧ୍ୟ ଆମକୁ ସେହି ଅତିକ୍ରମ କରିଯିବାରେ ସାହାଯ୍ୟ କରିବେ । ମନୁଷ୍ୟର କଳ୍ପନାରେ ଏକ ଅନ୍ୟ ପବନର ସ୍ପର୍ଶ ଆସି ବାଜିବ ।

Image

 

ଉପରୁ ତଳକୁ ନା ତଳୁ ଉପରକୁ ?

 

କଣ୍ଟାକଣ୍ଟି ଦେଢ଼ଶହ ବର୍ଷ ତଳେ ତତ୍କାଳୀନ ଜର୍ମାନ୍ ଦର୍ଶନର ମୂଳଦୃଷ୍ଟିଟି ସହିତ ନିଜ ଦୃଷ୍ଟିଟିର ତୁଳନା କରି ଆପଣାର ଗୋଟିଏ ଗ୍ରନ୍ଥରେ ମନୀଷୀ ମାର୍କ୍ସ କହିଥିଲେ ଯେ, ଜର୍ମାନ୍ ଦର୍ଶନ ସ୍ୱର୍ଗରୁ ମର୍ତ୍ତ୍ୟଭୁବନକୁ ଓହ୍ଲାଇବାର କଥା କହୁଥିବାବେଳେ ତାଙ୍କର ଦୃଷ୍ଟି ମର୍ତ୍ତ୍ୟରୁହିଁ ସ୍ଵର୍ଗଯାଏ ଆରୋହଣ କରିବାର ନକ୍ସାଟିଏ ବାହାର କରିବାକୁ ଇଚ୍ଛା କରୁଛି । ପରିବର୍ତ୍ତନ ଉପରୁ ତଳକୁ ଆସେ ନା ତଳୁ ଉପରକୁ ଯାଏଁ ? ଯାହାକୁ ଆମେ କାମ୍ୟ, ଆଦର୍ଶ ଏବଂ ଉତ୍ତମ ବୋଲି ଅନୁଭବ କରୁଛୁ, ତାହା ସତକୁସତ ସ୍ୱର୍ଗରେ କିମ୍ବା ସେହିପରି ଆଉ କେଉଁଠାରେ ରହିଥାଏ ଓ ସେହିଠାରୁ ଆମ ପାଖକୁ ଓହ୍ଲାଇ ଆସେ ନା ସେଇଟିକୁ ଏକାବେଳେକେ ଆମ ଏହିଠାରୁ ତଳୁ ପାହାଚ ପାହାଚ କରି ତିଆରି କରିବାକୁ ହୁଏ, ନିଜକୁ ମଧ୍ୟ ପାହାଚ ପାହାଚ କରି ଯୋଗ୍ୟ କରିବାକୁ ହୁଏ ଓ ପାହାଚ ପାହାଚ କରି ବାଟଟିଏ ଉଠିବାକୁ ପଡ଼େ ? ପୃଥିବୀକୁ ଦୁର୍ଦ୍ଦଶା ପଡ଼ିଲେ ସ୍ୱୟଂ ଭଗବାନ ତାଙ୍କ ମୁକାମରୁ ଏହି ପୃଥିବୀ ଉପରକୁ ଓହ୍ଲାଇ ଆସନ୍ତି, ଦୁଷ୍କୃତମାନଙ୍କର ବିନାଶ କରନ୍ତି ଏବଂ ଧର୍ମର ପୁନଃସଂସ୍ଥାପନ କରନ୍ତି ବୋଲି ଭାରତୀୟ ଧର୍ମଶାସ୍ତ୍ରମାନେ ସେହି ଆଦିକାଳରୁ ଭଗବାନଙ୍କ ନାମରେ ଏକ ଅପବାଦ ଯୋଡ଼ି କରି ରଖିଛନ୍ତି । ଭାରତର ଅଧିକାଂଶ ମନୁଷ୍ୟ କାଳକାଳରୁ ସେହି ଅପବାଦଟି ଉପରେ ବିଶ୍ୱାସ ମଧ୍ୟ ରଖି ଆସିଛନ୍ତି । ଧର୍ମବିଶ୍ୱାସର ଆୟତନ ଭିତରୁ ବାହାରି ସେହି ବିଚାରଯୁକ୍ତିର ପରମ୍ପରାଟି କ୍ରମେ ସମାଜଜୀବନ ଭିତରକୁ ମଧ୍ୟ ସଂପ୍ରସାରିତ ହୋଇଯାଇଛି । ତଦ୍ଦ୍ୱାରା ଆମର ଏହି ଭୂମିଟିରେ କାମ୍ୟ ପରିବର୍ତ୍ତନଗୁଡ଼ିକ ପ୍ରକୃତରେ ବିଳମ୍ବିତ ଏବଂ ବିଡ଼ମ୍ବିତ ହୋଇ ରହିଯାଇଛନ୍ତି କି ?

 

ଭଗବାନ ସର୍ବତ୍ର ବ୍ୟାପି ରହିଛନ୍ତି ବୋଲି ଶାସ୍ତ୍ର ସର୍ବଦା କହି ଆସିଥିଲେ ମଧ୍ୟ ଭଗବାନ ଯେ ତାଙ୍କର ବିଭିନ୍ନ ସଂସ୍କରଣରେ ବୈକୁଣ୍ଠ ଅଥବା କୈଳାସରେ ରହି ଆସିଛନ୍ତି, ଭାରତରେ ଯୁଗଗୁଡ଼ାକୁ ନିୟନ୍ତ୍ରଣ କରି ଆସିଥିବା ଏହି ବିଶେଷ କଳ୍ପନାଟିକୁହିଁ ସମ୍ଭବତଃ ମନୁଷ୍ୟମାନଙ୍କୁ ଅଧିକ ପରିମାଣରେ ଜାଲ ଘେରାଇ ବାନ୍ଧି ରଖିଛି । ଭଗବାନ ପ୍ରତ୍ୟେକ ଠାବରେ ଅଛନ୍ତି ଓ ତେଣୁ ସେ ମୋ’ ଭିତରେ ମଧ୍ୟ ରହିଛନ୍ତି, ଅର୍ଥାତ୍ ମୁଁ ଯୋଗ୍ୟ ଓ ଜାଗରୁକ ହୋଇପାରିଲେ ସେ ମୋ’ ଭିତରେ ମଧ୍ୟ କ୍ରିୟାଶୀଳ ହୋଇପାରନ୍ତେ, ମୋତେ ବାଟ ଦେଖାଇ ପାରନ୍ତେ ଓ ଆପଣା ବାଟରେ ସତକୁସତ ଚାଲିବା ନିମନ୍ତେ ମୁଁ ତଦ୍ଦ୍ୱାରା ସାହସୀ ହୋଇପାରନ୍ତି, ଭାରତୀୟ ଧର୍ମବଜାରରେ ଏହି ବିଚାରଟିର କେଜାଣି କାହିଁକି ବିଶେଷ କାଟତି ହୋଇପାରି ନାହିଁ । ଏଠି ଶାସ୍ତ୍ରରେ ଏବଂ ଆପ୍ତ ବଚନମାନଙ୍କରେ ଯାହା ରହିଆସିଥାଉ ପଛକେ, ମଣିଷର ସାମୂହିକ ବ୍ୟବସ୍ଥା ଓ ସମ୍ବନ୍ଧଗୁଡ଼ିକରେ ସର୍ବଦା ବଡ଼ସାନ, ଉଚ୍ଚନୀଚ ଏବଂ ଊଣେଇଶି ବିଶି ରହିଆସିଛି । ଯାବତୀୟ ଜ୍ଞାନକୁ ଉଚ୍ଚ ଓ ଉତ୍ତମମାନଙ୍କର କୁକ୍ଷିଗତ କରି ରଖାଯାଇଛି, କେବଳ ଗୋଟିଏ ବା କେତୋଟି ବର୍ଗଙ୍କର ଭୋଗ ନିମନ୍ତେ ସେଗୁଡ଼ାକୁ କୋରଡ଼ ଭିତରେ ଲୁଚାଇ ଦିଆଯାଇଛି । ସାଧାରଣ ମନୁଷ୍ୟମାନେ ସତେଅବା ଉପରର ଅନୁଗ୍ରହ ଉପରେହିଁ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି, ଅନୁରୂପ ନାନା ଆଚାରଦ୍ଵାରା ସେମାନେ ମଣ ହୋଇଆସିଛନ୍ତି । ଏହିପରି ଉପରକୁ ଉପରକୁ ଅନାଇବାରେ ଅଭ୍ୟସ୍ତ ରହିବାଦ୍ୱାରା ସବୁଠାରୁ ଅଧିକ ଅନୁଗ୍ରହ କରୁଥିବା ସବା ଉପର ଭାଡ଼ିଟାକୁ ସେମାନେ ଭଗବାନ ବୋଲି ବିଶ୍ୱାସ କରି ରଖିଛନ୍ତି । ସେ ଅଦୃଶ୍ୟ, ସେ ଅଗୋଚର ଓ ଅପହଞ୍ଚ, ସେହି କଥାଟିକୁ ଏପରି କପଟପୂର୍ଣ୍ଣ ଭାବରେ ହୁଏତ କୁହାଯାଇଛି ଯେ, ସିଏ ଯେ ନିଜ ଭିତରେ ଅଛନ୍ତି, ସାହସୀ ମଣିଷଟିଏ ତାଙ୍କୁ ଲୋଡ଼ିବାମାତ୍ରକେ ସିଏ ଯେ ବନ୍ଧୁରୂପେ ସାଙ୍ଗରେ ବାଟ ଚାଲିବାକୁ ସଦା ମହଜୁଦ୍‍ ରହିଛନ୍ତି, ମଣିଷମାନେ ସେକଥା ଭାବିବାକୁ ମଧ୍ୟ ଭୁଲି ଯାଇଛନ୍ତି; ଅନୁଭବ କରିପାରିବା ତ ଆହୁରି ଅଧିକ ଦୂରର କଥା । ଅବତାର କେବଳ ଉପରୁ ଆସନ୍ତି ବୋଲି କେତେ ମଉଜିଆ କାହାଣୀମାନ କହି ଆମ ପୁରାଣମାନେ ଆମକୁ ନିଜ ଘରେ କ୍ରମେ ଅକିଞ୍ଚନ କରି ରଖିଛନ୍ତି । ଉପରର ଅନୁଗ୍ରହ ହେଲେ ଯାଇ ଏଠି ହୁଏତ କୌଣସି କବାଟ ଫିଟିବ ଏବଂ ଉଦୟ ସମ୍ଭବ ହେବ ବୋଲି ଲୋକମାନଙ୍କୁ ଫୁସୁଲାଇ ନିଆଯାଇଛି । ଏହିପରି ଦୁର୍ବଳ ହୋଇ ରହିଥିବା ମନୁଷ୍ୟମାନେ ସଂକଳ୍ପ କରିପାରିଲେ ଏଠୁ ତଳୁ ମଧ୍ୟ ସେହି ଉଚ୍ଚତରର ଉଦ୍ଦେଶ୍ୟରେ ପାହାଚ ଚଢ଼ିହେବ ବୋଲି କ୍ରମେ ଭୁଲି ଯାଇଛନ୍ତି । ଯାହାକୁ ସବାଆଗ ନିଜ ଭିତରେ ଜାଗୃତ କରାଇ ତାହାର ନିମିତ୍ତଟିଏ ହେବାର କଥା, ତାହାକୁ ବିଡ଼ମ୍ବନାରେ ପଡ଼ି ସେମାନେ ଦୂରଛଡ଼ା କରି ରଖିଛନ୍ତି, ଖିଅଛଡ଼ା ହୋଇ ରହିଛନ୍ତି ।

 

ନିଜ ଭିତରେ ବିରାଟଙ୍କୁ ଅନୁଭବ କରିବା ଓ ସେହି ଅନୁସାରେ ଆପଣାର ଏହି ମାଟି ଉପରେ ଜୀବନରୁହିଁ ଅନୁରୂପ ମୂଳଦୁଆଟିଏ ପକାଇ ଏଇଠୁ ସେଯାଏ ଉଠି ଉଠି ଯିବା–ଇଏ ହେଉଛି ଗୋଟାଏ ପ୍ରକାରର ପ୍ରେରଣା, ଗୋଟାଏ ପ୍ରକାରର କ୍ରିୟାଶୀଳତା ଏବଂ ପୃଥିବୀ ବାହାରେ ବହୁଦୂରରେ ବିରାଟ ବୋଲି କେହି ଜଣେ ବା କିଛି ଗୋଟାଏ ରହିଛି ଏବଂ ସେଇ ଅନୁଗ୍ରହ ଅଥବା ନିଷ୍ପତ୍ତି କଲେ ଯାଇ ପୃଥିବୀରୁ ଅନ୍ଧାର ଯିବ ଓ ଈପ୍‌ସିତ ଉତ୍ତମଗୁଡ଼ିକ ପ୍ରାପ୍ତ ହେବ, ଏଇଟା ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଆଉ ଗୋଟାଏ କଥା । କୋଉ ଅନନ୍ତ ଅସୁମାରି କାଳରୁ ଭାରତବର୍ଷର ମନକୁ ଓ ମାପକାଠିଗୁଡ଼ାକୁ ଏହି ଦ୍ୱିତୀୟ ଆଚାରଟି ଭାରି ମର୍ମନ୍ତୁଦ ଭାବରେ କାମୁଡ଼ି ଧରିଆସିଛି । ମଧ୍ୟଯୁଗର ପୃଥିବୀରେ ୟୁରୋପରେ ମଧ୍ୟ ସେଇଟି ମନୁଷ୍ୟମାନଙ୍କୁ କମ୍ କାମୁଡ଼ି କରି ରହି ନଥିଲା-। ଭଗବାନ ଇଚ୍ଛା କଲେ ଯାଇ ଦୁଃଖ ଯିବ, ଦୁଷ୍ଟମାନେ ଯିବେ ଓ ସୁଦିନର ଆଗମନ ଘଟିବ-। ଏହିପରି ଏକ ନିର୍ଭରଶୀଳତା ଏବଂ ନିଷ୍କ୍ରିୟତା ଭାରତରେ ମଣିଷମାନଙ୍କୁ ସତେଅବା ଭାରି ସୁହାଉଥିଲା ପରି ଅଧିକାର କରି ରହିଛି ଏବଂ ଅବଶ କରି ରଖିଛି । ନିଜକୁ ଯେ ପ୍ରଥମେ ଆସ୍ଥାନଟିଏ କରି ଗଢ଼ିବାକୁ ହୁଏ ଏବଂ ଆସ୍ଥାନଟିଏ, ନିମିତ୍ତଟିଏ ହୋଇ ପାରିବାକୁ ହେଲେ ଭିତରୁ ଏକ ଅମାପ ଶକ୍ତିକୁ ଅନୁଭବ କରିବାକୁ ହୁଏ, ଭାରତବର୍ଷର ସାଂସ୍କୃତିକ ଚାଟଶାଳିରେ ସେହି ପାଠଟି ସତେଅବା କେବେହେଲେ ପଢ଼ା ହୋଇନାହିଁ । ଏଠି ଗୁରୁମାନଙ୍କୁ ସାକ୍ଷାତ ଦେବତା ବୋଲି କୁହାଯାଇଛି, ଗୁରୁକୃପାକୁ ସବୁଠାରୁ ଅଧିକ ପରିମାଣର ମୂଲ୍ୟସାମର୍ଥ୍ୟ ରହିଥିବା ମୁଦ୍ରା ବୋଲି ବର୍ଣ୍ଣନା କରାଯାଇଛି । ଅସଲ ପଥପ୍ରଦର୍ଶକଟି ଓ ଅସଲ ସହାୟକଟି ଯେ ବିଶ୍ୱାସରୂପେ, ସମ୍ଭାବନାରୂପେ ପ୍ରତ୍ୟେକ ମନୁଷ୍ୟର ନିଜ ଭିତରେ ସ୍ଥାପିତ ହୋଇ ରହିଛି, ସେକଥା ଭାରତବର୍ଷରେ ପ୍ରାୟ କେବେହେଲେ କୁହାଯାଇନାହିଁ କାହିଁକି କେଜାଣି ? ଏବେ ମଧ୍ୟ ଚତୁରମାନେ ଅତି ଚମତ୍କାର ଭାବରେ ସେହି ଫାଶଟିକୁ ପ୍ରାୟ ଯାବତୀୟ କ୍ଷେତ୍ରରେ ବ୍ୟବହାର କରୁଛନ୍ତି ଏବଂ ମଣିଷମାନଙ୍କୁ ଉଦ୍ୟମହୀନ କରି ରଖିଛନ୍ତି ।

 

ଏବେ ମଧ୍ୟ ଭାରତବର୍ଷର ସମାଜ ଏହିପରି ଏକ ରୀତି ଭିତରେ ଛନ୍ଦିହୋଇ ରହିଥିବାରୁ ଏଠି ଯାବତୀୟ ନେତୃତ୍ୱ ଆଦୌ ତଳୁ ତିଆରି ହେଉନାହିଁ, ସବୁକିଛି ସତେଅବା ଏକ ବିଧାତାର ନିୟମ ପରି ସେହି ଉପରୁହିଁ ଆସୁଛି । ପରିବାରରେ ସବା ଉପରେ ବାପା ଅଛନ୍ତି, ଗାଁରେ ସବା ଉପରେ ଉଚ୍ଚ ଉଚ୍ଚ ଦେଖାଯାଉଥିବା ମାମଲତ୍‍କାରମାନେ ରହିଛନ୍ତି, ରାଜନୀତିରେ ସବା ଉପରେ ଯୋଗଜନ୍ମା ସମ୍ରାଟମାନେ ଅଛନ୍ତି, ଶାସନରେ ସବା ଉପରେ ସାହେବ ଏବଂ ହାକିମମାନେ ରହିଛନ୍ତି । ଦେଶରେ ଯାହାକିଛି ଘଟୁଛି, ସବୁକିଛି ସେହିମାନଙ୍କର ଅନୁଗ୍ରହରୁହିଁ ଘଟୁଛି । ଛାତ୍ରମାନଙ୍କୁ ଅଣଛାତ୍ରମାନେ ବୁଦ୍ଧି ଦେଉଛନ୍ତି, ଶିକ୍ଷକମାନଙ୍କୁ ତୁଚ୍ଛା ଅଣଶିକ୍ଷକମାନେ ଅଡ଼ାଉଛନ୍ତି, ସଂସାରୀମାନଙ୍କୁ ସଂସାରକୁ ତୁଚ୍ଛ ଓ ନଶ୍ଵର ମଣି ବର୍ଜନ କରିଥିବା ଅଣସଂସାରୀ ବାବାଜି ଓ ବୈରାଗୀମାନେ ଆଖି ଯୋଗାଇ ଦେଉଛନ୍ତି । ଏପରି କି ଆହୁରି ଟିକିନିଖି ଓ ତଳଯାଏ ଆସିଲେ, ମେହେନ୍ତରମାନଙ୍କୁ ଅଣମେହେନ୍ତରମାନେ ନେତୃତ୍ୱ ପ୍ରଦାନ କରୁଛନ୍ତି ଓ ମତ୍ସ୍ୟଜୀବୀମାନଙ୍କୁ ନିର୍ଧୁମ୍ ଅଣମତ୍ସ୍ୟଜୀବୀମାନେ ସଙ୍କଟଗୁଡ଼ିକରୁ ରକ୍ଷା କରିବା ଲାଗି ଆପଣାକୁ ଆତ୍ମନିୟୋଜିତ କରି ରଖିଛନ୍ତି । ସମ୍ଭବତଃ ସେହି କାରଣରୁ ଭାରତବର୍ଷ ଏପରି ଏକ ବିଚିତ୍ର ଦେଶ ହୋଇ ରହିଛି, ଯେଉଁଠାର କି ଦୃଢ଼ ହୋଇ ମୂଳଦୁଆଟିଏ ଆଦୌ ପଡ଼ିପାରୁନାହିଁ । ଆମ ହାତପାଆନ୍ତାରୁ ସତେଅବା ଆଦୌ କିଛି ତିଆରି ହେଉନାହିଁ । ଆମ ନିଜ ବିବେକରୁ ଦିଗ୍‍ବଳୟଗୁଡ଼ିକ ଉପରେ ସତେଅବା କେବେହେଲେ କୌଣସି ସୂର୍ଯ୍ୟର ଉଦୟ ସମ୍ଭବ ହେଉନାହିଁ । ପୁରାଣର ସେହି ପୁରୁଣା ଗପ ପରି ସୂର୍ଯ୍ୟ ସିଆଡ଼କୁ ସେହି ଉପରୁ ସାତ ସାତଟା ଘୋଡ଼ା ଉପରେ ଆମର ଏଠାକୁ ଆସୁଛନ୍ତି ଓ ତାହାରି ଫଳରେ ଯାଇ ଆମ ଉପରେ ଆଦୌ କିଞ୍ଚିତ୍ ଆଲୋକର ପ୍ରତିଫଳନ ସମ୍ଭବ ହେଉଛି । ଆମ ଲାଗି ଏକାବେଳେକେ ଅଣଅକ୍ତିଆର ହୋଇ ରହିଥିବା ଭାଗ୍ୟ ନାମକ ଏକ ସୂର୍ଯ୍ୟ ଆମକୁ ତା’ ମନହେଲେ କେତେବେଳେ ଆଲୁଅଟିଏ ପଡ଼ିଲା ବୋଲି ଏକ ପ୍ରତୀତି ଆଣି ଦେଉଛି, ପୁଣି କେତେବେଳେ ଆମକୁ ଗୋଟାସୁଦ୍ଧା ତା’ ଧାସରେ ପୋଡ଼ି ପକାଉଛି । ଏବଂ, ଏହିପରି ଭାବରେ ଆମକୁ ନିରନ୍ତର ଅସମର୍ଥ କରି ରଖିଛି ।

 

ଯାହା ଗଢ଼ାହେବ, ତାହା ଏଇଠୁ ଆମ ହାତପାଆନ୍ତାରେ ଗଢ଼ାହେବ । ସ୍ଵର୍ଗ ନିମନ୍ତେ ଆମର ଯାବତୀୟ ସିଡ଼ିକୁ ଏଇ ମାଟି ଉପରେହିଁ ଛିଡ଼ା ହୋଇ ଶିଖିବାକୁ ପଡ଼ିବ । ଆନନ୍ଦର ସକଳ ପରିକଳ୍ପନା ଅନ୍ନରୁହିଁ ଆରମ୍ଭ ହେବ । ତାହା କଦାପି କେଉଁ ଦୈବକୃପାର ଫଳରୂପେ ସ୍ଵର୍ଗରୁ ଆମ ଉପରେ ଆସି ଅଜାଡ଼ି ହୋଇପଡ଼ିବ ନାହିଁ । ତେଣୁ ଆମ ଜୀବନରେ ଭୂଇଁ ବୋଲି ଯେତିକି ଓ ଯାହାକିଛି ରହିଛି, ତାହାକୁ ମୂଳଦୁଆଟିଏ କରି ଆମେ ଆମର ଯାବତୀୟ ସ୍ଵପ୍ନକୁ ଏବଂ ସଂକଳ୍ପଗୁଡ଼ିକୁ ସଜାଡ଼ିବା । ଏବେ ତ ଠିକ୍ ତାହାର ବିପରୀତଟାହିଁ ଘଟୁଛି ଓ ସତେଅବା ଷଡ଼ଯନ୍ତ୍ର କଲାପରି ଆମକୁ କ୍ଲୀବ କରି ରଖିଛି । ଆମ ସାହିତ୍ୟ ଆମକୁ ଭୂଇଁର କଥା କହୁନାହିଁ । ଆମକୁ କ୍ଷଣେ ଦଣ୍ଡେ ଏକ ବିସ୍ମରଣ କିମ୍ବା ପଳାୟନର ତଥାକଥିତ ମୁଗ୍ଧତା ଆଣି ଦେବାଲାଗି ତାହା ଆମକୁ କେତେ କୁଆଡ଼େ ମୋହକରି ଉଡ଼ାଇ ନେଉଛି ଓ ତା’ପରେ ମୋହ କଟିଯିବା ପରେ ପୁନର୍ବାର ସେହି ଅସନା ମାଟିଟା ଉପରେ ଆଣି କଚାଡ଼ି ଦେଉଛି । ଆମକୁ କେତେବେଳେ ଅତୀତ ଭିତରେ ମଜେଇ ରଖିଛି ତ ପୁଣି କେତେବେଳେ ଭବିଷ୍ୟତ ଭିତରକୁ ଏକ ସ୍ଵପ୍ନପ୍ରୟାଶ ମଧ୍ୟରେ ଅତିରିକ୍ତ ଭାବରେ ଭାବପ୍ରବଣ କରି ରଖିଛି । ବର୍ତ୍ତମାନ ଉପରେ ପାଦଟିଏ ରଖି ଏଇଠୁ ସତକୁସତ କିଛି ସଂକଳ୍ପ କରିପାରିବା ଲାଗି ସେହି ସାହିତ୍ୟ ଭିତରେ ସତେଅବା ଆଦୌ କୌଣସି ବଳ ନାହିଁ ।

 

ଆମର ଜାତୀୟତାବାଦ ଆମକୁ ଆଳସ୍ୟଲାଳସୀ ଓ ଅକର୍ମଣ୍ୟ କରି ରଖିବାରେ ମଧ୍ୟ ଆଦୌ କମ୍ ସହାୟତା କରୁନାହିଁ । ଅତୀତର ଗୌରବ ଗାଇ ଗାଇ ତାହା ଗୋଟାସୁଦ୍ଧା ଏପରି ଦେବାଳିଆ ହୋଇଗଲାଣି ଯେ, ବର୍ତ୍ତମାନଟା ବିଷୟରେ କୌଣସି ପ୍ରକାରେ ସଚେତନହେବା ନିମନ୍ତେ ତା’ ଭିତରେ ସତେ ଯେପରି ଆଦୌ କୌଣସି ବଳ ନାହିଁ । ଭାରତରେ ସବୁ ଥିଲା, ଭାରତବର୍ଷ ପୃଥିବୀର ମଥାମଣି ହୋଇ ରହିଥିଲା, ଏଗୁଡ଼ାକୁ ସତେଅବା ନିଶା ଔଷଧ ପରି ଆମକୁ ଏପରି ପିଆଇ ଦିଆଯାଉଛି ଯେ, ଆମେ ସତକୁସତ ଏକ ବର୍ତ୍ତମାନ ଭିତରେ ରହିଛୁ ବୋଲି ଆମ ବିବେକ ଭିତରେ ହୁଏତ ଆଉ ଆଦୌ କୌଣସି ସଜ୍ଞାନତା ରହୁନାହିଁ । ଏସବୁ ଅବକ୍ଷୟରହିଁ ସଂକେତ । ଯେତେବେଳେ ସମାଜର ଥୋକେ ଲୋକ ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ପ୍ରାୟ ସବୁକିଛିକୁ ପ୍ରାୟ ଗୋଟାସୁଦ୍ଧା ମାଡ଼ି ବସିଥାନ୍ତି, ସେତିକିବେଳେ ଏପରି ହୁଏ । ଚତୁର ଶାସ୍ତ୍ରକାରମାନେ ମଣିଷମାନଙ୍କୁ ଭୁତାଇ ରଖିବାକୁ ଅନୁରୂପ ଶାସ୍ତ୍ର ଲେଖୁଥାନ୍ତି । ସାହିତ୍ୟ ମଧ୍ୟ ଅଧିକରୁ ଅଧିକ ମଣିଷଙ୍କୁ ଗଦ ଶୁଙ୍ଘାଇ ଭୋଳ କରି ରଖିବାରେ ସହାୟକ ହୁଏ । ଯାବତୀୟ ଜାତୀୟତା ରାଜଧାନୀର ଏକ ଉତ୍ସବରେ ପରିଣତ ହୋଇଥାଏ । ସ୍ଵୟଂ ଠାକୁର ମଧ୍ୟ ଜାତିର ସମ୍ପତ୍ତି ହୋଇ ରହନ୍ତି, ବଶହୋଇ ରହନ୍ତି । ଭିତରର ଠାକୁରଟି ଥରେ ସଚେତ ହୋଇଉଠିଲେ ମଣିଷ ଯେ ମୋହ ତ୍ୟାଗକରି ସବାଆଗ ବର୍ତ୍ତମାନଟାକୁ ଦେଖେ, ବର୍ତ୍ତମାନ ଲାଗି ତା’ର ଏକ ଦାୟିତ୍ୱ ରହିଛି ବୋଲି ସଚେତ ହୁଏ ଓ ବର୍ତ୍ତମାନକୁ ବଦଳାଏ, ସେହି କଥାଟି ଆଦୌ କେଉଁଠି ହେଲେ ଶୁଣାଯାଏ ନାହିଁ ।

 

ସ୍ୱର୍ଗ ପ୍ରକୃତରେ ଆଉ କେଉଁଠି ହେଲେ ନାହିଁ । ଏଇ ପୃଥିବୀ ଉପରେହିଁ ସ୍ଵର୍ଗର ପ୍ରତିଷ୍ଠା ହେବ । ଭବିଷ୍ୟ ବୋଲି ଅଲଗା ଗୋଟାଏ ଦ୍ରବ୍ୟ ଆଉ କୋଉଠି ହେଲେ ନାହିଁ । ଭବିଷ୍ୟତ ବର୍ତ୍ତମାନର ଗର୍ଭ ଭିତରେହିଁ ରହିଛି । ବର୍ତ୍ତମାନ ସଚେତନ ମନୁଷ୍ୟମାନେହିଁ ଇଚ୍ଛା କଲେ, ସଚେତନ ହେଲେ ଏବଂ ସଂକଳ୍ପଯୁକ୍ତ ହୋଇପାରିଲେ ଭବିଷ୍ୟତ ନିମନ୍ତେ ଏକ ଜନନୀର ଭୂମିକା ଗ୍ରହଣ କରିପାରିବ । ଆମ ଅତୀତ ଆମକୁ ଭାବପ୍ରବଣ କରି ବସାଇ ରଖିବ ନାହିଁ । ଅତୀତ ଆମଲାଗି ପ୍ରେରଣାର ଗୋଟିଏ ଗୋଟିଏ ଅଗ୍ନିକଣାରୂପେ କାର୍ଯ୍ୟ କରିବ; ଯାହା ଆମକୁ ବର୍ତ୍ତମାନର ଭୂମି ଉପରେ ସାହସର ସହିତ ଛିଡ଼ା କରାଇପାରିବ ଓ ଭବିଷ୍ୟପାଇଁ ଉଦ୍‍ବୁଦ୍ଧ କରିବ । ଅସଲ ଭଗବାନ କଦାପି ଭୁଲାଇ ରଖନ୍ତି ନାହିଁ, ନିର୍ଭରଶୀଳ କରାନ୍ତି ନାହିଁ–ସିଏ ଆମ ଭିତରେ ଏକ ଅନ୍ୟ ଅସନ୍ତୋଷର କାରଣ ହୁଅନ୍ତି, ଆମକୁ ଏହିଠାରୁହିଁ ତାଙ୍କଯାଏ ପାହାଚ ତିଆରି କରି ସତତ ଅଗ୍ରସର ହେବାର ପ୍ରେରଣା ଦିଅନ୍ତି; ଆମର ନିଦ ଭାଙ୍ଗି ଦିଅନ୍ତି, ଆମକୁ ଜୀବନର ଆହ୍ୱାନ–କ୍ଷେତ୍ରଗୁଡ଼ିକରେ ଅବତୀର୍ଣ୍ଣ କରାଇ ଆଣନ୍ତି । ଭଗବାନ ଆମରି ସଚେତନ ବାହୁରୁ ବଳ ପାଆନ୍ତି, ଆମରି ଇଚ୍ଛାଟିକୁ ନିମିତ୍ତ କରି ତାଙ୍କ ଇଚ୍ଛାଟିର ପୂରଣ କରାନ୍ତି । ମଣିଷକୁ ନିମିତ୍ତ କରିହିଁ ଭଗବାନ ପୃଥିବୀକୁ ଅବତରଣ କରି ଆସିବାକୁ, ପୃଥିବୀରେ ବାଟ ଚାଲିବାକୁ ଏବଂ ପୃଥିବୀପାଇଁ ପ୍ରତ୍ୟକ୍ଷ ହେବାକୁ ସମର୍ଥ ହୁଅନ୍ତି । ନିଜର ଠାକୁରମାନଙ୍କୁ ଆଳକରି ମଣିଷ କେତେଦିନ ତା’ର ଆହ୍ୱାନଗୁଡ଼ିକ ପାଖରୁ, ତା’ ବର୍ତ୍ତମାନର ବିବେକଗୁଡ଼ିକ ପାଖରୁ ପଳାଇବାରେ ଲାଗିଥିବ ? କେତେଦିନ ଯାଏଁ ସେ ସ୍ଵର୍ଗର ସେହି ମିଛ କୃପା ଉପରେ ନିର୍ଭରଶୀଳ ହୋଇ ରହିଥିବ ? ତା’ ଜାତୀୟତା କାହିଁକି ତାକୁ ଅତୀତର ଅତିରଞ୍ଜନଗୁଡ଼ାକ ପାଖରେ ମାଇଚିଆ କରି ବାନ୍ଧି ରଖିଥିବ ? ଆପଣାର ଭାଗ୍ୟକୁ ସେ କାହିଁକି ତା’ ଆଖିକୁ ଭଗବାନ ସଦୃଶ ଦେଖାଯାଉଥିବା ମାମଲତ୍‍କାରମାନଙ୍କ ହାତରେ ଛାଡ଼ି ଦେଇଥିବ ?

 

ତେଣୁ ବର୍ତ୍ତମାନଟିକୁହିଁ କାମ୍ୟ ଭାବରେ ଗଢ଼ିପାରିଲେ ମଣିଷ ତା’ର କାମ୍ୟ ଭବିଷ୍ୟତଟିକୁ ମଧ୍ୟ ଏଇଠି ଅବଶ୍ୟ ପାଇବ । ପ୍ରଥମ, ସର୍ବପ୍ରଥମ ପାହାଚଗୁଡ଼ିକର ଅବହେଳା କରି ଯେତେଦିନ ଯାଏଁ ସିଏ ସପ୍ତମ ଅଥବା ସପ୍ତତିତମ ପାହାଚ ଅଥବା ପ୍ରୟାଣଗୁଡ଼ିକର ସ୍ଵପ୍ନ ଦେଖୁଥିବ, ଏପାଖରୁ ସେତୁଟିଏ ବାନ୍ଧିବାର ପୁରୁଷାର୍ଥକୁ ଛାଡ଼ି ସେ ଯେତେବେଳ ଯାଏଁ ନଦୀର ଆରପାରି ଅଥବା ଆର ଦୃଶ୍ୟଟିର ଭାଳେଣି ଭିତରେ ପଶିଥିବ, ସେତେବେଳେ ଯାଏଁ ତାର ସଙ୍ଗୀଟି ତା’ର ଅତି ନିକଟବର୍ତ୍ତୀ ହୋଇ ଅନୁକ୍ଷଣ ରହିଥିଲେ ମଧ୍ୟ ସେ ନିଃସଙ୍ଗ ହୋଇ ରହିଥିବ । ଏହି ନିଃସଙ୍ଗତା ଅଧିକରୁ ଅଧିକ ହାସ୍ୟାସ୍ପଦ ଭାବରେ ତା’ର ଚାଲାକିଟାକୁହିଁ ପଦାରେ ପକାଇ ଦେଉଥିବ । ତା’ର ରୋଦନ ମୁଖ୍ୟତଃ ଏକ ଆଳଙ୍କାରିକ ରୋଦନରେ ପରିଣତ ହୋଇ ରହିବ । ତେଣୁ ଆଗ ଚାରିପାଖଟାକୁ ବଦଳାଇବାକୁ ପଡ଼ିବ । ଆଗ ସମ୍ବନ୍ଧଗୁଡ଼ିକରେ ଏକ ଯଥୋଚିତ ମନୁଷ୍ୟସ୍ତରକୁ ଆସିବାକୁ ହେବ, ଏଇଠି ଏହି ବର୍ତ୍ତମାନର ଆବେଷ୍ଟନଟି ମଧ୍ୟରେ ଏପରି ଏକ ପାରସ୍ପରିକତା ସମ୍ଭବ କରିବାକୁ ହେବ, ଯାହାକି ଆହୁରି ଆଗକୁ ଆମଲାଗି ଅପେକ୍ଷା କରି ରହିଥିବା ପରବର୍ତ୍ତୀ ଆମ୍ଭୀୟତା ତଥା ଅଙ୍ଗୀକାରବଦ୍ଧତାଗୁଡ଼ିକ ଆଡ଼କୁ ଆମକୁ ବାଟ ଦେଖାଇ ନେଇଯିବ । ଯାହାକିଛି ହେଉ ବୋଲି ଆମେ ପ୍ରକୃତରେ ଆଶା ବାନ୍ଧିଛୁ, ସ୍ଵପ୍ନ ଦେଖୁଛୁ ଏବଂ ଅପେକ୍ଷା କରି ରହିଛୁ, ସେଥିପାଇଁ ଆମର ଏହି ବର୍ତ୍ତମାନର ଭୂମିଟିରୁହିଁ ସଜ ହେବାକୁ ପଡ଼ିବ । ଯାବତୀୟ ଭବିଷ୍ୟତ ନିମନ୍ତେ ବର୍ତ୍ତମାନହିଁ ଏକ ଉଚିତ Infrastructure ଯୋଗାଇ ଦେଇପାରିବ । ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ ଆମର ବର୍ତ୍ତମାନଟାହିଁ ଆମ ଈପ୍ସିତ ଭବିଷ୍ୟତ ନିମନ୍ତେ ହାତଗୋଡ଼ ହୋଇ କାର୍ଯ୍ୟ କରିପାରିବ । କାଲମାର୍କ୍ସ ଦେଢ଼ଶହ ବର୍ଷ ତଳେ ଯାହା କହିଥିଲେ, ଆମ ଏବର ଭାରତବର୍ଷରେ ଏପରିକି ଏବର ପୃଥିବୀରେ ମଧ୍ୟ ତାହାର ଏକ ପ୍ରାସଙ୍ଗିକତା ଅବଶ୍ୟ ରହିଛି । ମନୀଷୀ ମାର୍କ୍ସ କେବଳ ତଥାକଥିତ ମାର୍କ୍ସବାଦୀମାନଙ୍କର ଲାଖରାଜୀ ସମ୍ପତ୍ତି ଆଦୌ ନୁହନ୍ତି । ଭବିଷ୍ୟତ ନିମନ୍ତେ ଏକ ଉଜ୍ଜ୍ୱଳ ସ୍ଵପ୍ନ ଦେଖୁଥିବା ଓ ବର୍ତ୍ତମାନକୁ ସେହି ଅନୁସାରେ ସଚଳ କରିବାକୁ ଇଚ୍ଛା କରୁଥିବା ଯେକୌଣସି ମନୁଷ୍ୟ ଲାଗି, ସମୂହ ଲାଗି ଓ ଦେଶ ଲାଗି ମଧ୍ୟ ତାଙ୍କର ସେହି କଥାଟି ପ୍ରେରଣା ଯୋଗାଇଦେବ, ବଳ ଭରିଦେବ, ଏକ ଯଥାର୍ଥ ଗତିଶୀଳତା ପ୍ରଦାନ କରିବ ।

Image

 

ପ୍ରେମଗଳ୍ପ ବିଶେଷାଙ୍କ

 

କୌଣସି ଭାଷାରେ ହୋଇଥାଉ ପଛକେ, ସେଥିରେ ସାହିତ୍ୟ ବୋଲି ଯାହାକିଛି ଲେଖାଯାଉଛି, ତାହାର ସବାମୂଳ ପ୍ରେରଣା ପ୍ରେମ ନୁହେଁ ତ ଆଉ କ’ଣ ହୋଇପାରେ ? ପୃଥିବୀର ଯେକୌଣସି ଲେଖକକୁ ପଚାର, ସିଏ ତୁମକୁ କେବଳ ସେହି ଉତ୍ତରଟିହିଁ ଦେବ । ପ୍ରେମ ଏକ ସମଗ୍ର ଆବେଦନ, ଯାହା ଭିତରେ ଆକର୍ଷଣ ରହିଥାଏ, ଆପଣାକୁ ସମର୍ପିତ କରି ଦେବାପାଇଁ ନିରନ୍ତର ଏକ ବ୍ୟାକୁଳତା ରହିଥାଏ, କାହାର ହୋଇଯିବାରେ ଏକ ସ୍ଵେଚ୍ଛାପ୍ରବୃତ୍ତ ଖୁସି ରହିଥାଏ । ଜୀବନକୁ ଭଲ ପାଉଥିବା ମଣିଷହିଁ ସାହିତ୍ୟରାଜ୍ୟକୁ ମନ ବଳାଏ । ଭଲ ପାଇବାର ଅଭାବବୋଧ, ତାହାହିଁ ତଥାକଥିତ ଘୃଣା । ପୃଥିବୀଟିଏ, ପରିମଳଟିଏ ଅଥବା ମଣିଷଟିଏ ଯେଉଁପରି ହୋଇଯାଉ ବୋଲି ମୁଁ ସ୍ୱପ୍ନ ଦେଖୁଛି ଓ ଆଶା ବାନ୍ଧିଛି, ପ୍ରଧାନତଃ ତାହାରି ଏକ ତୀର୍ଯ୍ୟକ ନ୍ୟାୟରେ ନିଜ ସମ୍ମୁଖରେ ରହିଥିବା ପୃଥିବୀ ପ୍ରତି, ପରିମଳ ପ୍ରତି ଏବଂ ବ୍ୟକ୍ତିମାନଙ୍କ ପ୍ରତି ତା’ ଭିତରେ ଏକ ଘୃଣା ଆସୁଛି, କାରଣ ସେଗୁଡ଼ିକ ଭିତରେ ସେ ତାହାର ଏକ ଅନୁକୂଳତା ଆଦୌ ଦେଖିପାରୁନାହିଁ । ସିଏ ସେଗୁଡ଼ିକୁ ବଦଳାଇ ଦେବାକୁ ଇଚ୍ଛା କରୁଛି । କ’ଣ କିଛି ଗଢ଼ାହେଉ ବୋଲି ମନସ୍ଥ କରି ସେ ଯାହାସବୁ ରହିଛି, ତାହାକୁ ଭାଙ୍ଗି ଦେବାକୁ ଇଚ୍ଛା କରୁଛି । କୌଣସି ଏକ ବୃହତ୍ତର ବିସ୍ତାରକୁ ଭଲ ପାଉଛି ବୋଲି ସେ ସଂକୀର୍ଣ୍ଣ ଓ କ୍ଷୁଦ୍ର ଖାତଗୁଡ଼ିକୁ ସହି ପାରୁନାହିଁ ଏବଂ ସେହି ନସହି ପାରିବାଟାହିଁ ତା’ କଲମରେ କ୍ରୋଧରୂପେ, ଘୃଣାରୂପେ ପ୍ରକାଶ ପାଉଛି ।

 

ସାହିତ୍ୟରେ ଏମିତି କୋଉ ଗଳ୍ପ ଅଛି ଯାହାର ଗର୍ଭରେ ପ୍ରେମ ନାହିଁ ? ପୃଥିବୀଯାକର ଏମିତି କେଉଁ ଗଳ୍ପଲେଖକ ରହିଛି, ଯାହାର ଆଖିରେ ଆକାଶଟିଏ ନାହିଁ, ସିଏ ଲୋଡ଼ୁଥିବା ସତେଅବା କେଉଁ ଅଧରପାଇଁ କମ୍ପନଟିଏ ନାହିଁ ? ଭାରତବର୍ଷର ସାହିତ୍ୟରେ, ଯେଉଁ ଆତ୍ମଉତ୍ପୀଡ଼ିତ ଲେଖକକୁଳ ପୃଥିବୀ ତମାମ ଏତେ ସଙ୍ଗ ମହଜୁଦ୍‍ ରହିଥିବା ସତ୍ତ୍ୱେ ତଥାପି ନିଃସଙ୍ଗତାକୁ ଦୁତିଅ ହୋଇଥିବା ପରି ତାହାରି କାନି ଭିତରେ ବନ୍ଧା ହୋଇ ସାହିତ୍ୟ କରୁଛନ୍ତି, ଯେଉଁମାନେ ଭଲ ପାଇ ପାରୁନାହାନ୍ତି ବୋଲି ଓ ତେଣୁ ନିଜ ଭିତରେ ନିଜ ଅବଦମିତ ଦୋସରଠାରୁ ନିରନ୍ତର ମାଡ଼ ଖାଇବାରେ ଲାଗିଛନ୍ତି ବୋଲି ଚିତ୍ରନଦୀର କେବଳ ଆରପାରିଟିକୁ ଅନାଇ ଏପାରିଟାରେ କଲବଲ ହେଉଛନ୍ତି, ସେହିମାନେହିଁ ହୁଏତ ପୃଥିବୀରୁ ଭଲ ପାଇବା ଚାଲିଗଲା ବୋଲି ହୁରି ପକାଇଛନ୍ତି । ସେମାନେ, ସେମାନେ କହୁଥିବା ଭାଷାରେ, ଆପଣାର ପରିଚୟ ଖୋଜି ବୁଲୁଛନ୍ତି, ନିଜ କଥାଟିକୁ କହିପାରିବେ ବୋଲି ଶବ୍ଦମାନଙ୍କୁ ଖୋଜି ବୁଲୁଛନ୍ତି ଓ ସତେଅବା ମୁଷ୍ମଛେଦନ କରି ବସିଛନ୍ତି ।

 

କୌଣସି ଏକ ଗଳ୍ପପତ୍ରିକାରେ ଏବେ ପ୍ରେମଗଳ୍ପର ଏକ ବିଶେଷ ଅଙ୍କ ବାହାରିବ ବୋଲି ନାଗରା ଦିଆଯାଉଛି । ଏଥିରେ ଯେଉଁସବୁ ଗଳ୍ପ ରହିବ, ତାହା କେବଳ ପ୍ରେମର ଗଳ୍ପ ହେବ, ଆଉ ଏଣୁତେଣୁ କିଛି ରହିବନାହିଁ । କେଡ଼େ ପରିପାଟୀରେ ଏହାର ଏକ ପରିଚୟ ମଧ୍ୟ ଦିଆଯାଇଛି । ସେଥିରେ କୁଆଡ଼େ ଫୁଲ, ଫଗୁଣ, ବର୍ଷା ଓ ବସନ୍ତ ଭଳି ଅନେକ ମଧୁମୟ ଶବ୍ଦ ଖଞ୍ଜା ହୋଇଛି । ଏଭଳି ଖାସା ଖାସା ସ୍ପନ୍ଦନକାରୀ ଶବ୍ଦ ଯାହା ଏହି ମାଟିର ପୃଥିବୀକୁ ସ୍ୱପ୍ନିଳ କରିଦେବ, ହୃଦୟକୁ ହୃଦୟ ସହିତ ନେଇ ଯୋଡ଼ିଦେବ–ଏହି ସବୁକିଛିର ଏକ ନିଛକ ପ୍ରତିଛବି ପାଠକମାନେ ଏହି ସୁକଳ୍ପିତ ବିଶେଷ ଅଙ୍କଟିଠାରୁ ଅବଶ୍ୟ ପାଇବେ । ଶବ୍ଦଗୁଡ଼ାକୁ ସ୍ପନ୍ଦନକାରୀ କରି କହିବାର ଆଳରେ ସେଗୁଡ଼ିକୁ ସତେଅବା କୋପନକାରୀ କରିପାରିବା ନିମନ୍ତେ ଅନୁରୂପ ପ୍ରୟାସଟିଏ କରାହୋଇଛି । ଓଡ଼ିଆ ଭାଷାରେ ସତେଅବା 'ଲଳିତ ଲବଙ୍ଗଲତା’ର ଧାଡ଼ିଗୁଡ଼ିକୁ ଏକାବେଳେକେ ସିଧା ଅବତରାଇ ଅଣାଯାଇଛି । ଆପଣ ଶୁଣିବେ ତ ଆପଣଙ୍କର ମନକୁ ପାଇପାରୁଥିବା ଏକ ଶୃଙ୍ଗାରିକତାରେ ଗୋଟାସୁଦ୍ଧା ବିଗଳିତ ହୋଇଯିବେ; ଏହି ବିଶେଷାଙ୍କଟିରେ ପ୍ରତ୍ୟେକଟି ପ୍ରେମକଥା ଆକାଶର ନୀଳିମା ପରି ପରିବ୍ୟାପ୍ତ ହୋଇ ରହିଛି । ବିନ୍ଧାଣି ବନ୍ଧୁ ଅବଶ୍ୟ ଜଣେ ଶୃଙ୍ଗାରୀ ହୋଇଥିବେ । ଶବ୍ଦଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥରେ ରମଣ ଅଥବା ରମଣୀ ଜଣେ ହୋଇଥିବେ । ଆମେ ତାଙ୍କ ପ୍ରତି କୃତଜ୍ଞ ରହିବା ।

 

ଅନ୍ୟ ଯାବତୀୟ ମୈଥୁନ ପରି ଶବ୍ଦର ମୈଥୁନ ଯେ ସମାନ ଭାବରେ ଶକ୍ତିଶାଳୀ, ଆମ ରୀତିକାବ୍ୟର କାରିଗରମାନେ ସେ କଥାଟିକୁ ପ୍ରମାଣ କରିଯାଇଛନ୍ତି । ସେମାନେ ରୀତିଦ୍ୱାରାହିଁ ଯାବତୀୟ ପ୍ରୀତିର ବେକକୁ ମୋଡ଼ି ଆମ ଲାଗି ସୁଚୋଷ୍ୟ ଓ ସୁଭୋଗ୍ୟ କରି ବାଢ଼ି ଦେଇଛନ୍ତି । ସେମାନେ ପାଠକମାନଙ୍କୁ ଫୁସୁଲାଇ ଫୁସୁଲାଇ ଜଣେ ଜଣେ ରସିକର ଭୂମିକାକୁ ଓହ୍ଲାଇ ନେଇ ଆସିଛନ୍ତି, ଆମ ଲାଗି ସମ୍ରାଟସ୍ତରୀୟ ହୋଇ ରହିଛନ୍ତି । ସେମାନେ ଆମମାନଙ୍କର ସହଜ ପ୍ରୀତ୍ୟର୍ଥେ ଜୀବନଟାକୁ ଦୁଇଭାଗ ଓ ବହୁ ଭାଗରେ ଫାଡ଼ି ଦେଇଛନ୍ତି । ଆମ ଅଧ୍ୟାତ୍ମକୁ ପ୍ରାୟ ଏକପ୍ରକାର ଅଧ୍ୟାସରେ ପରିଣତ କରି ସଂସାରତ୍ୟାଗୀ ବୈରାଗୀମାନେ ସଂସାରକୁ ଯେପରି ପରମେଶ୍ଵରଙ୍କଠାରୁ ଫାଡ଼ି, ଅଲଗା କରି ଦେଖୁଥିଲେ, ଇଏ ପ୍ରାୟ ସେହିପରି ଏକ କାରିଗରୀର କଥା । ରୀତିବାଦୀମାନଙ୍କର କଳ୍ପନାଭିଧାନ ଅନୁସାରେ ସାହିତ୍ୟ ଏକ ବିଶେଷ ପ୍ରହରର ବସ୍ତୁ । ଭୋଗର ବସ୍ତୁ, ଉନ୍ମୋଚନ, ଉତ୍ତୋଳନ ଅଥବା ଉତ୍‌କ୍ରମଣର ଆଦୌ କୌଣସି ଦ୍ରବ୍ୟ ନୁହେଁ କହିବା ବାହୁଲ୍ୟ, ସେମାନେ ପ୍ରେମକୁ ମଧ୍ୟ ରମଣର, ଆତ୍ମଆପ୍ୟାୟନର ଏକ ବିଶେଷ ସ୍ତରକୁ ଓହ୍ଲାଇ ଆଣିଥିଲେ । ସେତେବେଳେ ସଂସାରଟାକୁ ପ୍ରାୟ ଏକମାତ୍ର ଭୋଗ କରିବାକୁ ଠିକା ନେଇଥିବା କୁଜୀ ରାଜାମାନଙ୍କର ଗ୍ଳାନି ମେଣ୍ଟାଇବାକୁ ସେମାନେ କାବ୍ୟକୁ ପ୍ରାୟ ଏକ ଉପଶମନକାରୀ ଉତ୍ତେଜକରୂପେ ବ୍ୟବହାର କରୁଥିଲେ । କାମସୂତ୍ରର ରଚୟିତା ଋଷି ବାତ୍ସାୟନଙ୍କୁ ମଧ୍ୟ ସେମାନେ ନିଜର ଲାମ୍ପଟ୍ୟରେ ଚିତା କାଟିଦେଲେ । ରୀତିର ଅରୀତିଗୁଡ଼ାକ ସତେଅବା ଚିରକାଳ ନିମନ୍ତେ ସାହିତ୍ୟର ଗୋଡ଼ରେ ପଥର ପରି ବନ୍ଧା ହୋଇରହିଲା । ମଣିଷକୁ ଅଳପ କରି ଦେଖିଲା, ଅଳପ କରି ପକାଇଲା ।

 

ପ୍ରେମକୁ ଏହିପରି ଏକ ବିରେଚକ ଦ୍ରବ୍ୟ ହିସାବରେ ବ୍ୟବହାର କଲେ ଆପଣ ବ୍ୟାସକବିଙ୍କର ‘ରେବତୀ’ ଗପକୁ ମୋଟେ ତାଲିକା ଭିତରକୁ ଆଣିବେ ନାହିଁ । ଗୋପବନ୍ଧୁଙ୍କର ‘ବନ୍ଦୀର ଆତ୍ମକଥା’ରେ ଉଚ୍ଛ୍ୱସିତ ହୋଇଉଠୁଥିବା ଅନ୍ତରଙ୍ଗତା ଏବଂ ବ୍ୟାକୁଳତାଗୁଡ଼ିକୁ ଅପାଂକ୍ତେୟ ବୋଲି ଘୋଷଣା କରିବେ । କବି ଗଙ୍ଗାଧର ମେହେର ଯେ ତାଙ୍କର ‘ତପସ୍ୱିନୀ’କୁ କାହିଁକି ‘ବୈଦେହୀଶ ବିଳାସ'ର ଛାଞ୍ଚରେ ନଲେଖିଲେ, ସେଥିପାଇଁ ତାଙ୍କୁ ନିର୍ବୋଧ ବୋଲି କହିବେ-। ଆମ ଏକାଳରେ କାଳିନ୍ଦୀଚରଣ ପାଣିଗ୍ରାହୀ ଅଥବା ସଚ୍ଚି ରାଉତରାୟଙ୍କର ଗପଗୁଡ଼ିକୁ ଖାତାରେ ଲେଖିବାକୁ କୁଣ୍ଠା ପ୍ରକାଶ କରିବେ । ଶ୍ରୀ ଗୋପୀନାଥ ମହାନ୍ତି ‘ଅମୃତର ସନ୍ତାନ’ ଲେଖି କାହିଁକି ମିଛଟାରେ ଫୁଲେଇ ହେଲେ ବୋଲି ବିସ୍ମିତ ହେବାକୁ ମନ ବଳାଇବେ । ଗୋଟାଏ ପ୍ରେମ ଅଛି, ଯାହାକି ନିଜ ଆଡ଼ୁ ଆପେଆପେ ନଇଁ ଆସେ, ମହାସାଗରର ସନ୍ଧାନରେ ନଦୀଟିଏ ପରି ବିଧୁରା ହୋଇଉଠେ ଏବଂ ଆଉ ଗୋଟିଏ କିସମର ପ୍ରେମ ରହିଛି, ଯାହା ଗିଳିପକାଏ । ସଂସାରରେ ସକଳ କ୍ଷେତ୍ରରେ ଖାଲି ଗିଳିପକାଇବ ବୋଲି ଧାଇଁଥାଏ । ଭାରତୀୟ ରାଜନୀତିରେ ମହାତ୍ମା ଗାନ୍ଧୀ କେଡ଼େ ସାହସିକତାର ସହିତ ପ୍ରେମ ଓ ଆତ୍ମୋତ୍ସର୍ଗର ପ୍ରବେଶ ଘଟାଇଥିଲେ-। ତେବେ ଯେଉଁମାନେ ସେହି ମଞ୍ଚଟା ଉପରେ ଅନ୍ୟ ସମସ୍ତଙ୍କୁ ତଳକୁ ଠେଲି ଦେଇ ଏକାଏକା ସବୁ ଭୁଞ୍ଜିବାର ଦୁର୍ଦ୍ଦଣ୍ଡପଣ ଦେଖାଉଛନ୍ତି, ସେମାନେ କ୍ଷମତାପ୍ରେମର ପାଲରେ ଯାଇ ପଡ଼ିଛନ୍ତି-। ସ୍ପଷ୍ଟ ଦିବାଲୋକରେ ମଧ୍ୟ ଧରା ପଡ଼ିଯାଉଛନ୍ତି । ଦେଶପାଇଁ, ବୃହତ୍ତର କୌଣସି ମୂଲ୍ୟ ଅଥବା ଆଦର୍ଶର ପ୍ରତିଷ୍ଠାପାଇଁ ଯେଉଁମାନେ ଯୁଗେଯୁଗେ କେତେକେତେ ଦେଶରେ ଜୀବନପଣ କରି ବାହାରିଛନ୍ତି ଓ ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅପ୍ରମତ୍ତ ଓ ଅବିଚଳ ଭାବରେ ଜୀବନ ଦେଇଛନ୍ତି, ପ୍ରେମଗଳ୍ପର ବିଶେଷାଙ୍କରେ ସେମାନଙ୍କର କାହାଣୀଗୁଡ଼ିକ ହୁଏତ ଆଦୌ ସ୍ଥାନ ପାଇବ ନାହିଁ । ଦେଶଭକ୍ତର ପ୍ରେମ, ପରମେଶ୍ୱରଙ୍କ ଲାଗି ପ୍ରେମବିଟମାନଙ୍କର ବିଶେଷ ଖାତା ଓ ବହିମାନଙ୍କରେ ସେସବୁ ବହିଷ୍କୃତ ହୋଇରହିବ । ତେବେ ଯାଇ ବିଟମଣ୍ଡଳୀ ନିମନ୍ତେ ପୂର୍ଣ୍ଣ ଉପଭୋଗ୍ୟ ହୋଇପାରିବ ।

 

ଆମର ଏବର ପାରସ୍ପରିକ ଜୀବନ ଭିତରୁ ପ୍ରେମ ପ୍ରାୟ ବିଦାୟ ନେଇ ପଳାଉଥିବାର ଏକ ଯୁଗରେ ପ୍ରେମଗଳ୍ପ ପଢ଼ିବାର ରସିକତା ଯେ ୧୬୦ ଗୁଣ ଅଧିକ ହେବାକୁ ଇଚ୍ଛା କରୁଥିବ, ସେକଥାଟା ବୁଝିବା ଲାଗି ମୋଟେ କଷ୍ଟ କରିବାକୁ ପଡ଼ିବନାହିଁ । ଆମେ ଏ ଯୁଗରେ ଯାହାକୁ ଏକାନ୍ତ ଭାବରେ ସ୍ଥୂଳପ୍ରେମ ବା ସେକ୍ସ୍ ବୋଲି କହୁଛେଁ, ତାହାରି ଏକ ପୂର୍ଣ୍ଣତୃପ୍ତିକାରୀ ଅନୁଭୂତି ମଧ୍ୟ ବିଟମାନଙ୍କୁ ମିଳେନାହିଁ ବୋଲି ସେମାନେ ପ୍ରେମଗଳ୍ପ ପଢ଼ିବାକୁ ଓ ତାହାରି ଆଶ୍ରାରେହିଁ ରତିର ସବୁଯାକ ସୁଖ ଲାଭ କରିବାକୁ ଉଚ୍ଛନ୍ନ ହେଉଥାନ୍ତି କି ? ଆମ ସମାଜରେ ପୁରୁଷ ନାରୀକୁ ଗିଳି ପକାଇବ ବୋଲି ବିବାହ କରେ, ଏପରିକି ସ୍ଥାନ ବିଶେଷରେ ଏକ ନାରୀକୁ ନିମିତ୍ତ କରି କୁଢ଼େ ଯୌତୁକର ଅଧିକାରୀ ହେବ ବୋଲି ଉଗ୍ର ଦିବାସ୍ୱପ୍ନ ଦେଖୁଥାଏ । ଆମରି ସନାତନ ଅପସଂସ୍କାରରେ ଜୁଆ ହୋଇଥିବା ପରିବାରମାନେ, ଅର୍ଥାତ୍ ଶାଶୁ, ଶ୍ଵଶୁର, ନଣନ୍ଦ ଏବଂ ଦିଅରମାନେ ପୁଅର ସେହି ରାକ୍ଷସୀ ବୁଦ୍ଧିରେ ଇନ୍ଧନ ମଧ୍ୟ ଯୋଗାଇ ଦିଅନ୍ତି । ସମାଜରେ ଯାହାକୁ ପରମ୍ପରା ଅନୁସାରେ ବିବାହ ବୋଲି କୁହାଯାଏ, ସେଥିରେ ପ୍ରେମ ସତକୁସତ କେଡ଼େ ଟିକିଏ ହୋଇ ରହି ନଥାଏ । ସେହି ବିବାହଟାକୁ ହୁଏତ ଅଧିକ ନ୍ୟାୟର ସହିତ ଗିଳିବା, ଗଡ଼ ଜୟ କରିବା, ସମ୍ପତ୍ତି ବୃଦ୍ଧି କରିବା ଅଥବା ସେହିପରି ଆଉ କେଉଁ ଅଭିଧା ଦେଇ ଚିହ୍ନି ହେବ ସିନା, ତା’ ଭିତରେ ପ୍ରେମର ଲେଶମାତ୍ର ହୁଏତ ମିଳିବ ନାହିଁ ।

 

ଜୀବନରେ, ସମ୍ବନ୍ଧରେ ପ୍ରେମ ନାହିଁ ବୋଲି ହୁଏତ ଆମର ଏଠି ପ୍ରେମଗଳ୍ପ ଉପରେ ଅଧିକ ମାଡ଼ । ଆମ ସାହିତ୍ୟରେ ସେହି କାରଣରୁ ପ୍ରେମ ଯେତିକି ଭେସରା, ତଥାକଥିତ ପ୍ରେମଗଳ୍ପଗୁଡ଼ାକ ମଧ୍ୟ ପ୍ରାୟ ସେତିକି ଭେସରା । ପ୍ରେମଗଳ୍ପକୁ ଲେଖି ବଜାରର ଅଭାବ ମେଣ୍ଟାଉଥିବା ଲେଖକମାନଙ୍କର ବେଦନା ଏବଂ ଆବେଦନଗୁଡ଼ାକ ମଧ୍ୟ ସେତିକି ଭେସରା । ସାହିତ୍ୟ ଯେ ଆମ ସମାଜରେ ଏକ ବିନୋଦନର, ବିସ୍ମରଣର, ମିଛଟାରେ ଅତ୍ୟନ୍ତ ଭେସରା ଭାବରେ ବିଗଳିତ ହୋଇ ବୋହିଯିବାର ଏକ ପଣ୍ୟସାମଗ୍ରୀ ହୋଇଅଛି, ତାହାହିଁ ପ୍ରେମର ଲୋଡ଼ାହେବା କ୍ଷେତ୍ରରେ ଆମର ଦାରୁଣ ଦାରିଦ୍ର୍ୟଗୁଡ଼ାକ ବିଷୟରେ ଅବଶ୍ୟ କିଞ୍ଚିତ୍‌ ସୂଚନା ଦେଇ ଯାଉଥିବେ । ତେଣୁ ଆମ ପରିବାରରେ ପ୍ରେମ ନାହିଁ, କେବଳ ସ୍ୱାର୍ଥ ଏବଂ ଅବମାନନା ରହିଛି, ଆମ ବିଦ୍ୟାଳୟମାନଙ୍କରେ ଭଲ ପାଇବା ନାହିଁ, କେବଳ ଅବଜ୍ଞା ଓ ଉଦାସୀନତା ରହିଛି, ମଣିଷମାନଙ୍କ ଭିତରେ ସହାନୁଭବ ନାହିଁ କି ସମ୍ବେଦନଶୀଳତା ନାହିଁ, କେବଳ ନାନାବିଧ ଫାଶ ପକାଇ ନିଜର ଜାଲ ଭିତରକୁ ବାନ୍ଧି ଆଣିବାର ଏକ ଉଦ୍‌ଗ୍ରୀବତା ରହିଛି । ଆମ ଦେଉଳମାନଙ୍କରେ ଭକ୍ତି ନାହିଁ କି ନତି ନାହିଁ । ଖାଲି ରାଜସିକତାର ଅପପ୍ରଦର୍ଶନହିଁ ରହିଛି । ସମ୍ଭବତଃ ସେହି କାରଣରୁ ତାହାରି ଏକ ଦୟନୀୟ କ୍ଷତିପୂରଣ ଆମକୁ ଯୋଗାଇ ଦେବାର ମତ୍ତପ୍ରୟାସରେ ଆମକୁ ପ୍ରେମଗଳ୍ପ ଓ ପ୍ରେମ କବିତାର ରମ୍ଭାଫଲମାନ ଆଣି ଯୋଗାଇ ଦିଆଯାଉଛି । ଅତୀତର ରୀତିଯୁଗରେ ରାଜାମାନଙ୍କୁ ଯୋଗାଇ ଦିଆଯାଉଥିଲା । ଏବେ ସମସ୍ତେ ଏକରୁ ଆରେକ ରଜାଭଳି ଦିଶିବାର ଏହି ନବ୍ୟରୀତିର ଯୁଗରେ ଆମ ସମସ୍ତଙ୍କୁ ଯୋଗାଇ ଦିଆଯିବାର ସ୍ୱତନ୍ତ୍ର ବରାଦମାନ ହେଉଛି, ବିଶେଷ ଅଙ୍କମାନଙ୍କରେ ପ୍ରେମ ପରଷା ହେଉଛି ।

 

ପ୍ରେମର ପୁଟ ଦିଆହୋଇ ସାହିତ୍ୟର ଆକାଶ ଭିତରକୁ ବାଣ ପରି ଛଡ଼ାଯାଇଥିବା ଏହି ଗଳ୍ପମେଘଗୁଡ଼ିକ ସତକୁସତ ତଳି ଛୁଇଁ ଆମ ଜୀବନକୁ ସ୍ପର୍ଶ କରୁ । ଆମ ସାହିତ୍ୟ ଆମକୁ ବୁଡ଼ାଇ ନଦେଉ, ନିଜର ଆହ୍ୱାନଗୁଡ଼ିକ ପାଖରେ ଆମକୁ ସୌଖିନୀ ଦୋଚାରୁଣୀଟିଏ କରି ନରଖୁ । ଗଳ୍ପମାନେ କାଲିକୁ କିମ୍ବା ପଅରିଦିନ କୁହାଯିବେ ପଛକେ, ମଣିଷମାନେ ସତକୁସତ ଆଜିହିଁ ପ୍ରେମକୁ ଲୋଡ଼ନ୍ତୁ । ସେମାନେ ନିଜ ମେରୁଦଣ୍ଡକୁ ସିଧା କରି ପ୍ରେମକୁ ଲୋଡ଼ନ୍ତୁ, ପ୍ରେମଲାଗି ସାହସ କରନ୍ତୁ, ପ୍ରେମର ଯୋଗ୍ୟ ହୁଅନ୍ତୁ । ନିଜକୁ କାହାରିପାଇଁ ଦେଇପାରିବାର ଯୋଗ୍ୟ ହୁଅନ୍ତୁ । ଲମ୍ପଟ ନହୁଅନ୍ତୁ । ବର୍ତ୍ତମାନ ସାହିତ୍ୟସଭାଠାରୁ ଆରମ୍ଭ କରି ସେକ୍ରେଟେରିଏଟ୍ ପର୍ଯ୍ୟନ୍ତ ସମସ୍ତେ ସତେ ଯେପରି ଖାଲି ପ୍ରେମଗଳ୍ପ ନିମନ୍ତେ ଫରମାସ କରିବାରେ ଲାଗିଛନ୍ତି । ଗଳ୍ପ ପଢ଼ି ପ୍ରେମଲାଗି ଯୋଗ୍ୟ ହେବାର ଏହି ଧୃଷ୍ଟପଣ ବନ୍ଦ ହେଉ, ପ୍ରେମକୁ ଗନ୍ଧବିପଣିର ପଣ୍ୟ କରାନଯାଉ । ଆମର ମତିଗୁଡ଼ାକ ଗଳ୍ପ ପାଖରୁ ପ୍ରେମକୁ ଫେରିଆସୁ, ନିଶାବେପାର ଭିତରୁ ଜୀବନ ଭିତରକୁ ଫେରିଆସୁ-। ଜୀବନର ସମ୍ମୁଖୀନ ହେଉ ।

Image

 

ପଶୁପକ୍ଷୀଙ୍କ ପାଇଁ ଡାକ୍ତରଖାନା

 

ଭାରତବର୍ଷ ଭିତରକୁ ଭଲା ଏକ ପରିବେଶବାଦୀ ହାଉଆ କେଉଁ ଦୁର୍ଯୋଗ ହେତୁ ଆସି ପଶିଲା ଯେ, ଏଠାରେ ଥୋକେ ହମଦର୍ଦ୍ଦୀ ଥିବା ସାଆନ୍ତିଆ ମଣିଷ ତାହା ଫଳରେ ଆଗ ମଣିଷଙ୍କୁ ନ ଦେଖି ପଶୁପକ୍ଷୀଙ୍କୁ ଦେଖିଲେ । ଏକଦା ଏହି ଭାରତବର୍ଷରେ ଏପରି ଗୋଟିଏ ଧର୍ମର ପ୍ରଚାର ହୋଇଥିଲା ଯେ ତଦ୍ଦ୍ୱାରା ମନୁଷ୍ୟ ବିଷୟରେ ପ୍ରାୟ ଆଦୌ କିଛି ହେଲେ କୁହାନଯାଇ ଇତର ପ୍ରାଣୀମାନଙ୍କୁ ଦୟା ଦେଖାଇବାର ମହାବାଣୀମାନ କୁହାଗଲା । ସେହି ଧର୍ମ ଓ ସେହି ବିକୃତ ସଦୟତାର ପ୍ରଭାବ ମାୟାବାଦୀ ମନୁଷ୍ୟର ଉଦାସ ଭାରତବର୍ଷରେ ଏପରି ଏକ ସାଧାରଣ ଆଚରଣ ସ୍ତରକୁ କାଳକ୍ରମେ ଚରିଗଲା ଯେ, ବିଶେଷ ଧର୍ମଚାରୀମାନେ ପିମ୍ପୁଡ଼ିକୁ ଦୟା ଦେଖାଇଲେ, ପୋକ, ମାଛି ଓ ଡାଆଁଶମାନଙ୍କୁ ଦୟା ଦେଖାଇଲେ, ମାତ୍ର ମନୁଷ୍ୟକୁ ଅବଜ୍ଞା ଦେଖାଇଲେ । ମନୁଷ୍ୟମାନଙ୍କୁ ବହୁ ଜାତିରେ ବହୁ ଅନ୍ୟାୟ ଯୁକ୍ତିରେ ଭିନ୍ନ ଭିନ୍ନ, ଭାଗ ଭାଗ ଏବଂ ଉଚ୍ଚନୀଚ କରି ରଖିଲେ ଏବଂ ଏକ ଭାଗ୍ୟବାଦକୁ ସତେଅବା ସିଦା ବ୍ରହ୍ମମୁଖନିଃସୃତ ସୂତ୍ର ପରି ନିଜ ସଂସାରରେ ପ୍ରଚଳିତ କରାଇ ରଖିଲେ । ସମସ୍ତେ ବର୍ତ୍ତମାନର ଚାରିପାଖର ପୃଥିବୀଟା ଅପେକ୍ଷା ପରଜନ୍ମରେ ସେମାନଙ୍କ ପାଇଁ ଅପେକ୍ଷା କରି ରହିଥିବା ସ୍ୱର୍ଗ ବିଷୟରେ ଅଧିକ ଭାବିଲେ । ନିଜ ମୋକ୍ଷ ଇଚ୍ଛା କଲେ, ନିଜ ସୁଖ ଇଚ୍ଛା କଲେ । ସେହିମାନେ ନାନା ଅଧର୍ମୋଚିତ କୌଶଳର କାନି ଧରି ବର୍ତ୍ତମାନର ଯାବତୀୟ ପୃଥ୍ୱୀବ୍ୟବସ୍ଥାରେ ମଧ୍ୟ ଉତ୍ତମ ହୋଇ ରହିଲେ । ଭାରତବର୍ଷର ରାଜାମାନେ ମଧ୍ୟ ଏହି ଭୟାନକ ପ୍ରବୃତ୍ତିଟିର ସଂକ୍ରମଣରେ କମ୍ ସାହାଯ୍ୟ କରିନାହାଁନ୍ତି ।

 

ଏହି ପରିବେଶବାଦୀଙ୍କର ସୁପରାମର୍ଶ ଅନୁସାରେ ରାଜ୍ୟର ରାଜଧାନୀରେ ପଶୁପକ୍ଷୀମାନଙ୍କ ନିମନ୍ତେ ଏକ ସର୍ବସୁବିଧାଯୁକ୍ତ ହାସପାତାଳ ତିଆରି କରାଯିବ ବୋଲି ଖବରକାଗଜରେ ଖବର ବାହାରିଛି । ରାଜ୍ୟ ସରକାର ଏଥିପାଇଁ କୁଆଡ଼େ ଚାଳିଶି ଏକର ଜମି ଦେଇଦେବେ ବୋଲି ରାଜି ହୋଇଗଲେଣି । ଏଣିକି କୁକୁର, ବିଲେଇ, ଶୁଆ, ସାରି, ହରିଣ ଏବଂ କୁଟୁରାମାନେ ଅସୁସ୍ଥ ହେଲେ ସେମାନଙ୍କୁ ପାଳନ କରୁଥିବା ମାଲିକମାନେ ସେମାନଙ୍କୁ ଏହି ଡାକ୍ତରଖାନାକୁ ଆଣିପାରିବେ ଓ ଏଠାରେ ସେମାନଙ୍କର ସୁବିହିତ ଚିକିତ୍ସା ହୋଇପାରିବ । ମଣିଷମାନଙ୍କ ନିମନ୍ତେ ଖୋଲା ହୋଇଥିବା ଡାକ୍ତରଖାନାଗୁଡ଼ିକ ଯେଉଁଭଳି ରହିଛି, ସେଗୁଡ଼ିକ ଠିକ୍ ସେହିଭଳି ରହିଥିବ; ମାତ୍ର ପଶୁପକ୍ଷୀମାନେ ସୁଚିକିତ୍ସା ଲାଭ କରିବେ । ଏହି ବିଚାର ଏକ ନିର୍ଦ୍ଦୟ ବିଚାର, ଏକ ଖଳ ବିଚାର । ଭାରତବର୍ଷରେ ପ୍ରାୟ ଚିରକାଳହିଁ ମୂଳତଃ ଖଳମାନେ ପ୍ରାୟ ଯାବତୀୟ ବିଚାରକୁ ନିଜ ଅଧିକାରରେ ରଖିଆସିଛନ୍ତି । ଖଳମାନଙ୍କର କୁଚକ୍ରାନ୍ତରେହିଁ ଏଠାରେ ମର୍ତ୍ତ୍ୟର ଏହି ପ୍ରତ୍ୟକ୍ଷ ଘରଟି ଅପେକ୍ଷା ଦୂର ସ୍ଵର୍ଗରେ ଯାଇ ସୁଖ ପାଇବା ବିଷୟରେ ଅଧିକ କଳ୍ପନା କରାଯାଇଛି; ଆମେ ବଞ୍ଚିଥିବା ଏହି ଜୀବନ ଅପେକ୍ଷା ଜୀବନରୁ ମୋକ୍ଷ ଲାଭ କରିବା ବିଷୟରେ ଅଧିକ କୁହାଯାଇଛି । ଆମ ଶାସ୍ତ୍ରକାରମାନେ ପ୍ରାୟ ସେହି ମାପକାଠି ଅନୁସାରେ ଶାସ୍ତ୍ରଗୁଡ଼ିକୁ ଲେଖି ଆସିଛନ୍ତି । ଦେଶର ଧର୍ମ, ଦେଶର ଆଚାର ସେହି ଖଳତାଦ୍ୱାରା ପରିଚାଳିତ ହୋଇଆସିଛି । ମଣିଷମାନେ ଅଧିକରୁ ଅଧିକ ଅସହାୟ ଭାବରେ ପଶୁଠାରୁ ହୀନ ଜୀବନଯାପନ କରିଛନ୍ତି ଏବଂ ଭାଗ୍ୟବାନମାନଙ୍କ ହାତରେ ମାଟି ଗୋଡ଼ି, ପଥର ପରି ବ୍ୟବହୃତ ହୋଇଛନ୍ତି । ବ୍ୟାଧର ଶରଦ୍ୱାରା ପରସ୍ପରଠାରୁ ବିଚ୍ଛିନ୍ନ ହୋଇଥିବା କ୍ରୌଞ୍ଚମିଥୁନ, କାହା ବାଣରେ ଆହତ ହୋଇ ତଳେ ଆସି ପଡ଼ିଥିବା ଏବଂ ସାକ୍ୟ–ସିଂହଙ୍କର ଦୟା ଉଦ୍ରେକ କରିଥିବା ହଂସଠାରେ ହୁଏତ ମନୁଷ୍ୟହୃଦୟର ସବୁଯାକ କରୁଣା ଏବଂ କାରୁଣ୍ୟକୁ ଏପରି କୌତୁକପୂର୍ଣ୍ଣ ଭାବରେ ଅଜାଡ଼ି ଦିଆଯାଇଛି ଯେ, ମଣିଷବେଳକୁ ସତେଯେପରି ତା’ ପାଖରେ ଆଉ ଏତେ ଟିକିଏ ସଦ୍‍ଭାବନା ମଧ୍ୟ ବାକି ରହିପାରିନାହିଁ । ଈର୍ଷା, ଅବଜ୍ଞା ଓ ଦୂରତା ଏହି ଦେଶରେ ଯାବତୀୟ ମନୁଷ୍ୟସମ୍ବନ୍ଧରେ ନିର୍ଣ୍ଣାୟକ ଏକକ ହୋଇ ରହିଯାଇଛି ।

 

ବିଂଶ ଶତାବ୍ଦୀରେ କାଳ କାଳର ସେହି ନୃଶଂସ ଓ ନିର୍ମମମାନେ କ'ଣ ସେମାନଙ୍କର ସେହି ପୁରୁଣା ଚଲାଖିରେ ପରିବେଶବାଦୀ ହୋଇ ଜନ୍ମଗ୍ରହଣ କରିଛନ୍ତି କି ? ସେମାନେ କେଡ଼େ ବାଗରେ ଓ କେତେ ଛଦ୍ରମରେ ମଣିଷର କଥା ନକହି ଗଛ କଥା କହୁଛନ୍ତି । ସମାଜରେ ଏକ ସମବଣ୍ଟନ ଓ ସମାନ ସୁଯୋଗର ବ୍ୟବସ୍ଥା ପ୍ରଚଳିତ ହେଲେ ସବୁ ମଣିଷ ଯେ ମଣିଷ ଭଳି ବଞ୍ଚିବାର ଏବଂ ସଚେତନ ହେବାର ଏକ ଅବସର ପାଇବେ ଏବଂ ତାହାରି ଫଳରେ ଯେ ତା’ ପରିବେଶ ମଧ୍ୟ ସୁନ୍ଦର ଓ ସୁସ୍ଥ ହୋଇପାରିବ, ପରିବେଶବାଦୀମାନେ ଆଗ ସେକଥା ନକହି ଅଧିକ ଗଛ ଲଗାଇବା କଥା କହୁଛନ୍ତି । ଡାକ୍ତରଖାନାରେ କଞ୍ଚା ମଣିଷଗୁଡ଼ାକ ଉପରର ପ୍ରବୀଣ, ସମ୍ପନ୍ନ ଏବଂ ପ୍ରମୁଖମାନଙ୍କର ଚରମ ଅବଜ୍ଞା ଏବଂ ଅବହେଳାର ଶିକାର ହୋଇ ରହିଥିବା ସମୟରେ ସେମାନେ ପଶୁପକ୍ଷୀମାନଙ୍କ ଲାଗି ଚିକିତ୍ସା ଉପଚାରର କେତେକେତେ ଚିନ୍ତା କରୁଛନ୍ତି । ପୃଥିବୀର ପରିବେଶ ଯେ ନଷ୍ଟ ଓ ଦୂଷିତ ହୋଇଛି, ସେଥିଲାଗି ଏହି ବାବୁ ଏବଂ ସାମନ୍ତମାନଙ୍କର ଅତିଗିଳା ଭୋଗକାମନାକୁହିଁ ସବାଆଗ ଦାୟୀ କରାଯିବ । ସେମାନଙ୍କର ଏହି ଭୋଗକାମନା ପ୍ରଶମିତ ହେଲାଣି କି ? ପୁରୁଣା ବ୍ୟବସ୍ଥା ଯେଉଁ ଶୋଷଣ ଉପରେ ଦୃଢ଼ ପ୍ରତିଷ୍ଠିତ ହୋଇ ରହିଥିଲା, ସେହି ଶୋଷଣର ବିଲୋପ ବିଷୟରେ ପରିବେଶବାଦୀ କେଉଁଠି ଆଦୌ କିଛି କହୁନାହାଁନ୍ତି କାହିଁକି ? ଏକଥା ଏକାନ୍ତ ସତ୍ୟ ଯେ, ପଶୁପକ୍ଷୀଙ୍କର ଡାକ୍ତରଖାନା ରାଜଧାନୀରେ ତିଆରି ହେଲେ ସେହିମାନଙ୍କର ଗେହ୍ଲା ପଶୁ ଓ ଗେହ୍ଲା ପକ୍ଷୀମାନେହିଁ ସୁଚିକିତ୍ସା ପାଇବା ଲାଗି ସେଠାକୁ ଆସିବେ । ସେହି ରାଜଧାନୀରେ ଯେଉଁ ବଞ୍ଚିତ, ଅବହେଳିତ ମଣିଷମାନେ ଏକ ମନୁଷ୍ୟକୃତ ନିର୍ଦ୍ଦୟ ସମାଜ ବ୍ୟବସ୍ଥାର ଚକ୍ରାନ୍ତରେ ଘାଣ୍ଟିହୋଇ ପଶୁପକ୍ଷୀଙ୍କଠାରୁ ହୀନତର ଜୀବନଯାପନ କରୁଛନ୍ତି, ଏହାଦ୍ୱାରା ସେମାନଙ୍କର ଭାଗ୍ୟରେ ଆଦୌ କୌଣସି ପରିବର୍ତ୍ତନ ହେବନାହିଁ ।

 

ବ୍ୟବସ୍ଥା ଶୋଷଣମୂଳକ ହୋଇ ରହିଥିବା ପର୍ଯ୍ୟନ୍ତ ପରିବେଶ ଅବଶ୍ୟ ନଷ୍ଟ ହୋଇଯାଉଥିବ । ଥୋକେ ମଣିଷ ଯେଉଁଠାରେ ସେମାନଙ୍କ ଭଳି ଆହୁରି କୋଟି କୋଟି ମଣିଷଙ୍କୁ ପ୍ରତିବେଶୀ ବୋଲି ନଭାବି ସେମାନଙ୍କର ସେବାକାରୀ, ଆଜ୍ଞାବହ ଅଧମ ବୋଲି ଭାବନ୍ତି ଓ ସେମାନଙ୍କୁ ବହୁ ଚତୁରତାର ଫନ୍ଦି ଦେଖାଇ ବଞ୍ଚିତ କରି ରଖିଥାନ୍ତି, ପରିବେଶର ସୁରକ୍ଷା ସେଠାରେ ମଣିଷର ସ୍ତରରୁହିଁ ଆରମ୍ଭ ହେଉ । ଲକ୍ଷ୍ମୀ ସାଆନ୍ତାଣୀ ମଣିଷମାତ୍ରେ ସମସ୍ତଙ୍କୁ ସନ୍ତାନରୂପେ ଗ୍ରହଣ କରନ୍ତୁ । ତାଙ୍କର ପଇସା ସତକୁସତ ମଣିଷମାନଙ୍କ ପାଇଁ ଖର୍ଚ୍ଚ ହେଉ । ତାଙ୍କ ମେଢ଼ରେ ପ୍ରତିବର୍ଷ ଗଉଣି ଗଉଣି ପଇସା ଖର୍ଚ୍ଚ କରୁଥିବା ଦୁଷ୍ଟ ଓ ମତ୍ତମାନେ ବର୍ତ୍ତମାନ ଯେପରି ତାଙ୍କୁ ସମ୍ପତ୍ତି ପରି ଦଖଲ କରି ରହିଛନ୍ତି, ତାହା ବଦଳିଯାଉ । ସରସ୍ଵତୀ ମଧ୍ୟ ସବୁ ମଣିଷଙ୍କ ନିମନ୍ତେ ଆରାଧନାର ଯୋଗ୍ୟ ହୁଅନ୍ତୁ; ସାମନ୍ତମାନଙ୍କର ପରିଚର୍ଯ୍ୟା ଓ ପ୍ରୀତିବିଧାନ ନକରି ସେ ମଣିଷର ସ୍ତରକୁ ଓହ୍ଲାଇ ଆସନ୍ତୁ । ଆମର ଧର୍ମ, ଆମ ଶିକ୍ଷା, ଆମର ଯାବତୀୟ ସଂହତି ତଥା ସ୍ୱଚ୍ଛତାର ଭାବନା ମଣିଷର ସ୍ତରକୁ ଓହ୍ଲାଇ ଆସୁ, ପଶୁପକ୍ଷୀଙ୍କ ବିଷୟରେ ସଦୟହେବା ପୂର୍ବରୁ ଆଗ ମନୁଷ୍ୟସଙ୍ଗର ଉଷ୍ମତାକୁ ଅନୁଭବ କରୁ । ମଣିଷକୁ ଲୋଡ଼ୁ, ମଣିଷ କହିଲେ ପ୍ରକୃତରେ ସବୁ ମଣିଷଙ୍କୁ ଲୋଡ଼ୁ । ସୁଖର ଚିନ୍ତା କଲାବେଳେ ନ୍ୟାୟତଃ ସବୁ ମଣିଷଙ୍କୁ ସାଙ୍ଗରେ ନେଉ ଓ ପାଖରେ ବସାଉ । ସମାଜରେ ଯାବତୀୟ ଭୋଗ ଏବଂ ଉପଭୋଗରେ ସତକୁସତ ସବୁ ମଣିଷଙ୍କ ପାଇଁ ପତର ପଡ଼ୁ । ଶିକ୍ଷାର ଅଭିବୃଦ୍ଧି ଘଟିଲେ ରାଜ୍ୟର, ଦେଶର ଏବଂ ପୃଥିବୀର ଜନବୃଦ୍ଧି ହାରରେ ଯେ ଆପେଆପେ ଏକ ହ୍ରାସ ସମ୍ଭବ ହୋଇଯିବ, ଅନେକ ଦେଶରେ ସରକାର ଏବଂ ସାଆନ୍ତମାନେ ସେମାନଙ୍କ ସମକ୍ଷରେ ତାହାର ଗବେଷଣାଲବ୍ଧ ପ୍ରମାଣମାନ ରହିଥିଲେ ମଧ୍ୟ ଯେପରି ତଥାପି ତଥାକଥିତ ପରିବାର ନିୟୋଜନର ଏକ ତାମସାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ତଥାପି ଶିକ୍ଷାକୁ ସମସ୍ତଙ୍କର ସହଜ ପହଞ୍ଚ ଭିତରକୁ ଆଣୁନାହାଁନ୍ତି । ଆମ ସୁକୁମାର ପରିବେଶବାଦୀ ମହାନ୍‌ମାନେ କ’ଣ ସେହିପରି ଆଗ ମଣିଷଠାରୁ ଆରମ୍ଭ କଲେ ତା’ର ପରିବେଶ ମଧ୍ୟ ନିର୍ମଳ ହୋଇଯାଇପାରିବ ବୋଲି ଜାଣିଥିଲେ ମଧ୍ୟ ତେଣେ ମୋଟେ ଦୃଷ୍ଟି ନଦେଇ ସତେଅବା ତେଣୁ ଆମ ଦୃଷ୍ଟିକୁ ଅନ୍ୟମନସ୍କ କରି ରଖିବାର ମତଲବରେ ମଣିଷ ବଦଳରେ ଗଛ ଏବଂ ମଣିଷମାନଙ୍କର ଚିକିତ୍ସା ବଦଳରେ ପଶୁପକ୍ଷୀଙ୍କର ଚିକିତ୍ସାପାଇଁ ଅଧିକ ଗାମ୍ଭୀର୍ଯ୍ୟ ଦେଖାଇ କହିବାରେ ଲାଗିଛନ୍ତି କି ?

 

ପଶୁପକ୍ଷୀଙ୍କ ପ୍ରତି ନିର୍ଦ୍ଦୟ ହେଲେ ଯେ ମଣିଷ ଅନ୍ୟ ମଣିଷଙ୍କ ପ୍ରତି ଦୟାଶୀଳ ହୋଇପାରିବେ, ସେକଥା ମଧ୍ୟ ଠିକ୍ ନୁହେଁ । ମାତ୍ର ଯୁଗେଯୁଗେ ସମଗ୍ର ପୃଥିବୀର ଇତିହାସରେ ଏକଥା ପ୍ରମାଣିତ ହୋଇଆସିଛି ଏବଂ ଏବେ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି ଯେ, ଯେଉଁ ସମାଜରେ ମଣିଷ ଅନ୍ୟ ମଣିଷମାନଙ୍କୁ ତୁଚ୍ଛ, ହେୟ ଓ ଗଧ କରି ରଖିଛି, ସେହି ସମାଜରେହିଁ ଇତର ପ୍ରାଣୀମାନଙ୍କ ପ୍ରତି ଯାବତୀୟ ନିର୍ଦ୍ଦୟତା ପ୍ରକାଶ ପାଇଛି । ଗୋ–ଜାତିକୁ ମାଆ ବୋଲି ଶାସ୍ତ୍ର–ବଚନ ବଖାଣି ଭାରତବର୍ଷର ମନୁଷ୍ୟମାନେ ଗୋରୁ ନାମକ ଜୀବଟି ଉପରେ କେଡ଼େ ନିର୍ମମତା ଦେଖାଇ ନାହାଁନ୍ତି ! ଅଥଚ ଅନ୍ୟ ପକ୍ଷରେ ଯେଉଁ ସମାଜରେ ମଣିଷମାତ୍ରକେ ସମସ୍ତଙ୍କୁ ମନୁଷ୍ୟର ମର୍ଯ୍ୟାଦା ମିଳିଛି, ସମାନ ସୁଯୋଗ ମିଳିଛି, ଶୋଷଣକୁ ସବୁଠାରୁ ବଡ଼ ଅପରାଧ ବୋଲି ଗ୍ରହଣ କରାଯାଇଛି, ସେହି ଦେଶର ଇତର ଜୀବମାନେ ମଧ୍ୟ ମଣିଷଠାରୁ ଉଚିତ ବ୍ୟବହାର ପାଇଛନ୍ତି । ସେସବୁ ଦେଶର ଗୋରୁମାନଙ୍କୁ କାମଧେନୁ ପରି, ନିଜ ପରିବାରର ଏକ ସଦସ୍ୟ ପରି ପରିଚର୍ଯ୍ୟା ମିଳିଛି ଏବଂ ସେମାନେ ମଧ୍ୟ କାମଧେନୁ ପରି ମଣିଷକୁ ଏକାଧିକ ସମ୍ପନ୍ନତା ଆଣି ଦେଇଛନ୍ତି । ସ୍ୱୀକୃତି ଯିଏ ପାଏ, ସିଏ ସ୍ଵୟଂ ସ୍ୱୀକୃତି ଦେଇଥାଏ । ଯାହାକୁ ସମସ୍ତେ ସମ୍ମାନ ଦିଅନ୍ତି, ସିଏ ମଧ୍ୟ ତା’ର ସମଗ୍ର ଜୀବନଦୃଷ୍ଟିରେ ଅନ୍ୟ ସମସ୍ତଙ୍କୁ ମୂଳତଃ ସମ୍ମାନ ଦେଇ ଦେଖି ଶିଖିଥାଏ ।

 

ତେଣୁ ପରିବେଶବାଦୀମାନେ ମଣିଷଠାରୁହିଁ ଆରମ୍ଭ କରନ୍ତୁ । ମଣିଷମାନଙ୍କୁହିଁ ପୃଥିବୀ ଏବଂ ବିଶ୍ୱପ୍ରକୃତିର ସବୁଠାରୁ ଅଧିକ ସୁନ୍ଦର ବୋଲି ସ୍ୱୀକୃତି ଦିଅନ୍ତୁ । ଆମର ଯାବତୀୟ ବ୍ୟବସ୍ଥା ସେହି ନ୍ୟାୟ ଅନୁସାରେ ଚଳୁ ଏବଂ ସେହି ନ୍ୟାୟ ଅନୁସାରେବି ବଦଳୁ । ତେବେ ଖାଲି ମଣିଷମାନେ ନୁହଁନ୍ତି, ଆମ ଦେବତାମାନେ ମଧ୍ୟ ବହୁ ପ୍ରଦୂଷଣ ଭିତରୁ ମୁକ୍ତି ହୋଇ ବାହାରି ଆସିପାରିବେ । ମଣିଷକୁ ଛାଡ଼ି ଆଉ କୁଆଡ଼େ ସବାଆଗ ନିଜର ଧର୍ମାଗ୍ରହଗୁଡ଼ାକୁ ଦେଖାଇବାକୁ ଯାଇଛନ୍ତି ବୋଲି ମଣିଷମାନେ ଯୁଗେଯୁଗେ ଧର୍ମାନ୍ଧ, ଅଶାଳୀନ ଓ ବର୍ବର ହୋଇଛନ୍ତି । ଫମ୍ପା ଢୋଲଗୁଡ଼ାକୁ ଢାଉଁ ଢାଉଁ କରି ଏହି ପୃଥିବୀରେ ଦେବତାସ୍ତରୀୟ ଯାବତୀୟ କାର୍ଯ୍ୟକୁ ବାଧାପ୍ରାପ୍ତ କରି ରଖିଛନ୍ତି । ଭାରତବର୍ଷରେ ସବୁ ମଣିଷଙ୍କର ଉଦୟ ହେବ ବୋଲି ସତକୁସତ ଏକ ମନାସ ନେଇ ଏଠାରେ ସ୍ୱାଧୀନତାର ସଂଗ୍ରାମଟିଏ ଲଢ଼ା ହୋଇଥିଲା । ରାଜନୈତିକ ପରିବର୍ତ୍ତନ ପରେ ଯେଉଁ ସାମାଜିକ ସମୂଳ ପରିବର୍ତ୍ତନରେ ପରବର୍ତ୍ତୀ ବିପ୍ଳବଟି ଆସିଥାନ୍ତା, ଅନ୍ୟ ନାନାବିଧ କାମନା ଭିତରେ ପଡ଼ି ହୁଡ଼ିଯାଇ ଆମର ରାଜନୀତି ରାଜନୀତି ପାଖରେହିଁ ଅଟକି ରହିଗଲା । ଆମ ସମସ୍ତଙ୍କୁ, ଏହି ଦେଶଟାକୁ ଭୋଗ କରିବା ନିମନ୍ତେ ଆମ ନେତାମାନେ ବାଟ ହୁଡ଼ିଲେ । ନିଜ ନିଜ ଜଙ୍ଗଲ ଭିତରେ ପଶି ସେମାନେ ନିଜକୁ ହରାଇ ବସିଲେ । ଦେଶରୂପୀ ବସୁନ୍ଧରାରେ ସାମନ୍ତ ହେଲେ । ମାତ୍ର ଅସଲ ଆହ୍ୱାନଟି ପାଖରେ, ନିଜ ପାଖରେ ଅପ୍ରସ୍ତୁତ ହୋଇ ରହିଗଲେ । ସେହି ବିଫଳମାନେ ବର୍ତ୍ତମାନ ସତେଅବା ପୁନଃଯୌବନ ଲାଭ କରିଥିବା ପରି ଏବେ ଆମକୁ ପରିବେଶର ପୁରାଣ ଶୁଣାଇ ବାହାରିଛନ୍ତି । ମଣିଷମାନଙ୍କର କଥା ନକହି ଗଛ, ଅରଣ୍ୟ, କଇଁଛ ଏବଂ କୁମ୍ଭୀରମାନଙ୍କର କଥା କହୁଛନ୍ତି । ଏପରି କରି ସେମାନେ ତଥାପି କିଞ୍ଚିତ୍‌ ଲୋକୋପକାର କହୁଛନ୍ତି ବୋଲି ହୁଏତ ଆପଣାକୁ ସାନ୍ତ୍ୱନା ଦେଉଛନ୍ତି । ଏକଦା ଆପେ ହୁଡ଼ି ପରିବର୍ତ୍ତନକୁ ହୁଡ଼ାଇଥିବା ଜନିତ ପାପର କ୍ଷାଳନ କରୁଛନ୍ତି । ତେଣୁ ଆଗ ମଣିଷମାନଙ୍କର କଥା ନକହି ଆମର ନେତୃସ୍ଥାନୀୟ ଯେଉଁ ମଉସା ଓ ମାଉସୀମାନେ ଆମକୁ ଗଛର କଥା କହି ଗଦ୍‌ଗଦ୍ କରାଇ ରଖିବେ ବୋଲି ଭାବୁଛନ୍ତି, ଆମ ଗାଁରେ ଅତ୍ୟାବଶ୍ୟକ ଚିକିତ୍ସା ସୁଯୋଗର ଭଦ୍ର ପରିମଳଟିଏ ସୃଷ୍ଟି ହୋଇପାରିବା ପୂର୍ବରୁ ଯେଉଁମାନେ ଚିଲ ଓ ଛଞ୍ଚାଣମାନଙ୍କ ଲାଗି ରାଜଧାନୀରେ ଆରୋଗ୍ୟ–ନିକେତନ ଖୋଲିବାର ପାଞ୍ଚ କରୁଛନ୍ତି, ଆମେ ସେମାନଙ୍କ ଦୁଃଖକୁ ଜାଣିବା; ସେମାନେ କେଉଁଠି କାହିଁକି ହୁଡ଼ିଛନ୍ତି, ସେ କଥା ମଧ୍ୟ ଜାଣିବା ଏବଂ ଅଗ୍ରସର ହୋଇଯିବା ।

Image

 

Unknown

ଅନିକେତ, ବିଶ୍ଵନିକେତ

 

ସେଦିନ ବାଙ୍ଗାଲୋର ସହରରେ ସାହିତ୍ୟ ଏକାଡ଼େମୀର ଆଞ୍ଚଳିକ ଦପ୍ତରରେ ସମ୍ପାଦକ ମୋର ବନ୍ଧୁ ଶ୍ରୀ କୃଷ୍ଣମୂର୍ତ୍ତିଙ୍କୁ ସାକ୍ଷାତ କରିବାକୁ ଯାଇ ତାଙ୍କଠାରୁ ଜାଣିବାକୁ ପାଇଲି ଯେ କନ୍ନଡ଼ ସାହିତ୍ୟରେ ଜଣେ ଆଧୁନିକ ମହାରଥୀ କୁ–ଭେମ୍ପୁ (ଡକ୍ଟର କୁପ୍‌ପାଲି ଭେଙ୍କଟାପ୍‌ପା ପୁଟ୍ଟାପ୍ପା)ଙ୍କର ସେହି ପୂର୍ବଦିନ ରାତିରେ ତିରୋଧାନ ହୋଇଯାଇଛି । ସାହିତ୍ୟକାର ତାଙ୍କ ନିଜ ସାହିତ୍ୟରେ ଯେଉଁ ଯୁଗଟିର ଉଜ୍ଜ୍ୱଳ ପ୍ରତିନିଧିତ୍ୱ କରୁଥିଲେ ଓ ପ୍ରାୟ ସମସ୍ତଙ୍କ ଆଗରେ ରହିଥିଲେ, ତାହାକୁ ସେଠା ସାହିତ୍ୟ ସମୀକ୍ଷକମାନେ ‘ନବୋଦୟ ଆନ୍ଦୋଳନ’ର ଯୁଗ ବୋଲି କହିଛନ୍ତି । ମୃତ୍ୟୁବେଳକୁ ଶ୍ରୀଯୁକ୍ତ ପୁଟ୍ଟାପ୍ପାଙ୍କୁ ଠିକ୍ ନବେବର୍ଷ ହୋଇଥିଲା । ଆପଣାର ଆଦ୍ୟ ଯୌବନ କାଳରୁହିଁ ସେ ସାହିତ୍ୟରେ ମନ ଦେଇଥିଲେ । ଜୀବନକାଳ ଭିତରେ ଆପଣାର ସାହିତ୍ୟିକ ପ୍ରୟୋଗ ତଥା ଆରୋହଣର ବିଭିନ୍ନ ପର୍ଯ୍ୟାୟରେ ସେ ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗ କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ନାଟକ ଏବଂ ସମୀକ୍ଷାତ୍ମକ ଆଲୋଚନାକୁ ସ୍ପର୍ଶ କରିଥିଲେ ଏବଂ ସବୁଥିରେ ଆପଣାର ଏକ ସ୍ଵତନ୍ତ୍ର ସ୍ୱାକ୍ଷରର ପ୍ରତିଷ୍ଠା କରିଥିଲେ । ତାଙ୍କର ତିରୋଧାନଦ୍ଵାରା କନ୍ନଡ଼ ସାହିତ୍ୟର ଏକ ସ୍ୱତନ୍ତ୍ର ଯୁଗର ଅବସାନ ଘଟିଲା ବୋଲି ସମ୍ପୃକ୍ତ ସମସ୍ତେ ଅନୁଭବ କରୁଛନ୍ତି ।

 

ମହୀଶୂର ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକରୂପେ ଶ୍ରୀ ପୁଟ୍ଟାପ୍ପା ଆପଣାର କର୍ମଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ସେ ନିଜର ସେହି କଲେଜର ଅଧ୍ୟକ୍ଷ ହେଲେ । ପରିଶେଷରେ ୧୯୬୬ ମସିହାରେ ମହୀଶୂର ବିଶ୍ୱବିଦ୍ୟାଳୟର ଉପ–କୁଳପତି ମଧ୍ୟ ହୋଇଥିଲେ-। ଅବସର ଗ୍ରହଣ ପରେ ସେହି ମହୀଶୂର ସହରରେହିଁ ପୁଟ୍ଟାପ୍ପା ନିଜ ନିବାସ ‘‘ଉଦୟ ରବି’’ରେ ବାସ କରୁଥିଲେ । ଅଧ୍ୟାପନା କରୁ କରୁ ସେ ସାହିତ୍ୟରଚନାକୁହିଁ ଆପଣାର ସ୍ଵଧର୍ମନିରୂପିତ କ୍ଷେତ୍ର ବୋଲି ନିର୍ବାଚିତ କରି ନେଇଥିଲେ ଏବଂ ଅଧିକରୁ ଅଧିକ ପରିମାଣରେ ନିଜକୁ ତାହାରି ସହିତହିଁ ସମ୍ପୃକ୍ତ କରି ଆଣିଥିଲେ । ସେହି ସାହିତ୍ୟ କ୍ଷେତ୍ରହିଁ ତାଙ୍କୁ ନିଜ ଜୀବନରେ ଅଧିକତର ସ୍ୱୀକୃତି ଆଣି ଦେଇଥିଲା । ୧୯୫୫ ମସିହାରେ ଆପଣାର ସାହିତ୍ୟ କୃତି ‘ରାମାୟଣଦର୍ଶନମ୍’ ପାଇଁ ସେ ଜାତୀୟ ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୬୯ରେ ଜ୍ଞାନପୀଠ ପୁରସ୍କାର ପାଇଲେ । ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ମଧ୍ୟ ଭୂଷିତ କରିଥିଲେ-। କର୍ଣ୍ଣାଟକ ରାଜ୍ୟର ତିନୋଟି ବିଶ୍ୱବିଦ୍ୟାଳୟରୁ ସେ ସମ୍ମାନସୂଚକ ଡକ୍ଟରେଟ୍ ଲାଭ କରିଥିଲେ ।

 

କୁଭେମ୍ପୁ ତାଙ୍କର ସୃଜନାତ୍ମକ ବିଶ୍ୱ–ଆବିଷ୍କାରର ବିଭିନ୍ନ ପର୍ଯ୍ୟାୟରେ ସଂସ୍କୃତ ସାହିତ୍ୟ ସହିତ ଆପଣାକୁ ନିବିଡ଼ ଭାବରେ ପରିଚିତ କରାଇଥିଲେ, ଇଂରାଜୀ ସାହିତ୍ୟର ରୋମାଣ୍ଟିକ୍ କବିମାନଙ୍କର ରଚନାଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହୋଇଥିଲେ । ନିଜ କାଳର ପ୍ରାୟ ପ୍ରତ୍ୟେକ ସମ୍ମୁଖମୁଖୀ ଯୁବକ ପରି ରାମକୃଷ୍ଣ ପରମହଂସ, ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦଙ୍କର ଆଧ୍ୟାତ୍ମିକ ଦ୍ୟୋତନାଗୁଡ଼ିକର ସ୍ପର୍ଶ ଲାଭ କରିଥିଲେ ଏବଂ ଯେକୌଣସି ସତ୍‌ସାହିତ୍ୟିକଙ୍କ ପରି ତାଙ୍କର ସାହିତ୍ୟ–ରଚନା ଓ ଜୀବନ–ପ୍ରତ୍ୟୟଗୁଡ଼ିକ ମଧ୍ୟ ସେହି ଦ୍ୟୋତନାଦ୍ୱାରା କ୍ରମସଙ୍ଗଠିତ ହୋଇ ଆସିଥିଲା । ତାଙ୍କର ଅସଲ ମାଟି ଓ ଅସଲ ମୂଳଦୁଆ ଥିଲା କନ୍ନଡ଼ ସାହିତ୍ୟ ଏବଂ କର୍ଣ୍ଣାଟକର ଲୋକଭୂମି; ମାତ୍ର ଆଖି ସମ୍ମୁଖରେ ଆକାଶଟି ଥିଲା ସମସ୍ତ ଭାରତବର୍ଷର ଆକାଶ, ଯେଉଁଟିରେ ସନାତନ ଏବଂ ଅଧୁନାତନ ପ୍ରାୟ ଏକତ୍ର ପରସ୍ପର ସହିତ ବେଣୀଟିଏ ପରି ବଳି ହୋଇ ଯୁଗାନୁକ୍ରମରେ ବିବର୍ତ୍ତିତ ହୋଇଆସିଛି ଏବଂ ଏବେ ମଧ୍ୟ ବିବର୍ତ୍ତିତ ହେବାରେ ଲାଗିଛି । ଏବର ନୃତତ୍ତ୍ୱ ବିଜ୍ଞାନରେ ଯାହାକୁ Great Tradition ଓ Little Tradition ବୋଲି କୁହାଯାଉଛି, ଯାବତୀୟ ଭାଷା ସାହିତ୍ୟରେ ଭାରତବର୍ଷରେ ଆମେ ତାହାର ସମନ୍ୱୟକୁହିଁ ସୁସ୍ଥ ଏବଂ ଶକ୍ତିଦାୟୀ ସାହିତ୍ୟ ବୋଲି କହିପାରିବା । ଏମିତିବି ସାହିତ୍ୟକାର ଅଛନ୍ତି, ଯେଉଁମାନେ କି ପ୍ରାୟ ଏକ ଅନ୍ତର୍ଗତ ଅନ୍ୟଗ୍ରସ୍ତତାର ବଶବର୍ତ୍ତୀ ହୋଇ ଖାଲି ପାଚୀନ ଅଥବା ଖାଲି ଆଧୁନିକ ଭିତରେ ଲଟରପଟର ହୋଇପଡ଼ିଥାନ୍ତି । ପ୍ରାଚୀନ କାଳରେ ସାହିତ୍ୟ–ଗଛରେ ସବୁଯାକ ସୁନା ଫଳୁଥିଲା ଏବଂ ଏବେ ସେ ସବୁକୁ ଭଗାରିମାନେ ହରିନେଲେଣି ବୋଲି ଥୋକେ କହନ୍ତି ଓ ଆଉ ଥୋକେ ଏକାବେଳେକେ ଅନ୍ୟ କିଛି ସହିତ ଦୁତିଅ ହୋଇ ନପାରିଲେ ଜଣେ ଲେଖକ କଦାପି ଆଧୁନିକରୂପେ ଗଣ୍ୟ ହୋଇପାରିବ ନାହିଁ ବୋଲି ରଡ଼ି ଶୁଣାଉଥାନ୍ତି । ଭାରତୀୟ ପ୍ରତ୍ୟେକ ସାହିତ୍ୟରେ ଏପରି ଏକପାଖିଆ ଓ ଏକଆଖିଆ ଲେଖକ ଏବଂ ବିଚାରକ ବେଶ୍ ଆଖିଦୃଶିଆ ସଂଖ୍ୟାରେ ରହିଛନ୍ତି ଏବଂ ଭାରତବର୍ଷର ବହୁ ଆକାଂକ୍ଷାକୁ ଭାରି ଅସ୍ୱାଭାବିକ କରି ରଖିଛନ୍ତି ।

 

କୁଭେମ୍ପୁ ଆପଣାର ଦୁଇଟାଯାକ ଗୋଡ଼କୁ ଏକାବେଳେକେ ଅତୀତ ଓ ବର୍ତ୍ତମାନ ଭିତରେ ରଖିଥିଲେ । ଅତୀତ ଭିତରୁ ସେ ବର୍ତ୍ତମାନର ପ୍ରେରଣାଟି ପାଇଁ ସ୍ଫୁଲିଙ୍ଗର ଚୟନ କରିପାରୁଥିଲେ ଏବଂ ବର୍ତ୍ତମାନର ଭୂମିତଳେ ଯୁଗଯୁଗ ଧରି ରହିଥିବା ଅତୀତର ଚେରଗୁଡ଼ିକୁ ଆବିଷ୍କାର କରିପାରିଥିଲେ । ମାନବ ଭିତରେ ସେ ଏକ ବିଶ୍ୱମାନବର ଅବଶ୍ୟ–ସମ୍ଭାବନାକୁ ଘ୍ରାଣ କରିପାରୁଥିଲେ । ସାହିତ୍ୟ ଭିତରେ ଓ ସାହିତ୍ୟର ବାହାରେ ସାହିତ୍ୟକୁ ରସିଦ ଯୋଗାଉଥିବା ବୃହତ୍ତର ଜୀବନଟିରେ ଯାବତୀୟ ମତ ‘ମନୁଜ ମତ’ ଏବଂ ଯାବତୀୟ ପଥ ‘ବିଶ୍ୱ–ପଥ’ ହୋଇ ରହିବା ଅବଶ୍ୟ ଉଚିତ ବୋଲି ସେ ଆପଣାର ଗଦ୍ୟ ଏବଂ ପଦ୍ୟ ଉଭୟ ରଚନାରେ କେଡ଼େ ନିର୍ମଳ ଏବଂ କପଟରହିତ ଭାବରେ କହିପାରୁଥିଲେ । ତାଙ୍କର ଯୁଗଟିକୁ କନ୍ନଡ଼ ସାହିତ୍ୟରେ ଅନେକ ଔଚିତ୍ୟର ସହିତ ଏକ Heroic ଯୁଗ ବୋଲି ମଧ୍ୟ କୁହାଯାଇପାରିବ । ଏକାଧିକ ଦୃଷ୍ଟିରୁ ସାହିତ୍ୟର ଯାବତୀୟ ପରିମାପ ଏବଂ ପରିମାଣଗୁଡ଼ିକୁ ପକାଇ ଦେଖିଲେ ଯଥାର୍ଥ ସାହିତ୍ୟ କେବଳ Hroic ହୋଇପାରିବାହିଁ ଉଚିତ । ସାହିତ୍ୟ ଭିତରେ ପଶି ତଥାପି ଯେଉଁମାନେ ନିଃସଙ୍ଗ ହୋଇଥାନ୍ତି, ରତି କହିଲେ ଯେଉଁମାନେ ତୁଚ୍ଛା ଆତ୍ମରତିଗୁଡ଼ାକୁ ବୁଝନ୍ତି ଏବଂ ନାନା ଅଳଙ୍କାର ମଣ୍ଡାଇ, ବୁଲାଇ ବଙ୍କାଇ ନିଜର ଦୃଷ୍ଟିଗତ ଗ୍ଳାନିଗୁଡ଼ାକୁ କେତେ ପ୍ରକାରେ ପ୍ରଦର୍ଶିତ କରିବାରେ ଲାଗିଥାନ୍ତି, ସେମାନେ ଜୀବନଠାରୁ ଆପଣାର ନାଡ଼ଗୁଡ଼ିକୁ ବଡ଼ ଦୟନୀୟ ଭାବରେ କାଟି ଦେଇଥାଆନ୍ତି ଏବଂ ଆପଣାର ଯାବତୀୟ ଶାବ୍ଦିକ ଫୁଲେଇଗୁଡ଼ାକ ସତ୍ତ୍ୱେ ଭାରି ଦୟନୀୟ ଦିଶୁଥାଆନ୍ତି ଓ ଦୟନୀୟ ଶୁଭନ୍ତି । ସେମାନେ ବହୁ ଶାବ୍ଦିକ ସଜ୍ଜାଦ୍ୱାରା ସଜ୍ଜିତ ସତେଅବା ଏକ ସ୍ଵୟଂବର ସଭାରେ କେବଳ ଆପଣାର କ୍ଷୋଭ ଏବଂ ଖଣ୍ଡିଆଗୁଡ଼ାକୁ ଦେଖାଇ ଗୋଟାଏ ପ୍ରକାରେ ଭାରି କଉତୁକିଆ ଦିଶୁଥାନ୍ତି ସିନା, ମାତ୍ର ଆଦୌ କାହାକୁ ହେଲେ ବରିପାରନ୍ତି ନାହିଁ । Heroic ହେବା ସେମାନଙ୍କର ଭାଗ୍ୟରେ ନଥାଏ ।

 

ଅନିକେତ ହେବାକୁହିଁ ଏକାଧିକ ଅବସରରେ ଶ୍ରୀ ପୁଟ୍ଟାପ୍ପା ସାହିତ୍ୟିକ ଯାବତୀୟ ଅଭିଳାଷ ଏବଂ ବ୍ୟାକୁଳତାର ମୂଳଧର୍ମ ବୋଲି ବୁଝିଛନ୍ତି । ଅନିକେତ ଶବ୍ଦଟି ହେଉଛି ଗୀତାର ଶବ୍ଦ-। ଯାହାର କୌଣସି ନିକେତନ ନଥାଏ, ସିଏ ହେଉଛି ଅନିକେତ । ଅନିକେତହେବା ହେଉଛି ଏକ ବିଶେଷ ଜୀବନଦୃଷ୍ଟିର ଦ୍ୟୋତକ । ଆମେ ଅନେକେ ନିଜପାଇଁ ଘରଟିଏ, ସଂସାରଟିଏ, ଆଶ୍ରୟଟିଏ ବାନ୍ଧିବା ନାଆଁରେ ସେହି ଘର, ସଂସାର ଅଥବା ଆଶ୍ରୟଟି ସହିତ ବାନ୍ଧି ହୋଇପଡ଼ୁ-। ସେହି ଗୋଟିକୁ ଦେଖୁ, ଆଉ ଆଦୌ କିଛି ଦେଖିପାରୁନାହିଁ । ଆମ ଘରଟିକୁ ଆମେ ଏକ ଗର୍ତ୍ତରେ ପରିଣତ କରୁ । ଏହିପରି ଭାବରେ ପୃଥିବୀର ଇତିହାସରେ ଅନେକ ମଣିଷ ନିଜର ଧର୍ମ, ନିଜର ଦେଶ ଏବଂ ନିଜର ଆଦର୍ଶକୁ ପ୍ରାୟ ଗୋଟିଏ ଗୋଟିଏ ଗର୍ତ୍ତରେ ପରିଣତ କରି ରଖିଛନ୍ତି-। ସାହିତ୍ୟକାର ମଧ୍ୟ ବାଉଳା ହୋଇଯାଇ ଏହି ଗର୍ତ୍ତସର୍ବସ୍ୱତାକୁ ବଢ଼ାଇବାରେ କମ୍ ସହାୟତା କରିନାହିଁ । ଅନିକେତ ହେବାର ଅର୍ଥ ହେଉଛି ନିଜର ନିକେତନଟିକୁ, ନିଜର ବିଶ୍ୱାସ ଏବଂ ପ୍ରୀତିଗୁଡ଼ିକୁ ଏକ ଗର୍ତ୍ତିରେ ପରିଣତ କରି ରଖିବା ଲାଗି ମୋଟେ ସମ୍ମତି ନଦେବା-। ଆଧ୍ୟାତ୍ମିକ ଭାଷାରେ କହିଲେ, ଆପଣାର ଭଗବାନଗୁଡ଼ିକୁ ଗୋଟିଏ ଗୋଟିଏ ପିତୁଳାରେ ପରିଣତ କରି ନପକାଇବା । ତେଣୁ, ଯଥାର୍ଥରେ ଜଣେ ଅନିକେତ ମଣିଷକୁ ବିଶ୍ଵନିକେତ ବୋଲି କୁହାଯାଇପାରିବ । ଗୋଟିଏ ଅସଲ କେନ୍ଦ୍ରକୁ କେହି କଦାପି ଏକ ନିର୍ଦ୍ଦିଷ୍ଟ ବୃତ୍ତପରିସର ଭିତରେ ବାନ୍ଧି ରଖିପାରିବ ନାହିଁ । କେନ୍ଦ୍ରଟି ଯେଉଁଠି ସେଇଠି ରହିଥିବ, ମାତ୍ର ଦୃଷ୍ଟିର ବ୍ୟାସାର୍ଦ୍ଧଟି ଅନାୟାସରେ ସମ୍ପ୍ରସାରିତ ହୋଇଯାଇପାରୁଥିବ । ଏହି ପରିଧିଟିକୁ ଆପଣାର କଲେ ଓ ଭଲ ପାଇଲେ ଆଉ ଏକ ଅନ୍ୟ ପରିଧିକୁ ପର କରିଦେବାର ଅଥବା ଘୃଣା କରିବାର ଆଦୌ କୌଣସି ଆବଶ୍ୟକତା ନଥିବ । ଏହିପରି ଅନିକେତ ଅର୍ଥାତ୍ ବିଶ୍ଵନିକେତ ହୋଇପାରିଲେ ବୃତ୍ତଟିଏ ପର୍ଯ୍ୟାୟ ପରେ ପର୍ଯ୍ୟାୟ ପ୍ରସାରିତ ହୋଇ ଭୂମାକୁ ଛୁଇଁପାରିବ, ଭୂମାରେ ବିଚରଣ କରିପାରିବ, ଭୂମାର ଅବତରଣ କରାଇ ସିଏ ନିଜର ଘରଟିକୁ ମଧ୍ୟ ପବିତ୍ର କରିଦେଇପାରିବ ।

 

ଶ୍ରୀ ପୁଟ୍ଟାପ୍ପାଙ୍କର ଆଦ୍ୟ ଲେଖକ ଜୀବନରୁ ଗୋଟିଏ ଘଟଣାର ଉଲ୍ଲେଖ କରି ଆମେ ଆଲୋଚନାଟିକୁ ଶେଷ କରିବା । ସେତେବେଳେ ସିଏ ଲେଖିବେ ଏବଂ ଲେଖକଟିଏ ହେବେ ବୋଲି ସ୍ୱପ୍ନ ଦେଖୁଥାନ୍ତି । ଇଂରାଜୀ ସାହିତ୍ୟକୁ ଅଧ୍ୟୟନ କରି ସେଥିରେ ପ୍ରାୟ ଗୋଟାସୁଦ୍ଧା ମୁଗ୍ଧହୋଇ ରହିଥାଆନ୍ତି । ସେହି ତରୁଣ ବୟସର ଉତ୍ସାହରେ ସେ ନିଜେ ଇଂରାଜୀରେ ମଧ୍ୟ କବିତା ଲେଖିଲେ ଓ ସେଗୁଡ଼ିକୁ ସଂକଳିତ କରି Beginner's muse ନାମକ ଏକ ପୁସ୍ତକରୂପେ ପ୍ରକାଶ କରିଥିଲେ ଏବଂ କେଡ଼େ ଖୁସି ହୋଇ ସେତେବେଳେ ଶ୍ରୀରଙ୍ଗପଟ୍ଟଣରେ ରହୁଥିବା ଆୟାର୍ଲାଣ୍ଡର ପ୍ରସିଦ୍ଧ ଲେଖକ ଜେମ୍‍ସ୍ କଜିନ୍‌ଙ୍କୁ ସେଇଟିକୁ ଭେଟି ଦେବାକୁ ଯାଇ ସେଠାରେ ପହଞ୍ଚିଲେ । ସିଏ ନିଜର ମନ ଭିତରେ ହୁଏତ କେତେକଅଣ ମନାସି ମନାସି ଯାଇଥିଲେ, ମାତ୍ର ଶ୍ରୀଯୁକ୍ତ କଜିନ୍‍ସ୍ ତାଙ୍କୁ ଅବାକ୍ କରି ଠିକ୍ ଓଲଟା କଥାଟିକୁହିଁ କହିଥିଲେ । ସେ ତାଙ୍କୁ ଇଂରାଜୀରେ ନଲେଖି ତାଙ୍କ ନିଜ ଭାଷା କନ୍ନଡ଼ରେ ଲେଖିବାକୁ ପ୍ରସ୍ତାବ ଦେଲେ । ତୀବ୍ର ପ୍ରତିକ୍ରିୟା ଦେଖାଇ ଓ ପ୍ରତିବାଦ ବ୍ୟକ୍ତକରି କୁଭେମ୍ପୁ ଜବାବ ଦେଇଥିଲେ ଯେ, କନ୍ନଡ଼ ଭାଷାରେ ଜଣେ କବିର ଭାବଗୁଡ଼ିକୁ ବ୍ୟକ୍ତ କରିବା ନିମନ୍ତେ ଯଥେଷ୍ଟ ଶବ୍ଦହିଁ ମିଳିବ ନାହିଁ । କଜିନ୍‍ସ୍ ଅତ୍ୟନ୍ତ ଶାନ୍ତ ଭାବରେ ଉତ୍ତର ଦେଇଥିଲେ ଯେ, କୌଣସି ଭାଷା କୌଣସି ଭାଷାଠାରୁ ଆଦୌ କମ୍ ସମୃଦ୍ଧ ବା କମ୍ ସମ୍ଭାବନାପୂର୍ଣ୍ଣ ନୁହେଁ ଏବଂ ଲେଖକ ଓ ବିଦ୍ଵାନମାନେ ମନ କଲେ ଓ ଶ୍ରଦ୍ଧା ରଖିଥିଲେ ନିଜର ଭାଷାଟିକୁ ଅବଶ୍ୟ ଶବ୍ଦଶାଳୀ ତଥା ସାମର୍ଥ୍ୟଯୁକ୍ତ କରିପାରିବେ । କଥାଟି ପୁଟ୍ଟାପ୍ପାଙ୍କର ମର୍ମ ଭିତରେ ପ୍ରବେଶ କରିଥିଲା ଓ ତାଙ୍କ ଉତ୍ସାହର ଧାରାଟି ମଧ୍ୟ ସେଇଠୁ ବଦଳି ଯାଇଥିଲା । ସେ ନିଜେ ଲେଖିଥିବା ଇଂରାଜୀ କବିତାଗୁଡ଼ିକୁ କନ୍ନଡ଼ରେ ଅନୁବାଦ କରି ପ୍ରକାଶ କଲେ ଓ ସେଥିରୁ ଅଧିକ ସୃଜନାତ୍ମକ ଆନନ୍ଦ ଲାଭ କଲାପରି ଅନୁଭବ କଲେ । ସେଗୁଡ଼ିକରେ ଅଧିକ ମାଧୁର୍ଯ୍ୟ ଥିଲା, ପ୍ରଭାବଶାଳୀତାବି ରହିଥିଲା । ପାଠକମାନେ ମଧ୍ୟ ସେଗୁଡ଼ିକୁ ଅଧିକ ଆତ୍ମୀୟତା ସହିତ ଗ୍ରହଣ କରିଥିଲେ ଓ କବିଙ୍କୁ ତାଙ୍କର ପ୍ରାପ୍ୟ ସ୍ୱୀକୃତିଟିକୁ ଦେଇଥିଲେ ।

 

ଏହିପରି ଭାବରେ ପୁଟ୍ଟାପ୍ପାଙ୍କର ଲେଖିବାର ଧାରାଟି ବଦଳି ଯାଇଥିଲା । ନିଜର କବି–ମନୀଷାର ଅସଲ ଆବେଦନଟି ମଧ୍ୟ ବଦଳି ଯାଇଥିଲା । ଆପେ ଏକା ହୋଇ ଏକ ଅନ୍ୟ ଭାଷାର ଆକାଶରେ ପ୍ରାୟ ହାସ୍ୟାସ୍ପଦ ହୋଇ ଉଡ଼ିବା ପରିବର୍ତ୍ତେ ସେ ଭୂମିକୁ ଓହ୍ଲାଇ ଆସିଲେ, ଆପଣାର ଅନ୍ତର୍କଥାଗୁଡ଼ିକୁ ବ୍ୟକ୍ତକରି ପାରିଲେ ଓ ମାଟି ଛୁଇଁଲେ । ସେଦିନଠାରୁ ସେ ଜୀବନରେ ଆଉ କେବେହେଲେ ଇଂରାଜୀରେ ଲେଖିବାକୁ ମନକରି ନାହାନ୍ତି । ଓଡ଼ିଆ ସମେତ ଆଉ କେତେକ ଭାରତୀୟ ଭାଷାରେ କତିପୟ ଲେଖକ ସତେଅବା କେଉଁ ରାଜନଅରରେ ଘରଜୁଆଇଁ ହୋଇ ରହିବେ ବୋଲି ଏବେ ଯେଉଁ ଅଭିଲା ପ୍ରୟାସ କରୁଛନ୍ତି ଏବଂ ମୂଳତଃ ସେହି କାରଣରୁହିଁ ନିଜ ଭୂଇଁଟାରେ ନିଃସଙ୍ଗ ହୋଇ ରହିଛନ୍ତି, ପୁଟ୍ଟାପ୍ପାଙ୍କର ଦୃଷ୍ଟାନ୍ତଟିକୁ ସେମାନଙ୍କର ବିଶେଷ ଭାବରେ ଜାଣିବା ଉଚିତ । ଆମ ଆଧୁନିକ ସାହିତ୍ୟକୁ ଧର୍ମତଃ ଭୂଇଁଛଡ଼ା କରି ରଖିବାରେ ସେମାନେ ହୁଏତ ଇଚ୍ଛା ନଥାଇ ମଧ୍ୟ କେତେଭଳି ସହାୟତା କରୁଛନ୍ତି । ସାହିତ୍ୟଗାଁରେ ଡିକୁ ହୋଇ ରହିଛନ୍ତି । ନିଜର ଭୂମିଟି ପ୍ରତି, ଭାଷା ପ୍ରତି ଓ ଜଣେ ଜଣେ ଅଙ୍ଗୀକାରବଦ୍ଧ ମଣିଷ ହିସାବରେ ପରିପାର୍ଶ୍ୱର ଜୀବନ ପ୍ରତି ଏକ ଅବଜ୍ଞା ସୃଷ୍ଟିକରି ରଖିବାରେ ସେମାନେ ନିମିତ୍ତ ପରି କାର୍ଯ୍ୟ କରୁଛନ୍ତି । ଏହି ଭୂଇଁଟିର ଏକାଧିକ ଅନ୍ତର୍ଯାତ୍ରାରେ ସେମାନେ ପ୍ରାୟ ବାଟ ଓଗାଳି ବସିଛନ୍ତି । ସାହିତ୍ୟର ଅସଲ ଉତ୍ସାହଟିକୁ ବଣାକରି ରଖିଛନ୍ତି । ଏହି ପୃଥିବୀର ଯେକୌଣସି ସଭ୍ୟ ଓ ଭଦ୍ର ଦେଶରେ କେଉଁଠି ହେଲେ ସାହିତ୍ୟକାରମାନେ ଆପଣାର ଭାବଗତ ଭୂମିରେ ବିଟ ହୋଇ ରହିବାକୁ ଓ ସେଇଥିରେ ଏକ ଉଗ୍ରମନ୍ୟ ଆନନ୍ଦ ଅନୁଭବ କରିବାକୁ କଦାପି ମନ କରନ୍ତି ନାହିଁ । ଭାରତୀୟ ସାହିତ୍ୟରେ କେତେ ଲେଖକ ଯେ ସେପରି କରୁଛନ୍ତି ଓ ନିଜ ଘରେ ଆଖି ଫିଟିବା ଆଗରୁ ଆଉ କେଉଁ ମିଛ ମହୁଡ଼ ଉପରେ ରାବକରି ଆପଣାର ଆଧୁନିକ ଅସ୍ତିତ୍ଵକୁ ସାବ୍ୟସ୍ତ କରିବାର ପ୍ରୟାସ କରୁଛନ୍ତି, ସେମାନେ ପ୍ରାୟ ଦୈବବଶ ହୋଇ ନିଃସଙ୍ଗତାଦ୍ୱାରା ଦଗ୍ଧ ହେବେନାହିଁ ତ ଆଉ ଅଧିକା କ’ଣ କରିପାରିବେ ? ସେମାନେ ଦଗ୍ଧ ହେବେ, ଉଗ୍ର ହେବେ, ମିଛି ପରାକ୍ରମୀ ହେବେ, ଗୋଟାଏ ଗୋଟାଏ Antihero ହୋଇ ରହିଯିବେ । ଗୃହଶୂନ୍ୟ, ଭୂମିଶୂନ୍ୟ ହୋଇ ରହିଥିବେ ।

Image

 

ଶିକ୍ଷାକଷଣର କାହାଣୀ

 

ଖବରକାଗଜରେ ବାହାରିଛି ଯେ, ଦକ୍ଷିଣ କୋରିଆର ରାଜଧାନୀ ସିଓଲ ସହରର ଗୋଟିଏ ଏଗାର ବରଷର ପିଲା ପନ୍ଦର ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛି । ବାଳକଟି ସେହି ସହରର କୌଣସି ଏକ ଇସ୍କୁଲରେ ପାଠ ପଢ଼ୁଥିଲା । ଖୁବ୍ ସମ୍ଭବ ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବ । କୋଠା ଉପରୁ ଡେଇଁ ମୃତ୍ୟୁବରଣ କରିବା ପୂର୍ବରୁ ସିଏ ଖଣ୍ଡେ କାଗଜରେ ଯାହା ଲେଖିଦେଇ ଯାଇଥିଲା, ସେଥିରେ ଲେଖାଥିଲା ଯେ ପାଠ ପଢ଼, ପାଠ ପଢ଼ ବୋଲି ସମସ୍ତେ ତା’ ଉପରେ ସବୁବେଳେ ଯେଉଁ ଚାପ ପକାଇଲେ, ସେଇଥିରେ ବିରକ୍ତ ହୋଇ ସେ ନିଜର ହାତରେ ନିଜ ଜୀବନ ନେବାପାଇଁ ସ୍ଥିର କରିଥିଲା । ଘରର ଲୋକମାନଙ୍କଠାରୁ ଖବର ମିଳିଲା ଯେ, ପିଲାଟି ଇସ୍କୁଲରେ ଭଲ ପଢ଼ୁଥିଲା ଓ ପରୀକ୍ଷାରେ ସାଙ୍ଗମାନଙ୍କ ଭିତରେ ପ୍ରଥମ କି ଦ୍ୱିତୀୟ ମଧ୍ୟ ହେଉଥିଲା । ତା’ ଶ୍ରେଣୀର ଆଉ ଗୋଟିଏ ପିଲା ବାସ କରୁଥିବା ଉଚ୍ଚ ଅଟ୍ଟାଳିକା ଉପରୁ ଡେଇଁ ସଂସାରରୁ ବିଦାୟ ନେବାକୁ ଯେ ସେ ଶେଷକୁ ସ୍ଥିରକଲା, ସେହି ବିଷୟରେ ସିଏ ଲେଖିଥିଲା, ‘‘ସବୁବେଳେ ସମସ୍ତେ ମୋତେ ଖାଲି ପଢ଼ ପଢ଼ ବୋଲି କହିଲେ । ସେମାନଙ୍କ ସେହି କଥାଗୁଡ଼ାକ ଶୁଣି ଶୁଣି ମୁଁ ବିଜାର ହୋଇପଡ଼ିଲି । ଏମିତି ଭାବରେ ଏମାନଙ୍କର ମେଳରେ ବଞ୍ଚି ରହିବାକୁ ମୋର ଆଉ ମୋଟେ ଇଚ୍ଛା ହେଲାନାହିଁ । ବର୍ତ୍ତମାନ ମୋତେ ପଢ଼ିବା ଲାଗି କେବଳ ଘୃଣାହିଁ ଲାଗୁଛି ।’’ ଦକ୍ଷିଣ କୋରିଆର ପିଲାମାନଙ୍କ ଉପରେ ବାପାମାଆମାନଙ୍କ ଆଡ଼ୁ ପଢ଼ିବା ଲାଗି ଯେ କେଡ଼େ ଚାପ ପଡ଼େ, ଏହି ଗୋଟିଏ ଘଟଣାରୁ ତାହାର ପରିଚୟ ମିଳିବ । ବାପାମାଆ ସବୁବେଳେ ବଡ଼ ଅସହିଷ୍ଣୁ ଭାବରେ ଇଚ୍ଛା କରୁଥାନ୍ତି ଯେ, ସେମାନଙ୍କର ପିଲାଟି ଅଧିକରୁ ଅଧିକ ଭଲ ପାଠ ପଢ଼ିବ, ଅର୍ଥାତ୍ ପରୀକ୍ଷାରେ ଭଲରୁ ଅଧିକ ଭଲ ଫଳ ଦେଖାଇବ । ଭଲ ଫଳ ଦେଖାଇବାକୁ ହେଲେ ତାକୁ ଯଥାସମ୍ଭବ ଅଧିକ ପରିଶ୍ରମ କରି ଓ ଅଧିକ ସମୟ ଦେଇ ପାଠ ପଢ଼ିବାକୁ ହେବ । ସିଏ ଇସ୍କୁଲରେ ପଢ଼ିବ, ଇସ୍କୁଲରୁ ଆସି ଘରେବି ପଢ଼ିବ । ମୋଟେ ସମୟ ନଷ୍ଟ କରିବନାହିଁ । ଏହିପରି ଭାବରେ ସେହି ଦେଶର ପିଲାକୁ ପାଠ ପଢ଼ିବାରେ ଦିନରେ ପ୍ରାୟ ବାରଘଣ୍ଟା ସମୟ ଦେବାକୁ ପଡ଼େ । ଇସ୍କୁଲରୁ ଘରକୁ ଆସି ସିଏ ଯେପରି ଚଗଲା ହୋଇ ଏଣେତେଣେ ମନ ନଦେବ, ସେଥିଲାଗି ତା’ପାଇଁ ଘରେ ମଧ୍ୟ ଟିଉସନ୍ ମାଷ୍ଟର ବ୍ୟବସ୍ଥା ହୋଇ ରହିଥାନ୍ତି ।

 

ଭଲ ପାଠ ନପଢ଼ିଲେ ଆଉ ଗତି ନାହିଁ । କାରଣ, ପରୀକ୍ଷାରେ ଭଲ କରିବାକୁହିଁ ହେବ-। ଭଲ ପାଠ ନପଢ଼ିଲେ ଦେଶରେ ସଫଳ ହେବାଲାଗି ରହିଥିବା ପ୍ରବଳ ପ୍ରତିଯୋଗିତାରେ ଜଣେ ମଣିଷ ଆଉ ମୋଟେ ପାରି ଉଠିବନାହିଁ । ଦକ୍ଷିଣ କୋରିଆକୁ ଏସିଆର ଏକ ଅନ୍ୟତମ ଧନୀଦେଶ ବୋଲି କୁହାଯାଇପାରିବ । ଧନୀ ଦେଶର ମଣିଷକୁ ଅଧିକରୁ ଅଧିକ ଧନ ଉପାର୍ଜନର ସମର୍ଥ ହେବାକୁ ହେଲେ ଅନ୍ୟମାନଙ୍କ ସହିତ ଏକ ତୁମୂଳ ପ୍ରତିଯୋଗିତାରେ ଅବତରଣ କରିବାକୁ ହେବ ଏବଂ ସେହି ପ୍ରତିଯୋଗିତାର ମନୋଭାବଟିକୁ ତାକୁ ଏକାବେଳକେ ପିଲାଟି ଦିନରୁ ଆୟତ୍ତ କରିବାକୁ ପଡ଼ିବ । ପ୍ରତିଯୋଗିତାରେ ଯେ ସିଏ ଅନ୍ୟମାନଙ୍କଠାରୁ ଆଦୌ କୌଣସି ଗୁଣରେ ଊଣା ନୁହେଁ, ଇସ୍କୁଲରେ ହେଉଥିବା ପରୀକ୍ଷାମାନଙ୍କରୁ ତାକୁ ତାହାର ପ୍ରମାଣ ଦେବାକୁ ପଡ଼ିବ । ଅନ୍ୟ ମଣିଷମାନଙ୍କୁ ପ୍ରତିଯୋଗିତାରେ ଟପିଗଲେ ଯେଉଁ ଆନନ୍ଦ ମିଳେ, କେବଳ ସମ୍ପୃକ୍ତ ପିଲାଟିକୁ ନୁହେଁ, ସେହି ପିଲାର ଶୁଭ ଆକାଂକ୍ଷା କରୁଥିବା ତା’ ବାପାମାଆ ଏବଂ ଅନ୍ୟ ଆତ୍ମୀୟ ଓ ସ୍ୱଜନମାନଙ୍କୁ ମଧ୍ୟ ସେହି ଆନନ୍ଦ ଅବଶ୍ୟ ମିଳିବ, ତେବେ ଯାଇ ହେବ । ମଣିଷକୁ ପ୍ରତିଯୋଗିତାରେ ଟପିଯିବାର ଆନନ୍ଦ ଗୋଟିଏ ପ୍ରକାରର ଏବଂ ଭିତରୁ ଏକ ଆତ୍ମୀୟତାଦ୍ୱାରା ପ୍ରେରିତ ହୋଇ ମଣିଷମାନଙ୍କ ସହିତ ଯୁକ୍ତ ହୋଇପାରିବାର ଆନନ୍ଦ ଆଉ ଗୋଟିଏ ପ୍ରକାରର-। ସମ୍ଭବତଃ ପାଠକୁ ମଧ୍ୟ ଏହି ଦୃଷ୍ଟିରୁ ମୂଳରୁହିଁ ଦୁଇ ପ୍ରକାରର ବୋଲି କୁହାଯାଇପାରିବ-। ଏହି ଦୁଇ ପ୍ରକାରର ପାଠ ଭିତରୁ କୋଉଟା ଭଲ ଓ କୋଉଟା ଭଲ ନୁହେଁ, ବିଭିନ୍ନ ସମାଜରେ ଏ ବିଷୟରେ ବିଭିନ୍ନ ଧାରଣାମାନ ରହିଛି । ଖାଲି ଧାରଣା ନୁହେଁ, ବିଭିନ୍ନ ନିଶାମାନ ମଧ୍ୟ ରହିଛି । ଏହି ଧାରଣା ଓ ନିଶାଗୁଡ଼ିକରେ ଯଥାର୍ଥ ମୂଲ୍ୟ ନିର୍ଣ୍ଣୟ କରିବାକୁ ହେଲେ ଆମକୁ ହୁଏତ ଆହୁରି ମୂଳକୁ ଯିବାକୁ ପଡ଼ିବ । ମଣିଷର ଜୀବନରେ ଅସଲ ଉଦ୍ଦେଶ୍ୟ କ'ଣ ସେହି ବିଷୟରେ ମଧ୍ୟ ନାନା କଥା ଓ ନାନା ପ୍ରଶ୍ନକୁ ଉଖାରିବାକୁ ପଡ଼ିବ । ସମୂହଗତ ନାନା କାରଣରୁ ଗୋଟାଏ ଗୋଟାଏ ସମାଜ କିପରି ଜୀବନର ଅସଲ ମୂଲ୍ୟ ଓ ତେଣୁ ଅସଲ ଧର୍ମରୂପେ ଏଇଟିକୁ ଅଥବା ସେଇଟିକୁ ଆଦରି ନେଇଥାନ୍ତି, ସେହି କଥାଟିରବି ଆଲୋଚନା କରିବାକୁ ପଡ଼ିବ । ତେବେ ଯାଇ, ଦକ୍ଷିଣ କୋରିଆରେ ସେହି ସରଳମତି ପିଲାଟି ଏପରି ବିରକ୍ତ ଓ ଅସହାୟ ଭାବରେ କାହିଁକି ନିଜ ହାତରେ ନିଜର ପ୍ରାଣ ନେଲା, ଆମକୁ ସେହି ବିଷୟରେ ମଧ୍ୟ କିଛି ସୂତ୍ର ହୁଏତ ମିଳିଯାଇପାରିବ-

 

ଆମ କଳିଯୁଗରେ ଶାସ୍ତ୍ରମାନଙ୍କରେ ଗୋଟାଏ କଥା, ବାସ୍ତବ ଜୀବନରେ ଏକାବେଳେକେ ଆଉଗୋଟିଏ କଥା । ସତ୍ୟଯୁଗ ପ୍ରକୃତରେ କେବେ ରହିଥିଲା କି ନାହିଁ, ସେକଥାଟି ବିଷୟରେ ଦୁଇମତ ଅବଶ୍ୟ ରହିବ ସତ, ମାତ୍ର ଶାସ୍ତ୍ରଗୁଡ଼ାକୁ ପାଠ କରୁଥିବା ସମୟରେ ସତେଅବା ଅନ୍ତତଃ ଘଡ଼ିକ ନିମନ୍ତେ ସତ୍ୟଯୁଗ ନାମକ ସରୋବରେ ମନ ଆନନ୍ଦରେ ସନ୍ତରଣ କରୁଥିବା ପରି ମନେ ହୋଇଥାଏ । ଶାସ୍ତ୍ରରେ ଆନନ୍ଦକୁହିଁ ସବାବଡ଼ କଥା ବୋଲି କୁହାଯାଇଛି । ସେହି ଆନନ୍ଦ କେତେକ ଧର୍ମଶାସ୍ତ୍ରର ବଚନ ଅନୁସାରେ ସ୍ୱର୍ଗଲୋକରେ ଯାଇ ରହିଛି । ପୃଥିବୀରେ ସେହି ଆନନ୍ଦର ଖାଲି କଳ୍ପନା ସିନା କରାଯାଇପାରିବ, ମାତ୍ର ପୃଥିବୀଟା ହେଉଛି ଅନ୍ନର ପୃଥିବୀ, ଅନ୍ନକୁ ଭୋଗ କରିବାର ପୃଥିବୀ । ଅନ୍ନପାଇଁ ନିରନ୍ତର ପ୍ରତିଯୋଗିତା କରୁଥିବାର ପୃଥିବୀ । ଆଉ କାହା ହାତର ଅନ୍ନକୁ ଛଡ଼ାଇନେଇ, ତାକୁ ଟପି ଯାଇ ନିଜେ ଅଧିକରୁ ଅଧିକ ଅନ୍ନବନ୍ତ ଓ ତେଣୁ ଭାଗ୍ୟବନ୍ତ ବୋଲାଇ ପାରିବାର ପୃଥିବୀ । ଆମ ପୃଥିବୀର ପିଲାମାନେ ବହିମାନଙ୍କରେ ଆନନ୍ଦ ବିଷୟରେ କେତେକଅଣ ପଢ଼ନ୍ତି, ଭଳିଭଳି କଳ୍ପନା ଭିତରେ ଭାସିଯିବା ନିମନ୍ତେ କେତେ ଉତ୍ତେଜକ ତଥା ଉଦ୍‍ପ୍ରେରକ ଖାଦ୍ୟ ପାଇବାରେ ଲାଗିଥାନ୍ତି । ମାତ୍ର ଆନନ୍ଦର ବ୍ୟାପାରଟି ସତେଅବା ସେହି ପୋଥି ଭିତରେ, ପୋଥିନାମକ କଳ୍ପନା ଭିତରେ ଅଥବା କଳ୍ପନା ନାମକ ପୋଥି ଭିତରେହିଁ ରହିଯାଏ । ଆମ ପୃଥିବୀଟାକୁ ଏପରି ଭାବରେ ତିଆରି କରି ରଖାଯାଇଛି, ଯେଉଁଠି କି କଳ୍ପନା କେବେହେଲେ ତଳି ଛୁଏଁନାହିଁ, କେବେହେଲେ ମେଘ ହୋଇ ବରଷେ ନାହିଁ କି ମାଟିକୁ ପୁଲକିତ କରିପାରେନାହିଁ । ସର୍ବଦା କେବଳ ଏକ ଆରଦୃଶ୍ୟ ହୋଇ ରହିଥାଏ । ଉଚ୍ଚାଟିତ କରାଏ, ଛଟପଟ କରାଏ ଓ ଭାଗ୍ୟବାଦୀ କରି ରଖିଥାଏ । ଭାଗ୍ୟବାଦୀମାନେ ଏହି ସଂସାରରେ ଧୂଳିମାଟିର ଏହି ଯାବତୀୟ ସମ୍ବନ୍ଧରେ ଆନନ୍ଦ କେବେହେଲେ ସମ୍ଭବ ହେବ ବୋଲି ପ୍ରତ୍ୟୟ ପାଇପାରନ୍ତି ନାହିଁ ।

 

ସେମାନେ ଆନନ୍ଦକୁ ସୁଖ ବୋଲି ବିଶ୍ଵାସ କରନ୍ତି, କଳିଯୁଗ ଭିତରେ ବଞ୍ଚନ୍ତି । ସୁଖପାଇଁ ସେମାନେ ପ୍ରତିଯୋଗିତା କରନ୍ତି, ପ୍ରତିଯୋଗିତାକୁ ସତେଅବା ଧର୍ମ ବୋଲି ଗ୍ରହଣ କରିନିଅନ୍ତି । ଦେଉଳମାନଙ୍କରେ ଠାକୁରଙ୍କୁ ଝୁରନ୍ତି, ଦେଉଳ ବାହାରେ ପରସ୍ପରକୁ ଗିଳିବା ନିମନ୍ତେ ଧାଇଁଥାନ୍ତି । ଆମ ପ୍ରତିଯୋଗିତା ଯୁଗର ଯାବତୀୟ ପାଠବ୍ୟବସ୍ଥା ସତେଅବା ସେହି ଅପବୁଦ୍ଧିର କୌଣସି ପାପ ଔରସରୁ ଜାତ ହୋଇ ଆମର ବିବେକଗୁଡ଼ାକ ଚରି ରହିଥାଏ ଓ ଆମକୁ ନୃଶଂସ କରି ରଖିଥାଏ । ସତକୁସତ ମଣିଷ ଭିତରେ ଯଦି ଆତ୍ମା ବୋଲି କୌଣସି ପଦାର୍ଥ ରହିଥାଏ, ତେବେ ଜଣେ ମଣିଷ ଆଉଜଣେ ମଣିଷକୁ ଗିଳି ପକାଇବାକୁ ଧାଇଁବ କାହିଁକି ? ଗୋଟିଏ ଆତ୍ମା ଆଉ ଗୋଟିଏ ଆତ୍ମା ସହିତ ପ୍ରତିଯୋଗିତା କରିବ ବା କାହିଁକି ? ଆତ୍ମା ବିଷୟରେ ସଚେତନ ମଣିଷମାନେ ସମସ୍ତେ ଏକାଠି ବାସ କରିବାରେ ଓ ସାଙ୍ଗ ହୋଇ ବାଟ ଚାଲିବାରେ ପରସ୍ପରକୁ ବଳ ଓ ବିଶ୍ୱାସ ଯୋଗାଇ ନଦେବେ କାହିଁକି ? ସମସ୍ତେ ଏକାଠି ଗୋଟିଏ କୁଟୁମ୍ବ ପରି ବାସ କରିବେ ଓ ସାଙ୍ଗ ହୋଇ ବାଟ ଚାଲିବେ, ଏକଥା ସବୁ ଧର୍ମର ଓ ସବୁ ଜ୍ଞାନର ଶାସ୍ତ୍ରମାନଙ୍କରେ ଲେଖା ହୋଇଛି ସିନା, ମାତ୍ର ଆମର ଏହି ସ୍ତରର ବାସ୍ତବତା ଭିତରକୁ ଆସି ସବୁ ଯେପରି ଅତ୍ୟନ୍ତ ନିର୍ମମ ଭାବରେ ଗୋଳମାଳିଆ ହୋଇଯାଉଛି । ମଣିଷର ହୃଦୟଟା ମଣିଷର ମସ୍ତିଷ୍କକୁ ଭାରି ଡରୁଛି କି କ’ଣ କେଜାଣି, ମଣିଷର ପରିଚାଳକ ଓ ବ୍ୟବସ୍ଥାପକମାନେ ପାଠର ସଂସାରଟାକୁ ନିତାନ୍ତ ଅବିବେକୀ କରି ରଖିଛନ୍ତି । ଆମ ପିଲାଏ ଯାହାସବୁକୁ ପାଠ ବୋଲି ପଢ଼ୁଛନ୍ତି, ସେମାନେ ତାହାକୁ ସତେଅବା ଏକ ଅପାଠୁଆ ପ୍ରତିଯୋଗିତାରେ ଜିତିବେ ବୋଲିହିଁ ପଢ଼ୁଛନ୍ତି । ଆମ ବାପାମାଆମାନେ ଯାହା ଅଙ୍ଗେ ନିଭାଇଛନ୍ତି, ନିଜ ପିଲାମାନଙ୍କ ଉପରେ ହୁଏତ ତାହାକୁହିଁ ଲଦି ଦେଇ ଭାରି ଆତ୍ମପ୍ରସାଦ ଲାଭ କରୁଛନ୍ତି ।

 

ଆମେ ପଢ଼ୁଥିବା ପାଠ ସହିତ ଆମ ଅର୍ଥୋପାର୍ଜନର ବାଟଗୁଡ଼ାକର ଯେକୌଣସି ସମ୍ପର୍କ ନାହିଁ, ସେକଥା ଆମେ ସମସ୍ତେ ଭାରି ଭଲ କରି ଜାଣିଛୁ । କଥିତ ଅଛି ଯେ, ପ୍ରସିଦ୍ଧ ଅସ୍ତିତ୍ୱବାଦୀ ଦାର୍ଶନିକ ଶ୍ରୀ ମାର୍ଟିନ ହାଇଡ଼ିଗର୍ ହିଟ୍‍ଲର ଶାସିତ ଜର୍ମାନୀରେ ଯେତେବେଳେ ପାଠ ପଢ଼ାଉଥିଲେ, ସେତେବେଳେ ସିଏ ଅତ୍ୟନ୍ତ ଅଚକିତ ଏବଂ ନିର୍ଲିପ୍ତ ଭାବରେ ଛାତ୍ରମାନଙ୍କୁ କହୁଥିଲେ ଯେ, ସିଏ ପଢ଼ାଉଥିବା ଦର୍ଶନଶାସ୍ତ୍ରର ଅବଶ୍ୟ ଏକ ମୂଲ୍ୟ ଓ ମହତ୍ତ୍ୱ ରହିଛି ଏବଂ ଜିଜ୍ଞାସୁର ମନକୁ ତାହା ଆବଶ୍ୟ ଆନନ୍ଦ ଦେଇପାରିବ । ମାତ୍ର ପିଲାମାନେ ଯେପରି ସେଗୁଡ଼ାକୁ ଜୀବନସ୍ତରର ସତ୍ୟ ବୋଲି ଭାବିବାର ଭୁଲ୍ କେବେହେଲେ ନକରନ୍ତି; କାରଣ, ଯାହା ଶାସନର ପରମକର୍ତ୍ତା ହିଟଲର କହୁଛନ୍ତି, ବାସ୍ତବ ସତ୍ୟଜୀବନରେ ସେହିଗୁଡ଼ିକହିଁ କାମ ଦେବ । ଗୋଟାଏ ହିଟ୍‍ଲରଙ୍କୁ ଯୁଦ୍ଧରେ ମାରି କେତେକେତେ ନିର୍ମମ ଅବିଦ୍ୟା ଓ ଅଜ୍ଞାନ ଯେ ଦୃଶ୍ୟ ଓ ଅଦୃଶ୍ୟ ଭାବରେ ଆମର ଏହି ପୃଥିବୀରେ ହିଟ୍‍ଲର ପରି ଆମର କାନ ଧରି ବାଟ ବତାଇବାରେ ଲାଗିଛନ୍ତି ଏବଂ ଆମକୁ କେଡ଼େ ଅସଚେତ ଭାବରେ ବାଧ୍ୟ କରି ରଖିଛନ୍ତି, କିଏ ଆମ ଭିତରୁ ବ୍ୟତିକ୍ରମ ହୋଇ ବାହାରି ସେହି କଥାଟିର ସୁମାରି କରିପାରିବ ? ବିଦ୍ୟା ମୁକ୍ତି ଦିଏ ବୋଲି ଆମ ଶାସ୍ତ୍ରମାନଙ୍କରେ କୁହାଯାଇଛି । ଜ୍ଞାନ କୁଆଡ଼େ ଆଲୋକନ ବ୍ୟତୀତ ଆଉ କିଛିହେଲେ କରେନାହିଁ ବୋଲି ଆମ ଜ୍ଞାନୀମାନେ କେତେ ପ୍ରକାରେ ଫେଣେଇ କହିଛନ୍ତି । ମାତ୍ର ଏହି ତୁଚ୍ଛା କଳିଯୁଗଟାରେ ଆମର ବାପମାଆମାନେ ଆମ ଇସ୍କୁଲଗୁଡ଼ିକ ସହିତ କେଉଁ ଷଡ଼ଯନ୍ତ୍ରରେ କାହିଁକି ଏପରି ଲିପ୍ତ ହୋଇ ପଡ଼ିଛନ୍ତି ଯେ, ସତେଅବା ସଲା କରିଥିବା ପରି ଆମ ପିଲାମାନଙ୍କୁ ମୃତ୍ୟୁଜାଲ ଭିତରକୁ ଠେଲି ଦେଇ ପାରୁଛନ୍ତି ? ଆମ ବାପା ମାଆ ଏବଂ ଆମ ଇସ୍କୁଲମାନଙ୍କୁ ସେମାନେ ପଡ଼ିଯାଇଥିବା ଜାଲ ଭିତରୁ ମୁକ୍ତ କରି ଆଣିବାପାଇଁ ପୁଣି କେଉଁ ଦେବତାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟର ଅନ୍ଧାର ଭିତରକୁ ଓହ୍ଲାଇବାକୁ ପଡ଼ିବ ଓ ତେବେଯାଇ ଧର୍ମର ସଂସ୍ଥାପନା ସମ୍ଭବ ହେବ ?

 

କୋରିଆର ଯେଉଁ ୧୧ ବରଷର ଛୁଆଟି ନିଜର ଆତ୍ମହତ୍ୟାଦ୍ୱାରା ତା’ ଇସ୍କୁଲର ପାଠଶ୍ରମ ବିଷୟରେ ଏକ ପ୍ରତିବାଦ ଜଣାଇଲା, ସିଏ ପ୍ରତିଯୋଗିତାରେ ବିଶ୍ୱାସ କରୁଥିବା ଏବଂ ଟପିଯିବାକୁ ତଥା ଗିଳିପକାଇବାକୁ ଧର୍ମ ବୋଲି ଆଦରି ନେଇଥିବା ପୃଥିବୀର ପ୍ରତ୍ୟେକ ସମାଜକୁ ନିଶ୍ଚୟ ବିଭ୍ରାନ୍ତି ମଧ୍ୟରେ ନେଇ ପକାଇଦେବ । ପିଲାମାନେ ଆତ୍ମହତ୍ୟା ନାମକ ଏକ ନିଷ୍ପତ୍ତି ସତକୁସତ କରିବା ପୂର୍ବରୁ ଆମେ ଇସ୍କୁଲ ନାଆଁରେ, ପାଠ ନାଆଁରେ ଓ ପ୍ରତିଯୋଗିତାଦ୍ୱାରା ପୃଥିବୀରେ ପ୍ରତିଷ୍ଠିତହେବା ନାଆଁରେ ହୁଏତ ପ୍ରତ୍ୟେକ ପଦରେ ପିଲାମାନଙ୍କୁ ହତ୍ୟା କରିବାରେ ଲାଗିଛୁ । ସେମାନେ ଯାହା ଆଦୌ ନୁହନ୍ତି ଏବଂ ଯାହା ହେବାଲାଗି ଆଦୌ ଇଚ୍ଛା କରୁନାହାନ୍ତି, ଆମେ ଅଧିକାଂଶତଃ ସେମାନଙ୍କୁ ସତେଅବା ତାହାହିଁ ହେବାପାଇଁ ବାଧ୍ୟ କରୁଛୁ । ସେହି ଅବ୍ୟବସ୍ଥା ବା ଅନ୍ଧ ବ୍ୟବସ୍ଥାଟିକୁ ଶିକ୍ଷା ବ୍ୟବସ୍ଥା ବୋଲି କହିବାରେ ଲାଗିଛୁ ଓ ସେଥିରେ କୋଟି କୋଟି ଟଙ୍କା ଖରଚ କରୁଛୁ । ଆମ ସିଷ୍ଟମ୍‍ଗୁଡ଼ାକୁ ଚଳାଉଥିବା ଯେଉଁ ବଡ଼ମାନେ ସେହି ଅବ୍ୟବସ୍ଥା ଉପରେ ରାଜା ହୋଇ ବସିଛନ୍ତି, ସେମାନେ ସ୍ଵୟଂ ଶିକ୍ଷିତ ଅର୍ଥାତ୍‌ ଚେତନାବନ୍ତ ହୋଇଥିଲେ କଦାପି ଏପରି ହୁଅନ୍ତା ନାହିଁ । ସେମାନେ କ୍ଷମତାର ମଣିଷ, କଳେବଳେ କୌଶଳେ ଅନ୍ୟ ଅନେକଙ୍କୁ ଟପି ଯାଇଥିବାର ମଣିଷ । ଉପନିଷଦର ଭାଷାରେ ସେମାନଙ୍କୁ ଆତ୍ମହନୋ ଜନାଃ ବୋଲିହିଁ କୁହାଯିବ । ସେହିମାନଙ୍କ ହାତରେ ଏବେ ପୃଥିବୀର ସବୁଯାକ ଡୋର ଠୁଳ ହୋଇ ରହିଛି । ପଇସା ଓ ଅସ୍ତ୍ରବଳ ସେହିମାନଙ୍କର ହାତରେ ରହିଛି । ବିବେକ ହରାଇ ବସିଥିବାରୁ ସେମାନଙ୍କ ଭିତରେ ମନୁଷ୍ୟ–ସୁଲଭ ଗ୍ରହଣଶୀଳତା ପ୍ରାୟ କିଛିହେଲେ ନାହିଁ । ମଣିଷ ନିର୍ବୋଧ ହେଲେ ନିର୍ମମ ହୁଏ ଅଥବା ନିର୍ମମ ହେଲେ ନିର୍ବୋଧ ହୁଏ, ସେକଥା ସେହିମାନେ ଅଥବା ସେମାନଙ୍କର ଅମଲାମାନେହିଁ କହିପାରିବେ ।

 

ଆମ ପୃଥିବୀରେ ସବୁ ଅଛି, ଅଥଚ ହୃଦୟଟିଏ ନାହିଁ କାହିଁକି ? ଅସଲ ବିଜ୍ଞାନ ମଣିଷକୁ ପ୍ରକୃତରେ କ୍ରୂର ନକରି ହୃଦୟବାନହିଁ କରନ୍ତା, ମାତ୍ର ଆମ ହାତରେ ଆଶ୍ଚର୍ଯ୍ୟ ପ୍ରଦୀପର ଭୂତ ପରି ହୋଇ ଆମର ବୋଲ ମାନୁଥିବା ଏହି ଯାବତୀୟ ବିଜ୍ଞାନ ଆମ ହୃଦୟଟାକୁ ସତେଅବା ମରହଟିଆ ବୋଲି କହି କୋଉ ପଛରେ ଫିଙ୍ଗି ଦେଇ ଆସିଲାଣି । ଅଥବା ତାହା ସେହି ହୃଦୟଟାକୁ ବହିଗୁଡ଼ାକର ପୃଷ୍ଠା ଭିତରେ ବାନ୍ଧି ରଖିଛି ଓ ତାକୁ ଜୀବନ ଭିତରୁ ବାସନ୍ଦ କରି ରଖିଛି । ଏହି ଭୂତକୁ ପୁନର୍ବାର କିଏ ଏ ହୃଦୟବାନ ମଣିଷରେ ଦୀକ୍ଷିତ କରାଇପାରିବ ? ଆମେ ନିଜେ ଇଚ୍ଛାକଲେହିଁ ତାହା କରିପାରିବା । ଆମ ଭିତରୁ କେତେଜଣ ମନ କଲେ ତାହା କରିପାରିବେ । କେତେଜଣ ଶିକ୍ଷକ ଅନ୍ୟପ୍ରକାରେ ପାଠ ପଢ଼ାଇବାକୁ ପଣ କଲେ ଏହି ଏବର ପାଠତାଡ଼ନାକୁ ଦୂର କରିପାରିବେ । କେତେଜଣ ବାପାମାଆ ସ୍ୱତଃପ୍ରବୃତ୍ତ ହୋଇ ଅନ୍ୟମନ୍ତେ ଭାବିଲେ ଓ ସକ୍ରିୟ ହେଲେ ସେମାନଙ୍କ ପୁଅଝିଅମାନଙ୍କର ପାଠକୁ ସେମାନଙ୍କ ଲାଗି ଏକ ଆନନ୍ଦମୟ ଅଭିଜ୍ଞତାରେ ରୂପାନ୍ତରିତ କରିଦେଇପାରିବେ । ଏପରି ହେଲେ ଆମ ପିଲାମାନେ ଗୋଟାସୁଦ୍ଧା ଏହିମାନଙ୍କ ପକ୍ଷରେ ହୋଇଯିବେ ଏବଂ ଏହାରିଦ୍ୱାରାହିଁ ଆମର ଜୀବନଟାକୁ ପ୍ରାୟ ଅଣନିଃଶ୍ଵାସୀ କରି ମାଡ଼ି ବସିଥିବା କ୍ରୂରତାଗୁଡ଼ାକର ଅନ୍ତ ହେବ । କଳିଯୁଗର ଅନ୍ତ ହେବ, ସତ୍ୟ ଭୂଇଁ ଛୁଇଁବ । ଆମ ଜୀବନରୁ ଅଭିନୟର ଅବସାନ ହେବ, ଅଯୋଗ୍ୟ ଓ ଅକାମ୍ୟମାନେ ଆମ ଉପରେ ଆଉ କୌଣସି ଦୌରାତ୍ମ୍ୟ କରିପାରିବେ ନାହିଁ । ସେତେବେଳେ ମଧ୍ୟ ଚାକିରି ରହିବ, ପାଠ ରହିବ, ଅର୍ଥୋପାର୍ଜନ ରହିଥିବ । ମାତ୍ର ସବାଆଗ ଏକ ସମ୍ମାନବୋଧ ଏବଂ ଆନନ୍ଦର ଆକାଂକ୍ଷାହିଁ ଆମର ଯାବତୀୟ ସମ୍ପର୍କ ଏବଂ ପାରସ୍ପରିକତାର ନିୟାମକ ହୋଇ ରହିଥିବ । ବଡ଼ ସାନକୁ ବାଧ୍ୟ କରିବ ନାହିଁ, ସାନକୁ ଈର୍ଷାବି କରିବ ନାହିଁ । ସାନ ମଧ୍ୟ ବଡ଼ମାନଙ୍କୁ ଏଡ଼ି ଆଉ କୁଆଡ଼େ ପଳାଇ ଯିବାକୁ ଅଥବା ଡେଇଁ ପଡ଼ିବାକୁ ମୋଟେ ମନ କରୁ ନଥିବ ।

Image

 

କାଶୀପୁର–ଅସଲ ଓ ଉପରକୁ

 

ଆମେ ଯେଉଁମାନେ କାଶୀପୁରଠାରୁ ଦୂରରେ ତଥା କାଶୀପୁରର ବାହାରେ ରହିଛୁ, କାଶୀପୁରକୁ ଦେଖିଲାବେଳେ ଏବଂ ତା’ପରେ ଘରକୁ ଫେରିଯାଇ କାଶୀପୁର ବିଷୟରେ କିଛି ଭାବିଲାବେଳେ କିମ୍ବା ଲେଖିବାବେଳେ ଏପରି ଏକ ନିର୍ଦ୍ଦିଷ୍ଟ ଶୈଳୀରେ ବିକଳ ହୋଇପଡ଼ୁଛୁ, ସମାଜ ବିଜ୍ଞାନର ମାନଦଣ୍ଡଗୁଡ଼ିକ ଅନୁସାରେ ଯାହାକୁ ବେଶ୍ ନ୍ୟାୟର ସହିତ ରୋମାଣ୍ଟିକ୍ ବୋଲି କୁହାଯାଇପାରିବ । କାଶୀପୁର ନାମକ ଏକ ଭୌଗୋଳିକ ଅଞ୍ଚଳରେ ଖାଇବା ମିଳୁନାହିଁ, ଲୋକମାନଙ୍କ ପାଇଁ କାମ ନାହିଁ, ଅଧିକ ପାଣି ବରଷି ଗାଁ ବାହାରକୁ ବାହାରି ହେଉନାହିଁ ଅଥବା ମୋଟେ ପାଣି ନବରଷି ଥିବାରୁ ଭୂଇଁ ଖାଁ ଖାଁ ଦେଖାଯାଉଛି, ଡାକ୍ତରଖାନା ଅଛି, ହୁଏତ ଡାକ୍ତର ନାହାନ୍ତି କିମ୍ବା ଡାକ୍ତର ରହିଥିଲେ ମଧ୍ୟ ଔଷଧ ନାହିଁ, ଇସ୍କୁଲ ଅଛି ତ ମାଷ୍ଟର ନାହାନ୍ତି, ଅଥବା ମାଷ୍ଟର ରହିଥିଲେ ମଧ୍ୟ ପିଲାମାନେ ଇସ୍କୁଲକୁ ଆସୁନାହାନ୍ତି–ଏହିପରି କେତେକେତେ ରୋମାଣ୍ଟିକ୍ କଥାରେ ଆମର ଲେଖାଗୁଡ଼ିକ ଭରପୂର ହୋଇଯାଏ । ବିକଳ ଲାଗେ, ଆକୁଳ ଲାଗେ ସତ, ମାତ୍ର ଲଜ୍ଜା ଲାଗେ ନାହିଁ । ରାଗ ଅବଶ୍ୟ ହୁଏ, ମାତ୍ର ପ୍ରଧାନତଃ ସରକାରଙ୍କ ଉପରେ ରାଗ ହୁଏ । ଏହି ହର୍ଷବିଗଳିତ ଭାରତବର୍ଷରେ ସରକାର କହିଲେ କ’ଣ କିମ୍ବା କେଉଁମାନଙ୍କୁ ବୁଝାଏ, ସେହି ବିଷୟରେ ଆମ ପାଖରେ ଶଗଡ଼େ ସତ୍ୟ ଏବଂ ତିନିଶଗଡ଼ ତଥ୍ୟ ରହିଥିଲେ ମଧ୍ୟ ତଥାପି ସରକାର ଉପରେ ରାଗ ହୁଏ । ସେହି ରାଗରେ ରାଗରେହିଁ କାଶୀପୁର ବିଷୟରେ ଆମର ପ୍ରାୟ ସବୁଯାକ ଉତ୍ସାହ ଓ ଦରଦ ନିଃଶେଷିତ ହୋଇଯାଏ । ତେଣିକି ଆମେ ଆହୁରି ଅନ୍ୟ କଥାମାନଙ୍କ ଆଡ଼କୁ ମନ ଦେଉ । ସମାନ ଦରଦ ଓ ସମାନ ଉତ୍ସାହର ସହିତ ମନ ଦେଉ ।

 

କାଶୀପୁରର କାହାଣୀ ହେଉଛି ଅସହାୟ ମଣିଷମାନଙ୍କର କାହାଣୀ । ଏହି ଅସହାୟ ମଣିଷମାନେ ଖାଲି କାଶୀପୁରରେ ନାହାନ୍ତି । ସେମାନେ ଆମ ଆଖି ତଳେ କଟକ ଏବଂ ଭୁବନେଶ୍ୱରରେ ଅଛନ୍ତି । ହଜାର ହଜାର ସଂଖ୍ୟାରେ ରହିଛନ୍ତି । ଆମେ ରୋମାଣ୍ଟିକ୍‍ମାନେ ସେମାନଙ୍କୁ ବହୁବିଧ ଅନ୍ୟ ଉତ୍ସାହରେ ପଡ଼ି କେତେବେଳେ କାଶୀପୁର ଓ ଆଉ କେତେବେଳେ କଳାହାଣ୍ଡିରେ ଖୋଜିବାକୁ ଯାଉଛୁ ସିନା, ସେମାନେ ଏହି ଦେଶରେ ସବୁଆଡ଼େ ଆମ ଜାତୀୟ ଦୃଶ୍ୟପଟରେ ଭର୍ତ୍ତି ହୋଇ ରହିଛନ୍ତି । ଆମେ ଦେଖିବା ଲୋକେ ଆଦୌ ଅସହାୟ ହୋଇ ରହିନାହୁଁ ବୋଲି ଅସହାୟ ମଣିଷ ଆମ ଚାରିଆଡ଼େ ଅତି ପାଖରେ ରହିଥିଲେ ମଧ୍ୟ ସେମାନଙ୍କୁ ଦେଖିପାରୁନାହୁଁ । ଏହି ଦେଶରେ ଅସହାୟ ମଣିଷ କୋଟି କୋଟି ସଂଖ୍ୟାରେ ରହିଛନ୍ତି ବୋଲି ଆଉ ଥୋକେ ମଣିଷ ଅଜସ୍ର ସମ୍ବଳର କୁଢ଼ ଉପରେ ମସ୍ତ ଅଧିପମାନଙ୍କ ପରି ଜୀବନ ବଞ୍ଚୁଛନ୍ତି ଅଥବା ଏହି ଥୋକେ ମଣିଷ ଯେକୌଣସି ପ୍ରକାରେ ମସ୍ତ ମହାଧିପମାନଙ୍କ ପରି ଏହି ଦେଶରେ ଜୀବନଗୁଡ଼ାକୁ ସଅଁ ସଅଁ ହୋଇ ଭୋଗ କରିବେ ବୋଲି ଏଠାରେ କୋଟି କୋଟି ମଣିଷ ନାନା ଅସହାୟତା ମଧ୍ୟରେ କାଳ କାଳ ଯାବତ୍ ବାନ୍ଧିହୋଇ ରହିବା ଏକାନ୍ତ ଅପରିହାର୍ଯ୍ୟ ହୋଇ ରହିଛି, ଆମ ଭିତରୁ କିଏ ସେ କଥାକୁ ଜୀବନନ୍ୟାୟର ଆଗପଛକୁ ଅଙ୍କରେ ହିସାବ ପକାଇ କହିଦେଇ ପାରିବ ? ଅସହାୟତା ଯେଉଁ ଦେଶରେ କିମ୍ବା ଯେଉଁ ସମାଜରେ ରହିଥାଉ ପଛକେ, ନିରାଲମ୍ବ ଭାବରେ ପ୍ରାୟ ସକଳ ବଳ ଓ ସମ୍ବଳକୁ ଭୋଗ କରୁଥିବା ସମ୍ପନ୍ନମାନଙ୍କ ଲାଗି ଏହା ହେଉଛି ଏକ ଲଜ୍ଜାର କଥା । ଯିଏ ଆଗ ଏହାକୁ ଲଜ୍ଜା ବୋଲି ଅନୁଭବ କରିବ, ହୁଏତ କେବଳ ସେଇ ଏହି ଦେଶକୁ ଅର୍ଥାତ୍ ଦେଶର କୋଟି କୋଟି ମଣିଷକୁ ଦାରୁଣ ଅସହାୟତା ଭିତରେ ପକାଇ ରଖିଥିବା କ୍ରୂରତା ଏବଂ ପାଷଣ୍ଡତା ଭିତରକୁ ସମ୍ଭବତଃ କିଛି ସୂତ୍ର ପାଇଯିବ । ଅନ୍ୟମାନେ କାନ୍ଦିବେ, କବିତା ଲେଖିବେ, ପ୍ରେମରେ ବିଭୋର ହୋଇ ଭବିଷ୍ୟ ସ୍ୱପ୍ନମାନ ଦେଖିବେ, ସରକାରଙ୍କ ଉପରେ କ୍ରୋଧ କଚାଡ଼ିବେ ସିନା, ମାତ୍ର ଅସହାୟମାନେ ତଥାପି ରହିବେ ।

 

ଭାରତବର୍ଷରେ ଚିରକାଳ ଥୋକେ ମନୁଷ୍ୟ ଭୋଗ କରୁଥିଲେ ଓ ସେମାନଙ୍କଠାରୁ ଅନେକ ଗୁଣ ଅଧିକ ମନୁଷ୍ୟ ଅସହାୟତା ଭିତରେ ଥିଲେ । ଏହିପରି ଏକ ବିଧାନରେ ଭାରତବର୍ଷରେ ସମାଜ ଚଳୁଥିଲା, ରାଜ୍ୟଶାସନ ଚାଲୁଥିଲା, ଅର୍ଥନୀତି ଏବଂ ନୈତିକତା ଚାଲୁଥିଲା ଏବଂ ଅନେକ ସମୟରେ ଅଧ୍ୟାତ୍ମ ମଧ୍ୟ ଚାଲୁଥିଲା । ଭାରତବର୍ଷ ସ୍ଵାଧୀନ ହେବାପରେ ମଧ୍ୟ ସେହି ଅସହାୟତା ବଜାୟ ରହିବା ଆଦୌ ଆବଶ୍ୟକ ନଥିଲା । ଗତ ତିନିଚାରି ଦଶକ ମଧ୍ୟରେ ଏହି ଦେଶର ଅସହାୟମାନଙ୍କ ପାଇଁ ଯେଉଁ ଅର୍ବୁଦ ପରିମାଣ ପଇସା ଖରଚ ହୋଇଛି ଓ ହେଉଛି, ଅସହାୟମାନଙ୍କ ଲାଗି ପ୍ରକୃତରେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମମାନଙ୍କରେ ସେହି ପଇସା ଖରଚ ହୋଇଥିଲେ ଭାରତର ଆର୍ଥିକ ଓ ସାମାଜିକ ଚିତ୍ରପଟଟି ହୁଏତ କ୍ରମେ ଅତ୍ୟନ୍ତ ଗୁଣାତ୍ମକ ଭାବରେ ଅନ୍ୟ ପ୍ରକାର ହୋଇସାରନ୍ତାଣି । କ’ଣ ପାଇଁ ତାହା ହୋଇପାରିଲା ନାହିଁ, ଆମେ ଏଠାରେ ସେହି କଥାଟିର ଚର୍ଚ୍ଚା କରିବା ନାହିଁ । ମାତ୍ର, ଏକଥା ମଧ୍ୟ ସତ ଯେ, ଅସହାୟମାନଙ୍କ ଲାଗି ଏତେ ଏତେ ଖର୍ଚ୍ଚ ହେଲା, ଅଥଚ ସେମାନେ ସେ ବିଷୟରେ ପ୍ରାୟ କିଛିହେଲେ ଜାଣିପାରିଲେ ନାହିଁ । ସେମାନଙ୍କ ଯାଏଁ ସେହି ପଇସା ଆସି ପହଞ୍ଚିବାବେଳକୁ ତାହା ଅନେକାଂଶରେ ଏକ ଲଜ୍ଜାକର ଦୟାରେ ପରିଣତ ହୋଇଯାଇଥିଲା । ସେହି ଦୟାଟାକୁ ନେଇ ଆଣି ଥୋଇ ଜାଣିବାକୁ ମଝିରେ ଏକ ସ୍ୱତନ୍ତ୍ର ଖଣ୍ଟକୁଳ ବାହାରିଲେ, ଯେଉଁମାନେ କି ଭୁବନେଶ୍ୱରଠାରୁ କାଶୀପୁର ଯାଏଁ ପିମ୍ପୁଡ଼ି ପରି ଧାର ଲାଗିଗଲେ ଏବଂ ବଦାନ୍ୟତା ନାମରେ କେତେ ନା କେତେ ଧୂଳି ଉଡ଼ାଇ ଚିଜଗୁଡ଼ାକୁ ଆଉ କୁଆଡ଼େ ବୋହି ନେଇଗଲେ । କାଶୀପୁରର ମଣିଷ ‘ହଇ ଆଜ୍ଞା’ର ପ୍ରବଞ୍ଚନା ଭିତରେ ରହିଗଲା । ଜଣେ ମଣିଷ ଯଥାର୍ଥରେ ସଚେତନ ହୋଇ ତା’ପାଇଁ ଅଭିପ୍ରେତ ଧନକୁ ନିଜେ ଖର୍ଚ୍ଚ କରିଥାନ୍ତା, ସେ କଥା ହୋଇପାରିଲା ନାହିଁ । କାଶୀପୁରରେ ଏବେ ମଧ୍ୟ କୋଟି କୋଟି ପଇସା ନାନା ଦୁଃଖମୋଚନର ଯୋଜନା ମାଧ୍ୟମରେ ଖରଚ ହେଉଛି, ମାତ୍ର ସେଠିକାର ଅସହାୟ ମଣିଷ ଏ ବିଷୟରେ ସଚେତନ ହୋଇ ପ୍ରାୟ କିଛି ଜାଣୁନାହିଁ । ଏହିସବୁ ପଇସା ତାକୁ ଦୟା ଦେଖାଇବାକୁ ନୁହେଁ, ତା' ଅଞ୍ଚଳରେ ଏଇଟା କିମ୍ବା ସେଇଟା ତିଆରି କରିଦେଇ ତାକୁ ଅବାକ୍ କରିଦେବାକୁ ମଧ୍ୟ ନୁହେଁ, ତା’ର ଯଥାର୍ଥ empowerment ପାଇଁ ଯେ ସେହି ଧନ ଆସିଛି, ସେକଥା ସେ ହୃଦୟଙ୍ଗମ କରିନାହିଁ । ସିଏ ଗୋଟାଏ ଦେଶର ନାଗରିକ, ତା’ ପିଲାମାନେ ଏକ ସ୍ୱାଧୀନ ଦେଶର ଯେକୌଣସି ପିଲାଙ୍କ ପରି ଜଣେ ଜଣେ ପିଲା, ଏବଂ ସେଇଥିଲାଗି ତା’ ଭିତରୁ ଏକାବେଳକେ ତା’ ମୂଳବିବେକଟି ପାଖରୁ ଆପଣାକୁ ସାମ୍ପ୍ରତିକ ବଡ଼ ପୃଥିବୀଟା ଭିତରକୁ ସକ୍ରିୟ ଭାବରେ ପ୍ରସାରିତ ତଥା ଉତ୍ତୋଳିତ କରିନେବା ପାଇଁ ତା’ ଭିତରେ ଯେଉଁ ନୂଆ ଆଖିଟି ଅବଶ୍ୟ ଖୋଲିଯିବା ଉଚିତ, ସେହି ଆଖିଟି ମଧ୍ୟ ତାକୁ ତା’ ନିଜ ଭିତରୁ ଆବିଷ୍କାର କରିବାକୁ ହେବ ବୋଲି ଏଯାଏ ସେ ଆଦୌ ଜାଣିପାରି ନାହିଁ ।

 

ସବୁ ଅଛି, ଏହି ଯଥାର୍ଥ ନେତୃତ୍ୱଟିହିଁ ସମ୍ଭବ ହୋଇପାରି ନାହିଁ । ନେତାମାନେ ସମସ୍ତେ ବାହାରୁ । ସରକାର ବାହାରୁ, ସ୍ୱେଚ୍ଛାସେବୀମାନେବି ବାହାରୁ । ପଇସା ବାହାରୁ ଆସିଛି । ବାହାରେ ଥିବା ମୁଣ୍ଡମାନେ କେତେକେତେ ବହି ପକାଇ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ଏମାନେ କେହି ଅସହାୟ ମଣିଷ ନୁହନ୍ତି । ହୁଏତ ଦୟାବାନ୍‍, ଆଦର୍ଶବାଦୀ, କୁଶଳୀ ଏବଂ ଆହୁରି କେତେକଅଣ । କାଶୀପୁର ଅଞ୍ଚଳରୁ ମଧ୍ୟ କେତେ ପିଲା ପାଠ ପଢ଼ି ବଡ଼ ହେଲେଣି । ଆଶ୍ରମ ବିଦ୍ୟାଳୟମାନ ରହିଛି । ଏମାନେ ସମସ୍ତେ ସତେ ଯେପରି କୋଉ ଡିକୁର ବନଶିକଣ୍ଟାରେ ପରମ ଆନନ୍ଦରେ ଯାଇ ଗୁନ୍ଥି ହୋଇଯାଇଛନ୍ତି ଅଥବା ପାଏଡ଼୍‍ ପାଇପର୍‌ ପରି କେଉଁ କାଳ୍ପନିକ ବଂଶୀବାଦକର ସମ୍ମୋହନରେ ପଡ଼ି ମୂଷାପଲ ହୋଇ ବାହାରି ଯାଇଛନ୍ତି; ଆଉ ଘରକୁ ଫେରିନାହାନ୍ତି । ଆଦିବାସୀଙ୍କ ଭିତରକୁ କେତେ ବିଧାନସଭାକୁ ଗଲେଣି, ଲୋକସଭାରେ ଯାଇ ପହଞ୍ଚିଲେଣି । କାହିଁ, ସେମାନେବି ତ ଫେରିନାହାନ୍ତି । ସେମାନେ ସମସ୍ତେ ଉପରୁ ଦୟା, ଶୁଭେଚ୍ଛା ଓ ଆଦର୍ଶବାଦ ଅଜାଡ଼ି ଦେବାକୁ କାଶୀପୁର ଆସୁଛନ୍ତି । ତଥାପି ଅସହାୟତାର ଅସଲ ମୂଳଗୁଡ଼ିକ ଜବର ହୋଇରହିଛି । ଅସହାୟ ମଣିଷମାନଙ୍କୁ ହରିଜନ, ଆଦିବାସୀ, ତଫସିଲଭୁକ୍ତ ଓ ପଛୁଆବର୍ଗ ଏହିପରି କେତେ ବିଶେଷଣ ଲଗାଇ ଚିହ୍ନଟ କରାଯାଉଥିଲା, ଏବେ ଗଛ ନଥିବାରୁ ହୁଏତ ସେହି ଉତ୍ସାହରେ ମଣିଷମାନଙ୍କୁ କରାଯାଉଛି । ଜଙ୍ଗଲ ବିଭାଗରେ ଏକଦା ଜଙ୍ଗଲରେ ଥିବା ଗଛମାନଙ୍କୁ ଯେମିତି ଚିହ୍ନଟ କରାଯାଉଛି । ମଣିଷ ଭାବରେ କେହି ଚିହ୍ନୁନାହିଁ । ନିଜେ ମଣିଷ ଯେତେବେଳେ ନିଜକୁ ମଣିଷ ବୋଲି ଚିହ୍ନୁନାହିଁ, ସେତେବେଳେ ତାକୁ ଆଉ କେହି ଯେ କଦାପି ମଣିଷ ବୋଲି ଚିହ୍ନିବା ଲାଗି ମୋଟେ ବିପଦ ମୁଲେଇବାକୁ ଯିବ ନାହିଁ, ବିଧାତାର ଏହି ପୃଥିବୀରେ ସମ୍ଭବତଃ ସେହି ନିୟମଟି ସବୁକାଳେ କାମ କରିଆସିଛି ।

 

କାଶୀପୁରର ଅସହାୟ ମଣିଷ ନିଜେ ନିଜକୁ ଚିହ୍ନିବ, ଏହି ଅସହାୟତାକୁ ଯେ ଯାବତୀୟ ଅସହାୟତା ଦୂର କରିବା ନିମନ୍ତେ ଏକ ସଫଳ ପୁଞ୍ଜିରୂପେ ବ୍ୟବହାର କରାଯାଇପାରିବ, ଭିତରୁ ଅସଲ ମଣିଷଟିର କାଳନିଦ ଭାଙ୍ଗିଲେ ମଣିଷ ଯେ ଅବଶ୍ୟ କଡ଼ ଲେଉଟାଇବ ଏବଂ କାଳ ଉପରେ ବିଜୟ ଲାଭ କରିବ ବୋଲି ସତକୁସତ ବାହାରି ପାରିବ, ତାକୁ ତା’ର ଏହି ସର୍ବମୂଳ ସମ୍ମାନବୋଧଟିଦ୍ୱାରା କ୍ରିୟାଶୀଳ କରାଇବାର ନେତୃତ୍ୱଟି ତା’ ଲାଗି କେଉଁଠାରୁ ଆସିବ ? ସେହି ନେତୃତ୍ୱ ତା’ ନିଜ ଭିତରୁହିଁ ବାହାରିବ । କାଶୀପୁରିଆ ଏପରି କେଇଜଣ ବାହାରିବେ, ଯେଉଁମାନେ କି ସକଳ ଅସହାୟତା ଭିତରେ ଜନ୍ମ ହୋଇଥିଲେ ମଧ୍ୟ ମଣିଷର ସଚେତନ ପରାକ୍ରମ ସେହି ଅସହାୟତାକୁ ଅବଶ୍ୟ ଫିଙ୍ଗି ଦେଇପାରିବ ଏବଂ ସେହି ପରାକ୍ରମ ସେମାନଙ୍କ ଭିତରେ ପ୍ରଚ୍ଛନ୍ନ ହୋଇ ରହିଛି ବୋଲି ପ୍ରକୃତରେ ଅନୁଭବ କରୁଥିବେ । ସେମାନେ ପାଠ ପଢ଼ିବେ, ଅଥଚ ଡିକୁ ହେବେ ନାହିଁ । ସେମାନେ ଆଦିବାସୀ ଭାବରେ ନୁହେଁ, ମଣିଷ ହିସାବରେହିଁ ପ୍ରତିବାଦ କରିବେ । ଆଦିବାସୀ ଘରେ ଜନ୍ମ ହୋଇଥିଲେ ମଧ୍ୟ ସେମାନେ ମଲାବେଳକୁ ଯେପରି କଦାପି ଆଦିବାସୀ ହୋଇ ରହି ନଥିବେ ଓ ମଣିଷ ହୋଇ ସାରିଥିବେ, ନିଜ ପାଖରେ ସେମାନେ ଏହି ଶପଥଟି କରିପାରୁଥିବେ । ସେମାନେ ବୃହତ୍ତର ସଂସାର ସହିତ ଖିଅ ଯୋଡ଼ିବେ ସତ, ମାତ୍ର ଡିକୁ ହୋଇ ସେଇଟା ଭିତରକୁ ମୋଟେ ପଳାଇ ଯିବେନାହିଁ । ସେମାନେ ଫେରିଆସିବେ । ପ୍ରତିବାଦ କରିପାରିବେ, ପ୍ରତିକାରର ଉପାୟ ବାହାର କରିପାରିବେ । କୌଣସି ସରକାର କିମ୍ବା ସେଚ୍ଛାସେବୀ ସେମାନଙ୍କୁ କେବଳ ଏଇଥିପାଇଁ ଯେତିକି ଖୋରାକ ଓ ଯେତିକି ଆଖି ଯୋଗାଇ ଦେଇପାରୁଛି, ହୁଏତ ତାହା ସେମାନଙ୍କର ସେତିକି ଯଥାର୍ଥ ମଙ୍ଗଳ କରିପାରୁଛି ।

Image

 

ବେଦନାର ବର୍ଣ୍ଣନିରୂପଣ

 

ମନୁଷ୍ୟ ଅନୁଭବ କରିପାରେ, ତେଣୁ ସେ ବେଦନା ପାଏ । ଅନୁଭବ କରିବାର ଶକ୍ତି ମନୁଷ୍ୟର ଜନ୍ମଜାତ । ଅନୁଭବ କରିପାରୁଛି ବୋଲି ସେ ବେଦନା ପାଉଛି, ସେଥିଲାଗି ଏହି ଅନୁଭବ କରିବାର ସାମର୍ଥ୍ୟକୁ ମଣିଷ ଲାଗି ଏକ ଅଭିଶାପ ବୋଲି କୁହାଯାଇପାରିବ କି ? ମଣିଷ କ’ଣ ଖାଲି ବେଦନା ଅନୁଭବ କରୁଛି ? ସିଏ ସୁଖବି ଅନୁଭବ କରୁଛି; ଆକର୍ଷଣ ଓ ବିକର୍ଷଣ ଉଭୟକୁ ଅନୁଭବ କରୁଛି । ସେଇଥିରୁ ଏହି ଅନୁଭବର ପ୍ରକରଣ ଭେଦରେ ସେ ସୁଖକୁ ଜାଣୁଛି, ଭଲ ପାଇବା ଜାଣୁଛି, ଭୟକୁ ଜାଣୁଛି, ଘୃଣାକୁ ଜାଣୁଛି, ନିକଟ ହୋଇ ଆସିପାରୁଛି, ଦୂରେଇ ହୋଇ ଯାଇବି ପାରୁଛି । କାହାକୁ ମୋର ବୋଲି କହୁଛି, ପୁଣି କାହାକୁ ମୋର ନୁହେଁ ବୋଲି ମଧ୍ୟ କହୁଛି । ଏକାବେଳକେ କାହାର ହୋଇଯାଇପାରୁଛି, ପୁଣି କାହାକୁ ଏଡ଼େ ଅପର ବୋଲି ଅନୁଭବ କରୁଛି ଯେ, ସତେଅବା ତାକୁ ଯଥାସମ୍ଭବ ଅଧିକ ଦୂରରେ ନିଜଠାରୁ ଅଲଗା କରି ରଖିପାରିଲେ ଯାଇ ନିଶ୍ଚିନ୍ତ ହୋଇପାରୁଛି । ଅମର ବେଦନା, ଆମର କେତେକେତେ ଅନୁଭବ ମଧ୍ୟରୁ ଗୋଟିଏ ।

 

ବେଦନା ବିବିଧ ସ୍ତରର । ଶରୀର ସ୍ତରର ବେଦନାଟା ସବାମୂଳ ସ୍ତରର ବେଦନା ଓ ତେଣୁ ମନୁଷ୍ୟର ଆଦିମତମ ବେଦନା ବୋଲି ସବୁବେଳେ କୁହାଯାଇପାରିବ ନାହିଁ । ଏହି ଶରୀରଟା ଯାବତୀୟ ବେଦନା ଓ ଯାବତୀୟ ଦୁଃଖର କାରଣ ବୋଲି ଗୋଟାଏ ଗୋଟାଏ ପରମ୍ପରାରେ ଭାରି ବହଳ କରି କୁହାହୋଇ ଆସିଛି ଏବଂ ସେହି ପରମ୍ପରା ଭିତରେ ପାଳିହୋଇ ଆସିଥିବା ଅଧିକାଂଶ ମଣିଷ ହୁଏତ ସେହିପରି ବିଶ୍ୱାସ କରିଛନ୍ତି; ସେଥିରୁ ସେମାନେ କେତେଭଳି ତତ୍ତ୍ୱ ବାହାର କରିଛନ୍ତି ଓ ସେଗୁଡ଼ିକୁ ସତ୍ୟ ବୋଲି ମାନି ଆସିଛନ୍ତି । ତାହାକୁ ବେଳେବେଳେ ବିଜ୍ଞାନ ବୋଲି କହିଛନ୍ତି ଓ ତେଣୁ ଶାରୀରିକ ବେଦନାରୁ ରକ୍ଷା ପାଇବା ନିମନ୍ତେ କେତେପ୍ରକାର ଉପଚାର ମଧ୍ୟ ବାହାର କରିଛନ୍ତି । ଶରୀରକୁ ବେଦନା ଦେବାରେ କେତେକେତେ ମଣିଷ ଏକ ଅହେତୁକ ଆନନ୍ଦ ଲାଭ କରି ଆସିଛନ୍ତି । ଏବେ ମଧ୍ୟ କରୁଥିବେ । ଥୋକେ ଅଛନ୍ତି, ଯେଉଁମାନେ ନିଜର ଶରୀରକୁ କଷ୍ଟ ଦେଇ ଆନନ୍ଦ ପାଇଛନ୍ତି, ଆଉ ଥୋକେ ଅପରର ଶରୀରକୁ ବା ସମଗ୍ର ଭାବରେ ଅପରକୁ କଷ୍ଟ ଦେଇ ମଧ୍ୟ ଆନନ୍ଦ ପାଇଛନ୍ତି । ଆମେ ମଣିଷମାନେ ବେଦନାର ପୃଥିବୀରେ ଅସୁମାରି ପ୍ରକାରର ଭିନ୍ନ ଭିନ୍ନ ନମୁନା ଯେ ହୋଇ ରହିଛୁ, ଏହି ପୃଥିବୀରୂପୀ ବୃହତ୍ ପ୍ରୟୋଗଶାଳାର ସେହି ବୈଚିତ୍ର୍ୟଟି ବିଧାତାଙ୍କର ହୁଏତ ବହୁତ କାମରେ ଲାଗୁଥିବ ।

 

ସାମ୍ପ୍ରତିକ ବେଦନା ବୋଲି କୌଣସି ସ୍ୱତନ୍ତ୍ର କିସମର ଅଥବା ସ୍ୱତନ୍ତ୍ର କାଟର ବେଦନା ରହିଛି କି ? ଯଦି କୌଣସି ପୀଡ଼ା ଅଥବା ବେଦନାକୁ କେବଳ ଏକ ସାହିତ୍ୟିକ ସ୍ତରର ପୀଡ଼ା ବା ବେଦନା ବୋଲି କୁହାଯାଇପାରିବ, ତେବେ ହୁଏତ ସ୍ୱତନ୍ତ୍ର ଭାବରେ ସାହିତ୍ୟିକ ବେଦନା ବୋଲି ଖାସ୍ ଏକ ବେଦନା ରହିଚି ବୋଲି ଠାବ କରିବାକୁ ଭାରି ଇଚ୍ଛା ହେଉଥିବ । ତଥାକଥିତ ଦୁଃଖ ଓ ତଥାକଥିତ ସୁଖର ଉତ୍ସକୁ ଯାଇ ଏବେ ମଣିଷର କଳନାକାରୀମାନେ କହୁଛନ୍ତି ଯେ, ଯେଉଁ ମଣିଷ ଆପଣା ଭିତରେ ନାନା କାରଣରୁ ଭାଗ ଭାଗ ହୋଇ ରହିଥାଏ ଓ ତେଣୁ ନିଜକୁ ସମଗ୍ର ଭାବରେ ଦେଖିପାରୁ ନଥାଏ ବା ଗ୍ରହଣ କରିପାରୁ ନଥାଏ, ସମ୍ଭବତଃ ସିଏ ସ୍ୱଭାବର ତାଡ଼ନା ଭିତରେ ପଡ଼ି ପୃଥିବୀଟାକୁ ମଧ୍ୟ ଭାଗ ଭାଗ ଓ ଖଣ୍ଡଖଣ୍ଡ ହୋଇ ଦେଖେ । ଆମର ଏହି ଆଧୁନିକ ବହୁସନ୍ତପ୍ତ ପୃଥିବୀରେ ଏଭଳି ସାହିତ୍ୟକାର ରହିଛନ୍ତି, ଯେଉଁମାନେ କି ପୃଥିବୀଟାକୁ ଖଣ୍ଡଖଣ୍ଡ କରି ଦେଖନ୍ତି । ନିଜକୁ ଅପରଠାରୁ ଅଲଗା ଦେଖନ୍ତି, ନିଜର ଏହି ମୁହୂର୍ତ୍ତଟିକୁ ଆଉ ଗୋଟିଏ ମୁହୂର୍ତ୍ତଠାରୁ ଅଲଗାକରି ଦେଖନ୍ତି । ନିଜ ଅନ୍ତର୍ଗତ ଜୀବନଟାକୁ ମଧ୍ୟ ସତେଅବା ସାହି ସାହି କରି ରଖିଥାନ୍ତି; ସମଗ୍ର ଅଟ୍ଟାଳିକାଟିକୁ ଅନେକ କୋଠରୀରେ ବିଭକ୍ତ କରି ଦେଖୁଥାନ୍ତି । ଏହି କୋଠରୀରେ ସନ୍ତାପ ପାଇ ସେ କୋଠରୀ ଭିତରକୁ ପଳାଇଯାଇ ନିଷ୍କୃତି ପାଆନ୍ତି । ଏହି ପୀଡ଼ାଟାକୁ ସେହି ପୀଡ଼ାଟାର ଉପଶମକ ବୋଲି କହୁଥାନ୍ତି । ଫ୍ରଏଡ଼ଙ୍କର ପରିଭାଷା ଅନୁସାରେ ସେମାନେ ଏକ Escape Mechanismର ଚଉହଦି ଭିତରେ କିଳିହୋଇ ରହିଥାନ୍ତି । ଗୋଟାଏ ଯନ୍ତ୍ରଣାକୁ ଭୁଲିବା ସକାଶେ ଆଉଗୋଟାଏ ଯନ୍ତ୍ରଣାକୁ ପାଚନ ପରି ବ୍ୟବହାର କରନ୍ତି ।

 

ଯନ୍ତ୍ରଣା କ’ଣ ଖାଲି ମୋର ଯେ, ମୁଁ ତାକୁ ଭୁଲିବାକୁ ଚେଷ୍ଟା କରିବି ? ନିଜର ଯନ୍ତ୍ରଣାକୁ ନେଇ ଅନେକ ମଣିଷ ଏପରି ଉତ୍କଟ ଓ ବିଷମ ଭାବରେ ଘାରିହୋଇ ରହିଥାନ୍ତି ଯେ, ଅନେକ ସମୟରେ ସେମାନେ ଏହି ପୃଥିବୀରେ ଅନେକ ମଣିଷଙ୍କର ଯନ୍ତ୍ରଣା ଲାଗି କାରଣ ହୋଇ ରହିଥାନ୍ତି । ଅନେକ ମଣିଷ ନିଜର ଯନ୍ତ୍ରଣାଟାକୁହିଁ ସତେଅବା ସାରା ପୃଥିବୀର ଯନ୍ତ୍ରଣା ବୋଲି ପ୍ରାୟ ଏକ ଅହଂକାର ସହିତ ଭ୍ରମ କରୁଛନ୍ତି ବୋଲି ଆହୁରି ଅନେକ ମଣିଷଙ୍କ ଲାଗି ଦୁଃଖର କାରଣ ହୋଇ ରହିଛନ୍ତି, ହୁଏତ ଏପରି ଏକ ଅନୁମାନ ମଧ୍ୟ କରାଯାଇପାରିବ । ନିଜର ବେଦନାଟାକୁ ଯିଏ ଏଡ଼େ ବଡ଼ କରି ଆଗ ଦେଖୁଥାଏ, ହୁଏତ ସେଇ ସର୍ବାଧିକ ପରିମାଣରେ ଏହି ପୃଥିବୀରେ ଉପେକ୍ଷାକୁ ବଢ଼ାଏ, ଉଦାସୀନତା ବଢ଼ାଏ, ଅବଜ୍ଞାକୁ ବୃଦ୍ଧି କରିବାରେ ଲାଗିଥାଏ । ସାହିତ୍ୟକୁ ସମ୍ଭବତଃ ଏହି କାଟର ମଣିଷମାନେ ଶୋକକୁ ପାସୋରି ପାରିବାର ଏକ ଅଲଗା ବାଟିକା ପରି ଦେଖନ୍ତି । ସବାଆଗ ନିଜର ପୀଡ଼ାକୁ ଦେଖିବା ଯେପରି ଗୋଟିଏ ବିକାର, ପୀଡ଼ା ପାଖରୁ ପଳାଇଯାଇ ପୀଡ଼ାରୁ ମୁକ୍ତିଲାଭ କରିହେବ ବୋଲି ବିଶ୍ୱାସ କରିବା ମଧ୍ୟ ସେହିପରି ଗୋଟିଏ ବିକାର ଏବଂ ଅସଲ ଯାତନାରୁ ମୁକ୍ତି ମିଳେ ଏହି ବିକାରରୁ ମୁକ୍ତିଲାଭ କରିବାଦ୍ୱାରା । ମୂଳତଃ ଆତ୍ମରତି ମଣିଷମାନେ ସେହି ନିଦାନ ସତ୍ୟଟିକୁ ବୁଝିପାରନ୍ତିନାହିଁ । ସେମାନେ କେଡ଼େ ଅଝଟରେ ସାହିତ୍ୟ ଭିତରେ ଥାଆନ୍ତି, ସଂସ୍କୃତି ଭିତରେ ଥାଆନ୍ତି, ସଙ୍ଗୀତ କରନ୍ତି, ପଳାଇବାର ଏହିପରି ବହୁ ବାଟକୁ ଆଦରି ରହିଥିଲେ ମଧ୍ୟ ତଥାପି ନିଜର ରଜ୍ଜୁଗୁଡ଼ାକ ଭିତରୁ ମୁକ୍ତ ହୋଇପାରନ୍ତି ନାହିଁ । ହୁଏତ ନିଜର ଏକ ଅଲଗା ଗାଡ଼ିଆ ଆଦରି ନେଇ ସେଇଥିରେ ସନ୍ତରଣ କରୁଥାନ୍ତି ସିନା, ସେମାନେ ନିଜର ଯଥାର୍ଥ ବିମୋଚନରେ ମୋଟେ କୌଣସି ସହଯୋଗ କରିପାରନ୍ତି ନାହିଁ ।

 

ଅନ୍ୟର ଯନ୍ତ୍ରଣା ଦୂର କରିବାକୁ ଯେଉଁ ଯନ୍ତ୍ରଣା ଆଦୌ କୌଣସି କାମରେ ଲାଗିବାକୁ ମନ କରୁ ନଥାଏ, ସମ୍ଭବତଃ ତାହାହିଁ ହେଉଛି ନିକୃଷ୍ଟତମ ମଣିଷର ଯନ୍ତ୍ରଣା ଅଥବା ଜଣେ ମନୁଷ୍ୟର ନିକୃଷ୍ଟତମ ଯନ୍ତ୍ରଣା । ଯେଉଁ ବେଦନା ବିଶ୍ୱମୟ ବେଦନାର ନିରାକରଣରେ କିଞ୍ଚିତ୍ ପରିମାଣରେ ହେଲେ ମଧ୍ୟ ଆପଣାକୁ ଉତ୍ସର୍ଗ କରି ରଖିଥାଏ, ତାହାହିଁ ସୃଜନାତ୍ମକ ଯନ୍ତ୍ରଣା । ଆପଣାକୁ ଦେବା, ତାହାହିଁ ଭଲ ପାଇବା । ଅଳପକୁ ଅତିକ୍ରମ କରି ଭୂମା ମଧ୍ୟରେ ପରିପୂର୍ଣ୍ଣ ହେବା-। ଆମ ଆଧୁନିକ ଯୁଗରେ ଅଧିକାଂଶ ମଣିଷଙ୍କୁ ଯନ୍ତ୍ରଣା–ସଚେତନ ହେବାରେ ବିବିଧ ବିଜ୍ଞାନମାନେ ଅନେକ ସାହାଯ୍ୟ କରିଛନ୍ତି, ମାତ୍ର ଆପଣାକୁ ଏକ ବୃହତ୍ତର ଉପଲବ୍ଧିଟିଏ ଲାଗି, କୌଣସି ବୃହତ୍ତର ଏକାତ୍ମତା ନିମନ୍ତେ ସତକୁସତ ଏହି ସବୁଟି ସହିତ ଖୁସିହୋଇ ଗଅଁଠାଇ ରଖିବା,–ଏହି ଅନ୍ୟ କଳାଟିକୁ ଆୟତ୍ତ କରାଇବା ନିମନ୍ତେ ଯେଉଁ ଅନ୍ୟ ବିଜ୍ଞାନଟି ରହିଛି, ଆମ ସମସ୍ତଙ୍କର ମଙ୍ଗଳ ନିମନ୍ତେ ସେହି ବିଜ୍ଞାନଟିର ଏଣିକି ଅଧିକ ଚର୍ଚ୍ଚା ହେବା ଆବଶ୍ୟକ । ସେହି ବିଜ୍ଞାନକୁ ଆମେ ଆତ୍ମଜ୍ଞାନ ବୋଲି କହିପାରିବା, ଆପଣାର ପୂର୍ଣ୍ଣ ସମ୍ମତି ସହିତ ଏକ Capacity for otherness ବୋଲି ମଧ୍ୟ କହିପାରିବା । ଏବେ ଆମେ ଏହି ସାଧାରଣ ସ୍ୱଭାବଟାକୁ ଓ ତାହାର ବହୁ ଭୟମିଶ୍ରିତ ଆକାଂକ୍ଷାଗୁଡ଼ାକୁ ନେଇ ଯେଡ଼ିକି ପରିସରଟି ଭିତରେ ଆପଣା ଲାଗି ଭୂଇଁଟିଏ ଅକ୍ତିଆର କରିପାରୁଛୁ, ସେହି ସ୍ଵଭାବ ତଥା ଆକାଂକ୍ଷାଗୁଡ଼ିକୁ ପୂର୍ଣ୍ଣ ଭୟମୁକ୍ତ ଭାବରେ ପ୍ରଲମ୍ବିତ ଏବଂ ପ୍ରସାରିତ କରିଦେଇପାରିଲେ ଆମେ ହୁଏତ ଏପରି ଏକ ଥଳରେ ଯାଇ ଜୀବନ ବଞ୍ଚିପାରନ୍ତେ, ଯେଉଁଠାରେ କି ଗୋଟିଏ ବେଦନା ବା ଯନ୍ତ୍ରଣାଠାରୁ ପଳାଇଯିବା ପାଇଁ ଆଉ ଗୋଟାଏ ବେଦନା ବା ଯନ୍ତ୍ରଣା ଭିତରେ ମୋଟେ ପଶିବାକୁ ପଡ଼ନ୍ତା ନାହିଁ-। ସେଥିପାଇଁ ଯେଉଁ ଅନ୍ତରଙ୍ଗ ଓ ନିଷ୍କପଟ ସମ୍ମତିଟି ଦରକାର, ତାହା କ’ଣ କେବଳ ଏକ ସାହିତ୍ୟିକ ସମ୍ମତି-?

 

ସୃଜନାତ୍ମକ ହେବାକୁ ଆମେ ଆମ ଜୀବନର ହୁଏତ ଏଭଳି ଗୋଟିଏ ସୋପାନ ବୋଲି ନାମିତ କରିପାରିବା, ଯେଉଁଠାରେ ଆମ ବର୍ତ୍ତମାନ ଅଳ୍ପଗୁଡ଼ାକର ଏହି ସୋପାନଟି ପ୍ରକୃତରେ ସତେଅବା ଏକ ଅନ୍ୟ ସୋପାନ–ପରିସରକୁ ରୂପାନ୍ତରିତ ହୋଇଯାଏ । ସବୁକିଛି, ଏପରିକି ଆମ ଶରୀରଟା ସମେତବି, ସତେଅବା ଆଉ ଗୋଟାଏ କ’ଣ ସହିତ ମନ୍ତୁରା ଓ ମଙ୍ଗୁଳା ହୋଇଯାଏ । ସେତେବେଳେ ଆମ ଭିତରୁ ସତେଅବା କେଉଁ ଅତି ଚିହ୍ନା ଅତି ଅଚିହ୍ନା ଅନ୍ତରଙ୍ଗ ବନ୍ଧୁଟି କେବଳ ଫୁଟି ଉଠିବାରେ ଓ କେବଳ ଉନ୍ମୋଚିତ ହେବାରେହିଁ ଲାଗିଥାଏ । ଯନ୍ତ୍ରଣା ଥାଏ, ମାତ୍ର ଯନ୍ତ୍ରଣା ଧନ୍ୟ ହୋଇଯାଏ । ଏହି ସଂସାରଟା ବଗିଚା ପରି ଲାଗେ, ଯେଉଁଠାରେ କି କେବଳ ଫୁଟି ଉଠିବା ଏବଂ ଫୁଟି ଉଠିବାକୁ ଦେବାହିଁ ଏକମାତ୍ର ଧର୍ମ ଓ ଏକମାତ୍ର ରତି ବୋଲି ସ୍ୱୀକୃତ ହୋଇ ରହିଥାଏ । ସେଠାରେ ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ଗୋଟିଏ ବ୍ରହ୍ମାନନ୍ଦ–ବଲ୍ଲୀରେ ସୁଗ୍ରଥିତ ହୋଇ ରହିଥାନ୍ତି । ଅନ୍ନକୁ ଛାଡ଼ି ଆନନ୍ଦ ଭିତରକୁ ପଳାଇ ଯିବାର କୌଣସି ଅବକାଶ ନଥାଏ, ଆବଶ୍ୟକତା ମଧ୍ୟ ନଥାଏ । ସେତେବେଳେ ଲୋଡ଼ିବାମାତ୍ରକେ ଶବ୍ଦମାନେ ଆସି ପହଞ୍ଚିଯାଆନ୍ତି, ଅନ୍ତରଙ୍ଗ ସାଙ୍ଗପରି ମନେହୁଅନ୍ତି । ସେତେବେଳେ ସେହି ଶବ୍ଦମାନେ ଆମକୁ ଏହି ସମୁଦାୟ ପୃଥିବୀଟା ସହିତ ଗୋଟାସୁଦ୍ଧା ବାନ୍ଧି ପକାନ୍ତି । ବାନ୍ଧି ପକାଇ ମୁକ୍ତି ଦିଅନ୍ତି । ସେତେବେଳେ କୃତଜ୍ଞତାହିଁ କବିତ୍ଵର ସତେଅବା ଏକମାତ୍ର ଭାଷା ହୋଇ ରହିଥାଏ ।

Image

 

ସାରାୟେଭୋର ସଙ୍ଗୀତ

 

ସଙ୍ଗୀତ ଆକୁଳ କରାଏ । ସେଇ ସଙ୍ଗୀତ ପୁଣି ଶାନ୍ତ କରିଆଣେ । ବଶ କରିବି ଆଣେ-। ଏବେ ପୁଣି ବିଜ୍ଞାନ ପ୍ରୟୋଗ କରି ଦେଖିସାରିଲାଣି ଯେ, ଗୋରୁ ଗୁହାଳରେ ମୃଦୁ ସଙ୍ଗୀତରେ ଧ୍ୱନି ପ୍ରସାରିତ ହେଲେ ଗାଈମାନେ ଅଧିକ ସହଯୋଗର ସହିତ କ୍ଷୀର ଦୁହାଁଇ ଦେଉଛନ୍ତି ଓ ବଗିଚାରେ ସଙ୍ଗୀତ ବାଜିଲେ ଫୁଲମାନେବି ଅଧିକ ସମ୍ମତିର ସହିତ ଫୁଟିଉଠି ପାରୁଛନ୍ତି-। ଡାକ୍ତରଖାନାରେ ଅହରହ ବରାଦ ହୋଇ ଧୀରି ଧୀରି ବାଜୁଥିବା ସଙ୍ଗୀତ ରୋଗୀମାନଙ୍କୁ ସେମାନଙ୍କର ଆରୋଗ୍ୟରେ ଅଧିକ ସହଯୋଗ କରିବାକୁ ଶିଖାଇ ପାରୁଛି । ଜେଲ୍‍ରେ କଏଦୀମାନେ ଯେପରି ଅଧିକ ରାଜି ହୋଇ କର୍ମକର୍ତ୍ତାମାନେ ନିର୍ଦ୍ଦେଶିତ କରିଦେଇଥିବା କାମଗୁଡ଼ିକୁ କରିପାରିବେ, ସେଥିଲାଗି ଏବେ ବଡ଼ବଡ଼ କାରାଗାରରେ ମଝିରେ କୌଣସି ଉଚ୍ଚ ସ୍ଥାନରେ ସଙ୍ଗୀତଯନ୍ତ୍ର ଖଞ୍ଜା ହୋଇଛି ଏବଂ କଏଦୀମାନଙ୍କର ଚିତ୍ତରଂଜନ କରାଉଛି ।

 

ଆଗେ ରାଜା ଓ ନବାବମାନେ ସଙ୍ଗୀତରେ ସଉକିନି ଥିଲେ ଓ ଦରବାର ଭିତରେ ମଧ୍ୟ ସଙ୍ଗୀତର ବ୍ୟବସ୍ଥା କରି ରଖିଥିଲେ । ତାନ୍‌ସେନ୍ ସିତାର ବଜାଇ ଗୀତ ଗାଉଥିଲେ ଏବଂ ଶାହାନ୍‍ଶାହାଙ୍କ ସମେତ ଉପସ୍ଥିତ ସମସ୍ତେ ମୁଗ୍ଧ ହୋଇ ସେହି ସଙ୍ଗୀତକୁ ଶ୍ରବଣ କରୁଥିଲେ । ତଦ୍ଦ୍ୱାରା ସମ୍ରାଟଙ୍କର ଶାସନକାର୍ଯ୍ୟ ଅଧିକ ସୁରୁଖୁରୁରେ ଚଳାଇବା ପାଇଁ ଏକ ଅନୁକୂଳ ଆନୁଗତ୍ୟର ପରିବେଶ ହୁଏତ ସମ୍ଭବ ହୋଇପାରୁଥିଲା । ପୁରାଣକାରମାନେ ବର୍ଣ୍ଣନା କରିଛନ୍ତି ଯେ, ସେକାଳର ମୁନି ଆଶ୍ରମମାନଙ୍କରେ ଉପାସନାର ମନ୍ତ୍ରସଙ୍ଗୀତ ଧ୍ୱନିତ ହେଉଥିବା ସମୟରେ ବ୍ୟାଘ୍ର ଓ ହରିଣ, ସର୍ପ ଓ ମୟୂର ଏକାଠି ରୁଣ୍ଡ ହୋଇଯାଉଥିଲେ ଏବଂ ସଙ୍ଗୀତର ସ୍ଵାଦ ଲାଭ କରୁଥିଲେ । ସଙ୍ଗୀତ ଶାନ୍ତ କରି ଆଣେ, ସଙ୍ଗୀତ ଉତ୍ତେଜିତବି କରାଏ । ଆମ ଏବକାର ନିଃସଙ୍ଗ ଓ ବହୁକ୍ଷତଦ୍ଵାରା ପ୍ରପୀଡ଼ିତ ଏବଂ ପ୍ରକୁପିତ ତରୁଣମାନେ ସଙ୍ଗୀତରୁ ଯେଉଁଭଳି ପାଚନମାନ ତିଆରି କରି ପାନ କରୁଛନ୍ତି, ସେଥିରୁ ସଙ୍ଗୀତର ଏହି ଦ୍ୱିତୀୟ କରାମତିଟା ଆମପାଇଁ ନିତି ପ୍ରମାଣିତ ହୋଇଯାଉଛି । ମାତ୍ର ସଙ୍ଗୀତକୁ ଯେ ନୀରବ ପ୍ରତିବାଦର ଏକ ମାଧ୍ୟମରୂପେ ବ୍ୟବହୃତ କରାଯାଇପାରେ, ୟୁରୋପର ସାରାୟେଭୋ ସହରରୁ ତାହାର ଏକ ଖବର ମିଳିଛି ।

 

ଦକ୍ଷିଣ ୟୁରୋପର ଯୁଗୋସ୍ଲୋଭିଆ ଦେଶ ଏକ ରାଜତନ୍ତ୍ରରୁ ପ୍ରାୟ ରାତାରାତି କମ୍ୟୁନିଷ୍ଟ ହୋଇଯାଇଥିଲା । ଚାରି ଦଶକରୁ ଊର୍ଦ୍ଧ୍ୱକାଳ ଲାଗି ସେଠାରେ ସେହି ଶାସନ ଚାଲିଲା । ସେହି ଦେଶର ସାମ୍ୟବାଦୀ ସାମନ୍ତମାନେ ରୁଷିଆର ସାମ୍ୟବାଦୀ ସମ୍ରାଟଙ୍କର ଅଧୀନରେ ଶାସିତ ଗୋଟିଏ ଗଡ଼ଜାତ ପରି ହୋଇ ରହିବେ ନାହିଁ ବୋଲି ଏକଦା ସଫା ଘୋଷଣା କରି କହିଦେଲେ ଓ ଏକ ଅନ୍ୟ ରଙ୍ଗର କମ୍ୟୁନିଜିମ୍‌କୁ ସେଠାରେ କାର୍ଯ୍ୟକାରୀବି କରାଉଥିଲେ । ତା'ପରେ ଯୁଗୋସ୍ଲୋଭିଆ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନ ଭିତରକୁ ଆସିଲା ଏବଂ ଭାରତର ଏକ ନିକଟ ବନ୍ଧୁରୂପେ ପରିଗଣିତ ହୋଇଥିଲା । ତା'ପରେ ଯେତେବେଳେ ଏକ ଅନ୍ୟବେଳ ଆସି ପହଞ୍ଚିଗଲା, ସେତେବେଳେ ପୂରା ଅଞ୍ଚଳଟା ସହିତ ଯୁଗୋସ୍ଲୋଭିଆରେ କମ୍ୟୁନିଜିମ୍‌ ନାମରେ ଖଞ୍ଜା ହୋଇଥିବା ତମ୍ବୁଟିର ମଧ୍ୟ ଖୁମ୍ବ ଉପୁଡ଼ିଗଲା । ତା’ପରେ ସେହି ଦେଶଟି ପାଞ୍ଚଭାଗ କି ଆଠଭାଗ ହୋଇଗଲା । ଚାଳିଶବର୍ଷର ମାୟା ଭିତରୁ ଅସଲ ସତ୍ୟଗୁଡ଼ିକ ପଦାକୁ ବାହାରି ଆସିଲେ । ପ୍ରତ୍ୟେକଟି ସତ୍ୟ ନିଜକୁ ପ୍ରତିଷ୍ଠିତ କରାଇବା ନିମନ୍ତେ ପରସ୍ପର ଭିତରେ ଯୁଦ୍ଧ ଆରମ୍ଭ କରିଦେଲେ-। ସେହି ଯୁଦ୍ଧ ଏବେ ମଧ୍ୟ ଚାଲିଛି । କମ୍ୟୁନିଜିମ୍ ଭ୍ରାତୃତ୍ୱ ଉପରେହିଁ ବିଶ୍ୱାସ ରଖି ଏକ ଅନ୍ୟ ଭବିଷ୍ୟର ଏବଂ ପୃଥିବୀର କଳ୍ପନା କରିଥାଏ । ଗତ ଚାଳିଶବର୍ଷରେ ପ୍ରଧାନତଃ କର୍ତ୍ତୃତ୍ୱଟାହିଁ ମହାଯୁଦ୍ଧର ପରବର୍ତ୍ତୀ କାଳର ମଉକା ନେଇ ଲୋକମାନଙ୍କର ମୁଣ୍ଡ ଉପରେ ସେହି ଭ୍ରାତୃତ୍ଵର ମଇଟାକୁ ଚଲାଇ ନେବାକୁ ଚେଷ୍ଟା କରିଥିଲା ଏବଂ ସବୁକିଛି ଦିବ୍ୟ ମାର୍ଗରେ ଚାଲିଚି ବୋଲି ଆମ ସମସ୍ତଙ୍କ ପାଖରେ କହି ହେଉଥିଲା । କେବଳ ରାଜନୀତି ଓ ରାଷ୍ଟ୍ରଶକ୍ତିଦ୍ୱାରା ଯେ ମଣିଷମାନଙ୍କ ଭିତରେ ଭ୍ରାତୃତ୍ୱର ପ୍ରତିଷ୍ଠା କରି ହୁଏନାହିଁ, ସେକଥାଟି ପ୍ରମାଣିତ ହୋଇଗଲା । ମଣିଷକୁ ମଙ୍ଗାଇ ଆଣିବାକୁ ହୁଏ । ମଣିଷକୁ ଶିକ୍ଷିତ କରାଇ ଆଣିବାକୁ ହୁଏ । ମଣିଷ ଆଗରେ ଦୃଷ୍ଟାନ୍ତ ହେବାକୁ ହୁଏ । ତେବେ ଯାଇ ପୁରୁଣା ଯାଏଁ, ନୂଆ ଆସେ; ମିଥ୍ୟା ଯାଏଁ ଏବଂ ସତ୍ୟ ଦୃଶ୍ୟମାନ ହୁଏ-। ମଣିଷମାନେ ଆଦିମତା ଛାଡ଼ି ଆଧୁନିକ ବ୍ୟବସ୍ଥା ମଧ୍ୟକୁ ଆସନ୍ତି । କମ୍ୟୁନିଷ୍ଟିଆ ୟୁରୋପରେ ତାହା ହୋଇ ନଥିଲା । ତେଣୁ ପୂରା ତମ୍ବୁଟା ଭୁଷୁଡ଼ି ପଡ଼ିଲା ।

 

ଯେଉଁମାନେ ସମସ୍ତେ ଏକଦା ଗୋଟାଏ ପତାକାରେ ରାଜନୀତି ତଳେ ମଣହୋଇ ରହିଥିଲେ, ସେମାନେ ଆଜି ପରସ୍ପର ମଧ୍ୟରେ ଯୁଦ୍ଧ କରୁଛନ୍ତି । ସେମାନେ ଭୂଇଁକୁ ଆଳକରି ଯୁଦ୍ଧ କରୁଛନ୍ତି । ଭାଷା ଅନୁସାରେ ଏବଂ ସମ୍ଭବତଃ ଧର୍ମ ଅନୁସାରେବି ଭୂଇଁ–ସ୍ଵାର୍ଥମାନଙ୍କୁ ଛିଡ଼ା କରାଯାଇଛି ଏବଂ ଯୁଦ୍ଧ ଚାଲିଛି । ମିଳିତ ଜାତିସଂଘ ତରଫରୁ ଯୁଦ୍ଧ ନହେଉ ବୋଲି ପ୍ରହରୀ ଜଗିଛନ୍ତି ଓ ଯୁଦ୍ଧ ନ ହେଉ ବୋଲି ଉତ୍ତର ଆଟଲାଣ୍ଟିକ୍ ମେଣ୍ଟର ଉଡ଼ାଜାହାଜମାନେ ସେହି ଇଲାକାରେ ବେଶ୍ କେତେଥର ବୋମାବି ପକାଇ ଆସିଲେଣି । ତଥାପି ଯୁଦ୍ଧ ବନ୍ଦ ହୋଇପାରୁନାହିଁ-। ଏକ ପ୍ରାଦେଶିକ ରାଜଧାନୀ ସାରାୟେଭୋ ଏହିସବୁ ଯୁଦ୍ଧ ବିଗ୍ରହର ମଧ୍ୟ ନାଡ଼ି ହୋଇ ରହିଛି-। ବିଗତ ଦୁଇ ତିନିଟା ବର୍ଷ ଭିତରେ ସେଠାରେ କେତେ ମଣିଷ ମଲେଣି । ଆହୁରି କେତେ ଖଣ୍ଡିଆ ଦଣ୍ଡିଆ ହେଲେଣି । ବୋମାମାଡ଼ରେ କେତେକେତେ ଘର ଭାଙ୍ଗିଗଲାଣି । ତଥାପି ଯୁଦ୍ଧ ଚାଲିଛି-। ଅନାମଧେୟ କୁନି କୁନି ଜାଗାମାନଙ୍କୁ ଆଜି ଇଏ ଦଖଲ କରିନେଉଛି ତ କାଲି ପୁଣି ଆଉ କିଏ ଆସି ମାଡ଼ିବସୁଛି । ବାହାରକୁ ଧର୍ମର ବାଡ଼ିଟାକୁ ପକାଇ କୁହାଯାଉଛି ଯେ, ସେଠି ମୁସଲମାନମାନେ ଖ୍ରୀଷ୍ଟିଆନ ସର୍ବମାନଙ୍କ ଅଧୀନରେ ରହିବାକୁ ଇଚ୍ଛା କରୁନାହାଁନ୍ତି ଓ ତେଣୁ ଲଢ଼ାଇ ଚାଲିଛି । ବୃହତ୍ତର ମୁସଲମାନ ପୃଥିବୀରେ ସରକାରମାନେ ଏହାକୁ ସତେଅବା ଏକ ଧର୍ମଯୁଦ୍ଧ ବୋଲି ମନେକରୁଛନ୍ତି । ସାଉଦୀଆରବ ଓ ଇରାନ ପ୍ରଭୃତି ଦେଶରୁ ସାହାଯ୍ୟ ଯାଉଛି-। ଏକଦା କମ୍ୟୁନିଜିମ୍‌ରେ ଶ୍ଵାସକଷ୍ଟ ଭୋଗ କରୁଥିବା ପ୍ରତିବେଶୀ କୁନି ଆଲବାନିଆର ବର୍ତ୍ତମାନ ଅଣ–କମ୍ୟୁନିଷ୍ଟ ମୁସଲମାନ ଶାସକମାନେ ମଧ୍ୟ ସହାନୁଭୂତିରେ କ୍ରୁଦ୍ଧ ଏବଂ ସକ୍ରିୟ ହୋଇ ଉଠିଲେଣି । ବଡ଼ବଡ଼ ଯୁଦ୍ଧ ସିନା ପୃଥିବୀରୁ ବନ୍ଦ ହୋଇଗଲା ବୋଲି ବେଳେବେଳେ ଶୁଣାଯାଉଛି, ମାତ୍ର ଏସବୁ ସାନ ସାନ ଯୁଦ୍ଧ କ’ଣ ସତରେ କେବେ ସରିବ ? ଏବଂ ସାନ ସାନ ବିବାଦକୁ ଭୂମିରୂପେ ବ୍ୟବହାର କରି ବୃହତ୍ ଶକ୍ତିମାନଙ୍କର ମାମଲତ୍‍କାରୀ ଭିତରେ ଚାଲିଥିବା ଏହି ସାନ ସାନ ଘରର ନିଆଁ ନଲିଭିଲା ପର୍ଯ୍ୟନ୍ତ ଆମ ବଡ଼ ପୃଥିବୀ ଯୁଦ୍ଧମୁକ୍ତ ହେଲା ବୋଲି ଆମେ କିପରି କହିପାରିବା ? ସାରାୟେଭୋ ସହରର ବାସିନ୍ଦାମାନେ ସ୍ୱୟଂ ଏସବୁ ପ୍ରସଙ୍ଗରେ କ’ଣ ଚିନ୍ତା କରୁଥିବେ ? ସାଧାରଣ ମଣିଷମାନେ, ଯେଉଁମାନେ ନିତି ସୂର୍ଯ୍ୟ ଉଠୁଥିଲା ପରି ନିତି ଆପଣାର ସାଧାରଣ ଆମୀୟତାଗୁଡ଼ିକୁ ପୁଞ୍ଜି କରି ସାଧାରଣ ଜୀବନଟିଏ ବଞ୍ଚିବାଦ୍ୱାରାହିଁ ହୁଏତ ସବୁଠାରୁ ଅଧିକ ସନ୍ତୋଷଲାଭ କରନ୍ତି, ସେମାନେ ଅଚାନକ ପୃଥିବୀର ସମର–ମାନଚିତ୍ର ଭିତରକୁ ପେଲି ହୋଇ ଆସିଥିବାର ଏହି ଘଟଣାଟାକୁ ପ୍ରକୃତରେ କିପରି ଭାବରେ ଗ୍ରହଣ କରୁଥିବେ ?

 

ସାରାୟେଭୋ ସହରରେ ଗୋଟିଏ ସଙ୍ଗୀତ ବିଦ୍ୟାଳୟ ଅଛି । ଯୁଦ୍ଧ ତ ଏବେ ଲାଗିଲା; ମାତ୍ର ସଙ୍ଗୀତ ବିଦ୍ୟାଳୟଟି ବହୁ ପୂର୍ବରୁ ରହିଛି । ଦେଶର ବିଭିନ୍ନ ପ୍ରାନ୍ତ ଓ ବିଭିନ୍ନ ଅଞ୍ଚଳରୁ ସେଠାରେ ଆଗ୍ରହୀ ପୁଅ ଝିଅମାନେ ସଙ୍ଗୀତ ଶିକ୍ଷାକରି ଆସିଛନ୍ତି । ସଙ୍ଗୀତ ମନୁଷ୍ୟର ଜୀବନ ନିବେଦନର କ୍ଷେତ୍ରରେ ଏପରି ଏକ ବ୍ୟାପାର, ଯାହାର କି କୌଣସି ଜାତି ନାହିଁ, କୌଣସି ଦେଶ ନାହିଁ, ଯାହା ଭିତରେ ଆଦୌ କୌଣସି କାରଣ ନାହିଁ । ସଙ୍ଗୀତ, ଯଦି ଜଣେ ମଣିଷ ସତକୁସତ ନିଜ ଭିତରେ ସଙ୍ଗୀତକୁ ବାଟ ଛାଡ଼ି ଦେଇପାରେ, ତେବେ ତାହା ମଣିଷର ଭିତରେ ରହିଥିବା ଏପରି ଏକ ଅଳିନ୍ଦକୁ ସ୍ପର୍ଶ କରିପାରେ, ଯେଉଁଠାରେ କି ମଣିଷ କେବଳ ଏକ ନିରୋଳା ଓ ସିଧା ମଣିଷଟିଏ ବ୍ୟତୀତ ପ୍ରାୟ ଆଉ କିଛିହେଲେ ହୋଇ ରହି ନଥାଏ; ସେଠାରେ ଭୀରୁ ବୋଲି କେହି ନଥାନ୍ତି । ସେଠାରେ ମଣିଷଟି କେବଳ ନିଜକୁ ଦେଇଦେବ ବୋଲି ଅପେକ୍ଷା କରି ରହିଥାଏ । ଆପଣାକୁ ଦେଇ ଦେଇ ସାରା ପୃଥିବୀଟାକୁ ଜୟ କରିବ ବୋଲି ଆସ୍ପୃହା ରଖିଥାଏ । ସାରାୟେଭୋର ସେହି ସଙ୍ଗୀତ ବିଦ୍ୟାଳୟଟିକୁ ଏହି ଯୁଦ୍ଧର ଯାବତୀୟ ମାଡ଼ ଅବଶ୍ୟ ସହିବାକୁ ହୋଇଛି । ଯୁଦ୍ଧରତମାନଙ୍କର ତୋପ ଓ ଗୁଳି କେତେଥର ଆସି ବିଦ୍ୟାଳୟର ହତା ଭିତରେ ପଡ଼ିଛି, କେତେକଅଣ ଖଣ୍ଡିଆଖାବରା କରିଦେଇଛି । ହିସାବ କହୁଛି, ଯେଉଁ ବିଦ୍ୟାଳୟରେ ଶିକ୍ଷାର୍ଥୀ ଓ ଶିକ୍ଷକ ହୋଇ ଏକଦା ପ୍ରାୟ ଦୁଇଶହ ମଣିଷ ରହିଥିଲେ, ଏବେ ସେଠାରେ ହୁଏତ ମୋଟେ ପ୍ରାୟ ଷାଠିଏ ଜଣ ମଣିଷ ଅଛନ୍ତି । ଅନ୍ତେବାସୀଙ୍କ ଭିତରୁ କେତେ ମଲେଣି ଏବଂ ଅଧିକାଂଶ ପଳାଇଗଲେଣି । ତଥାପି ବିଦ୍ୟାଳୟ ବନ୍ଦ ହୋଇନାହିଁ ।

 

ଅନ୍ତେବାସୀମାନେ ତଥାପି ସଙ୍ଗୀତକୁ ଛାଡ଼ିନାହାନ୍ତି । ଗୁଳା, ବାରୁଦ ଏବଂ କ୍ରୂର ମଣିଷର ଯାବତୀୟ ଉପଦ୍ରବ ସତ୍ତ୍ୱେ ସେମାନେ ଗୋଟାସୁଦ୍ଧା ବାହାରେ ବସି ସଙ୍ଗୀତ ଜମାଉଛନ୍ତି । କିଏ ଏକୁଟିଆ ବସି ନିଜର ବାଦ୍ୟଯନ୍ତ୍ରଟିକୁ ବଜାଉଛି, ଆଉ କିଏ ସୁରଟିଏ ଅଭ୍ୟାସ କରୁଛି । ଏସବୁ ପ୍ରତିବାଦସ୍ୱରୂପ ହେଉଛି । ବାହାରେ କେତେଟା ମତ୍ତ ମଣିଷ ଯାହାସବୁ ଭିଆଇବାରେ ଲାଗିଛନ୍ତି, ଭିତରେ ସମର୍ପିତ ହୋଇ ରହିଥିବା ଆଉ କେତୋଟି ମଣିଷ ସଙ୍ଗୀତରେ ତାହାର ପ୍ରତିବାଦ କରୁଛନ୍ତି । ନିଜ ଜୀବନକୁ ବିପନ୍ନ କରି ସେମାନେ ଜାଣିଶୁଣି ଓ ଅତ୍ୟନ୍ତ ସୁବିବେଚିତ ଏବଂ ସୁଯୋଜିତ ଭାବରେ ଯୁଦ୍ଧର ପ୍ରତିବାଦ କରୁଛନ୍ତି । ଏହି ପ୍ରତିବାଦର ସମ୍ବାଦଟିକୁ ସଂଗ୍ରହ କରି ସାରା ପୃଥିବୀକୁ ଜଣାଇବା ଲାଗି ସାରାୟେଭୋରେ ଏବେ ମଧ୍ୟ ଯେ ଆଗ୍ରହୀ ସାମ୍ବାଦିକ ରହିଛନ୍ତି, ଆମ ପୃଥିବୀପାଇଁ ତାହାକୁ ଏକ ଆଶାର କଥା ବୋଲି କୁହାଯିବ ।

 

ନ୍ୟାୟ ଓ ଅନ୍ୟାୟ ମଧ୍ୟରେ ନିଷ୍ପତ୍ତି ହେବାର ଦାୟିତ୍ୱଟାକୁ ଆଧୁନିକ ରାଷ୍ଟ୍ରର ପ୍ରରୋଚନାରେ ପଡ଼ି ମଣିଷମାନେ ଯେଉଁଦିନଠାରୁ ସୈନ୍ୟମାନଙ୍କ ଉପରେ ଛାଡ଼ିଦେଇ ଆସିଲେଣି, ଆମ ପୃଥିବୀଟା ହୁଏତ ସେହିଦିନୁ ଭାରି ଅଲକ୍ଷଣା ହେବାକୁ ଆରମ୍ଭ କଲାଣି । ସେହିଦିନଠାରୁ ଦୁଷ୍ଟମାନେ ଓ ଧୂର୍ତ୍ତମାନେ ଆମ ପୃଥିବୀକୁ ଶାସନ କରୁଛନ୍ତି । ପୃଥିବୀଟା ସତେଯେପରି ମଣିଷମାନଙ୍କର ହାତରୁ ଖସିଯାଇ ପାଜିମାନଙ୍କ ହାତକୁ ଚାଲିଯାଉଛି । ଏହି ପାଜିମାନେ ପୃଥିବୀର ସବୁଦେଶରେ ରହିଛନ୍ତି । ସବୁ ଦେଶରେ ନେତା ବନିଛନ୍ତି ଏବଂ ଆପଣାର ମୂର୍ଖତାଗୁଡ଼ାକୁ ପୁଞ୍ଜିକରି ରାଜନୀତି କରୁଛନ୍ତି । ସେହି ମୂର୍ଖମାନଙ୍କର ବାଟ କିଏ ଓଗାଳି ପାରିବ ? ସାରାୟେଭୋ ସଙ୍ଗୀତ ବିଦ୍ୟାଳୟର ପିଲାମାନେ ଏହି ପ୍ରଶ୍ନଟି ଆଡ଼କୁ ସମଗ୍ର ପୃଥିବୀର ମନୁଷ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ସମ୍ଭବତଃ ଏକ ଅଭିନବ ପନ୍ଥା ଗ୍ରହଣ କରିଛନ୍ତି । ସେମାନେ ସତ୍ୟାଗ୍ରହର ପକ୍ଷରେ ରହିଛନ୍ତି । ସଙ୍ଗୀତ, ସାହିତ୍ୟ, କଳା ସତକୁସତ ସତ୍ୟକୁ ମନକଲେ ଆମର ଏହି ବହୁ ପ୍ରକାରେ ଧର୍ଷିତା ହେଉଥିବା ପୃଥିବୀକୁ ଯେ ହୁଏତ ବିକଳ୍ପ ବାଟଟିଏ ମିଳିଯାଇ ପାରିବ, ଆପଣାର ଜୀବନକୁ ବିପନ୍ନ କରି ସଙ୍ଗୀତଦ୍ୱାରା ପ୍ରତିବାଦ ଜଣାଇ ସେମାନେ ଆମକୁ ହୁଏତ ସେହି କଥାଟି କହିବାକୁ ଇଚ୍ଛା କରୁଛନ୍ତି । ମଣିଷ ସାହସ କରିପାରିଲେ ସେମାନଙ୍କର ଭାଷାଟିକୁ ଅବଶ୍ୟ ବୁଝିପାରିବ ।

Image

 

ବିଜ୍ଞାନରେ ବାମନଦୃଷ୍ଟି (୨)

 

ଅନେକ ସମୟରେ ପିଲାର ବିକାଶରେ ସାହାଯ୍ୟ କରିବା ନିମନ୍ତେ ନୁହେଁ, ପିଲାକୁ ଭୁଲାଇ ରଖିବାପାଇଁ ପିଲାମାନଙ୍କ ହାତରେ ଖେଳନାମାନ ଧରାଇ ଦିଆଯାଏ । ଏପରି ମଧ୍ୟ ଦେଖାଯାଏ, ଯେଉଁ ବାପାମାଆଙ୍କ ପାଖରେ ପିଲାଙ୍କ ସକାଶେ କମ୍ ସମୟ ରହିଥାଏ ଓ ଏପରିକି ପିଲାଟିର ବିକାଶରେ ସାଙ୍ଗଟିଏ ପରି ସାହାଯ୍ୟ କରିବା ଅପେକ୍ଷା ନିଜ ସଂସାର–ଜଞ୍ଜାଳ ଆଡ଼କୁ ଅଧିକ ମନ ଏବଂ ଅଧିକ ପ୍ରୀତି ରହିଥାଏ, ସେହିମାନଙ୍କର ଘରେ ପିଲାମାନଙ୍କ ନିମନ୍ତେ ଅଧିକ ଭଳିଭଳି ଖେଳନା ଯୋଗାଇ ଦିଆଯାଇଥାଏ । ଯୋଉସବୁ ବିଶେଷଇ ଇସ୍କୁଲରେ ଥିଲାଘରର ପିଲାମାନେ ପଢ଼ିବାକୁ ଆସନ୍ତି, ସେସବୁ ସ୍କୁଲ୍‍ରେ ସେମାନଙ୍କୁ ଅଧିକ ଖେଳନା ଧରାଇ ଦିଆଯାଏ; କାରଣ, ଜଣେ ନିରୋଳା ଏବଂ ନିଷ୍କପଟ ସାଥୀ ହିସାବରେ କିପରି ସାନ ପିଲାଟିର ପାଖକୁ ଯାଇ ତା’ ହୃଦୟକୁ ସ୍ପର୍ଶ କରିବାକୁ ହୁଏ, ସେହି କଳାଟି ତା’ ଜିମାରେ ଥିବା ବଡ଼ମାନେ ଶିକ୍ଷା କରିବାକୁ ହୁଏତ ଇଚ୍ଛାବି କରୁ ନଥାନ୍ତି । ସୁସ୍ଥ ଓ ସଚେତନ ବିକାଶ ଦୃଷ୍ଟିରୁ ଦେଖିଲେ ଅଧିକ ଖେଳନା ଯୋଗାଇ ଦିଆଯାଉଥିବା ଇସ୍କୁଲମାନଙ୍କରେ ପିଲା ହୁଏତ ସାଧାରଣ ଇସ୍କୁଲଗୁଡ଼ିକର ଅପେକ୍ଷାକୃତ ଅଧିକ ଅବହେଳିତ ହୋଇ ରହିଥିବା ପରି ଦିଶୁଥିବା ପିଲାମାନଙ୍କ ତୁଳନାରେ ଯେ ପଛରେ ପଡ଼ି ରହିଥାଏ, ଗବେଷଣାଦ୍ଵାରା ସେହି ତଥ୍ୟଟି ଆମକୁ ଅବଶ୍ୟ ମିଳିଯାଇ ପାରନ୍ତା ।

 

ଆମ ଦେଶରେ ଗାଁ ଇସ୍କୁଲଗୁଡ଼ିକରେ ପିଲାମାନଙ୍କୁ ବିଜ୍ଞାନ ବିଷୟଟି ବିଜ୍ଞାନ ଭଳି ପଢ଼ାଯାଏ ନାହିଁ । କେତେଟା ବହି ଘୋଷି ସେମାନେ ବିଜ୍ଞାନ ନାମକ ବିଷୟର ପରୀକ୍ଷା ବାବତ ବୋଝଟିକୁ ସମ୍ଭାଳିବାକୁ ବାଧ୍ୟ ହୁଅନ୍ତି । ସହରମାନଙ୍କର ବିଶେଷ ଇସ୍କୁଲରେ ପାଠପଢ଼ି ଯାଉଥିବା ବିଶେଷ ଘରର ପିଲାମାନଙ୍କ ଲାଗି ବିଜ୍ଞାନକୁ ସତେଅବା ଖେଳନା ପରି ଧରାଇ ଦିଆଯାଏ । ଅବଶ୍ୟ ଏକଥା ସତ ଯେ, ପିଲା ବୟସରେ ଖେଳନାରୂପେ ଗ୍ରହଣ କରିଥିବା ଏହି ବିଜ୍ଞାନକୁ ଏହି ଦ୍ୱିତୀୟ କାଟର ପିଲାମାନେ ଭବିଷ୍ୟତର ଜୀବିକାଗୁଡ଼ାକୁ ଅଧିକ ସମ୍ପନ୍ନତାଦାୟକ କରିବାକୁହିଁ ବିଜ୍ଞାନ ଆଡ଼େ ଅଧିକ ମନ କରନ୍ତି, ଲୋଭୀ ହୋଇ ଗଧ ପରି ବିଜ୍ଞାନ ପଛରେ ଦଉଡ଼ନ୍ତି । ଅଧିକା ସମୟ ବାହାର କରି ଏଠିସେଠି ତାଲିମ ନିଅନ୍ତି । ବଡ଼ ହୋଇ ବଡ଼ ଚାକିରି କରନ୍ତି, ବିଜ୍ଞାନର ମଣ୍ଡଳମାନଙ୍କରେ ମଣ୍ଡଳାଧୀଶ ହୁଅନ୍ତି । ଆମ ଦେଶରେ ଅଧିକାଂଶ ଛାତ୍ର ବିଜ୍ଞାନଦ୍ଵାରା ଆକୃଷ୍ଟ ହୋଇ ବିଜ୍ଞାନ ପଢ଼ନ୍ତି ଅଥବା ବିଜ୍ଞାନ ବାଟରେ ପ୍ରତିଶ୍ରୁତ ହୋଇ ରହିଥିବା ମୋଟା ପଇସାର ଆକର୍ଷଣରେ ସେହି ହରକତ୍‍ ଭିତରେ ମଣ ହେବାକୁ ଯାଆନ୍ତି, ଗବେଷଣାଦ୍ୱାରା ଆମ ପାଖରେ ସେହି କଥାଟି ମଧ୍ୟ ଭାରି ଚମତ୍କାର ଭାବରେ ଧରାପଡ଼ି ଯାଆନ୍ତା । ତେଣୁ ଆମ ଦେଶର ଅଧିକତର ବିଜ୍ଞାନପଢ଼ା ଓ ବିଜ୍ଞାନ ପ୍ରଚାର ଆମର ଅପେକ୍ଷାକୃତ ଅଧିକ ବୁଦ୍ଧିମାନ ପିଲାଙ୍କୁ ଆମ ସମାଜର ବୃହତ୍ତର ଆହ୍ୱାନ ଏବଂ ଦାୟିତ୍ଵ ପରିସର ମଧ୍ୟରୁ ବହୁ ଲୋଭ ଦେଖାଇ ଖସାଇ ନେଇଯାଉଛି ଓ ସେମାନଙ୍କୁ ମୁଖ୍ୟତଃ ଅନ୍ୟମନସ୍କ ଗୋଟାଏ ଗୋଟାଏ ବାବୁରେ ପରିଣତ କରାଇ ଦେଉଛି କି ? ଅନେକ ସମୟରେ ଆଉ ଟିକିଏ ଅଧିକ ଗଭୀରକୁ ଯାଇ ନିଜକୁ ଏହି ପ୍ରଶ୍ନଟି ପଚାରିବାକୁ ଭାରି ଇଚ୍ଛା ହୁଏ ।

 

ଏକ ସାମନ୍ତବାଦୀ ଅସମାନ ସମାଜରେ ବିଜ୍ଞାନ ବିଷୟରେ ପ୍ରାୟ ଯାବତୀୟ ଉତ୍ସାହ ଏବଂ ଉଦ୍ୟମ ସମାଜରେ ଅସମାନତା ବଢ଼ାଇବାରେ ସାହାଯ୍ୟ କରେ । ଅସଲ ବିଜ୍ଞାନ ଆଖିପାଆନ୍ତାରୁହିଁ ତା’ର ଯାବତୀୟ ଦେଖିବାକୁ ଆଗ ଆରମ୍ଭ କରେ । ନହେଲେ ତାହା ଜାଣତରେ ବା ଅଜାଣତରେ ଅନେକ ଅସୁସ୍ଥତାକୁ ସତେଅବା ଘର ଭିତରକୁ ଡାକି ନେଇଆସେ । ବିଜ୍ଞାନର ଯଥାର୍ଥ ଆଖିଟି ଖୋଲିବାମାତ୍ରକେ ଧର୍ମତଃ ଜଣେ ମଣିଷ ଆଉ ଜଣେ ମଣିଷକୁହିଁ ସବାଆଗ ଦେଖିବା କଥା, ସବାଆଗ ତାହାରି ଆଡ଼କୁ ଟାଣିହୋଇ ଆସିବା କଥା । ଯେତେବେଳେ ଇଉରୋପରୁ ସୁନାକାଙ୍ଗାଳମାନେ ଅଷ୍ଟ୍ରେଲିଆରେ ଯାଇ ପହଞ୍ଚିଲେ, ସେମାନେ ସେତେବେଳେ ଅଷ୍ଟ୍ରେଲିଆରେ କାଳ କାଳରୁ ବାସ କରି ଆସିଥିବା ମଣିଷମାନଙ୍କ ଆଡ଼କୁ ମୋଟେ ଅନାଇ ନଥିଲେ । ସେମାନେ ସୁନା ଗୋଟାଇବାରେ ଲାଗିଗଲେ, ଆପଣାର ଭାଗ୍ୟ ଗୋଟାଇବାରେ ଲାଗିଗଲେ । ଏବଂ ଅଚିରେ ଏପରି ଗୋଟିଏ ସମୟ ଆସିଲା, ଯେତେବେଳେ କି ଅଧିକ ବିଜ୍ଞାନ ଏବଂ ଅଧିକ ବୁଦ୍ଧି ଥିବା ଏମାନେ ଦୂର ମହାଦେଶଟିକୁ ସତେଅବା ଏକୁଟିଆ ଭୋଗ କରିବା ଲାଗି ଆଦିବାସୀମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଲୋପ କରିଦେଲେ । ଇଉରୋପରୁ ଆମେରିକାକୁ ନୂଆ ଘର ବସାଇ ଯାଇଥିବା ସଭ୍ୟ ଓ ଅଧିକ ପ୍ରବଳମାନେ ସେହି ପ୍ରକ୍ରିୟାରେ ସେହି ଭୂମିର ମୂଳ ଅଧିବାସୀଙ୍କୁ ପ୍ରାୟ ନିର୍ମୂଳ କରିଦେଇଥିଲେ । ଏସବୁ ଘଟଣାର କେତେଶହ ବର୍ଷ ପରେ ଏବେ ମଧ୍ୟ ପୃଥିବୀର ବହୁ ଭାଗରେ ସେହି ପାଷଣ୍ଡତା ଲାଗି ରହିଛି ଓ ବିଜ୍ଞାନର ବାହାନା ଦେଖାଇ ପ୍ରବଳମାନେ ଦୁର୍ବଳ ଉପରେ ଘୋଡ଼ା ଚଢ଼ି ରହିଛନ୍ତି ବୋଲି ସାଂପ୍ରତିକ ଏକାଧିକ ଗବେଷଣାରୁ ସୂଚନାମାନ ମିଳୁଚି । ଭାରତବର୍ଷରେ ଅଳ୍ପ ବହୁତ ହୁଏତ ତାହାହିଁ ହେଉଛି । ଯେଉଁମାନେ ଆମର ସଭ୍ୟତା ଏବଂ ମାନବ ସଂହତିକୁ ଯୁଗଯୁଗ ଧରି ରକ୍ଷା କରି ଆସିଛନ୍ତି, ସେମାନେ ଦୁର୍ବଳ ହୋଇ ଯାଉଛନ୍ତି ଓ ଆଧୁନିକ ପ୍ରତିଯୋଗିତାରେ ମାଡ଼ଖାଇ ରହିଯାଉଛନ୍ତି । ଅତ୍ୟନ୍ତ ଅଳପ ମଣିଷ, ସର୍ଜିବା ଅପେକ୍ଷା ଭୁଞ୍ଜିବାକୁହିଁ ନିଜର ନିରାପଦତର ଧର୍ମରୂପେ ଗ୍ରହଣ କରି ନେଇଥିବା ସେହି ଅଳପମାନେହିଁ ସାମୂହିକ ଭାଗ୍ୟଗୁଡ଼ିକର ପ୍ରାୟ ଯାବତୀୟ ଇଜ୍ଜତକୁ ହାତରେ ଜାବୁଡ଼ି ଧରିଛନ୍ତି । ସଂଖ୍ୟାରେ ସୁମାରି କଲେ ସେମାନେ ଆମ ଭିତରେ ଚଉଠେବି ହେବେନାହିଁ ।

 

ସେହିମାନେ ରାଜନୀତିକୁ ଚଳାଉଛନ୍ତି । ସେଇମାନଙ୍କର ପିଲାଏ ବିଜ୍ଞାନ ଆଳରେ ଆଈମା’ମାନଙ୍କଠାରୁ ଗପ ଶୁଣିବା ପରି ଆକାଶର ତରା ଚିହ୍ନୁଛନ୍ତି, ବାଇଡ଼ଙ୍କର ବୀଜବିକ୍ଷେପଣ ପ୍ରଣାଳୀ ବିଷୟରେ ରହିଥିବା ଗୂଢ଼ତଥ୍ୟଗୁଡ଼ିକୁ ଜାଣୁଛନ୍ତି । ସେମାନଙ୍କ ସକାଶେ ବିଶେଷ ବିଶେଷ ଲୋଭନୀୟ ଥାନମାନଙ୍କରେ ବାଘ ଓ ସାପମାନେ ପୋଷା ହେଉଛନ୍ତି । ଲକ୍ଷ ଲକ୍ଷ କଇଁଛ କିପରି ଅଣ୍ଡା ଦେବାକୁ ଆସି ନଈମୁହାଣମାନଙ୍କରେ ରମଣ କରୁଛନ୍ତି, ଖବରକାଗଜରେ ସେହିମାନଙ୍କ ପାଇଁ ଖବର ବାହାରୁଛି । ଗଛମାନେ ମଣିଷର କେତେ କାମରେ ଲାଗୁଛନ୍ତି, ବୈଜ୍ଞାନିକ ରୀତିରେ ସେମାନଙ୍କୁ ନକ୍ସାମାନ କାଟି ଦେଖାଇ ଦିଆଯାଉଛି । ପରିବେଶର ସଂରକ୍ଷଣ ନାମରେ ସେମାନଙ୍କର ମନକୁ ସତେଅବା ଘୋର ଘୋର ବହୁ ଜ୍ଞାନ ଓ ବିଜ୍ଞାନରେ ଖୁନ୍ଦି ଦିଆଯାଉଛି । ବିବେକ ଲାଗି କୌଣସି ଜାଗାନାହିଁ, ହୃଦୟ ସକାଶେ ଆମ ଭିତରେ ଏକାଠି ବସି ଘଡ଼ିଏ ଦୁଃଖସୁଖ ହେବାଲାଗି ପିଢ଼ାଟିଏବି ମିଳୁନାହିଁ । ବିଜ୍ଞାନକୁ ପ୍ରେମ କରୁଥିବା ଉତ୍ସାହୀମାନଙ୍କର ମୁଣିରେ ମଣିଷ ଲାଗି ସ୍ଥାନନାହିଁ । ଗୋଟାଏ ଗାଁରେ ମଣିଷମାନେ କାହିଁକି ବାର ଥାକ ହୋଇ ରହିଛନ୍ତି, ଗାଁର ସବୁଯାକ ପିଲା କାହିଁକି ଗୋଟିଏ ଜାଗାରେ ଖେଳୁନାହାନ୍ତି (ଗୋଟିଏ ଜାଗାରେ ଏକାଠି ପାଠ ପଢ଼ିବା ତ ଆହୁରି ଦୂରର କଥା), ତଥାକଥିତ ସହରମାନଙ୍କରେ ସବୁ ମଣିଷଙ୍କ ଘରେ କାହିଁକି ପାଇଖାନା ନାହିଁ, ସବୁ ଗାଁକୁ କାହିଁକି ରାସ୍ତା ନାହିଁ, ସବୁ ମଣିଷ କାହିଁକି ସୁସ୍ଥ ରହିବା ଭଳି ଟୋପାଏ ପିଇବା ପାଣି ପାଉନାହାନ୍ତି, ଆମେ ପୋଷାକ ପିନ୍ଧି ପ୍ରଜାପତି ପରି ବୁଲୁଥିଲାବେଳେ ଏହି ଦେଶରେ ଆମ ଚାରିପାଖରେ ଶହ ଶହ ପିଲା କାହିଁକି ଦରନଙ୍ଗଳା ହୋଇ ରହିଛନ୍ତି, ଆମ ବିଜ୍ଞାନର ଚକ୍ଷୁକୁଟା ଦୂର ଦଉଡ଼ର କାର୍ଯ୍ୟକ୍ରମରେ ଏସବୁ ପ୍ରଶ୍ନ ଲାଗି ସତେଅବା ଆଦୌ କୌଣସି ସ୍ଥାନ ନାହିଁ । ଆମ ଦେଶରେ ସବୁ ମଣିଷଙ୍କୁ ସତକୁସତ ଭଗବାନ ତିଆରି କରିଛନ୍ତି କି ନାହିଁ, ପିଲାମାନଙ୍କୁହିଁ ଏହିଭଳି ପ୍ରଶ୍ନଟିଏ ପଚାରି ଆହୁରି ଆଗକୁ ଚିନ୍ତା କରିବା ଲାଗି ସେମାନଙ୍କୁ ଏକ ଅବକାଶ ଯୋଗାଇଦେବା ନିମନ୍ତେ ଆମ ବିଜ୍ଞାନଶିବିରଗୁଡ଼ିକ ହୁଏତ ସାହସହିଁ କରୁନାହାନ୍ତି । ଏହି ଦେଶକୁ ସେମାନେ ଅନ୍ଧାର ଭିତରେ ରଖିବା ନିମନ୍ତେ ନିଜ ଭିତରେ ସଲା କରିଛନ୍ତି କି ? ଯୁଗଟାକୁ ଏକାବେଳେକେ ଏକୁଟିଆ ଭୋଗ କରିବାକୁ ସେମାନେ ଆପଣା ପାଖରେ ପଣ କରିଛନ୍ତି ? ନହେଲେ, ସେମାନେ ମଣିଷ ଆଗରେ ସବାଆଗ ମଣିଷର କଥାଗୁଡ଼ିକୁ ନକହି ସତେଅବା ଜାଣିସିଆଣିଆଙ୍କ ପରି ୟାଡ଼ୁସାଡ଼ୁ ଭିତରେ କାହିଁକି ମାତିଛନ୍ତି, ମଣିଷର ସର୍ବପ୍ରଥମ ଜିଜ୍ଞାସାଗୁଡ଼ିକୁ ନ ଉଖାରି ସେମାନେ ତାକୁ ପୁଳାଏ ଗୁଡ଼ରେ କାହିଁକି ଶାନ୍ତ କରି ରଖିବାକୁ ଇଚ୍ଛା କରୁଛନ୍ତି ?

 

ତେଣୁ, ଆମ ଉତ୍ସାହର ଆଭିମୁଖ୍ୟ ବଦଳୁ । କେଉଁ ଯୁଗରେ ଗ୍ରୀସ୍‌ର କେହି ଜଣେ ଆଖିଥିବା ମଣିଷ ମଣିଷକୁହିଁ ଏହି ସୃଷ୍ଟିର ସବୁଠାରୁ ବଡ଼ ବିସ୍ମୟ ବୋଲି କହିଥିଲେ । ମାତ୍ର ଏବେ ଅଧିକାଂଶ ମଣିଷଙ୍କ ପାଇଁ ପୃଥିବୀକୁ ଅନ୍ଧାର କରି ରଖି ବିଜ୍ଞାନକୁ ଏକ ଫେସନରେ କାହିଁକି ପରିଣତ କରି ଦିଆଯାଉଛି ? ମଣିଷକୁ ମଣିଷଲାଗି ଏପରି ଉଦାସୀନ କରି ରଖିବାର ଏହି ଅପପ୍ରୟାସ ଦରିଦ୍ର ତୃତୀୟ ବିଶ୍ଵରେ ଏତେଦିନ ଯାଏଁ ଚାଲିପାରୁଛି କିପରି ? ଏଠି ସରକାରମାନେ ବିଜ୍ଞାନକୁ ମୂଳତଃ ଏକ ଫେସନ କରି ରଖିବାକୁହିଁ ପଇସା ଖର୍ଚ୍ଚ କରୁଛନ୍ତି । ବିଜ୍ଞାନକୁ ଆମ ପିଲାମାନଙ୍କ ଆଗରେ ମୁଖ୍ୟତଃ ଏକ ଖେଳନା ପରି ଉପସ୍ଥାପିତ କରାଯାଉଛି । ସଚରାଚର ସରକାରମାନଙ୍କର ଗୁମରକୁ ବୁଝୁଥିବା ମଣିଷ ଏକଥାଟିକୁ ଅବଶ୍ୟ ବୁଝିପାରିବ । ମାତ୍ର ଯେଉଁମାନେ ସରକାର କିମ୍ବା ନ୍ୟସ୍ତସ୍ଵାର୍ଥମାନଙ୍କ ଘରେ ଗୋଲାମ ହୋଇ ରହିବାକୁ ବିଜ୍ଞାନ ଭିତରକୁ ମୋଟେ ଆସିନାହାନ୍ତି, ସେମାନେ କୁନି ଦୂରବୀକ୍ଷଣ ସାହାଯ୍ୟରେ ଅବୋଧ ପିଲାମାନଙ୍କୁ ଆଗ ଶନିଗ୍ରହକୁ ନ ଦେଖାଇ ତୁଚ୍ଛା ଆଖିଗୁଡ଼ାକ ସାହାଯ୍ୟରେ ନିକଟ ପରିପାର୍ଶ୍ଵରେ ରହିଥିବା ମଣିଷମାନଙ୍କୁ ଦେଖିବା ଲାଗି ଉତ୍ସାହିତ କରୁନାହାନ୍ତି କାହିଁକି ଓ ସେଥିଲାଗି ନିଜର ବିଜ୍ଞାନକୁ ବ୍ୟବହାର କରୁନାହାନ୍ତି କାହିଁକି ? ଆଗ ସାମାଜିକ ଅଭଦ୍ର ଗଢ଼ଣଗୁଡ଼ାକ ନ ଭାଙ୍ଗିଲେ ତଥାକଥିତ ସଉକସ୍ତରର ବିଜ୍ଞାନ ଯେ ମଣିଷକୁ ଅଧିକ ଅଭଦ୍ର କରାଏ, ସେହି କଥାଟି କାଳେ କାଳେ ପ୍ରମାଣିତ ହୋଇଆସିଛି । ବିଜ୍ଞାନ ହେଉଚି ମୂଳତଃ ଏକ ଶକ୍ତି, ଏକ ସମର୍ଥତା । ଏହା ନ୍ୟସ୍ତସ୍ୱାର୍ଥମାନଙ୍କର ହାତରେ ଗୋଲାମ ହୋଇ ରହି ପୃଥିବୀରେ କ୍ରୂରତା ବୃଦ୍ଧି କରିଛି, ଉପେକ୍ଷାକୁ ପ୍ରଶ୍ରୟ ଦେଇଛି । ସବାଆଗର ବିପ୍ଳବଗୁଡ଼ିକ ବିଷୟରେ ମଣିଷର ଦୃଷ୍ଟିକୁ ଭଣ୍ଡି ଅନ୍ୟଆଡ଼େ ନେଇଯାଇଛି । ସେଥିଲାଗି ମଣିଷର ଅସଲ କାମରେ ଲାଗିପାରିନାହିଁ । ଅସଲ ବିବେକୀମାନେ ଏକଥା ଚିନ୍ତା କରନ୍ତୁ । ମଣିଷକୁ, ସବୁ ମଣିଷଙ୍କୁ ବାଟ ଛାଡ଼ିଦେବା ଭଳି ଅର୍ଥାତ୍ ସମାନ ସୁଯୋଗର ଅଧିକାରୀ କରିବା ଭଳି ଏକ ସାମାଜିକ, ମାନବିକ ଭୂମି ଉପରେହିଁ ବିଜ୍ଞାନର ପ୍ରତିଶ୍ରୁତିପୂର୍ଣ୍ଣ ଘରଟି ତିଆରି ହେଉ । ସେଥିଲାଗି ନୂଆ ଆଖି ଥିବା ବୈଜ୍ଞାନିକମାନେ ଆଗକୁ ଆସନ୍ତୁ । ମଣିଷକୁ ମାୟା ବୋଲି କହି ଉପେକ୍ଷା କରୁଥିବା ଅବିଜ୍ଞାନୀମାନେ ଅପସରି ଯାଆନ୍ତୁ ।

Image

 

ଉତ୍କଳର ଧ୍ୱନି

 

ଗୋଟିଏ ଉତ୍କଳରେ କେତେକେତେ ପ୍ରକାରର ଧ୍ଵନି । ଯିଏ ଯେତେ ଥାନରେ ଏବଂ ଯେତେ ଆଳରେ ଯାହା କିଛି ଧ୍ୱନି କରିପାରୁଛି, ସିଏ ତାହାକୁହିଁ ଉତ୍କଳର ଧ୍ୱନି ବୋଲି କହି ହୁରି ପକାଉଛି; ଭାରି ହାଲିଆ ହୋଇଯାଇଥିବା ପରି ପାଟି କରିବାରେ ଲାଗିଛି । ଟିକିଏ ଗଭୀରକୁ ଭେଦି ହୁଏତ କୁହାଯାଇପାରିବ ଯେ, ଯିଏ ଯେଉଁଠି ଅଟକି ଯାଇଛି, ସିଏ ତାହାକୁ ବା ସେତିକିକୁହିଁ ସମଗ୍ର ଉତ୍କଳ ବୋଲି କେଡ଼େ ପ୍ରେମରେ ଭ୍ରମ କରିବାରେ ଲାଗିଛି ଏବଂ ସେହିଠାରେ ଥାଇ ଯିଏ ଯାହାକିଛି ଧ୍ୱନି କରୁଛି, ତାହାକୁହିଁ ଉତ୍କଳର ଧ୍ୱନି ବୋଲି ଆମ ସମସ୍ତଙ୍କୁ ବୁଝାଇ କହିବା ଲାଗି ଇଚ୍ଛା କରୁଛି ।

 

କିଏ ରାଜନୀତି ପାଖରେ ଆସି ଅଟକି ଯାଇଛି ଏବଂ ରାଜନୀତିର ନାଆଁରେ ଯେତେ ପ୍ରକାରର ଧ୍ୱନି ହେଉଛି, ତାହାକୁହିଁ ଉତ୍କଳର ଧ୍ୱନି ବୋଲି କହି ହେଉଛି । ତା' ନିଜ ରାଜନୀତିଟାକୁ ସେ ସତେ ଯେପରି ସମଗ୍ର ଉତ୍କଳ ବୋଲି କହି ମସ୍ତି କରୁଛି । କିଏ ସଭାରେ ଅମୁକ କିମ୍ବା ଅମୁକ ଭୂମିକାରେ ଛିଡ଼ାହୋଇ ତାହାରି ଉତ୍ତେଜନାର ପରିସୀମା ଭିତରେ ଯେତିକି ଧ୍ୱନି କରିପାରୁଛି, ସେ ତାହାକୁହିଁ ଉତ୍କଳର ଧ୍ୱନି ବୋଲି ଗ୍ରହଣ କରିନେବା ସକାଶେ ଆମ ସମସ୍ତଙ୍କୁ କେଡ଼େ ବିକଳ ହୋଇ କହୁଛି । ସିଏ ବିଚରା ସେହି ସଭାଟା ପାଖରେହିଁ ଅଟକି ଯାଇଛି । ଉତ୍କଳରେ ଥୋକେ ଜଗନ୍ନାଥଙ୍କ ପାଖରେ ଅଟକି ଯାଇଛନ୍ତି । ସେମାନେ ଯେତେବେଳେ ସ୍ୱୟଂ ନଥିଲେ, ସେତେବେଳେ ମଧ୍ୟ ଜଗନ୍ନାଥ ଥିଲେ । କୌଣସି ମଣିଷ ଅଥବା ମଣିଷମାନେ ଯେତେବେଳେ ଜଗନ୍ନାଥଙ୍କ ପାଇଁ ଦେଉଳଟାଏ ଗଢ଼ିବାର ଚିନ୍ତା କରି ନଥିଲେ, ସେତେବେଳେ ମଧ୍ୟ ଜଗନ୍ନାଥ ରହିଥିଲେ । ତଥାପି ଆମେ ଏହି ଆଧୁନିକ କାଳରେ ଜଗନ୍ନାଥଙ୍କୁ ସତେଅବା ଗୋଟାଏ ଝଙ୍କାଗଛର ଡାଳପରି କଳ୍ପନା କରିବାକୁ ଲାଗିଲୁ ଏବଂ ସେଇଟାକୁ ଗୋଟାସୁଦ୍ଧା ଆମର ବୋଲି ମନେକରି ବିଗଳିତ ଭାବରେ ତାହାରି ମଧ୍ୟରେ ଅଟକିଗଲୁ । ଜଗନ୍ନାଥଙ୍କ ବ୍ୟତୀତ ଉତ୍କଳର କଳ୍ପନା କରାଯାଇପାରିବ ନାହିଁ ଏବଂ ଉତ୍କଳ ବ୍ୟତୀତ ଜଗନ୍ନାଥଙ୍କର ମଧ୍ୟ କଳ୍ପନା କରାଯାଇପାରିବ ନାହିଁ ବୋଲି ଗୋଟାଏ ଗେଲବସରିଆ ତଥ୍ୟ ବାହାର କରି ଧ୍ୱନି କଲୁ ଏବଂ ସେଇଟାକୁହିଁ ଉତ୍କଳର ଧ୍ୱନି ବୋଲି କହିଲୁ । ଏହି ସତକୁସତ ପୃଥିବୀଯାକର ସେହି ବୃହତ୍ତରଟି ବ୍ୟତୀତ ଆମର ଏହି ଉତ୍କଳର ମଧ୍ୟ ଆଦୌ କୌଣସି କଳ୍ପନା କରାଯାଇପାରିବ ନାହିଁ ବୋଲି ଯେଉଁ ଆର ସତ୍ୟଟି ରହିଛି, ସେଇଟିକୁ ଆମେ ଗୋଟାସୁଦ୍ଧା ପାସୋରିଦେଲୁ ।

 

ଠିକ୍ ସେହିପରି, ଯେଉଁମାନେ ସାହିତ୍ୟ ଭିତରେ ନିଜେ କରୁଥିବା ଧ୍ୱନିଟାକୁ ପ୍ରେମରେ ଅଥବା ପ୍ରମତ୍ତ ଭାବରେ ଉତ୍କଳ ଧ୍ୱନି ବୋଲି କହିଲେ, ସେଥିରେ ଆମର ବିସ୍ମିତ ହେବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । ସମସ୍ତେ ଯେଉଁଭଳି ଗୋଟାଏ ଗୋଟାଏ ଥାନରେ ଅଟକି ରହିଗଲେ ଓ ସେତିକିକୁହିଁ ଉତ୍କଳ ବୋଲି କହିଲେ, ଠିକ୍ ସେହିପରି ଏମାନେ ସାହିତ୍ୟ ପାଖରେ ଅଟକି ରହିଗଲେ ଏବଂ ମନ ଆନନ୍ଦରେ ସେଠାରେ ଯେଉଁ ଧ୍ୱନି କଲେ, ତାହାକୁହିଁ ଯେ ଉତ୍କଳର ଧ୍ୱନି ବୋଲି କହିଲେ, ସେଥିରେ କୌଣସି କିଛି ଆଦୌ ମାରା ହୋଇଯିବା ପରି ଆମକୁ କାହିଁକି ଲାଗିବ ? ହିସାବ ଅନୁସାରେ ଓଡ଼ିଶାରେ ଅର୍ଦ୍ଧାଧିକ ମଣିଷ ଏବେ ମଧ୍ୟ ଓଡ଼ିଆ ଭାଷାର ଅକ୍ଷରଗୁଡ଼ାକୁ ଶିଖିନାହାନ୍ତି । ସେମାନେ ଓଡ଼ିଆ କହିପାରୁଛନ୍ତି, ଓଡ଼ିଆ ଭାଷାରେ ଚିନ୍ତା କରୁଛନ୍ତି ଓ ଓଡ଼ିଆ ଭାଷା ବୁଝୁଛନ୍ତି; ମାତ୍ର ଓଡ଼ିଆ ଲେଖାବହି ପଢ଼ିପାରୁ ନାହାନ୍ତି । ତଥାପି ଆମେ ଅଳପ ଯେଉଁମାନେ ଓଡ଼ିଆରେ କିଛି ପଢ଼ିପାରୁଛୁ, ସେମାନେ ନିଜକୁ ସତେଅବା ସାରା ଓଡ଼ିଶାର ସବୁଯାକ ମଣିଷ ବୋଲି ଅନୁଭବ କରି ଆନନ୍ଦଲାଭ କରିପାରୁଛୁ । ସାହିତ୍ୟ ନାମରେ ଆମ ଭିତରୁ ଯେଉଁ ଆହୁରି ଅଳପ କେତେଜଣ କିଛି ଲେଖୁଛନ୍ତି କିମ୍ବା ପଢ଼ୁଛନ୍ତି, ଆମେ ମଧ୍ୟ ତୁଚ୍ଛା ସେତିକିମାତ୍ରକୁହିଁ ସାରା ଉତ୍କଳର ଧ୍ୱନି ବୋଲି କହିପାରୁଛୁ, ସେହି ଧ୍ୱନିକୁ ନେଇ ଝଗଡ଼ା କରୁଛୁ, ମାନ ଓ ଅଭିମାନରେ ଆମର କୁନି ମେଦିନୀଗୁଡ଼ିକୁ କମ୍ପାଇ ଦେଉଛୁ, ଭଳିଭଳି ତର୍କ ବିତର୍କରେ ଭାଇ ତଥା ଭଗାରି ପରି ଭୂମିକାମାନ ଗ୍ରହଣ କରି ଫୁଲେଇ ହେଉଛୁ ଏବଂ ଭାରି ଅସହଜ ଭାବରେ ଧରାପଡ଼ି ଯାଉଛୁ ।

 

ଉତ୍କଳର ଧ୍ୱନି କ୍ରମେ ଦିଲ୍ଲୀରୁ ମଧ୍ୟ ହେଲାଣି । ଆମେ ନିଜ ଘରଟାକୁ ବଜାର ଆଡ଼କୁ ମେଲି ନଧରିଲେ ଆମକୁ କେହି ଜାଣିବେ ନାହିଁ କିମ୍ବା ସ୍ୱୀକୃତି ଦେବେନାହିଁ ବୋଲି ଗୋଟାଏ ଭୂତ ଯେଉଁଦିନଠାରୁ ବିଟ ପରି ହୋଇ ଆମ ମୁଣ୍ଡ ଭିତରେ ଆସି ପଶିଲାଣି, ଏହି ତାମସାଟା ପ୍ରାୟ ସେହିଦିନଠାରୁ ଆରମ୍ଭ ହେଲାଣି । ଏଠି ନିଜ ଘରେ ଆମର ମନ ଲାଗୁ ନଥିବା ପରି ଓ ନିଜ ଘରଟାକୁ ନିଜ ଘର ବୋଲି କହିବା ନିମନ୍ତେ ଆମକୁ ସତେଅବା କିଞ୍ଚିତ୍‍ ଲାଜ ମଧ୍ୟ ଲାଗୁଥିବା ପରି ଆମେ ଏଠି ନିଜକୁ ଏହି ଘରର ବୋଲି ଚିହ୍ନାଦେବା ଏବଂ ଆପଣାକୁ ଏହି ଘରର ବୋଲି ନିଜେ ଚିହ୍ନିବା ଆଗରୁ ମଧ୍ୟ ଉଚ୍ଛନ୍ନ ହୋଇ ବାହାରକୁ ଦୌଡ଼ି ପଳାଉଛୁ ଓ ଏକାବେଳକେ ସିଆଡ଼ୁ ରଜା ବା ରାଣୀ ହୋଇ ଓଡ଼ିଶା ଭିତରେ ଆସି ପ୍ରବେଶ କରିବାକୁ ଏବଂ ପରିଚିତ ହେବାକୁ ଇଚ୍ଛା କରୁଛୁ । ଏକଦା ଦିନେ ଏହି ଉତ୍କଳରେ ଉତ୍କଳଗୌରବ ମଧୁସୂଦନ ଯେପରି ଓଡ଼ିଆମାନଙ୍କୁ ବଙ୍ଗାଳିମାନଙ୍କ ପରି ଉଚ୍ଚାଭିଳାଷୀ ଏବଂ ଉନ୍ନତିକାମୀ ହେବାକୁ ଉଦ୍‌ବୋଧନ ଦେଉଥିଲେ, ଏବେ ମଧ୍ୟ ଆମର ଜଣେ ଜଣେ ଗୁରୁଜନ ଆମକୁ ଯେପରି ଓଡ଼ିଶା କଥା ପ୍ରାୟ ଗୋଟାସୁଦ୍ଧା ପାସୋରିପକାଇ ସର୍ବଭାରତୀୟ ପ୍ରତିଯୋଗିତାମାନଙ୍କରେ ନାମ ଅର୍ଜନ କରିବାକୁ ଉତ୍ସାହିତ କରିବାରେ ଲାଗିଛନ୍ତି, ଏହି ଧ୍ୱନିର କ୍ଷେତ୍ରରେ ମଧ୍ୟ ଆମର କେତେଜଣ ସାହିତ୍ୟିକ ଅଥବା ସାହିତ୍ୟ–ଡାହୁକ ସେହିଭଳି ଗୋଟିଏ ସାଧନାରେ କେତେ କୁଆଡ଼େ ବାହାରି ପଳାଇଛନ୍ତି ।

 

ସେହି ବାହାରୁହିଁ ଉତ୍କଳ ନାମରେ ଉତ୍କଳର ସାହିତ୍ୟକୁ ନେଇ ଯେପରି ନୂଆ ନୂଆ ଧ୍ୱନିମାନ ନିର୍ମାଣ କରାଯାଇପାରିବ, ସେଥିପାଇଁ ସେମାନେ ଭାରି ଲାଗିପଡ଼ୁଛନ୍ତି । ଏହି ସାନଘରଟା ସେମାନଙ୍କୁ ସତେଅବା ଆଉ ମୋଟେ କୁଳାଉନାହିଁ, ତେଣୁ ମୋଟେ ଭଲ ଲାଗୁନାହିଁ । ଅସଲ ଉତ୍କଳ ଧ୍ୱନି ଉତ୍କଳରୁ ନୁହେଁ, ଉତ୍କଳ ବାହାରୁ ହେବ ବୋଲି ସେମାନେ ସତେଅବା ଘୋର ତପସ୍ୟା କଲାପରି ଲାଗି ପଡ଼ିଛନ୍ତି । ଓଡ଼ିଶାର ସାହିତ୍ୟକୁ ଓଡ଼ିଶା ବାହାରେ ଅନ୍ୟାନ୍ୟ ଭାଷାରେ ଅନୁବାଦ କରିବାର ମହାନ୍ ଦାୟିତ୍ୱ ବିଷୟରେ ଚେତାଇଦେଇ ଏବେ ସମସ୍ତେ ଯେଝା ମାର୍ଗରେ ନସରପସର ହେବାକୁ ଆରମ୍ଭ କଲେଣି । ଉତ୍କଳର ଧ୍ଵନିକୁ ପ୍ରସାର କରାଇବାର ପ୍ରଣାଳୀଟାକୁ ସେମାନେ ସତେଅବା ଗୋଟାଏ ଇଞ୍ଜିନିୟରିଙ୍ଗ ବିଦ୍ୟାପରି ଗ୍ରହଣ କରିନେଲେଣି ।

 

ନିଜ ଜୀବନଟାକୁ ଗଢ଼ିବାକୁ ଯେଉଁମାନେ ପ୍ରଧାନତଃ ଏକ ଇଞ୍ଜିନିୟରିଙ୍ଗ ପରି ଗ୍ରହଣ କରି ନେଇଛନ୍ତି, ସତେଅବା ସେହିମାନେହିଁ ସବାଆଗ ଆମର ଏ ଯୁଗରେ ସବୁଠାରୁ ଅଧିକ ଶୋଭା ପାଇବାରେ ଲାଗିଛନ୍ତି । ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗଟା ଯେଉଁ କାଳରୁ ଆରମ୍ଭ ହେଲାଣି ବୋଲି ଆମର ବିଦ୍ୱାନ ପଞ୍ଜିକାରମାନେ କହୁଛନ୍ତି, ଆମ କବିତାରେ, ଗଳ୍ପ ଓ ଉପନ୍ୟାସରେ ଏବଂ ନାଟକରେ ସେହିଦିନଠାରୁ ଅଧିକରୁ ଅଧିକ ମୁହଁ ପାଇ ଇଞ୍ଜିନିୟରିଙ୍ଗଟାହିଁ ସମ୍ଭବତଃ ଅଧିକ ପଶିଲାଣି । ଜୀବନ କହିଲେ କେଉଁ ପୁରାତନ ଯୁଗରେ ସିନା ଏକ କୁଶଳତାକୁ ବୁଝାଉଥିଲା, ଏବେ ତାହା ପ୍ରାୟ ପୂର୍ଣ୍ଣତଃ ଏକ କୌଶଳକୁ ବୁଝାଉଛି । ଏବେ କୌଶଳଦ୍ୱାରାହିଁ ଢୋଲ ବାଜୁଛି, କୌଶଳଦ୍ୱାରା ସିଂହାସନ ଲାଭ ହୋଇପାରୁଛି । ସଫଳ ମଣିଷଟାକୁହିଁ ସମସ୍ତେ ରଜା ବୋଲି ମାନୁଛନ୍ତି । ଆଗେ ଗଡ଼ଜାତର କେତେକେତେ ରଜା ହାତୀଶାଳରେ ହାତୀ ପାଳିଲାପରି ଉଆସରେ କେତେକେତେ ରାଣୀ ପାଳୁଥିଲେ । ସେମାନେ କୌଶଳଦ୍ୱାରାହିଁ ଏମାନଙ୍କୁ ନିଜର ଭୋଗ ନିମନ୍ତେ ଧରି ଆଣୁଥିଲେ ଏବଂ ଉଆସ ଭିତରେ ବାନ୍ଧି ରଖୁଥିଲେ । ରାଜସଭାରେ ଅଲାଜୁକ ପଣ୍ଡିତମାନେ ଏଗୁଡ଼ାକୁ ସେହି କୌଶଳର ଆଶ୍ରୟ ନେଇହିଁ ଏକ ରାଜ୍ୟୋଚିତ ଖାସା କାମ ବୋଲି କହୁଥିଲେ । ଆମ ଆଧୁନିକ ସାହିତ୍ୟର ସାମନ୍ତମାନେ ହୁଏତ ସେହି କୌଶଳଦ୍ୱାରାହିଁ ସାହିତ୍ୟକୁ ରାଣୀ କରି ରଖିବେ ଓ ତାହାକୁ ରାଣୀ ପରି ଭୋଗ କରିବେ ବୋଲି ଫିସାଦ କରିବାରେ ଲାଗିଛନ୍ତି । ସେମାନେ ଏକାବେଳକେ ସିଆଡ଼ୁ ଆସିବେ ଓ ଆମର ଏଠି ମଧ୍ୟ ସବାବଡ଼ ହୋଇ ଶୋଭା ପାଇବେ ବୋଲି ଆପଣା ମାର୍ଗାଚାରରେ ସାଧନା କରୁଛନ୍ତି ।

 

ଅସଲ ପ୍ରେମ ମାଡ଼ିବସେ ନାହିଁ । ଅସଲ ସାହିତ୍ୟ କୌଶଳ କରେ ନାହିଁ ଏବଂ ଅସଲ ଧ୍ୱନି ବାହାରୁ ଆସେ ନାହିଁ । ଅସଲ ପ୍ରେମ ଆପଣାକୁ ଦିଏ, ଦେଇକରି ସାର୍ଥକ ହୁଏ । ଅସଲ ସାହିତ୍ୟ ମଧ୍ୟ ଆପଣାକୁ ଅଧିକରୁ ଅଧିକ ସାର୍ଥକ ଭାବରେ ଦେଇଦେବାରେହିଁ ଅସଲ ଧ୍ୟାନ ରଖିଥାଏ । ଅସଲ ସାହିତ୍ୟ ଅପେକ୍ଷା କରି ଜାଣେ । ଅସଲ ସାହିତ୍ୟ ସାଙ୍ଗ ଖୋଜେ, ତେଣୁ ସିଂହାସନ ଲାଭର ଆଦୌ କୌଣସି ଚକ୍ରାନ୍ତ ଭିତରେ ଯାଇ ପଡ଼ିଯାଏ ନାହିଁ । ଅସଲ ସାହିତ୍ୟ ନିଜର ଭୂମିଟିକୁହିଁ ଲୋଡ଼ୁଥାଏ । ଆଧୁନିକ ଓଡ଼ିଆ ସାହିତ୍ୟର ଏହି ଭୂମିଟିକୁ ଆମର ସଫଳତା–ବ୍ୟଗ୍ର ଲେଖିକମାନେ ସମ୍ଭବତଃ ଆଗ ବାହାରେ ଅନ୍ୟ କେଉଁଠାରେ ଯାଇ ଲୋଡ଼ୁଛନ୍ତି ଓ ତେଣୁ ପରସ୍ପରକୁ ମୋଟେ ସହିପାରୁ ନାହାନ୍ତି ଏବଂ, ଈର୍ଷାର ଔରସରୁ ଜାତ ହେଉଥିବା ଯାବତୀୟ ସାହିତ୍ୟ ଘରଗୁଡ଼ିକୁ ଭାଙ୍ଗିଦିଏ, ଭାରି ଧ୍ୟାନଭଙ୍ଗ କରାଏ, ଭାରି ଚହଲାଇ ପକାଏ । ବିଟମାନେ ଦିଦ୍‍ବିଜୟ କରି ଡାଳକୁ ଡାଳ ଡେଇଁ ବୁଲୁଥାନ୍ତି ସିନା, ମାତ୍ର ଭୂଇଁଟା ଛାରଖାର ହୋଇ ଯାଉଥାଏ । ଏବଂ ମାନ ଅଭିମାନରେ ନାଗରା ବାଜୁଥାଏ । ଭାରତବର୍ଷର ଦୁର୍ଭାଗ୍ୟ ଯେ, ଏହି ଦେଶକୁ ରାଜନୀତିକ ସ୍ୱାଧୀନତା ଆସିବା ପରେ ଏଠାରେ ସାହିତ୍ୟ, ଶିକ୍ଷା, ସମାଜବ୍ୟବସ୍ଥା ଓ ରାଜ୍ୟଶାସନ କେହିହେଲେ ଯଥାର୍ଥ ସ୍ୱାଧୀନତାର ଭୂମିଟିଏ ତିଆରିହେବା ଦିଗରେ ମନ ଦେଲେନାହିଁ, ଫାଙ୍କି ଦେଲେ ଏବଂ ନିଜ ନିଜର ସଫଳତା ଅର୍ଜନକୁହିଁ ଅସଲ ପ୍ରାପ୍ତି ବୋଲି କହିଲେ । ଅନ୍ୟାନ୍ୟ ସବୁ କ୍ଷେତ୍ରପରି ସାହିତ୍ୟରେ ମଧ୍ୟ କମ୍ ହୁଙ୍କାର ଶୁଭିଲା ନାହିଁ । ମାତ୍ର ନାନା ଦୂରତା ଓ ମଳିନତା ଭିତରେ ଛନ୍ଦି ହୋଇ ଅସଲ ଭୂମିଟି ହାହାକାର କରିବାକୁ ଲାଗିଲା ।

 

ଅସଲ ଭୂମିଟି ତିଆରି ନ ହେବା ଯାଏଁ ଅସଲ ଧ୍ୱନିଟି ମଧ୍ୟ ସମ୍ଭବ ହେବ କିପରି ? ଯିଏ ଯେଝା ମୁହଁକୁ ଅନାଇ ସବୁଠାରୁ ଅଧିକ ଖୁସି ହେଉଥିବା ପର୍ଯ୍ୟନ୍ତ ଧରଣୀ ଉପରେ ଅସଲ ଖୁସିଟି ମଧ୍ୟ ସମ୍ଭବ ହେବ କିପରି ? ସାହିତ୍ୟଘରର ଆତ୍ମକାମୀମାନେ କେବଳ ନିଜ ନିଜର ଧ୍ୱନିଟାକୁ ଶୁଣିବାପାଇଁ ଲମ୍ବକର୍ଣ୍ଣ ହୋଇ ଧାଉଁଥିବା ପର୍ଯ୍ୟନ୍ତ ଅସଲ ସାହିତ୍ୟର ଧ୍ୱନିଟି ଏଠି ସମ୍ଭବ କିପରି ହୋଇପାରିବ ? ଉତ୍କଳର ଧ୍ୱନି କହିଲେ ଯେ କେବଳ ତଥାକଥିତ ସାହିତ୍ୟ ଭିତରୁ ଉଠୁଥିବା ଧ୍ୱନି କିମ୍ବା ଉଡ଼ୁଥିବା ଧୂଳିଗୁଡ଼ାକୁ ଆଦୌ ବୁଝାଏ ନାହିଁ, ଅଳପଟାରେ ଫୁଲେଇ ହୋଇ ଉଠୁଥିବା ଏବଂ ଅଳପକେ ରୁଷି ବସୁଥିବା ଗେହ୍ଲାମାନଙ୍କୁ ସେହି କଥାଟିକୁ କିଏ ବୁଝାଇ ଦେଇପାରିବ ? ଓଡ଼ିଶାରେ କେବଳ ସାହିତ୍ୟିକ ନାହାନ୍ତି, ଏଠି ମଣିଷମାନେ ମଧ୍ୟ ଅଛନ୍ତି; ଖାଲି ସାଆନ୍ତମାନେ ନାହାନ୍ତି, ଏଠି ଏକ ଅନ୍ୟ ପ୍ରତ୍ୟୁଷରେ ଯାଇ ପହଞ୍ଚିବା ଲାଗି ବାଟ ଚାଲୁଥିବା ପ୍ରେମିକମାନେ ମଧ୍ୟ ଅଛନ୍ତି । ଆପଣାକୁ ଦେବାଲାଗି, ଭଲ ପାଇବା ଲାଗି, ପରସ୍ପର ପାଖରେ ଅନ୍ତରଙ୍ଗ ଭାବରେ ନିକଟ ହୋଇ ବସିବାକୁ ଜୀବନର ସବାବଡ଼ ଧର୍ମ ବୋଲି ବିଶ୍ୱାସ କରୁଥିବା ଅନ୍ୟମାନେ ମଧ୍ୟ ରହିଛନ୍ତି । ପ୍ରତିଯୋଗୀମାନେ ଭଳିଭଳି ଇଞ୍ଜିନିୟରିଙ୍ଗ କରୁଥିବେ ଏବଂ ଆପଣାର ଧ୍ୱନିଗୁଡ଼ାକଦ୍ୱାରା ଆପଣାକୁ ଧରାପକାଇ ଦେବାରେ ଲାଗିଥିବେ ସିନା, ମାତ୍ର ସେମାନେ ଏଠି ଭୂଇଁଟିଏ ତିଆରି ହେବାରେ ଆଦୌ ଖୁବ୍ ବେଶୀ ସହଯୋଗ କରିପାରିବେ ନାହିଁ । ଅସଲ ଭୂମିଟି ତଳୁ ତିଆରି ହେବ, ଅନ୍ଧାର ଭିତରେହିଁ ପରବର୍ତ୍ତୀ ଆଲୋକ ଯୁଗର ଅସଲ ବୀଜଟିର ରୋପଣ ହେବ । ସାହିତ୍ୟ କେବଳ ତଥାକଥିତ ସାହିତ୍ୟିକମାନଙ୍କର ହୋଇ ରହିବନାହିଁ, ତାହା ସମସ୍ତଙ୍କର ସମ୍ପଦରେ ପରିଣତ ହେବ । ସଂସ୍କୃତି ସମସ୍ତଙ୍କର ହେବ । ଉତ୍କଳ କହିଲେ ସେତେବେଳେ ଏହି ଭୂଖଣ୍ଡଟିରେ ବାସ କରୁଥିବା ସବୁ ମଣିଷଙ୍କର ଏକ ସମ୍ମାନିତ ସହଜୀବନକୁ ବୁଝାଇବ । ବିଟମାନେ ସେକଥା କଦାପି ବୁଝିବେ ନାହିଁ । ସେମାନେ ନିଜ ନିଜର ଅଧିକ ବିଜ୍ଞାପନ କରାଇବା ନାଆଁରେ ପରସ୍ପରର ମୁହଁରେ କଳା ବୋଳିବାରେ ଲାଗିଥିବେ । ସେମାନେ ସେହି ଦିଲ୍ଲୀରେ ଥାଇ ସେମାନଙ୍କର ଧ୍ୱନି କରୁଥାନ୍ତୁ । ଭାରତୀୟ ପ୍ରତ୍ୟେକ ଭାଷାର ଛାଉଣି ଭିତରେ ଏହିପରି ଥୋକେ ବିଟ ଅବଶ୍ୟ ରହିଥିବେ । ସେମାନେ ଭାରତବର୍ଷକୁ ଚିହ୍ନନ୍ତୁ ବା ନ ଚିହ୍ନନ୍ତୁ, ଭାରତବର୍ଷ ସେମାନଙ୍କୁ ନିଶ୍ଚୟ ଚିହ୍ନୁଥିବ । ଦୂରରେ ଥାଇ ଜୁହାର କରୁଥିବ ସିନା, ମାତ୍ର ଆପଣାର କରି ଘର ଭିତରକୁ କଦାପି ଡାକି ଆଣିବ ନାହିଁ ।

Image

 

ଅନେକ ଅନେକ ଅସହାୟତା

 

ଗତ କେତେବର୍ଷ ଭିତରେ ଆମ ରାଜ୍ୟରେ ଅଥବା ଆମ ଦେଶରେ ନାରୀ ନିର୍ଯାତନା ଏତେ ଗୁଣ ବୃଦ୍ଧି ପାଇଛି ବୋଲି ଖବରକାଗଜରେ ହିସାବ ବାହାରିଛି । ହିସାବରକ୍ଷକମାନେ ଏକପ୍ରକାର ନିର୍ଲିପ୍ତତା ସହିତ ଆମ ଆଗରେ ହିସାବର ଫର୍ଦ୍ଦମାନ ମେଲାଇ ଆମ ବିଷୟରେ କେତେକଅଣ କହିଦେଇଥାନ୍ତି । ତଦ୍ଦ୍ୱାରା ଆମେ ବହୁଲୋକ ବହୁପ୍ରକାରେ ଉପକୃତ ହେଉ । ହିସାବଗୁଡ଼ିକ ଗବେଷକ ଏବଂ ପ୍ରବନ୍ଧ ଲେଖକମାନଙ୍କର କାମରେ ଲାଗନ୍ତି । ମାତ୍ର ଯେଉଁମାନେ ସତକୁସତ ନିର୍ଯାତନାଗୁଡ଼ିକୁ ଭୋଗ କରୁଥାନ୍ତି, ଏହି ହିସାବପ୍ରଦର୍ଶନରୁ ସେମାନଙ୍କର କି ଉପକାର ହୁଏ କି ନହୁଏ କେଜାଣି ?

 

ଭାରତବର୍ଷରେ ନିର୍ଯାତନା ଭୋଗ କରିବା ହେଉଛି ଏକ ପାରମ୍ପରିକ ବ୍ୟାପାର । ଯେଉଁ ସମାଜରେ ବ୍ୟକ୍ତିକୁ ବ୍ୟକ୍ତିରୂପେ ସ୍ୱୀକାର କରାଯାଇ ନାହିଁ, ସେଠି ନିର୍ଯାତନା ରହିବହିଁ ରହିବ । ଆମର ଏଠାରେ କାହାକୁ ନାରୀ ବୋଲି କୁହାଯାଏ, କାହାକୁ ଶିଶୁ ବୋଲି କୁହାଯାଏ । କାହାକୁ ଦୁଃସ୍ଥ ବୋଲି କୁହାଯାଏ, କାହାକୁ ଦୁର୍ଭାଗ୍ୟ ବୋଲି ମଧ୍ୟ କୁହାଯାଏ; ମାତ୍ର ଏହି ସମସ୍ତଙ୍କୁ ସବାଆଗ ମଣିଷ ବୋଲି କେତେ ଅବସରରେ ଅଥବା କେତେ କ୍ଷେତ୍ରରେ କୁହାଯାଏ ? ଆମର ଅତ୍ୟନ୍ତ ଦୁର୍ଭାଗ୍ୟ ଯେ, ଆମ ସମାଜ ବ୍ୟବସ୍ଥାରେ କେତେଜଣ ସୁସ୍ଥ ରହିଛନ୍ତି, ଯେଉଁମାନେ ଦୁଃସ୍ଥମାନଙ୍କ କଥା କହନ୍ତି; କେତେଜଣ ଭାଗ୍ୟବାନ ଅଛନ୍ତି, ଯେଉଁମାନେ ଭାଗ୍ୟହୀନମାନଙ୍କର କଥା କହନ୍ତି । ଶୁଖିଲା ପାଚିଲାମାନେ ବନ୍ୟାପ୍ରପୀଡ଼ିତଙ୍କ କଥା କହନ୍ତି, ଆଗୁଆ ବର୍ଗମାନେ ପଛୁଆବର୍ଗମାନଙ୍କର କଥା କହନ୍ତି, ଆମେ ସମସ୍ତେ ଯେ ଗୋଟିଏ ଦେଶର ନାଗରିକ ଅର୍ଥାତ୍ ଗୋଟିଏ ସମ୍ବିଧାନଦ୍ୱାରା ପରିଚାଳିତ, ଏହି ଦେଶରେ ସେହି କଥାଟିକୁ କହିବା ଲାଗି କେଜାଣି କାହିଁକି ଅନେକଙ୍କର ମୋଟେ ସାହସ ହୁଏନାହିଁ । ସେଥିଲାଗି ଅନ୍ୟର ଦୁଃଖବେଳେ ସେହି ଦୁଃଖର ମୋଚନ କରିବା ଲାଗି ଉତ୍ତମ ମଣିଷମାନେ କେଡ଼େ ହସହସ ବଦନରେ ଚୁଡ଼ା ଚାଉଳ ବାଣ୍ଟିବାକୁ ବାହାରି ଯାଆନ୍ତି । ଆକାଶମାର୍ଗରୁ ଖାଦ୍ୟ ପୁଡ଼ିଆ ନିକ୍ଷିପ୍ତ କରାଯାଏ; ଲୁଗା, କମ୍ବଳ କିମ୍ବା କେରପାଲ ବଣ୍ଟାଯାଇ ତେଣେ ଦାନୀମାନଙ୍କର ନାମ ତାଲିକା ପ୍ରକାଶ କରାଯାଏ । ସରକାରୀ ମହଲରେ ସହାୟତା ଲାଭ କରୁଥିବା ସେହି ମଣିଷମାନଙ୍କୁ କେଡ଼େ ବାଗରେ ହିତାଧିକାରୀ ବୋଲି କୁହାଯାଏ । ଏବେ ପୃଥିବୀ ସ୍ତରରେ ଅର୍ଥନୈତିକ ତଥା ମାନବିକ ନ୍ୟାୟ ବିଚାରର କ୍ଷେତ୍ରରେ ଯେଉଁସବୁ ବ୍ୟାପାରକୁ Entitlement ଏବଂ Empowerment ବୋଲି କୁହାଯାଉଛି, ଆମର ଏହି ଅପାଣ୍ଡବା ଦେଶଟାରେ ସେକଥାର ପ୍ରାୟ କେବେହେଲେ ଚର୍ଚ୍ଚା ହୁଏନାହିଁ । ସବୁଯାକ power ଓ ସବୁଯାକ titleକୁ ଈଶ୍ଵରଙ୍କ କୃପାରୁ ପ୍ରାୟ ଏକାକୀ ଭୋଗ କରୁଥିବା ଲୋକେ କାହିଁକି ଆପଦ ମୂଲାଇବାକୁ ଯେ ସେସବୁ କଥାକୁ ମନ କରିବେ, ସେହି କଥାଟି ଭାରି ବୁଝିହୁଏ ସିନା, କିନ୍ତୁ ତଥାପି ନିଜର ବିବେକଟାକୁ ମୋଟେ ବୁଝାଇ ହୁଏନାହିଁ ।

 

କେତେ ମଣିଷ ଅସହାୟ ହୋଇ ରହିଥାନ୍ତି ବୋଲି ଅତ୍ୟନ୍ତ ନିଷ୍ଠୁର ଭାବରେ ଏଠି ନିର୍ଯାତନା ଭୋଗ କରୁଥାନ୍ତି । ଅସହାୟତା ଆଦୌ କୌଣସି ନୀତିଶାସ୍ତ୍ରର କଥା ନୁହେଁ । ଏହା ହେଉଛି ଆମ ସମାଜବ୍ୟବସ୍ଥା ବା ସମାଜ–ଅବ୍ୟବସ୍ଥାର କଥା । ନୀତିଶାସ୍ତ୍ର ରଚନା କରିଥିବା ସେକାଳର ମୁନିଋଷିମାନେ ପ୍ରତ୍ୟେକ ସମାଜ ମୂଲ୍ୟ ଓ ସମ୍ବନ୍ଧର ଭୋଗ ଏବଂ ବଞ୍ଚନାର ଏକ system ଦ୍ୱାରା ପରିଚାଳିତ ହୁଏ ବୋଲି କଦାପି କଳ୍ପନା କରିପାରି ନଥାନ୍ତେ । ଆମ ଭିତରୁ ଯେଉଁମାନେ ଉପରେ ଅଛନ୍ତି, ଭୋଗରେ ଅଛନ୍ତି, ସେମାନେ ସମସ୍ତଙ୍କୁ ଏକତ୍ର ଗୋଟିଏ ସମଗ୍ର ଭିତରେ ଠୁଳକରି ସ୍ୱୀକାର କରି କଦାପି କୌଣସି systemକୁ ବୁଝିପାରିବେ ନାହିଁ । ସେମାନେ ଦୟା କରିବେ, ଦୟାଳୁ ହେବେ, ଉଦାରତା ଦେଖାଇବେ ସିନା, ଅସହାୟତାଗୁଡ଼ିକୁ କଦାପି ଦୂର କରିପାରିବେ ନାହିଁ । ଆମ ଦେଶରେ ମିଛଟାରେ ସିନା ସମ୍ବିଧାନଟାଏ ତିଆରି ହୋଇଛି, ମାତ୍ର ଦୟାରେହିଁ ଶାସନ ଚାଲୁଛି । ଆମର କଚେରିଗୁଡ଼ାକ ଏଠି ସମସ୍ତଙ୍କୁ ନ୍ୟାୟ ଦେବାପାଇଁ ସିନା ବସାଯାଇଛି, ମାତ୍ର ସେହି ଶାସନଟା ମଧ୍ୟ ଦୟାରେ ଚାଲିଛି । ଏହି ବିଜ୍ଞାନର ଯୁଗରେ ମଧ୍ୟ ଭଗବାନ ଇଚ୍ଛା କଲେ ଯାଇ ମଣିଷକୁ ପୁତ୍ରଟିଏ ଦିଅନ୍ତି ବୋଲି ତଥାପି ଅନେକ ମଣିଷ ବିଶ୍ୱାସ କରୁଥିବା ପରି ବିଧାନ ଏବଂ ସମ୍ବିଧାନର ଆମର ଏହି ଯୁଗରେ ତଥାପି ଉପରର ଦୟା ନହେଲେ ଅର୍ଥାତ୍ ତୁମେ ଦୟାବାନ୍‍ମାନଙ୍କୁ ମଙ୍ଗାଇ ନପାରିଲେ ମୋଟେ କିଛି ଘଟିପାରିବ ନାହିଁ ବୋଲି ଆମ ଦେଶରେ ଶିକ୍ଷିତ ଏବଂ ଅଶିକ୍ଷିତ ଉଭୟେ ବିଶ୍ୱାସ କରନ୍ତି । ଅର୍ଥାତ୍ ଅସହାୟତାହିଁ ରଜା ହୋଇ ବସିଥାଏ ।

 

ଏଡ଼େ ଏଡ଼େ କୋଠା ଭିତରେ କେଡ଼େ କେଡ଼େ ଅସହାୟତାମାନେ ଆମ ଉପରେ ରାଜତ୍ଵ କରିବାରେ ଲାଗିଛନ୍ତି । ଆମ ଗୁରୁଜନମାନଙ୍କର କୁହା ମାନି ପିଲାମାନେ ପାଠ ପଢ଼ିବାରେ ମନ ଦେଉଛନ୍ତି, ପରିଶ୍ରମ କରୁଛନ୍ତି । ସରସ୍ୱତୀଙ୍କ ଉପରେ ଭରସା ମଧ୍ୟ ରଖୁଛନ୍ତି, ମାତ୍ର ପରୀକ୍ଷାରେ ଫଳଗୁଡ଼ାକ ଅନ୍ୟପ୍ରକାର ହୋଇଯାଉଛି । ଓକିଲମାନେ ଅଛନ୍ତି, ଆଇନ ରହିଛି । ଆଇନ ପାଳୁଥିବା ବାବୁମାନେ କେଡ଼େ ରୁଦ୍ଧିମନ୍ତ ହୋଇ ବୁଲୁଛନ୍ତି । ତଥାପି ନ୍ୟାୟ ମିଳିପାରୁ ନାହିଁ-। ସତେ ଯେପରି ଶୂନ୍ୟରୁ କୋଉ କୁଆଟାଏ ଆସି ଝାମ୍ପ ମାରି ନ୍ୟାୟକୁ ନେଇ ପଳାଉଛି-। ପୋଲିସ୍‍ ରହିଛନ୍ତି, ତଥାପି ସେମାନଙ୍କୁ ମଉସା ବା ପିଉସା କରି ମନାଇ ରଖିଥିବା ଚୋରମାନେ ଦିନ ଦିପହରେ ନିର୍ଭୟ ହୋଇ ବୁଲୁଛନ୍ତି । କଲେଜରେ ଅଧ୍ୟାପକ ଅଛନ୍ତି, ଅଥଚ ଅଧାପନା ହେଉନାହିଁ । ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଯୋଗାଇ ଦେବାକୁ ସିରସ୍ତା ସବୁ ରହିଛି-। ତଥାପି ଯୋଗ୍ୟତା ଥାଇ ମଧ୍ୟ ନିଯୁକ୍ତି ମିଳୁନାହିଁ । ନିଯୁକ୍ତିଗୁଡ଼ାକୁ ଆଉ କିଏ ମାରିନେଉଛି । ଭାଗ୍ୟବାଦୀ ଏହି ଦେଶଟାରେ ଭାଗ୍ୟବାନମାନେ ହେଣ୍ଡି ମାରୁଛନ୍ତି । ସହଜ ଓ ସିଧା ମଣିଷମାନେ ବୋକାଙ୍କ ପରି ଅନାଇ ରହିଛନ୍ତି । ଆମର ପ୍ରତିନିଧିସ୍ୱରୂପ ଯେଉଁ ବିଶେଷମାନେ ଆମ ଲାଗି ଏଇଟା କିମ୍ବା ସେଇଟା ଲାଗି ବାଟଗୁଡ଼ିକୁ, ସମ୍ଭାବନାଗୁଡ଼ିକୁ ସୁଗମ କରିଦେବା ନିମନ୍ତେ ସଭାଘରକୁ ଯାଇଛନ୍ତି, ସେମାନେ ଆଉ କେଉଁଠାରେ ମହତ ବିକି ସାରିଲେଣି କି କ'ଣ କେଜାଣି, ସେମାନେ ଆମର ଅସହାୟତା ବଢ଼ାଇବାରେହିଁ ଅଧିକ ସହାୟକ ହେଉଛନ୍ତି । କ୍ରମେ ଖାଲି ନାଗରିକଟିଏ ହେବାକୁ ଡର ମାଡ଼ିଲାଣି । ଦୁଷ୍ଟମାନେ ଏହି ଦେଶନାମଧେୟ ଅବଳାଟିକୁ ଏପରି ବଳାୟତ୍ତ କରି ରଖିଲେଣି ଯେ, ନିର୍ଯାତନା ଭୋଗ କରିବା ବ୍ୟତୀତ ତା’ପାଇଁ ସତେ ଯେପରି ଆଉ କୌଣସି ଚାରା ରହୁନାହିଁ-

 

ସବୁ ଚାଲିଛି, ତଥାପି ଯେଉଁସବୁ କଥା ସ୍ଵାଭାବିକ ଭାବରେ ଚାଲିବା କଥା, ସେସବୁ ସତେଅବା ମୋଟେ ଚାଲୁନାହିଁ । ତେଣୁ ଅସହାୟତା ବୃଦ୍ଧି ପାଉଛି । ଏ ଗୁହାଳଗୁଡ଼ାକୁ ସଫା କରିବାକୁ ସମ୍ଭବତଃ ଆଉ କାହାରିହେଲେ ବଳ ବା ବିଶ୍ୱାସ ପାଉନାହିଁ । ତେଣୁ ନିତାନ୍ତ ନିରାଶ ହୋଇପଡ଼ିଥିବା ପ୍ରାଣୀମାନଙ୍କ ପରି ଆମେ ସମସ୍ତେ ସତେଅବା ଏଣିକି ପଣ କରିଥିବା ପରି ଯୋଉ ଗୁହାଳ ଭିତରେ ଅଛୁ, ସେଠି ପ୍ରାୟ ଏକ ଧର୍ମପାଳନ କରୁଥିବା ଭଳି ହଗିବାରେ ଲାଗିଛୁ । ସବୁକିଛି ଚୁଲି ଭିତରେ ଯାଇ ପଶିଲେ ଆମ ଲାଗି ମଧ୍ୟ ଛିଡ଼ାହୋଇ ପାରିବା ଲାଗି କୌଣସି ଥାନ ରହିବ ନାହିଁ ବୋଲି ନିଜ ନିଜର ଅବସନ୍ନ ମୁହୂର୍ତ୍ତମାନଙ୍କରେ କିଞ୍ଚିତ୍‍ ହୃଦୟଙ୍ଗମ କରୁଥିଲେ ମଧ୍ୟ ଆମେ ଏବେ ଯଥାଶକ୍ତି ନିଜ ନିଜ ଉଦରଟିକୁ ବଢ଼ାଇବାରେ ଲାଗିଛୁ । ନିଜର ପିଲାମାନଙ୍କୁ ଯଥାସମ୍ଭବ ଅଧିକ ବଜାରଯୋଗ୍ୟ କରିବା ଲାଗି ମନ ଦେଉଛୁ । ଜେନସେନ ପ୍ରକାରେଣ ନିଜର ଗୋଟାଏ କୋଠାଘର ବାଡ଼େଇନେବା ପାଇଁ ତପଃ କରୁଛୁ । ଏହି ଆମରି ଭଳି ନିରାଶ ଏବଂ କ୍ରୂର ମଣିଷମାନଙ୍କୁ ନେଇ ଠାକୁର ମନ୍ଦିରମାନଙ୍କରେ ପ୍ରତିଦିନ ଭିଡ଼ ଲାଗିଛି । ଆମ ନିରାଶ ଏବଂ କ୍ରୂରମାନଙ୍କଦ୍ୱାରା ସଭାଘର ପୂରିଯାଉଛି । ସେଠାରେ ଆମ ଗାଲରେ ଚୂନ ଆଉ କଳା ଲଗାଇ ଆମକୁ ବନ୍ଧ୍ୟାକରି ରଖିବାର ଷଡ଼ଯନ୍ତ୍ର କରି ସାହିତ୍ୟ ହେଉଛି, ସଂସ୍କୃତି ହେଉଛି, ଉପାୟନ ଦିଆଯାଉଛି ଓ ଆପ୍ୟାୟନ କରାଯାଉଛି । ତେବେ, ଏହି ଅନେକ ଅନେକ ଅସହାୟତାର କବଳରୁ ମୁକୁଳି ବାହାରି ଆସିବାପାଇଁ କ'ଣ ଆଦୌ କୌଣସି ଉପାୟ ନାହିଁ ? ଆମେ ମନକଲେ ଅବଶ୍ୟ ଅଛି । ନିଜକୁ ରାଜି କରାଇପାରିଲେ ଅବଶ୍ୟ ରହିଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ଏପରି ଗୋଟିଏ ଶକ୍ତି ରହିଛି, ଯିଏ କି ପ୍ରତିବାଦ କରିପାରେ, ଆଖି ସିଧାକରି ଚାହିଁପାରେ, ଯିଏକି ଭାଗ୍ୟକୁ ନୁହେଁ, ଭଗବାନଙ୍କୁ ସାଙ୍ଗକରି ବାଟ ଚାଲିପାରେ । ପ୍ରତ୍ୟେକ ମଣିଷ ଭିତରେ ଏଭଳି ଗୋଟିଏ କଢ଼ି ରହିଛି, ଯିଏକି ଫୁଲଟିଏ ହୋଇ ଫୁଟି ଉଠିବାକୁହିଁ ଆପଣାର ସର୍ବପ୍ରଥମ ଧର୍ମ ଓ ସର୍ବପ୍ରଥମ ଅଧିକାର ବୋଲି ଅନୁଭବ କରିପାରେ । ପ୍ରତ୍ୟେକ ମଣିଷ ବିଷୟରେ ସେହିପରି ଏକ କଳ୍ପନା ପ୍ରକୃତରେ କରାଯାଇଥିଲା ବୋଲି ଭାରତବର୍ଷରେ ଏକଦା ତଦନୁରୂପ ସମ୍ବିଧାନଟିଏ ଲେଖାଯାଇଥିଲା । ଅସହାୟ ନିଜର ଅସହାୟତା ବିଷୟରେ ସଚେତନ ହେବାମାତ୍ରକେହିଁ ସିଏ ଆଉ କଦାପି ଅସହାୟତାକୁ ମାନି ନିଏନାହିଁ । ଭିତରେ ଆପଣା ବ୍ୟକ୍ତିତ୍ୱର ପରିଚୟ ପାଇଲେ ମଣିଷ ମେରୁଦଣ୍ଡ ସିଧାକରି ଚତୁର୍ଦ୍ଦିଗକୁ ଅନାଏ ଓ ତା’ ନିଜପାଇଁ ବାଟଟିକୁ ଛାଡ଼ି ଦିଆଯାଉ ବୋଲି ସମ୍ପୃକ୍ତ ସମସ୍ତଙ୍କୁ ଆହ୍ୱାନ ଦିଏ । ତଥାପି ବାଟଟି ଛାଡ଼ି ଦିଆନଗଲେ ସେ ସେଥିପାଇଁ ଲଢ଼େ, ବିଜୟୀ ହୁଏ । ସ୍ଵାମୀ ବିବେକାନନ୍ଦ ଏହି ହୃତ ବ୍ୟକ୍ତିତ୍ୱଟିକୁ ପୁନର୍ବାର ଫେରି ପାଇବାକୁହିଁ ଜଣେ ମନୁଷ୍ୟର ଯଥାର୍ଥ ଶିକ୍ଷା ବୋଲି କହିଥିଲେ । ମହାତ୍ମା ଗାନ୍ଧୀ, ଶ୍ରୀ ଅରବିନ୍ଦ ଓ ଅନ୍ୟମାନେ ସେହି କଥାଟିକୁ ନିଜ ନିଜର ଅନ୍ୟ ଭାଷାରେ କହିଥିଲେ । ସେହି ବାର୍ତ୍ତାଗୁଡ଼ିକୁ ଶୁଣିପାରିବା ନିମନ୍ତେ ଭାରତବର୍ଷରେ କିଏ ଅଛି, ଯିଏକି ଏହି ଭାଗ୍ୟବାଦୀ ଅନ୍ଧାର ଭିତରୁ ବାହାରି ଆସିପାରିବ ?

 

ଯିଏ ନିଜର ଅସହାୟତଟାକୁ ତାଳ କରି ଦେଖୁଥିବ ଓ ସେଥିଲାଗି ବାର ଦରବାରରୁ କୃପାଲାଭ କରିବ ବୋଲି ସାକୁଲାଇ ହୋଇ କାନ୍ଦୁଥିବ, ସେହି କାତରଟାଦ୍ଵାରା ବର୍ତ୍ତମାନର ଅସହାୟତାକୁ କଦାପି ଟଳାଇ ହେବନାହିଁ । ନିଜର ଯାବତୀୟ ଅସହାୟତା ସତ୍ତ୍ୱେ ଯିଏ ଅନ୍ୟମାନଙ୍କର ଅସହାୟତାକୁ ଆଗ ଦେଖିପାରୁଥିବ, ତାକୁ ନିଜ ଅସହାୟତା ଭିତରୁ ମଧ୍ୟ ମୁକୁଳି ବାହାରି ଆସିବାପାଇଁ ବାଟଟାଏ ମିଳିଯିବ । ନିଜ ଭିତରୁ ଶକ୍ତି ମିଳିଯିବ । ଏବଂ, ଶକ୍ତିମାନ ସବୁ କରିପାରିବ । ବର୍ତ୍ତମାନ ଆମ ଅନେକଙ୍କର ପ୍ରାୟ ସବୁଯାକ ଶକ୍ତି, ସବୁଯାକ ବୁଦ୍ଧି ଓ ସବୁଯାକ ସମର୍ଥତା କେବଳ ନିଜଟାପାଇଁ ଘୁଷୁରି ଘୁଷୁରି ଖତରା ହୋଇଯାଉଛି ।

 

ଭାଗ୍ୟବାଦୀ ସଂଗ୍ରାମର ଏହି ବ୍ୟୂହଟା ଭିତରେ କେବଳ ନିଜପାଇଁ ପଶିଯାଇ ଆମେ ସ୍ଵୟଂ ଆତ୍ମଘାତୀ ହୋଇ ରହିଯାଉଛୁ । ଆମର ବଳଗୁଡ଼ାକ ପରସ୍ପର ବିରୋଧରେ ପ୍ରୟୋଗ କରାହୋଇ ନିରର୍ଥକ ହୋଇ ରହୁଛି । ଅନ୍ୟର ଅସହାୟତାକୁ ବହୁବିଧ ତଥା ବହୁବଳ କରି ଜିଆଇ ରଖୁଥିବା ବ୍ୟବସ୍ଥାଗୁଡ଼ିକୁ ଆଗ ହୃଦୟଙ୍ଗମ କରିବାଦ୍ଵାରା ଆମକୁ ଯେଉଁ ଶକ୍ତି ମିଳୁଛି, ସେହି ଶକ୍ତି ଆମକୁ ଏକତ୍ର କରୁ, ପ୍ରତିବାଦ ଲାଗି ଯୋଗ୍ୟ କରୁ । ଏ ଦେଶରେ ଯାହାକିଛି ହେବ, ତାହାକୁ ଦୟାଳୁମାନେ କରିବେ ନାହିଁ, ସଚେତନମାନେହିଁ କରାଇବେ । ଅଚେତନମାନେହିଁ ଯାବତୀୟ ଆତ୍ମକାମିତା ଭିତରେ କାତର ହୋଇ ଧାଇଁଥାଆନ୍ତି ଓ କାଳଟାକୁ ଯେଉଁଠି ସେଇଠି ପକାଇ ରଖିଥାନ୍ତି । ଏହି ପ୍ରତାରଣାକାରୀ ପରମ୍ପରାର ଅବସାନ ହେଉ । ଆପଣାର ସୂର୍ଯ୍ୟୋଦୟ ଉପରେ ବିଶ୍ୱାସ ରଖି ମଣିଷମାନେ ଏକତ୍ର ବାଟ ଚାଲି ଶିଖନ୍ତୁ ।

Image

 

Unknown

ମୌଳବାଦୀର ମୂଳ ମଳି

 

ଯାହାର ମୂଳ ନଥାଏ, ସେଇ ମୌଳବାଦୀ ହୁଏ । ଅର୍ଥାତ୍, ନିଜ ଭିତରେ ଆଗ ମୂଳଟିର ସନ୍ଧାନ କରି ଯିଏ ସେହିଠାରୁହିଁ ଆପଣାର ଆଦର୍ଶାକାଶଟିକୁ ଗଢ଼ି ଓ ସଜାଡ଼ି ଆଣି ନଥାଏ, ଗୋଟାଏ ନିର୍ଦ୍ଦିଷ୍ଟ ସୋପାନକୁ ଆସି ସେଇ ମଣିଷ ମୌଳବାଦୀ ହୁଏ । ମୌଳବାଦୀର ଆଦର୍ଶ ଉପରୁହିଁ ତା’ ଉପରକୁ ଖସିଥାଏ । ତାହା ତାକୁ ଭୂତପରି ମାଡ଼ି ବସିଥାଏ । ଡାଆଣୀ ପରି ଅଣଆୟତ୍ତ କରି ରଖିଥାଏ । ମୌଳବାଦ କେବଳ ତଥାକଥିତ ଧର୍ମମାନଙ୍କରେ ନୁହେଁ, ଆମ ରାଜନୀତିରେ ମଧ୍ୟ ରହିଛି । ଆମ ସାଧାରଣ ମଣିଷମାନଙ୍କର ବହୁ ବିଶ୍ୱାସ ଭିତରେ ମଧ୍ୟ ମୌଳବାଦର ମହୁମାଛିମାନେ ଫେଣା କରି ରହିଛନ୍ତି । ଆଦୌ କୌଣସି ବାରଣ ନ ରଖି ପୃଥିବୀରେ ସବୁପ୍ରକାରର ମଣିଷ ଅଲବତ୍ ମୌଳବାଦୀ ହୋଇପାରିବେ । ଏକାଧିକ କାରଣରୁ ଜଣେ ମଣିଷ ଯଦି କେଉଁଠାରେ ଲାଖିଯାଏ, ତେବେ ସିଏ ସତେଅବା ନିଜର ତଜ୍ଜନିତ ଲଜ୍ଜା ଏବଂ ଗ୍ଳାନିଟାକୁ ଲୁଚାଇବାକୁ ମୌଳବାଦୀ ହୁଏ । ଚାଲୁଥିବା ପାଣିରେ ମଳି ବା ଶିଉଳି ନ ଧରି ପାରିଲା ପରି ଚାଲୁଥିବା ମଣିଷ ମୌଳବାଦୀ ହେବାପାଇଁ ବିଶେଷ ଉତ୍ସାହୀ ହୋଇପାରେନାହିଁ । ନିଜ ଖୁସିରେ ଓ ନିଜ ସ୍ଫୂର୍ତ୍ତିରେ ଫୁଟୁଥିବା ଫୁଲଟିକୁ ଯେପରି ପୋକ ଆକ୍ରମଣ କରିପାରେନାହିଁ, ସମ୍ଭବତଃ ଇଏ ମଧ୍ୟ ସେହିପରି ଗୋଟିଏ କଥା ।

 

ପୂର୍ବକାଳର ଶାସନଗୁଡ଼ାକ ମୌଳବାଦୀ ଥିଲା । ଯାହାକିଛି ପୃଥିବୀରେ ଘଟିଛି ବା ଘଟୁଛି, ସେଗୁଡ଼ିକ ସବୁକିଛି ଜଣେ ରାଢ଼ ସର୍ବଶକ୍ତିମାନ ଭଗବାନ ବାସ କରୁଥିବା ସ୍ୱର୍ଗରାଜ୍ୟରୁହିଁ ନିର୍ଦ୍ଦେଶିତ ହୋଇଆସୁଛି ବୋଲି ଯେବେ କେହି କହେ ଏବଂ ଯଦି ମଣିଷମାନେ ସେଥିରେ ବିଶ୍ୱାସ କରିବାକୁ ବାଧ୍ୟ ହୁଅନ୍ତି, ତେବେ ସେଇଟି ମଧ୍ୟରେହିଁ ମୌଳବାଦ ପ୍ରଶ୍ରୟ ପାଏ । ରାଜାମାନେ ପ୍ରାଚୀନ କାଳରେ ନିଜକୁ ସିଧା ଭଗବାନଙ୍କର ବଂଶଧର ବୋଲି କହି ଆସିଛନ୍ତି । ଏବଂ ଶ୍ଳୋକକାରମାନେ ଗରଜରେ ପଡ଼ି ସେହି ଅନୁସାରେ ଶ୍ଳୋକ ଲେଖି ଦେଇଛନ୍ତି । କେହି ଆପଣାର ସାଧନ ବା ସନ୍ଧାନ ବଳରେ ସତ୍ୟଟିଏ ପାଇଛି, ନୂତନ ବାଟଟିଏ ପାଇଲା ବୋଲି ଅନୁଭବ କରିଛି; ଉପସ୍ଥିତ ପୃଥିବୀରେ ମଣିଷର ଗୋଡ଼ଟାକୁ ବାନ୍ଧି ରଖିଥିବା ବହୁ ଅନ୍ଧବିଶ୍ୱାସ ଲାଗି ପ୍ରତିକାରଟାଏ ହୁଏତ ମିଳିଗଲା ବୋଲି ସେ ଖୁସି ହୋଇ ଅନ୍ୟମାନଙ୍କ ଆଗରେ ସେହି ସତ୍ୟଟିର ବୟାନ କରିଛି-। ସିଏ ଗଲାପରେ ତା’ ଚେଲାମାନେ ସେଥିରୁ ଏକ ଧର୍ମବହି ତିଆରି କରିଛନ୍ତି ଏବଂ ପୃଥିବୀର ପରିତ୍ରାଣ ନିମନ୍ତେ ତାହାହିଁ ଏକମାତ୍ର ବହି ଓ ପୋଥି ବୋଲି ଘୋଷଣା କରିଛନ୍ତି ଏବଂ ତା'ପରେ ସେମାନେ ମହାମତ୍ତତା ସହିତ ନିଜେ ଘୋଡ଼ା ହୋଇ ମୌଳବାଦକୁ ପିଠି ଉପରେ ବସାଇ ଦିଗ୍‍ବିଜୟ କରି ବାହାରିଛନ୍ତି । ଏହି ଅଭିନୟ ପୃଥିବୀରେ ବାରମ୍ବାର ହୋଇଛି, ଏବେବି କମ୍ ହେଉନାହିଁ । ଏକ ସୁସ୍ଥ ଓ ସ୍ୱାଭାବିକ କ୍ରମରେ ଯେଉଁ ମଣିଷମାନେ ନିଜର ଧର୍ମ, ନିଜର ଆଦର୍ଶ ତଥା ନିଜର ସତ୍ୟଟିକୁ ନେଇ ଜୀବନଟିଏ ବଞ୍ଚୁଥାନ୍ତେ ଓ ପରସ୍ପରକୁ ଆଗକୁ ଆଗକୁ ଯାଉଥିବାର ଦେଖି ଅବଶ୍ୟ ଖୁସି ହେଉଥାନ୍ତେ, ସେମାନେ ଆପଣା ଭିତରେ ସତେଅବା କୋଉ ମଳ ଅଥବା ମଳିର ଚକ୍ରାନ୍ତରେ ପଡ଼ି ମୌଳବାଦୀ ହେଉଛନ୍ତି ।

 

ମୌଳବାଦୀ ମୂଳତଃ ସନ୍ଦେହୀ । ସିଏ ଏକ ସଂଶୟାତ୍ମା । ନିଜ ଭିତରେ ସିଏ ହୁଏତ ବିଶ୍ଵାସଯୋଗ୍ୟ ଅଥବା ନିର୍ଭରଯୋଗ୍ୟ ଭାବରେ କିଛି ପାଇ ନଥାଏ ବୋଲି ଅନ୍ୟମାନଙ୍କୁ ନିଜର ଧର୍ମରେ, ବାଦରେ ଅଥବା ବାଟରେ ଦୀକ୍ଷିତ କରିବା ନିମନ୍ତେ କୁରାଢ଼ି ଧରି ବାହାରେ । ଏକ ଆକସ୍ମିକତାର ଶିକାର ହୋଇ ଯେଉଁ ଶୃଗାଳ ନିଜ ନୀଳପୁଚ୍ଛଟାର ଲାଜରେ ସବୁ ଶୃଗାଳ ସେମାନଙ୍କର ପୁଚ୍ଛକୁ ମଧ୍ୟ ନୀଳ କରି ଦିଅନ୍ତୁ ବୋଲି ପ୍ରଚାର କରି ବାହାରିଥିଲା, ସିଏ ଅବଶ୍ୟ ମୌଳବାଦୀ ଥିଲା । ମୌଳବାଦୀ ନିଜର ନୀଳ ଲାଙ୍ଗୁଳଟିକୁ ସ୍ୱୀକାର କରିନେଇ ପାରେନାହିଁ ଏବଂ ସେହି କାରଣରୁହିଁ ପୃଥିବୀଯାକ ନୀଳ ଲାଙ୍ଗୁଳର ପ୍ରସାର କରି ବାହାରେ । ମୁଁ ଯଦି ରାମଙ୍କୁ, କୃଷ୍ଣଙ୍କୁ କିମ୍ବା ଖ୍ରୀଷ୍ଟଙ୍କୁ ମନ କରିବି, ତେବେ ମୋତେ ସେମାନଙ୍କର ହୋଇଯିବାକୁ ବେଳ ଅଣ୍ଟିବ ନାହିଁ, ସେମାନଙ୍କୁ ମୋ’ର ପ୍ରେରଣାପଥରେ ବନ୍ଧୁ କରି ବାଟ ଚାଲିବାକୁ ମୋ’ର ତର ସହିବ ନାହିଁ । ମୁଁ ବାଟ ଚାଲୁଥିବି ଓ ଯାହାପାଇଁ ବାଟ ଚାଲୁଛି, ତାହାରି ଜ୍ୟୋତିଟିକୁ ବହନ କରୁଥିବି ଏବଂ ତାହାରି ବିକିରଣ କରୁଥିବି । ତେବେ ଏହାହିଁ ଏକମାତ୍ର ବାଟ, ଯେଉଁମାନେ ଏହି ବାଟଟିକୁ ଗ୍ରହଣ ନ କରିବେ ସେମାନେ ନର୍କକୁ ଯିବେ ବୋଲି ଛୋପରା ହେବାକୁ ମୋର ବେଳ ହେବ ପୁଣି କେତେବେଳେ ? ବାଟ ନଚାଲୁଥିବା ମଣିଷଟାହିଁ ଅନ୍ୟମାନଙ୍କୁ ଦେଖିବା ପୂର୍ବରୁ ସେମାନଙ୍କର ବାଟଟାକୁ ଦେଖେ–ବାଟଠାରୁ ବାଟକୁ ବାଛେ ଏବଂ ଉଗ୍ର ହୁଏ । ସିଏ ଏହି ପୃଥିବୀ ଲାଗି ଦୁଷ୍ଟ ଗ୍ରହଟାଏ ହୋଇ ବାହାରେ।

 

ମୌଳବାଦୀ ମୂଳରେ ନଥାଏ, ମୂଳର ସନ୍ଧାନ ପାଇ ନଥାଏ । ନିଜ ଭିତରେ ପାଇ ନଥାଏ କି ବାହାରେ ମଧ୍ୟ ପାଇ ନଥାଏ । ତେଣୁ କ୍ଷମତାକୁ ଲୋଡ଼େ । ଭଗବାନଙ୍କର ଭଲ ପାଇବା ଅପେକ୍ଷା ଭଗବାନଙ୍କର କ୍ଷମତାଟାକୁ ଅଧିକ ଚିହ୍ନେ ଏବଂ ତା’ପରେ ଭାରି ସହଜରେ ତା’ ହାତରେ ମଧ୍ୟ ସିଏ ଭଗବାନଙ୍କର ଖଣ୍ଡାଟାକୁ ଧରିଛି ବୋଲି ଗର୍ଜନ କରିବାକୁ ଆରମ୍ଭ କରେ । ଯାବତୀୟ ଭଗବାନଙ୍କ ପାଇଁ ସେ କାଳ ହୁଏ । କବି ଏହି ଭଗବାନଙ୍କୁ କ୍ଷମାନୁକମ୍ପାଧର ବୋଲି କହିଛନ୍ତି । ମୌଳବାଦୀ କ୍ଷମା ଅଥବା ଅନୁକମ୍ପା କୌଣସିଟାର ଫାଶରେବି ପଡ଼େ ନାହିଁ । ସିଏ ଭଗବାନଙ୍କୁ ଚରମ ଦଣ୍ଡଦାତା ରୂପରେ ଦେଖେ ଓ ତାଙ୍କରିଠାରୁ ଆଦେଶ ପାଇଛି ବୋଲି କହି ହାତରେ ଖଣ୍ଡାନେଇ ବାହାରେ । ଦଣ୍ଡଧାରୀ ହୁଏ । ସାମ୍ୟବାଦ ଦର୍ଶନ ମୂଳତଃ ସହାନୁଭବ, ସମତା, ଭ୍ରାତୃତ୍ୱ ଏବଂ ବନ୍ଧୁତ୍ୱ ଉପରେ ପ୍ରତିଷ୍ଠିତ ମୂଳତଃ ହୋଇରହିଥାନ୍ତା । ସେହି ଦର୍ଶନଟାକୁ ଏକ ରାଷ୍ଟ୍ରରେ ପରିଣତ କରୁ କରୁ ସାମ୍ୟବାଦୀମାନେ ଯେତେବେଳେ କ୍ଷମତାଦ୍ୱାରାହିଁ ନିଜ ପୃଥିବୀଟାକୁ ଲେଉଟାଇ ଦେବାକୁ ଇଚ୍ଛା କଲେ, ସେତେବେଳେ ସେମାନେ ମୌଳବାଦୀ ହେଲେ । ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ହୁଡ଼ିଗଲେ । ରାଜନୀତିକ ନେତୃତ୍ୱ କ୍ଷମତାନ୍ଧ ହୋଇ ମଣିଷ ହତ୍ୟାକଲା, ସାଇବେରିଆର ନିର୍ବାସନ ଦେଲା, ମଣିଷ ପଛରେ ଗୋଇନ୍ଦା ଲଗାଇଲା । ଶେଷକୁ ଇତିହାସର ଏଡ଼େବଡ଼ ସମ୍ଭାବନାଟାକୁ ଭୁଷୁଡ଼ାଇ ପକାଇଲା । ଯୁଗବିଧାତାର ଚକଟାକୁ ସତେଅବା କିଏ ଅଟକାଇ ଦେଲାପରି ମନେହେଲା ।

 

ମୋ’ ଦେଶ, ମୋ’ ଜାତି ଏକାନ୍ତ ଭାବରେ ମୋ’ ନିଜର । ମୁଁ ମୋ’ ମାଟିକୁ ଭଲ ପାଇବି, ମୋ’ ଭାଷାକୁ ଭଲ ପାଇବି, ଆପଣାର ସର୍ବୋତ୍ତମ ଗୁଣ ଓ ପ୍ରତିଭାର ବିକାଶ କରାଇ ମୁଁ ତାହାରିପାଇଁ ସେଗୁଡ଼ିକୁ ଉତ୍ସର୍ଗ କରିବି । ସେଗୁଡ଼ିକ ଉପରେ ଆପଦ ଆସିଲେ ମୁଁ ଜୀବନବି ଦେବି-। କିନ୍ତୁ ମୋ ଦେଶ ପୃଥିବୀରେ ଏକମାତ୍ର ସୁନ୍ଦର ଏବଂ ସମର୍ଥ ଦେଶ ବୋଲି କାହିଁକି କହିବି-? ମୋ ଜାତିଟା ବା ମୋ ସଂସ୍କୃତିଟା ପୃଥିବୀରେ ସର୍ବଶ୍ରେଷ୍ଠ ଜାତି ଏବଂ ସଂସ୍କୃତି ବୋଲି ଫୁଟାଣି କାହିଁକି ମାରିବି ? ଗତ ଶତାବ୍ଦୀରେ ଯେତେବେଳେ ସେଥିପାଇଁ ଏକ ପ୍ରୟୋଜନ ରହିଥିଲା, ଯେତେବେଳେ ଶୋଇ ରହିଥିବା ଏକ ଚେତନାକୁ ଜାଗ୍ରତ କରାଇ ଆଣିବାକୁ ଆହ୍ୱାନ ଆସିଥିଲା, ସେତେବେଳେ ହୁଏତ ଏହିସବୁ ଅତିକଥନର ଏକ ତାତ୍କାଳିକ ପ୍ରୟୋଜନ ରହିଥିଲା । ମାତ୍ର ଦେଶ ସ୍ଵାଧୀନ ହେବାର ପଚାଶବର୍ଷ ପରେ ମଧ୍ୟ ମୁଁ କାହିଁକି ସେହିସବୁ ପୁରୁଣା ଫୁଲେଇଗୁଡ଼ାକୁ ବାହାର କରୁଥିବି ? ଜାତୀୟତାବାଦ ଯେ ଆମରି ଅତି ସରାଗର ପ୍ରଶ୍ରୟ ପାଇ କେଡ଼େ ଭୟାବହ ହୋଇପାରେ, ହିଟ୍‍ଲରଙ୍କୁ ସର୍ବକର୍ତ୍ତା ବୋଲି ମାନିଥିବା ଜର୍ମାନୀର ଦୃଷ୍ଟାନ୍ତରୁ ତାହାର ପ୍ରମାଣ ମିଳିସାରିଛି । ଫିକ୍‌ଟେ ଏବଂ ହେଗେଲ୍‍ଙ୍କର ସୂତ୍ର ଧରି ଏକ ଜାତିନିଷ୍ଠ ମୌଳବାଦ କିପରି କ୍ରମେ ସମଗ୍ର ପୃଥିବୀ ଲାଗି ଏକ କରାଳତାର କାରଣ ହେଲା, ଆମ ଆଗରେ ସେହି ନଜିରଟି ଏବେ ମଧ୍ୟ ତାଜାହୋଇ ରହିଛି । ତଥାପି, ମଣିଷ ସେଥିରୁ କିଛି ନ ଶିଖିଥିଲା ପରି ଆମେ ଭଳିଭଳି ଆଳ ଧରି ମୌଳବାଦର ଧୂଳି ଉଡ଼ାଇ ନାଚିବାକୁ ପୁଣି ମନ କଲୁଣି । ତଥାକଥିତ ଆଧୁନିକ ମୌଳବାଦମାନ ଆମ ଆଖିରେ ଯେଡ଼େ ଜକଜକ ଦେଖାଯାଉଥିଲେ ମଧ୍ୟ ଆମେ ନିଜକୁ ସେଗୁଡ଼ାକର ପ୍ରଲୋଭନ ଏବଂ କୋପନରୁ ବାହାରେ ରଖିବା । ଆମେ କ୍ଷମତାର ମଣିଷ ହୋଇଥିଲେ ଆମକୁ ମୌଳବାଦଟାହିଁ ଅଧିକ ପରିମାଣରେ ଆକର୍ଷଣ କରୁଥିବ । ହଠାତ୍ କାର୍ଯ୍ୟ ହାସଲ କରିବାର ଏକ ମାର୍ଗ ବୋଲି ମନେହେଉଥିବ । ଧର୍ମ, ଜାତି, ରାଜନୀତି–କୌଣସିଟାକୁବି ବାହାନା କରି ଖଣ୍ଡା ଧରି ବାହାରିବାକୁ ତେଣିକି ଆଉ କୌଣସି ବିଳମ୍ବ ହେବନାହିଁ ।

 

ଆଗେ ମୌଳବାଦ ଅବଶ୍ୟ ଥିଲା, ମାତ୍ର ସମଗ୍ର ପୃଥିବୀ ଲାଗି ତାହା ଏଡ଼େବଡ଼ ଏକ ଆତଙ୍କରୂପେ ତଥାପି ଅନୁଭୂତ ହୋଇ ନଥିଲା । ସେତେବେଳେ ପୃଥିବୀଗୁଡ଼ିକ ଅତ୍ୟନ୍ତ ସ୍ଥାନୀୟ ହୋଇ ରହିଥିଲେ । କ୍ରମେ ପୃଥିବୀ ଛୋଟ ହୋଇ ଆସିଲା; ଅର୍ଥାତ୍ କ୍ରମେ ବଡ଼ ପୃଥିବୀଟାକୁହିଁ ମଣିଷ ଆପଣାର ପୃଥିବୀ ବୋଲି ଚିହ୍ନିଲା । ବିଜ୍ଞାନର ସମୁଦ୍ରମନ୍ଥନରୁ ଅମୃତ ସହିତ ବିଷ ମଧ୍ୟ ବାହାରିଲା । କ୍ଷମତାସୁରମାନେ ସେହି ବିଷରୁ ଅସ୍ତ୍ର ତିଆରି କରୁଛନ୍ତି ଓ ତାହାକୁ ପୃଥିବୀବ୍ୟାପୀ ପ୍ରୟୋଗ କରୁଛନ୍ତି । ଅସ୍ତ୍ର କୁଢ଼କୁଢ଼ ତିଆରି ହୋଇ ରହିଛି, ବିଶ୍ୱ–ରାଜନୀତିର ମାର୍ତ୍ତଣ୍ଡମାନଙ୍କର ମନରୁ ଅସ୍ତ୍ରର ମୋହ ତଥାପି ଯାଇନାହିଁ । ଏଣେ, ପୃଥିବୀରେ ଜାକଜମକିଆ କୌଣସି ଯୁଦ୍ଧବି ଲାଗୁନାହିଁ, ଯେଉଁଥିରେ କି ଏହିସବୁ ବଳି ବଳି ଅସ୍ତ୍ରର ପ୍ରୟୋଗ ହୋଇପାରନ୍ତା । ତେଣୁ ଏବେ ଅସ୍ତ୍ରଗୁଡ଼ାକୁ ବିଭିନ୍ନ ଦେଶରେ ରହିଥିବା ଆତଙ୍କବାଦୀଙ୍କର ହାତକୁ ଚାଲାଣ କରାଯାଉଛି । ଅର୍ଥାତ୍, ଅସ୍ତ୍ରରେ ବିଶ୍ୱାସ ରଖିଥିବା ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶ ଆପଣାର ମତଲବଗୁଡ଼ାକର ସାଧନ ନିମନ୍ତେ ଆତଙ୍କବାଦୀମାନଙ୍କୁ ଅସ୍ତ୍ର ଯୋଗାଇଦେବାରେ ଲାଗିଛନ୍ତି । ନହେଲେ, ଏମାନଙ୍କ ହାତକୁ–ଏତେ ଅସ୍ତ୍ର ଆସନ୍ତା କୁଆଡ଼ୁ ? ସମ୍ଭବତଃ ଏପରି ମଧ୍ୟ କୁହାଯାଇପାରିବ ଯେ, ଅସ୍ତ୍ରଧାରୀ ରାଷ୍ଟ୍ରଶକ୍ତିମାନେହିଁ ସନ୍ତ୍ରାସବାଦ, ଆତଙ୍କବାଦ ଏବଂ ମୌଳବାଦକୁ ସହାୟତା କରିବାରେ ଲାଗିଛନ୍ତି-। ସେ ଦେଶର ଆତଙ୍କବାଦକୁ ଏ ଦେଶରୁ ଅସ୍ତ୍ର ସାହାଯ୍ୟ ହେଉଛି ଏବଂ ସେ ଦେଶର ଆତଙ୍କବାଦକୁ ଏ ଦେଶରୁ ଅସ୍ତ୍ର ମିଳୁଛି । ସରକାରମାନେହିଁ ଏହି କାରବାରରେ ଅଧ୍ୟକ୍ଷ ହୋଇ କାର୍ଯ୍ୟ କରୁଛନ୍ତି । ମୌଳବାଦଗୁଡ଼ାକ ଅଧିକାଂଶତଃ ସେହିମାନଙ୍କର ଆଶୀର୍ବାଦରେ ବଢ଼ିବାରେ ଓ ଫୁଲିବାରେ ଲାଗିଛନ୍ତି ।

 

ମହାତ୍ମାଗାନ୍ଧୀ ମୌଳବାଦୀ ନଥିଲେ; ମାତ୍ର ଗାନ୍ଧୀବାଦୀମାନେ ମୌଳବାଦୀ ହେବାରେ ଆଦୌ କୌଣସି କଟକଣା ନାହିଁ । ସାରା ପୃଥିବୀ ଉପରେ ଏକାବେଳେକେ ଗୋଟାଏ ଚଡ଼କ ପଡ଼ି ପୃଥିବୀଟାଯାକ ଗାନ୍ଧୀବାଦୀ ହୋଇଯାଉ ବୋଲି ହୁଏତ ସେମାନଙ୍କ ଭିତରୁ ଅନେକେ ଦୁରାଗ୍ରହ ସହିତ ସ୍ୱପ୍ନଟାଏ ମଧ୍ୟ ବେଳେବେଳେ ଦେଖୁଥିବେ । ଗାନ୍ଧୀବାଦ ଭିତରେ ଏକ ଧାର୍ମିକତାର ଚହଟ ପୂରାଇଦେଇ ମଧ୍ୟ ବେଳେବେଳେ ଅନେକେ ଏହି କ୍ଷେତ୍ରରେ ଗୋଟାଏ ପ୍ରକାରର ମୌଳବାଦକୁ ଆଣି ଭର୍ତ୍ତି କରିଦେବାକୁ ଇଚ୍ଛା କରୁଥିବେ । ଗାନ୍ଧୀଙ୍କୁ ଦେବତା କରି ଥୋଇଥିବା ମଣିଷମାନେ ଅନେକ ସମୟରେ ମୌଳବାଦରହିଁ ଆପଣା ଗଣ ପରି ଦେଖାଯାଉଥାନ୍ତି । ଏବଂ, ଯୋଉ ସରକାର ଯାବତୀୟ ଅର୍ଥରେ ଗାନ୍ଧୀ ବିଚାରର ଦୃଷ୍ଟିଭୂମି ଓ କର୍ମସୂତ୍ରଗୁଡ଼ିକୁ ଭୁରୁଡ଼ାଇ ନିର୍ଧୁମ୍ ଅସାଧୁତା ସହିତ ତଥାପି ଗାନ୍ଧୀଙ୍କୁ କାନ୍ଥରେ ଫଟୋଟିଏ କରି ଝୁଲାଇ ରଖିଥାଏ ଓ ସେଇଥିରୁହିଁ ଔପଚାରିକ ମାର୍ଗରେ ସକଳ ସାନ୍ନିଧ୍ୟର ସ୍ୱାଦଲାଭ କରୁଥାଏ, ସେହି ସରକାରଟାକୁ ମଧ୍ୟ କିଞ୍ଚିତ୍ ତୀର୍ଯ୍ୟକ ଭାବରେ ମୌଳବାଦୀ ବୋଲି କୁହାନଯିବ କାହିଁକି ? ତୁମେ ଯାହାକୁ ମୋଟେ ସ୍ୱୀକାର କରିନାହଁ, ତାହାରି ନାମରେହିଁ ଢୋଲ ବଜାଇ ହୁଅ, ଏଇଟା ହେଉଛି ମୌଳବାଦରହିଁ ଏକ ଅତି ଉଦ୍ଭଟ ଅନୁସଂସ୍କରଣ ।

Image

 

ସାହିତ୍ୟ–ସଂଳାପ

 

ଆଧୁନିକ ହେଉ ହେଉ ଆମେ ଯେପରି ଏକ ସଉକିନିଆ ସାମନ୍ତବାଦ ଭିତରେ କର୍ଦ୍ଦମାକ୍ତ ହୋଇ ରହିଗଲୁ, ଆମ ସାହିତ୍ୟ ମଧ୍ୟ ଠିକ୍ ସେହିପରି ଆମର ଅତ୍ୟନ୍ତ ଭାବପ୍ରବଣ ଭାବରେ ସାମନ୍ତବାଦୀ ହୋଇ ରହିବାରେ ସେବା ଖଟିବା ନିମନ୍ତେ ଆମର ପୋଇଲୀ ପରି ହୋଇ ରହିଲା । ପ୍ରାୟ ଶହେବର୍ଷ ତଳେ ଆମ ସାହିତ୍ୟର ପ୍ରଥମ ପୁରୋଗାମୀମାନେ ଯେତେବେଳେ ପୁରୁଣାର ବନ୍ଧଗୁଡ଼ିକୁ ଡେଇଁ ଆଧୁନିକ ହେବାକୁ ସାହସ କଲେ, ସେତେବେଳେ ସେମାନେ ସାହିତ୍ୟ କହିଲେ ସତେଅବା ସେହି କାଳର ନାନା ଅନ୍ଧାର ଭିତରେ ସମ୍ମୁଖରେ ଦିଶୁଥିବା ଏକ ଆଲୋକକୁ ଠାବ କରିପାରୁଥିଲେ । ସେହି ସାହିତ୍ୟ ସେମାନଙ୍କୁ ମୁଖ୍ୟତଃ ପ୍ରେରଣା ଦେଉଥିଲା । ଅଧିକ ସାହିତ୍ୟ ଲେଖିବା ନିମନ୍ତେ ପ୍ରେରଣା ଅବଶ୍ୟ ହେଉଥିଲା । ପରିମାଣରେ ମଧ୍ୟ ଦେଖାଇପାରିବାକୁ ସେତେବେଳେ ଆମ ସାହିତ୍ୟରେ ସତେଅବା ଆଦୌ କିଛି ନଥିବା ପରି ସେମାନେ ଅନୁଭବ କରୁଥିଲେ । ତେଣୁ ଅଧିକ ସାହିତ୍ୟରେ ବ୍ରତୀ ହେଲେ । ମାତ୍ର ତାହାଠାରୁ ଆହୁରି ଅଧିକ ତାତ୍ପର୍ଯ୍ୟର କଥା ହେଉଛି ଯେ, ଆହୁରି ଏକ ବୃହତ୍ତର ବ୍ୟାକୁଳତା ସେମାନଙ୍କୁ ସାହିତ୍ୟ ଲାଗି ଉଦ୍‍ବୁଦ୍ଧ ଏ ପ୍ରବୁଦ୍ଧ କରି ରଖୁଥିଲା । ରାଧାନାଥ, ଫକୀରମୋହନ, ଗଙ୍ଗାଧର–ଏମାନଙ୍କୁ ଆମେ ସେହି କାରଣରୁ ଜଣେ ଜଣେ ଲେଖକରୂପେ ଯେତେ ଆବିଷ୍କାର ନକରୁ, ଜଣେ ଜଣେ ଉଦ୍‍ବୁଦ୍ଧ ମଣିଷ ହିସାବରେ ତା'ଠାରୁ ଅଧିକ ନିଶ୍ଚିତଭାବେ ଆବିଷ୍କାର କରିଥାଉ । ସେମାନେ ଏବେ ମଧ୍ୟ ମୁଖ୍ୟତଃ ଆମଲାଗି ଠିକ୍ ସେହିପରି ଦେଖା ଯାଇଥାନ୍ତି ।

 

ସେ ଯୁଗରେ ସେମାନେ ସତେ ଯେପରି ନିଜର ଭୂଇଁଟିକୁ ଯାବତୀୟ ଅର୍ଥରେ ନୂଆ କରି ତିଆରି କରିପାରୁଥିଲେ । ସେମାନେ ଓଡ଼ିଆ ଭାଷା ଓ ଓଡ଼ିଶା ଭୂଇଁ ନାମରେ ସବୁକିଛି ଲେଖୁଥିଲେ ଓ କହୁଥିଲେ ସତ, ମାତ୍ର ସତେଅବା ଏକ ଏକାନ୍ତ ନୂତନ ଚିତ୍ରର ପରିପ୍ରେକ୍ଷୀ ଉପରେ ଓଡ଼ିଶାକୁ ଦେଖୁଥିଲେ । ଏହି ଚିତ୍ରାନୁଭୂତିକୁ ଆମେ ଇଚ୍ଛା କଲେ ଜାତୀୟତାର ଏକ ଚେତନା ବୋଲି କହିପାରିବା ଏବଂ ସମାନ ସଂଗତି ସହିତ ଏକ ଆଧ୍ୟାତ୍ମିକ ଚେତନା ବୋଲି ମଧ୍ୟ କହିପାରିବା । ସେତେବେଳେ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ମଧ୍ୟ ସାଧାରଣ ଜୀବନକ୍ଷେତ୍ରରେ ଯେଉଁ ପଥପ୍ରଦର୍ଶକ ବ୍ୟକ୍ତିମାନଙ୍କର ଆବିର୍ଭାବ ଘଟିଥିଲା, ସେମାନେ ସତେଅବା ଏକାବେଳେକେ ଦୁଇଟିଯାକ ଚେତନାର ବାହକ ଏବଂ ବାର୍ତ୍ତାବହ ହୋଇ ରହିଥିଲେ । ଉତ୍ସାହ ଓ ଉତ୍‍ପ୍ରେରଣାର ଏହି ପର୍ଯ୍ୟାୟଟିରେ ଆହୁରି କେତେକେତେ ପ୍ରସାର ଘଟିଲା, ଆହୁରି କେତେ ନୂଆ ଫୁଲ ଓ ଫଳ ଧରିଲା । ଏହିସବୁ ଯୁଗଗୁଡ଼ିକୁ ଆମେ ଏବେ ନୂଆ ନୂଆ ନାଆଁ ଦେଇ ସତ୍ୟବାଦୀ ଯୁଗ, ସବୁଜ ଯୁଗ ଏବଂ ପ୍ରଗତିକାମୀ ବିପ୍ଳବର ଯୁଗ ବୋଲି କହୁଛୁ । ଏମାନେ ଆମକୁ ଆମ ଦେଶର ସ୍ୱାଧୀନତା ପାଖରେ ଆଣି ହାବୁଡ଼େଇ ଦେଲେ । ସ୍ଵାଧୀନତା ପୂର୍ବର ସଂଗ୍ରାମ ପର୍ବରେ ମଧ୍ୟ ଏମାନେ ପ୍ରାୟ ପ୍ରତ୍ୟେକେ ଆମ ସାଙ୍ଗରେ ଥିଲେ, ଅନେକ କ୍ଷେତ୍ରରେ ଆମର କର୍ଣ୍ଣଧାର ହୋଇ ରହିଥିଲେ । କେବଳ ସେମାନଙ୍କର ଲେଖାଗୁଡ଼ିକ ନୁହେଁ, ସେମାନଙ୍କର ଜୀବନ ମଧ୍ୟ ଆମ ସକାଶେ ଗୋଟିଏ ଗୋଟିଏ ମଡ଼େଲ୍ ହୋଇ ରହିଥିଲା । ସେମାନେ ସାହିତ୍ୟରେ ଯାହାସବୁ ତୋଳି ଆଣୁଥିଲେ, ନିଜ ଜୀବନକୁ ମଧ୍ୟ ସେହିଗୁଡ଼ିକ ସକାଶେ ଉତ୍ସର୍ଗ କରି ରଖିଥିଲେ । ଏହାକୁହିଁ ଆମେ ହୁଏତ ଅତ୍ୟନ୍ତ ପ୍ରମାଦହୀନ ଭାବରେ ସାହିତ୍ୟିକ ସାଧୁତା ବୋଲି କହିପାରିବା । ସ୍ଵାଧୀନ ଭାରତବର୍ଷରେ ସେହି ସାଧୁତା କାହିଁକି କୁଆଡ଼େ ଚାଲିଗଲା ?

 

ଦେଶକୁ ରାଜନୀତିକ ସ୍ଵାଧୀନତା ଆସୁ ଆସୁ ଆମ ସାହିତ୍ୟରେ ଯେଉଁ ନୂଆମାର୍କା ଆଧୁନିକ ଯୁଗ ଆସିଲା, ସେଇଟି ସହିତ ପୂର୍ବବର୍ତ୍ତୀ ପ୍ରେରଣା ଧାରାଟିର ପ୍ରାୟ ଆଦୌ କୌଣସି ଖିଅ ଲାଗି ନଥିଲା । ତା’ପରେ ନୂଆ ଶୈଳୀରେ ସାହିତ୍ୟ ଲେଖାଗଲା । ପଶ୍ଚିମ ଜଗତରେ ସିନା ଗୋଟାଏ ବିଶ୍ଵଯୁଦ୍ଧ ପରେ ଅଲକ୍ଷଣା ହୋଇ ପଡ଼ିଥିବା ଜୀବନଟା ସେଠି କବି ଏବଂ ଲେଖକମାନଙ୍କୁ ଭୂତ ପରି ମାଡ଼ି ବସିଥିଲା, ସେଥିପାଇଁ ସେଠାରେ ପ୍ରଧାନତଃ ଏକ ମୋହଭଙ୍ଗକୁହିଁ ପୁଞ୍ଜି କରି ସାହିତ୍ୟ ଆପଣାକୁ ବ୍ୟକ୍ତ କରିବାକୁ ବାଧ୍ୟ ହେଲା ! ଆମ ଭାରତବର୍ଷରେ ସେଥିଲାଗି କବି ଓ ଲେଖକମାନେ ଠିକ୍ ସେହି ଛାଞ୍ଚରେ ଅଲକ୍ଷଣା ହେବାକୁ ହଠାତ୍ ସଂକଳ୍ପ କରିବସିଲେ କାହିଁକି ? ସ୍ୱାଧୀନ ଭାରତପାଇଁ ସଂଗ୍ରାମ ଚାଲିଥିବା ସମୟରେ ପାଶ୍ଚାତ୍ୟ ସାହିତ୍ୟରୁ କେତେକେତେ ପ୍ରେରଣା ଆସି ଭାରତୀୟ ସାହିତ୍ୟର ଲେଖନୀକୁ ନିର୍ଦ୍ଦିଷ୍ଟ ଦିଗ ଓ ନିର୍ଦ୍ଦିଷ୍ଟ ବିସ୍ତାରମାନ ଯୋଗାଇ ଦେଇଥିଲା । ସେହି ପାଶ୍ଚାତ୍ୟରୁ ପ୍ରେରଣା ଆସି ଆମର ଏଠାରେ ନୂଆ କାବ୍ୟ, ନୂଆ ଗପ, ନୂଆ କବିତା ଓ ନୂଆ ଉପନ୍ୟାସ ଲେଖା ହୋଇଥିଲା । ସମୀକ୍ଷାର ନୂଆ ଆଖିଟିଏ ମୁଖ୍ୟତଃ ସେଇଥିରୁହିଁ ମିଳିଥିଲା । ସେହି ପାଶ୍ଚାତ୍ୟ ଜଗତରୁ ପ୍ରେରଣା ଆସି ଯେପରି ଭାରତବର୍ଷରେ ସ୍ୱାଧୀନତା ସଂଗ୍ରାମଟିଏ ବିବର୍ତ୍ତିତ ହୋଇ ଆସୁଥିଲା ଏବଂ ପୁରାତନ ସମାଜରେ ବହୁ ନୂତନ ସଂସ୍କାର ଆଣିବାର ଆନ୍ଦୋଳନମାନେ ବିବିଧ ଆକାର ଧାରଣ କରିଥିଲେ, ଠିକ୍ ସେହିପରି ଆମ ସାହିତ୍ୟ ମଧ୍ୟ ଯାବତୀୟ ଅର୍ଥରେ ସେହି ମୁଖ୍ୟ ଧାରାଟି ସହିତହିଁ ସହଯୋଗ କରୁଥିଲା । ମାତ୍ର ଏହି ସବୁକିଛିର ମୂଳ ଭୂଇଁଟି ଭାରତୀୟ ଥିଲା । ଆହ୍ୱାନଗୁଡ଼ିକୁ ସମ୍ପୃକ୍ତ ସମସ୍ତେ ଏହି ଭାରତବର୍ଷରେହିଁ ଶୁଣୁଥିଲେ ଏବଂ ଆପଣାର ପୂର୍ବ ଆନୁଗତ୍ୟ ସହିତ ସେଗୁଡ଼ିକର ସମ୍ମୁଖୀନ ହେବାଲାଗି ନିଜକୁ ତଥା କ୍ଷେତ୍ରଟିକୁ ପ୍ରସ୍ତୁତ କରୁଥିଲେ । ଆମ ନିଜର ଭୂମିକାଟିକୁ ନୂତନ ପରିପ୍ରସ୍ଥଗୁଡ଼ିକ ଦେଇ ତିଆରି କରିବାକୁ ହେବ–ସମସ୍ତଙ୍କର ଆଖି ସେଇଠି ଯାଇ ରହିଥିଲା । ମାତ୍ର ସ୍ୱାଧୀନତା ଆସିବା ପରେ ଯେତେବେଳେ ସ୍ୱାଧୀନ ହୋଇ ତିଆରି କରିବାର ଅସଲ ମୁହୂର୍ତ୍ତଟି ଆସି ପହଞ୍ଚିଲା, ସେତେବେଳେ ଆମ ଆଧୁନିକ ସାହିତ୍ୟ ତା’ ଲାଗି ଅପେକ୍ଷା କରି ରହିଥିବା ଭୂଇଁଗୁଡ଼ାକରୁ ପଳାୟନ କରିବାକୁ ଏପରି ଉତ୍ସାହ ଦେଖାଇଲା କାହିଁକି ?

 

ସାହିତ୍ୟରେ ଯେପରି ଏକ ଶୈଳୀ ରହିଛି, ଜୀବନରେ ମଧ୍ୟ ସେହିପରି ଏକ ଶୈଳୀ ଅବଶ୍ୟ ରହିଥିବ । ଆମ ସାହିତ୍ୟର ଶୈଳୀ ସହିତ ଆମ ଜୀବନଶୈଳୀର ଏକ ସମ୍ବନ୍ଧ ସତତ ସତକୁସତ ରହିଥାଏ କି ? ଆମେ ଯେତେବେଳେ ସାହିତ୍ୟ ଭିତରକୁ ଯାଇ ନିଜପାଇଁ ବଜାରରୁ କେବଳ ତଥାକଥିତ ଶୈଳୀଟିଏ ଖୋଜିବାରେ ଲାଗିଥାଉ, ସେଥିରୁ ଆମ ଜୀବନରେ ଆମେ କେଉଁ ଶୈଳୀଟିର ଅନୁସରଣ କରୁଛୁ, ଅର୍ଥାତ୍ କେଉଁ ତାରାଟିକୁ ସମ୍ମୁଖରେ ଥାପି ବାଟ ଚାଲୁଛୁ, ସେହି କଥାଟିର ମଧ୍ୟ କୌଣସି ସୁରାଖ ମିଳିଯାଏ କି ? ଜଣେ କବି ଓ ସାହିତ୍ୟକାର ସାହିତ୍ୟ ବୋଲି ଯାହା ଲେଖୁଛି, ତା’ ନିଜ ଜୀବନ ସହିତ କ’ଣ ତାହାର ଆଦୌ କୌଣସି ସୂତ୍ର ଲାଗିନାହିଁ ? ସକାରାତ୍ମକ ଅଥବା ନକାରାତ୍ମକ ଯେଉଁ ଭାବରେ ହେଉ ପଛକେ, ସୂତ୍ରଗୁଡ଼ିକ ଅବଶ୍ୟ ଲାଗିଥିବ । ଜୀବନକୁ ପାରୁନାହିଁ ବୋଲି କ’ଣ ଜଣେ ଲେଖକ ସାହିତ୍ୟ ଭିତରକୁ ପଳାଇ ଯାଇଛି କି ? ନିଜ ଭିତରେ ଦୁଇଖଣ୍ଡ ଅଥବା ଏକାବେଳେକେ କେତେଖଣ୍ଡ ହୋଇ ରହିଛି ବୋଲି ତା’ର ଜୀବନ ସାହିତ୍ୟ ଭିତରେ ପ୍ରକାରେ ଏବଂ ବାସ୍ତବ ବିବରଣଗୁଡ଼ିକ ଭିତରେ ଆଉ ପ୍ରକାରେ ହୋଇ ରହିଛି କି-? ଜୀବନରେ ଝଅକ ମାରି ଅତ୍ୟନ୍ତ ଲଜ୍ଜିତ ଭାବରେ ଗୋଲାମ ହୋଇ ରହିଛି ବୋଲି କ’ଣ ସେ ତା’ର ତଥାକଥିତ ସାହିତ୍ୟିକ ସ୍ୱାଧୀନତାକୁ ଏକମାତ୍ର ସ୍ଵାଧୀନ ମୃଗୟାରୂପେ ବରଣ କରି ନେଇଛି କି ? ଏଣେ ଜୀବନରେ ନିଜ ପାଖରେ ଏବଂ ଜଗତ ପାଖରେ ଅସାଧୁ ରହି ଜଣେ ଲେଖକ ତା’ର ସାହିତ୍ୟ ପାଖରେ ସାଧୁ ହୋଇପାରିବ କି ? ସେପରି ହୋଇଥିଲେ ହୁଏତ ପ୍ରାୟ ନିୟମ ଅନୁସାରେ ସନ୍ଦେହ କରିବାକୁ ପଡ଼ିବ ଯେ, ତା’ ଭିତରେ ଗୋଟାଏ ଫାଳ ଆଉ ଗୋଟାଏ ଫାଳଠାରୁ ଲୁଚି ବୁଲୁଛି, ଗୋଟାଏ ଅଧ ଚୋରଙ୍କ ପରି ଫାଙ୍କି ଦେଉଛି ତ ଆଉ ଅଧେ ଅବଧାନ ହୋଇ ଠେଙ୍ଗା ଧରି ତା’ ପଛେ ପଛେ ଗୋଡ଼ାଇଛି ।

 

ଏପରି କ୍ଷେତ୍ରରେ ତୁମେ ଶୈଳୀର ପାଂନୁଷ ଓହଳାଇ ଯେତେ ବାଣ ମାରୁଥାଅ ପଛକେ, ତୁମର ଯାବତୀୟ ଲେଖା ଭିତରୁ ‘ତୁମର କ୍ଷତଟା, ତୁମର ଅସୁସ୍ଥ ଅନୁରାଗଗୁଡ଼ାକ ଅତ୍ୟନ୍ତ ଜଳଜଳ ହୋଇ ଦିଶି ଯାଉଥିବ ଏବଂ ଜଣେ ଅସୁସ୍ଥ ବିକାରକୁପିତ ମଣିଷ ଶବ୍ଦମାନଙ୍କର ଗହନରୁ ଯେତେ ଯାହା ଦୁହିଁଆଣି କବିତାରେ ଅଥବା ଗପ ଉପନ୍ୟାସରେ ଆମ ଆଗରେ ଲଉଡ଼ି ଖେଳୁଥିଲେ ମଧ୍ୟ ସିଏ ଆମର ପ୍ରକୃତରେ କେଉଁ କାମକୁ ପାଇବ ? ଏବେ ସମ୍ଭବତଃ ସେହି କାରଣରୁହିଁ ସାହିତ୍ୟ ଯୁଗର ଅସୁସ୍ଥତା ବଢ଼ାଇବାରେହିଁ ସବୁଠାରୁ ଅଧିକ ସହଯୋଗ କରୁଛି । ଭାରତବର୍ଷରେ ଭୀମମାନେ ଶଗଡ଼ ଶଗଡ଼ ସାହିତ୍ୟ ସହିତ ଦାଣ୍ଡରେ ଭିଡ଼ ଜମାଇଁ ବାହାରିଥିଲେ ମଧ୍ୟ ତଥାପି ଦୂରତା ବଢ଼ୁଛି, କପଟତା ବଢ଼ୁଛି, ମଣିଷମାନେ ନିଜ ପାଖରେ ସାହସଗୁଡ଼ିକୁ କାଞ୍ଜିଆ କରି ପକାଇବାରେ ଏହି ସାହିତ୍ୟ ଅଧିକ କାମ କରୁଛି, ଯୁଗର ଧ୍ଵଜଭଙ୍ଗଗୁଡ଼ାକ କ୍ରମଶଃ ଦୃଶ୍ୟମାନ ହେବାକୁ ଆରମ୍ଭ କଲେଣି । ଜଣେ ମଣିଷ ସାହିତ୍ୟର ଧିସା ଲଗାଇ ଯାହାସବୁ କହୁଛି, ସିଏ ସତକୁସତ ତାହା ନୁହେଁ ବୋଲି ଅତ୍ୟନ୍ତ ଦୟନୀୟ ଭାବରେ ଧରା ପଡ଼ିଯାଇଛି । ସତେଅବା ଲାଜଟାକୁ ଲୁଚାଇବାର ମତଲବରେ ସଭାରେ ପୁରସ୍କାର ଦିଆନିଆ ଚାଲିଛି, ପ୍ରଶସ୍ତିବଚନରେ ତୁଣ୍ଡ ଫାଟି ଯାଉଛି । ଘାଆଗୁଡ଼ାକୁ ଘୋଡ଼ାଇ ରଖିବାପାଇଁ ବରାଦ ଦିଆହୋଇ ଫୁଲମାଳ ଆସୁଛି । ପୋଲାମାନେ ପରସ୍ପରକୁ ଚାଟୁକ୍ତିର ପୁଟି ଲଗାଇ ପୂରା ବୋଲି ଦେଖାଇବାର କେତେ ପ୍ରୟାସ କରୁଛନ୍ତି । ଅସଲ ସାହିତ୍ୟ କ’ଣ ଏତିକିରେ ଆପଣାର ସବୁ ସିଦ୍ଧିଲାଭ ହୋଇଗଲା ବୋଲି ମାନି ଯାଉଥାନ୍ତା ?

 

ଗୋଟିଏ ସାହିତ୍ୟ ପଳାଇ ଯିବାର ସାହିତ୍ୟ, ଅସଲ ଆହ୍ୱାନଗୁଡ଼ିକ ପାଖରୁ ଚିତା କାଟି ବୁଲିବାର ସାହିତ୍ୟ, ଆଉଗୋଟିଏ ସାହିତ୍ୟ ସେଗୁଡ଼ିକର ସମ୍ମୁଖୀନ ହେବାର ସାହିତ୍ୟ, ସେହି ସମ୍ମୁଖୀନ ହେବା ନିମନ୍ତେ ଆମକୁ ସବଳ କରି ପାରିବାର ସାହିତ୍ୟ । ନିଜର ଭିତରେ ନିଜ ସମ୍ମୁଖୀନ ହେବାପାଇଁ ଯାହା ବଳ ଯୋଗାଇଦେବ, ଆମ ସାହିତ୍ୟ ଭିତରେ ସେହି ବଳଟି ଅବଶ୍ୟ ରହିଥିବା ଉଚିତ । ଯାବତୀୟ ସାହିତ୍ୟ ହେଉଛି ମୂଳତଃ ଏକ ସମୀକ୍ଷା । ସମୀକ୍ଷାହିଁ ଧର୍ମ ହୋଇଥିଲେ ସାହିତ୍ୟ ଅଧିକରୁ ଅଧିକ ଦେଖିବାକୁ ମନ କରିବ; ତାହା ମଣିଷମାନଙ୍କ ଭିତରେ ରହିବାକୁ, ତାହାର ଏକାନ୍ତ ନିକଟବର୍ତ୍ତୀ ହୋଇ ରହିବାକୁ ପ୍ରକୃତରେ ଗୌରବ ଅନୁଭବ କରିବ । ଭିତର ଓ ବାହାର ଉଭୟଟାକୁ ଅଧିକରୁ ଅଧିକ ଉଖାରି ଦେଖିବ । ଉଖାରି ଦେଖିବାକୁ ଡରିବ ନାହିଁ-। ଖଣ୍ଡିଆ ହୋଇ ରହିବାକୁ ଡରିବ, କପଟୀ ହେବାକୁ ଡରିବ, କପଟୀ ହେବାକୁ ଅର୍ଥାତ୍ ଦେଖାଇ ହେବାକୁ ଏକ ଆତ୍ମଘାତିତା ବୋଲି ବୁଝିବ । ମଣିଷ ଭିତରେ, ପ୍ରତ୍ୟେକ ମଣିଷ ଭିତରେ ଏପରି ଗୋଟିଏ ଉପାଦାନ ବା ସତ୍ୟସ୍ଥାନ ରହିଛି, ଯାହାକୁ ପୃଥିବୀଯାକର ଆଧ୍ୟାତ୍ମିକ ସାହିତ୍ୟରେ ମଣିଷର ଅସଲ ସନ୍ତକ ବୋଲି କୁହାଯାଇଛି । ସକାରାତ୍ମକ ସାହିତ୍ୟ ଅଧିକରୁ ଅଧିକ ଗଭୀରଯାଏ ପ୍ରବେଶ କରିପାରିବାକୁ ଶ୍ରଦ୍ଧା ରଖିଥିବା ସାହିତ୍ୟ ସେହି ଅସଲ ପର୍ଯ୍ୟନ୍ତ ସାହସ କରିବ, ଅସଲଟିକୁ ସ୍ପର୍ଶ କରିପାରୁଥିବ ଏବଂ ଅସଲଟିର ଉଦ୍‍ଘାଟନ କରିଦେବ ଏବଂ ସେଠାରେ ଯାଇ ପହଞ୍ଚି ପାରିଲେ ଭିତରଟା ସମେତ ବାହାରଟା ମଧ୍ୟ ବଦଳିଯିବ । ବାହାରଟା ପାଖରେ ପରାଭବ ସ୍ୱୀକାର କରି ଅନେକ ସମୟରେ ସାହିତ୍ୟିକ ସତେଅବା ମୁଣ୍ଡ ଗୁଞ୍ଜିବାକୁ ଯେ ତଥାକଥିତ ନିଜ ଭିତରକୁ ଶବ୍ଦଛଟକ ଦେଖାଇ ଚାଲି ଯାଉଥିଲା, ତାକୁ ସେହି ଦଶା ଆଉ ଆଦୌ ଭୋଗିବାକୁ ପଡ଼ିବନାହିଁ-

 

ଏବେ ପୃଥିବୀରେ ଆଧୁନିକ ଯୁଗ କହିଲେ ପ୍ରଧାନତଃ ଏହିପରି ଗୋଟିଏ ନୂଆ ପ୍ରବର୍ତ୍ତନକୁ ବୁଝାଉଛି । ଅନେକେ ଏହାକୁ ଏକ ରିନୁୱାଲ୍ ବୋଲି କହିଲେଣି । ଏକ ମିଛ ଆଧୁନିକତା ଆମକୁ ଏତେଦିନ ଯାଏଁ କ୍ଲୀବ ଓ ନିଃସଙ୍ଗ କରି ରଖିଆସିଛି ବୋଲି ହୃଦୟଙ୍ଗମ କରିବାମାତ୍ରକେ ଆମେ ଏହି ଅନ୍ୟ ଆଧୁନିକତାକୁ ଅବଶ୍ୟ ମନ କରି ବାହାରିବା । ଆମ ଭାରତବର୍ଷରେ ଅସଲ ଏନଲାଇଟମେଣ୍ଟର ଯୁଗ ସେତିକିବେଳେ ଯାଇ ସାକାର ହୋଇଆସିବ । ସେଥିଲାଗି ଅତୀତ ଭୂମି ପରି କାମ କରିବ, ଭବିଷ୍ୟଟି ବର୍ତ୍ତମାନକୁ ସାଙ୍ଗ ପରି ଆକର୍ଷଣ କରିନେବ-। ଏବର ଏହି ନକଲି ଆଧୁନିକତା ଭିତରେ ପଶି ଆମ ସାହିତ୍ୟ ତା’ର ପୂର୍ବବର୍ତ୍ତୀ ସୋପାନଗୁଡ଼ିକ ସହିତ ଯେପରି ଖିଅ ହଜାଇ ପକାଇଛି, ସେହି ଦୁର୍ଦ୍ଦଶାର ଅନ୍ତ ହେବ । ଆମ ଲେଖକମାନେ ପୁନର୍ବାର ଆମ ଘରକୁ ଫେରି ଆସିଥିବା ପରି ଲାଗିବେ, ଗୋଟାସୁଦ୍ଧା ଆମର ବୋଲି ଲାଗିବେ-। ଆମକୁ ପୁଣି ଆପଣାର କରିନେବେ । ଆମକୁ ଲୁଚି ସଭାଘରେ ଉତ୍ସବ ସଜାଇ ଆମ ସାହିତ୍ୟ ତେଣିକି ଆଉ ମୋଟେ ଯୁଗଟା ପର ହୋଇଗଲା ଏବଂ ସବୁକିଛି ଭାଙ୍ଗିପଡ଼ିଲା ବୋଲି ରାବ କରିବାକୁ ମନ ବଳାଇବେ ନାହିଁ ।

Image

 

ସମସ୍ତେ ସ୍ୱାଧୀନ ହୋଇଯାଅ

 

ନିର୍ବାଚନରେ ଦଳମାନେ ଥାଆନ୍ତି । ଏହି ଦଳମାନେହିଁ ନିର୍ବାଚନ ଲଢ଼ନ୍ତି । କିଏ ନିର୍ବାଚନ ଲଢ଼ିବ ଓ କିଏ ନଲଢ଼ିବ, ସେହି କଥାଟି ଦଳ ତରଫରୁ ନିଷ୍ପତ୍ତି କରି ଦିଆଯାଇଥାଏ । ଅର୍ଥାତ୍ ନିର୍ବାଚିତ ହେବାକୁ ଛିଡ଼ା ହୋଇଥିବା ପ୍ରାର୍ଥୀଟିଏ ପ୍ରାୟ ନିୟମତଃ ତା’ ଦଳ ତରଫରୁ ଭୋଟ ଲଢ଼ୁଥାଏ । ପ୍ରତ୍ୟେକ ଦଳର ଏକ ରାଜନୈତିକ ଆଭିମୁଖ୍ୟ ଥାଏ ଏବଂ ସେହି ଆଭିମୁଖ୍ୟ ଅନୁସାରେ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ଘୋଷଣା ମଧ୍ୟ କରାଯାଇଥାଏ । ଭୋଟଦାତାମାନେ ସେହି ଆଭିମୁଖ୍ୟ ଅର୍ଥାତ୍ ରାଜନୈତିକ ବିକଳ୍ପଗୁଡ଼ିକର ବିଚାର କରନ୍ତି ଓ ଯେଉଁଟିକୁ ସେମାନେ ନିଜେ ପସନ୍ଦ କରୁଥାନ୍ତି, ନିର୍ବାଚନବେଳେ ସେହି ଅନୁସାରେ ଭୋଟ ଦିଅନ୍ତି । ଏହିପରି ଭାବରେ କୌଣସି ଦେଶରେ ମୂଳତଃ ଜନମତ ଅନୁସାରେ ପ୍ରତିନିଧିମାନେ ନିର୍ବାଚିତ ହୋଇଥାନ୍ତି । ସଚରାଚର ଏହିପରି ଭାବରେହିଁ ଗଣତନ୍ତ୍ର ଚାଲେ ଏବଂ ସେହି ଗଣତନ୍ତ୍ର ମାଧ୍ୟମରେ ଦେଶଟିଏ ଚାଲେ ।

 

କେତେକ ପ୍ରାର୍ଥୀ ଥାଆନ୍ତି, ଯେଉଁମାନେ କି କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ଲଢ଼ୁ ନଥାନ୍ତି । ସେମାନେ ଆପଣାକୁ ଜଣେ ଜଣେ ସ୍ୱାଧୀନ ପ୍ରାର୍ଥୀ ବୋଲି କହୁଥାନ୍ତି । ଦେଶର ସରକାର ବା ନିର୍ବାଚନ ବ୍ୟବସ୍ଥା ମଧ୍ୟ ସେମାନଙ୍କୁ ସ୍ୱାଧୀନ ପ୍ରାର୍ଥୀରୂପେ ସ୍ୱୀକାର କରିଥାଏ । ଏମାନେ କୋଉ ଦଳରେ ନଥାନ୍ତି । ଜଣେ ଜଣେ ବ୍ୟକ୍ତି ହିସାବରେ ଏକ ନିର୍ବାଚନ ଲଢ଼ୁଥାନ୍ତି । ଭୋଟ ଦେଉଥିବା ଜନସାଧାରଣ ସେମାନଙ୍କୁ ଜଣେ ଜଣେ ବ୍ୟକ୍ତିରୂପେ ତଉଲ ଓ ବିଚାର କରନ୍ତି ଏବଂ ମନ ପାଇଲେ ସେମାନଙ୍କୁ ଭୋଟ ଦିଅନ୍ତି । ଏହି ସ୍ଵାଧୀନ ପ୍ରାର୍ଥୀମାନେ କେବେ କେଉଁ ଦେଶରେ ସଂଖ୍ୟାଗରିଷ୍ଠ ହୋଇ ଏକ ସାକାର ଗଠନ କରିଛନ୍ତି, ଅଥବା ଶାସନ ଭାର ଯେ ଗ୍ରହଣ କରିଛନ୍ତି, ଗଣତନ୍ତ୍ରର ଇତିହାସରେ ଏଭଳି କୌଣସି ଦୃଷ୍ଟାନ୍ତ ଦେଖିବାକୁ ମିଳି ନଥାଏ । ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁସାରେ ଅର୍ଥାତ୍ ଜଣେ ଦକ୍ଷ ଓ ସମର୍ଥ ବ୍ୟକ୍ତି ହିସାବରେ ଆପଣାର ଦକ୍ଷତା ବା ସମର୍ଥତା ଅନୁସାରେ ସ୍ୱାଧୀନ ପ୍ରାର୍ଥୀମାନେ ନିଜ ନିଜ ଅଲଗାଅଲଗା ରଥରେ ଚଢ଼ି ଶାସନ ସଭାକୁ ଆସିଥାଆନ୍ତି ସିନା, ମାତ୍ର ସେମାନେ ସାଧାରଣତଃ ବିଶେଷ କିଛି କରିପାରନ୍ତି ନାହିଁ । ଦଳମତ ନିର୍ବିଶେଷରେ ସେମାନଙ୍କୁ ସମସ୍ତେ ସମ୍ମାନ ଦେଖାନ୍ତି ସତ, ମାତ୍ର ସେମାନେ ସେତିକିଠାରୁ ପ୍ରାୟ ଆଉ ଅଧିକ କିଛି ଆଦୌ ହାସଲ କରିପାରନ୍ତି ନାହିଁ । ଏକ ଗଣତନ୍ତ୍ରରେ ଯେପର୍ଯ୍ୟନ୍ତ ରାଜନୈତିକ ଆଭିମୁଖ୍ୟକୁ ନେଇ ନିର୍ବାଚନ ହେଉଥାଏ ଏବଂ ନିର୍ବାଚିତ ଦଳମାନେ ଶାସନକୁ ଆସି ଯେପର୍ଯ୍ୟନ୍ତ ତଦନୁସାରେ ଆପଣାର କାର୍ଯ୍ୟକ୍ରମଗୁଡ଼ିକୁ ଗ୍ରହଣ କରୁଥାନ୍ତି, ସେପର୍ଯ୍ୟନ୍ତ ସ୍ୱାଧୀନ ଭାବରେ ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧିମାନଙ୍କର ଉଲ୍ଲେଖଯୋଗ୍ୟ କୌଣସି ଭୂମିକା ନଥାଏ । କେବଳ କେତେକ ବିଶେଷ ବିଶେଷ ପରିସ୍ଥିତିରେ ଅର୍ଥାତ୍ ନିର୍ବାଚନର ପ୍ରକ୍ରିୟା ଭିତରେ କୌଣସି ଅସୁସ୍ଥତା ଆସି ପଶିଗଲେ ଯାଇ ଏହି ନିର୍ବାଚିତ ସ୍ୱାଧୀନ ପ୍ରାର୍ଥୀମାନଙ୍କର ତାତ୍କାଳିକ ବଜାରମୂଲ୍ୟରେ ବୃଦ୍ଧି ଘଟିବାର ସମ୍ଭାବନା ରହିଥାଏ । ହୁଏତ ଏପରି ମଧ୍ୟ ଲକ୍ଷ୍ୟ କରାଯାଇପାରିବ ଯେ, ରାଜନୈତିକ ସଚେତନତା କ୍ଷେତ୍ରରେ ଅନଗ୍ରସର ହୋଇ ରହିଥିବା ଦେଶମାନଙ୍କରେ ସ୍ୱାଧୀନ ପ୍ରାର୍ଥୀମାନଙ୍କର ସଂଖ୍ୟା ହୁଏତ କିଞ୍ଚିତ୍ ପରିମାଣରେ ଆଖିଦୃଶିଆ ହୋଇ ରହିଥାଏ ।

 

ଏବେ ଆମ ଦେଶରେ ଆଉ ଗୋଟିଏ କିସମର ସ୍ଵାଧୀନ ନିର୍ବାଚନ–ପ୍ରାର୍ଥୀମାନେ କ୍ରମେ ଅଧିକରୁ ଅଧିକ ସଂଖ୍ୟାରେ ଦୃଷ୍ଟିଗୋଚର ହେଉଛନ୍ତି । ନିର୍ବାଚନଟିଏ ଲଢ଼ିବାପାଇଁ ନିଜ ଦଳ ପକ୍ଷରୁ ଟିକେଟଟିଏ ନମିଳିଲେ ଅନେକ ସମୟରେ ପ୍ରାର୍ଥୀମାନେ ନିଜକୁ ସ୍ୱାଧୀନ ପ୍ରାର୍ଥୀ ବୋଲି ଘୋଷଣା କରୁଛନ୍ତି ଏବଂ ସେହିପରି ଭାବରେ ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହେଉଛନ୍ତି । ସେମାନେ ହୁଏତ ଏକ ରାଜନୈତିକ ଦଳ ଭିତରେ ଏକାବେଳକେ ପୋଖତ ଜଣେ ଜଣେ ହୋଇ ରହିଥିଲେ । କୌରବ ଦଳରେ ଶହେ ଭାଇଙ୍କ ମଧ୍ୟରେ ତଥାପି ବାରି ହୋଇ ପଡ଼ୁଥିଲେ । ଆଗରୁ କେତେଥର ନିଜ ଦଳର ଟିକେଟ୍ ଧରି ନିର୍ବାଚନ ଲଢ଼ିଥିଲେ ଏବଂ ନିର୍ବାଚିତବି ହୋଇଥିଲେ । ନିର୍ବାଚିତ ହେବାପରେ ଆପଣାର ବୁଦ୍ଧି ତଥା ପାରିବାପଣ ବଳରେ ହୁଏତ ମନ୍ତ୍ରୀ ମଧ୍ୟ ହୋଇପାରିଥିଲେ । ସବୁ ନିର୍ବାଚନରେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଛିଡ଼ା ହେବାପାଇଁ ତାଙ୍କୁ ଅବଶ୍ୟ ଦଳୀୟ ଟିକେଟ୍ ମିଳିବ ବୋଲି ସମ୍ପୂର୍ଣ୍ଣ ଭାବରେ ଧରି ନେଇଥିଲେ । ଆପଣା ପଟେ ଯେ ଜନବଳ ସତକୁସତ ରହିଛି, ଦଳର ଟିକେଟମାନ ଭାଗ ହେଉଥିବା ମହକୁମାରେ ସେମାନେ ଆପଣାର ଏକ ଶୋଭାଯାତ୍ରା ଅଣାଇ ଠୋଠୋ ବାଣ ଫୁଟାଇ ସେ କଥା ଦେଖାଇ ଦେଉଥିଲେ । ଜଣେ ଜଣେ ହୁଏତ ନିଜ ଦଳରେ ସମ୍ପାଦକଟାଏ ଥିଲେ ଅଥବା ଆଉ କ’ଣ ବି ଥିଲେ । ଦଳ ପକ୍ଷରୁ କେତେକଅଣ କଥାକୁ ସୁଦକ୍ଷ ଭାବରେ ନେଇ ଆଣି ଥୋଇବି ପାରୁଥିଲେ ଓ ତାହାରି ବଳରେ ଦିଲ୍ଲୀ ପର୍ଯ୍ୟନ୍ତ ପରିଚିତ ହୋଇପାରିଥିଲେ । ତଥାପି ବଛାବଛି ବା ଭଣ୍ଡାଭଣ୍ଡିର ଛକାପଞ୍ଝା ଖେଳରେ ସେ ଯଦି ନିର୍ବାଚନଟିଏ ଲଢ଼ିବା ନିମନ୍ତେ ଟିକେଟଟିଏ ନପାଇଲେ, ତେବେ ସେ ନିଜକୁ ସ୍ୱାଧୀନ ପ୍ରାର୍ଥୀ ବୋଲି ଘୋଷଣା କରୁଛନ୍ତି ଓ ସ୍ୱାଧୀନ ଟିକେଟ୍‍ରେ ଭୋଟ ଲଢ଼ୁଛନ୍ତି । ତାଙ୍କର ଯେ ସତକୁସତ କେତେ ବଳ ରହିଛି, ତାଙ୍କୁ ଉପେକ୍ଷା କରିଥିବା ନିଜ ଦଳର କର୍ତ୍ତାମାନଙ୍କୁ ଖୋଲାଖୋଲି ସେ କଥା ଦେଖାଇ ଦେଉଛନ୍ତି ।

 

ଏକ ରାଜନୈତିକ ଆଦର୍ଶରୁହିଁ ଜଣେ ବ୍ୟକ୍ତିର ରାଜନୈତିକ ଆଭିମୁଖ୍ୟଟି ନିର୍ଦ୍ଦିଷ୍ଟ ଆକାର ପାଇଥାଏ । ମୁଁ ଯଦି ରାଜନୀତିକୁ ନିଜର କ୍ଷେତ୍ର ବୋଲି ଗ୍ରହଣ କରିଥାଏ ଓ ବାଟ ଚାଲୁ ଚାଲୁ ଗୋଟିଏ ରାଜନୈତିକ ଆଦର୍ଶ ଅର୍ଥାତ୍ ଭବିଷ୍ୟବ୍ୟାଖ୍ୟାକୁ ଠିକ୍ ବୋଲି ଅନୁଭବ କରିଥାଏ, ତେବେ ମୋତେ ସେହି ମୁତାବକ ଏକ ରାଜନୈତିକ ଗୋଷ୍ଠୀ ବା ଦଳ ଭିତରେ ସାମିଲ ହେବାକୁ ପଡ଼େ । ଅଥବା ସେପରି ଦଳଟିଏ ଆଗରୁ ନଥିଲେ ମୁଁ ସାଥୀମାନଙ୍କୁ ଠାବ କରି ନିଜେହିଁ ନୂଆ ରାଜନୈତିକ ଦଳଟିଏ ଗଠନ କରିଥାଏ ଓ ବହୁ କ୍ଷେତ୍ରରେ ସେହି ଦଳରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପଦବୀ ଦଖଲ କରି ରହିଥାଏ । ଏତେସବୁ ହୋଇଥିବା ସତ୍ତ୍ୱେ ଯଦି ମୁଁ ନିଜ ଦଳରୁ ଟିକେଟ୍ ପାଇଲିନାହିଁ ବୋଲି ଦଳ ଛାଡ଼ିଲି ବୋଲି ଘୋଷଣା କରି ଜଣେ ସ୍ୱାଧୀନ ପ୍ରାର୍ଥୀରୂପେ ନିର୍ବାଚନଟିଏ ଲଢ଼ିବା ନିମନ୍ତେ ଚତୁର୍ବେଦୀ ହୋଇ ବାହାରିପଡ଼େ, ସେତେବେଳେ ମୁଁ ଅନେକ ସମୟରେ ନିଜକୁ ହାସ୍ୟାସ୍ପଦ ବୋଲି ପ୍ରମାଣ କରେ ଓ ନିଜ ଦେଶର ରାଜନୈତିକ ପରିମଳରେ କେତେ ପ୍ରକାର ଦୁଷ୍ଟ ଉପାଦାନ ଆଣି ଭର୍ତ୍ତି କରିଦିଏ । ମୋର ଯାବତୀୟ ରାଜନୈତିକ ଆନୁଗତ୍ୟ ସତରେ କ’ଣ ନିର୍ବାଚନରେ ଟିକେଟ୍‍ଟାଏ ପାଇବା ଅଥବା ନପାଇବାର ଏକ ଦୁର୍ବଳ ସୂତାଖିଅକୁ ଆଶ୍ରା କରି ଏଯାଏ ପ୍ରକୃତରେ ରହିଥିଲା ? ପ୍ରଧାନତଃ ଭୋଟମାନଙ୍କରେ ନିର୍ବାଚିତ ହୋଇ କ୍ଷମତାରେ ବସିବାର ଏକ ଆତ୍ମକାମିତାଦ୍ୱାରା ତାଡ଼ିତ ଏବଂ ପରିଚାଳିତ ହୋଇ କ’ଣ ମୁଁ ରାଜନୀତି ଭିତରକୁ ଆସିଥିଲି ଓ ଆପଣାର ରାଜନୈତିକ ବିବେକଟାକୁ ମୁଁ କ’ଣ ଗୋଟାସୁଦ୍ଧା ସେହି ଆତ୍ମକାମିତା ପାଖରେ ଛେଳି କରି ରଖିଥିଲି ? ଦଳୀୟ ସ୍ଵୟମ୍ବରସଭାଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଯେଉଁମାନେ ନିଜକୁ ନିଜେ ବରିନେଲା ପରି ଦଳରୁ ଅଲଗା ହୋଇ ଯାଉଛନ୍ତି ଓ ଆପଣାର ସ୍ୱାଧୀନ ଡିଣ୍ଡିମ ବଜାଇବାରେ ନାମ ଅର୍ଜନ କରୁଛନ୍ତି, ସେମାନେ କେତେଦୂର ନିଜକୁ ଏହି ପ୍ରଶ୍ନଗୁଡ଼ିକୁ ପଚାରିପାରୁଥିବେ କେଜାଣି ?

 

ବେଳେବେଳେ ଏକ ଖଳ ଉତ୍ସାହରେ ପଡ଼ି ଭାବିବାକୁ ମନହୁଏ, ଏହିପରି ଭାବରେ ଆମ ନିର୍ବାଚନମାନଙ୍କରେ ସମସ୍ତେ ଜଣେ ଜଣେ ସ୍ୱାଧୀନ ପ୍ରାର୍ଥୀ ହୋଇ ଛିଡ଼ାହେଲେ ପ୍ରକୃତରେ କେମିତି ହୁଅନ୍ତା ? ଏବେ ଆମ ଦେଶରେ ରାଜନୈତିକ ଦଳ ବୋଲି ଯାହାକୁ କୁହାଯାଉଛି, ସେଗୁଡ଼ିକରେ କର୍ପୂର ବୋଲି ହୁଏତ ଆଉ କିଛି ନାହିଁ । ଖାଲି କନାଗୁଡ଼ାକ ଯାହା ପଡ଼ିରହିଛି । ତଥାକଥିତ ଦଳଗୁଡ଼ିକରେ ଯେଉଁମାନେ ଉପରେ ରହିଛନ୍ତି, ଅନେକ ସମୟରେ ସେମାନେ ପିତୃହନ୍ତା ବା ମାତୃହନ୍ତା ଅଲକ୍ଷଣାମାନଙ୍କ ପରି ଦେଖାଯାଉଛନ୍ତି । ଦଳ ପଛକେ ଲୁପ୍ତ ହୋଇଯାଉ, ଦଳର ସନ୍ତକରୂପେ ଆଦୌ କୌଣସି ରାଜନୀତିକ ଆଦର୍ଶ ଅଥବା ଆଗ୍ରହ ନଥାଉ ପଛକେ ଆମେ ନିଜେ ଯେକୌଣସି ପ୍ରକାରେ ବାନା ଉଡ଼ାଇ ରହିଥାଉ, ଦଳ ଭିତରେ ଅନେକେ ଏବେ ହୁଏତ ସେହିଭଳି ଚିନ୍ତା କରୁଛନ୍ତି । ତେଣୁ ଦଳରେ ଆଉ କୌଣସି ରାଜନୀତିକ ଚର୍ଚ୍ଚା ହେଉନାହିଁ, ବ୍ୟକ୍ତି ବ୍ୟକ୍ତି ଭିତରେହିଁ ଝିଙ୍କାଓଟରା ଲାଗିଛି, ଗୟଳ ଓ ଗୟଳ ଭିତରେ ଖିଚାଖିଚି ଚାଲିଛି । ଯାହାର ଯେତେବେଳେ ପାଳକ ପଡ଼ିଲା, ସେତେବେଳେ ସେଇ ନେତା ହେଉଛି ଏବଂ ତାହାରି କଥାନୁସାରେ ଗୋଟାଳିମାନେ ଚାଲୁଛନ୍ତି । ଏହି ଦୃଷ୍ଟିରୁ ବିଚାର କଲେ ଦେଶରେ ହୁଏତ ଆଉ ସତକୁସତ କୌଣସି ରାଜନୀତିକ ଦଳ ନାହାନ୍ତି । କେବଳ ସ୍ଵାଧୀନ ଗୟଳମାନେହିଁ ରହିଛନ୍ତି । ପ୍ରଧାନତଃ ସଂସ୍କାରର ଏକ ଅନୁରୋଧରୁ ଉପରେ ଦଳମାନେ ରହିଛନ୍ତି ସତ, ମାତ୍ର ଆତ୍ମକାମିତାହିଁ ସେଗୁଡ଼ିକୁ ଗୋଟିଏ ଗୋଟିଏ ଅରାଜକତାରେ ପରିଣତ କରି ରଖିଛି । ଏହି ଅରାଜକତା ଆମ ଦେଶରେ ଗତ ଚାରି ଦଶନ୍ଧି ହେଲା ତିଆରି ହୋଇ ଆସିଛି । ଅରାଜକତାର ରାଜାମାନେ ଗୋଟିଏ ଘରକୁ ସତର ଭାଗରେ ପରିଣତ କରି କେଡ଼େ ସୂତରରେ ଜଣେ ଜଣେ ଚକ୍ରବର୍ତ୍ତୀ ହୋଇ ବିଚରଣ କରୁଛନ୍ତି । ଗୋଟିଏ ଦଳ ଭିତରେ ବ୍ୟକ୍ତି ବ୍ୟକ୍ତି ଏବଂ ଦୃଷ୍ଟିକୋଣ ଓ ଦୃଷ୍ଟିକୋଣ ମଧ୍ୟରେ ମତଭେଦ ଅବଶ୍ୟ ରହନ୍ତା; ମାତ୍ର ସେଥିଲାଗି ଚକ୍ରବର୍ତ୍ତୀମାନେ ଆପଣା ଆପଣା ଭିତରେ ଏପରି ପେଲାପେଲି କାହିଁକି ହୁଅନ୍ତେ, ପରସ୍ପରକୁ କାହିଁକି ଏପରି ବାଡ଼ି ଉଞ୍ଚାଇବାକୁ ବାହାରିପଡ଼ନ୍ତେ ? ମତଭେଦ ସତ୍ତ୍ୱେ ସେମାନେ ତଥାପି ଏକତ୍ର ରହିଥାନ୍ତେ, ନିଜକୁ ଅନ୍ୟମାନଙ୍କ ପାଖରେ ବୁଝାଇପାରନ୍ତେ ଏବଂ ସେହିପରି ଭାବରେ ଆପେ ସମୃଦ୍ଧ ହୋଇ ନିଜର ଦଳଗୁଡ଼ିକୁ ମଧ୍ୟ ସମୃଦ୍ଧ କରିପାରୁଥାନ୍ତେ ।

 

ଗୋଟିଏ ଧର୍ମ ଯେ କାଳକ୍ରମେ ଏକାଧିକ ମାର୍ଗ ଓ ସଂପ୍ରଦାୟରେ ବିଭକ୍ତ ହୋଇଯାଉଛି, ସ୍ୱାମୀ ବିବେକାନନ୍ଦ ଏକଦା ତାହାକୁ ପୃଥିବୀର ଉଦୟପଥରେ ସ୍ୱାସ୍ଥ୍ୟର ଏକ ଲକ୍ଷଣ ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ । ସିଏ କହିଥିଲେ ଯେ, ଏହିପରି ଅଲଗାଅଲଗା ହୋଇଯିବାର ଅସରନ୍ତି ପ୍ରକ୍ରିୟାରେ ଶେଷକୁ ବ୍ୟକ୍ତିମାନେହିଁ ରହିବେ, ଧର୍ମ ଏବଂ ସଂପ୍ରଦାୟଗୁଡ଼ିକ ନିରର୍ଥକ ବୋଲି ପ୍ରତିପାଦିତ ହେବେ । ଅର୍ଥାତ୍ ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରେହିଁ ଯଥାର୍ଥ ଧର୍ମ ସତ୍ୟଟିର ଅନ୍ୱେଷଣ କରିବେ, ଆଦୌ କୌଣସି ପ୍ରକାରେ ଗୁଳା ଭିତରେ ପଡ଼ି ବାଟବଣା ହୋଇଯିବେ ନାହିଁ । ସ୍ଵାମୀ ବିବେକାନନ୍ଦଙ୍କର କଥାଟିକୁ ତଥାପି ବୁଝିହେଉଛି । ମନୁଷ୍ୟମାନେ ନିଜ ନିଜର ସ୍ଵଭାବଗତ ଅନନ୍ୟତାକୁ ଆବିଷ୍କାର କରି ଯେ ତଜ୍ଜନିତ ସନ୍ଦୀପନଟିଦ୍ଵାରା ମଣିଷ ସହିତ ମଣିଷକୁ ବାନ୍ଧି ରଖିଥିବା ଏକତାଟିକୁ ଉପଲବ୍ଧି କରିବେ ଏବଂ ତଦ୍ଦ୍ୱାରା ଯାବତୀୟ ଧର୍ମଗତ ବିଭାଜନର ଅନ୍ତ ହୋଇ ଏକ ଯଥାର୍ଥ ଆଧ୍ୟାତ୍ମ ସମ୍ଭବ ହେବ, ସ୍ଵାମୀଜୀ ଆମ ସମସ୍ତଙ୍କୁ ହୁଏତ ସେହି ଅସଲ ସମ୍ଭାବନାଟିକୁ ସୂଚାଇ ଦେବାକୁ ଇଚ୍ଛା କରିଥିବେ । ମାତ୍ର ଆମେ ରାଜନୀତିର କ୍ଷେତ୍ରରେ ସେହି ପ୍ରବୃତ୍ତିଟିକୁ କେତେଦୂର ସ୍ୱୀକାର କରିନେଇ ପାରିବା ? ଏବେ ଯେ ପୃଥିବୀର ଧର୍ମମାନେ ପରସ୍ପର ସହିତ ଗୋଳ କରି ଆମକୁ ଜଣେ ଜଣେ ବ୍ୟକ୍ତି ହିସାବରେ ଆମର ଅନନ୍ୟ ଅଧ୍ୟାତ୍ମ୍ୟ ପରିଚୟ ଆଡ଼କୁ ପରିଚାଳିତ କରି ନେଇ ଯାଉଛନ୍ତି, ସେ କଥାଟିକୁ ମଧ୍ୟ ଆଦୌ କୁହାଯାଇପାରିବ ନାହିଁ । ଏବର ଧର୍ମକନ୍ଦଳ ମଣିଷମାନଙ୍କୁ କ୍ରମେ ଅଧିକରୁ ଅଧିକ ଅସୂୟା ଭିତରକୁ ଠେଲି ଦେଉଛି । ଏବଂ, ଏବର ରାଜନୀତିକ କନ୍ଦଳଗୁଡ଼ାକ ତାହାରି ଭିତରେ ଅଣଆୟତ୍ତ ହୋଇ ପଶିଥିବା ମନୁଷ୍ୟମାନଙ୍କୁ ହୁଏତ ଅଧିକରୁ ଅଧିକ ଅସହିଷ୍ଣୁ ଏବଂ ଅହଂକାରୀ ହେବାରେହିଁ ସାହାଯ୍ୟ କରୁଛି । ଏହାଦ୍ୱାରା ରାଜନୀତିକ ଜୀବନର ସର୍ବମୂଳ ତଥା ସର୍ବନିମ୍ନ ପ୍ରତ୍ୟୟଗୁଡ଼ିକ ମଧ୍ୟ କ୍ରମେ ଦୂଷିତ ହୋଇଯାଉଛି । ରାଜନୀତିରେ ଚେତନା–କ୍ଷେତ୍ରରେ ଯଥାଶୀଘ୍ର ଏକ ଉତ୍ତୋଳନ ନଘଟିଲେ ସତେଅବା ଆମେ ସମସ୍ତେ ଯାଇ ଏକ ଭୟଙ୍କର ଗହ୍ୱର ଭିତରେ ପଡ଼ିଯିବା, ବେଳେବେଳେ ସେହିପରି ଏକ ଭୟ ମଧ୍ୟ ଭାରି ସଂକ୍ରମିତ ହୋଇ ଆମକୁ ମାଡ଼ି ବସିବାକୁ ଆସୁଛି-। ଏପରି କେଉଁ ନେତୃତ୍ୱଟି ସମ୍ଭବ ହେବ, ଯାହାକି ଆମ ଦେଶର ରାଜନୀତିକୁ ତା’ର ଯଥାର୍ଥ ପ୍ରତିଷ୍ଠାଟି ଆଣିଦେଇ ପାରିବ ?

Image

 

କିଏ ପଚାରେ ସେ ଲୋକଙ୍କ କଥା

 

ଲୋକଙ୍କ ସକାଶେ ଶାସନ ଚାଲିଛି । ଲୋକଙ୍କୁ ନେଇ ଗଣତନ୍ତ୍ର ବୋଲି ବହିମାନଙ୍କରେ ଲେଖା ହୋଇଛି । ଖେଳାଳିମାନେ ଲୋକମାନଙ୍କୁ ନେଇ କେତେ ପ୍ରକାରର ଖେଳ ଖେଳୁଛନ୍ତି । ରାଜଧାନୀରେ ନିଜ ନିଜର ଶକ୍ତି ପ୍ରଦର୍ଶନ ନିମନ୍ତେ ମସ୍ତ ମସ୍ତ ମାର୍ତ୍ତଣ୍ଡମାନେ ଥାଟ ଥାଟ ଲୋକଙ୍କୁ ଆଣି ଜମା କରି ଦେଇପାରୁଛନ୍ତି । ଗାଁକୁ ଚାଲ ବୋଲି ଯେତେବେଳେ ସହରରେ ସରକାରୀ ମେଳାର ବରାଦ ହେଉଛି, ସେତେବେଳେ ଲୋକେ ଆସି ନେଫେଡ଼ା ପ୍ରଦର୍ଶନୀମାନଙ୍କରେ ସାମିଲ ହୋଇ ଯାଉଛନ୍ତି । ନେଫେଡ଼ା କଥାସବୁ ଶୁଣୁଛନ୍ତି ଏବଂ ସମ୍ମାନ ବିକି ଗାଁକୁ ଫେରି ଯାଉଛନ୍ତି । ତଥାପି ଲୋକଙ୍କ କଥା କେହି ପଚାରୁନାହାନ୍ତି ବୋଲି କାହିଁକି କିଏ ରୋଦନ କରୁଛି ?

 

ଲୋକମାନଙ୍କର ନାଆଁରେ ସବୁ ହେଉଛି । ତଥାପି ଲୋକମାନଙ୍କର ଭାଗ୍ୟ ଫିଟୁନାହିଁ । ସେମାନେ ଯେଉଁମାନଙ୍କୁ ପାଷାଣ୍ଡ ବୋଲି ଭଲକରି ଜାଣିଛନ୍ତି, ସତେଅବା ଗରଜରେ ପଡ଼ି ସେହିମାନଙ୍କ ହାତରେ ଗୋଡ଼ି ଓ ପଥର ପରି ବ୍ୟବହୃତ ହେଉଛନ୍ତି । ଗାଁମାନେ ସହରର ନକଲ କରିବାକୁ ସତେଅବା କାର୍ଯ୍ୟତଃ ବାଧ୍ୟ ହେଉଛନ୍ତି । ସହରକୁ ନକଲ କରି ଗାଁର ଇସ୍କୁଲ ଚାଲୁଛି । ସହରିଆମାନେ ସରକାରୀ ଅପସଂସ୍କୃତି ବିଭାଗରୁ ପଇସା ନେଇ ଗାଁରେ ସଭା ଓ ଉତ୍ସବଗୁଡ଼ିକର ଆୟୋଜନ କରାଉଛନ୍ତି । ସହରରୁ ପଣ୍ଡିତମାନେ ଗାଡ଼ିରେ ବସି ଗାଁକୁ ଯାଉଛନ୍ତି ଓ ପୂଜ୍ୟପୂଜାମାନଙ୍କରେ ସର୍ଦାରି କରି ଆସୁଛନ୍ତି । ସେମାନେ ସନ୍ଧ୍ୟାକୁ ଯାଇ ପହଞ୍ଚୁଛନ୍ତି ଓ ରାତି ପହରକବେଳକୁ ବାହାରି ଆସୁଛନ୍ତି । ଗାଁରେ ବଡ଼ବଡ଼ ବ୍ୟକ୍ତିମାନଙ୍କର କେତେ ଛୁତକ ଏବଂ ମୁର୍ତ୍ତୁକ ପାଳନ କରାଯାଉଛି । ସେଠାରେ ଭାଷଣ ଦେବା ସକାଶେ ମନ୍ତ୍ରୀମାନେ ବଳଦ ସଜାହୋଇ ବିମାନରେ ବସିଥିବା ପରି ଯାଇ ଗାଁରେ ହାବୁଡ଼ି ଯାଉଛନ୍ତି ଏବଂ ଲୋକମାନଙ୍କୁ ଯାହା ମନ ତାହା କହି ବାହୁଡ଼ି ଆସୁଛନ୍ତି । ସହରରୁ କ୍ରିକେଟ୍ ଖେଳ ଯାଇ ଗାଁରେ ହମ୍ୱାରଡ଼ି ଦେଲାଣି । ଗାଁର ଟୋକାମାନଙ୍କର ଏବେ ହାତରେ ଏତେ ଏତେ ସମୟ ବଳୁଛି ଯେ ଆଗେ ରଜବେଳର ବାଗୁଡ଼ି ଖେଳପରି ଏବେ କ୍ରିକେଟ୍ ବାଡ଼ିଆରେ ପଡ଼ିଆ ଓ ଗୋଚର କମ୍ପିଉଠୁଛି । ଗାଁର ଲୋକେ ସହରର ଛାଞ୍ଚରେ ସଭ୍ୟତା ଭିତରକୁ ଆସୁଛନ୍ତି । ସହରରୁ ଜ୍ଞାନ ଯାଇ ଗାଁକୁ ଗଦ ଶୁଙ୍ଘାଉଛି ଏବଂ ଲୋକମାନେ ଆଧୁନିକ ସବୁକିଛି ଭିତରକୁ ପ୍ରବେଶ କରୁଛନ୍ତି ।

 

ଲୋକେ ସହରରେ ଅଛନ୍ତି, ଗାଁରେ ଅଛନ୍ତି । ପାରମ୍ପରିକ ହିସାବ ଅନୁସାରେ ଗାଁରେ ବେଶୀ ଲୋକ ବାସ କରୁଛନ୍ତି । ସମ୍ଭବତଃ ସେହି କାରଣରୁ ମହାତ୍ମା ଗାନ୍ଧୀଙ୍କ ଅମଳରୁ ଭାରତବର୍ଷ ଗାଁର ଦେଶ ବୋଲି ଆମର ମଗଜ ଭିତରେ ଏକ ଅପବାଦ ମଧ୍ୟ ପୂରାଇ ଦିଆଯାଇଛି । ମାତ୍ର ଭାରତସାରା ଯେତେ ଗାଁ ରହିଛି, ସେଠାରେ କିଛି ପାଠ ପଢ଼ି କିଛି ବୁଦ୍ଧି ଖେଳାଇ ପାରିବାମାତ୍ରକେ ମଣିଷମାନେ ଗାଁକୁ ଶୂନ୍ୟ କରି ସହରକୁ ବାହାରି ଆସିଲେଣି । ସହରମାନଙ୍କରେ ଫୁଟି ଉଠିଥିବା ଏହି ନୂତନ କିସମର ଗାଁମାନଙ୍କୁ କ୍ରମେ ବସ୍ତି ବୋଲି କୁହାଗଲାଣି । ଆମ ଦେଶରେ ଶୁଦ୍ଧ ସହରବାସୀ ସମ୍ଭବତଃ ଶହକରେ ଦଶଭାଗ ମଧ୍ୟ ନାହାନ୍ତି । ଅଶୁଦ୍ଧ ଅର୍ଥାତ୍ ଏକାବେଳେକେ ଗାଁରେ ଏବଂ ସହରରେ ଗୋଟାଏ ଗୋଟାଏ ଗୋଡ଼ ରହିଥିବା ମଣିଷମାନେ ସହରରେ ଅଧିକ ଆନନ୍ଦରେ ରହିପାରିବେ ବୋଲି ଗାଁକୁ ଉଜୁଡ଼େଇବାରେ ଭାରି ଲାଗିଛନ୍ତି । ସେମାନେ ସହରୀ ହୋଇ ରହିବା ଲାଗି ମନ କରୁଛନ୍ତି ଏବଂ ଏଣେ ଗାଁରୁ ନିଜ ଲୋଭ ଏବଂ ନିଜ ସ୍ୱାର୍ଥର ଚେରଗୁଡ଼ାକୁ ମୋଟେ କାଟିଦେଇ ପାରୁନାହାନ୍ତି । ଗାଁରୁ ପୂରା ମନ ଛାଡ଼ି ଯାଇଥିବା ଓ ତଥାପି ମଝିମଝିକା ହୋଇ ରହିଥିବା ମଣିଷମାନେ ଗାଁକୁ ସତେଅବା ସହରର ସବୁକିଛିକୁ ଏକାବେଳେକେ ବୋହି ଆଣିବେ ବୋଲି ଜିଦ୍ ଧରି ବାହାରିଛନ୍ତି । ସହରର ଘରଜୁଆଇଁ ହୋଇ ରହିଥିବା ବାବୁମାନେ ଗାଁପାଇଁ ଯୋଜନା କରୁଛନ୍ତି,–ଗାଁ ଭିତରକୁ ନୂଆ ପରିମଳମାନ ବୋହି ଆଣୁଛନ୍ତି । ଗାଁ ଲୋକେ ଅନାଇ ରହିଛନ୍ତି । କ୍ଲୀବ ବନି ଯାଇଥିବା ପରି ଅନାଇ ରହିଛନ୍ତି । ବିଟମାନଙ୍କର ଉପଦ୍ରବ–ସ୍ରୋତରେ ଏବେ ଗାଁରେବି ରାଜନୀତି ପଶିଲାଣି, ବୋମା ଫୁଟିଲାଣି ଏବଂ ଭୁଜାଲି ମରାହେଲାଣି । ଲୋକମାନଙ୍କର ଉଦ୍ଧାର କରିବାକୁ ଭଳିଭଳି ଭେଷ ପିନ୍ଧିଥିବା ଚତୁରମାନେ ଏବେ ନେତା ହୋଇ ବାହାରି ପଡ଼ିଲେଣି । ଏପରିକି ଗାଁର ପାରମ୍ପରିକ ପର୍ବପର୍ବାଣି ମଧ୍ୟ ସହରରୁ ଛାଞ୍ଚ ମାଗିଆଣି ନୂଆ ନୂଆ ଢମରେ ଏବଂ ନୂଆ ନୂଆ ଢଙ୍ଗରେ ପାଳିତ ହେଲାଣି ।

 

ଭାରତବର୍ଷ ସ୍ଵାଧୀନ ହେବାପରେ ଗାନ୍ଧିଜୀ ଦେଶରେ ଭବିଷ୍ୟ ରାଜନୀତି ବିଷୟରେ ଯେଉଁ ଚିଠା କରିଥିଲେ, ସେଥିରେ ସେ ଗାଁ ଓ ଗାଁରେ ବାସ କରୁଥିବା ଲୋକମାନଙ୍କୁହିଁ ସବାଆଗରେ ରଖି ସେସବୁ କରିଥିଲେ । ତାଙ୍କରି ନେତୃତ୍ୱରେ ପରିଚାଳିତ ହୋଇ ସ୍ୱାଧୀନତାର ସଂଗ୍ରାମ ଲଢ଼ି ଆସିଥିବା ରାଜନୀତିକ ସଂଗଠନଟିକୁ ଏଣିକି ଭାଙ୍ଗି ଦିଆଯାଉ ବୋଲି ସେ ପରାମର୍ଶ ଦେଇଥିଲେ । ଏହି ଦଳର ନେତା ଓ କର୍ମୀମାନେ ଜଣେ ଜଣେ ଲୋକସେବକ ହିସାବରେ ଗାଁରେ ଯାଇ ରହିବେ ଏବଂ ନୂତନ ଭାରତବର୍ଷରେ ନୂତନ ଆହ୍ୱାନ ତଥା ଆବଶ୍ୟକତାଗୁଡ଼ିକ ଅନୁସାରେ ଗ୍ରାମବାସୀମାନଙ୍କୁ ଗଢ଼ି ଆଣିବେ ବୋଲି ସେଥିରେ ବରାଦ ରହିଥିଲା । ଲୋକସେବକ ନିଜେ ରାଜନୀତି ଭିତରେ କୌଣସି କ୍ଷମତା ହାସଲ କରିବାପାଇଁ ଆଦୌ କିଛି କରିବ ନାହିଁ ସିନା, ମାତ୍ର ଦେଶର ଶାସନ ନିମନ୍ତେ ଲୋକମାନେ ଯେପରି ଯୋଗ୍ୟ ପ୍ରତିନିଧିମାନଙ୍କୁ ବାଛିପାରିବେ, ସେ ସେଥିପ୍ରତି ଲୋକମାନଙ୍କୁ ଏକ ଅନୁରୂପ ରାଜନୀତିକ ତଥା ଅର୍ଥନୈତିକ ସଚେତନତା ଆଣିଦେବାରେ ଯାବତୀୟ ପ୍ରସ୍ତୁତିକାର୍ଯ୍ୟ କରିବ । ମହାତ୍ମାଗାନ୍ଧୀ ବଞ୍ଚି ରହିଥିଲେ କ’ଣ ହୋଇଥାନ୍ତା କେଜାଣି, ମାତ୍ର ତାଙ୍କୁ ସେନାପତିରୂପେ ବ୍ୟବହାର କରି ସଂଗ୍ରାମରେ ଜୟଲାଭ କରିଥିବା ଦଳଟି ସେନାପତିଙ୍କର କୁହା ମାନିବାକୁ ଆଉ ଆଦୌ ଆବଶ୍ୟକ ମନେକଲାନାହିଁ । ତେଣିକି ସିଏ ତା’ ନିଜ ବାଟରେ ଗଲା ଏବଂ ସ୍ୱାଧୀନ ଭାରତରେ ତେଣିକି ସତେଅବା ସବୁକିଛି ବିଗିଡ଼ିଗଲା । ନେତାମାନେ ବାବୁ ହେଲେ, ଅମଲାତନ୍ତ୍ର ହେଣ୍ଡି ମାରିଲା, ଶାସନଟା ସତେଅବା ଲୋକମାନଙ୍କର ଆୟତ୍ତ ଭିତରୁ ବାହାରିଯାଇ ଆଉ କୁଆଡ଼େ ପଳାଇଲା । ଲୋକମାନେ ଘୋଡ଼ା ହେଲେ, ଗଧ ହେଲେ, ମେଷପଲ ହେଲେ । ସେମାନଙ୍କର ଭୃତ୍ୟମାନେହିଁ ସେମାନଙ୍କର ପିଠିରେ ବସି ପାରିଧି କଲେ ।

 

ଅସଲ ଦଳଟା ଚିତା କାଟିବା ଓ ଭଗାରିହେବା ଫଳରେ ସ୍ୱାଧୀନ ଭାରତର ଅନ୍ୟ ଯେଉଁ ନୂଆ ଦଳମାନେ ରାଜନୀତିକ ରଣାଙ୍ଗନରେ ନୂଆ ନୂଆ ଛଟକରେ ଆସି ଅବତୀର୍ଣ୍ଣ ହେଲେ, ସମ୍ଭବତଃ ସେଇଟିକୁ ଦେଖି ସେମାନେ ମଧ୍ୟ ବାବୁ ହେଲେ, ଅକଲ ଭୁଲିଗଲେ । ଅନୁକୂଳ ଏକ ଜଳବାୟୁରେ ସତେଅବା ଚତୁରମାନେହିଁ ରାଜନୀତି କଲେ ଓ ଉଚ୍ଚ ଉଚ୍ଚ ଅମଲା ହୋଇ ଦେଶ ଶାସନ କଲେ । ବାମ ଓ ଦକ୍ଷିଣ ସମସ୍ତେ ଅସୁର ହେଲେ, ଉଦାସୀନ ହେଲେ, ଆତ୍ମକାମୀ ହେବାକୁହିଁ ପାଠପଢ଼ିବାର ଅସଲ ଶ୍ରେୟ ବୋଲି ଗ୍ରହଣ କଲେ । ସରକାର କ୍ରମେ ଦେଶ ଲୋକଙ୍କୁ ଜାଗ୍ରତ ମନୁଷ୍ୟ ଓ ନିର୍ଭୀକ ନାଗରିକ କରି ଗଢ଼ିବାର ଉଦ୍ଦେଶ୍ୟରେ ଗାନ୍ଧିଜୀ ଭିଆଣ କରିଥିବା ସକଳ ସାଧନକୁ ଆତ୍ମସାତ୍ କରିନେଲେ । ମୌଳିକ ଶିକ୍ଷା, ଖଦି, ଗ୍ରାମୋଦ୍ୟୋଗ, ଏହି ସବୁକିଛି କ୍ରମେ ସରକାରୀ ମୁଣି ଭିତରେ ଯାଇ ପଡ଼ିଗଲା ଏବଂ ସତେଅବା ଆଉ ଗୋଟାଏ କେଉଁ ଚଢ଼େଇର ଅଣ୍ଡା ହୋଇ ବାହାରିଲା । ଲୋକସେବକ ସଂଘଟାଏ ଗଢ଼ିବା ନିମନ୍ତେ ସରକାର କୌଣସି ଉଦ୍ୟମ କରିବାର ପ୍ରଶ୍ନହିଁ ନଥିଲା, ତେଣୁ ସେପରି କୌଣସି ଶକ୍ତିକ୍ଷେତ୍ର ସ୍ୱାଧୀନ ଦେଶରେ ସମ୍ଭବ ହୋଇପାରିଲା ନାହିଁ । ସରକାରୀ ପ୍ରଚାର ବିଭାଗ, ସଂସ୍କୃତି ବିଭାଗ ତଥା ଶିକ୍ଷା ବିଭାଗ ଆପଣାର ଜାଲଗୁଡ଼ିକୁ ବିସ୍ତାର କରାଇ ଲୋକମାନଙ୍କଠାରୁ ସକଳ ସାହସକୁ ହରଣ କରିନେଲା, ସେମାନଙ୍କୁ ଅଧିକରୁ ଅଧିକ ପରିମାଣରେ ସରକାରଙ୍କ ପାଖରେ ଅନୁଗ୍ରହନିର୍ଭର କରି ରଖିଲା । ଚକ୍ରବର୍ତ୍ତୀମାନେ ଲୋକକଲ୍ୟାଣ ନାଆଁରେ ଲୋକମାନଙ୍କର ଅସହାୟତା ବଢ଼ାଇବାରେହିଁ ନିମିତ୍ତ ପରି କାର୍ଯ୍ୟ କଲେ । ଲୋକମାନଙ୍କର ମେରୁଦଣ୍ଡକୁ ସତେଅବା ଅତ୍ୟନ୍ତ ସୁଯୋଜିତ ଭାବରେ ଭାଙ୍ଗି ଦିଆଗଲା । ମଣିଷମାନଙ୍କ ଭିତରେ ଯେଉଁ ଶକ୍ତି ଏବଂ ସମ୍ଭାବନା ସୁପ୍ତ ହୋଇ ରହିଛି, ତାହାକୁହିଁ ଜୀବନର ବିବିଧ କର୍ମକ୍ଷେତ୍ରରେ ଗତିଶୀଳ ଓ ପ୍ରକଟ କରି ଆଣିବାହିଁ ଶିକ୍ଷାର ଅସଲ ଓ ସର୍ବମୂଳ ଉଦ୍ଦେଶ୍ୟ ବୋଲି ସ୍ୱାମୀ ବିବେକାନନ୍ଦ ଏକଦା ଏହି ଦେଶରେ ଘୋଷଣା କରି କହିଥିଲେ । ସ୍ୱାଧୀନ ଭାରତରେ ଯାହାକିଛି ହେଲା, ତଦ୍ଦ୍ୱାରା ଆଉ ସବୁକିଛି ହୁଏତ ହେଲା ସିନା, ମାତ୍ର ଲୋକମାନଙ୍କର ବଳ ବଢ଼ିଲା ନାହିଁ । ଶାସନର ଗୋଡ଼ଗୁଡ଼ାକ ଲୋକମାନଙ୍କର ଅକଲ ଓ ଉଦ୍ୟମକୁ କାବୁ କରି ରଖିଲା । କଲ୍ୟାଣକାମୀ ସରକାର ବିଶେଷ ଅନୁଗ୍ରହ ଏବଂ ଅନୁକମ୍ପାଦ୍ଵାରା ତଥାକଥିତ ଅନଗ୍ରସର ବର୍ଗମାନଙ୍କୁ ମଣିଷ ହିସାବରେ ଅଧିକ ଦୁର୍ବଳ କରି ପକାଇଲେ । ଏହି ଦେଶରେ ମଣିଷମାନେ ପରସ୍ପରକୁ ସବାଆଗ ସାହସୀ ଓ ସଚେତନ ମଣିଷ ହିସାବରେ ଚିହ୍ନିପାରିବାର ଅବସରଗୁଡ଼ିକୁ ସତେଅବା ଅପହରଣ କରି ନିଆଗଲା । ଲୋକଶକ୍ତି ଖଣ୍ଡଖଣ୍ଡ ହୋଇ ରହିଲା । ଏକ ନବ୍ୟ ସାମନ୍ତବାଦର ଶିକାର ହୋଇ ରହିଲା । ଯେଉଁ ବିକଳ୍ପ ନେତୃତ୍ୱ ଦେଶକୁ ଏକ ଅନ୍ୟ ଆଭିମୁଖ୍ୟ ଓ ଅନ୍ୟ ଅଭିକ୍ରମର ଅବକାଶ ଆଣି ଦେଇପାରିବ, ସରକାର ଏବଂ ସାମନ୍ତମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହିଥିବା ପର୍ଯ୍ୟନ୍ତ ତାହାର କଦାପି ଉନ୍ମେଷ ହୋଇପାରିବ ନାହିଁ । ବିକଳ୍ପ ମଣିଷମାନେହିଁ ସେହି ନେତୃତ୍ୱ ଦେଇପାରିବେ । ସେମାନେ ରାଜନୀତି ଭିତରେ ଥିବେ, ଅଥଚ କ୍ଷମତାକୁ ମନ କରିବେ ନାହିଁ । ସେମାନେ ପାଠ ପଢ଼ିଥିବେ, ବିବିଧ ଜ୍ଞାନକୌଶଳ ଲାଭ କରିଥିବେ, ମାତ୍ର ତାହାକୁ ଚାକିରି ଘରେ ବିକି ନିଜେ ସ୍ଥୂଳ ହୋଇ ବସିବାକୁ ସେମାନଙ୍କ ଭିତରେ ଆଦୌ କୌଣସି ଉତ୍ସାହହିଁ ନଥିବ । ସ୍ୱାଧୀନ ଭାରତର ଠକ ଏବଂ ଚତୁରସେଣମାନଙ୍କଠାରୁ ନୁହେଁ, ଭାରତବର୍ଷର ସ୍ଵାଧୀନତା–ସଂଗ୍ରାମ ସମୟର ସ୍ୱପ୍ନ ଏବଂ ନେତୃତ୍ୱଠାରୁହିଁ ସେମାନେ ପ୍ରେରଣା ପାଇବେ । ପଛକୁ ଫେରିପାରିବେ ନାହିଁ; ସମ୍ମୁଖରେ ନିଜକୁ ନୁହେଁ, ମାତ୍ର ଏହି ଦେଶର ଲୋକମାନଙ୍କୁହିଁ ସବାଆଗରେ ରଖିଥିବେ, ମାତ୍ର ପଛର ସଂଗ୍ରାମଟିରୁ ପ୍ରେରଣା ପାଉଥିବେ ।

 

କାରଣ ଲୋକମାନଙ୍କର ସଂଗ୍ରାମ ସରିନାହିଁ, ସଂଗ୍ରାମ ଆସୁଛି । ଯିଏ ଦେଶରେ ନେତା କିମ୍ବା ଅମଲା ହୋଇ ଲୋକମାନଙ୍କର ଛାତି ଉପରେ ବସିଛି, ସିଏ ଏକଥାଟିକୁ ମୋଟେ ବୁଝିପାରିବ ନାହିଁ । ଏକ ରାଜନୀତିକ ସ୍ଵାଧୀନତା ଆସିବାମାତ୍ରକେ ଯେ ଗୋଟିଏ ଜନସମୂହର ସଂଗ୍ରାମ ଆଦୌ ସରିଯାଏ ନାହିଁ, ଉଭୟେ ମାର୍କସ୍ ଓ ଗାନ୍ଧୀ ସେକଥା ବହୁ ଅବସରରେ କେଡ଼େ ସ୍ପଷ୍ଟ ଭାବରେ କହି ଯାଇଛନ୍ତି । ଆସନ୍ତା ସଂଗ୍ରାମଟି ହେଉଛି ଅର୍ଥନୈତିକ ସଂଗ୍ରାମ, ସାମାଜିକ ସଂଗ୍ରାମ । ସେହି ସଂଗ୍ରାମଗୁଡ଼ିକ ଲୋକମାନଙ୍କୁ ଭିତ୍ତିକରି ଲଢ଼ାହେବାର କାର୍ଯ୍ୟକ୍ରମଟି ଏବେ ମଧ୍ୟ ବାକି ରହିଛି । ଦେଶର ରାଜନୀତିକ ଦଳମାନଙ୍କର ଆଉ ଲୋକାଧାରିତ କୌଣସି ଭୂମି ନାହିଁ । ଏବେ ସେମାନେ ସହରରେ ବସି କଜିଆ କରୁଛନ୍ତି । ଗାନ୍ଧୀବାଦୀମାନଙ୍କର ପ୍ରାୟ ସକଳ ଉତ୍ସାହ କେତେଟା ପର୍ବପାଳନରେ ସୀମାବଦ୍ଧ ଓ ଶୀତଳ ହୋଇ ରହିଯାଇଥିବା ପରି ଲାଗୁଛି । ସାଧାରଣ ଲୋକମାନଙ୍କ ସହିତ ତଥାପି ଯେଉଁମାନଙ୍କର କିଛି ଚେର ଲାଗିଛି, ସେମାନଙ୍କ ମଧ୍ୟରୁ ଦେଶର ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଉପରେହିଁ ସବାଆଗ ଆଖି ପଡ଼ିଯାଉଛି । ଏମାନେ ସବାତଳେ ଯାଇ କାମ କରୁଛନ୍ତି । ଉପରୁ ଓ ବାହାରୁ ପଇସା ନେଇ କାର୍ଯ୍ୟ କରୁଛନ୍ତି ସତ, ମାତ୍ର ଲୋକମାନଙ୍କର ନିକଟତମ ହୋଇ ରହିଛନ୍ତି । ସେମାନେ ଅନୁଗ୍ରହ ଦେଖାଇବାକୁ ଲୋକମାନଙ୍କ ପାଖକୁ ମୋଟେ ଯାଇନାହାନ୍ତି । ଅଥଚ, ଏପରି ଗୋଟିଏ ଗୋଟିଏ କାମ ହାତକୁ ନେଇଛନ୍ତି, ଯାହାଫଳରେ ସେମାନେ ଲୋକମାନଙ୍କ ମଧ୍ୟରେ ସେମାନଙ୍କର ସଂଘଶକ୍ତିକୁ ଜାଗୃତ କରାଇ ଆଣିବାର ଏକ ଅବସର ମଧ୍ୟ ପାଉଛନ୍ତି । ଗାଁମାନଙ୍କରେ ଯେଉଁସବୁ ମୂଳଭୂତ ପରିବର୍ତ୍ତନ ହୋଇଥିଲେ ଯୁଗଯୁଗ ଧରି ରହି ଆସିଥିବା ଦୂରତା ଓ ଘୃଣାଗୁଡ଼ିକ ଭାଙ୍ଗି ଏକ ସକ୍ରିୟ ଲୋକଶକ୍ତି ଜନ୍ମଲାଭ କରିଥାନ୍ତା, ସ୍ୱେଚ୍ଛାସେବୀମାନେ ସତେଅବା ବିଭିନ୍ନ ପରିସ୍ଥିତିର ବଶବର୍ତ୍ତୀ ହୋଇ ସେହିସବୁ ପରିବର୍ତ୍ତନକୁ ସମ୍ଭବ କରିବାର ଏକ ଆହ୍ୱାନର ସମ୍ମୁଖୀନବି ହେଉଛନ୍ତି । ହୁଏତ ସେମାନଙ୍କଦ୍ଵାରା କିଛି ହେବ । ସେମାନଙ୍କ ହାତ ଧରି ଲୋକମାନେ ଗୋଟାଏ ବା କେତେଟା ପାହାଚ ଉଠି ଆସି ପାରିବେ । ପ୍ରତିବାଦ ଓ ପ୍ରତିରୋଧ କରିବାକୁ ସମର୍ଥ ହେବେ । ଗାଁ କଥା କହିବ, ଜଙ୍ଗଲ କଥା କହିବ, ପାହାଡ଼ ଆଉ ପଥରର ନିଦ ଭାଙ୍ଗିବ । ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକରେ କେଉଁମାନେ ସେପରି ଦୃଷ୍ଟିସମ୍ପନ୍ନ ବୀରମାନେ ଅଛନ୍ତି, ଯେଉଁମାନେ କି ଲୋକମାନଙ୍କର ବନ୍ଧୁ ହୋଇପାରିବେ ଓ ସେକଥା କରିପାରିବେ ?

Image

 

କେବଳ ସନାତନ ଧର୍ମଦ୍ୱାରା

 

ଧର୍ମ ପଛରେ ଏକ ସନାତନ ଧର୍ମ ଅବଶ୍ୟ ରହିଛି । ଇତିହାସର ଧର୍ମମାନେ ନିତାନ୍ତ ଏକ ସ୍ଥାନୀୟ ଭୂମିରେଖା ମଧ୍ୟରେହିଁ ଆପଣାର ଅସ୍ତିତ୍ୱଟିକୁ ଘୋଷଣା କରିଥିଲେ । ଏବଂ ତା'ପରେ ମଣିଷମାନଙ୍କର ଏହି ପୃଥିବୀ କେଡ଼େ ବଡ଼ ହୋଇଗଲାଣି । ସ୍ଥାନୀୟମାନେ ପରସ୍ପରକୁ ଭେଟି ଓ ପରସ୍ପରର ଚିହ୍ନା ପାଇ ଆପଣା ଆପଣାର ଏକ ଗଭୀର ପ୍ରଶସ୍ତତମ ସ୍ତରରେ ମଧ୍ୟ ପରିଚୟ ପାଇପାରିଛନ୍ତି । ଜନପଦ ଅନୁସାରେ ଯେ ସେହି ଜନପଦରେ ବାସ କରୁଥିବା ମନୁଷ୍ୟମାନଙ୍କର ଯାବତୀୟ ଧର୍ମର ମୀମାଂସା ହୁଏ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମାତ୍ର ସେହି ଜନପଦର ସୀମା ଓ ସଂଜ୍ଞାଟି ବଦଳି ଯେତେବେଳେ ସମଗ୍ର ପୃଥିବୀଠାରେ ଆସି ଟକ୍କର ଖାଇଲାଣି, ସେତେବେଳେ ମଣିଷର ଧର୍ମମୂଲ୍ୟଗୁଡ଼ିକ ମଧ୍ୟ ଅନୁରୂପ ହେବାକୁ ବାଧ୍ୟ ହେବ । ପବିତ୍ର ଅପବିତ୍ରର ଅର୍ଥ ବଦଳିଯିବ; ମ୍ଳେଚ୍ଛ, ଯବନ ଓ କାଫେର ପ୍ରଭୃତି ଶବ୍ଦର ଏକ ପୁନର୍ବିଚାର ମଧ୍ୟ କରାଯିବ । ଏଥିରୁ ଚିତା କାଟି ବାହାରେ ରହିଯିବାର ସତେ ଯେପରି ଆଉ କୌଣସି ରାସ୍ତାହିଁ ନାହିଁ । ଯିଏ ତଥାପି ବାହାରେ ରହିବ, ଆପଣାର ପୁରୁଣା ଖୋଳଗୁଡ଼ାକୁ ଆହୁରି ଅଧିକ ଟାଣ କରି ମୁଇଁ ଶ୍ରେଷ୍ଠ କିମ୍ବା ମୁଇଁ ଶୁଦ୍ଧ ବୋଲି ଆଣ୍ଟ ଧରି କହୁଥିବ, ବିବର୍ତ୍ତନର ସେହି ଚିରନ୍ତନ ନିୟମଟି ଅନୁସାରେ ହୁଏତ ସେଇ କ୍ରମେ ପଛରେ ରହିଯିବ, ଅପ୍ରାସଙ୍ଗିକ ହୋଇପଡ଼ିବ ।

 

ଯେତେବେଳେ ଧର୍ମ ଆଧ୍ୟାତ୍ମିକତାର ସୋପାନକୁ ସ୍ପର୍ଶ କରେ, ସେତେବେଳେ ସଚରାଚର ତାହାକୁହିଁ ସନାତନ ଧର୍ମ ବୋଲି କୁହାଯିବ । ଧର୍ମମାନେ ଗଭୀର ହେଲେ, ସାଧୁ ହେଲେ ଏବଂ ସ୍ପର୍ଶକାତର ନହେଲେହିଁ ଆଧ୍ୟାତ୍ମିକତାର ପରିସର ମଧ୍ୟକୁ ଅଭିବୃଦ୍ଧି ଲାଭ କରନ୍ତି ଏବଂ ଅସଲ ସନାତନତାର ମର୍ମପ୍ରବେଶ କରନ୍ତି । ଧର୍ମଗୁଡ଼ିକର ଆରମ୍ଭ କାଳରୁ ପ୍ରାୟ ପ୍ରତ୍ୟେକ ଧର୍ମରେ ଆମେ ଏପରି ଗୋଟିଏ ଅନ୍ୟ ସମାନ୍ତର ସ୍ୱରକୁ ଅବଶ୍ୟ ଭେଟିବା, ଯାହାକି ଆପଣାର ସଂକୀର୍ଣ୍ଣ ଅଳପଟି ମଧ୍ୟରୁ ବାହାରି ଆସି ଏକ ବିଶ୍ୱଜନୀନତାର ପ୍ରେରଣାପଟ ଉପରେ ସତ୍ୟର ସାକ୍ଷାତଲାଭ କରିବା ନିମନ୍ତେ ସାହସ କରିଛି । ଯାବତୀୟ ସାଂପ୍ରଦାୟିକତାର ଊର୍ଦ୍ଧ୍ୱକୁ ଉଠିଯିବାକୁ ଅନୁରାଗ ପ୍ରକାଶ କରିଛି । ମାତ୍ର ସମ୍ପୃକ୍ତ ଶାସନମାନେ, କ୍ଷମତାଧିକାରୀ ନ୍ୟସ୍ତସ୍ୱାର୍ଥମାନେ ଏବଂ ପୁରୋହିତମାନେ ତାହାର ତୀବ୍ର ବିରୋଧ କରିଛନ୍ତି । ଧର୍ମ ସେମାନଙ୍କ କବଳ ଭିତରକୁ ବିକି ହୋଇଯାଇଛି ପଛକେ, ଆହୁରି ଅଧିକ ଦେଖିପାରୁଥିବା ମନୁଷ୍ୟମାନଙ୍କୁ ବାଟ ଛାଡ଼ିନାହିଁ । ଈଶ୍ଵରଙ୍କର ସତକୁସତ ଅନୁରାଗୀ ସାହସୀ ମଣିଷମାନେ ଭୀରୁ କ୍ଷମତାଧୀଶମାନଙ୍କ ପାଖରୁ କେତେକେତେ କଟାଳ ସହିଛନ୍ତି ଏବଂ କେତେ ଗଞ୍ଜଣାର ସମ୍ମୁଖୀନ ହୋଇଛନ୍ତି । ସତ୍ୟଗୁଡ଼ିକ ଶାସ୍ତ୍ର ଭିତରେ ବନ୍ଦୀ ହୋଇ ରହିଯାଇଛନ୍ତି ଏବଂ ସମ୍ମୋହିତମାନେ ସେମାନଙ୍କୁ ପୂଜା କରିଛନ୍ତି । ସତ୍ୟକୁ ମୋ’ର ବୋଲି କହି କେଡ଼େ ଅତ୍ୟାଚାରୀ ହୋଇଛନ୍ତି, କେଡ଼େ ଉଗ୍ର ହୋଇଛନ୍ତି, କେତେ ନା କେତେ ଅପସଂସ୍କୃତି ଓ ଅସାଧୁତାର କାରଣ ହୋଇଛନ୍ତି । ଉଚ୍ଚତମ ସତ୍ୟଟି ମଣିଷର, ପ୍ରତ୍ୟେକ ମଣିଷର ଭିତରେ ରହିଛି ବୋଲି ପୃଥିବୀଯାକର ଆଧ୍ୟାତ୍ମିକତା ଘୋଷଣା କରି ଆସିଥିଲେ ମଧ୍ୟ ଥୋକେ ଦୁରାଗ୍ରହୀ ନିର୍ବୋଧ ତଥାପି ଏପରି ନିର୍ମମ ଓ ଅସାଧୁ ହୋଇପାରିଲେ କିପରି କେଜାଣି ? ହୁଏତ ସେହିମାନଙ୍କର ଫିକର ଭିତରେ ପଡ଼ି ଏହି ପୃଥିବୀରେ ମଣିଷସମୂହଗୁଡ଼ିକର ନିୟତିଟା ମଧ୍ୟ କାଳକ୍ରମେ ଏଭଳି ବିକୃତ ଏବଂ ବକ୍ର ହୋଇପଡ଼ିଲା । ମଣିଷକୁ ମଣିଷର ପାଖକୁ, ଆହୁରି ପାଖକୁ ଆଣିବା ସକାଶେ ବିଜ୍ଞାନ ସମେତ ବିଶ୍ୱର ଯାବତୀୟ ଶକ୍ତି ଓ ବିଦ୍ୟା ଆମ ସମସ୍ତଙ୍କ ଲାଗି କେତେକଅଣ ଅନୁକୂଳତା ଏବଂ ପ୍ରଶସ୍ତତା ଆଣି ଖଞ୍ଜି ଦେଉଥିଲେ ଓ ଏବେ ମଧ୍ୟ ଦେବାରେ ଲାଗିଥିଲେହେଁ, ମଣିଷମାନେ କାହିଁକି ଓ କ’ଣ ମନକରି ଯେ ନିଜ ନିଜର ବାଡ଼ଗୁଡ଼ିକ ଭିତରେ ଆବଦ୍ଧ ହୋଇ ରହିଲେ ଏବଂ ଏତିକିକୁହିଁ ସମଗ୍ର ବିଶ୍ୱ ବୋଲି କହିଲେ, ଭଗବାନଙ୍କୁ ଅର୍ଥାତ୍ ସର୍ବୋଚ୍ଚ ସତ୍ୟକୁ ସତ ମନ କରୁଥିବା ପ୍ରତ୍ୟେକ ମଣିଷ ତାହାର କାରଣ ଖୋଜି ବାହାରିବା ଉଚିତ ଏବଂ ନିଜ ଭିତରେ ତା’ର ଉତ୍ତରଟିଏ ମଧ୍ୟ ପାଇବା ଉଚିତ ।

 

ଭାରତବର୍ଷର ପ୍ରାଚୀନ ଅରଣ୍ୟରେ ଉପସ୍ୟାରତ ମନସ୍ୱୀମାନେ ଆପଣାର ଅନ୍ତର୍ଦୃଷ୍ଟିକୁ ପ୍ରସାରିତ କରି ଯେଉଁ ସତ୍ୟଗୁଡ଼ିକୁ ପ୍ରତ୍ୟକ୍ଷ କରିଥିଲେ, ସେସବୁ ଆମର ପ୍ରଥମକାଳୀନ ଉପନିଷଦଗୁଡ଼ିକରେ ସଂଗ୍ରଥିତ ହୋଇ ରହିଛି । ସେହି ଉପନିଷଦମାନେ ପ୍ରଥମେ ବେଦର ଅନ୍ତର୍ଗତ ଥିଲେ । ମାତ୍ର, କାଳକ୍ରମେ ସମ୍ଭବତଃ ଅନ୍ୟ ନାନାବିଧ ଗୌଣ ପ୍ରୟୋଜନମାନଙ୍କରେ ପଡ଼ି ସେଗୁଡ଼ିକ ସହିତ ବହୁ କର୍ମକାଣ୍ଡର ଭେସରା ବିଧିଗୁଡ଼ିକୁ ଆଣି ଯୋଡ଼ି ଦିଆଗଲା ଏବଂ ସେହି ସମ୍ପୂର୍ଣ୍ଣ ଆବୁରୁଜାବୁରୁଟାକୁ ବେଦ ବୋଲି କୁହାଗଲା । ବେଦର ଚିରନ୍ତନ ସତ୍ୟୋକ୍ତିଗୁଡ଼ିକୁ ଯିଏ ନିଜ ଜୀବନର ଯଥାର୍ଥ ସମ୍ପତ୍ ବୋଲି ଗ୍ରହଣ କରୁଥିବ, ସିଏ କଦାପି କର୍ମକାଣ୍ଡର କ୍ଳାନ୍ତିକାରୀ ଗହନ ଭିତରେ ପଶିବାକୁ ଯେ ଆଦୌ ମନ କରିବ ନାହିଁ, ସେଥିରେ କୌଣସି ଦ୍ୱିରୁକ୍ତିର ଅବକାଶ ନାହିଁ । ସେତେବେଳର ବିବେକୀ ମନୀଷୀମାନେ କିଭଳି ଯେ ଏହି ସବୁଗୁଡ଼ିକୁ ଏକାଠି ମିଶାଇ ଦେଇ ଏକ ଖେଚୁଡ଼ିଟାକୁହିଁ ବେଦର ଆଖ୍ୟା ଦେଲେ, ଶାସ୍ତ୍ରରେ ନିଜ ଜୀବନ ଲାଗି ବିବେକ ଖୋଜି ଯାଉଥିବା ଜିଜ୍ଞାସୁମାତ୍ରକେହିଁ ଅବଶ୍ୟ ସେହିପରି ପ୍ରଶ୍ନଟିଏ କରିବ । ହୁଏତ, ପ୍ରଧାନତଃ ସେହିପରି ଏକ କାରଣରୁ ଭାରତବର୍ଷରେ ତା’ପରେ ଅବକ୍ଷୟର ଯୁଗଟିଏ ଆସିଲା ଏବଂ ଭାରତବର୍ଷର ଲୋକସମାଜକୁ କ୍ରମେ କାବୁ କରିନେଲା । ତା'ପରେ ଯାବତୀୟ ଶାସ୍ତ୍ରାଧ୍ୟୟନ ଓ ଶାସ୍ତ୍ରବ୍ୟାଖ୍ୟା ଅତ୍ୟନ୍ତ ଅଭିସନ୍ଧିମୂଳକ ଭାବରେ ବଂଶଗତ ହୋଇରହିଲା । ସଂସ୍କୃତ ଭାଷା କୂପଜଳରେ ପରିଣତ ହେଲା ଏବଂ କେବଳ ସାମନ୍ତମାନେହିଁ ସେହି କୂପଜଳକୁ ନିଜକୁ ସୁହାଇବା ଭଳି ବ୍ୟବହାର କରିବାର ଅଧିକାର ପାଇଲେ । ଚତୁର୍ବର୍ଣ୍ଣର ବିଚାରଟି ବହିରେ ପ୍ରଥମେ ଯାହା ରହିଥାଉ ପଛକେ, ଭାରତୀୟ ସମାଜ ଚାରିଜାତିରେ ବଡ଼ ସାନରେ ବିଭକ୍ତ ହୋଇଗଲା । ମୂଳ ଭଗବାନଙ୍କୁ ଛାଡ଼ି ମୂର୍ତ୍ତିପୂଜାର ଧ୍ୱଜା ଉଡ଼ିଲା । ମୂର୍ତ୍ତିର ମାଧ୍ୟମରେ ଉପାସକ ମର୍ମ ପାଖକୁ ଆସିପାରେ ବୋଲି ରହିଥିବା ଆଶ୍ଵାସନାଟି କ୍ରମେ ଏକ ଅସାଧୁ ଅନ୍ଧବିଶ୍ୱାସରେ ପରିଣତ ହେଲା । ଠାକୁର ଠାକୁର ମଧ୍ୟରେ ଲଢ଼େଇ–ହେଲା, ସେହି ଅକଥାମାନଙ୍କର ବୟାନ କରି ଏକାନ୍ତ ପୌତ୍ତଳିକମାନେ ପୁରାଣ ଲେଖିଲେ । ସତ୍ୟ ସାମ୍ପ୍ରଦାୟିକତାର ପାଲ ଭିତରେ ପଡ଼ି ଲାଜରା ହୋଇ ରହିଲା । ଘୃଣା ବଢ଼ାଇବାର ମନ୍ଦ ଅଭିଯାନମାନଙ୍କରେ ଏହି ଠାକୁରମାନଙ୍କୁ ପକ୍ଷ କରାଗଲା ଓ ପ୍ରତ୍ୟେକ ପକ୍ଷର ଶାସ୍ତ୍ର ଲେଖି ଥୋଇଦେବା ନିମନ୍ତେ ଉତ୍ସାହୀ ପଣ୍ଡିତମାନେବି ବାହାରି ପଡ଼ିଲେ । ଦିଗ୍‍ବିଜୟରେ ବାହାରିଲେ ।

 

ଅଧ୍ୟାତ୍ମ ଶାସ୍ତ୍ରଗୁଡ଼ିକ ଅନୁସାରେ ନୁହେଁ; ଏକାବେଳେକେ ଏକ ଅନ୍ୟ ବିଦ୍ୱେଷ ଓ ଚତୁରତା ଦେଇ ଲେଖା ହୋଇଥିବା ଅନ୍ୟ ପ୍ରକାରର ଶାସ୍ତ୍ର ଅନୁସାରେ ସମାଜ ଚାଲିଲା । ଏହି ଶାସ୍ତ୍ରଗୁଡ଼ିକୁ ସଂହିତା ବୋଲି କୁହାଗଲା । ବେଦର ସଂହିତାଗୁଡ଼ିକଠାରୁ ଏଗୁଡ଼ିକ ଭିନ୍ନ ପ୍ରକାରର ହେଲା ଏବଂ ମଣିଷମାନଙ୍କୁ ବୋଲ ମନାଇ ରଖିଲା । ବୋଲଗୁଡ଼ିକୁ ମାନିବା ଓ ନମାନିବା ଅନୁସାରେ ଧର୍ମଘରର ମିଛ ପୋଲିସ୍‍ମାନେ ସ୍ୱର୍ଗ ଓ ନର୍କର ଭେଳିକି ଦେଖାଇଲେ । ଜୀବନ ହୁଡ଼ି ହୁଡ଼ି ଗଲା । ସାମୂହିକତା ଭୟଦ୍ଵାରା ପ୍ରେରିତ ହୋଇରହିଲା । ଭୟ ବିକଟାଳ ହୋଇ ଭାଗ୍ୟବାଦର ରୂପ ଧାରଣ କଲା ।

 

ଆମ ଭାରତବର୍ଷରେ ଏହିପରି ମଣିଷମାନଙ୍କ ଲାଗି ସେକାଳରୁ ପ୍ରାୟ ଏକାଳ ପର୍ଯ୍ୟନ୍ତ ଏକାବେଳେକେ ଅରୁଆ ଓ ଉଷୁନା ଚଳୁଥିବା ପରି ଦୁଇ ପ୍ରକାରର ଆଚାର, ଦୁଇ ପ୍ରକାରର ରୀତି ଏବଂ ସେହି କାରଣରୁ ଦୁଇ ପ୍ରକାରର ନ୍ୟାୟ ପ୍ରଚଳିତ ରହିଆସିଛି । ଯେଉଁମାନେ ତଥାକଥିତ ଧର୍ମପକ୍ଷର ଅନୁଶାସନରେ ରହିଛନ୍ତି, ସେମାନେବି ଆଖର ସଂସାରପକ୍ଷଟାର ଅନୁକରଣ କରିଥିବା ପରି ସଂସାର ଆଖିରେ ବଡ଼ ଏବଂ ପୂଜ୍ୟ ଦିଶିବେ ବୋଲି କ୍ରମେ ଅଧ୍ୟାତ୍ମରୁ ସ୍ଖଳିତ ହୋଇ ଆସିଛନ୍ତି; ମହନ୍ତ ହୋଇଛନ୍ତି, ମଠାଧୀଶ ଭାବରେ ମଣିଷମାନଙ୍କୁ ବହୁ ଅପସଂସ୍କାରର ଫାଶରେ ବାନ୍ଧି ରଖିଛନ୍ତି, ସତେଅବା ନିଜର ଥାନଗୁଡ଼ିକୁ ସ୍ଥାୟୀ କରି ରଖିବେ ବୋଲି ସେମାନଙ୍କୁ ନିତାନ୍ତ ଅଳପ ଭିତରେ ମାଡ଼ି, ମକଚି ଚେପା କରି ରଖିଛନ୍ତି । ଭାରତବର୍ଷରେ ଏବେ ସତେଅବା ଏପରି ଏକ ଉଜ୍ଜ୍ୱଳ ଅଧ୍ୟାତ୍ମର ଅପେକ୍ଷା ରହିଛି, ଯାହାକି ଏହି ଅଳ୍ପତା ଏବଂ ପଦସର୍ବସ୍ୱତାକୁ ଦୁରାଚାର ବୋଲି କହିବ, ମନୁଷ୍ୟମାନଙ୍କର ଆଖି ଖୋଲିଦେଇ ଯିବ, ବୃହତ୍ତର ପୃଥିବୀଟି ଆଡ଼କୁ ସେମାନଙ୍କର ଗ୍ରହଣଶୀଳତାକୁ ପ୍ରକୃତରେ ଉଦ୍‍ଘାଟିତ କରିଆଣିବ । ସେମାନଙ୍କୁ ସ୍ଥାନାଚାରର ଯାବତୀୟ ଦୌରାତ୍ମ୍ୟରୁ ମୁକ୍ତ କରି ବିରାଟତରର ପରିଚୟ ଆଣିଦେବ ।

 

ଧର୍ମମାନେ ମଣିଷକୁ କାଳକ୍ରମେ ସଂକୁଚିତ କରି ଆଣିଛନ୍ତି ବୋଲି ବର୍ତ୍ତମାନ ତାହାରିଦ୍ୱାରା ପରିଚାଳିତ ହୋଇ ଆସିଥିବା ଆମେ କେବଳ ଆମରି ଧର୍ମଟିକୁ ସନାତନ ଧର୍ମ ବୋଲି କହୁଛୁ । କେବଳ ଆମରି ଶାସ୍ତ୍ର ଭଗବାନଙ୍କ ମୁଖରୁ ନିଃସୃତ ହୋଇଛି ବୋଲି ଢୋଲ ପିଟୁଛୁ ଏବଂ ସ୍ଵର୍ଗଟାଯାକ କେବଳ ଆମରିପାଇଁ ବରାଦ ହୋଇ ରହିଛି ବୋଲି ଢମ ବାଢ଼ୁଛୁ । ସେଥିଲାଗି ଆମ ପୃଥିବୀରେ ଅର୍ଥନୈତିକ, ସାମାଜିକ ଓ ଆଚାରଗତ ଯାବତୀୟ ସମ୍ବନ୍ଧ ମଧ୍ୟ ଅତ୍ୟନ୍ତ ଦୟନୀୟ ଓ ହାସ୍ୟାସ୍ପଦ ଭାବରେ ଈଶ୍ଵରବର୍ଜିତ ହୋଇ ରହିଛି । ପ୍ରତ୍ୟେକ ଧର୍ମର ମନ୍ଦମତି ବଳବାନ୍ ଓ ସ୍ଥାନସ୍ଥମାନେ କେବଳ ନିଜର ଠାକୁର ଓ ନିଜର ସଂସ୍କାରଗୁଡ଼ାକୁ ଏକମାତ୍ର ସତ୍ୟ ବୋଲି କହୁଛନ୍ତି । ଯଥାର୍ଥ ସନାତନ ଧର୍ମ ସେମାନଙ୍କର ସେହି ଦାମ୍ଭିକତାକୁ ଭାଙ୍ଗିଦେବ ମନୁଷ୍ୟକୁହିଁ ତାହାର ଯଥାଯୋଗ୍ୟ ସ୍ଥାନରେ ଆଣି ପୁନଃପ୍ରତିଷ୍ଠିତ କରିବାର ଆହ୍ୱାନ ଦେବ । ବଡ଼ ସାନର ଭେଦ ରହିବ ନାହିଁ, ଦୂରତାଗୁଡ଼ିକ ଅନ୍ତର୍ହିତ ହେବେ, ସମଗ୍ର ବିଶ୍ୱକୁ ଏକକରୂପେ ଗ୍ରହଣ କରି ଆମ ସ୍ଥାନୀୟ ଆବେଦନଗୁଡ଼ିକର ମୂଲ୍ୟାୟନ ହେବ । ସତକୁସତ ଏକ ଆଧ୍ୟାତ୍ମିକ ନ୍ୟାୟରେ ପୃଥିବୀ ଚାଲିବ । ଇତିହାସରେ ଆମ ଏକାଳ ପର୍ଯ୍ୟନ୍ତ ଧର୍ମମାନେ ଯେପରି ମଣିଷ ମଣିଷକୁ ଶୋଷଣ କରିବାର ଓ ଉପେକ୍ଷା କରିବାର ନାନା ବ୍ୟବସ୍ଥାରେ ସତେଅବା ଅତ୍ୟନ୍ତ ସ୍ୱାର୍ଥଲିପ୍ତ ଭାବରେ ଭାଗୀ ହୋଇ ରହିଥିଲେ, ସେମାନେ ମଧ୍ୟ ଆପଣାର ସେହି କଳଙ୍କରୁ ମୁକ୍ତ ହେବେ । ମଣିଷମାନଙ୍କୁ ଏହି ଛାଞ୍ଚଗୁଡ଼ାକ ଭିତରୁ ମୁକୁଳି ଆହୁରି ଆଗକୁ ଯିବା ସକାଶେ ହୁଏତ ବାଟ ବତାଇଦେବ । ସତ୍ୟ ଦୁର୍ଗତିମାନଙ୍କର କବଳ ଭିତରୁ ମୁକ୍ତ ହୋଇଆସିବ । ମଣିଷମାନଙ୍କୁ ଆଧ୍ୟାତ୍ମ ଲାଗି ସାହସ ଯୋଗାଇଦେବ ।

 

ବିଶ୍ୱସ୍ତରରେ କୋଳାହଳ ସୃଷ୍ଟି କରୁଥିବା କୌଣସି ଏକ ଆନ୍ଦୋଳନଦ୍ୱାରା ଏକଥା ସମ୍ଭବ ହେବନାହିଁ । ଅଥବା ଆଗ ସାରା ପୃଥିବୀ ଏହି ବାଟରେ ଯିବାକୁ ମନ କରୁ, ତା’ପରେ ଆମେ ମଧ୍ୟ ସେହି ବାଟରେ ଅବଶ୍ୟ ଯିବା, ଚାଲାଖ ହୋଇ ଏକଥା କହୁଥିବା ମଣିଷଦ୍ୱାରା ମଧ୍ୟ ତାହା ହେବନାହିଁ । ପ୍ରତ୍ୟେକ ଧର୍ମରେ ଏଭଳି ଅଧିକରୁ ଅଧିକ ମନୁଷ୍ୟ ବାହାରିବେ, ଯେଉଁମାନେ କି ଗୋଟିଏ ଧର୍ମ ବା ଅଭ୍ୟାସସମଷ୍ଟି ଭିତରେ ଜନ୍ମ ହୋଇଥିଲେ ମଧ୍ୟ ତଥାପି ଅଧିକ ଦେଖିବାକୁ ଏବଂ ଅଧିକ ହେବାକୁ ମନ କରିବେ, ସେହିମାନେହିଁ ଗୋଟିଏ ନୂତନ ହାୱାର ପୁରୋଗାମୀ ପ୍ରତିନିଧି ହୋଇ ବାହାରିପାରିବେ । ସେଥିଲାଗି ସେମାନଙ୍କୁ ଯେ ଆପଣାର ସ୍ଥାନୀୟ ରୀତିଗୁଡ଼ିକୁ ଅବଶ୍ୟ ଛାଡ଼ିବାକୁ ପଡ଼ିବ, ସେକଥା ଆଦୌ ନୁହେଁ । ସେମାନେ କେବଳ ଏତିକି ପଣ କରି ଜୀବନ ବଞ୍ଚୁଥିବେ ଯେ, ସେମାନେ ନିଜର ଅଭ୍ୟସ୍ତ ଛାଞ୍ଚଗୁଡ଼ିକୁହିଁ ସବୁକିଛି ବୋଲି ଧରିନେବେ ନାହିଁ, ତାହାରି ଭିତରେ କଦାପି ଲାଖି ରହିଯିବେ ନାହିଁ । ଯିଏ ପ୍ରକୃତରେ ସତ୍ୟର ପଥରେ ଯାଉଥାଏ, ସେ ପୃଥିବୀଯାକ ଭରି ରହିଥିବା ସକଳ ସତ୍ୟକୁ ଭାରି ସହଜରେ ଚିହ୍ନି ନେଇପାରେ । ନିଜଟି ଭିତରେ ଯିଏ ଆପଣାର ନାନା ତାମସିକତା ଓ ଉଗ୍ରତା ଭିତରେ ବାନ୍ଧି ହୋଇ ରହିଥାଏ, ସେଇଗୁଡ଼ିକୁ ଆବରଣରୂପେ ବ୍ୟବହାର କରି ଯିଏ ନିଜ ଜୀବନର ବୃହତ୍ତର ଆହ୍ୱାନ ତଥା ସମ୍ଭାବନାଗୁଡ଼ିକ ପାଖରୁ ଫାଙ୍କି ଦେଇ ବୁଲୁଥାଏ, ସେଇ ଚିରକାଳ ନିଜ ସ୍ଥାନଗୁଡ଼ିକର ଚଉକାନ୍ଥ ଭିତରେ ରହିଯାଏ । ଆମେ ପ୍ରତ୍ୟେକେ ଆମର ବାଟଟିକୁ ବାଛିନେବା । ତେବେ ଆମେ ବିଶ୍ଵନିୟତିର ବିବର୍ତ୍ତନରେ ଅବଶ୍ୟ ସହଯୋଗ କରିପାରିବା ।

 

ତେଣୁ, ସନାତନ ଧର୍ମ ମୋର ବା ଆମ ଭାରତବର୍ଷର ନୁହେଁ । ପରମ ସର୍ବୋଚ୍ଚ ସତ୍ୟ ମଧ୍ୟ ମୋର ଅଥବା ଆମ ଭାରତବର୍ଷର ନୁହେଁ । ତାହା ହେଉଛି ଏକ ସନାତନ ଆହ୍ୱାନ । ସନାତନ କାଳରୁ ରହିଛି ଏବଂ ସନାତନ କାଳ ଯାଏଁ ରହିଥିବ । ମୁଁ ଇଚ୍ଛା କଲେ ସନାତନ ଧର୍ମର ହୋଇପାରିବି, ନହେଲେ ମୋ’ର କ୍ଷୁଦ୍ର ଧୃଷ୍ଟତାଗୁଡ଼ିକ ଭିତରେ ଅହଂକାରୀ କାଠଗଣ୍ଡିଟା ପରି ପଡ଼ି ରହିଥିବି । ମୁଁ ଇଚ୍ଛା କଲେ ସତ୍ୟର ମଧ୍ୟ ହୋଇପାରିବି, ନହେଲେ ବହୁ ଖଣ୍ଡସତ୍ୟ ଭିତରେ ବହୁ ଉତ୍ତେଜନା ସହିତ ଏହିଭଳି ପ୍ରତ୍ୟାଖ୍ୟାତ ହୋଇ ରହିଥିବି । ଆପେ ଆପଣାକୁ ବଞ୍ଚିତ କରି ରଖିଥିବି ଓ ଘରର ଠାକୁରମାନଙ୍କୁ ରଥରେ ବସାଇ ଅଧମ ଅନ୍ଧାର ଭିତରେ ହେଣ୍ଡି ମାରୁଥିବି । ମାତ୍ର, ଅଧିକକୁ ମନ କଲେ ପ୍ରାୟ ସ୍ୱତଃସିଦ୍ଧ ଭାବରେ ଯେ ଅନେକ ଅଳପକୁ ଖୁସି ହୋଇ ବର୍ଜନ କରି ଆଗକୁ ଚାଲିଯିବାକୁ ପଡ଼ିବ, ମୋତେ ସେହି କଥାଟିକୁ ମଧ୍ୟ ଅବଶ୍ୟ ସ୍ମରଣ ରଖିବାକୁ ପଡ଼ିବ-। ସତେ ଯେପରି ମୋତେ ବିଡ଼ିବାକୁ ପରମ ସନାତନ ସତ୍ୟ ମଣିଷମାନଙ୍କୁ ନିର୍ବୋଧ ଖେଳନା ପରି ବ୍ୟବହାର କରି ଏଠି ଭଳିଭଳି ଅର୍ଦ୍ଧସତ୍ୟଗୁଡ଼ିକୁ ତିଆରି କରିଛି ଓ ବଜାର କରି ମେଲାଇ ଦେଇଛି, ମୋତେ ସେହି କଥାଟିରୁ ଉପଲବ୍ଧି କରିବାକୁ ପଡ଼ିବ । ମୋତେ ବଜାର ଭିତରୁ ଘର ଭିତରକୁ ଫେରି ଆସିବାକୁ ହେବ ।

Image

 

ଠୋଠୋ ହସିବା ଆସ

 

ନିର୍ବାଚନରେ ଜିତିବେ ବୋଲି ତ ବ୍ୟକ୍ତିମାନେ ନିର୍ବାଚନ ଲଢ଼ନ୍ତି । ସୁସ୍ଥ ରାଜନୀତିକ ସମାଜଗଢ଼ଣ ଭିତରେ ଯେଉଁସବୁ ନିର୍ବାଚନ ହୁଏ, ସେଥିରେ ଦଳମାନେ ଆପଣା ଆପଣାର କାର୍ଯ୍ୟକ୍ରମ ଓ ସେଗୁଡ଼ିକ ପଛରେ ରହିଥିବା ଲକ୍ଷ୍ୟକୁ ଭିତ୍ତିକରି ନିର୍ବାଚନରେ ଲଢ଼େଇ କରି ବାହାରନ୍ତି । ଲୋକମାନଙ୍କ ଆଗରେ ସେହିସବୁ କାର୍ଯ୍ୟକ୍ରମ ଓ ଲକ୍ଷ୍ୟଗୁଡ଼ିକର ଉପସ୍ଥାପନା କରନ୍ତି । ଅଧିକ ଲୋକ ଯେଉଁ ଦଳକୁ ଭୋଟ ଦିଅନ୍ତି, ସେଇ ସରକାର ଗଢ଼େ । ସରକାର ଗଢ଼ା ହେଲାପରେ ସମ୍ପୃକ୍ତ ଶାସନାସୀନ ଦଳଟି ନିଜର ପ୍ରତିଶ୍ରୁତ କାର୍ଯ୍ୟକ୍ରମଗୁଡ଼ିକୁ ଯଥାସାଧ୍ୟ କ୍ରିୟାନ୍ୱିତ କରିବା ନିମନ୍ତେ ଚେଷ୍ଟା କରେ ଓ ସେହିଗୁଡ଼ିକର ମାଧ୍ୟମରେ ଜନଗଣଙ୍କୁ ନିଜର ଲକ୍ଷ୍ୟ ଓ ଆଦର୍ଶ ଆଡ଼କୁ ଆକୃଷ୍ଟ କରେ । ଏହିପରି ଭାବରେ ଉଭୟ ଦଳ ତଥା ଜନଗଣ ଗଣତନ୍ତ୍ର ପାଇଁ ଅଧିକରୁ ଅଧିକ ପାକଳ ହେଉଥାନ୍ତି । ବସ୍ତୁତଃ ଏପରି ଏକ ପ୍ରକ୍ରିୟାଦ୍ୱାରା ଭୋଟରେ ଜିତିଥିବା ଏବଂ ହାରିଥିବା ଦୁଇଟିଯାକ ପକ୍ଷହିଁ ପୋଖତ ହୁଅନ୍ତି, ଅଗ୍ରଗତି କରନ୍ତି ।

 

ସ୍ୱାଧୀନ ଭାରତର ପ୍ରଥମ କାଳରେ ଆମ ଦେଶରେ ଏହି ରୀତିଟି ଅଳ୍ପ ବହୁତେ ରହିଥିଲା ପରି ପ୍ରତୀତ ହେଉଥିଲା । ରାଜନୀତିକ ଦଳ ଏବଂ ରାଜନୀତିର ମଣିଷମାନେ ଏହି ରୀତିଟିକୁ ସ୍ୱୀକାର କରୁଥିଲେ ଏବଂ ସମ୍ମାନବି ଦେଉଥିଲେ । ମାତ୍ର କାଳକ୍ରମେ ତାହା ଆମ ରାଜନୀତି ତଥା ନିର୍ବାଚନର ଧାତୁରେ ଗଲାନାହିଁ କି କ’ଣ କେଜାଣି, ରୀତିଟାବି ଓଲଟା ହୋଇଆସିଲା । ଆଠଟା ନଅଟା ନିର୍ବାଚନରେ ଆମର ମସ୍ତମାନେ ନିଜ ଅଭିଜ୍ଞତାରୁ ଯେଉଁ ତାଲିମ ପାଇଲେ ଓ ସେଥିରୁ ଯେଉଁ ସହଜପାଠକୁ ଶିକ୍ଷା କଲେ, ସେଇଥିରୁହିଁ ସେମାନେ କ୍ରମେ ଗଣତନ୍ତ୍ର ତଥା ନିର୍ବାଚନର ଯାବତୀୟ ବୋଧ୍ୟ ରୀତିଗୁଡ଼ିକୁ ବର୍ଜନ କରିବାକୁହିଁ ଅଧିକ ସାବଧାନ ଓ ଅଧିକ ପ୍ରଶସ୍ତ ବୋଲି ଜାଣିଲେ । ଏବେ ସେମାନେ ପରସ୍ପରର ଖୁଣଗୁଡ଼ାକୁ ଗାଇଲେ ଏବଂ ଅଖା ଧୋଉଥିବା ପରି ଦେଖାଗଲେ । ଖୁଣର ଆଦୌ କୌଣସି ଅଭାବ ମଧ୍ୟ ନଥିଲା । ବିଗତ ଚାଳିଶବର୍ଷର ଅପଅର୍ଜନ ଭିତରେ ପରସ୍ପରର ଖୁଣଗୁଡ଼ିକୁ ଏକତ୍ର କରି ଗୋଟାଏ ଗୋଟାଏ ଚାର୍ଜସିଟ୍ ଦେବାପାଇଁ ମଧ୍ୟ ଏମାନଙ୍କ ପାଖରେ କମ୍ ପୁଞ୍ଜି ମହଜୁଦ୍‍ ନଥିଲା । ଭିନ୍ନ ଭିନ୍ନ ଦଳର ପୁଙ୍ଗବ ହୋଇଥିଲେ ମଧ୍ୟ ଏମାନେ ପ୍ରାୟ ଏକାଭଳି କୀର୍ତ୍ତିମାନ ଅର୍ଜନ କରିଥିଲେ । ତେଣୁ ଆପଣାର କୀର୍ତ୍ତିଗୁଡ଼ିକୁ ଅପରର କୀର୍ତ୍ତିରୂପେ ଗଦା କରିଦେଇ ତା’ ବିରୋଧରେ ଏକ ଅଭିଯୋଗପତ୍ର ଜାହିର କରିବାର କାର୍ଯ୍ୟଟି ମୋଟେ କଷ୍ଟକର ହୋଇ ନଥାନ୍ତା । ଜଣେ ନିଜକୁ ଶୁଦ୍ଧ ବୋଲି ପ୍ରତିପାଦିତ କରିବା ଲାଗି ଯେ ଆଉ ଗୋଟାଏ ଦଳର ଆଉ ଜଣକର ଗୁହଟାକୁ ଘାଣ୍ଟିବାକୁ ଯାଉଛି, ସେକଥା କଦାପି ନୁହେଁ । ଗୁଣ ଓ ଆଦର୍ଶର ବିଭିନ୍ନତା ଅନୁସାରେ ପୃଥିବୀରେ ଭଗବାନ କେବେ ରାଜନୀତିର ଛାଞ୍ଚଗୁଡ଼ାକୁ ଅଲଗାଅଲଗା କରି ସୃଷ୍ଟି କରିଥିଲେ ଏବଂ ତାହାରି ଅନୁସାରେ ଆମେ ସାଧାରଣମାନେ ଦଳ ଅର୍ଥାତ୍ ଶିବିରଗୁଡ଼ିକୁ ଅଲଗାଅଲଗା କରି ଚିହ୍ନିପାରୁଥିଲୁ ସିନା, କ୍ରମେ କେତେ ଦଶନ୍ଧି ହେଲା ଆମ ଦେଶରେ ସେପରି କିଛି ଫଳୁନାହିଁ । ଦଳ ନିର୍ବିଶେଷରେ ସମସ୍ତେ ଏକା ଗୁହ ହଗୁଛନ୍ତି ଏବଂ ଏକା କଳାକୁ ଗାଲରେ ଲଗାଇ ଯାତ୍ରାକୁ ବାହାରୁଛନ୍ତି ।

 

ଭାରତବର୍ଷରେ ଏବେ କ୍ଷମତାହିଁ ପ୍ରାୟ ସବୁକିଛି ଭୋଗ କରୁଛି । ତାକୁ ଅର୍ଥଭୋଗର ପଚିଶିଟାଯାକ ଫନ୍ଦା ମିଳିଯାଉଛି । ମନଇଚ୍ଛା ମନପସନ୍ଦ ଥାନମାନଙ୍କରେ ଜମି ମିଳିଯାଉଛି । ମିଛ ବ୍ୟବସାୟମାନ କରିବା ନିମନ୍ତେ ସତ ପୁଞ୍ଜିମାନ ମିଳିଯାଉଛି । ସେଇ ଇଚ୍ଛାକଲେ ନହେବା କଥାମାନ ହୋଇଯାଉଛି ଓ ସବାଆଗ ଯାହାସବୁ ହୁଅନ୍ତା, ତାହା ଅଟକି ଯାଉଛି । ତା’ରି କାନ୍ଧରେ ବସିଥିବା ଛଟକୀ ଲକ୍ଷ୍ମୀଟା ସରସ୍ୱତୀମାନଙ୍କୁ ମନଇଚ୍ଛା ନଚାଇପାରୁଛି । କ୍ରମେ ଦେଶଟାଯାକ ଏପରି ଗୋଟାଏ ରୀତି ଓ ମଗଜରେ ଉଠିଲାଣି ପଡ଼ିଲାଣି ଯେ, ତାହା ଆଉ ଦିଲ୍ଲୀ ଓ ଭୁବନେଶ୍ୱରରେ ସୀମାବଦ୍ଧ ହୋଇ ରହିନାହିଁ, ଆମ ତମ ଗାଁ ଯାଏଁ ମଧ୍ୟ ମାଡ଼ି ଆସିଲାଣି । ମଣିଷମାନଙ୍କୁ ଭୀରୁ କରି ଦିଆଗଲାଣି । କ୍ଷମତାଧରମାନଙ୍କର ଅନୁଗ୍ରହ ବିନା ଜଳଜଳ ହୋଇ ଦିଶୁଥିବା ସତ୍ୟଗୁଡ଼ାକ ଯେ ଅବଶ୍ୟ ନପୁଂସକ ହୋଇ ରହିଯିବ, କ୍ରମେ ଆମ ସାମୂହିକ ଜୀବନର ଜ୍ଞାନୀ ଓ ଗୁଣୀମାନେ ମଧ୍ୟ ସେଥିରେ ବିଶ୍ୱାସ କଲେଣି ଏବଂ ସ୍ଥାଣୁ ହୋଇ ରହିଲେଣି । କ୍ଷମତାଘରର ଦୁଃଶାସନମାନେ ସକଳ ବିବେକକୁ ବଜାର ଭିତରକୁ ଭିଡ଼ି ଆଣି ବିବସ୍ତ୍ର କଲେଣି । ପାଠ, ପଇସା, ଘର, ବାଡ଼ି, ସାହିତ୍ୟ, ସଂସ୍କୃତି,–ଏଠି ସବୁକିଛି ଦୁଃଶାସନମାନଙ୍କର ଅଲବତ୍ ପ୍ରାପ୍ୟ ଓ ଗରଜ ବୋଲି ଦେଉଳମାନଙ୍କର ଚିଟାଉରେ ମଧ୍ୟ ଲେଖା ହୋଇ ଗଲାଣି । ତେଣୁ ନିର୍ବାଚନ ଏମାନଙ୍କ ପାଇଁ ଏକ ଖେଳ ମାତ୍ର ।

 

ରୁଷିଆରେ ଏବଂ ରୁଷିଆର ସାମରିକ ତଣ୍ଡଶକ୍ତିର ତତ୍ତ୍ୱାବଧାନରେ କମ୍ୟୁନିଷ୍ଟ ହୋଇଥିବା ପୂର୍ବ ଇଉରୋପର ତଥାକଥିତ କମ୍ୟୁନିଷ୍ଟ ଦେଶମାନଙ୍କରେ ଦଶବର୍ଷ ତଳେ ଯେଉଁଭଳି ଏକ ସ୍ଥିତି ରାଜପଣ କରୁଥିଲା, କେଜାଣି କାହିଁକି ଆମ ଭାରତବର୍ଷର ରାଜନୀତି ତଥା ଶାସନରେ ତାହାରି ପରି ଏକ ସ୍ଥିତି ଭାରି ଦୁଶି ଦୁଶି ଯାଉଛି । ରୁଷ ଭାଷାର Nomenklatura ନାମକ ଶବ୍ଦଟିଏ ତତ୍କାଳୀନ କମ୍ୟୁନିଷ୍ଟ ମହାସାମ୍ରାଜ୍ୟର ସବୁ ଦେଶରେ ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା । ନୋମେକ୍ଲାଚୁରା ଶବ୍ଦଟିର ସିଧା ଅର୍ଥ ହେଉଛି ନାମଜାଦା ଲୋକମାନେ; ମାତ୍ର ଚଳନ୍ତି ବ୍ୟବସ୍ଥାର ସମସ୍ତେ ବୁଝିପାରୁଥିବା ପରିଭାଷାରେ ଶବ୍ଦଟି ସେହିମାନଙ୍କ ପାଇଁ ପ୍ରଯୁଜ୍ୟ ହେଉଥିଲା, ଯେଉଁମାନେ ପାର୍ଟିର ଉଚ୍ଚ ନିଶୁଣିମାନଙ୍କ ଉପରେ ଯାଇ ବସିଥିଲେ, ଯେଉଁମାନେ ସାମ୍ୟବାଦ ନାମକ ସାଆନ୍ତଠାରୁ ଆଜ୍ଞା ପାଇ ମଣିଷମାନଙ୍କୁ ଚରାଉଥିଲେ ଓ ସେମାନଙ୍କୁ ସେହି ଅନୁସାରେ ପାଣି ପିଆଉଥିଲେ । କ୍ଷମତାପନ୍ନ ଏହି ବର୍ଗଟି ନିଜର ଫତୁଆଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଆଦୌ ମନୁଷ୍ୟସୁଲଭ କୌଣସି ଦୁର୍ବଳତା ଅର୍ଥାତ୍ କୋମଳତା ଆଡ଼କୁ କେବେହେଲେ ମନ କରୁ ନଥିଲା । ତା’ର ଆଜ୍ଞାଟିକୁ ଆନୁଗତ୍ୟ ଦେଖାଉ ନଥିବା ଯେକୌଣସି ମଣିଷକୁ ତାହା ନରଖର କରି ମାରି ପାରୁଥିଲା, ସାଇବେରିଆ ପଠାଇ ପାରୁଥିଲା । କବି, ଲେଖକ, ବୈଜ୍ଞାନିକ, ଅଧ୍ୟାପକ–କାହାରି ଲାଗି ବାରଣ ରହୁ ନଥିଲା । ଏହି ଶାସନାଧିଷ୍ଠିତ ବର୍ଗଟି ସତେ ଯେପରି ବସୁନ୍ଧରାଟାକୁ ଏକୁଟିଆ ଭୋଗ କରିବ ବୋଲି ପଣ କରି ବାହାରିଥିଲା ।

 

ସେମାନଙ୍କ ନିମନ୍ତେ ଅଲଗା ଦୋକାନ ଥିଲା, ଯେଉଁଠାରେ କି ସେମାନଙ୍କର ଜାୟାମାନଙ୍କ ସକାଶେ ବିଦେଶରୁ ଆମଦାନୀ ହୋଇ ଆସିଥିବା ଚହଟିଆ ମହକିଆ ଜିନିଷ ସବୁ ମହଜୁଦ୍‍ ହୋଇ ରହିଥିଲା । ଇତର ସାଧାରଣଙ୍କ ଲାଗି ସେହିସବୁ ବିପଣିକୁ ପ୍ରବେଶ କରିବାର ଅଧିକାରହିଁ ନଥିଲା । ସେମାନଙ୍କର ପିଲାଏ ଅଲଗା ଇସ୍କୁଲମାନଙ୍କରେ ପାଠ ପଢ଼ୁଥିଲେ ଓ ବଡ଼ଦିନେ ଅଲିଅଳରୂପେ ଦେଶଟାକୁ ଭୋଗ କରିବା ନିମନ୍ତେ ତିଆରି ହେଉଥିଲେ । ରୁଷିଆରେ ରାଜାକୁ ମାରି ଏକଦା ସର୍ବଜନଙ୍କର ଉଦୟପାଇଁ ଯେଉଁ ଅଭୂତପୂର୍ବ ପୃଥ୍ୱୀସ୍ୱପ୍ନର ପ୍ରତିଷ୍ଠା ହୋଇଥିଲା, ତାହାକୁ ନିର୍ବାଚିତ ମାତ୍ର କେତେଜଣ ଚଣ୍ଡରସିକହିଁ ଏକଚାଟିଆ କରି ଭୋଗୁଥିଲେ । ଅନ୍ୟମାନଙ୍କର ପାଟି ଫିଟାଇବାକୁ ଜୁ’ ନଥିଲା । ଏକ ଅତିକୁଶଳ ପ୍ରଚାରଯନ୍ତ୍ର ବଳରେ ରୁଷିଆହିଁ ପୃଥିବୀତମାମ ଦରିଦ୍ର ଓ ବଞ୍ଚିତଙ୍କର ସତେଅବା ଏକମାତ୍ର ଆଶା ବୋଲି ଭୁରୁଡ଼ଗୁଡ଼ାକୁ ବିଞ୍ଚି ଦିଆଯାଇ ବିଶ୍ୱଜନଙ୍କୁ ବୋକା ବନାଇ ରଖିଦିଆଯାଇଥିଲା ଓ ସର୍ବହରାର ଏକାଧିତନ୍ତ୍ରରେ ଉପରେ ବସିଥିବା ବୀରବରମାନେ ସତେଅବା ଏକନିଷ୍ଠ ହୋଇ ସୁଖଗୁଡ଼ିକୁ ଭୋଗ କରୁଥିଲେ । କ୍ଷମତାହିଁ ସର୍ବସୁଖର ଜନକ ବୋଲି ସେଠି ରାଜନବରରେ ପ୍ରତିପାଦିତ ହୋଇ ରହିଥିଲା ।

 

ସର୍ବାଧିପତି ଷ୍ଟାଲିନଙ୍କ କାଳରେ ଯାହାସବୁ ହେଉଥିଲା, ସେକଥା ସେତେବେଳେ କେତେକେତେ ଅଧା ଓ ତିନିପାଆମାନେ ଜାଣିଥିଲେ । ମାତ୍ର, ସିଏ ମଲାପରେ ଯାଇ କୃଣ୍ଡଫ୍‌ ସେଗୁଡ଼ିକୁ ପ୍ରଘଟ କରି କହିଲେ । କିଛିଦିନ ଲାଗି ରୁଷିଆରେ ସତେଅବା ଗୋଟାଏ ନୂଆ ତବଲା ବାଜୁଥିଲା ପରି ଓ ନୂଆ ବରଫ ତରଳୁଥିବା ପରି ମନେହେଉଥିଲା ସତ, ତଥାପି ଚୂଡ଼ାନ୍ତ ଭାବରେ କିଛି ପରତେ କରି ହେଉ ନଥିଲା । ମିଖାଏଲ୍ ଗୋର୍ବାଚୋଭ୍‍ଙ୍କ ଅମଳରେ ଯାଇ ସତକୁସତ ସବୁକିଛି ଫରଚା ହୋଇ ଦିଶିଲା । ମନେହେଲା, ସତେ ଯେପରି ଗୋର୍ବାଚୋଭ୍ ଏକୁଟିଆ ସବୁକିଛି କଲେ । ଏକୁଟିଆ ସାହସ କଲେ, ଏକୁଟିଆ ଗୁମ୍ଫାଟା ମୁହଁରୁ ପଥର କାଢ଼ିଲେ ଏବଂ ଗୁମ୍ଫା ଭିତରର ସମାଚାରକୁ ସମ୍ପୂର୍ଣ୍ଣ ଔପଚାରିକ ଭାବରେ ବିଶ୍ୱାସୀଙ୍କର ଗୋଚର ହେବାଲାଗି ବାଟ ଫିଟାଇଦେଲେ-। ଢୋଲ ଭିତରର ସବାବଡ଼ ମୂଷାଟା ଢୋଲ ଭିତରେ ଯେ ପଲେ ଛୋଟ ବଡ଼ ମୂଷାଙ୍କ ବ୍ୟତୀତ ଆଉ କେହି ନାହାନ୍ତି, ସ୍ୱପ୍ନଗୁଡ଼ାକ କୋଉଠି କିଛି ନାହିଁ, କେବଳ କେତେଟା ନୋମେନ୍‌କ୍ଲାଚୁରା ବର୍ଗଟାଏ ବାନ୍ଧି ବ୍ୟବସ୍ଥାଟା ଭିତରେ ସବୁକିଛି ଭୋଗ କରୁଛନ୍ତି ବୋଲି ଜଣେ ବ୍ୟକ୍ତି ବିନା ସଙ୍କୋଚରେ ପୃଥିବୀଯାକ ପ୍ରଘଟ କରାଇଦେଇପାରିବ ଏବଂ ସେହି ପ୍ରକ୍ରିୟାରେ ନିଜର ଆସନଟାକୁବି ଟଳାଇଦେବ, ଇତିହାସରେ ଆରେ ଏପରି କେବେହେଲେ ଘଟି ନଥିଲା-। ଭାରତବର୍ଷରେ ସେହିପରି ଏକ ସତ୍ୟର ପ୍ରଘଟଣ ପାଇଁ ରାଜନୀତିକ ଦଳ ଓ ରାଜନୀତିର କ୍ଷମତାର ଢୋଲ ଭିତରେ ସେପରି ଗୋଟିଏ ମୂଷା କୋଉଠି ରହିଛି, ଯାହାପାଇଁ କି ଆମେ ଭରସା କରି ଅପେକ୍ଷା କରି ରହିପାରିବା ?

 

ଭାରତବର୍ଷରେ କ୍ଷମତାଗହୀରରେ ସବୁଯାକ ମୂଷା ପ୍ରାୟ ଥିଲାଘରମାନଙ୍କରୁ ଆସିଛନ୍ତି-। ଯେଉଁମାନେ ଉପରୁ ଆଶ୍ରା ପାଇ ତଳ ଓ ନଥିଲାଘରମାନଙ୍କରୁ ଆସିଛନ୍ତି, ସେମାନେ ମଧ୍ୟ ନିଜ ଇନ୍ଦ୍ରପଣ ଭିତରେ ଆପଣାକୁ ହରାଇ ଦେବାକୁ ଆଦୌ ବେଶୀ ସମୟ ଲାଗୁନାହିଁ-। ସର୍ବଭୋଗୀମାନଙ୍କର ଖାତାରେ ସେମାନେ ମଧ୍ୟ ସାମିଲ ହୋଇଯାଉଛନ୍ତି । ତେଣୁ ଭାରତବର୍ଷରେ ଆମେ ଅନ୍ୟ ବାଟ ଗ୍ରହଣ କରିବା । ଆମେ ଠୋଠୋ କରି ହସିବା । ଗୋଟାଏ ହସିବା ଅଛି, ଯିଏକି ସବୁକିଛି ଦେଖେ, ସବୁକିଛି ଜାଣୁଥାଏ, ମାତ୍ର କୋଉଥିରେ ଲିପ୍ତ ହୋଇପଡ଼େ ନାହିଁ-। ସେଥିଲାଗି କର୍ତ୍ତାମାନଙ୍କର ଫିସାଦଗୁଡ଼ାକ ତା’ କ୍ଷେତ୍ରରେ ମୋଟେ କାଟୁ କରେନାହିଁ । କେବଳ ସେଇ ମଣିଷହିଁ ଠୋଠୋ କରି ହସିପାରେ । ଆଜି ରାଜନୀତି, ସାହିତ୍ୟ, ଶିକ୍ଷା ପ୍ରାୟ କୌଣସି କ୍ଷେତ୍ରରେହିଁ ଅଧିକାଂଶ ମଣିଷ ଠୋଠୋ କରି ହସି ପାରୁନାହାନ୍ତି । ସଂଗ୍ରାମୀମାନେବି ଦୋକ୍ତା ଜୋରରେ ତୁନି ପଡ଼ି ଗଲେଣି । ନିଜ ପିତ୍ତଟା ଆଡ଼କୁ ଅନାଇ ଦେବାମାତ୍ରକେ ନିଜ ପାଖରେ ଲାଜରା ହୋଇ ରହୁଛନ୍ତି ଓ ତେଣୁ ନିଜ ପାଖରେ ହାରି ଯାଇଥିବା ପରି ଦରବାରମାନଙ୍କର ମୂଷା ଦୌଡ଼ରେ ସାମିଲ ହୋଇଯାଉଛନ୍ତି । ସଂସାର ଖରାପ ହୋଇଗଲା ବୋଲି ଯିଏ ମଠରେ ଯାଇ ବସିବ ଏବଂ ସକଳ ଅସହନୀୟତା ସତ୍ତ୍ୱେ ତଥାପି ଶାନ୍ତ ହୋଇ ରହିବାକୁ ପୃଥିବୀବାସୀଙ୍କୁ ବୋଧ ଦେବାରେ ଲାଗିଥିବ, ସିଏ ମଧ୍ୟ କଦାପି ଠୋଠୋ ହୋଇ ହସିପାରିବ ନାହିଁ । ସମାଜଦାଣ୍ଡରେ ବହୁତ ବୁଦ୍ଧିମନ୍ତ ରହିଥିବେ, ଯେଉଁମାନେ କି ହାସ୍ୟରସର ସୂତ୍ର ଓ ଶାଖାଗୁଡ଼ାକୁ ଉଖାରି ଗବେଷଣା କରିବାରେ ଲାଗିଥିବେ ସତ, ମାତ୍ର ସେମାନେ ତଥାପି ଠୋଠୋ ହୋଇ ହସିପାରିବେ ନାହିଁ । ଯିଏ ଏହି ହାସ୍ୟାସ୍ପଦତାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଜାଣିଥିବ, ଉପରର ସବୁକିଛି ଚକ୍ ଚକ୍ ଓ ଦାଉଦାଉ ସତ୍ତ୍ୱେ ଭିତରେ ନୋମେନକ୍ଲାଚୁରାଙ୍କ ମଞ୍ଜନାଡ଼ିରେ କୋଉଠି ନିତାନ୍ତ ଅଯୋଗ୍ୟ ଓ ଅସାଧୁଟିଏ ଲୁଚି ରହିଛି ବୋଲି ସ୍ପଷ୍ଟ ଦେଖିପାରୁଥିବ, ତଥାପି ଆକୃଷ୍ଟ ହେବନାହିଁ କି ପାଲରେ ପଡ଼ିବ ନାହିଁ, ସେଇ ଠୋଠୋ କରି ହସିପାରିବ । କେବଳ ସେଇ ଏହି ଦେଶର ଭାଗ୍ୟ ଘରେ ନୂଆ ଧୁନିଟିଏ ପ୍ରଜ୍ଜ୍ୱଳିତ କରିଦେଇପାରିବ ।

 

ଏମିତି ଠୋଠୋ ହସି ପାରୁଥିବା ଲୋକେ ପରସ୍ପରକୁ ଚିହ୍ନି ଏକାଠି ହେଲେ ସେମାନେ ତା’ପରେ ଏକାଠି ଠୋଠୋ ହସିବାକୁ ଆରମ୍ଭ କରିବେ । ସେମାନଙ୍କୁ ନିମିତ୍ତରୂପେ ବ୍ୟବହାର କରି ଯୁଗର ବିଧାତା ଆପଣାର କାମ କରିଯିବେ । ଏଡ଼େ ବଡ଼ ଦେଶକୁ, ଏତେ ଏତେ ସମ୍ଭାବନାଦ୍ୱାରା ପୂର୍ଣ୍ଣ ହୋଇ ରହିଥିବା ଆମ ସ୍ୱାଧୀନତାକୁ ଏବଂ ପ୍ରାୟ ଶହେକୋଟି ମଣିଷଙ୍କର ନିୟତିକୁ ଯେଉଁମାନେ ନିର୍ମମ ଭାବରେ ନିଜ ନିଜଟିର ଗେଞ୍ଜ ଭିତରେ ନେଇ ପୂରାଇଦେଲେ ଓ କ୍ଷମତା ନାମରେ ଆମ ସମସ୍ତଙ୍କ ସମେତ ସତ୍ୟକୁ, ନ୍ୟାୟକୁ ତଥା ଯାବତୀୟ ସ୍ୱପ୍ନକୁ ନିଜର ରକ୍ଷିତା କରି ରଖିଲେ, ଗିରିଶିଖରକୁ ଲୟ ରଖି ବାଟ ଚାଲୁଥିବା ମଣିଷମାନଙ୍କର ସେମାନଙ୍କୁ ଅବଲୋକନ କରି ଠୋଠୋ ହସିବାକୁ ମନ ହେବନାହିଁ ତ ଆଉ କ’ଣ ହେବ ? ଠୋଠୋ ହସିବାଦ୍ଵାରା ଆପଣାର ପ୍ରତିବାଦକୁ ଅର୍ଥାତ୍ ଅନ୍ୟ ଶ୍ରଦ୍ଧା ଓ ଅନ୍ୟ ନିଷ୍ଠାକୁ ବ୍ୟକ୍ତ କରିବା, ଏଇଟିକୁ ମଧ୍ୟ ସକଳ ଅର୍ଥରେ ଏକ ସତ୍ୟାଗ୍ରହ ବୋଲି କୁହାଯାଇପାରେ । ଭାରତବର୍ଷରେ ସତ୍ୟାଗ୍ରହ ସଫଳ ହୋଇଥିବାର ବହୁ ଶକ୍ତିଶାଳୀ ଦୃଷ୍ଟାନ୍ତ ରହିଛି । ତଥାପି ସେହି ମାର୍ଗଟିର ସବୁ ସମ୍ଭାବନା ସେତିକିଦ୍ୱାରା ମୋଟେ ନିଃଶେଷିତ ହୋଇଯାଇନାହିଁ । ଭାରତବର୍ଷକୁ ସତ୍ୟାଗ୍ରହର ସେହି ଦ୍ୱିତୀୟ ଉତ୍ତରଣଟି ଆସୁଛି, ଅଚିରେ ଆସୁଛି ।

Image

 

ଭାରତବର୍ଷ ଭାରତବର୍ଷ ହେଉ

 

ପୃଥିବୀରେ ଅବସ୍ଥିତ ଶହ ଶହ ଦେଶ ମଧ୍ୟରେ ଭାରତବର୍ଷ କେବଳ ସେହିମାନଙ୍କ ପରି ଏକ ଦେଶ ନୁହେଁ, ଭାରତବର୍ଷ ହେଉଛି ଏକ ନିଆରା ଦେଶ । ଅନ୍ତତଃ ଆମ ଦେଶର ବିରାଟ ବ୍ୟକ୍ତିମାନେ ଆମକୁ ବିଗତ ଦେଢ଼ଶହ ବର୍ଷ ହେଲା ସେହି କଥା କହି ଆସିଛନ୍ତି । ସେମାନଙ୍କର ଉତ୍ସାହିତ ବୟାନ ଏବଂ ବଚନଗୁଡ଼ିକୁ ଶୁଣିବା ଏବଂ ପାଠ କରିବା ସମୟରେ ମନେହୋଇଥାଏ, ସତେଯେପରି ଭାରତବର୍ଷ ସ୍ୱୟଂ ବ୍ରହ୍ମା ବା ସେହିଭଳି କୌଣସି ବୃହତ୍‌ ଭଗବାନଙ୍କର ଔରସରୁ ଜାତ ହୋଇ ସିଧା ସ୍ୱର୍ଗ–ରାଜ୍ୟରୁ ପୃଥିବୀ ଉପରକୁ ଅବତରଣ କରିଛି । ଆହୁରି ଅଧିକ ଉତ୍ସାହରେ ତ ଭାବିବାକୁ ଭାରି ମନହୁଏ ଯେ, ସତେଅବା ଭାରତବର୍ଷ ନାମକ ଗୋଟିଏ ବିଶେଷ ଦେଶ ବା ଭୂମିକୁ ସୃଷ୍ଟି କରିବାକୁହିଁ ବିଚରା ବ୍ରହ୍ମ ଜନ୍ମଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ଏହି ପ୍ରେରଣାମୟ କଥାଗୁଡ଼ିକୁ କହିବାପାଇଁ ଗୋଟାସୁଦ୍ଧା ଭଗବତ୍‌ ପ୍ରେରିତ ମହାମଣିଷମାନେ ବେଳେବେଳେ ସତେଅବା ତଥାଦିଷ୍ଟ ହୋଇ ବିଦେଶକୁ ଯାଇଛନ୍ତି । ସେମିତି ମଣିଷ ଆମ ଦେଶରେ ଏବେ ମଧ୍ୟ ରହିଛନ୍ତି ଏବଂ ଅବସର ପାଇବାମାତ୍ରକେ କେଡ଼େ ଅଲିଅଳ ଭାବରେ ଆମ କାନପାଖରେ ସେହିସବୁ ଉଞ୍ଚ ଉଞ୍ଚ କଥାଗୁଡ଼ିକୁ କହିବାରେ ଲାଗିଯାଉଛନ୍ତି । ପୃଥିବୀରେ ବାସ କରୁଥିବା ଆଉ ଆଉ ଦେଶର ଲୋକମାନେ ଆମର ଏହି ଆହ୍ଲାଦଗୁଡ଼ାକୁ ଦେଖି ହୁଏତ କ’ଣସବୁ ଭାବୁଥିବେ ବା ନ ଭାବୁଥିବେ, ସେ କଥାଟିକୁ ଭାବି ଦେଖିବା ଲାଗି ଏମାନଙ୍କୁ ବେଳନାହିଁ ।

 

ଭାରତୀୟ ଶାସ୍ତ୍ରଗୁଡ଼ିକ କାଳ କାଳ ଧରି ପଣ୍ଡିତ ଓ ଶିଷ୍ଟବର୍ଗମାନଙ୍କର ଏକଚାଟିଆ ହୋଇ ରହିଥିଲା । ଏସବୁ ଶାସ୍ତ୍ର ଯେଉଁ ଭାଷାରେ ଲେଖାଯାଉଥିଲା, ଉତ୍ତମ ଓ ସ୍ଥାନାଭିସିକ୍ତ ଉଚ୍ଚମାନେ ତାହାକୁ ସତେଅବା କେବଳ ଆପେ ଭୋଗ କରିବେ ବୋଲି ଆପଣାର କୁଳବଧୂ କରି ରଖିଥିଲେ । ଊନ୍ନବିଂଶ ଶତାବ୍ଦୀରେ ପଶ୍ଚିମ ସମ୍ପର୍କର ହାଉଆ ବାଜି ଯେତେବେଳେ ଏଠି ଭାରତବର୍ଷରେ ମଧ୍ୟ ଆପଣାର ପ୍ରାଚୀନ ଗ୍ରନ୍ଥରତ୍ନଗୁଡ଼ିକର ପୁନରାବିଷ୍କାର କରାଇବାର ନୂଆ ବାସନାଟିଏ ଜନ୍ମଲାଭ କଲା, ସେତେବେଳେ ଭାରତୀୟ ସମାଜର ଉଚ୍ଚତର ବର୍ଗମାନଙ୍କ ମଧ୍ୟରେହିଁ ତାହା ଏକ ଜାଗରଣବତ୍ ଅନୁଭବର କାରଣ ହୋଇଥିଲା । ଏହି ଉଚ୍ଚବର୍ଗର ଅଧିପମାନେ ମୁଖ୍ୟତଃ ଉଦ୍‌ବେଳନଟିକୁ ରେନେସାଁସ୍‌ ବୋଲି ଆଖ୍ୟାତ କଲେ ଓ କେଡ଼େ ଖୁସିରେ ତାହାକୁ ଭାରତୀୟ ଜାତୀୟତାବାଦ ବୋଲି କହିଲେ । ଭାରତୀୟ ଜାତୀୟତାବାଦ ଭିତରେ ଭାରତରେ ବାସ କରୁଥିବା ସବୁ ମଣିଷଙ୍କୁ ପ୍ରାୟ କେବେହେଲେ ସୁମାରି କରାଯାଉ ନଥିଲା । ସ୍ୱାଧୀନତା ପାଇଁ ଆନ୍ଦୋଳନରେ ବେଳେବେଳେ ଉତ୍ସାହର ଡେଣାମାନ ଲଗାଇ କେହି କେହି ହୁଏତ ସେହିଭଳି ବ୍ୟଞ୍ଜନାଟିଏ ରହିଥିବା କଥାମାନ କହି ପକାଉଥିଲେ । ମାତ୍ର ସ୍ୱାଧୀନ ଭାରତବର୍ଷରେ ପ୍ରାୟ ପଚାଶବର୍ଷ ସାର୍ବଭୌମ ଶାସନ ଚାଲିବା ପରେ ଯେତେବେଳେ ଏହି ଦେଶର ସତକୁସତ କୌଣସି ବିଚାର । ବା ଯୋଜନାରେ ସବୁ ଭାରତୀୟ ଏକ ସକ୍ରିୟ ସ୍ୱୀକୃତିର ବୃତ୍ତ ମଧ୍ୟକୁ ଏବେବି ଆସି ପାରିନାହାନ୍ତି, ସେକାଳେ ସେହି ଅତୀତରେ ସେମାନେ ନେତାମାନଙ୍କର ନଜର ଭିତରେ ଥିଲେ ବୋଲି କିପରି ଅଥବା କାହିଁକି କୁହାଯିବ ?

 

ଭାରତବର୍ଷରେ ସରକାରୀ ମହକୁମାର ସୁମାରି ଅନୁସାରେ ନବେ କୋଟି ସରିକି ମଣିଷ ଅଛନ୍ତି । ଘୁଷୁରି ନାହାନ୍ତି, ମଣିଷ ଅଛନ୍ତି । ଭାରତୀୟ ଚଳନ୍ତି ସଂସ୍କୃତି ଓ ବ୍ୟାବହାରିକ ସାମୂହିକତାରେ ଉତ୍ତମମାନେ ସମ୍ଭବତଃ ଯୁଗେଯୁଗେ ଅନୁତ୍ତମ ଅଧମମାନଙ୍କୁ ଘୁଷୁରି ବା ସେହିଭଳି କିଛି ବୋଲି ବିଚାର କରି ଆସିଛନ୍ତି । ଏହି ବିଚାରକୁ ପ୍ରାୟ ଏକ ଦୁରାଗ୍ରହୀ ମାଂସଳତା ଯୋଗାଇ ଦେଇ ସମାଜଧର୍ମର ସୂତ୍ରକାରମାନେ କର୍ମବାଦ ନାମକ ଏକ ଗନ୍ଧିଆ ଦର୍ଶନର ଭିଆଣ କରି ଆସିଛନ୍ତି ଏବଂ ଏହି କର୍ମବାଦରେ ବିଶ୍ୱାସ ପ୍ରାୟ ଏକ ଲୋକସଂସ୍କୃତି ପରି ଭାରତବର୍ଷର ଜନଚେତନାକୁ ଏପରି ଜବର ଭାବରେ ଘାରି ରଖିଛି, ସତକୁସତ କୌଣସି ଅଫିମ ମଧ୍ୟ ହୁଏତ ଯାହା କରିପାରି ନଥାନ୍ତା । ଭାରତବର୍ଷର ଅନେକାନେକ ବିଜ୍ଞ ଓ ପ୍ରାଜ୍ଞମାନଙ୍କର ଯାବତୀୟ ଧୀଷଣା ସତେଅବା ଏହି କର୍ମବାଦ ପାଖରେ ଆସି ପରାଭୂତ ହୋଇ ରହିଛି । ଏଠି ବଡ଼ମାନେ ଦରିଦ୍ରକୁ ନାରାୟଣ ଜ୍ଞାନରେ ଅନୁଗ୍ରହ ଓ ଅନୁକମ୍ପା ଦେଖାଇବା ବିଷୟରେ କେତେ ଭାବପ୍ରବଣ ହୋଇ କେତେକଥା କହିଛନ୍ତି ଏବଂ ଦରିଦ୍ର ଯେ ନ୍ୟାୟତଃ ତା’ର କର୍ମଦୋଷରୁ ଦରିଦ୍ର ଓ ଅସହାୟ ହୋଇ ରହିଛି, ସେମାନେ ଏହି କଥାଟିକୁ ସତେଅବା ସ୍ୱୀକାର କରି ନେଇଛନ୍ତି । ପୃଥିବୀରେ ଘୁଷୁରିମାନଙ୍କ ପ୍ରତି ଦୟା ଦେଖାଇବାକୁ ପରାମର୍ଶ ଦେଉଥିବା ବ୍ୟକ୍ତି ଅନେକ ଅଛନ୍ତି; ମାତ୍ର କେଉଁ କାରଣରୁ ଅଥବା କାହାର ବରାଦ କିମ୍ବା ଚକ୍ରାନ୍ତରୁ ମଣିଷମାନେ କୋଟି କୋଟି ସଂଖ୍ୟାରେ ଘୁଷୁରି ହୋଇ ରହିଛନ୍ତି, ସେ କଥାଟିର ସମ୍ମୁଖୀନ ହେବାକୁ ଭାରତବର୍ଷରେ ତଥାକଥିତ ହୃଦୟବାନମାନେ ମଧ୍ୟ ଏପର୍ଯ୍ୟନ୍ତ ଆପଣାକୁ ରାଜି କରାଇପାରିନାହାନ୍ତି । ଭାରତରେ ବିଶ୍ୱବିଦ୍ୟାଳୟମାନଙ୍କରେ ଏବେ ଏକ ବିଜ୍ଞାନର ପରିଧାନ ଧାରଣ କରି ସମାଜ–ବ୍ୟାପାରର ଅଧ୍ୟୟନ ହେଲାଣି ସିନା, ମାତ୍ର ସମ୍ଭବତଃ ଉତ୍ତମ ଓ ଶିଷ୍ଟମାନେ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂହିତାକାର ହୋଇ ରହିଥିବାରୁ ହୁଏତ ପ୍ରୟୋଜନରେ ପଡ଼ି ସେହି ପ୍ରଶ୍ନଟିର ଉତ୍ଥାପନ କରିପାରୁନାହାନ୍ତି । ଖାରବେଳଙ୍କ ଘୋଡ଼ାମାନଙ୍କ ପରି ସେମାନେ ଆଉ କେଉଁସବୁ ଦେଶର ରଙ୍ଗାମାନଙ୍କରେ ପାଣିପିଇ ବୁଲୁଛନ୍ତି ।

 

ତଥାପି ଭାରତବର୍ଷରେ ମଣିଷମାନେହିଁ ଅଛନ୍ତି । ସେମାନଙ୍କୁ ଆମେ ଥୋକେ ଘୁଷୁରି କରି ରଖିଥିଲେ ମଧ୍ୟ ସେମାନେ ହେଉଛନ୍ତି ମଣିଷ, ଆଦୌ ଘୁଷୁରି ନୁହନ୍ତି । ଦେଶ ଶାସନର ବ୍ୟାକରଣ ଅନୁସାରେ ସେମାନେ ଭାରତୀୟ, ଭାରତବର୍ଷର ନାଗରିକ ଏବଂ ଘୁଷୁରି ପରି ଜୀବନ ବଞ୍ଚୁଥିବା ମଣିଷଜୀବମାନେ କଦାପି ସଚେତନ ଭାବରେ ଆପଣାକୁ ନାଗରିକ ବୋଲି ଅନୁଭବହିଁ କରିପାରିବେ ନାହିଁ । ଭାରତବର୍ଷର ମଣିଷମାନଙ୍କୁ ଯୋଜନାର ଗୋଦାମମାନଙ୍କରେ ଯେତେ ଧାରାରେ ପକାଇ ଯେତେ ଅଙ୍କ କଷାଉଥିଲେ ମଧ୍ୟ ଯେ ତଥାପି ବହୁ ନବବିଧାନର ଲାଭଗୁଡ଼ିକ ଅଧାବାଟରେ କୋଉଠି ଅଟକିଯାଉଛି ଏବଂ ଉଦ୍ଦିଷ୍ଟ ଜନସମୂହଙ୍କ ପାଖରେ ପହଞ୍ଚି ପାରୁନାହିଁ, ହୁଏତ ଏହି କାରଣରୁ ସେଭଳି ହେଉଛି । ନାନା ଅସମସ୍ୟାକୁ ନିଠକରି ରାଜନୀତି ହେଉଛି, ଗୋଟାଏ ଦେଶର ଅଧିକାଂଶ ମନୁଷ୍ୟ ଉଦର ଏବଂ ଅନ୍ତର ଧର୍ମ ପାଖରେ ଅଟକି ରହିଥିବା ସମୟରେ ଏଠି ଧୋବ ଦିଶୁଥିବା ଖଳଧର୍ମୀମାନେ ଏ ମନ୍ଦିର ବା ସେ ମସଜିଦକୁ ନେଇ ଗୋଳ କରିବାରେ ଲାଗିଛନ୍ତି । ଉଚ୍ଚଶିକ୍ଷା ନାମରେ ସାଆନ୍ତ ଜନ୍ମ ନେବାରେ ଲାଗିଛନ୍ତି, ପ୍ରଜାଙ୍କୁ ଉଚ୍ଛନ୍ନ କରାଇ ଦରବାରମାନେ ନିର୍ବାଚନ ପରେ ନିର୍ବାଚନ ଜିତୁଛନ୍ତି ଓ ହାରୁଛନ୍ତି ଏବଂ ବିଜୟ କିମ୍ବା ପରାଜୟ ଯାହା ପାଆନ୍ତୁ ପଛକେ, ସତେଅବା କୋଟି କୋଟି ମଣିଷଙ୍କର ଛାତି ଉପରେ ବସିରହିଛନ୍ତି । ଶିକ୍ଷା ଯେ ମଣିଷର ଆଖି ଖୋଲେ ନାହିଁ ଓ ତାହାକୁ ଅଧିକ ରକ୍ଷଣଶୀଳ ଏବଂ ବଧିର କରି ରଖିବାରେ ସହାୟକ ହେଉଥାଏ, ସ୍ଵାଧୀନ ଭାରତବର୍ଷରେ ଗତ କେତେଟା ଦଶନ୍ଧି ମଧ୍ୟରେ ସେହି କଥାଟାହିଁ ପ୍ରତିପାଦିତ ହେବାରେ ଲାଗିଛି । ଆମ ଦେଶକୁ ଶାସନ କରୁଥିବା ଉଚ୍ଚଶିକ୍ଷିତ ଅମଲାମାନେ ସତେଅବା କୋଉ କେଲୁଣୀର ପେଡ଼ି ଭିତରୁ ବାହାରିଥିବା ଚକ୍‌ ଚକ୍‌ ଗୋଟିଏ ଗୋଟିଏ କଣ୍ଢେଇ ପରି ଦିଶୁଛନ୍ତି ଏବଂ ଏକ ବ୍ୟାଧିଗ୍ରସ୍ତ ଦେଶରେ ନିଜକୁ ସବୁଠାରୁ ଅଧିକ ସଫଳ ହୋଇଥିବା ବିଶେଷ କୌଣସି ଏକ ଦ୍ରବ୍ୟ ପରି ଦେଖାଇ ଦେଉଛନ୍ତି । ଭାରତବର୍ଷ କହିଲେ ସେମାନେ ସମ୍ଭବତଃ ନିଜକୁହିଁ ଦେଖୁଛନ୍ତି । କର୍ମବାଦର ଅସମାନ ଦଉଡ଼ରେ ଆପଣାକୁହିଁ ସବୁଠାରୁ ବଡ଼ କପାଳିଆ ବୋଲି ଜାଣୁଛନ୍ତି ।

 

ତେବେ ଭାରତବର୍ଷ କୋଉଠି ଅଛି ? ଯେଉଁଠି ବଡ଼ ମାଛମାନେ ସାନ ମାଛଙ୍କୁ ଗିଳି ପକାଇବେ ବୋଲି ଧାଇଁଛନ୍ତି, କ’ଣ ତାହାହିଁ ଭାରତବର୍ଷ ? ଯେଉଁଠାରେ ଶଙ୍କରାଚାର୍ଯ୍ୟମାନେ ଶାସ୍ତ୍ରର ରାଣ ପକାଇ ମନୁଷ୍ୟ ଲାଗି ଅପେକ୍ଷା କରି ରହିଥିବା ଯାବତୀୟ ଉଦୟକୁ ବାଟ ଓଗାଳି ବସି ରହିଛନ୍ତି, ତାହାହିଁ ଭାରତବର୍ଷ ? ଯେଉଁଠାରେ ନିଜର ଠାକୁରଙ୍କୁ ଜଗତର ନାଥ ବୋଲି କହି କାତର କାଞ୍ଚନଲୋଭୀ ଥୋକାଏ ମଣିଷ ଖାସ୍ ନିଜପାଇଁ ସବୁକିଛି ମାଗିବାରେ ଲାଗିଥାନ୍ତି ଓ ଜଗତରେ ମୋଟେ କେହି ନରହିଲେ ମଧ୍ୟ ତଥାପି ସେହିମାନେହିଁ ପୁଷ୍ଟ ଓ ପୃଥୁଳ ହୋଇ ରହିଥାନ୍ତୁ ବୋଲି ପାଟିକରି ଭଗବାନଙ୍କର ବଡ଼ଦାଣ୍ଡଟାକୁ ଲାଳସରସର କରି ପକାନ୍ତି, ସେଇଟା ଭାରତବର୍ଷ-? ଯୋଉଠି ଗେହ୍ଲା ଘରର ପିଲାମାନେ ତିନିଟା ଟଙ୍କା ଉପାର୍ଜନ କରିବାରେ ସମର୍ଥ ନହେଉଣୁ ବାପା ମାଆଙ୍କର ଛଟକ ଦେଖାଇ ୩୦୦ ଟଙ୍କାର ପୋଷାକ ପିନ୍ଧି ବୁଲନ୍ତି ଓ ଏହିପରି ଭାବରେ ପ୍ରାୟ ଗରଜରେ ପଡ଼ି ଭବିଷ୍ୟତରେ ନିଜକୁ ଭଲରେ ରଖିବାକୁ ଚୋର ହେବାପାଇଁ ପ୍ରୋତ୍ସାହନ ଲାଭ କରନ୍ତି, ତାହାହିଁ କ’ଣ ସତକୁସତ ଭାରତବର୍ଷ ? ଆଜି ଭାରତବର୍ଷରେ ଅଧିକରୁ ଅଧିକ ମଣିଷ ଏହି ପ୍ରଶ୍ନଟିକୁ ପଚାରନ୍ତୁ । କେବଳ ନିଜକୁ ନୁହେଁ, ପରସ୍ପରକୁ ପଚାରନ୍ତୁ । ମୁଖା ପିନ୍ଧିଥିବା ମଣିଷମାନେ ମୁଖା ଫିଙ୍ଗି ଦିଅନ୍ତୁ । ମିଛକଥା କହି ମଣିଷମାନଙ୍କୁ ଠକିଆସିଥିବା ବ୍ୟକ୍ତିମାନେ ଅନୁତାପ କରନ୍ତୁ । ଏବଂ ସର୍ବୋପରି, ଭାରତବର୍ଷରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଯେଉଁମାନେ ଏଠି ଶିକ୍ଷକ ଏବଂ ଅଧ୍ୟାପକ ହୋଇ ରହିଛନ୍ତି, ସେମାନେ ମଧ୍ୟ ଚେତନ୍ତୁ; ଆଗାମୀ ଯେଉଁଭଳି ଏକ ପୃଥିବୀରେ ବର୍ତ୍ତମାନର ପିଲାମାନେ ମଣିଷ ହେବେ, ଦାୟିତ୍ୱ ନେବେ ଓ ଦାୟିତ୍ୱ ସମ୍ଭାଳିବେ, ସେହି ପୃଥିବୀଟିକୁ ପରିପ୍ରେକ୍ଷୀରେ ରଖି ସେମାନେ ପାଠ ପଢ଼ାନ୍ତୁ; ଆଉ ମୋଟେ ଧୋକା ନଦିଅନ୍ତୁ । ସେମାନଙ୍କର ଆଳସ୍ୟ ଯାଉ, ନିଶା ଭାଙ୍ଗିଯାଉ ।

 

ଭାରତବର୍ଷ, ଅର୍ଥାତ୍ ଆମ ଚାରିପାଖର ବାସ୍ତବଟି ମଧ୍ୟରେ ଆମେ ଯାହାକିଛି ଦେଖିବାକୁ ପାଉଛୁ, ତାହାହିଁ ଭାରତବର୍ଷ । ସଚେତିନ ଓ ପ୍ରତିଶ୍ରୁତିବଦ୍ଧ ଯେକୌଣସି ଭାରତବାସୀ ପାଇଁ ତାହାହିଁ ଅସଲ ଭାରତବର୍ଷ । ଏହି ଭାରତଟିକୁ ତା’ର ପରିପୂର୍ଣ୍ଣ ପ୍ରସ୍ଥଗୁଡ଼ିକୁ ଦେଇ ଅନୁଭବ କରିପାରିବ ବୋଲି ତାକୁ ଯେ ଗୋଟାସୁଦ୍ଧା ଯାବତୀୟ କଳ୍ପନାକୁ ବାଦ ଦେବାକୁ ପଡ଼ିବ, ସେକଥା ମୋଟେ ନୁହେଁ । ସ୍ୱପ୍ନ ଅବଶ୍ୟ ରହିବ, କଳ୍ପନା ଅବଶ୍ୟ ରହିବ, ଅତୀତର ଉଜ୍ଜ୍ୱଳ ଘଟଣା ଓ କୃତିଗୁଡ଼ିକ ପ୍ରେରଣା ଦେଇ ଆଗକୁ ଅବଶ୍ୟ ବାଟ ଦେଖାଇବ । ମାତ୍ର, ଭାବ ଅଧିକ ରହିବ–ଯାବତୀୟ ଆହ୍ଲାଦିଆ ଭାବପ୍ରବଣତାରୁ ତାହା ଯଥାସମ୍ଭବ ଅଧିକ ମୁକ୍ତ ହୋଇ ରହିବ । ଜାତୀୟତାବାଦୀ ସତ୍ୟାଗ୍ରହର ଯୁଗରେ ଭାରତୀୟ ବିଦ୍ୟାଗୁଡ଼ିକର ଯେତେଯେତେ ଗବେଷଣା ଏବଂ ଆଲୋଚନା ହୋଇଛି, ସେଗୁଡ଼ିକରେ ଅଧିକାଂଶ ସ୍ଥଳରେ ଭାବପ୍ରବଣତା ଅତିରିକ୍ତ ହୋଇ ପଶିଯାଇଛି । ବର୍ତ୍ତମାନ ଭୂମିଟି ସହିତ ଅଙ୍ଗୀକାରବଦ୍ଧତାର କୌଣସି ସୂତ୍ର ଲାଗି ନଥିଲେ ବିଦ୍ୱାନମାନେ ସାଧାରଣତଃ ଭାବପ୍ରବଣ ହୁଅନ୍ତି । ଅସଲ ଭାରତବର୍ଷ ଏଇ ତଳୁ ମାଟି ଉପରୁ ଆରମ୍ଭ ହୋଇ ଆକାଶ ଯାଏଁ ଲମ୍ବିକରି ରହିଛି । ବାସ୍ତବଠାରୁ ଆରମ୍ଭ କରି, ଏହିଠାରେହିଁ ସର୍ବପ୍ରଥମ ଇଟାଗୁଡ଼ିକୁ ବସାଇ ଯିଏ ଆଦର୍ଶ ଯାଏଁ ଅଟ୍ଟାଳିକାଟିକୁ ଗଢ଼ିପାରେ, ସେଇ ପ୍ରକୃତରେ ଗଢ଼େ । ସିଏ କଦାପି ପଥଭ୍ରଷ୍ଟ ହୁଏନାହିଁ । ବାସ୍ତବରୁ ଆରମ୍ଭ କଲେ ସବାଆଗ ମଣିଷମାନେ ଦିଶନ୍ତି । ଭାରତବର୍ଷରେ ଏତେ ମଣିଷ କାହିଁକି ଘୁଷୁରି ପରି ହୋଇ ରହିଛନ୍ତି, ସେଇ ପ୍ରଶ୍ନଟି ସବାଆଗ ଆସି ଆମର ଯାବତୀୟ ଜିଜ୍ଞାସାକୁ ଆଘାତ କରିବାକୁ ଲାଗେ । ଖସି ପଳାଇଯିବାକୁ ଆଦୌ ଇଚ୍ଛା ହୁଏନାହିଁ । ମଣିଷଠାରୁ ଖସି ପଳାଇ ବୁଦ୍ଧିଆମାନେ ଯେ ଆଦୌ ବେଶୀ ବାଟ ଯାଇପାରିବେ ନାହିଁ, ଭାରତବର୍ଷର ଯାବତୀୟ ସିରସ୍ତା ଭିତରେ ରହିଥିବା ପୋଲା ବାଉଁଶଗୁଡ଼ିକ ଏବେ ସେହି କଥାଟିକୁ ଧରାପକାଇ ଦେଉଛନ୍ତି । ଲୁଚି ରହିଥିବା ମୂଷାମାନେ କ୍ରମେ ଗୋଟି ଗୋଟି ହୋଇ ଧରାପଡ଼ୁଛନ୍ତି ।

 

ତେଣୁ ଭାରତବର୍ଷ ଭାରତବର୍ଷ ହେଉ । ମଣିଷକୁ କେନ୍ଦ୍ରକରି ଏଠି ସକଳ ସମସ୍ୟାର ଉଦ୍‍ଘାଟନ ହେଉ ଏବଂ ସେଗୁଡ଼ିକର ସମାଧାନ ଖୋଜାଯାଉ । ବିଦ୍ୱାନମାନେ ଉପରେ ଉପରେ ନଭାସନ୍ତୁ । ସେମାନେ ତଳକୁ ଆସନ୍ତୁ । ମଣିଷମାନଙ୍କୁ, ସବୁ ମଣିଷକୁ ସେମାନେ ନିଜ ନିୟତିର ଭାଗୀଦାର ବୋଲି ସ୍ୱୀକାର କରି ନିଅନ୍ତୁ । ଇଂରାଜୀ ଭାଷାରେ ପ୍ରଚଳିତ ସେହି କଥାଟି ଅନୁସାରେ, ପର୍ବତ ମହମ୍ମଦଙ୍କ ପାଖକୁ ନଆସିଲେ ସ୍ଵୟଂ ମହମ୍ମଦ ପର୍ବତ ପାଖକୁ ଯାଆନ୍ତୁ । ଏ ଦେଶରେ ସକଳ ବୁଦ୍ଧି ହୃଦୟର କାମରେ ଲାଗୁ । ଚତୁର ହେବାର ଦୁର୍ବୁଦ୍ଧି ଭିତରେ ପଶି ଖତରା ଓ ମାଡ଼ୁଆ ହୋଇ ନରହୁ । ଭାରତବର୍ଷକୁ ମାଡ଼ୁଆମାନଙ୍କର ଫିସାଦ ଭିତରୁ ମୁକୁଳାଇ ଆଣିବା ନିମନ୍ତେ ଏହି ଦେଶରେ ଏକ ନୂତନ ନେତୃତ୍ୱର ଅଧିବାସ ଆରମ୍ଭ ହେଉ । ସେହି ନେତୃତ୍ୱ ଆଗ ରାଜନୀତିରୁ ବାହାରିବ ବୋଲି କୌଣସି ଅପେକ୍ଷା ନରହୁ । ଆମର ଶିକ୍ଷକମାନେ, ଅଧ୍ୟାପକମାନେ, ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନେ, ଆମର ସାହିତ୍ୟ ଓ ଆମର କଳା–ଏହିମାନେହିଁ ସେହି ଅନ୍ୟ ନେତୃତ୍ୱର ଜନନୀ ହୋଇ ବାହାରିବା ନିମନ୍ତେ ତପଶ୍ଚର୍ଯ୍ୟା କରନ୍ତୁ । ସେହି ତପୋବଳରେ ଯୁଗ ବଦଳୁ, ଦିଗ ବଦଳିଯାଉ । ଭାରତବର୍ଷରେ ଭାରତବର୍ଷର ମଣିଷମାନେ ଆଖିମାନଙ୍କୁ ସବାଆଗ ଦିଶନ୍ତୁ । ଭାରତବର୍ଷକୁ ଥାକଥାକ, ଉଚ୍ଚନୀଚ ଏବଂ ଉପେକ୍ଷାଦୁଷ୍ଟ କରିଥିବା ସବୁଯାକ ଫିକର ଚୁଲିକୁ ଯାଉ ।

Image